ଅପେତଭଗ *

ଆଜିକାଲିର ଅଧିକାଂଶ ସାହିତ୍ୟିକ ପାଠକର ମନ ଚିହ୍ନିବାରେ ଅସମର୍ଥ।

ପ୍ରଶାନ୍ତ ଭୂୟାଁ

ଭାଗବତରୁ ପଦଟିଏ ପଢ଼ୁଥିଲି;
“ଅପେତଭଗ ସେ ବୋଲାଇ। ତେଣୁ ସଂସାର ନ ଛାଡ଼ଇ।
ତାପେ ତାପିତ ଏ ଶୟଳେ। ମରଇ ଅନ୍ତେ କର୍ମବଳେ।

ନିତିପ୍ରତି ଭାଗବତ ପଢ଼େ। ବୁଝେ ଅଳପ; ଭାବେ ଅପ୍ରମିତ। ଓଡ଼ିଆଙ୍କ ପ୍ରିୟ ହେଲେ ଶ୍ରୀଜଗନ୍ନାଥ ଓ ଶ୍ରୀମଦ୍‌ଭାଗବତ। ଶ୍ରୀମଦ୍‌ଭାଗବତ ଏକ ଅନବଦ୍ୟ ଭକ୍ତିଗ୍ରନ୍ଥ। କେବଳ ଭାରତୀୟ ନୁହଁ, ବୈଦେଶିକ ପଣ୍ଡିତମାନେ ମଧ୍ୟ ଏହାର ରସ ଆସ୍ୱାଦନ କରି ଆସିଛନ୍ତି। ଅତିବଡ଼ୀ, ଏହି ଅଭିଜ୍ଞାନଗ୍ରନ୍ଥକୁ ଓଡ଼ିଶାର ସାମାଜିକ ଜନଜୀବନଶୈଳୀର ଅନୁକୂଳ କରାଇପାରିଥିବାରୁ ଏହାର ମହତ୍ତ୍ୱ ଆମ ପାଇଁ ଶତଗୁଣିତ ହୋଇପାରିଛି। ଅତିବଡ଼ୀ ଓଡ଼ିଆ ମନ ଓ ଜୀବନକୁ ଚିହ୍ନିଥିଲେ; ଏଣୁ ତ ଏହାର ପ୍ରତ୍ୟେକ ପଦ ଓଡ଼ିଆଙ୍କ ପାଇଁ ବ୍ରହ୍ମଜ୍ଞାନ ଓ ଜନସାକ୍ଷରତାର ଏକ ଆଦର୍ଶ ପ୍ରତୀକ ହୋଇ ରହିଛି।
ଆଜି ଏହା କହିବାର ଉଦ୍ଦେଶ୍ୟ ହେଉଛି ଯେ ପାଠକର ଏଇ ମନ ଚିହ୍ନିବା ହିଁ ହେଉଛି ପ୍ରତ୍ୟେକ ରଚୟିତାର ଭାବବୋଧର ପରିଚାୟକ। ଆଜିକାଲିର ଅଧିକାଂଶ ସାହିତ୍ୟିକ ପାଠକର ମନ ଚିହ୍ନିବାରେ ଅସମର୍ଥ। ସେମାନେ କେବଳ ଚିହ୍ନିଛନ୍ତି ନିଜର ମନକୁ, ରଙ୍ଗବିରଙ୍ଗ ସମ୍ମାନପତ୍ରକୁ, ହାତଗଣତି କେତେ ଜଣ ଶ୍ରୋତା ଓ ଦର୍ଶକରେ ଆୟୋଜିତ ହେଉଥିବା ନିରସ ସାହିତ୍ୟ ମଞ୍ଚକୁ। ଏଣୁ ତ ଅପେତଭଗ ଆଜିର ସାହିତ୍ୟ ସଂସାର। ପ୍ରଶ୍ନବାଚୀ ଜନମାନସରେ। ଭାଷାର ଭବିଷ୍ୟତ ଓ ସାହିତ୍ୟର ଉତ୍କର୍ଷ ନେଇ ସଭିଏଁ ସନ୍ଦିହାନ।
ଆଜିର ଓଡ଼ିଆ ସାହିତ୍ୟ ଜଗତକୁ ନିରୀକ୍ଷଣ କଲେ ଏକ ବିଚିତ୍ର ବିରୋଧାଭାସ ଦେଖିବାକୁ ମିଳେ। ଏକ ପକ୍ଷରେ ଆମେ ଶ୍ରୀମଦ୍‌ଭାଗବତ ଭଳି ଅମର ଗ୍ରନ୍ଥର ତତ୍ତ୍ୱରେ ଓତପ୍ରୋତ; ଅନ୍ୟ ପକ୍ଷରେ ଆମ ସମକାଳୀନ ସାହିତ୍ୟ ଭିତରେ ଏକ ଅପେତଭଗ ପରିସ୍ଥିତି ଜାଗ୍ରତ ହେଉଛି। ଯେଉଁଠାରେ ଭାବ ଅପେକ୍ଷା ଆବରଣକୁ, ସାଧନା ଅପେକ୍ଷା ପ୍ରଦର୍ଶନକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
ପୂର୍ବତନ ଦିଗ୍‌ଗଜଗଣ ସିନା ଆମକୁ ଛାଡ଼ି ଯାଇଛନ୍ତି ହେଲେ ଆମ ପାଇଁ ଛାଡ଼ି ଯାଇଛନ୍ତି ଆଦର୍ଶ ସାହିତ୍ୟ ସମଗ୍ର। ସେମାନେ ହିଁ ଭାଷାକୁ ଜୀବନ ଦେଇଥିଲେ; ସାହିତ୍ୟକୁ ମାନ ଦେଇଥିଲେ। ଆଜି ଆମେ ଆଉ କେତେ ନୂତନ ଦିଗ୍‌ଗଜଙ୍କ ପ୍ରତୀକ୍ଷାରେ ଅଛୁ। କିନ୍ତୁ ଦୁଃଖର କଥା, ଆଗଧାଡ଼ିଆ ସାହିତ୍ୟିକମାନେ ଏହି ବୋଧରେ ସୁସାହିତ୍ୟ ରଚନା କରିବା ପରିବର୍ତ୍ତେ ପୁରସ୍କାର ପାଇଁ ରାଜନୈତିକ ନେତାଙ୍କ ଦ୍ୱାରରେ ଅଧିଆ ପଡ଼ିଛନ୍ତି। ସାମ୍ପ୍ରତିକ କେତେକ ସାହିତ୍ୟ ସମ୍ମାନ ପ୍ରଦାନ ସ୍ଥଗିତ ରହିଛି, କେତେକ ସମ୍ମାନର ପ୍ରତିଶ୍ରୁତି ଦିଆ ସରିଛି; ଏବଂ ନାଲିଫିତା ତଳେ ଏହି ସମ୍ମାନସମୂହ ରାଜନୈତିକ ପଟ୍ଟପରିବର୍ତ୍ତନର ତାମସ ତାମସା ଦେଖି ଅନେକ ଚୁପ୍ ରହିଛନ୍ତି।
ଏପରି ପରିସ୍ଥିତିରେ ଓଡ଼ିଆ ସାହିତ୍ୟ ଏକ ସଙ୍କଟକାଳୀନ ପରିସ୍ଥିତିରେ ଆସି ପହଞ୍ଚିଛି। ଆମେ କେଉଁ ଦିଗକୁ ଯାଉଛୁ! ଭାଷା ଓ ସାହିତ୍ୟର ଭବିଷ୍ୟତ କ’ଣ!
ଏଣୁ, ଆମ ଭାଗବତର ପରବର୍ତ୍ତୀ ଦୁଇପଦ ଲେଖି ରଖିବି,
“ପୁରୁଣା ଚର୍ମ ଯେହ୍ନେ ସର୍ପେ। ଛାଡ଼ଇ ପାଇ ନିଜ ରୂପେ।
ଏ ମାୟା ଯେବେ ଛାଡୁ ତୁହି। ଜୀବ ସ୍ୱରୂପେ ବିରାଜଇ।

ଏହି ଅପେତଭଗ ଅବସ୍ଥାରୁ ମୁକୁଳି ଆସିବା ପାଇଁ ଆବଶ୍ୟକ ଅଛି ଆତ୍ମଚିନ୍ତନର। ଆସନ୍ତୁ, ସାହିତ୍ୟକୁ ପୁନର୍ବାର ସାଧନାପୀଠରେ ଅଭିଷେକ କରିବା, ପାଠକଙ୍କ ମନକୁ ବୁଝିବା ଓ ଭାଷାର ଶାଶ୍ୱତ ମୂଲ୍ୟକୁ ସୁରକ୍ଷିତ କରିବା।

-ପ୍ରଭୂ

*ଅପେତଭଗ – ଐଶ୍ୱର୍ଯ୍ୟହୀନ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

One thought on “ଅପେତଭଗ *

  1. ଧନ୍ଯବାଦ ଲେଖକ ମହୋଦୟକୁଂ “ଅପେତଭେଗ” ଶବ୍ଦଟିର ଅର୍ଥ ତଳେ ପ୍ରଦାନ କରିଥିବାରୁ । କାରଣ ତରୁଣ ଶବ୍ଦକୋଷରେ ଶବ୍ଦଟି ପାଇଲି ନାହିଁ। ଓଡିଆ ଭାଗବତରେ ଅଛି ମାନେ ମହାର୍ଘ ଓଡିଆ ଶବ୍ଦଟିଏ। ବୋଧହୁଏ କ୍ଳିଷ୍ଟତା ଦୃଷ୍ଟିରୁ ବେଶୀ ପ୍ରଚଳନ ନହୋଇ ଶବ୍ଦକୋଷରୁ ବିଦାୟ ନେଇଛି।
    ଲେଖତକଂ ମତ ସହ ମୁଁ ସଂପୂର୍ଣ୍ଣ ଏକମତ। ମାତ୍ର ସବୁ ଲେଖାରେ ବା ସବୁ ଲେଖକକଂ ମଧ୍ଯରେ ଏ ବ୍ଯାଧି “ଭାବ ଅପେକ୍ଷା ଆବରଣ ଓ ସାଧନା ଅପେକ୍ଷା ପ୍ରଦର୍ଶନକୁ ମହତ୍ୱ” ବ୍ଯାପି ନାହିଁ। କିଛି ଅଛନ୍ତି ନିରୋଳା ସାଧକ।
    ମାତ୍ର ପୁରସ୍କାରକୁ ମାନଦଣ୍ଡ ରୂପେ ଗ୍ରହଣ କରାଗଲେ ଓ ଲେଖକକୁ ନିଜର ଲେଖା ପୁରସ୍କାର ରାଇଁ ପଠେଇବାକୁ ହେଲେ ଏ ଆବରଣ ଓ ପ୍ରଦର୍ଶନ ଅବଶ୍ଯମ୍ଭାବୀ ବୋଲି ମନେ ହୁଏ। ରୋଗର କାରଣ ଓ ନିରାକରଣ ବିଷୟରେ ଚିନ୍ତା କରିବାର ସମୟ ଆସିଛି।
    ସାରସ୍ୱତ ନମସ୍କାର

Leave a Reply

Your email address will not be published. Required fields are marked *