![](https://www.sahityacharcha.com/wp-content/uploads/2021/09/Reading-Book-104.jpg)
ପାଠକୀୟ ଅନୁରକ୍ତିର କଥା ପ୍ରାୟ ଚର୍ଚ୍ଚାକୁ ଆସେନାହିଁ। ଲେଖକଟିଏ ଲେଖେ କାହାପାଇଁ? “ମୁଁ ମୋ ନିଜ ପାଇଁ ଲେଖେ,” ଭଳି ଆଦର୍ଶ ଦୃଢୋକ୍ତି ତ ଆମେ ଢେର ଶୁଣିଛୁ, ହେଲେ ଶ୍ରୋତାଟିଏ ନଥାଇ ବକ୍ତାର ଯେ ସ୍ଥିତି ବୋଲି କିଛିନାହିଁ ଏହା ଅବିବାଦ୍ୟ । ସେମିତି ଶ୍ରୋତାଟିଏ ଖୋଜୁଥାଏ ସାହିତ୍ୟ।
ନିରାଶ ହେବାକୁ ପଡେ ସମର୍ପିତ ପାଠକଟିଏ ଖୋଜିବାକୁ ଗଲେ। ବେଳେବେଳେ ମନେହୁଏ ସତେ ଯେମିତି ଏଭଳି ସଦାଶୟ କେବଳ ସ୍ବପ୍ନ ରାଇଜରେ ହିଁ ମିଳନ୍ତି। କିନ୍ତୁ ସଂଯୋଗକ୍ରମେ କେବେ କେମିତି ବାସ୍ତବ ଦୁନିଆରେ ବି ଏମିତି ଅନୁରକ୍ତ ପାଠକଟିଏ ମିଳିଯିବା ବି ବିଚିତ୍ର ନୁହେଁ।
ଆମେ କହୁଛୁ ସେହି ଜଣେ ଅପୂର୍ବ ପାଠକଙ୍କ କଥା, ଯିଏ ନିଶିଦିନ ନା ଲେଖକକୁ ଶାନ୍ତିରେ ବସାଇଦିଅନ୍ତି ନା ସଂପାଦକକୁ। ଘନଘନ ଆସୁଥାଏ ତାଙ୍କର ଫୋନ୍, ନଚେତ୍ ସନ୍ଦେଶ। ଅମୁକ ଲେଖାର ସମୁକ ଧାଡ଼ିରେ ଯେଉଁ ଢ଼ମୁକ ଶବ୍ଦଟି ବ୍ୟବହାର ହୋଇଛି ତାହା କ’ଣ ଯଥାର୍ଥ? ଅଭିଧାନରେ ଅଛି ବୋଲି କ’ଣ ଏହାକୁ ଲେଖକ ମନଇଚ୍ଛା ପ୍ରୟୋଗରେ ଆଣିବେ? ଲେଖକ ଯଦି ଭୁଲ କ୍ରମେ ଲେଖିଦେଲେ, ତେବେ ସଂପାଦକ ବା କରୁଥିଲେ କ’ଣ?
ଆର ଦିନ ପୁଣି ଫୋନ୍ ଆସେ, “ଆପଣ ଏମାସର ସଂପାଦକୀୟରେ କାଳିଦାସଙ୍କ ଯେଉଁ ଶ୍ଲୋକଟି ଉଦ୍ଧାର କଲେ, ତାହାଠାରୁ ଶ୍ରେଷ୍ଠତର କଥା ଉପେନ୍ଦ୍ର ଭଂଜ ବି ଠାଏଁ କହିଛନ୍ତି। ସେଇଟି ଉଲ୍ଲେଖ କରିପାରିଥାନ୍ତେ।” ଏମିତି ଅଜସ୍ର ଉପଦେଶ, ଅଭିମାନ ଓ ଅଭିଯୋଗମାନ ଅହରହ ଆସୁଥାଏ ପାଠକ ଜଣଙ୍କଠାରୁ। ଆମେ ବିବ୍ରତ ହେଉନା, ମ୍ରିୟମାଣ ବି ନୁହଁ। ବରଂ ପରମ ଆନନ୍ଦ ଓ ତୃପ୍ତିରେ ଭରିଯାଏ ମନ। ସେ ହଜାରକରେ ଜଣେ ହୁଅନ୍ତୁ ପଛେ, ଅଛନ୍ତି ତ ଆମର ଜଣେ ନିଷ୍ଠାପର ପାଠକ। ପ୍ରତିଟି ଧାଡ଼ି ନୁହେଁ, ବରଂ ସେଥିରେ ଥିବା ପ୍ରତିଟି ଶବ୍ଦକୁ ବି ସେ ଅତି ଯତ୍ନରେ ତନ୍ନତନ୍ନ କରି ପଢୁଛନ୍ତି ଏବଂ ଆମକୁ ଦେଉଛନ୍ତି ମୂଲ୍ୟବାନ ପରାମର୍ଶଟିମାନ। ଏତିକିରେ ହିଁ ଲାଘବ ହୋଇଯାଏ ଆମର ଶ୍ରମ। ମନେ ହୁଏ, ସାହିତ୍ୟ ସେବା ପାଇଁ ଆମ ଦ୍ବାରା ବିନିଯୋଗ ହୋଇଥିବା ଯତ୍କିଞ୍ଚିତ ଶ୍ରମ ଓ ସମ୍ବଳ ବୃଥା ଯାଇନାହିଁ।
ଏଭଳି ଜଣେ ଜଣେ ବ୍ୟତିକ୍ରମ ପାଠକଙ୍କ ପାଇଁ ସାର୍ଥକ ହୁଏ ପତ୍ରିକାଟି ଜରିଆରେ ଆମର ସାହିତ୍ୟସେବା। ଅବଶ୍ୟ ପ୍ରକାରାନ୍ତରେ ଏହାକୁ ଆମେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଚରଣାରବିନ୍ଦରେ ଆମର ବିନମ୍ର ସେବା ବୋଲି ମଧ୍ୟ ମନେକରୁ। ଯେବେଠାରୁ ଆମରାଜ୍ୟରୁ ସଦ୍ୟ ନିର୍ବାଚିତ ହୋଇଥିବା ଜଣେ ଅଣଓଡ଼ିଆ ଅଥଚ ନିଚ୍ଛକ ଓଡ଼ିଆ-ପ୍ରେମୀ ରାଜ୍ୟସଭା ସଦସ୍ୟ (ଏବଂ ବର୍ତ୍ତମାନ କ୍ୟାବିନେଟ ମନ୍ତ୍ରୀ) ପାର୍ଲିଆମେଣ୍ଟରେ ନିଜର ପ୍ରଥମ ଅଭିଭାଷଣରେ ସଗର୍ବେ ଘୋଷଣା କରିବାର ଶୁଣିଲୁ ଯେ ଓଡିଆ ଏକ ସାଧାରଣ ଭାଷା ନୁହେଁ, ବରଂ ଦେବଭାଷାଟିଏ ଏବଂ ସ୍ବୟଂ ଜଗନ୍ନାଥ ହିଁ ଏହାର ସୃଷ୍ଟିକର୍ତ୍ତା, ସେତେବେଳେ ଆମର ଛାତି କୁଣ୍ଢେ ମୋଟ ହୋଇଗଲା ଏବଂ ଆମେ ନିଶ୍ଚିତ ହୋଇଗଲୁ ଯେ ଓଡ଼ିଆ ଭାଷା ଓ ସାହିତ୍ୟର ଯେଉଁ ଧରଣର ସେବା ହେଉନା କାହିଁକି, ତାହା ପ୍ରକାରାନ୍ତରେ ଜଗନ୍ନାଥଙ୍କ ସେବା।
ନିହାର ଶତପଥୀ
ସମ୍ପାଦକ
![](https://www.sahityacharcha.com/wp-content/uploads/2021/09/Cartoon-Sep-2021-1024x602.jpg)
ଭଲ କଥା ପଦେ । ସାଂସଦ ମହୋଦୟ ଙ୍କୁ ପ୍ରଣାମ, ମୋଭାଷାକୁ ନିଜର ମନେକରି ସଂସଦରେ ଅଭିମତ ଦେଇ ଥିବାରୁ । ଏହା ଥିଲା ମୋର ମନକଥା । ସାହିତ୍ୟ ରେ ମୋର ଚାଷ ନାହିଁ । କେତେବେଳେ କେମିତି ଲେଖାଟିଏ ପଢି ଯଦି କେହି ଟିକିଏ ପ୍ରଶଂସା କରେ , ଭଲଲାଗେ , ଲେଖିବାକୁ ମନହୁଏ । ଏଇଟା ସତକଥା । ଓଡ଼ିଆ ରେ ପାଠକ କେତେ ଅଛନ୍ତି ନାହାନ୍ତି କହିପାରିବି ନାହିଁ । ଜଣେ ମିଳିଗଲେ ଜାଣ ହେଇଗଲା ।
ସତକଥା ।ଜଣେ ପଢି କି କହିଦେଲେ ଲେଖାଟି ବହୁତ ଭଲ ଲାଗୁଛି,ଲେଖା ସାର୍ଥକ ହୋଇଗଲା ଜାଣ।
ପ୍ରକୃତରେ ଏବେକାର ବସ୍ତୁବାଦୀ ସମାଜରେ ଜଣେ ଶ୍ରଦ୍ଧାଳୁ ପାଠକ ହିଁ ଯେ କୌଣସି ସ୍ରଷ୍ଟାଙ୍କୁ ସର୍ବଦା ସୃଜନ ବଳୟରେ କାର୍ଯ୍ୟରତ ରହିବାର ବଳିଷ୍ଠ ମାଧ୍ୟମ ହେବ ।