- ପ୍ରତିବର୍ଷ ସାବିତ୍ରୀ ବ୍ରତ ପାଳିତ ହେଉଥିବା ବେଳେ ଆମେମାନେ ଘର ଭିତରର ସାବିତ୍ରୀମାନଙ୍କ କଥା ପାଶୋରି ଦେଉ କି? ଏ ପ୍ରସଙ୍ଗରେ ଲେଖକଙ୍କ ଏକ ଅଭିନବ ଉପସ୍ଥାପନା।
ଶ୍ରୀମତୀ ସକାଳୁ ଉଠି ଗାଧୋଇ ପାଧୋଇ ଠାକୁର ପୂଜା କରି ଦେଖିଲେ ଯେ ତାଙ୍କର ପରମ-ପୂଜ୍ୟ ଶ୍ରୀମାନ ଗାଧୋଇ ସାରି ପୂରା ପ୍ରସ୍ତୁତ। ଆଶ୍ଚର୍ଯ୍ୟ ହୋଇ ଶିଳ୍ପା ପଚାରିଲେ – “ସୂର୍ଯ୍ୟ ଆଜି କ’ଣ ପଶ୍ଚିମ ଦିଗରେ ଉଦୟ ହୋଇଛନ୍ତି?” ସବୁଦିନ ସକାଳ ୮ଟା ନହେଲେ, ଅଧ୍ୟାପକବାବୁଙ୍କର ପହଡ଼ ଭାଙ୍ଗେନା। ଆଜି କିନ୍ତୁ ସକାଳୁ ସକାଳୁ ବାବୁ ଗାଧୋଇ ପାଧୋଇ ଫୁଲ୍ ରେଡ଼ି। କ’ଣ ହେଇଛି?”
ଗୁରୁ ଗମ୍ଭୀର କଣ୍ଠରେ ଶୁଭେନ୍ଦୁ କହିଲେ- “ଆଜି ମୋର ବ୍ରତ ଅଛି।”
ଶିଳ୍ପା ଫେଏଁ କିନା ହସିଦେଇ କହିଲେ- “ଆଜି ଲଙ୍କାରେ ହରି ଶବ୍ଦ। ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇଁ ଦିିନ ମାଇଁ! ଦଶ ବର୍ଷ ହେଲା ବାହା ହୋଇ ଆସିଲିଣି। କେବେ ତ ତମେ ବ୍ରତ କରିବା ଦେଖିନିକି ଶୁଣିନି। ଆଜି କାହିଁକି ବ୍ରତ କରିବ ବୋଲି ବିଳିବିଳେଇ ହେଉଛ? କାଲି ତ ମୁଁ ସାବିତ୍ରୀ ବ୍ରତ କରିଥିଲି। ତୁମ୍ଭର ଆଜି କି ବ୍ରତ?
“ସତ୍ୟବାନ ବ୍ରତ,” ଅବିଚଳିତ କଣ୍ଠରେ କହିଲେ ଶୁଭେନ୍ଦୁ, “ବ୍ରତ ଉପରେ କ’ଣ ସ୍ତ୍ରୀମାନଙ୍କର ଏକଚାଟିଆ ଅଧିକାର? ସ୍ୱାମୀମାନେ କ’ଣ ବ୍ରତ କରି ପାରିବେ ନାହିଁ। ତୁମେମାନେ ଯେପରି କାଲି ସାବିତ୍ରୀ ବ୍ରତ କରିଥିଲ, ଆଜି ଆମେ, ଦଶ ଜଣ ସ୍ୱାମୀ ସତ୍ୟବାନ ବ୍ରତ କରିବାକୁ ନିଷ୍ପତ୍ତି ନେଇଛୁ।”
“ଇଏ କି ବ୍ରତ? ମୁଁ ଆଜିପର୍ଯ୍ୟନ୍ତ ଏପରି ବ୍ରତ ନାଁ ଶୁଣିନି।” – କହିଲା ବେଳେ ଶିଳ୍ପାଙ୍କ ସ୍ୱରରେ ବିସ୍ମୟ ଓ ଉତ୍କଣ୍ଠା ଫେଣ୍ଟାଫେଣ୍ଟି ହେଉଥିଲେ। ଶିଳ୍ପାଙ୍କୁ ବୁଝାଇ ଶୁଭେନ୍ଦୁ କହିଲେ- “ତୁମେ ସ୍ତ୍ରୀମାନେ ସ୍ୱାମୀଙ୍କର ସର୍ବାଙ୍ଗୀନ ମଙ୍ଗଳ ପାଇଁ ଯେମିତି ସାବିତ୍ରୀ ବ୍ରତ କରୁଛ, ଆମେ ତୁମମାନଙ୍କ ପାଇଁ ଶୁଭ ମନାସି ତୁମର ସୁନ୍ଦର ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ଏ ବ୍ରତ ପାଳନ କରିବାକୁ ଯାଉଛୁ। ମୁଁ କିଛିଦିନ ତଳେ କିଣିଥିବା ନୂଆ ପଞ୍ଜାବୀ ଓ ଟ୍ରାଉଜରଟା ବାହାର କରିଦିଅ। ସାବିତ୍ରୀ ବ୍ରତ ପାଇଁ ତୁମେ ଯେତିକି ଫଳ କିଣିବା ପାଇଁ କହିଥିଲ, ମୁଁ ତା’ର ଦୁଇଗୁଣ ଫଳ କିଣି ଆଣିଥିଲି। ବଳିଥିବା ସବୁ ଫଳକୁ ପିତ୍ତଳ ଥାଳିରେ ସଜାଡ଼ି ଦିଅ।”
ଶିଳ୍ପା ବିରକ୍ତିଭରା ସ୍ୱରରେ କହିଲେ- “ତୁମ ମୁଣ୍ଡ ଫୁଣ୍ଡ କାମ କରୁଛି କି ନାହିଁ? ଛାତ୍ରଛାତ୍ରୀମାନଙ୍କ ଆଗରେ ଭାଷଣ ଦେଇ ଦେଇ ତୁମ ମୁଣ୍ଡ ବିଗିଡ଼ି ଯାଇଛି।”
ତା’ଙ୍କ ପାଟିରୁ କଥା ଛଡ଼ାଇ ନେଇ ଶୁଭେନ୍ଦୁ କହିଲେ- “ମହାସତୀ ସାବିତ୍ରୀ ତାଙ୍କର ଅସାଧାରଣ ନିଷ୍ଠା, ଦୃଢ଼ ଇଚ୍ଛାଶକ୍ତି ଓ ଅପରିସୀମ ପ୍ରଭୁଭକ୍ତି ବଳରେ ଯମରାଜଙ୍କ ଠାରୁ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଲେ। ସତ୍ୟବାନ ନୂଆ ଜୀବନ ଲାଭ ପରେ ସାବିତ୍ରୀଙ୍କର ସର୍ବାଙ୍ଗୀନ ମଙ୍ଗଳ ପାଇଁ ପୂଜା ବ୍ରତ କରି ତାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ଉଚିତ୍ ଥିଲା। ତୁମେମାନେ ଆମମାନଙ୍କର ଦୀର୍ଘ ସୁଖୀ ଜୀବନ କାମନା କରି ପ୍ରଭୁଙ୍କୁ ପୂଜା ଅର୍ପଣ କରୁଛ। ଆମକୁ ପୂଜା କରି ଆମ ପାଦଧରି ଦଣ୍ଡବତ କରୁଛ। ଏ ସମାଜ ପୁରୁଷ ପ୍ରଧାନ ସମାଜ। ସ୍ତ୍ରୀ ଲୋକମାନଙ୍କ ପାଇଁ ଉପାସ, ପୂଜା, ବ୍ରତର ସବୁ ରକମ ଜଞ୍ଜିର। ସ୍ୱାମୀମାନେ ହେଲେ ଚାରି ଦଉଡ଼ିକଟା। ସ୍ୱାଧୀନ, ସ୍ୱେଚ୍ଛାଚାରୀ। ଏ ସମାଜ ନାରୀଠାରୁ ସବୁ ଆଶା କରେ। ସେ ଜାୟା, ଜନନୀ, ଭଗିନୀ ରୂପରେ ତ୍ୟାଗ ଓ ସହିଷ୍ଣୁତାର ପ୍ରତିମୂର୍ତ୍ତି ସାଜି ଆମ ଉପରେ ସ୍ନେହ, ମମତା ସବୁ ଅଜାଡ଼ି ଦେଉ, ଏହା ସମସ୍ତେ ଚାହାନ୍ତି। ନେବାପାଇଁ କୁଣ୍ଠାନାହିଁ, କିନ୍ତୁ ଦେବା ପାଇଁ କାର୍ପଣ୍ୟ। ପରିବାରକୁ ନୂଆବୋହୂଟିଏ ଆସିଲେ, ଶାଶୂ, ଶ୍ୱଶୁର, ଯାଆ, ନଣନ୍ଦ, ଦିଅର, ସ୍ୱାମୀ ସମସ୍ତେ ତା ଚାରିକଡ଼େ ଆଶାର ପସରା ଖୋଲିଦିଅନ୍ତି। ସେମାନଙ୍କ ଆଶାର ଲହଡ଼ିକୁ ସାମ୍ନା କରି କରି ଅଧା ବୟସରେ ବୋହୂଟିର ଅଣ୍ଟା ଭାଙ୍ଗିପଡ଼େ। ବୋହୂଟିର ବି କିଛି ଇଚ୍ଛା ଅଛି, ଆଶା ଅଛି, ସ୍ୱପ୍ନ ଅଛି, ସେ ବିଷୟରେ କେହି ଚିନ୍ତା କରନ୍ତିନି।”
ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧି ପୂଜା ଥାଳିଧରି ଶୁଭେନ୍ଦୁ ବାହାରିଲା ବେଳକୁ ଶିଳ୍ପା କହିଲେ- “ଏବେ ତୁମେ କେଉଁଠିକୁ ଯାଉଛ?କ’ଣ ତୁମର ଯୋଜନା?”
ସ୍ପଷ୍ଟୀକରଣ ଦେଇ ଶୁଭେନ୍ଦୁ କହିଲେ- “ଆମ କଲୋନିର ଦଶଜଣ ସ୍ୱାମୀ ଏହି କଲୋନିର ପାଖରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ଯାଉଛୁ। ସେଠାରେ ସମସ୍ତେ ନିଜ ସ୍ତ୍ରୀମାନଙ୍କର ମଙ୍ଗଳ ଓ ନିରାମୟ ଜୀବନ କାମନା କରି ପ୍ରଭୁଙ୍କ ପାଖରେ ପୂଜା ଅର୍ପଣ କରିବୁ। ପୂଜା ନସରିଲା ପର୍ଯ୍ୟନ୍ତ ଆମେ ଆଜି ଖାଡ଼ା ଉପାସ। ପୂଜାପରେ ଘରକୁ ଆସି ସ୍ତ୍ରୀମାନଙ୍କୁ ସେମାନଙ୍କ ଆମ ପ୍ରତି ଥିବା ତ୍ୟାଗ ଓ ମମତା ପାଇଁ କୃତଜ୍ଞତା ଜଣାଇବୁ ଓ ଧନ୍ୟବାଦ ଦେବୁ। ତାପରେ ଯାଇ ଫଳ ଆହାର କରିବୁ।”
ଶିଳ୍ପା ବାଲ୍କୋନିରେ ଅପଲକ ଆଖିରେ ଶୁଭେନ୍ଦୁଙ୍କ ମନ୍ଦିର ଯିବା ବାଟକୁ ଅନାଇ ରହିଥିଲେ। ସେଦିନର ସୂର୍ଯ୍ୟାଲୋକଟି ଯେମିତି ଥିଲା ନୂଆ ଏବଂ ତା’ର କିରଣରେ ଶୁଭେନ୍ଦୁଙ୍କ ମୁହଁରୁ ଝଲସୁଥିଲା ନୂଆ ଏକ ତେଜ।
ସେମିତି ବାଲ୍କୋନି ଉପରେ ଠିଆ ହୋଇ ଶିଳ୍ପା ପାଟି କରିଉଠିଲେ, “ହେଇଟି ଟିକିଏ ଶୁଣ ମ !” ପତି ଦେବ ଦୂରରୁ ରାସ୍ତା ଉପରୁ ମୁଣ୍ଡ ଟେକି ତାଙ୍କ ଆଡକୁ ଅନାନ୍ତେ ସେ ମୁହଁରେ ହସ ଉକୁଟାଇ କହିଲେ, “ଆରେ ଟିକିଏ ଉପରେ ଆକାଶକୁ ଚାହିଁ ଦେଖିଲ, ଆଜି ସୂର୍ଯ୍ୟ ଦେବତା ସତରେ ପଶ୍ଟିମ ଦିଗରେ ଉଦୟ ହୋଇନାହାନ୍ତି ତ !”
ବହୁତ୍ ସୁନ୍ଦର ପରିକଳ୍ପନା।ମୁଁ ଏମିତି ଗୋଟିଏ ଲେଖିଥିଲି ହେଲେ ସାମାନ୍ୟ ଅଲଗା ଥିଲା।ହେଲେ ଖାତାଟି କେଉଁଠି ରହିଯାଇଛି ଖୋଜି ଖୋଜି ପାଉନି।ମିଳିଯିବ ଏଇ ଘରେ କେଉଁଠି ଏପଟ ସେପଟ ହୋଇ ଯାଇଛି।
ଲେଖକ ଠିକ୍ କଥା କହିଛନ୍ତି। ଆମ ଘରର ସାବିତ୍ରୀମାନେ ବି ସମ୍ମାନ ଓ ସ୍ବୀକୃତି ପାଇଁ ହକଦାର। ଜୟ ଜଗନ୍ନାଥ।
This is very impressive and accurate.
ନୂତନ ଦୃଷ୍ଟି ଭଙ୍ଗୀ ଓ ନୁତନ ଆଭିମୁଖ୍ୟ ନେଇ ଗାଳ୍ପିକ ଏ ଗଳ୍ପଟି ଲେଖିଛନ୍ତି। ପତ୍ନୀମାନଙ୍କ ପ୍ରତି ପତିମାନଙ୍କର କିଛି କର୍ତ୍ତବ୍ୟ ଅଛି ସେ ବିଷୟରେ ସଚେତନ କରାଇ ଦେଇଛନ୍ତି। ସୁନ୍ଦର ଗଳ୍ପଟି ପାଇଁ ଲେଖକଙ୍କୁ ଧନ୍ୟବାଦ।
ସୁନ୍ଦର ଅଭିନଵ କଳ୍ପନା.. ଯାହାର ବାସ୍ତବିକତା ରହିଛି. ତ୍ୟାଗର ପ୍ରତୀକ ନାରୀ.. ସେ ସବୁକିଛି ନିଜ ସ୍ୱାମୀଙ୍କର ପରିବାର ପାଇଁ ତ୍ୟାଗ କରି ନିଜ ଜନ୍ମଦାତାଙ୍କୁ ବହୁଦୂରେ ଛାଡି ଆସିଚ୍ଛି..ତେଣୁ ସାବିତ୍ରୀ ପାଇଁ ବ୍ରତ ର ଯଥାର୍ଥତା ରହିଛି… ମାତ୍ର ତାହା ସମ୍ଭବ ହୋଇ ପାରୁନି… ତାର କାରଣ ଗାଳ୍ପିକ ଉତ୍ତର ଦେଇଛନ୍ତି ପୁରୁଷ ପ୍ରଧାନ ସମାଜର ନାମ ନେଇ… Innovative idea.. 🙏🙏
ସୁନ୍ଦର ପରିକଳ୍ପନା। ଭଲ ଲାଗିଲା।
ଅତି ବିସ୍ମୟକର ଓ ରୁଚିପୂର୍ଣ୍ଣ ଗପ ବାଢି ଲେଖକ ନାରୀର ଗରିମା ଓ ସମ୍ମାନବୋଧକୁ ପ୍ରଶସ୍ତ କରିଛନ୍ତି। ଉଚ୍ଚମନା ଲେଖକଙ୍କର ନିଆରା ଭାବନା ରେ ସମାଜ ଅନୁପ୍ରାଣିତ ହେଲେ ନର ରୁ ନାରାୟଣ ହେବା ସହିତ ଧରା ସ୍ବର୍ଗ ପାଲଟି ଯିବ।।ଏପରି ପ୍ରେରଣାଦାୟୀ ଓ ଯୁଗାନ୍ତକାରୀ ଗଳ୍ପ ପରିବେଷଣ ପାଇଁ ଲେଖକଙ୍କୁ ଭାବଭରା ଅଭିନନ୍ଦନ ଓ ଧନ୍ୟବାଦ।
ଭଲ ଲାଗିଲା। ସତ୍ୟବାନ୍ ଙ୍କ ସତ୍ୟ ପୂଜା।
ସମୟ ବଦଳିବା ସହିତ ଆମ ଚିନ୍ତା ଓ ଚେତନା ରେ ପରିବର୍ତ୍ତନ ଆସିବା ଉଚିତ। ଗଳ୍ପ ମାଧ୍ୟମରେ ଲେଖକ ସ୍ତ୍ରୀ ଜାତି ପ୍ରତି ଯେଉଁ ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ କରିଛନ୍ତି, ତାହା ସମୟର ଆହ୍ୱାନ ରୂପେ ଧରାଯାଇପାରେ। ଲେଖା ପାଇଁ ଅଭିନନ୍ଦନ।
ସମୟ ବଦଳିବା ସହିତ ଆମ ଚିନ୍ତା ଓ ଚେତନା ରେ ପରିବର୍ତ୍ତନ ଆସିବା ଉଚିତ। ଗଳ୍ପ ମାଧ୍ୟମରେ ଲେଖକ ସ୍ତ୍ରୀ ଜାତି ପ୍ରତି ଯେଉଁ ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ କରିଛନ୍ତି, ତାହା ସମୟର ଆହ୍ୱାନ ରୂପେ ଧରାଯାଇପାରେ। ଲେଖା ପାଇଁ ଅଭିନନ୍ଦନ।
ସୁରେନ୍ଦ୍ର ସାହୁ
Innovative concept. Yes , Savitri also deserves due reciprocation. Lucid expression and an eye opener to .this Male dominated society.
ସୁନ୍ଦର ପରିକଳ୍ପନା। ଭଲ ଲାଗିଲା
ବାଃ, ଚମତ୍କାର ପରିକଳ୍ପନା ତଥା ସୁନ୍ଦର ଚିନ୍ତନର ଗପଟିଏ ।
Nice. This society hardly ever value women.. it’s always a girl who has to sacrifice her every wish. Still this society blames girl.
ଏକ ଲୁଲକାୟିତ ଦୃଷ୍ଟିକୋଣ ଉପରେ ସୁନ୍ଦର ଉପସ୍ଥାପନ।