ଲେଖା ଓ ଲେଖକ ମଧ୍ୟରେ ବ୍ୟବଧାନ

ଜଣେ ଲେଖକ ହେଉଛନ୍ତି ନିଜ ଲେଖାର ସ୍ରଷ୍ଟା ବା ଜନ୍ମଦାତା। ଏମାନଙ୍କ ମଧ୍ୟରେ ବ୍ୟବଧାନ ପୁଣି କ’ଣ? ଏ ପ୍ରଶ୍ନଟି ଆମ ମନରେ ଉଦ୍ରେକ ହେଲା ଆମ କାର୍ଟୁନ୍ ପୃଷ୍ଠାର କଳାକାରଙ୍କ ଦ୍ବାରା ଅଙ୍କିତ ଏକ ଚିତ୍ରକୁ ନେଇ। ସେଥିରେ ସେ ଜଣେ ଲେଖକଙ୍କର ଦୁଇଟି ଚେହେରା ଦର୍ଶାଇଛନ୍ତି: ଗୋଟିଏ ସେଇଟି ଯାହା ତା’ଙ୍କ ରଚନାରେ ପରିବେଷିତ ଭାବନାରୁ ପାଠକଟିଏ ପ୍ରତ୍ୟକ୍ଷ କରିପାରେ – ଶାନ୍ତ, ସହୃଦୟ ଓ ସଂବେଦନଶୀଳ ମଣିଷଟିଏ। କିନ୍ତୁ ବେଳେବେଳେ ଏମିତି ବି ହୁଏ, ଯଦି କେବେ ସେଇ ପାଠକଟିକୁ ତା’ର ସେହି ପ୍ରିୟ ଲେଖକଙ୍କ ବ୍ୟକ୍ତିଗତ ଜୀବନର ଚାଲିଚଳନ ବା ମନୋବୃତ୍ତିକୁ ନିକଟରୁ ଦେଖିବାର ସୁଯୋଗ ମିଳେ ତେବେ ସେ ପାଏ ଭିନ୍ନ ଗୋଟିଏ ବ୍ୟକ୍ତିତ୍ବ। ଲେଖକଙ୍କ ବାସ୍ତବ ଜୀବନର ରୁକ୍ଷତା, ଛଳନା ଓ ଅସଂଯତ-ପଣିଆ ଦେଖି କଳ୍ପନା ବି କରିହୁଏନାହିଁ ଯେ ଏ ହିଁ ହେଉଛନ୍ତି ସେହି ବ୍ୟକ୍ତି ଯିଏ ନିଜ ରଚନାରେ ସାଧୁତା, ଅନୁକମ୍ପା ଓ ମୂଲ୍ୟବୋଧର ଜୀବନ୍ତ ରୂପ ଚିତ୍ରିଛନ୍ତି।
ଏମିତି ଦେଖିଲେ ଏଥିରେ ବିଶେଷ ବିଡ଼ମ୍ବନା ନାହିଁ। କାରଣ ଲେଖାରେ ରଚନାକାରର ଯେଉଁ ‘ମୁଁ’ଟି ଜାହିର ହୋଇଥାଏ ତାହା ଲେଖକର ବ୍ଯକ୍ତିଗତ ଜୀବନର ‘ମୁଁ’ଠାରୁ ଭିନ୍ନ। ଏହା ଇଂରାଜୀ ସାହିତ୍ୟ ତତ୍ତ୍ବରେ ‘ପରସୋନା’ ବୋଲି କଥିତ, ଯାହାକି ଲେଖାଟି ଜରିଆରେ ଭାବ ପ୍ରକାଶ କରୁଥିବା କଥକ ଜଣକୁ କୁହାଯାଏ। ଏହି କଥକ ଜଣକ ସ୍ବୟଂ ଲେଖକ ହୋଇନପାରନ୍ତି। ଅନ୍ୟ ଭାଷାରେ କହିଲେ ଲେଖାଟିରେ ଦିଶୁଥିବା ନିଜର କଥକ ମୁଖାଧାରୀ ସତ୍ତା ଠାରୁ ଲେଖକ ବାସ୍ତବରେ ଭିନ୍ନ ଅଟନ୍ତି।
ଉନବିଂଶ ଶତାବ୍ଦୀରେ ଲେଖୁଥିବା ଆର୍ଜେଣ୍ଟିନା ଦେଶର ବିଶିଷ୍ଟ କଥାକାର ଜର୍ଜ ବୋର୍ଜେସ୍ ଏହି ବିଷୟକୁ ନିଜର ‘ବୋର୍ଜେସ୍ ଏଣ୍ଡ୍ ଆଇ’ ଶୀର୍ଷକ ଲେଖାରେ ସ୍ବୀକାର କରିଥିଲେ, ଯେଉଁଠି ସେ କହିଥିଲେ ଯେ ସେ, ଅର୍ଥାତ୍ ବୋର୍ଜେସ୍ ନାମକ ଲେଖକ, ବୋର୍ଜେସ୍ ନାମକ ବ୍ୟକ୍ତିର ‘ଆଇ’ ବା ‘ମୁଁ’ ଠାରୁ ଭିନ୍ନ। ଏଣୁ ଲେଖାଟିଏରେ ଲେଖକ ଆମକୁ ଯେମିତି ଭାବରେ ଦିଶେ ବାସ୍ତବ ଜୀବନରେ ଯଦି ତାହାଠାରୁ ଭିନ୍ନ ମଣିଷଟିଏ ହୋଇଥାଏ ତେବେ ଏଥିରେ ଆଶ୍ଚର୍ଯ୍ଯ ହେବାର କିଛି ନାହିଁ।

2 thoughts on “ଲେଖା ଓ ଲେଖକ ମଧ୍ୟରେ ବ୍ୟବଧାନ

  1. କହିଲେ କହୁଛି କହିଲା ବୋଲି
    ଅତି ଉତ୍ତମ ଅନୁଶୀଳନଟିଏ।
    ନିଜର ଅନୁଭବ ଓ ଅନୁଭୂତିରେ ଏଭଳି ଅନେକ ବ୍ୟକ୍ତିବିଶେଷଙ୍କୁ ଦେଖିଛି।
    ଅନେକ ସମୟରେ ଦୁଃଖ ହୁଏ ଏହି ଭଳି ସାମାଜିକ ପ୍ରାଣୀଙ୍କୁ କିନ୍ତୁ ବେଳେବେଳେ ଭାବେ ;
    ହାତୀର ଦେଖାଇବା ଦାନ୍ତ ଓ ଚୋବେଇବା ଦାନ୍ତ ଅଲଗା ପ୍ରାୟେକ ଏହି ବ୍ୟକ୍ତିଙ୍କର ବୋଧହୁଏ ସେହିଭଳି ଚରିତ୍ର ହୋଇଥିବ।
    ହାୟରେ ବିଧାତା !
    -ପ୍ରଭୂ

  2. ଏହି ଲେଖାଟି ନିଶ୍ଚିତ ରୂପେ ସାହିତ୍ୟ ଜଗତ ନିମନ୍ତେ ପ୍ରାସଙ୍ଗିକ।

Leave a Reply

Your email address will not be published. Required fields are marked *