ପ୍ରଭୂ – ଏକ ଅନ୍ତର୍ଦୃଷ୍ଟି

  • ପ୍ରଶାନ୍ତ ଭୂୟାଁଙ୍କ ଦ୍ଵାରା ରଚିତ ତଥା ଧୀରେନ୍ଦ୍ର କରଙ୍କ ଦ୍ଵାରା ସଂକଳିତ ଏକ କବିତା ପୁସ୍ତକର ମୂଲ୍ୟାୟନ କରିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ।
ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର

ଶ୍ରୀମାନ ଧୀରେନ୍ଦ୍ର କରଙ୍କ ସଙ୍କଳିତ ଏବଂ ଶ୍ରୀମାନ ସତ୍ୟ ପଟ୍ଟନାୟକଙ୍କ ‘ବ୍ଲାକ୍ ଈଗଲ’ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ଭିନ୍ନ ସ୍ୱାଦର କବିତାବଳୀ “ପ୍ରଭୂ” ପାଠକରି ଅତ୍ୟନ୍ତ ପ୍ରୀତ ହେଲି। ଓଡ଼ିଆ ସାହିତ୍ୟର ଏହା ହେଉଛି ପ୍ରଥମ କବିତା ସଙ୍କଳନ, ଯେଉଁଥିରେ ଜଣେ ସଶ୍ରଦ୍ଧ ପାଠକ ଜଣେ ସୃଜନଶୀଳ ସ୍ରଷ୍ଟାଙ୍କର ମନନଶୀଳ କବିତା ସମୂହକୁ “ଶ୍ରୀଜଗନ୍ନାଥ”, “ଓଡ଼ିଶା”, “ମାଟି-ପ୍ରକୃତି-ଗାଁ-ସହର”, “ଭାଷା ଭାବନା ଶବ୍ଦସାହିତ୍ୟ” ଏବଂ “ଜୀବନ ଦର୍ଶନ ପ୍ରେମ ବିପ୍ଳବ ମହୋତ୍ସବ ପରିବାର” ଏଭଳି ପାଞ୍ଚଗୋଟି ପରିଚ୍ଛେଦରେ ବିଭାଜନ କରି ପାଠକଙ୍କ ନିକଟରେ ପରିବେଷଣ କରିଛନ୍ତି। କବିତା ସଙ୍କଳନଟିର ଉପୋଦ୍ଘାତ ସଙ୍କଳକ ଧୀରେନ୍ଦ୍ର କରଙ୍କ “କଲ୍ୟାଣ”ରୁ ଆରମ୍ଭ ହୋଇଛି, ଯେଉଁଥିରେ ସେ ସ୍ରଷ୍ଟା ପ୍ରଶାନ୍ତ ଭୂୟାଁ ବା ସଂକ୍ଷେପରେ “ପ୍ରଭୂ”ଙ୍କର ସଂକ୍ଷିପ୍ତ ପରିଚୟ, କବିତା ରଚନାର ପୃଷ୍ଠଭୂମି, ଜନ୍ମମାଟି ଭଞ୍ଜଭୂମିର ମହକ, ଓଡ଼ିଆ ପ୍ରାଣତା, ଭାଷା ସାହିତ୍ୟ ଚେତନା, ଜୀବନାନୁଭୂତି, ବିଶ୍ୱାତ୍ମଚେତନା ଓ ସମର୍ପଣ ସ୍ୱରୂପକୁ ପ୍ରାଞ୍ଜଳ ଭାଷା, ଛଳଛଳ ମୋହ ତରଳ ଭାବରେ ବ୍ୟକ୍ତ କରିଛନ୍ତି। ସଙ୍କଳନଟିରେ ଅନୁପମ କବିତାଗୁଡ଼ିକର ସ୍ରଷ୍ଟା ପ୍ରଶାନ୍ତ ଭୂୟାଁ ବା ପ୍ରଭୂଙ୍କର ନିଚ୍ଛକ ଅଭିବ୍ୟକ୍ତିର ପରିପ୍ରକାଶ ଘଟିଛି। “କଲ୍ୟାଣ”ର ପରବର୍ତ୍ତୀ “ଅୟମାରମ୍ଭ”ରେ ନିଜସ୍ୱ ଅନୁଭୂତି ଓ ଅନୁଭବ, ସଙ୍କଳକଙ୍କ ସ୍ୱକୀୟ ଆତ୍ମୀୟତା, ଓଡ଼ିଶାର ସୌରଭ ଆଳାପ, ଓଡ଼ିଆଙ୍କ ହୀନମନ୍ୟତା, ଉଦାର ଚେତନା ଓ ଆପଣାର ସୃଷ୍ଟିସୃଜନକୁ  ଶ୍ରଦ୍ଧାରେ ସଙ୍କଳକଙ୍କୁ ଅର୍ପଣ କରିବାର ମାର୍ମିକ ଆତ୍ମକଥା ସାବଲୀଳ ଧାରାରେ ଅଭିବ୍ୟକ୍ତ।

ବାସ୍ତବରେ “ପ୍ରଭୂ” ଏକବିଂଶ ଶତାବ୍ଦିର ଓଡ଼ିଆ ସାହିତ୍ୟର ପ୍ରଥମ ସଙ୍କଳନ, ଯହିଁରେ ଜଣେ ପାଠକ ତା’ର ପ୍ରିୟ ସ୍ରଷ୍ଟାଙ୍କ ମନୋରମ ଓ ହୃଦୟାହ୍ଲାଦକର କବିତାବଳୀକୁ ଅନ୍ୟ ଅଗଣିତ ପାଠକଙ୍କ ଚିନ୍ତନ ଚେତନାକୁ ପ୍ରଶସ୍ତ ଓ ଉଦାର କରିବା କାମନାରେ ପରିବେଷଣ କରିଛନ୍ତି। ଓଡ଼ିଆ ସାହିତ୍ୟର ଏହି ବିରଳ ଅନନ୍ୟ ଧାରାର ମହନୀୟତା ହେଉଛି ଏଥିରେ ପାଠକ ଓ ସ୍ରଷ୍ଟା ଉଭୟ ଓଡ଼ିଆ ସାରସ୍ୱତ ପରଂପରାର ପରିଧିରେ ଆତ୍ମିକସନନ୍ଦ ଭାବରେ ପ୍ରତିଭାତ ନିତ୍ୟନୂତନ ଧାରାରେ ପ୍ରକାଶିତ ହୋଇଛନ୍ତି। ସାହିତ୍ୟରେ ତିନିଜଣଙ୍କର ଭୂମିକା ଆଲୋଚ୍ୟ। ଜଣେ ସାହିତ୍ୟର ସ୍ରଷ୍ଟା ବା ଲେଖକ, ଜଣେ ପୋଷଣକର୍ତ୍ତା ପ୍ରକାଶକ ବା ସଂପାଦକ ତଥା ଅନ୍ୟ ଜଣକ ହେଉଛନ୍ତି ଉପଭୋକ୍ତା ବା ପାଠକ। ଶଂସିତ ସଙ୍କଳନରେ ଉପଭୋକ୍ତା, ସ୍ରଷ୍ଟା ଓ ପୋଷଣକର୍ତ୍ତା ସମସ୍ତେ ଚଳଚଞ୍ଚଳ। ଉପଭୋକ୍ତା ନ ଚାହିଁଲେ ସାହିତ୍ୟର ସମୃଦ୍ଧି ଅସମ୍ଭବ। ପ୍ରତିବର୍ଷ ଓଡ଼ିଆରେ ପ୍ରାୟ ଦୁଇହଜାର ପୁସ୍ତକ ପ୍ରକାଶିତ ହେଉଛି, କିନ୍ତୁ ମାତ୍ର ପଚାଶଟିରୁ କମ୍ ଉପଭୋକ୍ତାଙ୍କର ଆଦୃତ ଲାଭ କରୁଛି। ଏହାହିଁ ସାଂପ୍ରତିକ ଓଡ଼ିଆ ସାହିତ୍ୟର ଦୂରାବସ୍ଥା। ଏ କ୍ଷେତ୍ରରେ ଜଣେ ପାଠକ ବା ଉପଭୋକ୍ତା ପ୍ରକାଶନ ନିମିତ୍ତ ଅନାଗ୍ରହ ରଖୁଥିବା ତା’ର ପ୍ରୟ ସୃଜନଶୀଳ ସ୍ରଷ୍ଟାଙ୍କ ରଚିତ ଉଚ୍ଚକୋଟୀର କବିତା ସମଗ୍ରକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରଚେଷ୍ଟା କରିଛନ୍ତି। ଏହା ଓଡ଼ିଆ ସାହିତ୍ୟ ପାଇଁ କମ୍ ଗୌରବର କଥା ନୁହେଁ। ଆଶା ଓ ବିଶ୍ୱାସ ରହିଛି ଓଡ଼ିଆ ଭାଷାର ଏହି ଅନ୍ତର୍ଦୃଷ୍ଟି ସଂପନ୍ନ କବିତା ଗୁଡ଼ିକ ବିଶ୍ୱର ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ସାରସ୍ୱତ ଜଗତରେ ଅଲୋଡ଼ନ ସୃଷ୍ଟି କରିବ। ଏହି ସଙ୍କଳନଟିକୁ ପାଠକ, ଲେଖକ ଓ ପ୍ରକାଶକ ଭାବାଦର୍ଶ ସ୍ୱରୂପରେ ଗ୍ରହଣ କରିବା ଏକ କ୍ରାନ୍ତିକାରୀ ପଦକ୍ଷେପ ମନେହୁଏ।

ପାଠକୀୟ ଆଗ୍ରହ କ୍ରମେ ପ୍ରକାଶିତ ଆମ ସମୟର ପ୍ରଥମ ଓଡ଼ିଆ କବିତା ସଂକଳନ – ପ୍ରଭୂ

ସଙ୍କଳନଟିର ପ୍ରଥମ ପରିଚ୍ଛେଦ ଆରମ୍ଭ ହୋଇଛି ଏଗାର ଗୋଟି କବିତା ଗ୍ରନ୍ଥିତ “ଶ୍ରୀଜଗନ୍ନାଥ”ରୁ, ମହୋଦଧି ତଟରେ ବିରାଜିତ ନଭଶ୍ଚୁମ୍ବୀ ମନ୍ଦିର, ଶୀର୍ଷରେ ନୀଳଚକ୍ରରେ ଫର ଫର ହୋଇ ଉଡ଼ୁଛି ପତିତପାବନ ବାନା ଓ ଗର୍ଭଗୃହରେ ରତ୍ନସିଂହାସନରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ସେ ଦାରୁବ୍ରହ୍ମ ଅର୍ଥାତ୍ ନଶ୍ୱର ଓ ବ୍ରହ୍ମ ଅର୍ଥାତ୍ ଈଶ୍ୱରଙ୍କ ସମ୍ମିଳିତ ସ୍ୱରୂପ। ସେ ହେଉଛନ୍ତି ସୁକ୍ଷ୍ମତମ ଅଦୃଶ୍ୟ ବ୍ରହ୍ମଙ୍କର ଏକ ସ୍ଥୁଳ ତଥା ଦୃଶ୍ୟମାନ ପରିପ୍ରକାଶ। ପ୍ରତିମାବାଦର ଝଲକରେ ପ୍ରତୀକବାଦର ରହସ୍ୟ ରୂପରେ ବ୍ରହ୍ମ ଓ ଆତ୍ମାର ଏକତା ପ୍ରତିପାଦନ ପୂର୍ବକ ସେ ଅନାଦି କାଳରୁ ପୂଜିତ। ଯୁଗ ଯୁଗ ଧରି ଅଗଣିତ ଜ୍ଞାନୀ, ସିଦ୍ଧ, ପ୍ରାଜ୍ଞ, ପଣ୍ଡିତ, ଯୋଗୀ, ବେଦାନ୍ତି, ସାଂଖ୍ୟଶାସ୍ତ୍ରୀ, ଜୈନପନ୍ଥୀ, ବୌଦ୍ଧପନ୍ଥୀ, ଦାର୍ଶନିକ, ବୈଷ୍ଣବାଚାର୍ଯ୍ୟ ଓ ଗବେଷକ ଅନିର୍ବଚନୀୟ ଦାରୁବ୍ରହ୍ମଙ୍କ ଦାରବୀଲୀଳାର ଆଦିଅନ୍ତ ନିର୍ଣ୍ଣୟ କରିପାରି ନାହାଁନ୍ତି। ମହନୀୟତା ହେଉଛି, ସେ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣର ପ୍ରାଣ କଳା ଠାକୁର। ତାଙ୍କ ଦର୍ଶନରେ ସ୍ୱର୍ଗୀୟତା ନାହିଁ, ଉପାସନାରେ ଶାସ୍ତ୍ରୀୟତା ନାହିଁ ଏବଂ ଧ୍ୟାନରେ ବୈଭୂତିକ ଚିନ୍ତା ନାହିଁ। ସେ ଓଡ଼ିଆଙ୍କ ଦ୍ୱାରା ନଶ୍ୱର କ୍ଷୟଶୀଳ ଦାରୁରୂପରେ ମାନବୀୟ ଚେତନାରେ ପୂଜିତ। ଓଡ଼ିଆ ଜାତି ତାଙ୍କୁ ଏକାନ୍ତ ଆପଣାର ମନେ କରିଛି, ତାଙ୍କ ବଳିୟାରଭୁଜର ଅଭୟପ୍ରଦ ସୁରକ୍ଷା ବଳୟରେ ରହି ନିଜକୁ ଧନ୍ୟ କରିପାରିଛି ଏବଂ ଜନ୍ମଠାରୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଜୀବନର ପ୍ରତିଟି ସ୍ତରରେ ତାଙ୍କୁ ସ୍ମରଣ, ମନନ ଓ ଭଜନ ପୂର୍ବକ ଶେଷରେ ତାଙ୍କରି ନିର୍ମାଲ୍ୟ କଣିକାକୁ ଅଶ୍ରା କରିଛି। ତାଙ୍କରି ଭାବ ଓ ଆତ୍ମୀୟତାରେ ବିଭୋରିତ ସ୍ରଷ୍ଟାଙ୍କ ଲେଖନୀରୁ ଝରିପଡ଼ିଛି ପ୍ରଥମ ନିବେଦନ ” ପ୍ରଭୁ”, ତୁ ଜ୍ଞାନ ତୁ ଜ୍ଞେୟ, ତୁ ଗମ୍ୟ ତୁ ଗ୍ରାହ୍ୟ…..ତୁ ନାଥ ଶ୍ରୀଜଗନ୍ନାଥ। ଜ୍ଞାନ, କର୍ମ ଓ ଭକ୍ତି ତ୍ରିବେଣୀ ଧାରାରେ ପ୍ଲୁତ ଏହି ନିବେଦନଟି। “ନବକଳେବର” କବିତାଟିରେ ଦାରୁବ୍ରହ୍ମଙ୍କର ଅଲୌକିକ ଲୀଳାର ମହକ, “ଶ୍ରୀକ୍ଷେତ୍ର” କବିତାରେ ନୀଳାଚଳ ଧାମର ମହିମା “ଆ’ରେ କାଳିଆ”ରେ କଳାଶ୍ରୀମୁଖଙ୍କ ମହତ୍ତ୍ୱ “ଚରଣେ ଶରଣ”ରେ ସମର୍ପଣର ସାର୍ଥକତା, “ନାରୀଶ୍ୱର”ରେ ନାରୀତ୍ୱର ନିଷ୍କର୍ଷ, “କଳାଯାତ୍ରା”ରେ ପତିତପାବନ ଯାତ୍ରାର ପାବନତ୍ୱ,” ସାଇଁ ହେ “ରେ ସତଚରିତ୍ରବତ୍ତାର ସନ୍ଦେଶ, ଈଶ୍ୱର”ରେ ପରଂବ୍ରହ୍ମଙ୍କ ସ୍ୱରୂପ ଓ ଲୀଳା ଏବଂ “ଶ୍ରୀରାଧା ଉବାଚ”ରେ କୃଷ୍ଣଭକ୍ତିରସ ସଂକ୍ଷିପ୍ତ ତଥା ସାରୋଦ୍ଧାର ଭାବରେ ସାବଲୀଳ ଧାରାରେ ପରିବେଷିତ। ପ୍ରତ୍ୟେକ କବିତାରୁ ଭାବୋଚ୍ଛ୍ୱାସର ଅମୃତଧାରା ଝରିତ।

ଦ୍ୱିତୀୟ ପରିଚ୍ଛେଦ “ଓଡ଼ିଶା”ରେ ଛଅଗୋଟି ଓଡ଼ିଆ ପ୍ରାଣର ବ୍ୟଥା ଓ ବେଦନାସିକ୍ତ କବିତା ସ୍ଥାନିତ। “ଓଡ଼ିଶା” ପ୍ରଥମ କବିତାରେ ଓଡ଼ିଶାର ଗୌରବଗାଥା, “ଓଡ଼ିଶା” ଦ୍ୱିତୀୟ କବିତାରେ ଓଡ଼ିଶାର ସୌରଭ, “ଓଡ଼ିଶା ଦର୍ଶନ” ରେ ଐତିହ୍ୟ ଓ ସଂସ୍କୃତିର ସ୍ଫୁରଣ, “ପଞ୍ଚତତ୍ତ୍ୱ”ରେ ଶକ୍ତିତତ୍ତ୍ୱ, “ମାତୃଭାଷା”ରେ ଭାଷାଗୌରବ ଏବଂ “ମାତୃଭୂମି”ରେ ଜାତୀୟତାର ଆହ୍ୱାନ ଅଙ୍କିତ। ଜଣେ ଖାଣ୍ଟି ଓଡ଼ିଆ କଲମରୁ ଏତାଦୃଶ ଜାତିପ୍ରାଣ, ଭାଷାପ୍ରାଣ ଓ ସଂସ୍କୃତିପ୍ରାଣ କବିତା ଝରିଥାଏ। ଏହା ସତ୍ୟ ଯେ, ଏକଦା ଆଗଙ୍ଗାଗୋଦାବରୀ ଓଡ଼ିଆଙ୍କ ଶୌର୍ଯ୍ୟବୀର୍ଯ୍ୟରେ ପ୍ରକମ୍ପିତ ହେଉଥିଲା। ଓଡ଼ିଆ ସାଧବପୁଅମାନେ ଦରିଆପାରି ଦେଶମାନଙ୍କରୁ ଅସରନ୍ତି ଧନଦୌଲତ ବୋହିଆଣି ଓଡ଼ିଶାକୁ ସମୃଦ୍ଧ କରିଥିଲେ, ଓଡ଼ିଆ ଶିଳ୍ପୀଙ୍କ ନିହଣ ମୁନର ସାର୍ଥକତାରେ ଆଜି ବି ବିଶ୍ୱ ସ୍ତମ୍ଭିତ ତଥା ଓଡ଼ିଆ ଭାଷା ଏକ ପ୍ରାଚୀନ, ପୂର୍ଣ୍ଣାଙ୍ଗ, ରକ୍ଷଣଶୀଳ, ମଧୁର,କୋମଳ, ଉତ୍କୃଷ୍ଟ ଓ ଶାସ୍ତ୍ରୀୟ ଭାଷା, ଅଥଚ ଅଗଣିତ ଓଡ଼ିଆଙ୍କ ଚେତନାରେ ସେହି ଗୌରବାବହ ସ୍ମୃତି ବିସ୍ମୃତ, ଯାହାକି କବିଙ୍କ କବିତାରେ ପରୋକ୍ଷରେ ବ୍ୟକ୍ତ। ଅଗଣିତ ଓଡ଼ିଆଙ୍କୁ ନିଜ ମାତୃଭୂମି ଓ ମାତୃଭାଷାର ଗୌରବରେ ଉତ୍ଫୁଲ୍ଲିତ କରିବା ନିମିତ୍ତ କବିଙ୍କର ଏହା ସଫଳ ପ୍ରୟାସ। ସୁଦୂର ଆମେରିକାରେ ରହି ମଧ୍ୟ କବିଙ୍କର ଓଡ଼ିଆସ୍ୱପ୍ନ କବିତାଗୁଡ଼ିକୁ ରସମୟ,ଭାବମୟ, ପ୍ରେମମୟ, ଆବେଗମୟ କରିବା ସହିତ ଜାତୀୟତାର ମହାମନ୍ତ୍ରରେ ପାବନ କରିପାରିଛି।

ସଙ୍କଳନଟିର ତୃତୀୟ ପରିଚ୍ଛେଦ ହେଉଛି “ମାଟି ପ୍ରକୃତି ଗାଁ ସହର” ଯହିଁରେ ଏଗାର ଗୋଟି ମାଟିପ୍ରାଣ କବିତା ସ୍ଥାନିତ। କବି ଗଞ୍ଜାମ ଜିଲା ଭଞ୍ଜଭୂମିର ଜଗନ୍ନାଥପ୍ରସାଦ ଗ୍ରାମରେ ଜନ୍ମିଛନ୍ତି ତଥା ବାଲ୍ୟ ଓ କୈଶୋର ସେହିଠାରେ କଟାଇଛନ୍ତି। ଭଞ୍ଜଭୂମିର ମହକରେ କବି ବିଭୋରିତ ହୋଇ ଏହି କବିତା ଗୁଡ଼ିକ ରଚନା କରିଛନ୍ତି। ପ୍ରଥମ କବିତା “ମାଟି”ରେ ମାଟିର ମହତ୍ତ୍ୱ, ଦ୍ୱିତୀୟ କବିତା “ଜଗନ୍ନାଥପ୍ରସାଦ” ରେ ଜନ୍ମଭୂମିକୁ ଦେବତୁଲ୍ୟ ପରିକଳ୍ପନା, ତୃତୀୟ କବିତା “ମୋ ଗାଁ” ରେ ଗାଁର ବାଲ୍ୟସ୍ମୃତି, ଚତୁର୍ଥ କବିତା “ସୁପ୍ରଭାତ”ରେ ପ୍ରଭାତ ବର୍ଣ୍ଣନା, ପଞ୍ଚମ କବିତା ” ଅବ୍ଧିଦ୍ୱୀପା” ରେ ସାର୍ଥକ ସୃଷ୍ଟିର ଚିରନ୍ତନୀ, ଷଷ୍ଠ କବିତା “ଅରୂନ୍ତୁଦ”ରେ ବିପନ୍ନ ଓ ବିବର୍ଣ୍ଣ ବସୁଧା, ସପ୍ତମ କବିତା “ଶରତ୍କାଳ” ରେ ଶାରଦୀୟ ଶୋଭାସମ୍ଭାର, ଅଷ୍ଟମ କବିତା “ଶୈଶିର”ରେ ଶିଶିର ସୌରଭ, ନବମ କବିତା “ବସନ୍ତ ରାସ”ରେ ମଧୁଚିନ୍ତନ, ଦଶମ କବିତା “ବ୍ରହ୍ମପୁର”ରେ ରେଶମ ନଗରୀର ସଜଳ ସ୍ମୃତି ଏବଂ ଏକାଦଶ କବିତା “ରାଜଧାନୀ”ରେ କଙ୍କ୍ରିଟ ନଗରୀର ପ୍ରହେଳିକା କବିଙ୍କୁ ବିଭୋର କରିଛି। ସେହି ନିଚ୍ଛକ ସତ୍ୟ ଅସତ୍ୟର ସନ୍ଦେଶକୁ ସାଉଁଟି ଆଣି ସେ ପରଶିଛନ୍ତି ପାଠକଙ୍କ ନିକଟରେ।

ଅନୁପମ କବିତାର ଅନନ୍ୟ ସ୍ରଷ୍ଟା ଶ୍ରୀ ପ୍ରଶାନ୍ତ ଭୂୟାଁ (ପ୍ରଭୂ)

ଚତୁର୍ଥ ପରିଚ୍ଛେଦ “ଭାଷା ଭାବନା ଶବ୍ଦ ସାହିତ୍ୟ” କବିଙ୍କ ଲେଖନୀ ନିସୃତ ଛଅଗୋଟି ସାରସ୍ୱତ କଥନର ଅପୂର୍ବ ସମାହାର। ଧ୍ୱନି ହେଉଛି ଭାଷାର ଆତ୍ମା ଓ ଶବ୍ଦ ହେଉଛି ଭାଷାର ଶରୀର, ଯାହାକୁ ନେଇ କବିଙ୍କ ପ୍ରଥମ କବିତା “ଶବ୍ଦସ୍ୱର୍ଗଙ୍ଗା” ନିସୃତ। କବିଙ୍କ ଦୃଷ୍ଟିରେ ବିଶ୍ୱ ଶବ୍ଦମୟ, ଯାହା ବ୍ୟାକରଣ ଦର୍ଶନରେ ଶବ୍ଦବ୍ରହ୍ମ। ଦ୍ୱିତୀୟ କବିତା “ଗ୍ରନ୍ଥୀ”ରେ କବି ଶବ୍ଦକୁ ଗୁନ୍ଥି କିପରି ଚତୁର୍ବେଦ, ଉପନିଷଦ, ତନ୍ତ୍ର, ଦର୍ଶନ ପଲ୍ଲବିତ, ପୁଷ୍ପିତ ଓ ସୁରଭିତ ତହିଁର ସାରମର୍ମ ବ୍ୟକ୍ତ କରିଛନ୍ତି। “କବିରେବ ପ୍ରଜାପତି” ଏହି ଉକ୍ତିର ସାର୍ଥକତା ପ୍ରତିପାଦନ କରିଛନ୍ତି କବି ସ୍ୱରଚିତ ତୃତୀୟ କବିତା “କବି”ରେ। ଚତୁର୍ଥ କବିତା “କବିତାର କବି”ରେ କବି କବିତ୍ୱର ପରିଭାଷା ମାର୍ମିକ ଭାଷାରେ ପରିବେଷଣ କରିଛନ୍ତି। ପଞ୍ଚମ କବିତା ” କବିର କବିତା”ରେ କବିତାର ଧର୍ମ, ସ୍ୱର ଓ ସ୍ୱାକ୍ଷର ନିଆରା ଢଙ୍ଗରେ ପ୍ରତିପାଦିତ। ମାତୃଭାଷାର ଉତ୍ତରଣରେ ଉତ୍‌ଫୁଲ୍ଲ ହେବାକୁ କବି ନିବେଦନ କରିଛନ୍ତି ଷଷ୍ଠ କବିତା “ଅଳମତି ବିସ୍ତରେଣ”ରେ।

ସଙ୍କଳନଟିର ଅନ୍ତିମ ପରିଚ୍ଛେଦ ହେଉଛି “ଜୀବନ ଦର୍ଶନ ପ୍ରେମ ବିପ୍ଳବ ମହୋତ୍ସବ ପରିବାର” ର ବିଚିତ୍ର ସମାହାର। କବି ଆପଣାର ଦାର୍ଶନିକ ବିଚାରବୋଧରେ ଜୀବନର ଏକ ବିଚିତ୍ର ବିଶ୍ଳେଷଣ କରିଛନ୍ତି ଏହି କବିତାଗୁଚ୍ଛରେ, ଯାହା ପାଠକ ଧୀରେନ୍ଦ୍ରଙ୍କ ପରିଚ୍ଛେଦ ପରିଚୟରେ ସୁସ୍ପଷ୍ଟ। “ଅନ୍ତିମ ଇଚ୍ଛା”ରେ କବି ଜନ୍ମମୃତ୍ୟୁର ଯାତ୍ରାପଥକୁ ଜୀବନ ନାମରେ ଅଭିହିତ କରି ମୃତ୍ୟରେ ଆତ୍ମତତ୍ତ୍ୱର କାମନା କରିଛନ୍ତି। “ପ୍ରାଣପଞ୍ଜୁରି” ରେ ବେଦାନ୍ତ ଦର୍ଶନର ଅଧ୍ୟାତ୍ମତତ୍ତ୍ୱ ସରଳ ଭାଷାରେ ବ୍ୟକ୍ତ। “ମୁଁ” କବିତାରେ ଦୁଃଖାତୀତ ଜୀବନର ମର୍ମବେଦନା ଅଭିବ୍ୟକ୍ତ। ଅକୃତ୍ରିମ ଅନାବିଳ ଦିବ୍ୟଭାବ ହିଁ “ପ୍ରେମ” କବିତାର ସାରମର୍ମ। ଅପୂର୍ବ ଶବ୍ଦସଂଯୋଜନା ହିଁ “ବର୍ଷା” କବିତାଟିକୁ ସୁଖପାଠ୍ୟ କରିଛି। ସରାଗ, ହସ, ମିଠାକଥା, ପ୍ରେମ ଓ ସୌଭାଗ୍ୟ ଏକ ଭିନ୍ନରୂପ ନେଇଛି “ପଞ୍ଚାମୃତ” କବିତାରେ। ଅପାସୋରା ସ୍ମୃତି, ଅଲିଭା ଦିନ ଓ ଅକୁହା କଥାର ଅସୁମାରୀ ସ୍ୱପ୍ନରେ “ମୋତେ ନେଇଚାଲ” କବିତା ରସସିକ୍ତ। କଥା, ବ୍ୟଥା, ରାଗ, ଋଷା, ମନ, ହୃଦୟ, ଲୁହ ଓ ଲହୁକୁ ଆଧାରକରି କବି ରଚନା କରିଛନ୍ତି “କେତେପ୍ରେମ ” କବିତା। “କଥା ରହିଯିବ କାଳ କାଳକୁ” ଏହି ଉକ୍ତିଟି ରଙ୍ଗ ଓ ରୂପ ଧାରଣ କରିଛି ” ଆଉ ଦୁଇପଦ” କବିତାରେ। ପ୍ରେମ ଏକ ସ୍ୱର୍ଗୀୟ ବସ୍ତୁ ହେଲେ ହେଁ ଲୌକିକ ରୂପ ଧାରଣ କରିଛି “ପ୍ରେମରଙ୍ଗ” କବିତାରେ। “ଅଢ଼େଇ ଅକ୍ଷର” ଏକ ପ୍ରତୀକଧର୍ମୀ କବିତା, ଯହିଁରେ ପ୍ରେମର ସଂଜ୍ଞା ସଂକ୍ଷିପ୍ତ ଅଥଚ ପରିବ୍ୟାପ୍ତ ମାତ୍ର ଚାରିଗୋଟି ପଂକ୍ତିରେ। “ବାର୍ଣ୍ଣିକ” କବିତାରେ ସାଂପ୍ରତିକ ବର୍ଣ୍ଣବହୁଳ ଘଟଣା ବର୍ଣ୍ଣହୀନ ସ୍ୱରୂପରେ ପ୍ରତିଭାତ। ସାବଧାନ ଧ୍ୱନି “ହୁସିଆର” କବିତାରେ ଚେତାବନୀ ସ୍ୱରୂପରେ ପ୍ରକାଶିତ। “ଏଯାବତ” କବିତାରେ ସ୍ୱାଧୀନତାର ମୂଲ୍ୟହୀନ ଚିତ୍ର ଚିତ୍ରିତ। “ଅଧଃପାତ” କବିତାଟି ମଧ୍ୟ କର୍ତ୍ତବ୍ୟନିଷ୍ଠା ଓ ସମୃଦ୍ଧିର ଅନ୍ୟ ଏକ ପଥ। ସଂସାର ଦୁଃଖାଳୟ ଓ ଧ୍ୱଂସମୁଖୀ ବୋଲି “ମାୟାବଜାର” କବିତାରେ କବି ଚେତାଇ ଦେଇଛନ୍ତି। ବିଶ୍ୱର ସର୍ବକନିଷ୍ଠ ସହୀଦ ବାଜି ରାଉତର ଦେଶପ୍ରେମ ଓ ବଳୀଦାନକୁ ନେଇ “ବାଜିରାଉତ” କବିତା ଋଦ୍ଧିମନ୍ତ। ବ୍ୟକ୍ତି ନୁହେଁ ଜାତି ବଡ଼ ଏହାର ନିଚ୍ଛକ ଚିତ୍ର ଅଙ୍କନ ପୂର୍ବକ କବି “ଧର୍ମପଦ” କବିତା ରଚନା କରିଛନ୍ତି ଏବଂ ଧରମାକୁ ଅମର କରିଦେଇଛନ୍ତି। “ନାରୀଟିଏ” କବିତାରେ କବି ପରୋକ୍ଷରେ ବ୍ୟକ୍ତ କରିଛନ୍ତି ନାରୀ ହେଉଛି ପବିତ୍ରତାର ଗଙ୍ଗା, ଶାନ୍ତିର ଯମୁନା ଓ ସହିଷ୍ଣୁତାର ଧରଣୀ। ନିଃସ୍ୱାର୍ଥ ଦେଶସେବା ଓ ଆତ୍ମବଳୀଦାନର ଅନ୍ୟନାମ “ସୈନିକର ଭାଷା” କବିତା। “ପିଆଲା” କବିତା ଆଧୁନିକ ସଭ୍ୟତାର ରଙ୍ଗୀନ ଦୁନିଆର ରଙ୍ଗରେ ରଞ୍ଜିତ, ଯେଉଁଠାରେ ମାନବିକତା ମୂଲ୍ୟହୀନ। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଅଶା ଆଶଙ୍କା ସ୍ପନ୍ଦିତ ହୋଇଛି “ହନୁ ମୋର ନାଟ କରିବ” କବିତାରେ। ସାଂପ୍ରତିକ ବିଶ୍ୱର ଚିତ୍ର ସାମାଜିକ ଚେତନାର ଉତ୍ତରଣ କାମନାରେ କବି “ଆଜିର ହାଲଚାଲ” କବିତାରେ ରୂପାଙ୍କନ କରିଛନ୍ତି। ଜୀବନର ପରିବର୍ତ୍ତିତ ସ୍ୱରୂପକୁ ନେଇ “ଋତୁରଙ୍ଗ” କବିତାରେ ବ୍ରହ୍ମାଣ୍ଡକୁ ରଙ୍ଗମୟ ଭାବରେ ଚିତ୍ରଣ କରିଛନ୍ତି କବି। ରଙ୍ଗିନ ଦୁନିଆର ସକଳ ରଙ୍ଗରେ ହଜିଯାଇ “ବସୁଧୈବ କୁଟୁମ୍ବକମ୍”ର ସ୍ୱପ୍ନ ଦେଖିଛନ୍ତି କବି “ରଙ୍ଗ ବିରଙ୍ଗ” କବିତାରେ। ଦୀପାବଳୀର ଆଲୋକରେ ମଧ୍ୟ ଅନ୍ଧାରରେ ରହିଯାଇଛନ୍ତି ଅନେକ, ଯେଉଁମାନଙ୍କ ଅଜ୍ଞାନ ଜ୍ଞାନ ଓ ମିଥ୍ୟା ସତ୍ୟର ପରିମାପ ହୋଇଛି “ଦୀପାବଳୀ” କବିତାରେ। ମାତୃତ୍ୱର ଅଲିଅଳ ସ୍ନେହ ନିଚ୍ଛକ ପରିପ୍ରକାଶ ହେଉଛି “କୋଡ଼ପୋଛା” କବିତା। “ବାପା” କବିତାରେ କବି ପିତୃତ୍ୱ, ପିତୃବୋଧ ଓ ପିତୃଦେବର ଯଥାର୍ଥ ସଂଜ୍ଞା ନିରୂପଣ କରିପାରିଛନ୍ତି। “କନ୍ୟାରତ୍ନ”ର ସାର୍ଥକତା ପ୍ରମାଣ କରିବାପାଇଁ କବି ଶେଷ କବିତା “ମୋ ଝିଅପାଇଁ ଗୀତଟିଏ” ରଚନା କରିଛନ୍ତି, ଯହିଁରେ କନ୍ୟାପ୍ରତି ସ୍ନେହ, ସୋହାଗ ଓ ସନ୍ଦେଶ ପ୍ରଦତ୍ତ।

ଶ୍ରୀ ଧୀରେନ୍ଦ୍ର କରଙ୍କ ସହ ଶ୍ରୀ ପ୍ରଶାନ୍ତ ଭୂୟାଁ – ପାଠକ ଓ ଲେଖକଙ୍କ ଅପୂର୍ବ ସଂଯୋଗ

କବି ଓ ପାଠକ ଉଭୟ ଓଡ଼ିଆ ଏବଂ ନିବାସ କରୁଛନ୍ତି ସୁଦୂର ଆମେରିକାରେ। ସଶ୍ରଦ୍ଧ ପାଠକ ଧୀରେନ୍ଦ୍ର ନିଜର ପ୍ରିୟକବି ପ୍ରଶାନ୍ତଙ୍କର ଦୁର୍ଲଭ କବିତାସମଗ୍ରକୁ ପରଶିଛନ୍ତି ଏହି ସଙ୍କଳନରେ। କବିତାଗୁଡ଼ିକ ପାଞ୍ଚଗୋଟି ପରିଚ୍ଛେଦରେ ବିଭାଜନ କରି ପରିବେଷଣ କରିଥିଲେ ହେଁ ପ୍ରତ୍ୟେକ ପରିଚ୍ଛେଦରେ ସ୍ଥାନିତ ଉପୋଦ୍ଘାତରୁ ପାଠକଙ୍କ ଆବେଗ ସ୍ପଷ୍ଟ ବାରିହୋଇ ପଡ଼ୁଛି। କବିତାଗୁଡ଼ିକର ପରିଚୟୋକ୍ତି ଛଳହୀନ ନିଷ୍କପଟ ଭାଷାରେ ବ୍ୟକ୍ତ ପୂର୍ବକ ପାଠକ ଗାଇଛନ୍ତି :-

ସାତ ସମୁଦ୍ରର ତେରନଈ ସିନା ମୋପାଇଁ ଅତି ଗହନ,
ଅଣୁ ପ୍ରତିକୋଣେ ଜଗତ ଈଶ୍ୱର ତୁମ୍ଭେତ ବିରାଜମାନ।

ଏହି ଦୁଇପଦରେ ଭରି ରହିଛି ସୁଦୂରରେ ରହିବାର ବ୍ୟଥା ଓ ଈଶ୍ୱରୀୟ ଶ୍ରଦ୍ଧା, ଯାହାକି ତାଙ୍କର ପାଥେୟ। ମହାବାହୁ ସେମାନଙ୍କୁ କରୁଣା କରନ୍ତୁ, ଏତିକି ପ୍ରାର୍ଥନା। ଅନ୍ୟ ଏକ ପରିଚ୍ଛେଦର ଉପୋଦ୍ଘାତରେ ପାଠକ ସମଗ୍ର ଓଡ଼ିଶାବାସୀ ଏକମନ ଏକପ୍ରାଣରେ ଓଡ଼ିଶାକୁ ଆଗେଇନେବା ଲାଗି ନିବେଦନ କରିଛନ୍ତି। ଅନ୍ୟ ପରିଚ୍ଛେଦରେ ସେ କବିସର୍ଜନାର ଉତ୍କର୍ଷକୁ ଆଦରି ନେବାପାଇଁ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ଏକ ପରିଚ୍ଛେଦରେ ସେ ଦେଶ, ଜାତିର ଦୁଃଖ ଏବଂ ଜ୍ଞାନ, ଧର୍ମ, ଦର୍ଶନରେ ସମୃଦ୍ଧ ରାଷ୍ଟ୍ରର ସଂକଟ ପ୍ରତି ସଚେତନ ରହିବାକୁ ଆଶାପୋଷଣ କରିଛନ୍ତି। ପାଠକଙ୍କ ଏହିସବୁ ଉକ୍ତିର ପ୍ରତିଫଳନ କବିତାରେ ପରିଦୃଷ୍ଟ ହୋଇଥାଏ। କବି ଓ ପାଠକ ଉଭୟଙ୍କର ଓଡ଼ିଆତ୍ୱ ବିସ୍ମିତ କରେ ତଥା ସେମାନଙ୍କ ନବୀନ ସାହିତ୍ୟ ପ୍ରକାଶନ ଧାରା ଅନ୍ୟମାନଙ୍କୁ ପ୍ରଭାବିତ କରିବ, ଏଥିରେ ସନ୍ଦେହ ନାହିଁ।

ଭାଷା ପ୍ରଜ୍ଞାର ଐଶ୍ୱର୍ଯ୍ୟମୟ ଆଭାସରେ ଉଦ୍ଭାସିତ ହେଲେ ସାହିତ୍ୟର ସ୍ୱରୂପ ଧାରଣ କରେ। ବିଶ୍ୱର ସକଳ ଭାଷାର ପ୍ରଥମ ସାହିତ୍ୟ ହେଉଛି କବିତା। ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟ ହେଉଛି ଚର୍ଯ୍ୟାଗୀତିକା। ଏଗୁଡ଼ିକ ଷଷ୍ଠ ଶତାବ୍ଦିଠାରୁ ନବମ ଶତାବ୍ଦି ମଧ୍ୟରେ ରଚିତ ଓ ପ୍ରାଚୀନ ଓଡ଼ିଆ ଗୀତିକବିତା ସ୍ୱରୂପରେ ପ୍ରତିଭାତ। ସେହି ଦିନରୁ ଓଡ଼ିଆ କବିତା କ୍ରମବିକଶିତ ଧାରାରେ ସଂପ୍ରତି ଏକବିଂଶ ଶତାବ୍ଦୀରେ ଉପନୀତ। ଏକବିଂଶ ଶତାବ୍ଦିର ଓଡି଼ଆ କବିତାରେ ଜଣେ ସାର୍ଥକ କବି ପ୍ରଶାନ୍ତ ଭୂୟାଁ। ତାଙ୍କର ପ୍ରତ୍ୟେକଟି କବିତା ମନୋଜ୍ଞ ଓ ସ୍ୱକୀୟ ସୃଜନଧର୍ମୀ ପରିପକ୍ୱତାରେ ପାଠକଙ୍କର ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିପାରିଛି। ସେ ସାରସ୍ୱତ ପ୍ରତିଭାର କାଉଁରୀ ସ୍ପର୍ଶରେ ଭାଷା ଓ ଭାବକୁ ରସୋଦୀପ୍ତ କରିପାରିଛନ୍ତି। କବି ଭାବ ଓ ଶୈଳୀର ସଂଯୋଗରେ କବିତାଗୁଡ଼ିକ ସୁନ୍ଦର ସୁଗମ କରିପାରିଛନ୍ତି। ଅନେକ କବିତାରେ କବି ଅନୁଭୂତିର ମଧୁର ମୁର୍ଚ୍ଛନାରେ କଳାତ୍ମକ ପ୍ରକାଶନ ଘଟାଇ ସୁନିୟୋଜିତ ଶବ୍ଦାବଳୀରେ ଭାବର ସଂପ୍ରେଷଣ ସକାଶେ ଯେଉଁ ଉପାଦାନ ଗୁଡ଼ିକୁ ଗ୍ରହଣ କରିଛନ୍ତି ସେଗୁଡ଼ିକ ଶୈଳୀତତ୍ତ୍ୱରୂପେ ପାଠକଙ୍କୁ ଆକର୍ଷଣ କରିପାରିଛି। ପ୍ରତିଭାବନ୍ତ କବି ପ୍ରଶାନ୍ତ ଯୁଗୋପଯୋଗୀ ଭାଷା ପ୍ରୟୋଗ ପୂର୍ବକ କବିତାଗୁଡ଼ିକୁ ସରଳ ଓ ସ୍ୱଚ୍ଛନ୍ଦ କରିବା ସହିତ ଆବେଗପ୍ରାଣତା ଭରିଦେଇଛନ୍ତି। କବିଙ୍କ ଆବେଗାତ୍ମକ ଭାବଭିତ୍ତିରେ ବର୍ଣ୍ଣନାତ୍ମକ ଭାଷାର ବିନ୍ୟାସ କବିତା ଗୁଡ଼ିକୁ ପାଠକପ୍ରିୟ କରିପାରିଛି। କବି ଅନେକ କବିତାରେ ବୁଦ୍ଧିଦୀପ୍ତ ଭାବସଂଚାର ପୂର୍ବକ ପାଠକ ପ୍ରାଣରେ ପ୍ରଜ୍ଞାର ତରଙ୍ଗ ସୃଷ୍ଟି କରିପାରିଛନ୍ତି। କେତେକ ସ୍ଥଳରେ ଧ୍ୱନ୍ୟାତ୍ମକ ଶବ୍ଦର ସଂପୃକ୍ତି କବିତାଗୁଡ଼ିକୁ ଶ୍ରୁତିମଧୁର କରିପାରିଛି। ଉଲ୍ଲେଖଯୋଗ୍ୟ ଯେ, ସେ ମାର୍ମିକ ବାକ୍‌ ରୀତି ପ୍ରୟୋଗକରି କବିତାଗୁଡ଼ିକୁ ସୂଚନାଧର୍ମୀ କରିବା ସହିତ ପାଠକର ମନ ଓ ମଗଜକୁ ଆନ୍ଦୋଳିତ କରିପାରିଛନ୍ତି। କବିତାରେ ପରମ୍ପରା, ସଂସ୍କୃତି ଓ ପ୍ରତୀକର ପ୍ରୟୋଗ ଅତ୍ୟନ୍ତ ପ୍ରଭାବଶାଳୀ ଓ ବ୍ୟାପକ ଏବଂ ଚିତ୍ରକଳ୍ପ ଋଦ୍ଧିମନ୍ତ ଓ ପ୍ରାଣବନ୍ତ। ଏଗୁଡ଼ିକର ଆବେଦନ ଓ ଔଜ୍ଜଲ୍ୟ ପାଠକକୁ ଅଭିଭୂତ କରିଥାଏ। ଜୀବନର ଗଭୀରତମ ଅନୁଭବ ତାଙ୍କ ଲେଖନୀରେ କବିତାରୂପେ ଆତ୍ମପ୍ରକାଶ କରି ଅଗଣିତ ପାଠକଙ୍କୁ ମୋହାବିଷ୍ଟ କରିଛି। ଜୀବନ, ଜଗତ ଓ ବ୍ୟକ୍ତିସତ୍ତାର ବର୍ଣ୍ଣନାରେ ତାଙ୍କ କବିତା ଶତମୁଖ। ଅଳଙ୍କରଣ ପରିବର୍ତ୍ତେ ଆତ୍ମିକ ଅଭିବ୍ୟକ୍ତି, ତତ୍ତ୍ୱ ପରିବର୍ତ୍ତେ ଜୀବନ ତଥା ଅନ୍ତରଙ୍ଗ ଆଳାପଧର୍ମୀ ଶୈଳୀ ହିଁ ତାଙ୍କର ବୈଶିଷ୍ଟ୍ୟ। ଦୁଃଖ, ଦୈନ୍ୟ, ଦୁର୍ବିପାକ, ଯନ୍ତ୍ରଣା, ପ୍ରବଞ୍ଚନା ଓ ପ୍ରତାରଣା ଭିତରେ ଏକ ନୂତନ ସୃଷ୍ଟିଶୀଳ ସମୟର ପୁନରାବର୍ତ୍ତନ ନିମିତ୍ତ ସେ ଆଶାବାଦୀ। ବିଶେଷତଃ ଓଡ଼ିଆ ଭାଷା, ଜାତି ଓ ପ୍ରଦେଶକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବାକୁ ତାଙ୍କ ସାଧୁଉଦ୍ୟମ ପ୍ରଶଂସନୀୟ। ତାଙ୍କର ପ୍ରତ୍ୟେକଟି କବିତା ଗଭୀର ମନନ ପ୍ରକ୍ରିୟାରୁ ଜାତ ଓ ପ୍ରାଣବନ୍ତ ତଥା ଅନ୍ତଃ ଓ ବାହ୍ୟ ସୌନ୍ଦର୍ଯ୍ୟରେ ଝଲମଲ। କବିଙ୍କ ଶବ୍ଦଗୁମ୍ଫନ ଶୈଳୀ, ବାକ୍ୟବିନ୍ୟାସ, ଚିତ୍ରଚାତୁରୀ, ବର୍ଣ୍ଣନାବିଳାସ ଓ ପରିବେଷଣର ପରିଚ୍ଛନ୍ନତା ପ୍ରତ୍ୟେକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ। ସଂକ୍ଷେପରେ ଉଲ୍ଲେଖ କଲେ, ସଙ୍କଳନଟିରେ ସ୍ଥାନିତ ତାଙ୍କର ପ୍ରତ୍ୟେକଟି କବିତାର ରଚନାଶୈଳୀ, ଭାଷାସୌନ୍ଦର୍ଯ୍ୟ, ଭାବଗାମ୍ଭୀର୍ଯ୍ୟ, ରୂପମାଧୁର୍ଯ୍ୟ, ଆଳଙ୍କାରିକ ବିଦଗ୍ଧତା, ବୌଦ୍ଧିକ ବିଶ୍ଳେଷଣ, ଶବ୍ଦ ସଂଯୋଜନା, ବାକ୍ ରୀତି ତଥା ପ୍ରତୀକ ଓ ଚିତ୍ରକଳ୍ପର ପ୍ରୟୋଗ ଅନନ୍ୟ ଓ ଅନୁପମ। ଶ୍ରୀଜଗନ୍ନାଥଙ୍କ କରୁଣାରୁ ତାଙ୍କ ଲେଖନୀରେ ପୁଷ୍ପଚନ୍ଦନ ବୃଷ୍ଟି ହେଉ, ଏତିକି କାମନା।

3 thoughts on “ପ୍ରଭୂ – ଏକ ଅନ୍ତର୍ଦୃଷ୍ଟି

  1. 1. Chamatkar Alochana
    2. Ananyya Udyama. Sj Dhirendra Karanka udyama ku jete prasangsa kale bi kam heba.
    3. Prabhu bhai nk kalama adhika shaktishali heu.

  2. କବିଙ୍କର ଏହି ଅନୁପମ ସୃଷ୍ଟିଟି ନିଶ୍ଚିତ ଲୋକପ୍ରିୟ ହେବ।

  3. ଜୟ ଜଗନ୍ନାଥ। ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ କୃତ ଏହି ପୁସ୍ତକ ସମୀକ୍ଷାଟିର ମାନ ଅତ୍ୟନ୍ତ ପ୍ରଶଂସନୀୟ। ଆମ ସାହିତ୍ୟରେ ଏଭଳି ସମୀକ୍ଷାର ଅଭାବ ରହିଛି।

Leave a Reply

Your email address will not be published. Required fields are marked *