ଫୁଲ

ବିଜୟ କୃଷ୍ଣ ପଟ୍ଟନାୟକ

ଆରେ ବାଃ ! କେତେ ସୁନ୍ଦର ଏଇ ଦୁନିଆ !! ଏଇ ନୀଳ ଆକାଶ…ପାହାନ୍ତି ସୁରୂଜର ଉଷୁମ୍ ସିନିହ…. ଆଉ ଚାରିପାଖର ସବୁଜିମା … !
ସେ ପବନରେ ଦୋଳି ଖେଳୁ ଖେଳୁ ଦୁନିଆକୁ ଦେଖି ଚାଲିଥିଲା। ଆଉ ତା’ର ଖୁସି ଭରା ହସ ସାଙ୍ଗକୁ ବାସରେ ଚଉଦିଗ ମହକି ଉଠୁଥିଲା । ତା’ ଖୁସିରେ ସଭିଏଁ ବିଭୋର ଥିଲେ !

ତା’ ରୂପ ଓ ବାସର ଆକର୍ଷଣ ରେ ଛୁଟି ଆସିଲା ସୁନ୍ଦର ପ୍ରଜାପତି ଟିଏ ।

“ମୋ ସାଙ୍ଗରେ ଖେଳିବୁ ? ” ପଚାରୁ ପଚାରୁ ତା’ର ଚାରିପାଖରେ ଉଡ଼ି ବୁଲିଲା।

“ସତରେ ତୁମେ ବହୁତ ସୁନ୍ଦର” – ହସି ହସି ପ୍ରଜାପତି ଉଦ୍ଦେଶ୍ୟରେ କହୁ କହୁ ସେ ନିଜେ ଆତ୍ମବିଭୋର ହୋଇ ଉଠିଲା। ଭଲ ସାଙ୍ଗଟିଏ ପରି ପ୍ରଜାପତିଟି ନିଜ କୋମଳ ଡେଣାରେ ତା’ ଉପରେ ପବନର ସ୍ପର୍ଶ ଦେଲା। କେମିତି ଏକ ଅଲଗା ପୁଲକର ଶିହରଣ ଖେଳିଗଲା ତା’ ଦେହରେ ! ପ୍ରଜାପତିର ପହିଲି ଛୁଆଁରେ ସେ ଖୁବ୍ ଖୁସି ଥିଲା । ସେ ହସୁଥିଲା…ଖେଳୁଥିଲା …
ଆଉ ନିଜ ବାସ ଓ ରୂପରେ ସମସ୍ତଙ୍କୁ ଅସୁମାରୀ ଖୁସି ବାଣ୍ଟୁଥିଲା।

ଦୁନିଆର ସବୁ ଖୁସି ଠାକୁର ତା’ରି ପାଖରେ ସତେ ଅବା ଓଜାଡି ଦେଇଥିଲେ !! ଭକ୍ତି ଓ କୃତଜ୍ଞତାରେ ଭରି ଯାଉଥିଲା ତା’ର ମନ!

“ଏ କ’ଣ ?” ଚମକି ଚାହିଁଲା ସେ। ଲୋକଟି ଝୁଡ଼ିଟିଏ ଧରି ତା’ ପାଖକୁ ମାଡ଼ି ଆସୁଛି ! ଅଜଣା ଆତଙ୍କରେ ଥରି ଉଠିଲା ତା’ ଦେହ ଓ ମନ । ନିରେଖି ଚାହିଁଲା… ନା ପ୍ରଜାପତି ପରି ଲୋକଟି ଭିତରେ ଭଲ ପାଇବା ହିଁ ନଥିଲା। ନିର୍ଦ୍ଦୟ ଭାବରେ ଗଛ ଡ଼ାଳ ଗୁଡ଼ିକୁ ସେ ଟାଣି ଓଟାରି କିଛି ଦେଖୁଥିଲା । ଗଛର କଷ୍ଟ ପ୍ରତି ତା’ର ନିଘା ହିଁ ନଥିଲା। ହଠାତ୍ ଲୋକଟିର ନଜର ତା’ ଉପରେ ପଡ଼ିଲା। ଲୋକଟି ଆଖିରେ ଦୁନିଆ ଯାକର ଲୋଭ ଯେମିତି ଫୁଟି ଉଠିଲା।

ନିଜକୁ ବଞ୍ଚାଇବା ପାଇଁ ସେ ବିକଳରେ ଚିତ୍କାର କଲା…କେତେ କାକୁତି ମିନତି ହେଲା… ଥରିଲା ସ୍ଵରରେ ସାରା ଦୁନିଆକୁ ନିଜ ଗୁଣରେ ବିମୋହିତ କରିବାର ପ୍ରତିଶ୍ରୁତି ବି ଦେଲା …. ଠାକୁରଙ୍କୁ ଗୁହାରି କଲା….ହେଲେ ସବୁ ନିଷ୍ଫଳ ।। ନିର୍ଦ୍ଦୟ ଭାବରେ ତାକୁ ଛିଣ୍ଡାଇ ଧରିଲା ଲୋକଟି।

ହଜିଗଲା ତା’ର ସବୁ ସ୍ଵପ୍ନ !ନିଜେ ହସି ଦୁନିଆକୁ ହସାଇଵାର ଆଶା ତା’ର ଚୁରମାର ହୋଇ ସାରିଥିଲା।

“ଓଃ କି ସୁନ୍ଦର ଫୁଲଟି ! ଆଜି ଠାକୁର ପୂଜା ଜମିବ” – ନିଜେ ନିଜକୁ ସାବାସୀ ଦେଉ ଦେଉ ଲୋକଟି ଏକ ବିକୃତ ଢଙ୍ଗରେ ହସି ଉଠିଲା।

ହେଲେ କାନ୍ଦୁଥିଲା ଫୁଲ !! ସତରେ ତା’କୁ ଗଢ଼ି ଥିବା ଠାକୁର କ’ଣ ନିଜ ଭୋଗ ପାଇଁ ତାକୁ ଅକାଳରେ ନେଇ ଆସିଲେ ?
ସତରେ କ’ଣ ଠାକୁର ନିଜ ସୃଷ୍ଟିକୁ ନିଜ ପୂଜା/ଭୋଗରେ ଚାହାଁନ୍ତି ?

ସେ ଦେଇଥିବା ଜୀବନ କ’ଣ ନିଜ ଉଦ୍ଦେଶ୍ୟରେ ପୂଜା ପାଇଁ ନେଇ ସନ୍ତୁଷ୍ଟ ହୁଅନ୍ତି ??

କିଛି ସମୟ ଆଗରୁ ତା’ ଦେହରେ ଭରିଥିବା ସବୁ ପୁଲକ ଯେମିତି ହଜି ହଜି ଯାଉଥିଲା …। ଲୋକଟି ତାକୁ ଝୁଡ଼ି ଭିତରେ ପକାଇ ଦେଲା। ଚମକି ପଡ଼ିଲା ସେ। ତା’ ପରି ଆହୁରି କେତେ ରଙ୍ଗ ବେରଙ୍ଗର ଫୁଲ ସେଇ ଝୁଡ଼ି ଭିତରେ ଶୋଇ ରହିଥିଲେ। ସମସ୍ତଙ୍କ ଆଖିରେ ଲୁହର ବନ୍ୟା !

ହେ ପ୍ରଭୁ ! ଇଏ ତୁମର କି ବିଚିତ୍ର ଲୀଳା ? ଏହି ରୂପ ଓ ବାସରେ ଦୁନିଆକୁ ହସାଇବା ଆଗରୁ ପୁଣି ଫେରାଇ ନେଉଛ ? ? ତୁମ ପୂଜା ପୀଠରେ ଅକାଳରେ କେତେ ଜୀବଙ୍କ ଜୀବନ ଯାଉଛି…. ସତରେ ତୁମର ଇଛାରେ ଅବା ତୁମ ନାଁ ରେ ମଣିଷର ଆସୁରିକ ଅଭିଳାଷ ପରିପୂର୍ଣ୍ଣ ହେଉଛି ???

ସେଇ ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ଅସରନ୍ତି ପ୍ରଶ୍ନ କରୁକରୁ ସେ ଝାଉଁଳି ପଡୁଥିଲା…।

ଏ ସମୟରେ କେଉଁ ଏକ ଅବୋଧ ଶିଶୁର ଘୋଷା ପାଠ ତା’ କାନରେ ବାରମ୍ବାର ଗୁଞ୍ଜରିତ ହେଉଥିଲା –
କି’ ଦେଇ ପୂଜିବି ଯାହା ମୁଁ ଦେଖୁଛି ସବୁ ତୁମ୍ଭ ପରସାଦ ।
ସେହି ପରସାଦ ତୁମ୍ଭେ ଅରପିଲେ
ହେବ କି ‘ନା ଅପରାଧ !

ସେଇ ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ଶେଷ ସମ୍ମାନ ଜଣାଇବା ପାଇଁ ଆଉ ତା’ର ବଳ ପାଉ ନଥିଲା। ଏକ ନିସ୍ତବ୍ଧତାର ନୀରବତା ମଧ୍ୟରେ ଅସରନ୍ତି ସ୍ଵପ୍ନ ସତେ ଅବା ଶୋଇଯାଉଥିଲା।

2 thoughts on “ଫୁଲ

  1. ସୁନ୍ଦର ଗଳ୍ପଟିଏ। ଫୁଲଟିଏର ମନରେ କଣ ଘଟୁଥାଏ ତାହା ଆମେ କଣ କେବେ ଭାବୁ କି?

Leave a Reply

Your email address will not be published. Required fields are marked *