ସୁପ୍ତ ଆଗ୍ନେୟଗିରି

ଅରବିନ୍ଦ ଦାସ

ଅତନୁ ଆଶ୍ଚର୍ଯ୍ୟ ହେଉଥିଲା ନିର୍ଦ୍ଦିଷ୍ଟ ଏକ ବିଷୟ ପାଇଁ। କିଛି ବର୍ଷ ହେଲାଣି,ରାକ୍ଷୀ ପୂର୍ଣ୍ଣିମା ଦିନ ବା ତା ପୂର୍ବରୁ ଘରୁ ରାକ୍ଷୀ ଗାଏବ ହୋଇଯାଉଥିଲା, କିମ୍ବା ପୋଷ୍ଟ ରେ ଭଉଣୀ ମାନେ ପଠାଇଥିବା ରାକ୍ଷୀ ଘରେ ପହଞ୍ଚୁ ନଥିଲା।
ଆଉ ଆଶ୍ଚର୍ଯ୍ୟଜନକ କଥା ହେଲା, ଅର୍ଡ଼ିନାରି ପୋଷ୍ଟରେ ରାକ୍ଷୀ ବୋଧେ ବାଟମାରଣା ହେଉଛି ଭାବି , ଭଉଣୀମାନେ ସ୍ପିଡପୋଷ୍ଟ,କୋରିଅର ଦ୍ଵାରା ପଠାଇଥିବା ଓ ଘରେ ପହଞ୍ଚୁ ଥିବା ରାକ୍ଷୀ ଗୁଡ଼ାକ ବି,ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳୁ ମିଳୁନଥିଲା।
ଅତନୁ ପ୍ରଥମେ ପ୍ରଥମେ ଏ କଥାକୁ ଏତେ ଗୁରୁତ୍ତ୍ଵ ଦେଉନଥିଲା। ଅନ୍ୟ ଭାଇମାନଙ୍କ ଭଳି ହାତରେ ରାକ୍ଷୀ ବାନ୍ଧିବା ର ଖୁସିରୁ ବଞ୍ଚିତ ହେଉଥିଲା ବୋଲି ଅବଶ୍ୟ ଟିକେ ଦୁଃଖ ଲାଗୁଥିଲା।
ହେଲେ କିଛି ବର୍ଷ ହେଲା ସେଇ ସମାନକଥାର ପୁନରାବୃତ୍ତି ହେବାପରେ ଟିକେ ସନ୍ଦେହ ଦେଖାଦେଇଥିଲା ତା ମନରେ।
-“ତନ୍ଦ୍ରା, ରାକ୍ଷୀ କିଏ ନେଇଯାଉଛି? ଘରୁ କୁଆଡେ ଚାଲିଯିବ ଜିନିଷ?”
ଅତନୁ କଥା ଶୁଣି ଚିଡ଼ିଯାଇ ତନ୍ଦ୍ରା କହିଥିଲା, “ମୁଁ କେମିତି ଜାଣିବି? ଯାହା ଯେଉଁଠି ନ ମିଳିବ ସବୁ ଦୋଷ ମୋ ଉପରେ ଲଦିବ?”

ଅତନୁ ପୁଣି କହିଲା
– “କାଲି ତ ମୁଁ ଖରାବେଳେ ଆସିଥିବା ରାକ୍ଷୀ ଟିପୟ ଉପରେ ଆଉ ଆଗରୁ ଆସିଥିବା ରାକ୍ଷୀ ଦୁଇଟା ଫ୍ରିଜ ଉପରେ ରଖିଥିଲି।ଆଜି ଦେଖିଲା ବେଳକୁ…
– “ତମେ ମୋତେ ସନ୍ଦେହ କରୁଛ ?ମୁଁ ଲୁଚାଇଦେଇଛି ନା କାହାକୁ ଦେଇ ଦେଇଛି ? କଣ ମୁଁ ନିଜେ ପିନ୍ଧିବି ବୋଲି କେଉଁଠି ରଖିଛି! ପୋଲିସ କୁ ଡାକ,ଖାନତଲାସୀ ନିଅ ମୋର।” ତନ୍ଦ୍ରା ଆଖି ବଡ଼ କରି ଅନାଏ।
ଛେପ ଢ଼ୋକି ଅତନୁ କୁହେ – “ଓହୋ,ମୁଁ ଏମିତି କି କଣ କହିଲିକି,ତମେ ପୁଣି ଅଯଥାରେ ପାଟିଗୋଳ ଆରମ୍ଭ କରୁଛ?”
ଘରେ କାମକରୁଥିବା କାମବାଲୀ ମଞ୍ଜୁ କୁ ପଚାରେ ଅତନୁ। -“ଘର ଓଳାଇଲା ବେଳେ ରାକ୍ଷୀ ଫୋପାଡି ଦେଉଛୁ କି ?”
– “ବାବୁ,ମୋ ଆଖି ଫୁଟି ଯାଇଛି ନା କଣ ଯେ ମୁଁ ରାକ୍ଷୀ ଓଳେଇକି ଫୋପାଡି ଦେବି? ଆପଣଙ୍କ ଭଉଣୀମାନେ ଏତେ ସ୍ନେହରେ ପଠାଇଥିବା ରାକ୍ଷୀ ମୁଁ କାହିଁକି ପକେଇ ଦେବି? ପାପ ଲାଗିବନି ମୋତେ? ମୁଁ ପା ନିଜେ ମୋ ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧୁଛି ପ୍ରତି ବର୍ଷ।ଭାଇ ଭଉଣୀ ଙ୍କ ସିନହ କଥା।” ମଞ୍ଜୁର ଡାଇଲଗ୍ ଶୁଣି ଚୁପ୍ ରହେ ଅତନୁ।
ଗୋଟେ ବର୍ଷ,ରାକ୍ଷୀ ପୂର୍ଣ୍ଣିମା ଦିନ ଦେଖିଲା ବେଳକୁ ରାକ୍ଷୀ ସବୁ କଟା ହୋଇ ପଡ଼ିଥିଲା।
-“ଚୁଟିଆ ମୂଷା ହୋଇଥିବ।”
ତନ୍ଦ୍ରା କଥା ଶୁଣି ସେଇ କୁଟ୍ କୁଟ ହୋଇ କଟା ହୋଇଥିବା ରାକ୍ଷୀ ଖଣ୍ଡ ସବୁ ଧରି ମନେମନେ ଅଭିଶାପ ଦେଉଥିଲା ଅତନୁ ସେଇ ମୁଷାଙ୍କୁ। ତେବେ ଅନ୍ୟ କିଛି ଜିନିଷ ନକାଟି କେବଳ ରାକ୍ଷୀ!!!!ମୂଷା ମରା ଔଷଧ ଓ ଜନ୍ତା ଆସିଥିଲା ଘରକୁ। ହେଲେ ମୂଷା ଙ୍କ ଦେଖା ନଥିଲା।
ଅତନୁ ଗୋଟିଏ ବୋଲି ପୁଅ। ନିଜ କେହି ଭଉଣୀ ନଥିଲେ ବି ଦାଦା ଝିଅ,ମାମୁଁ ଝିଅ ଭଉଣୀମାନେ ରାକ୍ଷୀ ପଠାନ୍ତି ପ୍ରତିବର୍ଷ।ହେଲେ ଖାଲି ହାତରେ ବୁଲେ ଅତନୁ। ଏବେ ସେମାନଙ୍କର ପୁଅ ଟୁଟୁ ବି ରାକ୍ଷୀ ବାନ୍ଧି ପାରୁନି ବୋଲି ରାକ୍ଷୀ ଦିନ କାନ୍ଦେ।ସେଇ ସମାନ କଥା। ରାକ୍ଷୀ ଗାଏବ। ଅତନୁ ବ୍ୟସ୍ତ ହୋଇ ନିଜେ ପାଖ ଦୋକାନ ରୁ ରାକ୍ଷୀ ଆଣି ପୁଅକୁ ଦିଏ,ହେଲେ ଟୁଟୁ ର ଜିଦି,ପୋଷ୍ଟ ରେ ଭଉଣୀମାନେ ପଠାଇଥିବା ରାକ୍ଷୀ ହିଁ ଦରକାର। ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା।କପ୍ ବୋର୍ଡ ଭିତରେ ଏଥର ଟୁଟୁ ଯତ୍ନରେ ରଖିଛି ସବୁ ରାକ୍ଷୀ।
ସକାଳୁ ଟୁଟୁ ଟିଭିରେ ଆଗ୍ନେୟଗିରି ଉପରେ ସମ୍ବାଦ ଦେଖୁଥିଲା। ପାହାଡରୁ ଧୂଆଁ ବାହାରୁଛି ଓ ମଝିରେ ମଝିରେ ସେଇ ଅଞ୍ଚଳରୁ କିଛି ଶବ୍ଦ ବି ଆସୁଛି।
ଏତେ ବର୍ଷ ହେଲାଣି ଚୁପ୍ ଚାପ୍ ଶାନ୍ତଶିଷ୍ଟ ଶିଶୁ ଭଳି ଶୋଇ ଥିବା ଆଗ୍ନେୟଗିରି କାଳେ ଚେଇଁ ଉଠିଛି ବୋଲି ଟିଭି ଚ୍ୟାନେଲ ଗୁଡ଼ାକ ହୋହାଲ୍ଲା କରୁଥିଲେ।
– “ମମି, ଆଗ୍ନେୟଗିରି କେତେ ପ୍ରକାର ?”

ଡାଇନିଂ ଟେବୁଲ ସଫା କରୁ କରୁ ତନ୍ଦ୍ରା କହିଲା, ତିନି ପ୍ରକାର; ଜୀବନ୍ତ , ମୃତ ଓ ସୁପ୍ତ। ଯେଉଁ ଆଗ୍ନେୟଗିରିରୁ ତରଳ ଲାଭା ନିର୍ଗତ ହେଉଥାଏ, ତାହା ଜୀବନ୍ତ; ଯେଉଁଥିରୁ ଆଉ କେବେବି ଭବିଷ୍ୟତ ବିପଦର ଆଶଂକା ନଥାଏ ତାହା ମୃତ। କିନ୍ତୁ ଯେଉଁ ଆଗ୍ନେୟଗିରି ଉପରକୁ ଶାନ୍ତ ଲାଗୁଥିଲେ ବି ଭୁଗର୍ଭ ଭିତରେ ଚଳଚଞ୍ଚଳ ଥାଏ, ଏବଂ ପୁଣି କେତେବେଳେ ବି ଜୀବନ୍ତ ହେଇ ଯିବାର ସମ୍ଭାବନା ଥାଏ , ତାକୁ ସୁପ୍ତ ଆଗ୍ନେୟଗିରି କୁହନ୍ତି।
“ଆଗ୍ନେୟଗିରି କଣ ଶୁଏ?”
ହସିଦେଇ ତନ୍ଦ୍ରା କହିଲା,”ବିସ୍ଫୋରଣ ଆଗରୁ ଶୋଇବାର ଅଭିନୟ କରେ ସୁପ୍ତ ଆଗ୍ନେୟଗିରି।”
ଖରାବେଳେ ଟୁଟୁ ଶୋଇ ଉଠିଲା ବେଳକୁ ସନ୍ଧ୍ୟା ହୋଇଗଲାଣି। ଝରକା ପାଖକୁ ଆସି ବାହାରକୁ ଅନାଇଲା। ମମି ବଗିଚାରେ କିଛି କାମ କରୁଥିଲା।ଭଲ କରି ଦେଖୁଥିଲା ଟୁଟୁ।
କପବୋର୍ଡ ଖୋଲି ରାକ୍ଷୀ ଖୋଜିଲା ଟୁଟୁ। ଆରେ ! ରାକ୍ଷୀ ସବୁ କାହିଁ !!!!ଚାରିଆଡେ ଖୋଜିଲା ଟୁଟୁ। କାନ୍ଦ କାନ୍ଦ ହୋଇ ବାଇନାକୁଲର ଆଣି ଝରକା ବାଟେ ବଗିଚାରେ ମମିକୁ ଅନାଉଥିଲା।
ପରଦିନ ଭୋରୁ ଟୁଟୁ ଆସି ଅତନୁ ହାତ ଧରି ବଗିଚାକୁ ନେଇଗଲା ସେଇ ଜାଗାକୁ, ଯେଉଁଠି ଗତକାଲି ତନ୍ଦ୍ରା କିଛି କାମ କରୁଥିଲା। ଓଦା ମାଟି ଆଡେଇଲା ପରେ ଗାତ ରୁ ବାହାରିଲା ସବୁ ତକ ରାକ୍ଷୀ,ଯାହା ପୋଷ୍ଟ ରେ ଆସିଥିଲା।
ଆବାକାବା ହୋଇଗଲା ଅତନୁ। ଏତେ ବର୍ଷ ହେଲାଣି ତାହେଲେ ତନ୍ଦ୍ରା ଏମିତି ଲୁଚାଉଛି କିମ୍ବା ନଷ୍ଟ କରୁଛି ରାକ୍ଷୀ!!!! ତା ସନ୍ଦେହ ଆଜି ସତ୍ୟ ରେ ପରିଣତ ହୋଇଥିଲା। ତନ୍ଦ୍ରା ମେଣ୍ଟାଲ୍ ହୋଇଯାଇଛି। ନିଜର କେହି ଭାଇ ନଥିବାରୁ ବୋଧେ ଏମିତି ହୀନମନ୍ୟତା ର ଶିକାର ହୋଇଛି ତନ୍ଦ୍ରା। ଆସୂୟାପଣ ବୋଧେ।ମାନସିକ ବିକାର ବି ହୋଇଥିବ।
ହାତରେ ରାକ୍ଷୀ ଗୁଡ଼ାକ ଧରି ଘର ଭିତରକୁ ପଶି ଆସି ଚିତ୍କାର କଲା ଅତନୁ,”ତମେ ରାକ୍ଷୀ ପୋତି ଦେଇଥିଲ !ପ୍ରତିବର୍ଷ ତେବେ ଏମିତି ଗାଏବ ହେଉଛି ରାକ୍ଷୀ ? କାହିଁକି ଏମିତି କରୁଛ ତମେ ?”
ପ୍ରତିକ୍ରିୟାହୀନ ଭାବେ ତନ୍ଦ୍ରା ଚୁପ୍ କିନା ବସିଥିଲା ସୋଫା ଉପରେ।
ଅତନୁ ଆହୁରି ରାଗିଗଲା।ସ୍ତ୍ରୀ ର ଦୁଇ ହାତକୁ ଧରି ହଲାଇ ଦେଇ ପୁଣି ପାଟିକଲା,- ମୋ କଥା ଶୁଣିପାରୁନ ତମେ ?ରାକ୍ଷୀ କାହିଁକି ନଷ୍ଟ କରୁଛ ? ମେଣ୍ଟାଲ ହୋଇ ଗଲଣି ତମେ। ସାଇକିଆଟ୍ରିଷ୍ଟଙ୍କୁ ଦେଖାଇବାକୁ ପଡିବ।ଗୋଟେ ଭଉଣୀ କେତେ ସ୍ନେହରେ ତା ଭାଇ ପାଇଁ ରାକ୍ଷୀ ପଠାଏ ତାହା ତମେ କେମିତି ବୁଝିବ ?ମୋ କଥା ଛାଡ,ନିଜ ପୁଅ କଥା ଟିକେ ଭାବିଲନି।କେତେ ବିକଳ ହେଉଛି ରାକ୍ଷୀ ପାଇଁ। ତମ’ର ନିଜ ଭାଇ ତ ନାହାନ୍ତି ।ସେଥିପାଇଁ ରାକ୍ଷୀ ଦେଖି ହିଂସାରେ ଜଳୁଛ। ପାଗିଳୀ ହୋଇ ଗଲଣି।”
ଗମ୍ଭୀର ସ୍ଵରରେ ତନ୍ଦ୍ରା କହିଲା, -“ତମେ ପାଗଳ,ବଦ୍ଧ ପାଗଳ।ସାଇକିଆଟ୍ରିଷ୍ଟଙ୍କ ପାଖକୁ ତମେ ଯା।ନିଜ ର ଚେକ୍ ଅପ୍ କର। ନହେଲେ ତମ ବେମାରୀ ତମ ପୁଅକୁ ବି ହେବ। ତମ ବାପା ଙ୍କୁ ବି ଥିବ ବୋଧେ।”
ରାଗ ରେ ଥରିଯାଇ ନିଜ ଉପ ରୁ ନିୟନ୍ତ୍ରଣ ହରାଇ ଅତନୁ ଗୋଟେ ଚଟକଣା ପକାଇଲା ତନ୍ଦ୍ରା କୁ ଓ ବଡ଼ ପାଟିରେ କହିଲା,”ତମ ମୁଣ୍ଡ ଠିକ୍ ଅଛି ତ ? ସତରେ ମେଣ୍ଟାଲ ହେଲଣି।”
ଡ଼ରିଯାଇ ଟୁଟୁଟୁ ଭାବୁଥିଲା, ମାମା ଏବେ କଣ କରିବ? ଚୁପ୍ ରହିବ ନା କାନ୍ଦିବ ?
ତନ୍ଦ୍ରା ହଠାତ୍ ଠୋ, ଠା କରି ଦୁଇ ଶକ୍ତ ଚଟକଣା ଅତନୁ ଗାଲକୁ ମାରି କହିଲା,”ମିଷ୍ଟର ଅତନୁ, କହିପାରିବ ଟୁଟୁକୁ ଆଜି ନିଜ ହାତରେ ଯେଉଁ ତିନି ଭଉଣୀ ରାକ୍ଷୀ ପିନ୍ଧାଇପାରିଥାନ୍ତେ ସେମାନେ ଆଜି କାହାନ୍ତି ?ମୋର ସମସ୍ତ ପ୍ରତିରୋଧ ସତ୍ତ୍ୱେ,ତିନି ତିନି ଥର ମୋ ପେଟରେ ଝିଅ ରହିଛି ବୋଲି ଗର୍ଭ ନଷ୍ଟ କରାଇ ଥିବା ନିର୍ଲଜ ବାପା ଆଜି,ଭଉଣୀ ଓ ରାକ୍ଷୀ କଥା ଭାବୁଛି ? ଝିଅଙ୍କୁ ଜନ୍ମ ପୂର୍ବରୁ ଯେଉଁ ବାପା ମାରେ ତାକୁ ଦୁନିଆର ସବୁଠୁ ବଡ଼ ଶାସ୍ତି ମିଳିବା ଉଚିତ। ମେଣ୍ଟାଲ ମୁଁ ନୁହେଁ ତମେ।”
ରାଗ, ଅପମାନରେ ଜର୍ଜରିତ ତନ୍ଦ୍ରା ଥରୁଥିଲା। ଏତେ ବର୍ଷ ର ପୁଞ୍ଜୀଭୁତ କ୍ରୋଧ ଆଜି ଯେମିତି ପରିପ୍ରକାଶ କରିଥିଲା।
ଟିଭିରେ ବ୍ରେକିଂ ନିଉଜ ଦେଖାଉଥିଲା; ସୁପ୍ତ ଆଗ୍ନେୟଗିରିଟା ଏତେ ବର୍ଷ ପରେ ଜୀବନ୍ତ ହୋଇ,ସେଥିରୁ ଲାଭା ଉଦଗୀରଣ ହୋଇଛି।

One thought on “ସୁପ୍ତ ଆଗ୍ନେୟଗିରି

  1. କନ୍ୟା ଭ୍ରୂଣ ହତ୍ୟା ଭଳି ଦାରୁଣ କୁସଂସ୍କାର ପ୍ରତି ଗଳ୍ପଟିରେ ଏକ କଠୋର କୁଠାରାଘାତ କରାଯାଇଛି।

Leave a Reply

Your email address will not be published. Required fields are marked *