ଦୁଇଟି ଅଣୁ ଗଳ୍ପ

ଗାୟତ୍ରୀ ଦାସ

୧. ଜିତାପଟ

ବାହାର ଟିଣ କବାଟରେ ଦୁମ୍ ଦୁମ୍ କରାଘାତ। କାନ୍ଥର ଗୋଟିଏ କଣକୁ ଟଂଗା ହୋଇଥିବା କ୍ୟାଲେଣ୍ଡରର ପୃଷ୍ଠାକୁ ନିରିଖିଲା ସେ। ଆଜି ତିନି ତାରିଖ। ମାସର ପ୍ରଥମ ସପ୍ତାହରେ ଦିନକ ପାଇଁ ଆସେ ଲୋକଟା। ସବୁ ଚିହ୍ନା ଜଣା ଗ୍ରାହକଠୁ ଟିକେ ଅଲଗା। ସାଥିରେ ଆଣିଥାଏ ଶାଗୁଆ, ହଳଦୀଆ ଚୂଡି, ସୁନା ଜରି ଦିଆ ଶାଢୀ ଆଉ ଅଇନୁଲ ଖାଁର ଖାସି ମାଂସ ତରକାରୀ।
ସେ ଆସିଲେ ତା ବଖୁରିଆ ଟିଣ ଘରଟା ପାଲଟି ଯାଏ ପ୍ରାସାଦ। ଆଲୁମିନିୟମ ବାକ୍ସରୁ ବାହାରେ ପୁରୁଣା ପାଉଁଜି ହଳକ। ସେ ଚଢିଯାଏ ପାହାଡ଼ର ସବୁଠାରୁ ଉଚ୍ଚତମ ଶିଖର।
ନଈଟିଏ ହୋଇ ଲମ୍ଫଦିଏ ପଥର ଦେହରେ। ମୁକୁଳା ଦେହଟାକୁ ଅଜାଡି ଦିଏ ବିଛଣାରେ। କିଛି ଦହନରେ ଦ୍ରବିଭୁତ ହୁଏ ରାତିର ଶେଷ ପ୍ରହର ଯାଏଁ। ଲୋକଟା ଅଜଗର ପରି ପେଟେଇ ପଡିଥାଏ ତା ପାଖରେ। ସେ ଅଟ୍ଟହାସ୍ୟ କରେ। ପ୍ରେମ ବିବାହ କରି ଅନ୍ତସତ୍ତ୍ଵା ପତ୍ନୀକୁ ଛାଡି ଚାଲି ଯାଇଥିବା ସ୍ୱାମୀ ପାଇଁ ଇଏ ଏକରକମ ପ୍ରତିଶୋଧ ବୋଲି ଭାବେ।
ଘଣ୍ଟାର ପେଣ୍ଡୁଲମ ରାତି ନ’ଟାର ସୂଚନା ଦେଲା। ନିଜକୁ ଆଇନା ଆଗରେ ଭଲ କି ସଜେଇ କବାଟ ଖୋଲିଲା ସେ। ଲୋକଟା ଟଳ ମଳ ହୋଇ ହାମୁଡି ଆସିଲା ଭିତରକୁ।
ଏଥର କିନ୍ତୁ ତା ହାତରେ ଥିଲା ମିନି ସ୍କଟ ସାଂଗକୁ ସ୍ଲିଭଲେସ ଟପ୍। ସେ ପଲିଥିନଟିକୁ ଧରିବା ଆଗରୁ ଚମକି ସାରିଥିଲା। ହସି ହସି ଲୋକଟା ତା ତେର ବର୍ଷର କିଶୋରୀ ଝିଅ ଆଡକୁ ଇଶାରା କରୁଥିଲା।

୨. ଶୃଙ୍ଖଳ

ସେ ପ୍ରେମ ହେଉ ଅବା କର୍ତ୍ତବ୍ୟ, ଶୃଙ୍ଖଳ ତାର ଆଦୌ ପସନ୍ଦ ନ ଥିଲା। ସେ ଗୋଟିଏ ବର୍ତ୍ତମାନରେ ରହି ସ୍ଥାଣୁ ହୋଇଯାଉଥିଲା ଧୀରେଧୀରେ। ବଗିଚାର ସବୁଯାକ ଗୋଲାପ ଓପାଡି ଫିଙ୍ଗି ସାରିଥିଲା। ଡ୍ରଇଁ ରୁମର ସେରାମିକ ଭେସସବୁ ମୁହଁ ମାଡି ପଡିଥିଲେ ସେମିତି । ରାତିର ସେଇ କେତୋଟି ନିବିଡ ମୂହୁର୍ତ୍ତମାନଙ୍କରେ ସେ ଆଣ୍ଠୁ ସନ୍ଧିରେ ମୁହଁ ଯାକି ସୁଁ ସୁଁ ହେଉଥିଲା। ଅନ୍ଧାର ତାର ଆଦୌ ପସନ୍ଦ ନ ଥିଲା। ଅଥଚ ଏକାନ୍ତରେ ଅନ୍ଧାର ଆକାଶରେ ତାରାମାନଙ୍କ ସହ ନିର୍ଧୁମ ଗପୁଥିଲା। ତା ଅସହାୟତାରେ ତରଳି ଗଲା ଗୋଟେ ପଥରର ମନ। ସେ ଖୋଲିଦେଲା ସଦର ଦରଜା। ହାବୁକାଏ ହେମାଳ ପଶି ଆସିଲେ ଦରଜା ଡେଇଁ। ଇଚ୍ଛାମାନଙ୍କୁ ବିରାଟ ଗଣ୍ଠିଲି କରି ସେ ଗଦ୍ ଗଦ୍ ହୋଇ ବାହାରକୁ ବଢାଇଲା ପାଦ। ତା ଡାହାଣ ଗୋଡର କନିଷ୍ଠ ଆଂଗୁଳିରେ ବସିଥିଲା ଗୋଟେ ମଶା।
ନିଦ ଭାଙ୍ଗିଲାରୁ ଦେଖିଲା ତା ବାଁ ହାତ ପାପୁଲିରେ ଗୋଟେ ଶବ ଓ ବୁନ୍ଦାଏ ତାଜା ରକ୍ତ।

One thought on “ଦୁଇଟି ଅଣୁ ଗଳ୍ପ

Leave a Reply

Your email address will not be published. Required fields are marked *