ଅନ୍ଧାର ଲୁହ

ସୁଚିତ୍ରା ପାଣିଗ୍ରାହୀ

ସାରା ଆକାଶରେ ଘୋଟିଚି ବାଦଲ
ସୋରାଏ ସୂର୍ଯ୍ୟର ତେର୍ଚ୍ଛା କିରଣ
ଝଲସୁଛି ତୀକ୍ଷ୍‌ଣଧାର ଅସୀଟିଏ ପରି
ସତେ ଚିରିଦେବ
ହୃଦୟ ସେ ମୋହରି ।

ମେଞ୍ଚା ମେଞ୍ଚା ଅନ୍ଧାରକୁ ଡରନାହିଁ,
ଡର ମୋର ଚେନାଏ ସୂର୍ଯ୍ୟାଲୋକକୁ
ଯିଏ ଚିରିପାରେ ଛାତି
ଚିହ୍ନେଇ ଦେଇଯାଏ ମିତ୍ରତାର ମିଛ ଆବରଣରେ
ସଢ଼ୁଥିବା ଶତୃର ଶଠ ପ୍ରୀତି
କିମ୍ବା କେବେ ପୁଣି ଦେଖେଇ ଦେଇ
ଚିହିଁକା ଦେଇଯାଏ
ଚେତେଇ ଦିଏ, ଉଠ୍‌!
ଏଇ ଦେଖ୍‌, ଜୀବନର ଶହେଟା ଭୁଲ୍‌
କେମିତି ଆଖିଠାରି ତୋତେ ଚାହିଁ ହସୁଚି
ଅନ୍ଧାର ଯେତେ ଗାଢ଼ ହେବ
ଏ ଆଲୁଅର ଛୁରୀକାଘାତ ସେତେ ତୀବ୍ର ହେବ!
ଏ ଆଘାତରେ ହୃଦୟ ରକ୍ତାକ୍ତ ହୁଏନା,
ଟୋପାଏ ବି ରକ୍ତ ଝରେନା
ବିବେକର ବିଦ୍ରୋହରୁ ଖାଲିଯାହା
ଝରିପଡ଼େ ଦୁଇଟୋପା ଲୁହ ।
ସେ ଲୁହ ନିରର୍ଥକ କି ନିରୋଳା ନୁହେଁ
ସେ ଲୁହର ଉଷ୍ମତା ଛୁଇଁପାରେ
ଲକ୍ଷେ ଯୋଜନ ଦୂରରେ ଥିବା
ଆଶାୟୀ ହାତର କୁନି ପାପୁଲିକୁ
ଓଦା କରିଦେଇପାରେ ପାପୁଲିର ନରମ
ନଇଁଲା ପିଠିକୁ
ଅନ୍ଧାର ପରି ଲୁହ ବି ନିବିଡ଼
ନିଜର!!
ଅନ୍ଧାର ଭିତରେ ସବୁ କିଛି ଦିଶୁଥାଏ ଦାଉଦାଉ
ସେମିତି ଠିକ୍ ଯେମିତି,
ଟୋପା ଟୋପା ଲୁହରେ ଝରିଯାଉଥାଏ
ଜୀବନର କେତେ କେତେ ତିକ୍ତି ମଧୁର
ସାନ୍ଦ୍ର ଅନୁଭୂତି ।

Leave a Reply

Your email address will not be published. Required fields are marked *