ମୋ ମମତା ମୋ ଭାଷା

ଡ଼. ତନୁଶ୍ରୀ ପତ୍ରୀ

ମାଆର ମମତା ପାଇ
ବାପାଙ୍କ ଆଦର ପାଇଁ
ଆଦରିଲି ମାତୃଭାଷା ଶିକ୍ଷା,
ମାଆ ତ ରହିଛି ଚାହିଁ
ବାପା ତ ଗଲେଣି କାହିଁ
ଆଚରିଲି ମାତୃଭାଷା ଦୀକ୍ଷା ।

ଆତ୍ମସମର୍ପଣ ନୁହେଁ
ଆତ୍ମପ୍ରବଞ୍ଚନା ନୁହେଁ
ମନ କଥା କଲମ ମୋ କହେ,
ଆତ୍ମ ଅନୁଭୂତି ଲେଖି
ଅନେକ ଦିନୁ ପରଖି
ମରମ ମୋ କାଳି ହୋଇ ବହେ ।

ରଖୁଛି ହୃଦୟ ବାଢ଼ି
ଅନ୍ତରୁ ଅନ୍ତର ଫେଡ଼ି
ଗୁଣି ଜନ ଗଣ ଶୁଣ ନିଶ୍ଚୟ,
ଭଲ ମୋତେ ଲାଗେ ନାହିଁ
ମନ ଜମା ବୁଝେ ନାହିଁ
ଆମ ମାତୃଭାଷା ଆଜି କି ଅସହାୟ !

ସିନ୍ଦୂର ଟୋପାଏ ବିନା
ଓଢଣୀ ଭଲ ଲାଗେନା
ଦିଶେ ଖାଲି ଖାଲି ମାଆ ମଥା,
ବିକୃତ କି କଦାକାର
ବିଲୋପ କି ବହିଷ୍କାର
ଭାଷା ମା ପାଇଁ ଅସହ୍ୟ ଯଥା ।

ଯୁକ୍ତାକ୍ଷର ଯୁକ୍ତବର୍ଣ୍ଣ
ମାଆ ଲାଗେ ପରିପୂର୍ଣ୍ଣ
ମାତୃଭାଷା ମାଆ ଅଳଙ୍କାର,
ଏ ସତ୍ୟ ଗ୍ରହଣ କର
ନିତ୍ୟ ଅନିତ୍ୟ ସଂସାର
ରଖିବା କାହିଁକି ଅହଙ୍କାର ।

ବ୍ୟାକରଣ ଅଧ୍ୟୟନ
କରେ ସିନା ଗୁଣି ଜନ
ବ୍ୟବହାର କରେ ଜନଗଣ,
ସାହିତ୍ୟର ଦୁଇ ପାଦ
ଆଗ ପଛର ପ୍ରଭେଦ
କିଏ ନୁହେଁ ମୁଖ୍ୟ କି ଗଉଣ ।

ବ୍ୟାକରଣ ବାକ୍ୟରଣ
ବ୍ୟବହାର ସତ୍ୟ ରଣ
ଉଭୟ ରଣରେ ଅଛି ହାନି
ଗଣିତେ ସଙ୍ଖ୍ୟା ଗଣନା
ଭୂଗୋଳେ ନୁହେଁ କଳନା
ଭାଷା ଓ ସାହିତ୍ୟ କନ୍ୟା ଜନନୀ ।

Leave a Reply

Your email address will not be published. Required fields are marked *