Updated on 18 April 2025
ଉନ୍ମୋଚିତ ହେଲା ପୁରୀ ଲିଟେରାରୀ ଫେଷ୍ଟିଭାଲ

ପୁରୀସ୍ଥିତ ‘ତାଜ୍ ପୁରୀ ରିଜର୍ଟ’ରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୃଷ୍ଠପୋଷକତାରେ ଆୟୋଜିତ ତିନିଦିନିଆ ‘ପୁରୀ ଲିଟେରାରୀ ଫେଷ୍ଟିଭାଲ’ ଏପ୍ରିଲ୍ ୧୮ ତାରିଖ ପୂର୍ବାହ୍ନରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କୁମ୍ଭମ୍ପତିଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭାବରେ ସମୃଦ୍ଧ ପୁରୀ ସହରରେ ପୁରୀ ସାହିତ୍ୟ ମହୋତ୍ସବର ଉଦଘାଟନ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ରାଜ୍ୟପାଳ ମହୋଦୟ କହିଥିଲେ। ସେ ମଧ୍ୟ କହିଥିଲେ ଯେ ପୁରୀ କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ; ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ କଳାତ୍ମକ ପରମ୍ପରାର ଏକ ଜୀବନ୍ତ ପ୍ରତୀକ। ଏହି ଉପଲକ୍ଷେ ମଞ୍ଚରେ ପାର୍ଲିଆମେଣ୍ଟ ସଦସ୍ୟ ସଂବିତ୍ ପାତ୍ର ଉପସ୍ଥିତ ଥିଲେ। ସଭାମଞ୍ଚରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡ଼ିଓ ବାର୍ତ୍ତା ମଧ୍ୟ ପରିବେଷଣ କରାଯାଇଥିଲା। ପୁରୀ ସାହିତ୍ୟ ମହୋତ୍ସବର ଅଧ୍ୟକ୍ଷ ଶ୍ରୀ ଓମ ପ୍ରିୟଦର୍ଶୀ ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ଅନ୍ୟତମ ଅଧ୍ୟକ୍ଷ ଶିବମ ରଘୁବଂଶୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଶଶାଙ୍କ ଶେଖର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଉଦଘାଟନୀ ସମାରୋହରେ ପ୍ରାୟ ତିନିଶହ ଦର୍ଶକ ବା ଶ୍ରୋତା ଉପସ୍ଥିତ ଥିବା ଦେଖାଯାଇଥିଲା, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ପୁରୀର ସ୍ଥାନୀୟ ଅଧିବାସୀ, ଛାତ୍ରଛାତ୍ରୀ ଓ କିଛି ସଂଖ୍ୟକ ସାହିତ୍ୟପ୍ରେମୀ। ଉଦ୍ଘାଟନ ଅଧିବେଶନ ପରେ ବିଭିନ୍ନ ବିଷୟବସ୍ତୁ ଉପରେ ଏହି ମହୋତ୍ସବର ଅନ୍ୟ ନିର୍ଦ୍ଧାରିତ ଅଧିବେଶନ ଗୁଡ଼ିକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମହୋତ୍ସବରେ ଭାଗନେଇଥିବା ଜଣେ ପ୍ରବୀଣ ସାହିତ୍ୟପ୍ରେମୀ ‘ସାହିତ୍ୟ ଚର୍ଚ୍ଚା’କୁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମଟିକୁ ଏକ ‘ଲିଟେରାରୀ ଫେଷ୍ଟିଭାଲ୍’ ପରିବର୍ତ୍ତେ ‘ଲିଟେରୋ-କଲ୍ଚରାଲ୍-ପଲିଟିକାଲ୍ ଫେଷ୍ଟିଭାଲ୍’ ବୋଲି କହିବା ଅଧିକ ସମୀଚୀନ ହେବ।
(ପ୍ରକାଶିତ: ୧୮ ଏପ୍ରିଲ, ୨୦୨୫)
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପଦ୍ମ ପୁରସ୍କାର ବିରୋଧରେ ମାମଲା ହାଇକୋର୍ଟରେ ଖାରଜ ହେଲା

ସାହିତ୍ୟ ଓ ଶିକ୍ଷା ପାଇଁ ୨୦୨୩ ମସିହାରେ ଭାରତ ସରକାରଙ୍କର ଦ୍ବାରା ପଣ୍ଡିତ ଅନ୍ତର୍ଯ୍ଯମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ବିରୋଧରେ ଓଡ଼ିଶା ହାଇକୋର୍ଟରେ ଦାୟର ହୋଇଥିବା ମକଦ୍ଦମା ଏପ୍ରିଲ୍ ୧୬ ତାରିଖ ଦିନ ଓଡ଼ିଶା ହାଇକୋର୍ଟରେ ଖାରଜ ହୋଇଯାଇଛି। ଏହି ପୁରସ୍କାର ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଦାବି କରି ଭୁବନେଶ୍ବରର ସମାନ ନାମଧାରୀ ଅନ୍ୟ ଜଣେ ଲେଖକ, ଡ. ଅନ୍ତର୍ଯ୍ୟାମୀ ମିଶ୍ର ଓଡ଼ିଶା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।
ଏଭଳି ଏକ ମାମଲା ରୁଜୁ କରି କୋର୍ଟର ସମୟ ନଷ୍ଟ କରିଥିବାରୁ ହାଇକୋର୍ଟ ଆବେଦନକାରୀଙ୍କୁ ଦଶ ହଜାର ଟଙ୍କା ଜୋରିମାନା ଦେବାପାଇଁ ମଧ୍ୟ ଆଦେଶ ଦେଇଛନ୍ତି। ଏହି ଜୋରିମାନା ଅର୍ଥ ଆସନ୍ତା ତିନି ମାସ ମଧ୍ୟରେ ହାଇକୋର୍ଟ ବାର୍ ଆସୋସିଏସନ୍ କଲ୍ୟାଣ ପାଣ୍ଠିରେ ଜମା କରିବାକୁ ଅଦାଲତଙ୍କ ପକ୍ଷରୁ ଆଦେଶ ଦିଆଯାଇଛି। ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ତରଫରୁ ଆଡଭୋକେଟ୍ ସୂର୍ଯ୍ୟସୁନ୍ଦର ଦାସ ଏହି ମାମଲା ପରିଚାଳନା କରୁଥିଲେ।
(ପ୍ରକାଶିତ: ୧୭ ଏପ୍ରିଲ, ୨୦୨୫)
କବି ଚାରୁଦତ୍ତ ପାଣିଗ୍ରାହୀ ପାଇଲେ ମର୍ଯ୍ୟାଦାଜନକ ‘ଏମିଲି ଡିକିନ୍ସନ୍ ପୁରସ୍କାର’

ଓଡ଼ିଶାର ବିଶିଷ୍ଟ ଲେଖକ ଓ ବୁଦ୍ଧିଜୀବି ଚାରୁଦତ୍ତ ପାଣିଗ୍ରାହୀ ତାଙ୍କ ଦ୍ବାରା ରଚିତ ଇଂରାଜୀ କବିତା ସଂକଳନ ‘ସ୍ବିର୍ଲ୍ ଏଣ୍ଡ ଷ୍ଟିଲ୍’ ପାଇଁ ଆମେରିକାର ମର୍ଯ୍ୟାଦାଜନକ ‘ଏମିଲି ଡିକିନ୍ସନ୍’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆମେରିକାର ଉନବିଂଶ ଶତାବ୍ଦୀର ବିଶିଷ୍ଟ କବୟିତ୍ରୀ ଏମିଲି ଡିକିନ୍ସନ୍ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତିବର୍ଷ ‘ପୋଏଟ୍ରି ସୋସାଇଟି ଅଫ୍ ଆମେରିକା’ର ସଦସ୍ୟମାନଙ୍କୁ ଦିଆଯାଇଥାଏ। ଏ ବର୍ଷ ଓଡ଼ିଶାର ଚାରୁଦତ୍ତ ପାଣିଗ୍ରାହୀଙ୍କୁ ନିଜ କବିତା ଜରିଆରେ ଆନ୍ତଃସାଂସ୍କୂତିକ ଭାବ ବିନିମୟକୁ ଏକ ସାର୍ଥକ ରୂପ ଦେଇଥିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ପାଣିଗ୍ରାହୀ ତାଙ୍କର ‘ଡସ୍କ ଆଟ୍ ରାୟଗଡ଼ା’, ‘ମଣ୍ଟି ମ୍ୟୁଜିକ୍’ଓ ‘ସ୍ବର୍ଲ ଏଣ୍ଡ ଷ୍ଟିଲ୍’ ଆଦି ପୁସ୍ତକ ପାଇଁ ପାଠକ ମହଲରେ ସୁପରିଚିତ।
(ପ୍ରକାଶିତ: ୧୨ ଏପ୍ରିଲ, ୨୦୨୫)
କର୍ପୋରେଟ୍ ଶୈଳୀରେ ଅନୁଷ୍ଠିତ ହେବ ‘ପୁରୀ ଲିଟେରାରୀ ଫେଷ୍ଟିଭାଲ୍’

ଆସନ୍ତା ଏପ୍ରିଲ୍ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀଠାରେ ଥିବା ‘ତାଜ୍ ହୋଟେଲ୍ ଓ ସ୍ପା’ରେ କର୍ପୋରେଟ୍ ଶୈଳୀରେ ଏକ ବିରାଟ ସାହିତ୍ୟ ମହୋତ୍ସବର ଆୟୋଜନ ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରସ୍ତୁତି ଚାଲିଛି। ଏମାନଙ୍କ ବ୍ୟତୀତ ଏହି ସମାରୋହର ଅନ୍ୟ କେତେକ କର୍ପୋରେଟ୍ ସହଯୋଗୀ ମଧ୍ୟ ରହିଛନ୍ତି। ‘ପୁରୀ ଲିଟେରାରୀ ଫେଷ୍ଟିଭାଲ୍’ ନାମକ ଏହି ସାହିତ୍ୟ ମହୋତ୍ସବରେ ଯୋଗଦେବାପାଇଁ ଇଚ୍ଛୁକ ସାହିତ୍ୟପ୍ରେମୀମାନେ ‘ବୁକ୍-ମାଇ-ଶୋ’ର ଓ୍ବେବ୍ସାଇଟ୍କୁ ଯାଇ ପ୍ରବେଶ ଟିକେଟ୍ କିଣିବା ପାଇଁ ପରାମର୍ଶ ଦିଆଯାଇଛି।
ଏହି ସାହିତ୍ୟ ସମାରୋହର ମଞ୍ଚରେ ଦେଶର ବିଭିନ୍ନ ସ୍ଥାନରୁ ୧୧୦ ଜଣ ବିଶିଷ୍ଟ ବକ୍ତା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ଅଛି, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ସିନେ-ଅଭିନେତ୍ରୀ କଙ୍ଗନା ରନାଓ୍ବତ, ଲୋକ-ଗାୟିକା ମାଳିନୀ ଅବସ୍ଥି, ଅଭିନେତା ପ୍ରଜକ୍ତ କୋଲି ଓ ଅଭିନେତା ଅନୁଭବ ସିଂ ବସ୍ସି ପ୍ରମୁଖ। ଏହି ମହୋତ୍ସବରେ ଜାତୀୟ ସ୍ତରର ୧୧ଟି ପ୍ରକାଶନ ସଂସ୍ଥା ମଧ୍ୟ ଭାଗନେବେ। ଅବଶ୍ୟ ଏହି ଅବସରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ଅଧିବେଶନର ତାଲିକା ଦେଖିଲେ ଜଣାପଡ଼େ ଯେ ‘ଏକବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ,’ ‘ପୁସ୍ତକ ପ୍ରକାଶନର ଦୃଶ୍ୟପଟ’, ‘ସାମାଜିକ ପରିବର୍ତ୍ତନରେ ଲେଖକଙ୍କ ଭୂମିକା’, ନାମକ କେବଳ ତିନୋଟି ଅଧିବେଶନକୁ ଛାଡ଼ିଦେଲେ ଅନ୍ୟ ୧୨ଗୋଟି ଅଧିବେଶନର ବିଷୟ ସହିତ ସାହିତ୍ୟର କୌଣସି ସମ୍ପର୍କ ନାହିଁ।
ଏହି ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାଓ୍ବତ, କେନ୍ଦ୍ର ବନ୍ଦର ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ୍ ଓ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେବେ। ଓଡ଼ିଶାର ବହୁ ଆଗ୍ରହୀ ବ୍ୟକ୍ତି ଏହି ମହୋତ୍ସବର ଟିକେଟ କିଣି ସେଥିରେ ଯୋଗଦେବାକୁ ଅପେକ୍ଷା କରିଥିବା ଜଣାଯାଇଛି।
(ପ୍ରକାଶିତ: ୧୦ ଏପ୍ରିଲ, ୨୦୨୫)
ଅପର୍ଣ୍ଣା ମହାନ୍ତି ପାଇଲେ ଏ ବର୍ଷର ବିଷୁବ ପୁରସ୍କାର

ବିଶିଷ୍ଟ କବୟିତ୍ରୀ ତଥା ସାହିତ୍ୟ ସମାଲୋଚକ ଅପର୍ଣ୍ଣା ମହାନ୍ତି ଚଳିତ ବର୍ଷର ବିଷୁବ ପୁରସ୍କାର ପାଇବେ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଘୋଷଣା କରାଯାଇଛି। ତା’ଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ତାମ୍ରଫଳକ ସହ ପୁରସ୍କୃତ କରାଯିବ।
ଏହା ବ୍ୟତୀତ ପ୍ରବନ୍ଧ ପାଇଁ ବେଣୂଧର ପାଢ଼ି, କବିତା ପାଇଁ ରଂଜିତା ନାୟକ ଓ ଗଳ୍ପ ପାଇଁ କ୍ଷୀରୋଦ ଦାସଙ୍କୁ ଚଳିତ ବର୍ଷର ଝଙ୍କାର ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ବାବଦରେ ସେମାନଙ୍କୁ ୨୫ ହଜାର ଟଙ୍କା ଓ ତାମ୍ରଫଳକ ପ୍ରଦାନ କରାଯିବ। ଏହି ଅବସରରେ ବିଶିଷ୍ଟ ଅନୁବାଦିକା କମଳା ଶତପଥୀଙ୍କୁ ମଧ୍ୟ ‘ଝଙ୍କାର ଅନୁବାଦ ଭାରତୀ’ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ୍ ୧୪ ତାରିଖ ଦିନ ପ୍ରଜାତନ୍ତ୍ର ପରିସରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସମାବର୍ତ୍ତନ ସମାରୋହରେ ଏହି ପୁରସ୍କାରଗୁଡ଼ିକ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।
(ପ୍ରକାଶିତ: ୯ ଏପ୍ରିଲ, ୨୦୨୫)
‘ଏକାନ୍ତ ରମାକାନ୍ତ’: ସ୍ମୃତିସଭାରେ କବି ରମାକାନ୍ତଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବରର ଜୟଦେବ ଭବନରେ ଏପ୍ରିଲ୍ ମାସ ତିନି ତାରିଖ ସନ୍ଧ୍ୟାରେ ‘ଓଡ଼ିଆ ମିଡିଆ’ ଦ୍ବାରା ଆୟୋଜିତ ‘ଏକାନ୍ତ ରମାକାନ୍ତ’ ଶୀର୍ଷକ ଏକ ଭବ୍ୟ ସ୍ମୃତିସଭାରେ କବି ରମାକାନ୍ତ ରଥଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓଡ଼ିଆ ସାରସ୍ବତ ଜଗତର କେତେଜଣ ପ୍ରତିଷ୍ଠିତ ପ୍ରତିଭାଧର। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିଜର ସ୍ମୃତିଅର୍ଘ୍ୟ ଅର୍ପଣ କରି ବର୍ଷୀୟାନ କବି ସୀତାକାନ୍ତ ମହାପାତ୍ର ରେଭେନ୍ସା କଲେଜ ପୂର୍ବ ଛାତ୍ରାବାସର ମୁଖପତ୍ର ‘ଜାଗରଣ’ର ସମ୍ପାଦକ ଥିବାବେଳର କେତେକ ସ୍ମରଣୀୟ ଘଟଣା ବର୍ଣ୍ଣନା କରିଥିଲେ। ସେ କବି ରମାକାନ୍ତ ତାଙ୍କ ପାଖକୁ ଲେଖିଥିବା ଏକ ପତ୍ରର କିଛି ଅଂଶ ମଧ୍ୟ ପାଠକରିଥିଲେ। ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ଅଗ୍ରଣୀ ପ୍ରବର୍ତ୍ତକ ସୌଭାଗ୍ୟ ମିଶ୍ର କହିଲେ ଯେ ରମାକାନ୍ତ ରଥଙ୍କ କବିତା ପଢ଼ି ଆମେ ଯେତିକି ବାଉଳା ହେଉଥିଲୁ, ସେତିକି ବିହ୍ବଳ ମଧ୍ୟ। ‘କଥା’ ପତ୍ରିକାର ସମ୍ପାଦକ ଗୌରହରି ଦାସ କହିଲେ ଯେ ଏଭଳି କବି ଅନେକ ଯୁଗ ପରେ ଆସନ୍ତି। ରାଜ୍ୟର ସଂସ୍କୂତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ କବିଙ୍କର କୃତିସମଗ୍ର ଆମର ସାରସ୍ବତ ବିଭବକୁ ସମୃଦ୍ଧ କରିଛି। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର କହିଲେ, “ପ୍ରାଣୀର ଭଲମନ୍ଦ ବାଣୀ, ମରଣ କାଳେ ତାହା ଜାଣି।” ସୁପରିଚିତ କବି ହରପ୍ରସାଦ ଦାସ କହିଲେ ଯେ ସାହିତ୍ୟରେ ନିଜର ଯୁଗ ରମାକାନ୍ତ ନିଜେ ହିଁ ନିର୍ଦ୍ଧାରଣ କରିଥିଲେ। ପ୍ରସିଦ୍ଧ ଗୀତିକବି ଦେବଦାସ ଛୋଟରାୟ କହିଲେ ଯେ ରମାକାନ୍ତ ଥିଲେ ଚିର ଶାଶ୍ବତ। ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ର କହିଲେ ଯେ ବିଶ୍ବାସ ହେଉନାହିଁ, ରମାକାନ୍ତ ରଥ ଆଉ ପାର୍ଥିବ ଶରୀରରେ ନାହାନ୍ତି; ସେ ଥିଲେ ଜଣେ ବିସ୍ମୟ ପୁରୁଷ।
କାର୍ଯ୍ୟକ୍ରମଟି ସୁପରିଚିତ ଉପସ୍ଥାପକ ମୃତ୍ୟୁଞ୍ଜୟ ରଥଙ୍କ ଦ୍ବାରା ସଂଯୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ରମାକାନ୍ତ-ପ୍ରେମୀଙ୍କ ସହ କବିଙ୍କର ଧର୍ମପତ୍ନୀ ଓ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ‘ଏକାନ୍ତ ରମାକାନ୍ତ’ ନାମକ ଏକ କଫିଟେବଲ୍ ପୁସ୍ତକର ଉନ୍ମୋଚନ ମଧ୍ୟ ହୋଇଥିଲା।
(ପ୍ରକାଶିତ: ୩ ଏପ୍ରିଲ, ୨୦୨୫)
ଭୁବନେଶ୍ବରରେ ଆରମ୍ଭ ହେଲା ଏକାଦଶତମ କଳିଙ୍ଗ ସାହିତ୍ୟ ଉତ୍ସବ

ସୁବିଦିତ ସାହିତ୍ୟ ଉତ୍ସବ ‘କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍’ର ଏକାଦଶ ସଂସ୍କରଣ ମାର୍ଚ୍ଚ ୨୧ ତାରିଖ ଦିନ ଭୁବନେଶ୍ବରସ୍ଥିତ ମେ’ଫେୟାର୍ ହୋଟେଲ୍ର ସେଣ୍ଟ୍ରାଲ୍ ହଲ୍ରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତିଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ, ନୂଆଦିଲ୍ଲୀରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍. କୃଷ୍ଣମୂର୍ତ୍ତି, ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସ୍ଥାପତ୍ୟ ଶିଳ୍ପୀ ସୁଦର୍ଶନ ସାହୁ ତଥା ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସ ରାଓ।
ଏହି ଅବସରରେ ଇଂରାଜୀ ଭାଷାର ବିଶିଷ୍ଟ କବୟିତ୍ରୀ ମମତା କାଲିଆଙ୍କୁ ‘କଳିଙ୍ଗ ଲିଟେରାରୀ ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ଡ. ଶ୍ରୀନିରୁଦ୍ଧ ଦାଶ ଓ ଡ. ମମତା ମିଶ୍ରଙ୍କୁ ଅନ୍ତର୍ ଜାତୀୟ କଳିଙ୍ଗ ସାହିତ୍ୟ ପୁରସ୍କାର ତଥା ନେପାଳର ବୁଦ୍ଧିସାଗରଙ୍କୁ କଳିଙ୍ଗ ଯୁବଲେଖକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ‘ଓଡ଼ିଶା ଲିଭିଙ୍ଗ୍ ଲିଜେଣ୍ଡ ଆଓ୍ବାର୍ଡ’ରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ସ୍ଥପତି ପି.କେ.ଦାଶ, ପ୍ରସ୍ତର କଳା ଶିଳ୍ପୀ ସୁଦର୍ଶନ ସାହୁ ଓ ଉଦ୍ୟୋଗପତି ଡ଼. ସୌମ୍ୟ ରଂଜନ ସାମଲ।
ଏହି ସାହିତ୍ୟ ଉତ୍ସବର ବିଭିନ୍ନ ଅଧିବେଶନ ପାଞ୍ଚଟି ସ୍ଥାନରେ ତିନିଦିନ ଧରି ଚାଲିବ। ମେ’ଫେୟାର୍ ସଂସ୍ଥାର ଚାରିଗୋଟି ବିଭିନ୍ନ ହଲ୍ ବ୍ୟତୀତ ରାଜଧାନୀର କେନ୍ଦ୍ର ସ୍ଥଳରେ ଥିବା କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସଭାଗାରରେ ଏହି ଅଧିବେଶନଗୁଡ଼ିକ ଅନୁଷ୍ଠିତ ହେବ। ଏହି ସଭାଗାରରେ ଆୟୋଜିତ ହେବାକୁ ଥିବା ଅଧିବେଶନଗୁଡ଼ିକର ବିଷୟବସ୍ତୁ ହେଉଛି, ‘ସାମ୍ପ୍ରତିକ ଓ ଭବିଷ୍ୟତର ସାହିତ୍ୟରେ ନାରୀଙ୍କ ସ୍ବର’, ‘ଓଡ଼ିଆ ଗଳ୍ପ କଥନ କଳା’, ‘ଗପର ଗଭୀରତା’, ‘ଦୈନନ୍ଦିନ ଜୀବନରେ ଜଗନ୍ନାଥ’, ‘ଓଡ଼ିଆ ସାମ୍ବାଦିକତାରେ ସାହିତ୍ୟ’ ଓ ‘ଓଡ଼ିଆ କବିତାରେ ନୂଆ ସ୍ବର’ ପ୍ରଭୃତି। ଏହି ତିନିଦିନିଆ ସାହିତ୍ୟ ମହୋତ୍ସବରେ ଦଶଗୋଟି ଭାଷାର ପାଖାପାଖି ୫୦୦ ଜଣ ବକ୍ତା, ଓ ୧୦୦ ଜଣ କଳାକାର ଯୋଗଦେବା ସହ ଏହି ଅବସରରେ ୧୦୦ଟି ପୁସ୍ତକ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
(ପ୍ରକାଶିତ:୨୧ ମାର୍ଚ୍ଚ, ୨୦୨୫)
ଲେଖା ଚୋରି ଅଭିଯୋଗରେ ଗିରଫ ହେଲେ ତପି ମିଶ୍ର

ଗୋଟିଏ ଓଡ଼ିଆ ପୁସ୍ତକରେ ପ୍ରକାଶିତ ସଂସ୍କୃତ ଶ୍ଲୋକର ଓଡ଼ିଆ ଅନୁବାଦକୁ ଚୋରିକରି ତାହାକୁ ନିଜର ଲେଖା ଭାବରେ ଦର୍ଶାଇବା ସହ ଏକ ଭିଡିଓରେ ବ୍ୟବହାର କରିଥିବାରୁ ସଂପୃକ୍ତ ଲେଖିକାଙ୍କ ଅଭିଯୋଗକ୍ରମେ ଜଣାଶୁଣା ୟୁଟିଉବର୍ ତପି ମିଶ୍ର ମାର୍ଚ୍ଚ ୧୯ ତାରିଖ ଦିନ ଭୁବନେଶ୍ବରଠାରେ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି। ଲେଖିକା ବନସ୍ମିତା ଦେବୀଙ୍କ ‘ଅଗ୍ନି ପରୀକ୍ଷା’ ନାମକ ପୁସ୍ତକରେ ପ୍ରକାଶିତ ସଂସ୍କୃତ ‘ଶିବ ତାଣ୍ଡବ’ର ଓଡ଼ିଆ ଅନୁବାଦଟିକୁ ତପି ମିଶ୍ର ଲେଖିକାଙ୍କ ବିନା ଅନୁମତିରେ ନିଜ ନାମରେ ଉପସ୍ଥାପନ କରିଥିଲେ। ଏହା ସହିତ ସେ ନିଜର ଫେସବୁକ୍ ପୋଷ୍ଟ୍ରେ ଲେଖିକା ବନସ୍ମିତାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ସହ ତାଙ୍କୁ ଧମକ ଦେଇଥିବାର ଅଭିଯୋଗ ମଧ୍ୟ ହୋଇଛି। ଏହା ବିରୋଧରେ ଲେଖିକା ଅଦାଲତର ଦ୍ବାରସ୍ଥ ହୋଇଛନ୍ତି।
‘ଅଗ୍ନି ପରୀକ୍ଷା’ ହେଉଛି ବାଲ୍ମିକୀ ରାମାୟଣର ଏକ ଅନୁବାଦ ପୁସ୍ତକ ଏବଂ ଏହା ଭୁବନେଶ୍ବରର ବି.କେ.ପବ୍ଲିକେସନ୍ ଦ୍ବାରା ୨୦୨୩ ମସିହା ଅକ୍ଟୋବର ମାସରେ ପ୍ରକାଶିତ ହୋଇଛି।
(ପ୍ରକାଶିତ:୨୦ ମାର୍ଚ୍ଚ, ୨୦୨୫)
ଅନୁଷ୍ଠିତ ହେଲା ଆନ୍ତଃରାଜ୍ୟ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟାରେ ଦଶଟି ରାଜ୍ୟର ୧୬ ଜଣ କବି ଓ ଅନୁବାଦକମାନଙ୍କୁ ନେଇ ‘ଭାରତୀୟ ଅନୁବାଦ ସାହିତ୍ୟ’ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଜାତୀୟସ୍ତରର କାବ୍ୟପାଠ ଓ ଆଲୋଚନାଚକ୍ର। ଏହି କାର୍ଯ୍ୟକ୍ରମରେ କେରଳ, ନାଗାଲାଣ୍ଡ, ଓଡ଼ିଶା, ମହାରାଷ୍ଟ୍ର,ଆସାମ,ପଞ୍ଜାବ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟଣା, ପଶ୍ଚିମ ବଙ୍ଗର ପ୍ରତିଷ୍ଠିତ କବିମାନେ ପ୍ରତିନିଧିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାରତୀୟ ଲେଖକ ପ୍ରଫେସର କହ୍ନେୟା ତ୍ରିପାଠୀ ଯୋଗଦେଇ କହିଲେ ଯେ ସମକାଳୀନ କବିମାନେ ନିରନ୍ତର କବିତା ପାଠ କରିବା ମଧ୍ୟ ଆବଶ୍ୟକ। ଏହାଦ୍ୱାରା ଆମେ ଭାରତୀୟ କବିତା ଏବଂ ପ୍ରାନ୍ତୀୟ ସାହିତ୍ୟ ବିଷୟରେ ଅବଗତ ହୋଇପାରିବା। ବିଭିନ୍ନ ଦେଶର କ୍ଳାସିକ ସାହିତ୍ୟ ମଧ୍ୟ ପଢ଼ିବାର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ଦ୍ଵାରା କବିତା ସୃଜନ କିମ୍ବା ଅନୁବାଦ ସମ୍ଭବ ନୁହେଁ କାରଣ କବିତା ହେଉ ବା ଅନୁବାଦ, ଏହା ଏକ ଭାବାତ୍ମକ କଳା।
କାର୍ଯ୍ୟକ୍ରମ ଆରମ୍ଭରେ ଅସମିୟା ଭାଷାର କବି ଶିଖାମଣି ଶର୍ମା ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଅନୂଦିତ କାବ୍ୟପାଠର ସଂଯୋଜନା କରିଥିଲେ ଓଡିଶାର କବୟିତ୍ରୀ ଜୟଶ୍ରୀ ଦୋରା। ‘ଭାରତୀୟ ଅନୁବାଦ ସାହିତ୍ୟ’ ତରଫରୁ ଅନୁବାଦ ପାଇଁ ଅନୁବାଦକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ଏବଂ ବିଭିନ୍ନ ଭାଷାର ଅନୁବାଦ ପୁସ୍ତକ ପ୍ରକାଶନ ଦିଗରେ ନିରନ୍ତର ପ୍ରୟାସ କରାଯାଉଛି ବୋଲି ୩୦ ତମ ଅନଲାଇନ୍ ଆଲୋଚନାଚକ୍ରରେ ‘ଭାରତୀୟ ଅନୁବାଦ ସାହିତ୍ୟ’ର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରକାଶ କରିଥିଲେ। ଏହି ଆଲୋଚନାରେ ବରିଷ୍ଠ ଅନୁବାଦକ ରାଧୁ ମିଶ୍ର, କୃଷ୍ଣଚନ୍ଦ୍ର ଗୈାଡ, ଯୁବକବି ଜିତୁ ପ୍ରଧାନ, ମନିଷା ଆନନ୍ଦ ପାଟିଲ୍ ,ବର୍ଣ୍ଣାଳୀ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବହୁଭାଷୀ କବିତା ପାଠ କରିଥିଲେ ମୈତ୍ରେୟୀ କମିଳା, ସୁକୋମଳ ଦାଶ, ଅକ୍ଷୟ ଭୋସଲେ, ସନାତନ ମହାକୁଡ଼, ମଂଜୁଳା ଆସ୍ଥାନା, ଲକ୍ଷ୍ମୀପ୍ରିୟା ଓଝା,ନମିତା ପାଇକରାୟ,ବର୍ଣ୍ଣାଳୀ ଡେକା, ସତ୍ୟଜିତ ଦାସ ପ୍ରମୁଖ କବିମାନେ। ଧନ୍ୟବାଦ ପ୍ରଦାନ କରିଥିଲେ ମିତା ପଟ୍ଟନାୟକ।
(ପ୍ରକାଶିତ: ୧୬ ମାର୍ଚ୍ଚ, ୨୦୨୫)
ପ୍ରଥିତଯଶା କବି ରମାକାନ୍ତ ରଥଙ୍କ ମହାପ୍ରୟାଣ

ଓଡ଼ିଆ କବିତାର ପ୍ରବାଦ ପୁରୁଷ ରମାକାନ୍ତ ରଥ ଆଉ ନାହାନ୍ତି। ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନରେ ତାଙ୍କର ଭୁବନେଶ୍ବରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ ବହୁଦିନ ଧରି ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିଲେ।ଆଧୁନିକ ଓଡ଼ିଆ କବିତାର ଜଣେ ଯୁଗ-ପ୍ରବର୍ତ୍ତକ ଭାବରେ ରମାକାନ୍ତ ରଥଙ୍କୁ ପରିଗଣିତ କରାଯାଏ। ‘ଭାରତୀୟ ପ୍ରଶାସନିକ ସେବା’ରେ ଯୋଗଦେଇ ସେ ଓଡ଼ିଶାର ମୁଖ୍ୟ ସଚିବ ଭାବରେ ୧୯୯୨ ମସିହାରେ ଅବସର ଗ୍ରହଣ କରିଥିଲେ। ୨୦୦୬ ମସିହାରେ ଭାରତ ସରକାର ତା’ଙ୍କୁ ପଦ୍ମଭୂଷଣ ସମ୍ମାନରେ ଭୂଷିତ କରିଛନ୍ତି। ଏହା ବ୍ୟତୀତ ସେ ସରସ୍ୱତୀ ସମ୍ମାନ, ଅତିବଡୀ ସମ୍ମାନ, ଶାରଳା ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଭଳି ବହୁ ମର୍ଯ୍ୟାଦାବନ୍ତ ସମ୍ମାନରେ ମଧ୍ୟ ଭୂଷିତ ହୋଇଥିଲେ। ୧୯୯୮ରୁ ପାଞ୍ଚ ବର୍ଷକାଳ ସେ ନୂଆଦିଲ୍ଲୀ ସ୍ଥିତ ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ର ସଭାପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ।
କବିଙ୍କ ବିୟୋଗରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି ଯେ, ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ସେ ଅତୀବ ଦୁଃଖିତ। ଭାରତୀୟ ପ୍ରଶାସନିକ ସେବା ସହ ସାହିତ୍ୟ ଜଗତରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି।
(ପ୍ରକାଶିତ: ୧୬ ମାର୍ଚ୍ଚ, ୨୦୨୫)
ସାହିତ୍ୟ ଅକାଦେମୀର ଅନୁବାଦ ପୁରସ୍କାର ଘୋଷିତ: ମନୋନୀତ ହେଲେ ସୁଭାଷ ଶତପଥୀ

କେନ୍ଦ୍ର ସାହିତ୍ୟ ଅକାଦେମୀ ପକ୍ଷରୁ ମାର୍ଚ୍ଚ ସାତ ତାରିଖ ଦିନ ବିଭିନ୍ନ ଭାଷାର ୨୧ଟି ଅନୁବାଦ ପୁସ୍ତକ ପାଇଁ ମର୍ଯ୍ୟାଦାଜନକ ଅନୁବାଦ ପୁରସ୍କାର ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ବିଶିଷ୍ଟ ଅନୁବାଦକ ସୁଭାଷ ଶତପଥୀ। ମାର୍ଚ୍ଚ ସାତ ତାରିଖ ଦିନ ସାହିତ୍ୟ ଅକାଦେମୀର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅକାଦେମୀର କାର୍ଯ୍ୟକାରୀ ସମିତି ବୈଠକରେ ଏହି ପୁରସ୍କାର ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।
ଅନୁବାଦକ ସୁଭାଷ ଶତପଥୀ ‘କୋକିଶିଆଳିର ଏକକ ନୃତ୍ୟ’ ଶୀର୍ଷକ ବିଶିଷ୍ଟ ଇଂରାଜୀ ଲେଖକ ରସ୍କିନ୍ ବଣ୍ଡ୍ଙ୍କ ଆତ୍ମଜୀବନୀର ଅନୁବାଦ ପାଇଁ ଏହି ପୁରସ୍କାର ପାଇବେ। ପ୍ରାରମ୍ଭିକ ସ୍ତରରେ ଓଡ଼ିଆ ବିଭାଗର ସମୁଦାୟ ୧୦ଟି ଅନୁବାଦ ପୁସ୍ତକକୁ ଏହି ପୁରସ୍କାର ପାଇଁ ‘ସର୍ଟଲିଷ୍ଟ’ କରାଯାଇଥିଲା ବୋଲି ଜଣାପଡ଼ିଛି। ଓଡ଼ିଆ ବିଭାଗର ଏହି ପୁରସ୍କାର ନିର୍ଣ୍ଣୟ ପାଇଁ ସାହିତ୍ୟ ଅକାଦେମୀ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀରେ ଥିଲେ ଅମରେଶ ପଟ୍ଟନାୟକ, ପ୍ରବାସିନୀ ମହାକୁଡ଼ ଓ ମୋନାଲିସା ଜେନା। ଏହି ପୁରସ୍କାରର ଘୋଷଣାଟି ଶୁଣିବା ପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ପ୍ରତିକ୍ରିୟା ଦେଇ ସୁଭାଷ ଶତପଥୀ କହିଛନ୍ତି, “ଏହା ମୋ ପାଇଁ ଗୋଟିଏ ଖୁସିର କଥା।” ରସ୍କିନ୍ ବଣ୍ଡ୍ଙ୍କ ପୁସ୍ତକକୁ ସେ କାହିଁକି ଅନୁବାଦ ପାଇଁ ବାଛିଲେ, ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ, ଭାରତରେ ଯେତେ ଲୋକପ୍ରିୟ ଲେଖକ ଅଛନ୍ତି, ସେମାନଙ୍କ ମଧ୍ୟରେ ଯିଏ ସବୁ ବର୍ଗର ପାଠକଙ୍କ ପାଖରେ ଗ୍ରହଣୀୟ ହୋଇପାରିଛନ୍ତି; ଏବଂ ଆର.କେ ନାରାୟଣଙ୍କ ପରେ ଯଦି କାହାର ନାମ ଆସେ, ସେ ହେଉଛନ୍ତି ରସ୍କିନ ବଣ୍ଡ। ପ୍ରକାଶ ଥାଉ କି ସୁଭାଷ ଶତପଥୀ ବାଣୀବିହାରର ଇଂରାଜୀ ବିଭାଗରୁ ୧୯୮୩ ମସିହାରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ; ଏବଂ ସେ ବର୍ତ୍ତମାନ ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ରେ ଫିଚର୍ ସମ୍ପାଦକ ଭାବରେ କାର୍ଯ୍ୟରତ ଅଛନ୍ତି।
(ପ୍ରକାଶିତ: ୭ ମାର୍ଚ୍ଚ, ୨୦୨୫)
ଦେଶର ଶହେଟି ଚୟନିତ ଗଳ୍ପର ତାଲିକାରେ ସର୍ବାଗ୍ରେ ସ୍ଥାନିତ ହେଲା ‘ରେବତୀ’

ଜାତୀୟ ସ୍ତରର ସୁବିଦିତ ପ୍ରକାଶନ ସଂସ୍ଥା ‘ଆଲେଫ୍ ବୁକ୍ କମ୍ପାନୀ’ ଦ୍ବାରା ଉନବିଂଶ ଶତାବ୍ଦୀରୁ ନେଇ ଏକବିଂଶ ଶତାବ୍ଦୀ ମଧ୍ୟରେ ରଚିତ ବିଭିନ୍ନ ଭାଷାର ୧୦୦ଟି ଶ୍ରେଷ୍ଠ ଗଳ୍ପ ଇଂରାଜୀ ଭାଷାରେ ଅନୂଦିତ ହୋଇ ‘ଓ୍ବାନ୍ ହଣ୍ଡ୍ରେଡ୍ ଇଣ୍ଡିଆନ୍ ଷ୍ଟୋରୀଜ୍’ ନାମରେ ପ୍ରକାଶ ପାଇଛି। ଏହାର ସମ୍ପାଦନା କରିଛନ୍ତି ଏ .ଜେ.ଟମାସ୍ ଏବଂ ଅଗ୍ରଲେଖ ଲେଖିଛନ୍ତି ରସ୍କିନ୍ ବଣ୍ଡ୍ । ଏହି ସଂକଳନରେ ଥିବା ୧୦୦ଟି ଗଳ୍ପର ସୂଚୀରେ ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରେବତୀ’ ସର୍ବାଗ୍ରେ ସ୍ଥାନ ପାଇଥିବା ବେଳେ ରବୀନ୍ଦ୍ରନାଥ ଠାକୁର, ପ୍ରମଥ ଚୌଧୁରୀ, ଶରତ ଚନ୍ଦ୍ର ଚାଟାର୍ଜୀ ଓ ମୁନ୍ସି ପ୍ରେମଚାନ୍ଦଙ୍କ ଭଳି ସ୍ବନାମଧନ୍ୟ ଲେଖକମାନଙ୍କ ଗଳ୍ପଗୁଡ଼ିକ ତାହାର ତଳକୁ ସ୍ଥାନିତ କରାଯାଇଛି। ପ୍ରକାଶକଙ୍କ ପକ୍ଷରୁ ଆମାଜନ୍ରେ ଦିଆଯାଇଥିବା ଏକ ଟିପ୍ପଣୀରେ ରବୀନ୍ଦ୍ରନାଥଙ୍କ ସହ ଫକୀରମୋହନଙ୍କୁ ସାରସ୍ବତ ଦିଗ୍ଗଜ (ଲିଟାରାରୀ ଜାଏଣ୍ଟ୍) ବୋଲି ଆଖ୍ୟା ଦିଆଯାଇଛି। ବିଭିନ୍ନ ଭାରତୀୟ ଭାଷାକୁ ପ୍ରତିନିଧିତ୍ବ କରୁଥିବା ଏହି ସଂକଳନର ଗଳ୍ପ ତାଲିକାରେ ପ୍ରଥିତଯଶା ଓଡ଼ିଆ କଥାକାର ମନୋଜ ଦାସଙ୍କର ଗୋଟିଏ ଗଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।
ପୁସ୍ତକଟିରେ ପ୍ରକାଶିତ ହୋଇଥିବା ‘ରେବତୀ’ ଗଳ୍ପଟିକୁ ଓଡ଼ିଆ ଭାଷାରୁ ଇଂରାଜୀକୁ ଅନୁବାଦ କରିଛନ୍ତି ବିଶିଷ୍ଟ ଅନୁବାଦକ ତ୍ରୟ ଲୀଳାବତୀ ମହାପାତ୍ର, ପଲ୍ ପିଅର୍ ଓ କମଳାକାନ୍ତ ମହାପାତ୍ର। ଏହି ବହିଟି ଏ ଯାବତ୍ ପ୍ରକାଶ ପାଇଥିବା ଏହି ସ୍ତରୀୟ ସର୍ବବୃହତ ତଥା ଏକ ମର୍ଯ୍ୟାଦାଜନକ ସଂକଳନ ହୋଇଥିବାରୁ ଏହା ଫକୀରମୋହନଙ୍କୁ ବିଶ୍ବସାହିତ୍ୟର ପ୍ରେକ୍ଷାପଟରେ ଆହୁରି ଅଧିକ ସୁବିଦିତ କରାଇପାରିବ ବୋଲି ଆଶା କରାଯାଏ।
(ପ୍ରକାଶିତ: ୪ ମାର୍ଚ୍ଚ, ୨୦୨୫)
ସୁପରିଚିତ ସାହିତ୍ୟସାଧକ ମହମ୍ମଦ ଆୟୁବ କାବୁଲିଙ୍କ ଦେହାନ୍ତ

ସୁପରିଚିତ ସାହିତ୍ୟସାଧକ ମହମ୍ମଦ ଆୟୁବ ‘କାବୁଲି’ଙ୍କ ଫେବ୍ରୁଆରି ୨୭ ତାରିଖ ଦିନ କଟକଠାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।
ମହମ୍ମଦ ଆୟୁବ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପନ କରିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପି.ଏଚ.ଡି ଉପାଧି ଲାଭ କରିଥିଲେ। ସେ ଓଡ଼ିଆ ଭାଷାରେ ବହୁ କବିତା, ପ୍ରବନ୍ଧ, ଗଳ୍ପ ଓ ଗଜଲ୍ ରଚନା କରିଯାଇଛନ୍ତି। ତାଙ୍କ ଦ୍ବାରା ପ୍ରଣୀତ ‘ଓଡ଼ିଆ ସାହିତ୍ୟରେ ମୁସଲମାନ ସାରସ୍ବତ ସାଧକ’ ନାମକ ଗ୍ରନ୍ଥଟି ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ। ତାଙ୍କର ଅନ୍ୟାନ୍ୟ ପ୍ରମୁଖ ପୁସ୍ତକଗୁଡ଼ିକ ମଧ୍ୟରେ ‘ସ୍ମୃତି ଲହରୀ’, ‘ଓଡ଼ିଆ ଗଜଲ୍ର ସଂକ୍ଷିପ୍ତ ଇତିହାସ’, ଓ ‘ଓଡ଼ିଆ ସାହିତ୍ୟରେ ମୁସଲମାନ ସୃଷ୍ଟି ଆଲୋଚନା’ ଆଦି ଅନ୍ତର୍ଭୁକ୍ତ। ତାଙ୍କ ମହାପ୍ରୟାଣର କିଛି ଦିନ ପୂର୍ବରୁ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଆଗାମୀ ସଂଖ୍ୟାରେ ପ୍ରକାଶିତ ହେବାକୁ ଥିବା ଡ. ପ୍ରତୀଚୀ ନନ୍ଦଙ୍କ ଦ୍ବାରା ଲିଖିତ ‘ଇସଲାମ ଧର୍ମାବଲମ୍ବୀ ସ୍ରଷ୍ଟାଙ୍କ କଲମରେ ଓଡ଼ିଆ ସାହିତ୍ୟ’ ଶୀର୍ଷକ ପ୍ରବନ୍ଧରେ ନିଜର ସାହିତ୍ୟକୃତି ବିଷୟରେ ଆଲୋଚନା ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିବାରେ ମହମ୍ମଦ ଆୟୁବ କାବୁଲି ପୂର୍ଣ୍ଣ ସହଯୋଗ କରିଥିଲେ। ସେ କଟକ ମହାନଗର ନିଗମର ଜଣେ କର୍ପୋରେଟର ଭାବରେ କାର୍ଯ୍ୟ କରିଛନ୍ତି।
(ପ୍ରକାଶିତ: ୨୭ ଫେବ୍ରୁଆରି, ୨୦୨୫)
ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ପରଲୋକ

ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ ଫେବ୍ରୁଆରି ୨୬ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।
ରେଭେନ୍ସା କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ କଟକରୁ ସେତେବେଳେ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର ‘ନିଉଜ୍ ଅଫ୍ ଦି ଓ୍ବାର୍ଲ୍ଡ’, ଓ କଲିକତାରୁ ପ୍ରକାଶ ପାଉଥିବା ‘ଅମୃତ ବଜାର ପତ୍ରିକା’ର ସମ୍ପାଦନା ବିଭାଗରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ। ଏହାପରେ ସେ ଓଡ଼ିଶା ସରକାରଙ୍କ ‘ଉତ୍କଳ ପ୍ରସଙ୍ଗ’ର ପରିଚାଳନା ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଓଡ଼ିଆ କବିତାରେ ସନେଟ୍ର ଧାରାକୁ ସେ ଏକ ନୂଆ ପରିଚୟ ଦେଇଥିଲେ। ‘ଶବ ସଙ୍ଗମ ଓ ଅନ୍ୟାନ୍ୟ କବିତା’ ତାଙ୍କର ଏକ ବହୁଚର୍ଚ୍ଚିତ କବିତା ସଂକଳନ।
(ପ୍ରକାଶିତ: ୨୬ ଫେବ୍ରୁଆରି, ୨୦୨୫)
ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଚିବ ଭାବରେ ନିଯୁକ୍ତ ହେଲେ ଚନ୍ଦ୍ରଶେଖର ହୋତା

ବିଶିଷ୍ଟ ପ୍ରାବନ୍ଧିକ ତଥା ଓଡ଼ିଶା ପୋଲିସ୍ ସେବାର ବରିଷ୍ଠ ଅଧିକାରୀ ଡ. ଚନ୍ଦ୍ରଶେଖର ହୋତାଙ୍କୁ ରାଜ୍ୟ ସରକାର ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏହି ଦାୟିତ୍ବ ସହିତ ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀର ସଚିବ ଭାବରେ ମଧ୍ୟ ଦାୟିତ୍ବ ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଫେବ୍ରୁଆରି ୨୫ ତାରିଖ ଦିନ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। ସେ ଫେବ୍ରୁଆରି ୨୮ ତାରିଖରେ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାଯାଇଛି।
ଡ. ହୋତା ୨୦୦୭ ମସିହାରେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ନିଜର ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ସେ ନିଜର ପ୍ରବନ୍ଧ ସଂକଳନ ‘ଚେତନାର ଅନ୍ବେଷଣ’ ପାଇଁ ୨୦୨୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବଲେଖକ ପୁରସ୍କାରରେ ସମ୍ମାନିତ ହୋଇଥିଲେ।
(ପ୍ରକାଶିତ: ୨୫ ଫେବ୍ରୁଆରି, ୨୦୨୫)
ଭୁବନେଶ୍ଵରରେ ଅନୁଷ୍ଠିତ ହେଲା ଦୁଇଦିନିଆ ମାତୃଭାଷା ମହାକୁମ୍ଭ

ବିଶ୍ବ ମାତୃଭାଷା ଦିବସ ଓ ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆ ଭାଷାର ସ୍ବୀକୃତିକୁ ସ୍ମରଣ କରିବା ପାଇଁ ଫେବ୍ରୁଆରି ୨୦ ତାରିଖ ଦିନ ଭୁବନେଶ୍ବରର ସ୍ବସ୍ତି ପ୍ରିମିୟମ୍ ହୋଟେଲ୍ରେ ନୂଆଦିଲ୍ଲୀସ୍ଥିତ ‘ଦି ଇଣ୍ଟେଲେକ୍ଟସ୍’ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ଦୁଇଦିନିଆ ମାତୃଭାଷା ମହାକୁମ୍ଭ। ୨୦ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଅଧିବେଶନର ମଞ୍ଚରେ ଉପସ୍ଥିତ ଥିଲେ ବିଶିଷ୍ଟ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସ୍ବନାମଧନ୍ୟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ଭାଷା ଓ ସଂସ୍କୃତି ଚିନ୍ତକ ଡ଼. ଭଗବାନ ପ୍ରକାଶ, ସୁସାହିତ୍ଯିକ ଦାଶ ବେନହୁର ଓ ଭାଷା ଡିଜିଟାଲାଇଜେସନ୍ ବିଶେଷଜ୍ଞ ଡ. ମହେଶ କୁଲକର୍ଣ୍ଣୀ।
ଏଥିରେ ସଭାପତିତ୍ବ କରିଥିଲେ ଡ. ଭଗବାନ ପ୍ରକାଶ। ପ୍ରଥମେ ‘ଦି ଇଣ୍ଟେଲେକ୍ଟସ୍’ର ଆବାହକ ଦେବେନ୍ଦ୍ରନାଥ ରାଉତ ଅତିଥିମାନଙ୍କୁ ସ୍ବାଗତ କରି କହିଲେ ଯେ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ଏହି ସମ୍ମିଳନୀ ପ୍ରତି ବର୍ଷ ନୂଆଦିଲ୍ଲୀଠାରେ ପାଳନ କରାଯାଇଥାଏ; ଚଳିତ ବର୍ଷ ଏହା ଭୁବନେଶ୍ଵରରେ ଅନୁଷ୍ଠିତ ହେଉଛି। ଡ. ଶାନ୍ତନୁ କୁମାର ଆଚାର୍ଯ୍ୟ ନିଜର ଉଦ୍ଘାଟନ ଅଭିଭାଷଣରେ କହିଲେ ଯେ ଓଡ଼ିଆ ଜାତିର ଆତ୍ମ ପରିଚୟକୁ ନେଇ ସମସ୍ତ ଦ୍ବନ୍ଦ୍ବ ଦୂର ହେବା ଉଚିତ। ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ସେ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ଯେ ଓଡ଼ିଆ ଭାଷା ମରିଯିବ; ଭାଷାକୁ ଯେତେ ଅଧିକ ବ୍ୟବହାର କରାଯିବ ତାହା ସେତିକି ସୁଦୃଢ଼ ହେବ। ଡ. ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ ଯେ ଯୌଥ ପରିବାର ପ୍ରଥା ଭାଙ୍ଗିଯିବା ଆମ ଭାଷା ସଙ୍କଟର ଅନ୍ୟତମ କାରଣ। ଦାଶ ବେନହୁର କହିଲେ ଯେ ଆସନ୍ତାକାଲି ସମଗ୍ର ବିଶ୍ଵରେ ପାଳନ କରାଯାଉଥିବା ମାତୃଭାଷା ଦିବସ ପ୍ରେକ୍ଷାପଟରେ ନିଜ ଭାଷାର ସଂରକ୍ଷଣ ଦାବିରେ ବଙ୍ଗଳାଦେଶ ପ୍ରାଣବଳୀ ଦେଇଥିବା ଭାଷାପ୍ରେମୀମାନଙ୍କୁ ସ୍ମରଣ କରିବାର ବେଳ ଆସିଛି।
ଏହି ସଭାରେ ଡ଼. ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଆମ ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଥମ ଦିବସର ପରବର୍ତ୍ତୀ ଅଧିବେଶନଗୁଡ଼ିକରେ ‘ଓଡ଼ିଆ ଭାଷାର ମାନକୀକରଣରେ ବୈଷୟିକ ବିଦ୍ୟାର ଭୂମିକା’, ‘କୃତ୍ରିମ ମେଧା ଓ ଓଡ଼ିଆ ଭାଷା’, ‘ଡିଜିଟାଲ୍ ପବ୍ଲିସିଂ’, ‘ଆମ ଭାଷାର ଡିଜିଟାଲ୍ ରେଡିନେସ୍’ ଆଦି ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି।
(ପ୍ରକାଶିତ: ୨୦ ଫେବ୍ରୁଆରି, ୨୦୨୫)
ପୁରୀରେ ଅନୁଷ୍ଠିତ ହେଲା ଦ୍ଵିତୀୟ ସାହିତ୍ୟ ମହୋତ୍ସବ

ପୁରୀର ସଂସ୍କୃତି ଭବନରେ ‘ଧଉଳି ରିଭ୍ୟୁ ଟ୍ରଷ୍ଟ’ ଆନୁକୂଲ୍ୟରେ ଆରମ୍ଭ ହୋଇଛି ଦୁଇଦିନିଆ ସାହିତ୍ୟ ମହୋତ୍ସବ। ଫେବ୍ରୁଆରି ୧୫ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ଏହି ମହୋତ୍ସବର ଉଦ୍ଘାଟନ ଅଧିବେଶନରେ ନିଜର ବକ୍ତବ୍ୟ ରଖି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ ଯେ ସାହିତ୍ୟ ତ୍ୟାଗ ଉପରେ ଆଧାରିତ ହେବା କଥା; କିନ୍ତୁ ଏହା ଆଜି ଭୋଗବାଦ ଉପରେ ଛିଡ଼ା ହୋଇଛି। ସତ୍ୟ ମହାନ୍ତି ତଥା ମହୋତ୍ସବର ଆୟୋଜକ ମନୁ ଦାଶ ମଧ୍ୟ ଏହି ଅବସରରେ ବକ୍ତୃତା ଦେଇଥିଲେ। ଏହି ସଭାରେ କୃତୀ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହାର ପରବର୍ତ୍ତୀ ଅଧିବେଶନରେ ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ‘ଆଜିର କବିତା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହା ବ୍ୟତୀତ କ୍ଲାସିକାଲ୍ ସାହିତ୍ୟ ବିଷୟରେ ମଧ୍ୟ ଅନ୍ୟ ଏକ ଅଧିବେଶନରେ ଚର୍ଚ୍ଚା କରାଯାଇଥିଲା। ପ୍ରଥମ ଦିନର ଅପରାହ୍ନରେ ଏକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଦ୍ବିତୀୟ ଦିବସର ବିଭିନ୍ନ ଅଧିବେଶନରେ ‘ଆଜିର ଗଳ୍ପ’, ‘ନବକଳେବର’, ‘ପୁରୀ ଶବ୍ଦାବଳୀ ଓ ଓଡ଼ିଆ ସାହିତ୍ୟ’ ଓ ‘ଓଡ଼ିଶାର ସାଂସ୍କୃତିକ ରେନେସାଁକୁ ପୁରୀର ଅବଦାନ’ ଆଦି ବିଷୟରେ ବିଚାର-ଆଲୋଚନାର କାର୍ଯ୍ୟକ୍ରମ ରହିଛି।
(ପ୍ରକାଶିତ: ୧୬ ଫେବ୍ରୁଆରି, ୨୦୨୫)
ବିଶିଷ୍ଟ କଥାଶିଳ୍ପୀ ନବକିଶୋର ରାଜଙ୍କ ଦେହାବସାନ

ସୁବିଦିତ କଥାଶିଳ୍ପୀ ତଥା ଅନୁବାଦକ ନବକିଶୋର ରାଜ ଫେବ୍ରୁଆରି ୧୩ ତାରିଖ ରାତି ୯.୩୦ ମିନିଟ୍ ସମୟରେ କଟକଠାରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୮୦ ବର୍ଷ ବୟସ ହୋଇଥିଲା। କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଫେବ୍ରୁଆରି ୧୪ ତାରିଖ ସନ୍ଧ୍ୟାରେ ପୁରୀର ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମଜନ୍ମାନ୍ତରବାଦ ଉପରେ ଆଧାରିତ ତାଙ୍କର ଉପନ୍ୟାସ ‘ଛାୟାପୁରୁଷ’ ପାଇଁ ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହାବ୍ୟତୀତ ତାଙ୍କ ଦ୍ବାରା ରଚିତ ‘ସୁବର୍ଣ୍ଣ କଳସ’, ‘ମାୟାନଦୀ’, ‘ବିତରାଗ’, ‘କାଳାଗ୍ନି’ ଓ ‘ପୌର୍ଣ୍ଣମାସୀ’ ପ୍ରଭୃତି ଉପନ୍ୟାସ ମଧ୍ୟ ପାଠକାଦୃତ ହୋଇଥିଲା। ‘ଭାରତର ସାଧକ’ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ ପୁସ୍ତକଗୁଡ଼ିକର ଅନୁବାଦ ପାଇଁ ମଧ୍ୟ ସେ ସୁପରିଚିତ ଥିଲେ। ସେ ୧୯୭୦ ମସିହାରେ ସରକାରୀ ଚାକିରୀରେ ଯୋଗଦାନ କରିଥିଲେ ଏବଂ ନିଜ କର୍ତ୍ତବ୍ୟନିଷ୍ଠାର ପ୍ରଦର୍ଶନ କରି ୨୦୦୪ ମସିହାରେ ଅର୍ଥ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ପଦବୀରେ ଥାଇ ସେବାନିବୃତ୍ତ ହୋଇଥିଲେ।
(ପ୍ରକାଶିତ: ୧୪ ଫେବ୍ରୁଆରି, ୨୦୨୫)
ରାଜଧାନୀର ଅକ୍ଷରଭୂମିରେ ଓଡ଼ିଆ ଭାଷାକୁ ଖତେଇ ହେଉଛି ଏକ ବିକୃତ ଅକ୍ଷର

ଗତ ବର୍ଷ ଅନୁଷ୍ଠିତ ହୋଇଥିବା ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଉପଲକ୍ଷେ ଭୁବନେଶ୍ବରର କେନ୍ଦ୍ରସ୍ଥଳରେ କୋଟି କୋଟି ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିଲା ‘ଅକ୍ଷରଭୂମି’, ଯେଉଁଠାରେ କେତୋଟି ପଥର ଫଳକରେ ଓଡ଼ିଆ ବର୍ଣ୍ଣମାଳାକୁ ଖୋଦେଇ କରାଯାଇଛି ମାତ୍ର। ସତେ ଯେମିତି ଓଡ଼ିଆ ଭାଷା ଅଚିରେ ଲୋପ ପାଇଯିବ, ଏହି ଦୁରାଶାର ବଶବର୍ତ୍ତୀ ହୋଇ ସେକାଳର ସରକାର ଓଡ଼ିଆ ଅକ୍ଷରମାଳାକୁ ଏକ ମ୍ୟୁଜିଅମ୍ର ବସ୍ତୁ ଭାବରେ ସଂରକ୍ଷଣ କରିବାକୁ ଗଢ଼ିଥିଲେ ଏହି ଅକ୍ଷରଭୂମି। କିନ୍ତୁ ଏଥିରେ ଥିବା ଅକ୍ଷରମାଳାରେ ଓଡ଼ିଶା ସରକାରଙ୍କ ଦ୍ବାରା ୡ ବର୍ଣ୍ଣଟିକୁ ଅତ୍ୟନ୍ତ ଖାମଖିଆଲି ଭାବରେ ବିକୃତ କରି ଲେଖାଯାଇଥିବା ଦେଖାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ବର୍ଷାଧିକ କାଳ ବିତିଯାଇଥିଲେ ହେଁ, ନା ସେବର ସରକାର, ନା ଏବର ସରକାର, ଏହାକୁ ସଂଶୋଧନ କରିବା ପାଇଁ କେହି ଆଗ୍ରହ ଦେଖାଉନାହାନ୍ତି।
ଗତ ଫେବ୍ରୁଆରି ଦୁଇ ତାରିଖ ଦିନ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରକାଶିତ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ସଂଶୋଧିତ ପୁନଃମୁଦ୍ରଣ। ଏଥିରେ ମୂଳ ବର୍ଣ୍ଣବୋଧରେ ଥିବା ଅନୁସାରେ ୡ ବର୍ଣ୍ଣର ଉପଯୁକ୍ତ ରୂପକୁ ସ୍ଥାନ ଦିଆଯାଇଛି। କିନ୍ତୁ ସରକାରଙ୍କ ଦ୍ବାରା ସ୍ଥାପିତ ଅକ୍ଷରଭୂମିରେ ଏହି ବର୍ଣ୍ଣର ଗୋଟିଏ ରୂପ ଓ ସରକାରଙ୍କ ଦ୍ବାରା ମୁଦ୍ରିତ ବର୍ଣ୍ଣବୋଧରେ ଏଥିର ଆରେକ ରୂପ ସ୍ଥାନ ପାଇଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେମିତି ମନେହେଉଛି, ଅକ୍ଷରଭୂମିରେ ଥିବା ତ୍ରୁଟିପୂର୍ଣ୍ଣ ୡ ଅକ୍ଷରଟି ଓଡ଼ିଆ ଭାଷାକୁ ଖତେଇ ହେଉଛି। ପ୍ରକାଶଥାଉକି ଯଦିଓ ଆଜିକାଲିର ଓଡ଼ିଆ ଭାଷାରେ ଏହି ୡ ବର୍ଣ୍ଣର ବିଶେଷ ପ୍ରୟୋଗ ନାହିଁ, ପୂର୍ବକାଳୀନ ଅନେକ ଅକ୍ଷରଶିକ୍ଷା ବହିରେ ଏହାକୁ ସ୍ଥାନ ଦିଆଯାଇଛି; ଏବଂ ଓଡ଼ିଶା ସରକାର ମଧ୍ୟ ନିଜର ନବ ପ୍ରକାଶିତ ବହିରେ ଏହାର ଅନୁସରଣ କରିଛନ୍ତି। ଏପରିକି ୨୦୧୪ ମସିହାରେ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇଥିବା ଓଡ଼ିଶା ସରକାରଙ୍କ ଯେଉଁ ଦସ୍ତାବେଜ ବଳରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ସେଥିରେ ଦିଆଯାଇଥିବା ଓଡ଼ିଆ ବର୍ଣ୍ଣମାଳାର ତାଲିକାରେ ମଧ୍ୟ ୡ ବର୍ଣ୍ଣଟି ଅଛି। ଅଥଚ ଅକ୍ଷରଭୂମିରେ ଥିବା ସେହି ତ୍ରୁଟିପୂର୍ଣ୍ଣ ବର୍ଣ୍ଣଟିକୁ ସୁଧାରିବା ପାଇଁ ସରକାର କୌଣସି ପଦକ୍ଷେପ ନ ନେବା ପରିତାପର ବିଷୟ। ଏପରିକି ପୂର୍ବର ବି.ଜେ.ଡ଼ି ସରକାର ବିଶ୍ବ ଓଡ଼ିଆ ସମ୍ମିଳନୀ ଉପଲକ୍ଷେ ଜଣେ ଘରୋଇ ପ୍ରକାଶକଙ୍କ ସହଭାଗିତାରେ ଯେଉଁ କଫି-ଟେବୁଲ୍ ବହି ପ୍ରକାଶ କରିଥିଲେ ସେଥିରେ ଥିବା ଅକ୍ଷର ଭୂମିର ଫଳକର ଯେଉଁ ଧାଡ଼ିରେ ଏହି ତ୍ରୁଟିପୂର୍ଣ୍ଣ ୡ ବର୍ଣ୍ଣଟି ଅଛି, ତାହାକୁ ଲୁଚାଇବା ପାଇଁ ଚତୁରତାର ସହ ସେହି ଧାଡ଼ିଟିକୁ ଲିଭାଇ ଦିଆଯାଇଥିଲା। ତାହାର ଅନୁରୂପ ଏବର ସରକାର ମଧ୍ୟ ଏହି ତ୍ରୁଟିଟି ଦେଖିନଥିବାର ଅଭିନୟ କରୁଛନ୍ତି। ଏବେ ସେହି ଅକ୍ଷରଭୂମି ସନ୍ନିକଟ ବିସ୍ତୀର୍ଣ୍ଣ ଜମିରେ ଏକ ବିରାଟ ‘ଓଡ଼ିଆ ଅସ୍ମିତା ଭବନ’ ନିର୍ମାଣର ଯୋଜନା ଚାଲିଛି। ଏହା ସମ୍ପୂର୍ଣ ହୋଇଗଲେ ବିଶ୍ବର ବିଭିନ୍ନ ଅନୁକୋଣରୁ ଆସିବାକୁ ଥିବା ଅସଂଖ୍ୟ ଦର୍ଶକମାନଙ୍କ ସାମନାରେ ଓଡ଼ିଆ ଅସ୍ମିତାର କି ଯେ ଚିତ୍ର ପ୍ରଦର୍ଶିତ ହେବ ତାହା ଅନୁମାନ କରାଯାଇପାରେ। ଯେଉଁ ଜାତି ନିଜର ବର୍ଣ୍ଣମାଳାକୁ ସମ୍ମାନ କରି ଜାଣେନାହିଁ ତାହାର ଅସ୍ମିତାର ସ୍ତର ବିଷୟରେ ବିଶ୍ବର ଜନମାନସରେ କି ଧାରଣା ହେବ?
ଏଣେ ରାଜ୍ୟର ଅସଂଖ୍ୟ ଭାଷାବିତ୍ ଓ ଗଣମାଧ୍ୟମ ମଧ୍ୟ ଏ ବିଷୟରେ ନିରବତା ଅବଲମ୍ବନ କରୁଛନ୍ତି; ଯେମିତିକି ହିନିମାନିଆ ଓଡ଼ିଆ ଭାଷାଟିର ନିଜର ବୋଲି କେହି ନାହିଁ ଏବଂ ତା’କୁ ଯିଏ ଯେମିତି ଚାହିଁବେ ଦୁର୍ବ୍ୟବହାର କରିପାରିବେ। ଅବଶ୍ୟ ବର୍ତ୍ତମାନ କେବଳ ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି ତାଙ୍କର ବିଭିନ୍ନ ଭିଡିଓ ଓ ଲେଖା ମାଧ୍ୟମରେ ଏହା ବିରୋଧରେ ସ୍ବର ଉତ୍ତୋଳନ କରି ଜନସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି।
(ପ୍ରକାଶିତ: ୫ ଫେବ୍ରୁଆରି, ୨୦୨୫)
ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରକାଶିତ ହେଲା ‘ବର୍ଣ୍ଣବୋଧ’ର ନୂଆ ସଂସ୍କରଣ

ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତା’ଙ୍କ ଦ୍ବାରା ରଚିତ ‘ବର୍ଣ୍ଣବୋଧ’ ପୁସ୍ତକର ଏକ ନୂତନ ସଂସ୍କରଣ ଫେବ୍ରୁଆରି ଦୁଇ ତାରିଖ ଦିନ ଭୁବନେଶ୍ବରର କୃଷି ଭବନ ପ୍ରେକ୍ଷାଳୟରେ ଆୟୋଜିତ ଏକ ସମାରୋହରେ ଓଡ଼ିଶା ସରକାରଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି। ଅବଶ୍ୟ ସରକାରଙ୍କ ଦ୍ବାରା ଏହାକୁ ନୂତନ ସଂସ୍କରଣ ବୋଲି କୁହା ନ ଯାଇ ‘ଅବିକଳ ଶୋଭନ ସଂସ୍କରଣ’ ଭାବରେ ଅଭିହିତ କରାଯାଇଛି।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୁସ୍ତକଟି ଉନ୍ମୋଚନ କରି ସେ କହିଲେ ଯେ ମାଆ, ମାତୃଭୂମି ଓ ମାତୃଭାଷାକୁ ଯେ ହତାଦର କରେ ସେ ମନୁଷ୍ୟ ପଦବାଚ୍ୟ ନୁହେଁ। ଏହି ଅବସରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ମଧ୍ୟ ଉପସ୍ଥିତ ଥିଲେ। ସଭାମଞ୍ଚରେ ଭକ୍ତକବି ମଧୁସୂଦନଙ୍କ ବିଷୟରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା।
ପ୍ରକାଶ ଥାଉ କି ଏହି ବର୍ଣ୍ଣବୋଧଟି କେତେକ ବିଶେଷ ପରିବର୍ତ୍ତନ ସହ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ହୋଇଥିଲା, ଯାହାକି ପ୍ରସନ୍ନ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ନିର୍ମଳ କୁମାର ମହାନ୍ତିଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା। କିନ୍ତୁ ଏହି ପ୍ରକାଶିତ ବହି ବିରୋଧରେ ରାଜ୍ୟର କେତେଜଣ ଭାଷାପ୍ରେମୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମାନନୀୟ ନ୍ୟାୟାଳୟଙ୍କ ଆଦେଶ କ୍ରମେ ପ୍ରାୟ ୧୬ ଲକ୍ଷ ଟଙ୍କା ବ୍ୟୟରେ ମୁଦ୍ରିତ ସେହି ବହିର ଲକ୍ଷାଧିକ କପିର ବିତରଣ ବନ୍ଦ ରଖାଯାଇଥିଲା। ଏବେ ଦଶ ବର୍ଷ ପରେ ରାଜ୍ୟ ସରକାର ପୁଣି ସେହି ପୁସ୍ତକର ପ୍ରକାଶନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ନବ ପ୍ରକାଶିତ ବର୍ଣ୍ଣବୋଧର ସଂଶୋଧନ ପ୍ରକ୍ରିୟାରେ ଭାଗନେଇଥିବା ବିଶେଷଜ୍ଞମାନଙ୍କର ନାମ ଯଦିଓ ବହିଟିରେ ଉଲ୍ଲେଖ ନାହିଁ, ତଥାପି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଏ ଯେ ଏଥିରେ କୈଳାଶ ଚନ୍ଦ୍ର ଟିକାୟତରାୟ, ଦାଶ ବେନହୁର, ବୈଷ୍ଣବ ଚରଣ ମହାନ୍ତି, ହରପ୍ରସାଦ ମିଶ୍ର ତଥା ସନ୍ତୋଷ କୁମାର ରଥ ପ୍ରମୁଖ ଭୂମିକା ତୁଲାଇଛନ୍ତି।
ଏହି ପ୍ରସଙ୍ଗରେ ସୂଚିତ କରାଯାଇପାରେ ପ୍ରାୟ ଦୁଇ ଦଶକ ତଳେ ଓଡ଼ିଶା ସରକାରଙ୍କ ଦ୍ବାରା ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅକ୍ଷର ଶିକ୍ଷା ପାଇଁ ‘ହସଖେଳ’ ନାମକ ଏକ ନୂତନ ବହି ଲାଗୁ ହେବା ପରେ ପିଲାମାନଙ୍କ ଦ୍ବାରା ଓଡ଼ିଆ ଅକ୍ଷର ଶିକ୍ଷାରେ ଘୋର ବିଭ୍ରାଟ ଦେଖାଦେଇଥିଲା। ‘ଆନାଲିଟିକ୍’ ବା ବିଶ୍ଳେଷଣ ପଦ୍ଧତି ଅନୁସରଣ କରି ଲେଖାଯାଇଥିବା ଏହି ବହିରେ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ଓଡ଼ିଆ ବର୍ଣ୍ଣକ୍ରମ ବିଷୟରେ କୌଣସି ଧାରଣା ଦିଆଯାଇନଥିଲା। ଫଳରେ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଅଭିଭାବକମାନେ ସେହି ସରକାରୀ ବହି ପ୍ରତି ବିତୃଷ୍ଣ ହୋଇ ଅନୌପଚାରିକ ଭାବେ ବଜାରରେ ମିଳୁଥିବା ‘ମଧୁ ବର୍ଣ୍ଣବୋଧ’ ବହିଟି ହିଁ ଅନୁସରଣ କରୁଥିଲେ। ଏବେ ସରକାରଙ୍କ ଦ୍ବାରା ଏହି ବହିଟି ପ୍ରକାଶିତ ହେବାପରେ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀଙ୍କ ଦ୍ବାରା ଏହାର ବ୍ୟବହାରର ପଥ ସୁଗମ ହେବ।
(ପ୍ରକାଶିତ: ୨ ଫେବ୍ରୁଆରି, ୨୦୨୫)
ବରିଷ୍ଠ ଲେଖକ କିଶୋର ଆକାଶଙ୍କ ଦେହାବସାନ

ବିଶିଷ୍ଟ ଲେଖକ କିଶୋର ଆକାଶ ଜାନୁଆରୀ ୨୯ ତାରିଖ ଦିନ ଦିଲ୍ଲୀଠାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ମସ୍ତିସ୍କାଘାତରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ,ଏବଂ ତାଙ୍କୁ ଆଇ.ସି.ୟୁରେ ରଖାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।
କିଶୋର ଆକାଶ ଥିଲେ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ କୁଶଳୀ କାରିଗର। ତାଙ୍କର ଆଠଗୋଟି ଗଳ୍ପ ସଙ୍କଳନ ଓ ଦଶଗୋଟି ନାଟ୍ୟ ପୁସ୍ତକ ପ୍ରକାଶିତ ହୋଇଛି। ଏହା ବ୍ୟତୀତ ସେ ଚାରିଗୋଟି ଶିଶୁସାହିତ୍ୟ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ ୟୁକୋ ବ୍ୟାଙ୍କରେ ଯୋଗ ଦେଇଥିଲେ ଏବଂ ସେଠାରେ ବରିଷ୍ଠ ପ୍ରବନ୍ଧକ ପଦରେ ଥାଇ ଅବସର ଗ୍ରହଣ କରିଥିଲେ। ଦେହାସାନର କିଛି ଦିନ ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ଦିବଂଗତ ଲେଖକମାନଙ୍କର କେତେକ ସୁନିର୍ବାଚିତ ରଚନାକୁ ନେଇ ଏକ ସଂକଳନ ପ୍ରକାଶ କରିବାର ପ୍ରୟାସରେ ଥିଲେ। ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ନେଇ ସେ ଅନେକ ଆଶାବାଦୀ ଥିଲେ।
(ପ୍ରକାଶିତ: ୨୯ ଜାନୁଆରୀ, ୨୦୨୫)
ପଦ୍ମ ପୁରସ୍କାର ଘୋଷିତ: ସାହିତ୍ୟ ପାଇଁ ଓଡ଼ିଶାରୁ ପ୍ରତିଭା ଶତପଥୀ ମନୋନୀତ

ଏ ବର୍ଷ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଭାରତ ସରକାର ୨୦୨୫ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ସମୁଦାୟ ୧୩୯ ଜଣ ଏ ବର୍ଷ ପଦ୍ମ ପୁରସ୍କାରରେ ଭୂଷିତ ହେବେ; ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମନୋନୀତ ହୋଇଛନ୍ତି ବୟୋଜ୍ୟେଷ୍ଠ ଲେଖିକା ଡ଼. ପ୍ରତିଭା ଶତପଥୀ। ତାଙ୍କ ବ୍ୟତୀତ ଚିକିତ୍ସା ବିଜ୍ଞାନ ପାଇଁ ଡ଼. ଅଶୋକ କୁମାର ମହାପାତ୍ର, ନୃତ୍ୟକଳା ପାଇଁ ଦୂର୍ଗା ଚରଣ ରଣବୀର ତଥା ସ୍ଥପତି କଳା ପାଇଁ ଅଦ୍ଵୈତ ଚରଣ ଗଡ଼ନାୟକ ମଧ୍ୟ ଓଡ଼ିଶାରୁ ମନୋନୀତ ହୋଇଛନ୍ତି।
ଡ଼. ପ୍ରତିଭା ଶତପଥୀ ଆଧୁନିକ ଓଡ଼ିଆ କବିତା ଜଗତରେ ଜଣେ ବରିଷ୍ଠ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ସୁଲେଖିକା ଓଡ଼ିଶାର ବିଭିନ୍ନ ଉଚ୍ଚ-ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରିବା ସହ କବିତା ଓ ସମାଲୋଚନା ସାହିତ୍ୟରେ ଦୀର୍ଘକାଳ ନିରଳସ କଲମ ଚାଳନା କରି ସାହିତ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି, ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର ଓ ମଧ୍ୟପ୍ରଦେଶ ସରକାରଙ୍କ ‘ରାଷ୍ଟୀୟ କବୀର ସମ୍ମାନ’ ଭଳି ମର୍ଯ୍ୟାଦାଜନକ ସମ୍ମାନମାନ ମଧ୍ୟ ଲାଭ କରିଛନ୍ତି।
(ପ୍ରକାଶିତ: ୨୫ ଜାନୁଆରୀ, ୨୦୨୫)
ବଙ୍ଗୀୟ କବିମାନେ ଓଡିଆ କବିତାର ପ୍ରଶଂସାରେ ହେଲେ ଶତମୁଖ

ଓଡ଼ିଆ ସାହିତ୍ୟ ନିଜର ମୌଳିକତା, ବିବିଧତା, ଭାଷା ଓ ଭାବର ମାଧୁର୍ଯ୍ୟ ଯୋଗୁଁ ଭାରତୀୟ ସାରସ୍ବତ ଜଗତରେ ନିଜର ସ୍ବତନ୍ତ୍ର ଏବଂ ବଳିଷ୍ଠ ସ୍ଥାନ ଅଧିକାର କରିପାରିଛି ବୋଲି ଜାନୁଆରୀ ୧୯ ତାରିଖ ଦିନ କୋଲକାତାର ଭାରତୀୟ ଭାଷା ପରିଷଦ ସଭାଗୃହ ଠାରେ ନୀଳଚକ୍ର, ପଶ୍ଚିମବଙ୍ଗ ଆନୁକୁଲ୍ୟରେ ବିଶିଷ୍ଟ ଓଡ଼ିଆ କବି ସୂର୍ଯ୍ୟ ମିଶ୍ରଙ୍କ ରଚିତ ଏବଂ ଭାରତୀ ନନ୍ଦୀଙ୍କ ଦ୍ବାରା ବଙ୍ଗୀୟ ଭାଷାରେ ଅନୂଦିତ କବିତା ପୁସ୍ତକ ‘ଆଜକାଲ ଦେବୀ ଦାସ ଲେଖେନା କବିତା’ର ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ବହୁ ବିଶିଷ୍ଟ ବଙ୍ଗୀୟ ସାହିତ୍ୟିକ ମତପୋଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ ପୂର୍ବାଞ୍ଚଳ ଶାଖାର ପୂର୍ବତନ ସଚିବ ଓ ବିଶିଷ୍ଟ ବଙ୍ଗୀୟ ସାହିତ୍ୟିକ ଡ. ରାମକୁମାର ମୁଖୋପାଧ୍ୟାୟ, କବି ତଥା ‘ଯାପନଚିତ୍ର’ର ସମ୍ପାଦକ ପ୍ରବାଳ କୁମାର ବସୁ, କବୟତ୍ରୀ ଚୈତାଳି ଚଟ୍ଟୋପାଧ୍ୟାୟ , କଲିକତା ଅନୁବାଦ ଫୋରମର ସଭାପତି ଓ ସାହିତ୍ୟିକ ଶ୍ୟାମଲ ଭଟ୍ଟାଚାର୍ଯ୍ୟ, କବି ସୂର୍ଯ୍ୟ ମିଶ୍ର, ଅନୁବାଦିକା ଭାରତୀ ନନ୍ଦୀ ଓ ନୀଳଚକ୍ର ଅନୁଷ୍ଠାନର ସଭାପତି ଲକ୍ଷ୍ମୀନାରାୟଣ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।
ଡ. ରାମକୁମାର ମୁଖୋପାଧ୍ୟାୟ ପୁସ୍ତକ ଉନ୍ମୋଚନ କରି ଓଡ଼ିଆ ତଥା ଅସମୀୟା ସାହିତ୍ୟ ସହିତ ବଙ୍ଗୀୟ ସାହିତ୍ୟର ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ। ସେ ସମକାଳୀନ ଓଡ଼ିଆ ସାହିତ୍ୟର ବିଖ୍ୟାତ କବି ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ରାଜେନ୍ଦ୍ର କିଶୋର ପଣ୍ଡାଙ୍କଠାରୁ ଆରମ୍ଭ କରି ସୂର୍ଯ୍ୟ ମିଶ୍ରଙ୍କ ସୃଜନଶୀଳତାର ଭୁରି ଭୁରି ପ୍ରଶଂସା କରିବା ସହିତ ଓଡ଼ିଆ ସାହିତ୍ୟର ଅବଦାନ କିଭଳି ଭାରତୀୟ ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିପାରିଛି, ତାହାର ଅବତାରଣା କରିଥିଲେ। ପ୍ରବାଳ ବସୁ ଓଡ଼ିଆ ସାହିତ୍ୟ ଜଗତ ସହିତ ନିଜର ଘନିଷ୍ଠତା ସମ୍ବନ୍ଧରେ ଅନେକ ଉଦାହରଣ ସହିତ ଆଲୋଚନା କରି ଉଭୟ ସାହିତ୍ୟ କିଭଳି ପରସ୍ପର ଦ୍ଵାରା ପ୍ରଭାବିତ ହୋଇ ନିଜ ନିଜ ସ୍ରୁଷ୍ଟିକୁ ଆହୁରି ସରସ ସୁନ୍ଦର କରିପାରିଛନ୍ତି ସେ ଦିଗରେ ଆଲୋକପାତ କରିଥିଲେ। କବୟିତ୍ରୀ ଚୈତାଳି ଚଟ୍ଟୋପାଧ୍ୟାୟ ବଙ୍ଗୀୟ ଜୀବନରେ ପ୍ରଭୁ ଜଗନ୍ନାଥ ଧର୍ମ ଦର୍ଶନ, ସାହିତ୍ୟ ସଂସ୍କୃତି ଏକ ଅବିଚ୍ଛିନ୍ନ ଅଙ୍ଗ ବୋଲି ଉଲ୍ଲେଖ କରିଥିଲେ। ଉନ୍ମୋଚିତ ହୋଇଥିବା ସୂର୍ଯ୍ୟ ମିଶ୍ରଙ୍କ କବିତା ପୁସ୍ତକର ଭାଷା ଓ ଭାବର ସାବଲୀଳତା ଓ ମଧୁରତାର ସେ ଉଚ୍ଚ ପ୍ରଶଂସା କରିବା ସହିତ ପୁସ୍ତକରେ ସ୍ଥାନିତ କିଛି କବିତା ଆବୃତ୍ତି କରିଥିଲେ। ଶ୍ରୀ ଶ୍ୟାମଲ ଭଟ୍ଟାଚାର୍ଯ୍ୟ ଅନୁବାଦ ସାହିତ୍ୟର ଉପଯୋଗିତା ଉପରେ ସୁଚିନ୍ତିତ ମତାମତ ରଖିବା ସହ ଓଡ଼ିଆ ସାହିତ୍ୟକୁ ବଙ୍ଗୀୟ ପାଠକ ନିକଟରେ ପହଞ୍ଚାଇବାରେ ଶ୍ରୀମତୀ ଭାରତୀ ନନ୍ଦୀଙ୍କର ଭୂମିକାର ଭୂୟସୀ ପ୍ରଶଂସା କରିଥିଲେ।
ପୁସ୍ତକର ଲେଖକ କବି ସୂର୍ଯ୍ୟ ମିଶ୍ର ଜଣେ ଲେଖକର ସଚେତନତା, ଦୃଷ୍ଟିଭଙ୍ଗୀ, ମନସ୍ତତ୍ତ୍ଵ ସମ୍ଭନ୍ଧରେ ଏକ ଭାବଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଭାପତିତ୍ଵ କରୁଥିବା ଲକ୍ଷ୍ମୀ ନାରାୟଣ ମଲ୍ଲିକ ଭକ୍ତକବି ମଧୁସୂଦନ ରାଓଙ୍କ ସ୍ରୁଷ୍ଟି ଓ ଓଡ଼ିଆ ସାହିତ୍ୟକୁ ତାଙ୍କର ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ଅନୁଷ୍ଠାନ ତରଫରୁ ଓଡ଼ିଆ ଏବଂ ବଙ୍ଗୀୟ ସାହିତ୍ୟର ଏଭଳି ଯୁଗ୍ମ ଅଧିବେଶନ କୋଲକାତାରେ ଆୟୋଜନ କରାଯିବ ବୋଲି ସୂଚନା ପ୍ରଦାନ କରି ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ଅବସରରେ ବଙ୍ଗଳା ଓ ଓଡ଼ିଆ କବିମାନଙ୍କର କବିତାପାଠର ଆୟୋଜନ ମଧ୍ୟ ହୋଇଥିଲା।
(ପ୍ରକାଶିତ: ୨୦ ଜାନୁଆରୀ, ୨୦୨୫)
ଆଠ ବର୍ଷ ଧରି ଅଟକିରହିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଶୋଇଛନ୍ତି ରାଜ୍ୟ ସରକାର

ଦୀର୍ଘ ଆଠ ବର୍ଷ ଧରି ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରକ୍ରିୟା ଅଟକି ରହିଥିବା ଫଳରେ ରାଜ୍ୟର ସାହିତ୍ୟିକ ମହଲରେ ଏଥିନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଭଳି ଅଚଳ ପରିସ୍ଥିତି କେବଳ ଓଡ଼ିଶାକୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟର ସାହିତ୍ୟ ଏକାଡେମୀରେ କେବେ ସୃଷ୍ଟି ହୋଇନାହିଁ। ୨୦୧୭ ମସିହାରୁ ବିଭିନ୍ନ କାରଣ ଦର୍ଶାଇ ଏହି ପୁରସ୍କାର ଦିଆନଯିବା ପରେ ଗୋଟିଏ ନୂଆ ସରକାର ରାଜ୍ୟରେ କ୍ଷମତାକୁ ଆସିବାର ସାତ ମାସ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ଏଣେ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ଓ ସାଧାରଣ ପରିଷଦର କାର୍ଯ୍ୟକାଳ ପ୍ରାୟ ବର୍ଷକ ତଳେ ସରି ଯାଇଥିଲେ ସୁଦ୍ଧା ନୂଆ ପରିଷଦ ଗଠନ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପୂର୍ବର କାର୍ଯ୍ୟକାରୀ ପରିଷଦ ସଦସ୍ୟମାନଙ୍କ ଦ୍ବାରା ସାତ ବର୍ଷର ପୁରସ୍କାର ପାଇଁ ଦାଖଲ ହୋଇଥିବା ବହିଗୁଡ଼ିକର ସ୍କ୍ରିନିଂ ଓ ସର୍ଟଲିଷ୍ଟିଂ ହୋଇ କାର୍ଯ୍ୟକାରୀ ପରିଷଦ ଓ ସଭାପତିଙ୍କ ଚୂଡାନ୍ତ ନିଷ୍ପତ୍ତିର ଅପେକ୍ଷାରେ ପଡ଼ିରହିଥିବା ସ୍ଥଳେ, ଗତ ଆଠ ମାସ ଧରି ସଭାପତି ପଦ ରିକ୍ତ ହୋଇ ପଡ଼ିଛି ଏବଂ କେହି ନୂଆ ସଭାପତି ନିଯୁକ୍ତ ହୋଇପାରୁ ନାହାନ୍ତି। ଏଣେ ରାଜ୍ୟ ସରକାରଙ୍କ ଦ୍ବାରା ଏହି ସାତ ବର୍ଷର ପୁରସ୍କାର ପାଇଁ ଆବଶ୍ୟକ ପରିମାଣର ଆର୍ଥିକ ବଜେଟ୍ ମଂଜୁର ହୋଇ ପଡ଼ିରହିଛି ଏବଂ ଏହାର ବିନିଯୋଗ ହୋଇପାରୁନଥିବାରୁ ସରକାରୀ ଅଡିଟରମାନେ ଏଥିପ୍ରତି ଆପତ୍ତି ଉଠାଇଛନ୍ତି। ଯଦିଓ ଏହି ପୁରସ୍କାରଗୁଡ଼ିକ ନେଇ ଓଡ଼ିଶା ହାଇକୋର୍ଟରେ ମାମଲା ବିଚାରାଧୀନ ଅଛି, ତଥାପି ସର୍ତ୍ତମୂଳକ ଭାବରେ ପୁରସ୍କାର ଦେବାରେ ଏବେ କୌଣସି ପ୍ରତିବନ୍ଧକ ନାହିଁ। ତାହା ସତ୍ତ୍ବେ ପୁରସ୍କାର ପ୍ରକ୍ରିୟା ପ୍ରତି ଦୃଷ୍ଟି ନ ଦିଆଯିବା ସହ ଓଡ଼ିଶା ସାହିତ୍ୟ ଏକାଡେମୀକୁ ନିଷ୍କ୍ରିୟ କରି ରଖାଯାଇଥିବାରୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ଆଧାର କରି କ୍ଷମତାକୁ ଆସିଥିବା ଏହି ସରକାରଙ୍କ ମତିଗତି ପ୍ରତି ରାଜ୍ୟର ସାହିତ୍ୟପ୍ରେମୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏକାଡେମୀ ପାଇଁ ଜଣେ ସଭାପତି ଚୟନ କରିବାରେ ମଧ୍ୟ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିଥିବା ଭଳି ମନେହେଉଛି। ଏତେ ସଂଖ୍ୟକ ଆଶାୟୀ ଏହି ପଦଟି ପାଇଁ ସରକାର ଓ ଶାସକ ଦଳର ନେତୃତ୍ବ ଉପରେ ଚାପ ପ୍ରୟୋଗ କରିବା ସହ ‘ଲବିଙ୍ଗ୍’ରେ ଲିପ୍ତ ଅଛନ୍ତି ଯେ ଏ ସମ୍ପର୍କରେ ନିଷ୍ପତ୍ତି ନେବାରେ ସରକାର ଦୋଦୋପାଞ୍ଚ ଦେଉଛନ୍ତି। ଏହି ସଂଖ୍ୟାଧିକ ଆଶାୟୀଙ୍କ ମଧ୍ୟରୁ ଜଣେ ଦକ୍ଷ ଓ ନିରପେକ୍ଷ ବ୍ୟକ୍ତିଙ୍କୁ ଠାବ କରିବା ସରକାରଙ୍କ ପକ୍ଷରେ ଏକ ସମସ୍ୟା ହୋଇପଡ଼ିଛି। ସଭାପତିଙ୍କୁ ଚୟନ କରିବା ବେଳେ ଆର୍.ଏସ୍.ଏସ୍ ତଥା ଶାସକ ଦଳର ନୀତି ଓ ଆଦର୍ଶଗୁଡ଼ିକ ପ୍ରତି ତାଙ୍କର ଅନୁରକ୍ତି ମଧ୍ୟ ଏକ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଜଣାପଡ଼ିଛି। ବିଭିନ୍ନ ସରକାରୀ ନିଗମରେ ଖାଲିପଡ଼ିଥିବା ଅଧ୍ୟକ୍ଷ ପଦଗୁଡ଼ିକରେ ରାଜନୈତିକ ନିଯୁକ୍ତି ଶେଷ ହେବାପରେ, ଏକାଡେମୀର ସଭାପତି ପଦ ପାଇଁ ନିର୍ଣ୍ଣୟ ନିଆଯାଇପାରେ ବୋଲି ଆଭାସ ମିଳିଛି।
(ପ୍ରକାଶିତ: ୧୭ ଜାନୁଆରୀ, ୨୦୨୫)
ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର ହରିଡ଼ାଖଣ୍ଡି ଅଞ୍ଚଳର ବିବେକାନନ୍ଦ ସଂସ୍କୃତି ମେଳା ପରିସରରେ ଜାନୁଆରୀ ୧୨ ତାରିଖ ଦିନ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଏବଂ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ‘ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ’, ବୁଗୁଡ଼ା, ଗଞ୍ଜାମ ତରଫରୁ ଏକ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାରସ୍ୱତ ବନ୍ଧୁ ମିଳନ ଆୟୋଜିତ ହେଇଯାଇଛି। ଏହି ଅବସରରେ ବ୍ରହ୍ମପୁରଠାରେ ପ୍ରତିଷ୍ଠାନର ଏକ ଶାଖା କାର୍ଯ୍ୟାଳୟ ମଧ୍ୟ ଉଦ୍ଘାଟିତ ହୋଇଯାଇଛି।
ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର ପରିଚାଳନା ଏବଂ ଯୁବ କବି ସୁପ୍ରଜିତ ସାହୁଙ୍କ ଉଦଘୋଷଣା କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବର୍ଷୀୟାନ କବି ଗୌରୀପତି ଦାଶ ସଭାପତି, ଖଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଉଦ୍ଘାଟକ, ବିଶିଷ୍ଟ ନାଟ୍ୟକାର ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ରମାରମଣ ପାଢ଼ୀ, ମୁଖ୍ୟଅତିଥି, ବ୍ରୁକ୍ଷବନ୍ଧୁ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ମହାରଣା, ବିଶିଷ୍ଟ କବି, ସାରସ୍ୱତ ସଙ୍ଗଠକ ଏବଂ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସୁଶାନ୍ତ ଦାଶ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ନିଳାଞ୍ଚଳ ମୁନୀ, ବି.ଗୋବିନ୍ଦ ରାଓ ଏବଂ ଆଲୋଚକ ଭାବେ ସାମନ୍ତିଆପଲ୍ଲୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ. ଅଶୋକ କୁମାର ପଣ୍ଡା ଏବଂ ବିଶିଷ୍ଟ ସାହିତ୍ୟିକ, ସଙ୍ଗଠକ ତଥା ବିବେକାନନ୍ଦ ସଂସ୍କୃତି ମେଳାର ସଂଯୋଜକ ମିହିର ରଞ୍ଜନ ତ୍ରିପାଠୀ ଯୋଗଦେଇଥିଲେ।
ପ୍ରଥମ ପର୍ଯ୍ୟାୟରେ ଗଜପତି, ରାୟଗଡ଼ା ଏବଂ ଗଞ୍ଜାମ ଜିଲ୍ଲାର ୧୮ ଜଣ ବର୍ଷୀୟାନ ସାରସ୍ୱତ ସାଧକଙ୍କୁ ଜୀବନବ୍ୟାପୀ ସାଧନା ଓ କୃତି ପାଇଁ ‘ବିକ୍ଷିପ୍ତା ସମ୍ମାନ’ ପ୍ରଦାନ କରାଯିବା ସହ କବି ମନୋଜ କୁମାର ଭୋଇଙ୍କ ଓଡ଼ିଆ କବିତା ସଙ୍କଳନ ‘ପରିଭାଷା’ ଏବଂ ବୈଷୟିକ ଛାତ୍ରୀ ଶୁଭସ୍ମିତା ପଣ୍ଡଙ୍କ ଇଂରାଜୀ ଗଳ୍ପ ସଙ୍କଳନ ‘କ୍ରୋନିକଲ ଟାଇମ୍ସ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେଇଥିଲା । ପରବର୍ତ୍ତୀ ପର୍ଯ୍ୟାୟର ଅଧିବେଶନ ଗୁଡ଼ିକରେ ଡ. ଲକ୍ଷ୍ମୀନାରାୟଣ ଦାଶ, ବଂଶୀଧର ସେଠୀ, ବିଜୟ ଚନ୍ଦ୍ର ମିଶ୍ର ଓ ବନ୍ଦନା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ‘ବିକ୍ଷିପ୍ତା’ର ସମ୍ପାଦକ ବୈଷ୍ଣବ ଚରଣ ଦାଶ ସ୍ବାଗତ ଅଭିଭାଷଣ ଦେଇଥିଲେ ତଥା ପ୍ରଭାତୀ ମଞ୍ଜରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
(ପ୍ରକାଶିତ: ୧୨ ଜାନୁଆରୀ, ୨୦୨୫)
ଭୁବନେଶ୍ବରରେ ସାହିତ୍ୟ ଅକାଦେମିର ଯୁବ-ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଜାନୁଆରୀ ୧୨ ତାରିଖ ସନ୍ଧ୍ୟାରେ ଉତ୍କଳ ବିଶ୍ବବିଦ୍ୟାଳୟର ଏମ.କେ.ସି.ଜି ଅଡିଟୋରିମ୍ରେ କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ-ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବର ପ୍ରାରମ୍ଭରେ ସାହିତ୍ୟ ଅକାଦେମିର ସଚିବ କେ ଶ୍ରୀନିବାସ ରାଓ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାମୀ ବିବେକାନନ୍ଦ ଜୟନ୍ତୀରେ ଯୁବକମାନଙ୍କୁ ନିଜ ନିଜର କର୍ତ୍ତବ୍ୟପଥରେ ଆଗେଇ ଯିବାକୁ ଆହ୍ଵାନ ଦେଇଥିଲେ। ଅକାଦେମିର ସଭାପତି ମାଧବ କୌଶିକ କହିଲେ ଯେ ଯୁବଲେଖକମାନେ ହେଉଛନ୍ତି ନିଜ ଭାଷାର ଜଣେ ଜଣେ ସେନାପତି, ଯିଏ ନିଜ ଭାଷାର ଅସ୍ମିତାକୁ ବଞ୍ଚାଇ ରଖିବାର କର୍ତ୍ତବ୍ୟ ପାଳନ କରୁଛନ୍ତି। ଭାରତ ଏକମାତ୍ର ଦେଶ ଯେଉଁଠି ୨୪ଟି ଭାଷାରେ ଲେଖା ଯାଉଛି, ଯାହାକୁ ୟୁରୋପ ଭଳି ଦେଶର ଭାଷା ସହ ତୁଳନା କରାଯାଇ ପାରିବ ନାହିଁ। ମୁଖ୍ୟ ଅତିଥି ଜେରୀ ପିଣ୍ଟୋ କହିଲେ ଯେ ଆମେ ପ୍ରତିଦିନ ପଢ଼ିବା ଉଚିତ; ପଢ଼ିଲେ ହିଁ ଆମେ ଲେଖି ପାରିବା। ଉପସଭାପତି କୁମୁଦ ଶର୍ମା କହିଲେ, ଯୁବକମାନେ ଏବେ ଏପରି ଲେଖୁଛନ୍ତି ଯେ, ସେହି ସାହିତ୍ୟଗୁଡ଼ିକ ଆଗାମୀ କାଲିର ସମ୍ଭାବନାର ପ୍ରତୀକ। ସାହିତ୍ୟ ଏକ ରାଗ, ଯାହାକୁ ମହାରାଗ ସହ ସଂଯୋଗ କରାଯିବା ଉଚିତ।
ଏହାପରେ ଯୁବପୁରସ୍କାର ସ୍ୱରୂପ ୨୪ ଜଣ ପ୍ରତିଭାଧରଙ୍କୁ ମାନପତ୍ର ସହ ପୁରସ୍କାର ରାଶି ପ୍ରଦାନ କରଯାଇଥିଲା। ଓଡ଼ିଆ ଭାଷାର କୃତି ପାଇଁ ଯୁବଲେଖକ ସଞ୍ଜୟ କୁମାର ପଣ୍ଡା ଏହି ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଅନ୍ୟ ପୁରସ୍କାର ବିଜେତାଙ୍କ ମଧ୍ୟରେ ଥିଲେ ଅସମୀୟା ଭାଷା ପାଇଁ ନୟନଜ୍ୟୋତି ଶର୍ମା, ବଙ୍ଗଳା ଭାଷା ପାଇଁ ସୂତପା ଚକ୍ରବର୍ତ୍ତୀ, ବୋଡୋ ଭାଷା ପାଇଁ ସେଲ୍ଫ ମେଡ ରାଣୀ ବାରୋ, ଡୋଗ୍ରୀ ଭାଷା ପାଇଁ ହୀନା ଚୌଧୁରୀ, ଇଂରାଜୀ ଭାଷା ପାଇଁ କେ ବୈଶାଳୀ, ଗୁଜରାଟୀ ଭାଷା ପାଇଁ ରିଙ୍କୁ ରାଥୋଡ୍, ହିନ୍ଦୀ ଭାଷା ପାଇଁ ଗୌରବ ପାଣ୍ଡେ, କନ୍ନଡ ଭାଷା ପାଇଁ ଶ୍ରୁତି ବି ଆର, କାଶ୍ମୀରୀ ଭାଷା ପାଇଁ ମହମ୍ମଦ ଅସରଫ ଭଟ୍ଟ, କୋଙ୍କଣୀ ଭାଷା ପାଇଁ ଅଦ୍ଵିତ ଚନ୍ଦ୍ରକାନ୍ତ ସାଲଗାଓନକର, ମୈଥିଳୀ ଭାଷା ପାଇଁ ରିଙ୍କି ଝା ରିଷିକା, ମାଲାୟାଲାମ ଭାଷା ପାଇଁ ଶ୍ୟାମକୃଷ୍ଣନ୍ ଆର, ମଣିପୁରୀ ଭାଷା ପାଇଁ ୱାଈଖୋମ ଚିଙ୍ଗଖେଣ୍ଡାନବା, ମରାଠୀ ଭାଷା ପାଇଁ ଦେବୀଦାସ ମହାଦେବ ସୌଦାଗର, ନେପାଳୀ ଭାଷା ପାଇଁ ସୁରଜ୍ ଚାପାଗାଇଁ, ପଞ୍ଜାବୀ ଭାଷା ପାଇଁ ରଣଧୀର, ରାଜସ୍ଥାନୀ ଭାଷା ପାଇଁ ସୋନାଲୀ ସୁଥାର, ସଂସ୍କୃତ ଭାଷା ପାଇଁ ମୁନୀ ପାର୍ଶ୍ଵସୁନ୍ଦର ବିଜୟ, ସାନ୍ତାଳୀ ଭାଷା ପାଇଁ ଅଞ୍ଜନ କର୍ମକାର, ସିନ୍ଧୀ ଭାଷା ପାଇଁ ଗୀତା ପ୍ରଦୀପ ରୁପାନୀ, ତାମିଲ ଭାଷା ପାଇଁ ଲୋକେଶ ରଘୁରାମନ୍, ତେଲୁଗୁ ଭାଷା ପାଇଁ ରମେଶ କାର୍ତ୍ତିକ ନାୟକ, ଉର୍ଦ୍ଧୁ ଭାଷା ପାଇଁ ମହମ୍ମଦ ଜାଭେଦ ଅହମ୍ମଦଙ୍କୁ ପୁରସ୍କୃତ କରଯାଇଥିଲା।
ପରିଶେଷରେ ଅକାଦେମିର ସଚିବ କେ ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।
(ପ୍ରକାଶିତ: ୧୨ ଜାନୁଆରୀ, ୨୦୨୫)
ପରଲୋକରେ ବିଶିଷ୍ଟ କବୟିତ୍ରୀ ଓ ଅନୁବାଦିକା ଅମିୟବାଳା ପଟ୍ଟନାୟକ

ବର୍ଷୀୟାନ କବୟିତ୍ରୀ ତଥା ଅନୁବାଦିକା ସୁଶ୍ରୀ ଅମିୟବାଳା ପଟ୍ଟନାୟକ ଜାନୁଆରୀ ୬ ତାରିଖ ପୂର୍ବାହ୍ନରେ ବ୍ରହ୍ମପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ମାସ ଧରି ହୃଦ୍ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ।
ସୁଶ୍ରୀ ଅମିୟବାଳାଙ୍କୁ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁବାଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ସେ ‘ଉତ୍କଳ ସାହିତ୍ୟ ସମାଜ ଶତାବ୍ଦୀ ସମ୍ମାନ’, ‘ଝଙ୍କାର ଅନୁବାଦ ପୁରସ୍କାର’ ତଥା ‘ବିଶାଳ ଆନ୍ଧ୍ର ଭାଷା ବିବର୍ଦ୍ଧିନୀ ସମ୍ମାନ’ ଆଦି ଦ୍ବାରା ମଧ୍ୟ ସମ୍ମାନିତ ହୋଇଥିଲେ। ତାଙ୍କର ସାତଗୋଟି କବିତା ସଂକଳନ ଓ ୨୫ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇ ପାଠକାଦୃତ ହୋଇଛି। ଚାକିରୀ ଜୀବନରେ ସେ ବ୍ରହ୍ମପୁରର ରେଡକ୍ରସ୍ ଦୃଷ୍ଟିବାଧିତ ବିଦ୍ୟାଳୟର ଅଧ୍ୟକ୍ଷା ଭାବରେ ବହୁ ବର୍ଷ ଧରି କାର୍ଯ୍ଯ କରିଥିଲେ। ସେ ବ୍ରହ୍ମପୁରସ୍ଥିତ କଳିଙ୍ଗ ସାହିତ୍ୟ ସମାଜର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ। ତାଙ୍କର ବିୟୋଗରେ ଓଡ଼ିଶାର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।
(ପ୍ରକାଶିତ: ୬ ଜାନୁଆରୀ, ୨୦୨୫)
ଅଶେଷ ଧନ୍ୟବାଦ ଓ ସମ୍ମାନ ଜଣାଉଛି
An excellent initiative & innovation Congratulations!
ଖୁବ ସୁନ୍ଦର ପ୍ରୟାସ , ବହୁତ ବହୁତ ଧନ୍ୟବାଦ।
ସାହିତ୍ୟ ସମାଚାର ମାଧ୍ୟମରେ ସାହିତ୍ୟ ବିଷୟରେ ତଥ୍ୟ ମିଳି ପାରୁଛି।
ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।ସାହିତ୍ୟର ପ୍ରତିଟି ଖବର ଏଥିରେ ଦୃଶ୍ୟମାନ।
ଖୁବ ଉପାଦେୟ, ଧନ୍ୟବାଦ ପ୍ରଣାମ |
ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା
‘ସାହିତ୍ୟଚର୍ଚ୍ଚା’ ପରି ନିରୋଳା ସାହିତ୍ୟ ସଂପୃକ୍ତି ସମ୍ପ୍ରତି ବିରଳ! ନୂଆ ପରିକଳ୍ପନା ସହ ସାହିତ୍ୟର ଦୈନନ୍ଦିନୀକୁ ସାଉଁଟି ଆଣି ପାଠକଙ୍କ ପାଖରେ ରଖିବା କମ କଷ୍ଟକର ନୁହେଁ।
ଏଥି ନିମନ୍ତେ ସଂପାଦକ ମହୋଦୟଙ୍କୁ ସାଧୁବାଦ ଜଣାଉଛି।
ମୋତେ ଏହି ପୃଷ୍ଠାଟି ବହୁତ ଭଲ ଲାଗିଲା । ସାହିତ୍ୟ ଜଗତର ସବୁ ଖବର ଏଥିରେ ଗଚ୍ଛିତ । ଧନ୍ୟବାଦ ସାହିତ୍ୟ ଚର୍ଚ୍ଚା।
ଓଡ଼ିଆ ଭାଷା,ସାହିତ୍ୟ ବିଦେଶ ର ମାଟିରେ ବି ଓଡ଼ିଆ ର ସଂସ୍କାର ସଂସ୍କୃତିକୁ ଜୀବିତ କରିରଖିଛି। ଓଡ଼ିଆ ସାହିତ୍ୟର ନିଶ୍ଚିନ୍ତ ଜୟ ହୋଇଛି ।ଏହିପରି କାର୍ଯ୍ୟକ୍ରମ ଜାରି ରହୁ।
ସାହିତ୍ୟ ଓ ସାହିତ୍ୟିକ ଉଭୟଙ୍କ ମନୋବଳକୁ ଏହା ଦ୍ବିଗୁଣିତ କରିବା ପାଇଁ ସହାୟକ ହେବ।
ସୁଦୂର ପ୍ରାନ୍ତରେ ରହି ଓଡ଼ିଆ ସାହିତ୍ୟ ଜଗତର ଖବର ଜାଣିପାରୁଛୁ। ଅନେକ ତଥ୍ୟ ବିଷୟରେ ମଧ୍ୟ ଅବଗତ ହୋଇପାରୁଛୁ।
‘ସାହିତ୍ୟ ଚର୍ଚ୍ଚା’ର ସମସ୍ତ ବାର୍ତ୍ତାବାହକ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ଖୁବ୍ ଉପାଦେୟ ତଥ୍ଯ ପୋଷ୍ଟ କରାଯାଇଛି ସାର୍— ଧନ୍ୟବାଦ🙏
ବେଶ୍ ଉପାଦେୟ ଆଲେଖ୍ୟ ସବୁ, ଅଶେଷ ଅଭିନନ୍ଦନ
Beautiful information, I like them
ଓଡିଆରେ ଏପରି ନିରୋଳା ସାହିତ୍ୟ ସମାଚାର ପତ୍ରିକାଖଣ୍ଡେ ଦରକାରଥିଲା ତାହା ପୂରଣ କରିଛି “ସାହିତ୍ୟ ଚର୍ଚ୍ଚା”।
ପ୍ରକାଶକଙ୍କୁ ଅଭିନନ୍ଦନ
ଏ ସଂଖ୍ୟା ର ସମସ୍ତ ଖଵର ସତେଜ ଓ ଉପାଦେୟ। ସମ୍ପାଦକ ମହାଶୟଙ୍କୁ ଅଶେଷ ଧନ୍ୟବାଦ।
ସୁନ୍ଦର କାର୍ଯକ୍ରମ। ଅଭିନନ୍ଦନ ଓ ଶୁଭେଚ୍ଛା।
ଯା’ହେଉ ସାହିତ୍ଯ ଚର୍ଚ୍ଚାର ଏହା ଏକ ସୁନ୍ଦର ପ୍ରୟାସ।
We got so many informations regarding Odia language and writers
ସବୁ ଖବର ପଢି ଅନେକ ନୂଆ କଥା ଆମ ଓଡ଼ିଆ ସାହିତ୍ୟ ବିଷୟରେ ଜାଣିଲି l
ନିଜର କର୍ମମୟ ଜୀବନ ଭିତରେ ଗତି କରୁ କରୁ ଏମିତି କିଛି ଖବର ଜାଣି ହୁଏ ନାହିଁ। ଆଜି ଏଥିରୁ ଜାଣିବା ସୁଯୋଗ ପାଇଲି। ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ 🙏
SAMBAD ON ODIA SAHITYA IS AN INNOVATION.THAT TOO DIGITAL.CONGRATULATIONS.
Puri Literature Festival was held on 15th/16th February 2025 at Puri.
I participated in the P L F.
It is expected to be in the line of Jaipur Literature Festival/ Banaras Literature Festival.
The innovative initiative is commendable.It gives all Literature news at one place. THANK YOU for making it possible.
ସାହିତ୍ୟ ଚର୍ଚ୍ଚାର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଓ ପ୍ରେରଣାଦାୟୀ।