ସାହିତ୍ୟ ଜଗତର ସମ୍ବାଦ

Updated on 4 December 2023

୨୩ ତମ ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷିତ

ବାର ଜଣ ଲେଖକ ପୁରସ୍କୃତ ହେବେ

ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ୨୦୨୩ ମସିହା ପାଇଁ ଓଡ଼ିଆ ସାହିତ୍ୟର ୯ଟି ବିଭାଗରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା କରାଯାଇଛି। ପ୍ରବନ୍ଧ ପୁସ୍ତକ ‘ଓଡ଼ିଆ ସାହିତ୍ୟ: ପୁରୁଣା ଓ ନୂଆ’ ପାଇଁ ଡ.ସଂଘମିତ୍ରା ଭଞ୍ଜ, ଉପନ୍ୟାସ ପୁସ୍ତକ ‘ଘାଟ ମୁହାଁ ଡ଼ଙ୍ଗା’ ପାଇଁ ଡ. ଲଲାଟେନ୍ଦୁ ସ୍ୱାଇଁ, କ୍ଷୁଦ୍ରଗଳ୍ପ ପୁସ୍ତକ ‘ଅହ୍ୟରାଣୀ’ ପାଇଁ ରଶ୍ମି ମିଶ୍ର ଓ ‘ଫଟୋ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ପ୍ରଦ୍ୟୁମ୍ନ ପଟ୍ଟନାୟକ, କବିତା ପୁସ୍ତକ ‘ପୁରୁଣା ଗୀତର ଧୂନ୍’ ପାଇଁ ଇନ୍ଦିରା ଦାଶ, ଗୀତି କବିତା ପୁସ୍ତକ ‘ଦେହ ଓ ଦ୍ରୋହ’ ପାଇଁ ଡ. ନୃସିଂହ ଷଡ଼ଙ୍ଗୀ, ଧର୍ମ ସାହିତ୍ୟ ପୁସ୍ତକ ‘ଦେବୀ ଦର୍ଶନ’ ପାଇଁ ବିଶ୍ଵନାଥ ମଲ୍ଲିକ, ଅନୁବାଦ ସାହିତ୍ୟ ପୁସ୍ତକ ‘ଗୋଟିଏ ରାତିର କାହାଣୀ’ ପାଇଁ ବିଦ୍ୟୁତଲତା ଦାସ, ଶିଶୁଗଳ୍ପ ପୁସ୍ତକ ‘ସାବାସ ସୁମନ’ ପାଇଁ ପ୍ରଭାସିନୀ ବରାଡ଼, ଶିଶୁ କବିତା ପୁସ୍ତକ ‘ସରଗ ଅଟଇ ମୋ ଗାଁ ଭୂଇଁ’ ପାଇଁ ନିରାକାର ଚଇନି ଓ ‘ଗୀତରେ ଗୀତରେ ଗୀତ ଗଜରା’ ପାଇଁ ଅରୁଣଚନ୍ଦ୍ର ମହାନ୍ତି, ଯୁବ ସାହିତ୍ୟ କବିତା ପୁସ୍ତକ ‘କଳ୍ପିତା’ ପାଇଁ ଦିନେଶ ଅଗ୍ରୱାଲା ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।
ଆସନ୍ତା ଡ଼ିସେମ୍ବର ୯ ତାରିଖ ସନ୍ଧ୍ୟା ୬ଘଟିକା ସମୟରେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ମଞ୍ଚରେ ୨୩ତମ ରାଜଧାନୀ ପୁସ୍ତକମେଳା ପୁରସ୍କାର ୨୦୨୩ ପ୍ରଦାନ କରାଯିବ। ରାଜଧାନୀ ପୁସ୍ତକମେଳା କମିଟିର ସଭାପତି ଡ. ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ଚୟନ କମିଟି ବୈଠକରେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶଚନ୍ଦ୍ର ସ୍ୱାଇଁଙ୍କ ସମେତ ବିଚାରକ ମଣ୍ଡଳୀ ଯୋଗଦେଇଥିଲେ।

ତ୍ରିଧାରା ସାହିତ୍ୟ ସଂସଦର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁରରେ ସାରସ୍ବତ ସମାରୋହ

ବ୍ରହ୍ମପୁରସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ସମ୍ମିଳନୀ କକ୍ଷରେ ଡିସେମ୍ବର ୩ ତାରିଖ ଦିନ ସୁବିଦିତ ସାହିତ୍ୟ ଅନୁଷ୍ଠାନ ‘ତ୍ରିଧାରା ସାହିତ୍ୟ ସଂସଦ’ର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେହିଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିବା ଏହାର ପ୍ରଥମ ଅଧିବେଶନରେ ଉଦଘାଟକ ଭାବେ ସଂସଦର ପ୍ରତିଷ୍ଠାତା ଚନ୍ଦ୍ର ଶେଖର ଦାଶ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଏହି ଅବସରରେ ଏକ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂସଦର ସମ୍ପାଦକ ଡ. ଲକ୍ଷ୍ମୀନାରାୟଣ ଦାଶ ସ୍ବାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିଲେ। ସଭାପତିତ୍ବ କରିଥିଲେ ଉମାଚରଣ ମିଶ୍ର ଏବଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରଘୁନାଥ ମହାବିଦ୍ୟାଳୟ ମୟୁରଭଞ୍ଜର ଅଧ୍ୟକ୍ଷ ଡ. ଜ୍ୟୋତିର୍ମୟୀ ତ୍ରିପାଠୀ। ଡ. ଭବାନୀ ପ୍ରସାଦ ମିଶ୍ର, ରାଧାମୋହନ ପୂଜାହାରୀ, ଗାୟତ୍ରୀ ପାଣିଗ୍ରାହୀ ଓ ସବିତା ସାହୁ କବିତାପାଠ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ୪୦ ରୁ ଉର୍ଦ୍ଧ୍ବ କବିତା ପାଠ କରାଯାଇଥିଲା।
ଦ୍ବିତୀୟ ଅଧିବେଶନରେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସୁଶାନ୍ତ ଦାସ ମୁଖ୍ୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର ଅର୍ଥ କମିଟି ସଦସ୍ୟ ଡ. ସଞୟ କୁମାର ପଣ୍ଡା ମୁଖ୍ୟବକ୍ତା, ଶ୍ରୀ ଭରତ ପତି ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡ. ଅଶୋକ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଏହି ଅଧିବେଶନରେ ସଭାପତିତ୍ବ କରିଥିଲେ ବରିଷ୍ଠ ସାହିତ୍ୟିକ ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ। ଅନୁଷ୍ଠାନର ମୁଖପତ୍ର ‘ଭାରତୀ’ ଓ ଡ଼. ଲକ୍ଷ୍ମୀ ନାରାୟଣ ଦାଶଙ୍କ ପ୍ରବନ୍ଧ ସଙ୍କଳନ ‘ବ୍ୟକ୍ତି ଓ ବ୍ୟକ୍ତିତ୍ଵ’ ମଧ୍ୟ ଉନ୍ମୋଚିତ ହୋଇଥିଲା।
ଏହି ଅବସରରେ ଡ. ଜ୍ୟୋତିର୍ମୟୀ ତ୍ରିପାଠୀଙ୍କୁ ‘ଭାରତୀ ସୃ୍ତି ସମ୍ମାନ’, ଗୌରପତି ଦାଶଙ୍କୁ ‘ବାବାବୈଦ୍ୟନାଥ ସମ୍ମାନ’, ବିଷ୍ଣୁ ପ୍ରସାଦ ଦଳେଇଙ୍କୁ ‘ଇଂ ରଜନୀ କାନ୍ତ ପଣ୍ଡା ସୃ୍ତି ସମ୍ମାନ’, ତଥା ଶାନ୍ତନୁ ସୁନା ଓ ଦୁଃଖୀଶ୍ୟାମ ବେହେରାଙ୍କୁ ‘ତ୍ରିଧାରା ସାରସ୍ବତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ଆୟୋଜିତ ହେଲା ପଞ୍ଚମ ରାଜ୍ୟ ପୁସ୍ତକ ମହୋତ୍ସବ – ‘ଅକ୍ଷର’

ଭୁବନେଶ୍ୱରରେ ଦଶ ଦିନିଆ ଭବ୍ୟ ପୁସ୍ତକ ମେଳା

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ୫ମ ରାଜ୍ୟ ପୁସ୍ତକ ମହୋତ୍ସବ – ‘ଅକ୍ଷର’, ଡିସେମ୍ବର ଏକ ତାରିଖ ଦିନ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ଉନ୍ମୋଚିତ ହୋଇଯାଇଛି। ‘ରାଜଧାନୀ ପୁସ୍ତକ ମେଳା କମିଟି’, ‘ଏକାମ୍ର ପୁସ୍ତକ ମହୋତ୍ସବ କମିଟି’ ତଥା ‘ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ’ ଏହି ପୁସ୍ତକ ମେଳାର ସହ-ଆୟୋଜକ ଅଛନ୍ତି।
ଡିସେମ୍ବର ଏକ ତାରିଖ ଦିନ ମେଳା ପରିସରରେ ଆୟୋଜିତ ଏକ ଉଦ୍ଘାଟନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଉନ୍ମୋଚନ କରି କହିଲେ ଯେ ଏହି ଧରଣର ପୁସ୍ତକ ମେଳା ସାହିତ୍ୟର ପ୍ରସାର ସହିତ ପ୍ରକାଶନ ଶିଳ୍ପର ଅଭିବୃଦ୍ଧିରେ ମଧ୍ୟ ସାହାଯ୍ୟ କରିବ। ଏହି ସଭାରେ ରାଜ୍ୟର ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟତମ ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର୍. ବାଲାକ୍ରିଷ୍ଣନ୍। ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ। ପୁସ୍ତକ ମେଳାର ମଂଚରେ ଅକ୍ଟୋବର ଦୁଇରୁ ଦଶ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାହିତ୍ୟ ଓ ସଂସ୍କୃତି ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି।
ଏବର୍ଷର ପୁସ୍ତକ ମହୋତ୍ସବରେ ପୁସ୍ତକ ପ୍ରକାଶକ ଓ ଅନ୍ୟାନ୍ୟ ପ୍ରତିଷ୍ଠାନମାନଙ୍କର ପ୍ରାୟ ଦୁଇଶହଟି ଷ୍ଟଲ୍ ଖୋଲାଯାଇଛି। ଓଡ଼ିଶାର ପ୍ରାୟ ସମସ୍ତ ପ୍ରକାଶକଙ୍କ ଉପସ୍ଥିତି ଏଠାରେ ଦେଖିବାକୁ ମିଳିଛି। ପ୍ରଦର୍ଶନୀ ସ୍ଥଳର ‘ଏ’ ବ୍ଲକରେ ସ୍ଥାନ ପାଇଥିବା ଟାଇମ୍ ପାସ୍, ପେନ୍-ଇନ୍ ବୁକ୍ସ, ପକ୍ଷୀଘର, ଅପୂର୍ବା ତଥା ଏ.କେ.ମିଶ୍ରଙ୍କର ଷ୍ଟଲର ପରିପାଟୀ ସୁଦୃଶ୍ୟ ହୋଇଛି। ଏହି ବ୍ଲକରେ ମଧ୍ୟ ପୁରୀ ଶ୍ରୀମନ୍ଦିର ତରଫରୁ ଏକ ଭବ୍ୟ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ସେଠାରେ ସ୍ଥାପନ କରାଯାଇଛି। ଶ୍ରୀମନ୍ଦିର ପକ୍ଷରୁ ପ୍ରକାଶିତ ସମସ୍ତ ପୁସ୍ତକ ସେଠାରେ ଉପଲବ୍ଧ ଅଛି। ଏହି ପୁସ୍ତକ ମେଳାରେ ଯୋଗ ଦେଇଥିବା ବିଭିନ୍ନ ସରକାରୀ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ଅଛନ୍ତି, ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଲଳିତ କଳା ଏକାଡେମୀ, ପାଠ୍ୟପୁସ୍ତକ ପ୍ରଣୟନ ବ୍ୟୁରୋ, ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଡାକ ବିଭାଗ, ଏନ୍.ସି.ଇ.ଆର୍.ଟି, ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଓ ସାହିତ୍ୟ ଏକାଡେମୀ ପ୍ରମୁଖ। ତିନୋଟି ଓଡ଼ିଆ ସମ୍ବାଦପତ୍ର, ‘ସମାଜ’, ‘ପ୍ରମେୟ’ ଏବଂ ‘ପ୍ରଗତିବାଦୀ’ ମଧ୍ୟ ନିଜର ଷ୍ଟଲମାନ ଖୋଲିଛନ୍ତି। ‘ସମାଜ’ର ଷ୍ଟଲରେ ରିହାତି ଦରରେ ଯୋଗାଇ ଦିଆଯାଉଥିବା ଖାତା ପାଇବାପାଇଁ ଛାତ୍ରଛାତ୍ରୀମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଥିଲା।
ପୁସ୍ତକ ମେଳାର ପ୍ରଥମ ଦିନରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନଥିଲା। ପୁସ୍ତକ ବିକ୍ରୟ ଆଶାନୁରୂପ ହୋଇ ନ ଥିବାରୁ କିଛି ପ୍ରକାଶକ ନିରାଶ ଥିବାର ଦେଖାଯାଇଥିଲା। ଏହି ପୁସ୍ତକ ମେଳା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଡିଲେଶ୍ବର ରଣା ପାଇଲେ ସାହିତ୍ୟ ଏକାଡେମୀର ଯୁବଲେଖକ ପୁରସ୍କାର

‘ସେଁରରା’ ପୁସ୍ତକ ପାଇଁ ପାଇଲେ ଯୁବଲେଖକ ପୁରସ୍କାର

କେତେକ ବିବଦମାନ କାରଣରୁ ସ୍ଥଗିତ ରହିଥିବା ଓଡ଼ିଆ ଯୁବଲେଖକଙ୍କ ପାଇଁ ଉଦ୍ଦିଷ୍ଟ ୨୦୨୩ ମସିହାର ‘ସାହିତ୍ୟ ଏକାଡ଼େମୀ ଯୁବଲେଖକ ପୁରସ୍କାର’ର ପୁନର୍ବିଚାର ହେବାପରେ କଳାହାଣ୍ଡିର ପ୍ରତିଭାବାନ୍ ଯୁବଲେଖକ ଡିଲେଶ୍ବର ରଣା ଏହା ପାଇବେ ବୋଲି କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସମ୍ପାଦକ ଡ. କେ. ଶ୍ରୀନିବାସ ରାଓ ନଭେମ୍ବର ୨୮ ତାରିଖ ଦିନ ପ୍ରକାଶିତ ଏକ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି। ପୂର୍ବରୁ ଏହି ପୁରସ୍କାରର ଓଡ଼ିଆ ବିଭାଗ ପାଇଁ ଗଠିତ ହୋଇଥିବା ବିଚାରକ ମଣ୍ଡଳୀର ନାମ ପ୍ରଘଟ ହେବା ସହିତ କେତେକ ସମ୍ଭାବ୍ୟ ପୁରସ୍କାର ବିଜେତାଙ୍କ ନାମ ସର୍ବସାଧାରଣଙ୍କରେ ଚର୍ଚ୍ଚିତ ହୋଇପଡ଼ିବାରୁ ସାହିତ୍ୟ ଏକାଡ଼େମୀ କର୍ତ୍ତୃପକ୍ଷ ଏହାକୁ ସ୍ଥଗିତ ରଖିଥିଲେ, ଏବଂ ଚଳିତ ବର୍ଷ ପାଇଁ କୌଣସି ଓଡ଼ିଆ ଯୁବଲେଖକଙ୍କୁ ଏହି ପୁରସ୍କାର ଦିଆଯିବ ନାହିଁ ବୋଲି ମଧ୍ୟ ଏକାଡ଼େମୀର ଓ୍ବେବସାଇଟ୍ ରେ ସୂଚନା ଦେଇଥିଲେ। ଏହା ଓଡ଼ିଶାର ସାହିତ୍ୟିକ ମହଲରେ ପ୍ରବଳ ଅସନ୍ତୋଷର କାରଣ ହୋଇଥିଲା। ଫଳରେ ଏହି ନିଷ୍ପତ୍ତିର ପୁନର୍ବିଚାର ହୋଇ ଓଡ଼ିଆ ବିଭାଗର ଏହି ପୁରସ୍କାର ପାଇଁ ତିନିଜଣ ବିଶିଷ୍ଟ ଲେଖକ, ବିଭୁତି ପଟ୍ଟନାୟକ, ଦାଶ ବେନହୁର ଓ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ନେଇ ଏକ ନୂଆ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା। ଏହି ବିଚାରକ ମଣ୍ଡଳୀର ସୁପାରିଶ କ୍ରମେ ଡିଲେଶ୍ବର ରଣାଙ୍କୁ ତାଙ୍କର ଗଳ୍ପ ସଂକଳନ ‘ସେଁରରା’ ପାଇଁ ଏହି ପୁରସ୍କାର ଦିଆଯିବାର ଘୋଷଣା କରାଯାଇଛି।
୧୯୯୪ ମସିହାରେ ଜନ୍ମିତ ଯୁବଲେଖକ ଡିଲେଶ୍ବର ରଣା ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ‘ସେଁରରା’ ତାଙ୍କ ଦ୍ବାରା ରଚିତ ଦଶଗୋଟି ଗଳ୍ପର ଏକ ଅନବଦ୍ୟ ସଂକଳନ। ଏହା ମୁଖ୍ୟତଃ କଳାହାଣ୍ଡି ଜିଲ୍ଲାର ଲୋକକଥା ଉପରେ ଆଧାରିତ,ଏବଂ ଏଥିରେ କଳାହାଣ୍ଡିର ଆଞ୍ଚଳିକ ଭାଷା ମଧ୍ୟ ବ୍ୟବହୃତ ହୋଇଛି। ଏହା ପୂର୍ବରୁ ଶ୍ରୀ ରଣା ‘ପ୍ରଧାନମନ୍ତ୍ରୀ ୟୁଥ୍ ମେଣ୍ଟରସିପ’ ଯୋଜନାରେ ମନୋନୀତ ହୋଇ ତାହାର ଅଧୀନରେ ‘ମେଳିଭୂଇଁ ‘ ନାମକ ଏକ ଉପନ୍ୟାସ ମଧ୍ୟ ରଚନା କରିଥିଲେ।

ସୋଆ ବିଶ୍ଵବିଦ୍ୟାଳରେ ତିନିଦିନିଆ ସାହିତ୍ୟ ଉତ୍ସବ ଉଦ୍ଘାଟିତ

ସୋଆ ସାହିତ୍ୟ ଉତ୍ସବର ଦ୍ବିତୀୟ ସଂସ୍କରଣ

ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ (ସୋଆ) ପରିସରରେ ‘ସୋଆ ସାହିତ୍ୟ ଉତ୍ସବ’ର ଦ୍ବିତୀୟ ସଂସ୍କରଣ ନଭେମ୍ବର ୨୪ ତାରିଖ ଦିନ ଉଦ୍ଘାଟିତ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ ସ୍ବନାମଧନ୍ୟ ଲେଖିକା ପ୍ରତିଭା ରାୟ। ଚଳିତ ସାହିତ୍ୟ ଉତ୍ସବର ବିଷୟବସ୍ତୁ ରହିଛି “ଭାରତୀୟ ସାହିତ୍ୟ, ସଂସ୍କୃତି, ସମାଜ: ସମ୍ଭାବନା ଓ ଆହ୍ବାନ”।
ପ୍ରଥମେ ‘ସୋଆ’ ଅଧୀନରେ ଥିବା ‘ପ୍ରାଚୀନ’ ଅନୁଷ୍ଠାନର ମୁଖ୍ୟ ଗାୟତ୍ରୀବାଳା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ଓଡ଼ିଆ କାବ୍ୟଧାରା ସାରଳା ମହାଭାରତରୁ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ କିପରି ନିରବଚ୍ଛିନ୍ନ ଭାବେ ଚାଲିଛି, ତାହାର ବର୍ଣ୍ଣନା କରିଥିଲେ। ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରତିଭା ରାୟ କହିଲେ ଯେ ସାହିତ୍ୟ ହେଉଛି ସଂସ୍କୃତି ଏବଂ ପରମ୍ପରାର ମୂଳଦୁଆ। ଗଦ୍ୟ ହେଉ ବା ପଦ୍ୟ, ସବୁକିଛି ସାହିତ୍ୟର ଆବେଗ ଏବଂ ଜ୍ଞାନ ପ୍ରତିଫଳିତ କରିଥାଏ। ସାହିତ୍ୟ କେବଳ ସମାଜର ଦର୍ପଣ ନୁହେଁ, ସକାରାତ୍ମକ ଦିଗରେ ମଧ୍ୟ ଏହା ଦୃଢ଼। ମୁଖ୍ୟ ବକ୍ତା ଆଶିଷ ନନ୍ଦୀ କହିଲେ ଲେଖକଟିଏ କଣ କହିବାକୁ ଚାହୁଁଛି ତାହା ନିର୍ଣ୍ଣୟ କରିବାର ଦାୟିତ୍ବ ପାଠକମାନଙ୍କର। ଭାରତୀୟ ତଥା ପାଶ୍ଚାତ୍ୟ ଦୃଷ୍ଟାନ୍ତମାନ ଉଦ୍ଧାର କରି ସେ ଏହାକୁ ବୁଝାଇଥିଲେ। ବିଶେଷକରି ସାହିତ୍ୟର କୌଣସି ଧର୍ମ ବା ରାଜନୀତି ନଥାଏ ବୋଲି ଶ୍ରୀ ନନ୍ଦୀ କହିଥିଲେ। ସମ୍ମାନିତ ଅତିଥି ତଥା ସାହିତ୍ୟ ଅକାଦେମିର ସଚିବ କେ.ଶ୍ରୀନିବାସ ରାଓ କହିଲେ ସବୁ ସମାଜର ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନର ସାଂସ୍କୃତିକ ପରମ୍ପରା ରହିଛି। ଯେତେବେଳେ ଏକ ଲେଖକର ଭାଷା, ସାହିତ୍ୟ, ସଂସ୍କୃତିର ଭାବନା ଓ ଦର୍ଶନ ଗୁଡ଼ିକ ଅନ୍ୟ ଗୋଟିଏ ଭାଷାକୁ ଅନୁବାଦ ମାଧ୍ୟମରେ ପହଞ୍ଚିଯାଏ ଅନ୍ୟ ଭାଷାର ସାହିତ୍ୟ ସହିତ ତାର ମିଳନ ଘଟିଥାଏ। ସାହିତ୍ୟ ଉତ୍ସବ ଗୁଡ଼ିକ ବିଭାଜନ ଓ ଘୃଣାକୁ ପ୍ରୋତ୍ସାହନ ନକରି ଶାନ୍ତି, ସହଯୋଗିତା, ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହନ କରିବା ଉଚିତ୍।ମୁଖ୍ୟ ଅତିଥି କେନ୍ଦ୍ର ସାହିତ୍ୟ ଅକାଦେମିର ସଭାପତି ମାଧବ କୌଶିକ କହିଲେ ସାହିତ୍ୟ ଲୋକମାନଙ୍କୁ ମଣିଷ କରିଦେଇଥାଏ। କଠୋର ହୃଦୟରେ ଯେଉଁ ପଥର ଥିବ, ତାକୁ ମଧ୍ୟ ସାହିତ୍ୟ ତରଳେଇ ଦେଇଥାଏ। ସମସ୍ତେ ନିଜ ଶିକ୍ଷାକୁ ନେଇ ଚାକିରି ଆଦି କରୁଥିବା ବେଳେ କେବଳ ସାହିତ୍ୟିକ ମାନଙ୍କୁ ପ୍ରକୃତି ଚୟନ କରିଥାଏ ସାହିତ୍ୟ ସର୍ଜନା ପାଇଁ। ତେବେ ଭାରତୀୟ ସାହିତ୍ୟ ଏକ, ଯଦିଓ ଏହା ଅନେକ ଭାଷାରେ ଲେଖାଯାଇଛି। ସୋଆ ବିଶ୍ଵବିଦ୍ୟାଳୟର ଉପ-କୁଳାଧିପତି ପ୍ରଦୀପ କୁମାର ନନ୍ଦ ମଣିଷର ସାମଗ୍ରିକ ବିକାଶ ପାଇଁ ଶୃଙ୍ଖଳା ଏକମାତ୍ର ପଥ ବୋଲି କହିଲେ। ପରିଶେଷରେ ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଗୌରାଙ୍ଗ ଚରଣ ଦାସ , ସନ୍ତୋଷ ରଥ, ପ୍ରଦୀପ୍ତ ପଣ୍ଡାଙ୍କ ଦ୍ଵାରା ସମ୍ପାଦିତ ‘ସାରଳା ମହାଭାରତ’, ଗାୟତ୍ରୀବାଳା ପଣ୍ଡାଙ୍କ ‘ଦୟାନଦୀ’ ପୁସ୍ତକର ପଞ୍ଜାବୀ ଏବଂ ସଂସ୍କୃତ ଅନୁବାଦ ପୁସ୍ତକ, ‘ବାଘ’ ପୁସ୍ତକର ହିନ୍ଦୀ ଅନୁବାଦ, ‘ମାଇ ଟ୍ରୁଥ୍, ମାଇ ଷ୍ଟୋରୀ’, ଆଦି ପୁସ୍ତକର ଉନ୍ମୋଚନ କରାଯାଇଥିଲା।
ଆସନ୍ତା ୨୬ ତାରିଖରେ ଏହି ସାହିତ୍ୟ ଉତ୍ସବ’ର ମଂଚରେ ବିଶିଷ୍ଟ ସାରସ୍ବତ ସ୍ରଷ୍ଟା ଅଚ୍ୟୁତାନନ୍ଦ ପତି, ସାତକଡ଼ି ହୋତା, ଦେବୀପ୍ରସନ୍ନ ପଟ୍ଟନାୟକ, ଶାନ୍ତନୁ କୁମାର ଆଚାର୍ଯ୍ୟ, ରମାକାନ୍ତ ରଥ, ଶ୍ରୀନିବାସ ଉଦଗାତା, ଜଗନ୍ନାଥ ପ୍ରସାଦ ଦାସ, ଦାଶରଥି ଦାଶ, ଅନନ୍ତ ମହାପାତ୍ର, ସୀତାକାନ୍ତ ମହାପାତ୍ର ତଥା ବିଭୂତି ପଟ୍ଟନାୟକଙ୍କୁ ‘ସୋଆ ସାହିତ୍ୟ ସମ୍ମାନରେ’ ସମ୍ମାନିତ କରାଯିବ।

ବନ୍ଧୁଘର ସାହିତ୍ୟ ପିଣ୍ଡାରେ ମଣିଷ ମନର ଗହନ ଦିଗ ଖୋଲିଦେଲେ ପ୍ରଫେସର ବସନ୍ତ ଦାସ

ଅନନ୍ୟ ସାରସ୍ବତ ମଂଚ : ସାହିତ୍ୟ ପିଣ୍ଡା

ନଭେମ୍ବର ୧୯ ତାରିଖ ଦିନ ଭୁବନେଶ୍ବରର ଏକ ନିଆରା ସାହିତ୍ୟ ମଞ୍ଚ ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ର ସପ ଉପରେ ବସି ମୁଖ୍ୟବକ୍ତା ବିଶିଷ୍ଟ ମନସ୍ତତ୍ତ୍ବବିତ୍ ପ୍ରଫେସର ବସନ୍ତ କୁମାର ଦାସ ପରସ୍ତ ପରସ୍ତ କରି ଖୋଲିଗଲେ ମଣିଷ ମନର ଗହନ ତତ୍ତ୍ବ। ସେ କହିଲେ ଯେ, ମଣିଷ ହେଲେ ବି ଆମେ ଗୋଟିଏ ଗୋଟିଏ ପଶୁ। ମନର ତିନୋଟି ଅବସ୍ଥା ହେଉଛି ସଚେତନ, ଅବଚେତନ ଓ ଅଚେତନ। ଅଚେତନ ମନ ଭିତରେ ଆମର ପଶୁତ୍ବ ଅବଦମିତ ହୋଇ ରହିଥାଏ। ଅନ୍ୟ କଥାରେ କହିଲେ ‘ଇଗୋ’ ଆମର ପଶୁତ୍ବକୁ ଚାପି ରଖିଥାଏ। ମଣିଷର ବ୍ୟକ୍ତିତ୍ବ ସମ୍ପର୍କରେ ମଧ୍ୟ ଆଲୋଚନା କରି ସେ କହିଲେ ଯେ ବ୍ୟକ୍ତିତ୍ବ ବିଷୟରେ ଫ୍ରଏଡ୍ ଙ୍କ ତତ୍ତ୍ବ ଏବେ ବି କାର୍ଯ୍ୟ କରୁଛି। ଯେ କୌଣସି ବ୍ୟକ୍ତିତ୍ୱର ତିନୋଟି ମୁଖ୍ୟ ଦିଗ ହେଲା ଇଦ୍ (ଆଦିମ ପ୍ରବୃତ୍ତି), ଇଗୋ (ଅହଂ ଭାବ), ଓ ସୁପର୍ ଇଗୋ (ବିବେକ)। କେବଳ ଇଦ୍ ନୁହେଁ, ସୁପର ଇଗୋ, ଅର୍ଥାତ୍ ବିବେକକୁ ଅତିମାତ୍ରାରେ ଅନୁସରଣ କଲେ ବି ଆମେ ଅସାମାଜିକ ହୋଇଯିବା। ଏଣୁ କେହି କେହି ଗୌତମ ବୁଦ୍ଧଙ୍କୁ ଅସାମାଜିକ ବୋଲି କହନ୍ତି। ପ୍ରକୃତରେ ମଣିଷର ଇଗୋ ବଳିଷ୍ଠ ହେଲେ ହିଁ ସେ ଇଦ୍ ଓ ସୁପର ଇଗୋକୁ ଆୟତ୍ତ କରି, ନିଜର ବ୍ୟକ୍ତିତ୍ବକୁ ସନ୍ତୁଳିତ କରିପାରେ। ପ୍ରଫେସର ଦାସ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ପରେ ଉପସ୍ଥିତ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ବିଶିଷ୍ଟ ବ୍ୟଙ୍ଗକବି ଶ୍ରୀଯୁକ୍ତ ସତ୍ୟାନାଶ ନିଜର କବିତା ‘କରୁଥା ମାଇଣ୍ଡ ଫ୍ରେସ୍’ ଆବୃତ୍ତି କରି ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲେ। ଏହାପରେ ଗାଳ୍ପିକ ପ୍ରମୋଦ କୁମାର ଜେନା ‘ଭିକାରୀ’ ଶୀର୍ଷକ ନିଜର ଏକ ମନଛୁଆଁ ଗଳ୍ପ ମଧ୍ୟ ପାଠ କରିଥିଲେ। ତାଙ୍କର ଗଳ୍ପ ପଠନର ଶୈଳୀ ଅତି ଜୀବନ୍ତ ହୋଇଥିଲା।
‘ବନ୍ଧୁଘର ସାହିତ୍ୟ ପିଣ୍ଡା’ର ଉଦ୍ୟୋକ୍ତା ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି ସମସ୍ତଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ନିଜର ବକ୍ତବ୍ୟ ରଖି ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ର ଅଧ୍ୟକ୍ଷ ଦାଶ ବେନହୁର କହିଲେ ଯେ ସଂସାରରେ ଜୀବନକୁ ପ୍ରେମ କରୁଥିବା ଲୋକ ଖୁବ୍ କମ୍ ଥାଆନ୍ତି। କେବଳ ଜନ୍ମ ହୋଇଗଲେ ଜଣେ ମଣିଷ ହୁଏନାହିଁ। ମଣିଷର ବ୍ୟକ୍ତିତ୍ବ ତାହାର ଶରୀର ଓ ପରିବେଶ ଉପରେ ମଧ୍ୟ ନିର୍ଭର କରେ।
ପରିଶେଷରେ ସୁବିଦିତ ବ୍ୟଙ୍ଗକାର ଉମାକାନ୍ତ ମହାପାତ୍ର ‘ସଉଦା ଲିଷ୍ଟର କବିତା’ ନାମକ ଛୋଟିଆ ହାସ୍ୟରସାତ୍ମକ କବିତାଟିଏ ପାଠକରି ସଭାର ଗମ୍ଭୀର ପରିବେଶକୁ ହାଲୁକା କରିଦେଇଥିଲେ। ବ୍ୟଙ୍ଗକବି ପ୍ରିୟବ୍ରତ ପଣ୍ଡା ମଧ୍ୟ ‘ଜୋତାର ଭାଗ୍ୟ’ ନାମକ ନିଜର ଏକ ବ୍ୟଙ୍ଗ କବିତା ପାଠ କରିଥିଲେ। ସଭାରେ ଉପସ୍ଥିତ ସମସ୍ତଙ୍କୁ ଅନନ୍ତ ବାସୁଦେବ ମନ୍ଦିରର ଅନ୍ନପ୍ରସାଦରେ ଆପ୍ୟାୟିତ କରାଯାଇଥିଲା। ତାହା ସହିତ ମଧ୍ୟ ପରଷା ଯାଇଥିଲା ଆୟୋଜକ ବୈଷ୍ଣବ ମହାନ୍ତିଙ୍କ ଘରେ ପ୍ରସ୍ତୁତ ହୋଇଥିବା ହବିଷ ଡାଲମା। ସର୍ବୋପରି, ଭୁବନେଶ୍ବରର ସାରସ୍ବତ ପ୍ରେମୀମାନଙ୍କ ପାଇଁ ଏହା ମହାର୍ଘ ଅବସରଟିଏ ଥିଲା।
(ରିପୋର୍ଟିଂ: ଆରାଧନା ମିଶ୍ର)

ଭୁବନେଶ୍ଵରରେ ଆରମ୍ଭ ହେଲା ୨୬ତମ କଳିଙ୍ଗ ପୁସ୍ତକ ମେଳା

କଳିଙ୍ଗ ପୁସ୍ତକ ମେଳାର ପ୍ରବେଶ ଦ୍ଵାର

ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆରେ ୨୬ତମ କଳିଙ୍ଗ ପୁସ୍ତକ ମେଳା ନଭେମ୍ବର ୧୭ ତାରିଖ ଦିନ ଆରମ୍ଭ ହୋଇଛି, ଏବଂ ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।
ପୁସ୍ତକ ମେଳାଟିକୁ ଉଦ୍ଘାଟନ କରି ଭୁବନେଶ୍ବରର ମେୟର ସୁଲୋଚନା ଦାସ କହିଲେ ଯେ ମହିଳାମାନଙ୍କ ଦ୍ବାରା ପରିଚାଳିତ ଏକ ଅନୁଷ୍ଠାନ ଦ୍ଵାରା ଅନେକ ବର୍ଷ ଧରି ଏହି ପୁସ୍ତକମେଳାର ସୁଚାରୁ ଆୟୋଜନ ସାମାନ୍ୟ କଥା ନୁହେଁ। ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଲେ ଏହି ଅନୁଷ୍ଠାନଟିର ଭ୍ରୁଣାବସ୍ଥାରୁ ସେ ଏହାକୁ ଲକ୍ଷ୍ୟ କରିଆସିଛନ୍ତି, ଏବଂ ଏହା ଇତିମଧ୍ୟରେ ୨୬ ବର୍ଷ ଧରି ତିଷ୍ଠିପାରିଥିବା ଆନନ୍ଦର ବିଷୟ। ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଲେ ମହିଳାମାନଙ୍କ ଦ୍ବାରା ଏହି ପୁସ୍ତକ ମେଳା ଆୟୋଜିତ ହେଉଥିବାରୁ ସେ ଗର୍ବିତ। ‘କଥା’ର ସମ୍ପାଦକ ଗୌରହରି ଦାସ କହିଲେ ଯେ ଆଜିକାଲି ମହିଳାମାନେ ସବୁଥିରେ ସଫଳ ହେଲେଣି; ଏହି ବହିମେଳା ତାହାର ଅନ୍ୟତମ ପ୍ରକୃଷ୍ଟ ଦାହରଣ। କଳିଙ୍ଗ ପୁସ୍ତକ ମେଳାର ସମ୍ପାଦିକା ରେଣୁକା ମିଶ୍ର କହିଲେ ଯେ ଏହି ପୁସ୍ତକ ମେଳା ଯେ ଦିନେ ୨୬ତମ ବର୍ଷ ପାଇଁ ତିଷ୍ଠି ରହିପାରିବ ଏହା ସେ କଳ୍ପନା କରିନଥିଲେ।
ଏହି ପୁସ୍ତକ ପ୍ରଦର୍ଶନୀରେ ପ୍ରାୟ ୧୫୦ଟି ଷ୍ଟଲ୍ ଖୋଲାପାଇଛି; ଏବଂ ୧୦୦ରୁ ଉର୍ଦ୍ଧ୍ବ ପ୍ରକାଶକ ଓ ବ୍ୟବସାୟ ପ୍ରତିଷ୍ଠାନ ଏଥିରେ ଭାଗ ନେଇଛନ୍ତି। ଏଥିରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ପୁସ୍ତକ ପ୍ରକାଶକଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ଅନେକ ଘରୋଇ ପ୍ରତିଷ୍ଠାନମାନଙ୍କ ବ୍ୟତୀତ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ଭାରତ ସରକାରଙ୍କ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ କମିଶନ, ଜନଗଣନା ନିର୍ଦ୍ଦେଶାଳୟ, ଭାରତୀୟ ଡାକ ବିଭାଗ, ଓଡ଼ିଶା ସରକାରଙ୍କ ଉପଭୋକ୍ତା ସଚେତନତା କେନ୍ଦ୍ର, ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ତଥା ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଭଳି ସରକାରୀ ପ୍ରତିଷ୍ଠାନମାନେ ମଧ୍ୟ ଏଥିରେ ନିଜର ଷ୍ଟଲ୍ ଖୋଲିଛନ୍ତି। ପୁସ୍ତକମେଳାର ପ୍ରଥମ ଦିବସରେ ବିଶେଷ ଜନଗହଳି ଦେଖିବାକୁ ନ ମିଳିଥିବା ବେଳେ ପରବର୍ତ୍ତୀ ଦିନମାନଙ୍କରେ ଏହା ବଢ଼ିବ ବୋଲି ଅନୁମାନ କରାଯାଏ।
ଏହି ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ଡିସେମ୍ବର ଏକ ତାରିଖରୁ ଓଡ଼ିଶା ପୁସ୍ତକ ପ୍ରକାଶକ ସଂଘ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆୟୋଜନରେ ‘ଅକ୍ଷର’ ନାମକ ଆଉ ଏକ ପୁସ୍ତକ ମେଳା ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।

ବିଶିଷ୍ଟ ଶିଶୁ ସାହିତ୍ୟିକ ଓ ଭାଷାବିତ୍ ଶୁଭେନ୍ଦ୍ର ଶ୍ରୀଚନ୍ଦନ ସିଂହଙ୍କ ମହାପ୍ରୟାଣ

ନାଗପୁରଠାରେ ୯୦ ବର୍ଷ ବୟସରେ ପରଲୋକ

ବିଶିଷ୍ଟ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ ତଥା ଓଡ଼ିଆ ଭାଷା ତତ୍ତ୍ବବିତ୍ ଡ଼. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହଙ୍କର ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।
ସ୍ବର୍ଗତ ଶ୍ରୀଚନ୍ଦନ ସିଂହ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍ ଅନ୍ତର୍ଗତ ପାପସରା ଗ୍ରାମରେ ୬ ଅଗଷ୍ଟ, ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଶିଶୁ ସାହିତ୍ୟକୁ ତା’ଙ୍କର ବହୁମୂଲ୍ୟ ଅବଦାନ ପାଇଁ ତା’ଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀର ‘ବାଳ ସାହିତ୍ୟ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ୨୦୧୦ ମସିହାରେ ‘ଟିକିପରି’ ପୁସ୍ତକ ପାଇଁ ତାଙ୍କୁ ଓଡିଶା ସାହିତ୍ୟ ଅକାଦେମୀ ପକ୍ଷରୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶାରଦ ଭାବରେ ବହୁ ବର୍ଷ ଧରି କାର୍ଯ୍ୟରତ ଥିଲେ। ତାଙ୍କର ଶତାଧିକ ପୁସ୍ତକ ପ୍ରକାଶ ପାଇଛି, ଯାହା ମଧ୍ୟରେ ଶିଶୁ ସାହିତ୍ୟ ବ୍ୟତୀତ ଜୀବନୀ, ପ୍ରବନ୍ଧ ଓ ଭ୍ରମଣ କାହାଣୀ ଆଦି ମଧ୍ୟ ଅନ୍ତର୍ଭୁକ୍ତ।
ଚାକିରୀରୁ ଅବସର ନେବା ପରେ ସେ କଟକ ସହରରେ ଅବସ୍ଥାନ କରୁଥିଲେ।

୧୦ଜଣ ନବପ୍ରତିଭା ପାଇବେ ଏବର୍ଷର ପେନ୍-ଇନ୍-ବୁକ୍ସ ଯୁବଲେଖକ ପୁରସ୍କାର

ପୁରସ୍କୃତ ଯୁବଲେଖକଗଣ

ବିଶିଷ୍ଟ ପୁସ୍ତକ ପ୍ରକାଶନ ସଂସ୍ଥା ପେନ-ଇନ୍-ବୁକ୍ସ ପକ୍ଷରୁ ୨୦୨୩ ମସିହା ପାଇଁ ୪୦ ବର୍ଷରୁ କମ ବୟସର ୧୦ଜଣ ଯୁବଲେଖକଙ୍କୁ ନିଜର ପାଣ୍ଡୁଲିପି ପାଇଁ ଯୁବଲେଖକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ୨୦୧୭ ମସିହାରୁ ପ୍ରତିବର୍ଷ ୧୦ ଜଣ ଯୁବଲେଖକଙ୍କୁ ଏହି ଯୋଜନା ଅଧୀନରେ ସମ୍ମାନିତ କରାଯାଇଆସୁଛି। ୨୦୨୩ ମସିହାରେ ଏହି ପୁରସ୍କାରର ସପ୍ତମ ସଂସ୍କରଣ ପାଇଁ ପ୍ରତିଯୋଗୀମାନଙ୍କଠାରୁ ମୋଟ ୬୮ଟି ପାଣ୍ଡୁଲିପି ପ୍ରାପ୍ତ ହୋଇଥିଲା। ସେଥିମଧ୍ୟରୁ ୧୦ଟି ପାଣ୍ଡୁଲିପି ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କୃତ ଯୁବପ୍ରତିଭାମାନେ ହେଲେ ଗଳ୍ପ ପାଣ୍ଡୁଲିପି ‘ମୁଖା ମଣିଷ’ ପାଇଁ ମମତାରାଣୀ ଦାଶ, ‘ମୋମେଣ୍ଟସ୍’ ପାଇଁ ଅଭୀପ୍ସା ମହାନ୍ତି, ଉପନ୍ୟାସ ପାଣ୍ଡୁଲିପି ‘ପ୍ରଣୟିନୀ’ ପାଇଁ ସନ୍ତୋଷ କୁମାର ସାହୁ, ‘ଶେଷହୀନ ଜିଜ୍ଞାସା’ ପାଇଁ ପ୍ରିୟଦର୍ଶିନୀ ପୂରବୀ ମହାନ୍ତି, କବିତା ପାଣ୍ଡୁଲିପି ‘ସାଉଁଟା ଫୁଲ’ ପାଇଁ ସୋମି ଧର, ‘ଈଶ୍ବରଙ୍କ ସହ ଦିନେ’ ପାଇଁ ପ୍ରଜ୍ଞା ପାରମିତା ମହାନ୍ତି, ‘ଉଛୁର ବିଜନେ’ ପାଇଁ ପ୍ରତୀଚୀ ନନ୍ଦ, ‘ଚିତ୍ରଲେଖା ଓ ଅନ୍ୟାନ୍ୟ କବିତା’ ପାଇଁ ରଶ୍ମିରେଖା ଦାସ, ‘ସଳିତା’ ପାଇଁ ପ୍ରୀତିକ୍ରୀଷ୍ଣା ସାହୁ, ଓ କାବ୍ୟ ଉପନ୍ୟାସ ପାଣ୍ଡୁଲିପି ‘ହ୍ୟାସ୍‌‌ଟାଗ୍‌ ଜୀବନ’ ପାଇଁ ସାଗରିକା ନାୟକ।
ଚଳିତ ନଭେମ୍ବର ମାସରେ ଭୁବନେଶ୍ବରରେ ହେବାକୁଥିବା ପୁରସ୍କାର ବିତରଣ ସମାରୋହରେ ଏହି ୧୦ ଜଣଙ୍କୁ ପୁରସ୍କୃତ କରାଯିବ। ୨୦୨୨ ମସିହାରେ ପୁରସ୍କୃତ ହୋଇଥିବା ୧୦ଗୋଟି ପାଣ୍ଡୁଲିପି ପୁସ୍ତକ ଆକାରରେ ମଧ୍ୟ ଶୀଘ୍ର ପ୍ରକାଶ ପାଇବ ବୋଲି ପେନ୍ ଇନ୍ ବୁକ୍ସର ପ୍ରତିଷ୍ଠାତା ଶୁଭ୍ରାଂଶୁ ପଣ୍ଡା ଜଣାଇଛନ୍ତି।

ଆଲୋଚନା ସଭା: ଲେଖକୀୟ ସୁଖ ବନାମ ପାଠକୀୟ ସୁଖ

ମଞ୍ଚାସୀନ ଅତିଥିଗଣ

ଅକ୍ଟୋବର ୩୦ ତାରିଖ ସନ୍ଧ୍ୟାରେ ‘ମୁକ୍ତ ଚିନ୍ତନ ମଞ୍ଚ’ ଓ ‘ଭାରତୀୟ ବିଦ୍ୟାଭବନ’ର ସଂଯୁକ୍ତ ଆୟୋଜନରେ ‘ଲେଖକୀୟ ସୁଖ ବନାମ ପାଠକୀୟ ସୁଖ’ ବିଷୟ ଉପରେ ଗୋଟିଏ ଆଲୋଚନା ସଭା ହେବାର ଅଛି ବୋଲି ଗୋଟିଏ ସୂଚନା ଆମର ‘ସାହିତ୍ୟ ଚର୍ଚ୍ଚା’ ହ୍ବାଟସଆପ୍ ଗ୍ରୁପ୍ ରେ ପଢ଼ିଥିଲି। ସେହି ସଭାର ଫ୍ଲାୟର୍ ରେ ‘ସମ୍ମାନିତ’ ଶବ୍ଦଟିର ବନାନ ‘ସମ୍ମାନୀତ’ ବୋଲି ଲେଖାଯାଇଥିବା ଉପରେ ଗୋଟିଏ ଉପଯୋଗୀ ବିତର୍କ ମଧ୍ୟ ସେଦିନ ସେହି ଗ୍ରୁପ୍ ରେ ହୋଇଥିଲା। ଏଣୁ ସଭାଟିରେ ଯୋଗଦେଇ ନିମନ୍ତ୍ରିତ ବକ୍ତାମାନଙ୍କର ଭାଷଣ ଶୁଣିବାର ଆଗ୍ରହ ନେଇ ମୁଁ ଅକ୍ଟୋବର ୩୦ ତାରିଖ ଦିନ ଯଥାସମୟରେ ଭୁବନେଶ୍ବରର ଭାରତୀୟ ବିଦ୍ୟା ଭବନର ସଭାଗୃହରେ ପହଞ୍ଚିଥିଲି। ଯଦିଓ କିଛି ବକ୍ତାଗଣଙ୍କ ଆସିବାରେ ସାମାନ୍ୟ ବିଳମ୍ବ ହେଲା, ଡ. ସାତକଡ଼ି ହୋତାଙ୍କ ଆସିବା ପୂର୍ବରୁ (ସେଦିନ ତାଙ୍କର ୯୪ତମ ଜନ୍ମଦିନ ପାଳନ କରାଯାଉଥିଲା) ଡ଼. ପୀତବାସ ରାଉତରାୟଙ୍କ ପରିଚାଳନାରେ ସଭା ଆରମ୍ଭ ହୋଇଯାଇଥିଲା। ପରେ ମଞ୍ଚରେ ଥିଲେ ଡ଼. ସାତକଡି ହୋତା, ଡ. ଅଶୋକ କୁମାର ମହାପାତ୍ର, ବନଜ ଦେବୀ, ଡ଼. ଦାଶ ବେନହୁର, ଡ଼. ଅସିତ ମହାନ୍ତି ଓ ଡ. ପୀତବାସ ରାଉତରାୟ ।
ଏହି କାର୍ଯ୍ୟକ୍ରମରେ ଚାରି ବକ୍ତା ଚାରି ପ୍ରକାରର କଥା କହିଲେ। ପ୍ରଥମେ ଦାଶବେନ୍‌ହୁର୍‌ କହିଲେ ଯେ ଲେଖକର ଲେଖା ଓ ପାଠକର ସ୍ବୀକୃତିର ହାତଗଣ୍ଠି ନପଡ଼ିଲେ ସାହିତ୍ୟ ସଂସାର ଆରମ୍ଭ ହୋଇପାରିବନି। କିନ୍ତୁ ଲେଖାଟି ବାହାରିଗଲା ପରେ (ବହିଟି ଛପା ହେବା ପରେ) ଝିଅକୁ ଶାଶୁଗରକୁ ପଠେଇଲା ପରି ବ୍ୟବହାର କରିବା କଥା। ( ଅର୍ଥାତ୍ ତା’ ଶାଶୁଘର କଥାରେ ହସ୍ତକ୍ଷେପ ଆଉ ଗ୍ରହଣୀୟ ନୁହେଁ।) ବନଜ ଦେବୀ କହିଲେ ଯେ ଅଧ୍ୟୟନ ନୁହେଁ ତାଙ୍କ ଅନୁଭୂତିରୁ ସେ କହୁଛନ୍ତି, ଲେଖାଟି ଲେଖକର ଆକୁଳତାର ପ୍ରକାଶ; ତେଣୁ ଥରେ ଲେଖିଲା ପରେ କିଏ ଟେକା ଫିଙ୍ଗିଲେ କି ଫୁଲଟିଏ ଫୋପାଡ଼ିଲେ କଣ କରାଯାଇପାରେ? (କିନ୍ତ ଫୁଲ ନିଶ୍ଚିତ ଭାବରେ ବେଶି କାମ୍ୟ।) ଅସିତ ମହାନ୍ତି ଗବେଷକ ଶୈଳୀରେ ମୂଳରୁ ଗଭୀର ଜଳରେ ପଶିଗଲେ। ମୁଖ୍ୟମନ୍ତ୍ରୀଙ୍କ ଚନ୍ଦ୍ରଭାଗା ଟ୍ବିଟ୍‌, ରସଗୋଲାର ବିବାଦ, ଓଡ଼ିଶା ଓ ରସ(ଚିନି ଶିରା)ର ଘନିଷ୍ଠ ସମ୍ପର୍କ, ରେବତୀ ଗଳ୍ପର ବିଭିନ୍ନ ଯୁଗର ବଦଳୁଥିବା ଚେହେରାର ପାଣିରେ ଉବୁଟୁବୁ ହେଇ ଶେଷରେ ସମୟର ସୀମା ଦ୍ବାରା ଟାଣିହେଇ କୂଳରେ ଲାଗିଲେ। (କିନ୍ତୁ ଉବୁଟୁବୁ ହେବାବେଳେ ସେ କହିଲେ ଡ. ପ୍ରଫୁଲ୍ଲ ତ୍ରିପାଠୀ ଆଗରୁ ବଢ଼ିଆ ଗପ ଲେଖୁଥିଲେ ,ଏବେ କୁଆଡ଼େ ସେ ଭାଷାର ଅରଣ୍ୟରେ ନିଖୋଜ ହେଇ ଯାଇଛନ୍ତି।) ଡକ୍ଟର ଅଶୋକ ମହାପାତ୍ର କହିଲେ ଯେ ଗୀତାରେ କହିଲା ପରି ଭଲ ଲେଖାଟିଏ ଲେଖି ପରିଣାମ ଭୁଲିଯାଅ। ସାତକଡ଼ି ହୋତା ସାର୍‌ ସହାସ୍ୟ ବଦନରେ ସବୁ ଶୁଣିଲେ କେବଳ।
ଗୋଟିଏ ଦୃଷ୍ଟିରୁ, ଏହା ଏକ ସ୍ମରଣୀୟ ସାରସ୍ବତ ସନ୍ଧ୍ୟାଟିଏ ଥିଲା।
(ରିପୋର୍ଟିଂ : ଆରାଧନା ମିଶ୍ର)

ବନ୍ଧୁଘର ସାହିତ୍ୟ ପିଣ୍ଡାରେ ଅନବଦ୍ୟ ସାହିତ୍ୟ ପରଷିଲେ ସାରସ୍ଵତ ସାଧକଗଣ

ପିଣ୍ଡା ତ ନୁହେଁ, ସାହିତ୍ୟର ଏକ ପାବନ ମଞ୍ଚ

ଭୁବନେଶ୍ଵରର ସୁବିଦିତ ଅନୌପଚାରିକ ସାହିତ୍ୟ ମଞ୍ଚ ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ର ପରମ୍ପରା ବଜାୟ ରଖି ଅନୁଷ୍ଠାନର ଉଦ୍ୟୋକ୍ତା ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ମହାନ୍ତିଙ୍କର ଭୁବନେଶ୍ଵରର ସମ୍ ହାସପାତାଳ ନିକଟରେ ଥିବା ବାସଭବନର ଉଚ୍ଚ ପିଣ୍ଡା ଉପରେ ସପ ପାରି ବସିଥିଲେ ସେଦିନର ଅତିଥିଗଣ। ସାମନାରେ କାନଡ଼େରି ବସିଥିଲେ ବହୁ ଓଡିଆ ସାହିତ୍ୟପ୍ରେମୀ। ସେଦିନ ଥିଲା ଅକ୍ଟୋବର ୨୨ ତାରିଖ, ପବିତ୍ର ମହାଷ୍ଟମୀ ତିଥିର ଏକ ସୃଜନ ମଧୁର ଅପରାହ୍ନ।
ବନ୍ଧୁଘର ସାହିତ୍ୟ ପିଣ୍ଡାର ‘ମଧୁରେଣ ପ୍ରାରମ୍ଭୟେତ୍’ ପ୍ରଥା ଅନୁସରଣ କରି ଏକ ରସାଳ ବ୍ୟଙ୍ଗ କବିତା ପାଠରୁ ଆରମ୍ଭ ହୋଇଥିଲା ସେଦିନର କାର୍ଯ୍ୟକ୍ରମ। ଏହି କ୍ରମରେ ସ୍ବରଚିତ କବିତାଟିଏ ପାଠ କରିଥିଲେ ସୁବିଦିତ ବ୍ୟଙ୍ଗକବି ଶ୍ରୀଯୁକ୍ତ ସତ୍ୟାନାଶ। କାର୍ଯ୍ୟକ୍ରମଟିରେ ପୌରୋହିତ୍ୟ କରିଥିଲେ ସ୍ଵନାମଧନ୍ୟ ସାହିତ୍ୟିକ ଦାଶ ବେନହୁର ତଥା ଅତିଥି ଭାବରେ ଉପସ୍ଥିତ ଥିଲେ ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ସୂଚନା ଉପଦେଷ୍ଟା ତଥା ‘ସକାଳ’ ସମ୍ବାଦପତ୍ରର ସମ୍ପାଦକ ଡ. ଉମାକାନ୍ତ ମିଶ୍ର। ଏହି ଅବସରରେ ବିଶିଷ୍ଟ କଥାକାର ବିରଜା ମହାପାତ୍ରଙ୍କର ନିଆରା ଗଳ୍ପ ସଂକଳନ ‘ସାଥୀ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହାପରେ ସଦ୍ୟ ଉନ୍ମୋଚିତ ପୁସ୍ତକଟିର ସଂକ୍ଷିପ୍ତ ସମୀକ୍ଷା କରିଥିଲେ ବୈଷ୍ଣବ ମହାନ୍ତି। ସେ ମତ ଦେଇଥିଲେ ଯେ ଏଥିରେ ସଂକଳିତ ଗଳ୍ପ ଗୁଡ଼ିକରେ ସମାଜର ନିଚ୍ଛକ ଚିତ୍ର ପ୍ରତିଫଳିତ।
ସଭାର ଭାବାଚ୍ଛନ୍ନ ସାରସ୍ଵତ ପରିବେଶ ମଧ୍ୟରେ ନିଜର ବକ୍ତବ୍ୟ ରଖି ଡ଼. ଉମାକାନ୍ତ ମିଶ୍ର କହିଲେ ଯେ ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ ଉପରେ ବସିବା ହେଉଛି ତାଙ୍କ ଜୀବନର ଏକ ଅନନ୍ୟ ଅନୁଭବ। ତା’ଙ୍କର ମନେହେଉଛି, ସେ ଯେମିତି ସାହିତ୍ୟର ମୁକ୍ତିମଣ୍ଡପରେ ବସିଛନ୍ତି। ସେ କହିଲେ ଯେ ମଣିଷର ଜୀବନ ବାସ୍ତବରେ ହେଉଛି ଗଳ୍ପମାନଙ୍କର ଏକ ଜଙ୍ଗଲ। ତତ୍ପରେ ସ୍ଵରଚିତ ଏକ ମର୍ମସ୍ପର୍ଶୀ ଗଳ୍ପ ପାଠକରିଥିଲେ ଓଡ଼ିଶା ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ତଥା ସୁଲେଖିକା ଲୋପାମୁଦ୍ରା ମହାନ୍ତି। ଏହି ପ୍ରସଙ୍ଗରେ ସେ ନିଜ ଜୀବନରେ ଲେଖକୀୟ-ପ୍ରବୃତ୍ତିର ଉନ୍ମେଷର କାହାଣୀ ମଧ୍ୟ ବଖାଣିଥିଲେ। ଏହାପରେ ‘ନିଜକୁ ଜଣେ ନେତା ମନେକରି’ ଶୀର୍ଷକ ଏକ ସ୍ଵରଚିତ ପ୍ରବନ୍ଧ ପାଠ କରିଥିଲେ ମାନସ ମଲ୍ଲିକ। ଏଥିରେ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟର ଏକ ବ୍ୟଙ୍ଗାତ୍ମକ ପ୍ରତିଫଳନ ଦେଖିବାକୁ ମିଳିଥିଲା।
ନିଜର ଅଧ୍ୟକ୍ଷୀୟ ଅଭିଭାଷଣରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ସେଦିନର ନବ ଉନ୍ମୋଚିତ ଗଳ୍ପପୁସ୍ତକ ‘ସାଥୀ’ ବିଷୟରେ ତାତ୍ତ୍ବିକ ଅଭିମତ ରଖିଥିଲେ। ଏହାପରେ ‘ମଧୁରେଣ ସମାପୟେତ୍’ ଉକ୍ତିକୁ ସାର୍ଥକ କରି କାର୍ଯ୍ୟକ୍ରମର ଶେଷକୁ ନିଜର ଏକ ହାସ୍ୟ ରସାଣିତ ବ୍ୟଙ୍ଗଗଳ୍ପ ପଢ଼ିଥିଲେ କଥାକାର ପ୍ରିୟବ୍ରତ ପଣ୍ଡା।
ଏହି ଅବସରରେ ବରିଷ୍ଠ କଣ୍ଠଶିଳ୍ପୀ ବିବୁ ଦାସଙ୍କ କଣ୍ଠରେ ଶାସ୍ତ୍ରୀୟ ରାଗରେ “ଆଉ ନ ବଜା, ନ ବଜା ଶ୍ୟାମଘନ ହେ …”ର ପରିବେଷଣ ସଭାର ପରିବେଶଟିକୁ ଭାବବିଭୋର କରିଦେଇଥିଲା। ରାଜଧାନୀ ତଥା ରାଜଧାନୀ ବାହାରୁ ଅନେକ ସାହିତ୍ୟିକ ଓ ସାହିତ୍ୟପ୍ରେମୀମାନଙ୍କର ଗରିମାମୟ ଉପସ୍ଥିତି ସଭାଟିକୁ ଏକ ବିରଳ ସାରସ୍ଵତ ଅବସରରେ ପରିଣତ କରିଥିଲା।

ଲେଖକ ସମବାୟ ସମିତିର ଆଲୋଚନା: ଓଡ଼ିଆ ସାହିତ୍ୟରେ ନାରୀକଲମର ଆଦ୍ୟ ଝଙ୍କାର

ଭୁବନେଶ୍ଵରରେ ଆଲୋଚନାଚକ୍ର

ଓଡ଼ିଶା ଲେଖକ ସମବାୟ ସମିତି ପକ୍ଷରୁ ଅକ୍ଟୋବର ୨୦ ତାରିଖ ଦିନ ଭୁବନେଶ୍ଵରଠାରେ ଓଡ଼ିଆ ସାହିତ୍ୟରେ ନାରୀ ସାରସ୍ଵତ ସ୍ରଷ୍ଟାଙ୍କର ଆଦ୍ୟ ଝଙ୍କାର ଓ ତାହାର ଉତ୍ତରଣ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ଵ କରିଥିଲେ ବର୍ଷୀୟାନ ସାହିତ୍ୟିକ ଡ଼. ସାତକଡି ହୋତା ଏବଂ ସ୍ଵନାମଧନ୍ୟ ଲେଖିକା ଓ ଅନୁବାଦିକା ଡ. ଶକୁନ୍ତଳା ବଳିଆରସିଂହ, ଭୁବନେଶ୍ଵର ଏମ୍ସ ହାସପାତାଳର ପୂର୍ବତନ ନିର୍ଦ୍ଦେଶକ ଡ଼ା. ଅଶୋକ କୁମାର ମହାପାତ୍ର ଏବଂ ‘ପୌରୁଷ’ର ସଂପାଦକ ଡ. ଅସିତ ମହାନ୍ତି ଯଥାକ୍ରମେ ମୁଖ୍ୟ ବକ୍ତା, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ପ୍ରକାଶକ ଡ. ପୀତବାସ ରାଉତରାୟ।
ପ୍ରାରମ୍ଭରେ ଡ. ପୀତବାସ ରାଉତରାୟ ଓଡ଼ିଆ ସାହିତ୍ୟର ବିକାଶରେ ନାରୀ କଲମର ସଶକ୍ତ ଭୂମିକା ସଂପର୍କରେ ଆଲୋଚନାର କ୍ରମକୁ ଆଗେଇ ନେଇଥିଲେ। ମୁଖ୍ୟ ବକ୍ତା ଡ଼. ଶକୁନ୍ତଳା ବଳିଆର ସିଂହ କହିଲେ ଯେ ବର୍ତ୍ତମାନର ଶାରଦୀୟ ପାର୍ବଣ ଓ ଶକ୍ତିପୂଜା ଅବକାଶରେ ନାରୀ ସାହିତ୍ୟିକମାନଙ୍କର ମହତ୍ତ୍ଵ ବିଷୟରେ ଏହି ଆଲୋଚନା ଅନେକ ପ୍ରାସଙ୍ଗିକତା ରଖେ। ଦିନ ଥିଲା ନାରୀମାନଙ୍କୁ ଅର୍ଦ୍ଧ-ମଣିଷ ଭାବରେ ଗଣ୍ୟକରାଯାଉଥିଲା ଏବଂ ସାହିତ୍ୟ ଜଗତରେ ମଧ୍ୟ ସେମାନଙ୍କୁ ବିଶେଷ ସୁଯୋଗ ଦିଆଯାଉନଥିଲା। କିନ୍ତୁ ସେଦିନ ଆଜି ନାହିଁ। ପ୍ରାଚୀନ କାଳର ଅନେକ ଲେଖିକାଙ୍କ ନାମୋଲ୍ଲେଖ କରି ସେ କହିଥିଲେ ଯେ ସେ ଯୁଗର ଲେଖିକାମାନେ ତାଳପତ୍ର ପୋଥିରେ ମଧ୍ୟ ସାହିତ୍ୟ ରଚନା କରିଥିବାର ନଜିର ରହିଛି। ସେ କୁନ୍ତଳା କୁମାରୀ ସାବତଙ୍କ କୃତିସମଗ୍ର ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ। ତାହାଙ୍କ ବ୍ୟତୀତ ସେକାଳର ଅନ୍ୟ ଅନେକ ଲେଖିକାମାନଙ୍କର କାଳଜୟୀ କୃତି ସମ୍ପର୍କରେ ମଧ୍ୟ ସେ ଚର୍ଚ୍ଚା କରିଥିଲେ।
ଏହି ଆଲୋଚନାକ୍ରମରେ ବର୍ଷୀୟାନ ଲେଖିକା ବନଜ ଦେବୀ, ବୟୋଜ୍ୟେଷ୍ଠ କଥାକାର ଗୋଲାପ ମଞ୍ଜରୀ କର, ପ୍ରାବନ୍ଧିକ ଆରତୀ କର, ଡ଼. ଅସିତ ମହାନ୍ତି ଓ ଡା. ଅଶୋକ କୁମାର ମହାପାତ୍ର ପ୍ରମୁଖ ମଧ୍ୟ ଆଲୋଚ୍ୟ ବିଷୟଟି ଉପରେ ନିଜର ଅଭିମତ ରଖିଥିଲେ। ପରିଶେଷରେ ଓଡ଼ିଶା ଲେଖକ ସମବାୟ ସମିତି ପକ୍ଷରୁ ରମାକାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କାନାଡ଼ାରେ ଆୟୋଜିତ ହେଲା ମନୋରମ ଓଡ଼ିଆ ସାହିତ୍ୟ ଆସର: ‘ଶରତ ସନ୍ଧ୍ୟା’

ବିଦେଶ ମାଟିରେ ଓଡ଼ିଆ ସାହିତ୍ୟର ଝଙ୍କାର

ଗ୍ରୀଷ୍ମର ସବୁଜିମା ବଦଳରେ ପତ୍ର ଝଡ଼ା ଋତୁ ରଙ୍ଗୀନ ଶରତ ବିରାଜମାନ। କାନାଡ଼ାର ବୃକ୍ଷରାଜି ଲୋହିତ, ନାରଙ୍ଗୀ ଓ ପୀତ ବର୍ଣ୍ଣରେ ରଙ୍ଗାୟିତ। ଏହି ଅବସରରେ ଅକ୍ଟୋବର ୧୫ ତାରିଖର କୋମଳ ଶୀତଳ ସଂଧ୍ୟାରେ ‘କାନୋସା’ (କାନାଡ଼ା ଓଡ଼ିଶା ସୋସାଇଟି ଅଫ ଆମେରିକାଜ୍) ସହାୟତାରେ ଶରତ ସାହିତ୍ୟ ସନ୍ଧ୍ୟା ମାଲଟନ୍ ଲାଇବ୍ରେରୀରେ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ବିଶ୍ବରଞନ ଓ ମୁଖ୍ୟ ଅତିଥି ଭାବରେ ଡକ୍ଟର ପ୍ରତିଭା ରାୟ ଯୋଗଦାନ କରିଥିଲେ।
ପ୍ରଥମେ ‘କାନୋସା’ର ସଭାପତି କମଳାକାନ୍ତ ବେହେରା କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ସବିତା ପାଣିଗ୍ରାହୀ ତାଙ୍କ ସୁଲଳିତ ସ୍ବରରେ ଏକ ପ୍ରାରମ୍ଭିକ ସଙ୍ଗୀତ ସୁନ୍ଦର ଭାବରେ ଗାନ କରିଥିଲେ‌। ଅଧ୍ୟାପକ ବିଶ୍ବରଞ୍ଜନଙ୍କର ବକ୍ତବ୍ୟ ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇପାରିଥିଲା। ସେ ତା’ଙ୍କ ପୁସ୍ତକମାନଙ୍କରୁ ଅନେକ କବିତା ଆବୃତି କରି ଶ୍ରୋତାମାନଙ୍କୁ ଆପ୍ୟାୟିତ କରିପାରିଥିଲେ, ଯାହାକି ମଝିରେ ମଝିରେ ହାସ୍ୟରୋଳ ସୃଷ୍ଟି କରିଥିଲା‌। ସେ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ପ୍ରେମ, ଶ୍ରଦ୍ଧା ଓ ଏହିପରି ଅନେକ ଭାବ ସମସ୍ତ ଭାଷା ଓ ଧର୍ମରେ ସମାନ। ତା’ଛଡ଼ା ଏକ ନାମକରଣ ମଧ୍ୟ ସମସ୍ତ ଧର୍ମରେ ଥାଇପାରେ। ତେଣୁ ନାମକୁ ନେଇ କେଉଁ ଧର୍ମ ଭଲ ବା ଖରାପ, ଆଲୋଚନା କରିବା ଉଚିତ ନୁହେଁ। ତା’ଙ୍କର ପୁସ୍ତକ “କାନାଡ଼ା -ଏକ ପ୍ରେମକଥା”କୁ ଶ୍ରୀମତୀ ରାୟ ଉନ୍ମୋଚନ କରିଥିଲେ। ଏଥିରୁ ସେ ଗୋଟିଏ କବିତା “ଭାବ ଭୂମିରେ ପ୍ରବାସିନୀ” ମଧ୍ୟ ପଢ଼ି ଶୁଣାଇଥିଲେ।
ଶ୍ରୀମତୀ ପ୍ରତିଭା ରାୟଙ୍କର ଭାଷଣ ଅତ୍ୟନ୍ତ ସାରଗର୍ଭକ ଥିଲା ଓ ଶ୍ରୋତାମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା; ଯାହାକି ସେ ଗୋଟିଏ ପରେ ଗୋଟିଏ ବିଷ୍ଳେଷଣ କରି ଉତ୍ତର ଦେଇଥିଲେ। ସେ କହିଲେ ଯେ ଜଣକୁ ସୁଲେଖକ ହେବାକୁ ହେଲେ ସେ ସମାଜର ସବୁ ସ୍ତରର ଲୋକଙ୍କ ସହିତ ମିଶି ସେମାନଙ୍କର ଚାଲିଚଳନ ଓ ଭାଷାକୁ ଜାଣିବାକୁ ପଡ଼ିବ।
ପରିଶେଷରେ ପରାଶର ମିଶ୍ର, ଗଗନ ପାଣିଗ୍ରାହୀ ଓ ପ୍ରଶାନ୍ତ ଭୂୟାଁ ଓଡ଼ିଆ ସାହିତ୍ୟର ସାମ୍ପ୍ରତିକ ସ୍ଥିତି ବିଷୟରେ ନିଜର ମନ୍ତବ୍ୟ ଦେଇଥିଲେ। ମୁଖ୍ୟ ଅତିଥି୍ ଓ ମୁଖ୍ୟ ବକ୍ତାଙ୍କୁ ସଙ୍ଗଠନ ତରଫରୁ ସଭାପତି ମାନପତ୍ର ପ୍ରଦାନ କରିଥିଲେ। ସମଗ୍ର ସନ୍ଧ୍ୟାଟି ବେଶ୍‌ ଉପଭୋଗ୍ୟ ଥିଲା ଓ ସମସ୍ତ ଉପସ୍ଥିତ ଶ୍ରୋତା ପରମ ସାରସ୍ବତ ଆନନ୍ଦ ଅନୁଭବ କରିପାରିଥିଲେ। ଏହି କାର୍ଯ୍ୟକ୍ରମକୁ ଗଗନ ବିହାରୀ ପାଣିଗ୍ରାହୀ ଓ ପରାଶର ମିଶ୍ର ପରିଚାଳନା କରିଥି୍ଲେ। ଏହାକୁ ‘କାନୋସା ବୋର୍ଡ’ ଆୟୋଜନ କରିଥିଲେ।

ବର୍ଷୀୟାନ ଶିଶୁ ସାହିତ୍ୟିକା ଓ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

୮୬ ବର୍ଷ ବୟସରେ ମହାପ୍ରୟାଣ

ଓଡ଼ିଆ ଚଳଚିତ୍ରର ଅନେକ କାଳଜୟୀ ଗୀତ, ଯଥା, “ରକତ ଟଳମଳ ଖଇର ପାଞ୍ଚପଳ …” (ମଲାଜହ୍ନ), “କାଳିଆ ଆସିଲା ଭାଇ କାଳିଆ ଆସିଲା …”, “ସେ ତ ଭକତ ଭାବରେ ବନ୍ଧା …” (ଶ୍ରୀ ଜଗନ୍ନାଥ), “ନିରିମାଖୀ କୁଆଁରୀ ମୁଁ … ” (ତଅପୋଇ) ଆଦିର ସୁପ୍ରସିଦ୍ଧ ରଚୟିତା ବିନୋଦିନୀ ଦେବୀ ଆଉ ନାହାନ୍ତି। ଅକ୍ଟୋବର ୧୬ ତାରିଖ ଦିନ ଅନୁଗୋଳ ଠାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତା’ଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ।
ତା’ଙ୍କ କଲମରୁ ସୃଷ୍ଟ ଅନେକ ଅନବଦ୍ୟ ଗୀତ ଓଡ଼ିଆ ଗୀତିକବିତା ଓ ଶିଶୁ ସାହିତ୍ୟ ସମ୍ଭାରକୁ ସମୃଦ୍ଧ କରିଛି। ସେ ଓଡ଼ିଆ ସିନେ-ଜଗତର ପ୍ରଥମ ମହିଳା ଗୀତିକାର ଥିଲେ, ତଥା ଆକାଶବାଣୀର ସ୍ଵୀକୃତିପ୍ରାପ୍ତ ଗୀତିକାର ମଧ୍ୟ ଥିଲେ। ତାଙ୍କର ପ୍ରକାଶିତ ପୁସ୍ତକଗୁଡିକ ମଧ୍ୟରେ ‘ଖୋକାଟିଏ ଖୋକିଟିଏ’ (ଶିଶୁଗୀତି ସଂକଳନ, ୧୯୮୬), ‘ଅମୃତାଭକ୍ତି’ (ଗୀତ ସଂକଳନ, ୧୯୯୬), ‘ଟିକି ଟିକି ନାଲି କାଇଁଚ’ (ଶିଶୁଗୀତି ସଂକଳନ, ୧୯୯୯), ‘ଏ‍ଇ କଳା ମୋର କଳଙ୍କ’ (ଆଧୁନିକ ଗୀତ ସଂକଳନ, ୨୦୦୦) ଅନ୍ୟତମ।
ତାଙ୍କର ମୃତ୍ୟୁରେ ଓଡ଼ିଆ ସାହିତ୍ୟ ତଥା ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶାର ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀଙ୍କ ଦେହାନ୍ତ ବିଷୟରେ ଜାଣି ସେ ଦୁଃଖିତ। ଓଡ଼ିଆ ଚଳଚ୍ଚିତ୍ର ଏବଂ ସଙ୍ଗୀତ ଜଗତରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ।

କଥାକାର ଅଚ୍ୟୁତାନନ୍ଦ ପତିଙ୍କ ୯୭ତମ ଜନ୍ମବାର୍ଷିକୀ ଉପଲକ୍ଷେ ସାରସ୍ଵତ ସମାରୋହ

ସମାରୋହରେ ମଂଚାସୀନ ଅତିଥିଗଣ

ବର୍ଷୀୟାନ କଥାକାର ଅଚ୍ୟୁତାନନ୍ଦ ପତିଙ୍କ ୯୭ତମ ଜନ୍ମଦିବସ ଉପଲକ୍ଷେ ଅକ୍ଟୋବର ୧୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରର ବୁଦ୍ଧମନ୍ଦିର ସଭାଗୃହଠାରେ ଏକ ସାରସ୍ଵତ ସମାବେଶ ତଥା ଗଳ୍ପ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଗିରୀଶ ଚନ୍ଦ୍ର ସାହୁଙ୍କୁ ୨୦୨୩ ମସିହାର ‘ଅଚ୍ୟୁତାନନ୍ଦ ପତି ଗଳ୍ପ ସମ୍ମାନ’ ପ୍ରଦାନ କରାଯାଇଥିଲା। କଥାକାର ଅଚ୍ୟୁତାନନ୍ଦ ପତି ସ୍ଵହସ୍ତରେ ତାଙ୍କୁ ଏହି ସମ୍ମାନ ଅର୍ପଣ କରିଥିଲେ। ସମାରୋହଟିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବରିଷ୍ଠ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟ ବକ୍ତାର ଭୂମିକାରେ ଥିଲେ ସୁପରିଚିତ ସାହିତ୍ୟିକ ଓ ସୁବକ୍ତା ଦାଶ ବେନହୁର ଏବଂ ସଭାପତିତ୍ବ କରିଥିଲେ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି।
ପୁରସ୍କାରରେ ସମ୍ମାନିତ ସାହିତ୍ୟିକ ଗିରୀଶ ଚନ୍ଦ୍ର ସାହୁ ସମ୍ବର୍ଦ୍ଧନାର ଉତ୍ତର ଦେଇ ବର୍ଷୀୟାନ ଲେଖକ ଅଚ୍ୟୁତାନନ୍ଦ ପତିଙ୍କର ୯୭ତମ ଜନ୍ମଦିନ ଉପଲକ୍ଷେ ସମ୍ମାନିତ ହୋଇଥିବାରୁ ନିଜର କୃତଜ୍ଞତା ପ୍ରକାଶ ପୂର୍ବକ କାମନା କରିଥିଲେ ଯେ ସେ ଶୀଘ୍ର ଶତାୟୁ ହୁଅନ୍ତୁ।
ମୁଖ୍ୟ ଅତିଥି ଦେବୀ ପ୍ରସନ୍ନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଆରେ ସାମ୍ପ୍ରତିକ ଗଳ୍ପ କହିଲେ, ପ୍ରଥମେ ଅଚ୍ୟୁତାନନ୍ଦ ପତିଙ୍କର ନାମ ଆସେ। ମୁଖ୍ୟବକ୍ତା ଦାଶ ବେନହୁର ନିଜ ଅଭିଭାଷଣରେ କହିଥିଲେ ଯେ ଅଚ୍ୟୁତାନନ୍ଦ ପତି ଜଣେ କାଳଜୟୀ ଗଳ୍ପପୁରୁଷ ଭାବରେ ସୁପରିଚିତ। ମାନବେତର ଚରିତ୍ରମାନଙ୍କୁ ନେଇ କଥାବସ୍ତୁର ସର୍ଜନା ତା’ଙ୍କର ଅଧିକାଂଶ ଗଳ୍ପର ବିଶେଷତ୍ଵ। ସେ ଅଳ୍ପ କଥାରେ ନିଜ ଗଳ୍ପର ନିର୍ଯ୍ୟାସକୁ ପାଠକ ସମ୍ମୁଖରେ ପ୍ରକାଶ କରିଥା’ନ୍ତି।
ଏହି ଅବସରରେ ନିଜର ଭାବନା ବ୍ୟକ୍ତ କରି କଥାକାର ଅଚ୍ୟୁତାନନ୍ଦ ପତି କହିଥିଲେ ଯେ ସଂକ୍ଷିପ୍ତପଣିଆ ହିଁ ଭାବ ପ୍ରକାଶର ମୁଖ୍ୟ ଆଧାର ହେବା ଉଚିତ। ସେ ମଧ୍ୟ କହିଲେ ଯେ ‘ବିଫଳତା’ ବୋଲି ଥିବା ଗୋଟିଏ ଶବ୍ଦକୁ ସେ କେବେ ଗ୍ରହଣ କରନ୍ତି ନାହିଁ। ନିଜର ମରଣ ପାଇଁ ସେ କେବେ ବି ଚିନ୍ତିତ ନଥା’ନ୍ତି ଏବଂ ଜୀବନରେ ଅହରହ ସେ ଈଶ୍ଵରଙ୍କ ସହ ଯୁଦ୍ଧ କରି ଆସିଥାଆନ୍ତି।
ନିଜର ଅଧ୍ୟକ୍ଷୀୟ ଅଭିଭାଷଣରେ ‘ପୌରୁଷ’ ର ସମ୍ପାଦକ ଅସିତ ମହାନ୍ତି କହିଥିଲେ ଯେ ୧୯୮୦ ମସିହାରେ ସମାବେଶ ପତ୍ରିକାର ସମ୍ପାଦନା ସହିତ ସଂପୃକ୍ତ ଥିବା ବେଳୁଁ ହିଁ ସେ ଅଚ୍ୟୁତାନନ୍ଦ ପତିଙ୍କ ଅନନ୍ୟ ବ୍ୟକ୍ତିତ୍ବ ଓ ରଚନାଧାରା ଦ୍ବାରା ପ୍ରଭାବିତ ହୋଇ ଆସିଛନ୍ତି। ଏହି ସଭାରେ ‘ଗୋକର୍ଣିକା’ର ସମ୍ପାଦକ ରମାକାନ୍ତ ଜେନା, ସୁଲେଖିକା କବିତା ବାରିକ, ଗାଳ୍ପିକ ରବି ପଣ୍ଡା, ଗାଳ୍ପିକ ସୀତେଶ ତ୍ରିପାଠୀ, ଗାଳ୍ପିକ ରବିନାରାୟଣ ଦାଶ, ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ଜଗନ୍ନାଥ-ଗବେଷକ ଓ ପ୍ରକାଶକ ପୀତବାସ ରାଉତରାୟ, ସାହିତ୍ୟ ସଂକଳକ ସରଳ କୁମାର ଦାସ, ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ, ସୁଲେଖିକା ସୁନନ୍ଦା ପ୍ରଧାନ, ଗାଳ୍ପିକା ଜୟନ୍ତୀ ସାହୁ, ସୁଲେଖକ ଉତ୍ପଳ ପତି ତଥା ‘ଶିଳାଲିପି’ର କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ବେହେରା ପ୍ରମୁଖ ମଧ୍ୟ ସଭାମଂଚରେ କଥାକାର ଅଚ୍ୟୁତାନନ୍ଦ ପତିଙ୍କୁ ତାଙ୍କର ୯୭ତମ ଜନ୍ମଦିବସ ଉପଲକ୍ଷେ ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିଥିଲେ। ଅଚ୍ୟୁତାନନ୍ଦ ପତିଙ୍କର କନ୍ୟା ସୁଜାତା ପତି ସ୍ବରଚିତ କବିତା ପୁସ୍ତକ ‘ଭିଜାମାଟିର ବାସ୍ନା’ ମଂଚାସୀନ ଅତିଥିମାନଙ୍କୁ ଅର୍ପଣ କରିଥିଲେ। ‘ଯୁଗ ପ୍ରବର୍ତ୍ତକ’ର ସମ୍ପାଦକ ରାଜେନ୍ଦ୍ର ବର୍ମା ଓ ‘ଶିଳାଲିପି’ର ମୁଖ୍ୟ ସମ୍ପାଦକ ଡା. ସର୍ବେଶ୍ଵର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।

9 thoughts on “ସାହିତ୍ୟ ଜଗତର ସମ୍ବାଦ

  1. ଅଶେଷ ଧନ୍ୟବାଦ ଓ ସମ୍ମାନ ଜଣାଉଛି

  2. ଖୁବ ସୁନ୍ଦର ପ୍ରୟାସ , ବହୁତ ବହୁତ ଧନ୍ୟବାଦ।

  3. ସାହିତ୍ୟ ସମାଚାର ମାଧ୍ୟମରେ ସାହିତ୍ୟ ବିଷୟରେ ତଥ୍ୟ ମିଳି ପାରୁଛି।

  4. ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।ସାହିତ୍ୟର ପ୍ରତିଟି ଖବର ଏଥିରେ ଦୃଶ୍ୟମାନ।

  5. ଖୁବ ଉପାଦେୟ, ଧନ୍ୟବାଦ ପ୍ରଣାମ |

  6. ବନ୍ଧୁଘର ସାହିତ୍ୟ ପିଣ୍ଡାର ଖବରଟି ଦେଖି ଖୁସି ହେଲି ବନ୍ଧୁ!💐

  7. ‘ସାହିତ୍ୟଚର୍ଚ୍ଚା’ ପରି ନିରୋଳା ସାହିତ୍ୟ ସଂପୃକ୍ତି ସମ୍ପ୍ରତି ବିରଳ! ନୂଆ ପରିକଳ୍ପନା ସହ ସାହିତ୍ୟର ଦୈନନ୍ଦିନୀକୁ ସାଉଁଟି ଆଣି ପାଠକଙ୍କ ପାଖରେ ରଖିବା କମ କଷ୍ଟକର ନୁହେଁ।
    ଏଥି ନିମନ୍ତେ ସଂପାଦକ ମହୋଦୟଙ୍କୁ ସାଧୁବାଦ ଜଣାଉଛି।

  8. ମୋତେ ଏହି ପୃଷ୍ଠାଟି ବହୁତ ଭଲ ଲାଗିଲା । ସାହିତ୍ୟ ଜଗତର ସବୁ ଖବର ଏଥିରେ ଗଚ୍ଛିତ । ଧନ୍ୟବାଦ ସାହିତ୍ୟ ଚର୍ଚ୍ଚା।

Leave a Reply

Your email address will not be published. Required fields are marked *