ଏ ଗପର ପରିଣତି କ’ଣ ହୋଇଥିବ? ଯାହା ଭୁଲ୍ ହେବାର ଥିବ, ତାହା ଭୁଲ୍ ହିଁ ହେବ।

‘ଏ’ହେଉଛି ପୁଅ ଆଉ ‘ବି’ ହେଉଛି ଝିଅ। ଗୋଟିଏ ଅଫିସରେ ଦିହେଁ କାମ କରନ୍ତି। ଅଫିସରେ ହିଁ ଦୁହିଁଙ୍କ ପରିଚୟ। ପରିଚୟ ହେବାର କିଛିଦିନ ଭିତରେ ଧୀରେ ଧୀରେ ‘ଏ’ ଆଉ ‘ବି’ ମଧ୍ୟରେ ଦୂରତା କମି କମିଗଲା। ଦୁହେଁ ଦୁହିଁଙ୍କର ନିକଟତର ହେଲେ। ଆଉ ଦୁହେଁ ପରସ୍ପରକୁ ଭଲପାଇବସିଲେ। ଦୁହେଁ ଦୁହିଁଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଲାଗିଲେ।
ଉଭୟେ ଉଭୟଙ୍କୁ ଭଲ ଭାବରେ ଚିହ୍ନି ସାରିବା ପରେ ବର୍ଷେ ଦୁଇ ବର୍ଷ ଭିତରେ ବିବାହ କରିନେବାକୁ ସ୍ଥିର କଲେ। ଥରେ ଦୁହେଁ ଅଫିସରୁ ଛୁଟି ନେଇ ସହରଠାରୁ ଦେଢ଼ଶହ କିଲୋମିଟର ଦୂରରେ ଥିବା ଗୋଟେ ସମୁଦ୍ରକୂଳ ସହରକୁ ଗଲେ। ହୋଟେଲରେ ରହିଲେ। ରାତିରେ ଦୁହେଁ ସାଙ୍ଗ ହୋଇ ବିଅର ପିଇଲେ ଓ ପ୍ରଥମଥର ପାଇଁ ଶାରୀରିକ ସଂପର୍କ ସ୍ଥାପନ କଲେ।
ଏମିତି କିଛି ଦିନ ବିତିଗଲା। ଦୁହିଁଙ୍କ ମଧ୍ୟରେ ସଂପର୍କ ଜାରି ରହିଥାଏ। ଦିନେ ଗୋଟେ କାଫେରେ ଦିହେଁ ବସିଥାନ୍ତି। ଏଇ ସମୟରେ ‘ବି’ କହିଲା- ମର୍ଫିଙ୍କ ନିୟମ କହୁଛି – ଏନିଥିଙ୍ଗ ଦାଟ୍ କ୍ୟାନ୍ ଗୋ ରଙ୍ଗ୍ ୱିଲ୍ ଗୋ ରଙ୍ଗ୍ – ଯାହା ଭୁଲ ହେବାର ଥିବ, ତାହା ଭୁଲ ହିଁ ହେବ। ମୁଁ ଏଥିରେ ସଂପୂର୍ଣ୍ଣ ବିଶ୍ୱାସୀ। ତମେ? ‘ଏ’ ଉଦ୍ଦେଶ୍ୟରେ ପ୍ରଶ୍ନକଲା ‘ବି’।
ଛାଡ଼ ସେ କଥା। ଆଉ କିଛି କୁହ। ପ୍ରଶ୍ନଟିକୁ ଏଡ଼ାଇ ଯିବା ଉଦ୍ଦେଶ୍ୟ ରଖି ‘ଏ’ ଏମିତି କହିଲା।
ନା, ନା। ଏଡ଼ାଇଗଲେ ହେବନି। ତମକୁ କହିବାକୁ ହିଁ ପଡ଼ିବ। ଅଝଟ କଲା ‘ବି’।
ଶେଷରେ ‘ବି’ର ଜିଦ୍ ଆଗରେ ହାରିଗଲା ‘ଏ’। ବାଧ୍ୟ ହେଲା ପାଟି ଖୋଲିଲା କହିବାକୁ।

‘ଏ’ କହିଲା- ଜାଣିଚ, ମର୍ଫିଙ୍କ ନିୟମର ଗୋଟେ ଓଲଟା ନିୟମ ବି ଅଛି। ଅପୋଜିଟ୍ ଅଫ୍ ମର୍ଫିସ୍ ଲ’। ତାକୁ କେତେକ ୟୁପ୍ରମସ୍ ଲ’ ବୋଲି ଉଚ୍ଚାରଣ କରନ୍ତି। ଏଭ୍ରିଥିଙ୍ଗ ଦାଟ କ୍ୟାନ ୱାର୍କ, ୱିଲ ୱାର୍କ। ‘ଯାହା ଠିକ୍ ଭାବରେ ହେବାର ଥିବ, ତାହା ଠିକ୍ ହିଁ ହେବ’। ମୁଁ ଏଥିରେ ବିଶ୍ୱାସୀ।
‘ବି’ କିନ୍ତୁ ‘ଏ’ଠାରୁ ଏମିତି ଉତ୍ତର ଆଶା କରିନଥିଲା। ସେ ଆଶା କରିଥିଲା ତା’ ପ୍ରଶ୍ନ ଶୁଣି ‘ଏ’ କହି ଉଠିବ- ୟେସ୍ ବେବି ! ତମେ ଯେମିତି ଭାବୁଚ ମୁଁ ବି ସେମିତି ଭାବୁଚି ବେବି। ହେଲେ ‘ଏ’ର ଉତ୍ତର ଶୁଣି ମର୍ମାହତ ହେଲା ‘ବି’। ଆଉ ଏହି କଥାକୁ ନେଇ ଦୁହିଁଙ୍କ ଭିତରେ ଆରମ୍ଭ ହେଲା ତୁମ୍ବିତୋଫାନ।
ମର୍ଫିଙ୍କ ନିୟମ, ୟୁପ୍ରମସ୍ଙ୍କ ନିୟମରୁ କଥା ବାହାରି ବ୍ୟକ୍ତିଗତ ସ୍ତରକୁ ଚାଲିଗଲା କଥା। ଅବଶ୍ୟ ମର୍ଫିଙ୍କ ନିୟମକୁ ନେଇ ‘ବି’ ଥିଲା ଅଧିକ ଆକ୍ରାମକ। ଯଥା ସମ୍ଭବ ନିଜକୁ ଶାନ୍ତ ରଖିବାକୁ ପ୍ରୟାସ ଜାରି ରଖିଥାଏ ‘ଏ’।
ରାଗରେ ଭିତରେ ଭିତରେ ଜଳିଯାଉଥାଏ ‘ବି’। ଥିଲା ଥିଲା କହିଉଠିଲା- ମୋତେ ଲାଗୁଚି, ଆମର ବାହା ହେବାଟା ମଧ୍ୟ ଏଇ ମର୍ଫିଙ୍କ ନିୟମ ଭଳି ହେବ। ଏନିଥିଙ୍ଗ ଦାଟ୍ କ୍ୟାନ୍ ଗୋ ରଙ୍ଗ୍ ୱିଲ୍ ଗୋ ରଙ୍ଗ୍। ଏ ବିବାହ ତିଷ୍ଠିବ ନାହିଁ। ତେଣୁ ଆମେ ପରସ୍ପରଠୁ ଦୂରେଇଯିବା ଉଚିତ।
‘ବି’ର କଥା ଶୁଣି ପ୍ରଚଣ୍ଡ ଭାବରେ ରାଗିଗଲା ‘ଏ’। ଉତ୍ତ୍ୟକ୍ତ ହୋଇ ଚିତ୍କାର କରିଉଠିଲା- ଆରେ ପାଗଳ ନା କ’ଣ? ଆମ ବିବାହ ଭିତରକୁ ଏ ମର୍ଫିଙ୍କ ନିୟମ ବା ଆସିଲା କୁଆଡୁ। ତମେ ଏତେ ନେଗେଟିଭ କାହିଁକି? ତମେ ଏମିତି ବି ଭାବି ପାରିଥାନ୍ତ- ଏଭ୍ରିଥିଙ୍ଗ ଦାଟ୍ କ୍ୟାନ୍ ୱାର୍କ, ୱିଲ୍ ୱାର୍କ। ଆୱାର ମ୍ୟାରେଜ ୱିଲ ୱାର୍କ। ଆମ ବାହାଘର ଚିରସ୍ଥାୟୀ ହେବ। … ତମର କ’ଣ ହିତାହିତ ଜ୍ଞାନ ବୋଲି କିଛି ନାହିଁ? ଏତେ ନିରାଶାବାଦୀ କାହିଁକି ତମେ? ଆଇ ଆମ ରିଅଲ୍ଲି ଫେଡ ଅପ୍। ରାଗରେ ଏସବୁ ବାହାରିଗଲା ‘ଏ’ ମୁହଁରୁ।
‘ଏ’ କଥା ନସରୁଣୁ ଗର୍ଜି ଉଠିଲା ‘ବି’। ଓ, ସତକଥା ତା’ହେଲେ ତମ ମୁହଁରୁ ବାହରିଗଲା। ମୁଁ ବି ଦେଖୁଚି ବେଶ କିଛିଦିନ ହେବ ତମେ ଆଉ ଆଗଭଳି ନାହଁ। ସେଦିନ ସେ ହୋଟେଲରୁ ଫେରିଲା ପରଠୁ ମୁଁ ବି ମାର୍କ କରିଛି। ସତରେ ମୋର ମସ୍ତବଡ଼ ଭୁଲ ହେଇଗଲା। ସେଦିନ ମୁଁ ସରେଣ୍ଡର କରିବାର ନଥିଲା।
ହାଓ ମିନ୍ ୟୁ ଆର୍। ମୁଁ ତମକୁ କ’ଣ ବୋଲି ଭାବିଥିଲି ଆଉ ଦେଖିଲା ବେଳକୁ ତମେ ଏତେ ଚିପ୍। ଛିଃ। ତମକୁ ଜାଣିବାରେ ମୋର ଭୁଲ ହେଇଗଲା। ସତରେ ତମେ ମୋ’ ପାଇଁ ଆଦୌ ଯୋଗ୍ୟ ନୁହଁ। ରାଗରେ ଥରି ଥରି କ’ଣ ନା କଣ କହିଗଲା ‘ଏ’।
ଏବେ ବି ମୁଁ କହୁଛି, ଏଇ ମର୍ଫିଙ୍କ ନିୟମ ହିଁ ଠିକ୍। ମୁଁ ତ ଚାହିଁବି ତମଭଳି ଗୋଟେ ଇତର ନପୁଂସକ ମୋତେ କ’ଣ, ମୋର କୌଣସି ଦୂର ପରିଚିତକୁ ମଧ୍ୟ ବାହା ନହେଉ ବୋଲି। ଏସବୁ କହିଲା ବେଳେ ‘ବି’ର ଚେହେରା ପୂରା ଲାଲ ହୋଇଉଠୁଥିଲା।
କଥା ଏତେ ବଢ଼ିଗଲା ଯେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହେଇଗଲା। ଦୁହେଁ ଅଫିସରେ ପରସ୍ପର ଆଡ଼କୁ ଚାହିଁବା ବି ବନ୍ଦ କରିଦେଲେ। ହଠାତ ଦିନେ ‘ଏ’ ଚାକିରିରୁ ଇସ୍ତଫା ଦେଇଦେଲା। ଏପରିକି ସେ ସେଇ ସହର ଛାଡ଼ି କୁଆଡ଼େ ଚାଲିଗଲା। ଦୁହେଁ ଦୁହିଁଙ୍କଠାରୁ କେବଳ ଦୂରେଇଗଲେ ନାହିଁ, ପୁଣି ଥରେ ସତେ ଯେପରି ଅପରିଚିତ ପାଲଟି ଗଲେ।
‘ଏ’ ଅନ୍ୟ ଏକ ଖୁବ ଦୂରବର୍ତ୍ତୀ ସହରରେ ଆଉ ଏକ କଂପାନୀରେ ଯୋଗ ଦେଲା। ସେଇ ଅଫିସରେ ‘ସି’ ନାମକ ଝିଅଟିଏ ଚାକିରି କରୁଥାଏ। ‘ସି’ କ୍ରମେ ‘ଏ’ ପ୍ରତି ଆକୃଷ୍ଟ ହୋଇପଡ଼ିଲା। ପ୍ରଥମେ ପ୍ରଥମେ ‘ଏ’ ପୁଣି ଥରେ ପ୍ରେମରେ ପଡ଼ିବାକୁ ଚାହୁଁ ନଥିଲା। ହେଲେ ‘ସି’ର ଅଝଟ ଓ ନିରୀହ ପଣ ଆଗରେ ହାର ମାନିବାକୁ ଲାଗିଲା। ଦିନେ ‘ଏ’ ନିଜର ବିଗତ ପ୍ରେମ ସଂପର୍କ ବିଷୟରେ ‘ସି’କୁ କହିଲା। ‘ସି’ର ସେସବୁ ପୁରୁଣା କଥା ଶୁଣିବାରେ ଆଦୌ ଆଗ୍ରହ ନଥିଲା। ଏପରିକି ଯେତେବେଳେ ମର୍ଫିଙ୍କ ନିୟମ ଓ ୟୁପ୍ରମସ୍ଙ୍କ ନିୟମ କାରଣରୁ ‘ଏ’ର ପ୍ରେମିକା ସଂପର୍କ କାଟିଦେଲା ବୋଲି ଶୁଣିଲା ସେ ବହେ ହସିଲା। ହସି ହସି ସେ କହିଲା- ମୋ’ ପାଇଁ ତ ନିୟମ ସବୁ ବେଳେ ନିୟମ। ଯେତେବେଳେ ଯୋଉଟା ସୁହେଇଲା ସେଇଟା ଠିକ୍, ଆରଟା ଢ଼ୋ – ଏମିତି ହାଲକା ମତଟିଏ ଦେଇ ହସି ହସି ‘ଏ’ ଉପରେ ଲୋଟିପଡ଼ିଲା। ‘ସି’ର ଏଇ ଚପଳତା ପାଖରେ ‘ଏ’ ଏଥର ସଂପୂର୍ଣ୍ଣ ହାରିଗଲା ଓ ପୁଣି ଥରେ ପ୍ରେମରେ ପଡ଼ିଗଲା।

ଏଥର ‘ଏ’ ଆଉ ଡ଼େରି କରିବାକୁ ଚାହୁଁନଥିଲା। ଶୀଘ୍ର ବାହା ହୋଇଯିବାକୁ ଚାହୁଁଥିଲା। ତେଣୁ ସେ ‘ସି’କୁ ଖୋଲିକରି ନିଜ ମନକଥା କହିଦେଲା। ‘ସି’ ମଧ୍ୟ ‘ଏ’କୁ ହାତଛଡ଼ା କରିବାକୁ ଚାହୁଁ ନଥିଲା। ଶେଷରେ ନିଜ ଘରେ ସବୁ କଥା କହି ବାପା-ମା’ଙ୍କୁ ରାଜି କରାଇବାକୁ ଦାୟିତ୍ୱ ନେଇ ‘ସି’ ଛୁଟି ପାଇଁ ଆବେଦନ କଲା। ତାକୁ ଛୁଟି ମିଳିଗଲା ଓ ସେ ଛୁଟି ନେଇ ଘରକୁ ଗଲା।
‘ସି’ର ଘରଲୋକଙ୍କର ଝିଅ କଥାରେ ଅରାଜି ହେବାର କିଛି କାରଣ ନଥିଲା। କେବଳ ଗୋଟିଏ ସମସ୍ୟା ଥିଲା। ‘ସି’ର ଜଣେ ବଡ଼ ଭଉଣୀ ଥିଲା, ଯିଏକି ଏଯାଏଁ ବାହା ହୋଇନଥିଲା। ସେପଟେ କିନ୍ତୁ ‘ସି’ ଅପେକ୍ଷା କରିବା ଅବସ୍ଥାରେ ନଥିଲା। ତେଣୁ ନିଜର ବଡ଼ଝିଅଠାରୁ ତାର ମତାମତ କଣ ଜାଣିବା ପାଇଁ ବାପା ତାକୁ ଫୋନକଲେ। ‘ସି’ ସଂପର୍କରେ ସବୁକଥା କହିସାରି ଝିଅକୁ ପଚାରିଲେ- ଆରେ ମାମା, ତୋ’ କଥା କ’ଣ କରିବା? ବାପା ଯେ ସତରେ କ’ଣ ପଚାରିବାକୁ ଚାହୁଁଛନ୍ତି ବଡ଼ଝିଅ ବୁଝିଗଲା। ସେ ଅତି ଥଣ୍ଡା ସ୍ୱରରେ କହିଲା- ବାପା, ମୁଁ ଅବିକା ବିବାହ ସଂପର୍କରେ କିଛି ସ୍ଥିର କରିନାହିଁ। ତେଣୁ ମୋତେ ଅପେକ୍ଷା ନ କରି ତମେ ପ୍ରଥମେ ଆମ ସାନର ବାହାଘର କରିଦିଅ। ଆଜିକାଲି ତ ଆଉ ସେ ପୁରୁଣା ଯୁଗନାହିଁ, ତେଣୁ ସବୁ ଚଳୁଛି। ବଡ଼ଝିଅର ରୋକ୍ଠୋକ୍ କଥା ପରେ ବାପା ସାନଝିଅର କଥାରେ ରାଜି ହୋଇଗଗଲେ। ତେବେ ବିବାହ ପୂର୍ବରୁ ଥରୁଟେ ‘ଏ’କୁ ଦେଖିବା ପାଇଁ ଓ କଥାବାର୍ତ୍ତା କରିବା ପାଇଁ ‘ସି’ର ବାପା ସର୍ତ୍ତ ରଖିଲେ।
‘ସି’ ଏ କଥା ‘ଏ’କୁ ଜଣାଇଲା ଓ ‘ଏ’ ମଧ୍ୟ ଏଥିରେ ରାଜି ହୋଇଗଲା। କେଉଁ ତାରିଖରେ ‘ଏ’ ଯାଇ ‘ସି’ର ସହରରେ ପହଞ୍ଚିବ ସେ କଥା ମଧ୍ୟ ସ୍ଥିର ହୋଇଗଲା। ସେଇ ଦିନଟି ଆସିଗଲା ଓ ଠିକ୍ ସମୟରେ ‘ଏ’ ଯାଇ ‘ସି’ ଘରେ ପହଞ୍ଚିଗଲା। ‘ସି’ର ଉପସ୍ଥିତିରେ ‘ଏ’ ସହ ଅଳ୍ପ ସମୟ କଥାହୋଇ ବେଶ୍ ଖୁସି ହୋଇଗଲେ ତାର ବାପା। କଥାବାର୍ତ୍ତା ଜମି ଆସୁଛି, ଏଇସମୟରେ ‘ଏ’କୁ ଆପ୍ୟାୟିତ କରିବା ପାଇଁ ଜଳଖିଆ ସାମଗ୍ରୀ ଟ୍ରେ ଧରି ପ୍ରବେଶ କଲା ‘ସି’ର ବଡ଼ ଭଉଣୀ। ‘ଏ’ ଉପରେ ନଜର ପଡ଼ିବା କ୍ଷଣି ସେ ଚମକି ଉଠିଲା। ସେପଟେ ବଡ଼ ଭଉଣୀକୁ ଦେଖି ‘ଏ’ କାନରେ ଗୁଜଂରିତ ହେଲା ଗୋଟିଏ ବାକ୍ୟ- ମୁଁ ତ ଚାହିଁବି ତମଭଳି ଗୋଟେ ଇତର ନପୁଂସକ ମୋତେ କ’ଣ, ମୋର କୌଣସି ଦୂର ପରିଚିତକୁ ମଧ୍ୟ ବାହା ନହେଉ ବୋଲି। ଆଉ ୟାରି ଭିତରୁ ତା’ ତୁଣ୍ଡରୁ ବାହାରି ପଡ଼ିଲା- ଏଭ୍ରିଥିଙ୍ଗ ଦାଟ୍ କ୍ୟାନ୍ ୱାର୍କ, ୱିଲ୍ ୱାର୍କ।
ଏତିକିରେ ବିଜ୍ଞ ପାଠକେ ବୁଝିଯାଇଥିବେ ଯେ ‘ବି’ ହିଁ ହେଉଛି ‘ସି’ର ବଡ ଭଉଣୀ। ଏହା ପରେ କ’ଣ ସବୁ ଘଟିଥିବ, ଘଟଣାଟି କିଭଳି ମୋଡ଼ ନେଇଥିବ ଏବଂ ଏ ଗପର ପରିଣତି କ’ଣ ହୋଇଥିବ ସେସବୁ ଏ ଲେଖକ ତାର ବିଜ୍ଞ ତଥା ଚିନ୍ତାଶୀଳ ପାଠକଙ୍କ ଉପରେ ଛାଡ଼ି ଦେବାକୁ ଶ୍ରେୟସ୍କର ମଣୁଛି। ଯେମିତି ଜଣେ ଲେଖକର ଗୋଟାଏ ସାମାଜିକ ଦାୟିତ୍ୱବୋଧ ରହିଛି ସେହିଭଳି ସବୁ ପାଠକ ମଧ୍ୟ କିଛି ଚିନ୍ତା ଓ କଳ୍ପନା କରିବା ଆବଶ୍ୟକ ବୋଲି ଏ ଲେଖକ ମନେକରେ। ତେଣୁ ସେ ଏସବୁ ଝାମେଲାରେ ନ ପଶି ଏ ଦାୟିତ୍ୱଟି ତା’ର ପ୍ରିୟ ପାଠକଙ୍କ ଉପରେ ନ୍ୟସ୍ତ କରି ଖସିଯିବାକୁ ସ୍ଥିର କରିଛି।
ତାହେଲେ ପାଠକେ – ଏ ଗପର ପରିଣତି କ’ଣ ହୋଇଥିବ? ଯାହା ଭୁଲ୍ ହେବାର ଥିବ, ତାହା ଭୁଲ୍ ହିଁ ହେବ। – ଏଇ ବାଗରେ ଗପ ଶେଷ ହୋଇଥିବ ନା, ଯାହା ଠିକ୍ ଭାବରେ ହେବାର ଥିବ, ତାହା ଠିକ୍ ହିଁ ହେବ। ଏମିତି ଭାବରେ ଗପର ପରିସମାପ୍ତି ହୋଇଥିବ? ଆପଣ କ’ଣ ଭାବୁଛନ୍ତି ଯେ? ନା ଏ ଦୁଇ ନିୟମକୁ ଛାଡ଼ି ଗପ ଆଉ କେଉଁ ରାସ୍ତାରେ ଖସିଯାଇଥିବ? ଠିକ ଆମ ଜୀବନ ଭଳି ?
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଅତି ବିଜ୍ଞ ଲେଖକ,ଖାନ୍ ସାହାବ୍ ! ନିଜେ କାଦୁଅରେ ନପଶି ଆମର କାଦୁଅରେ ଖେଳିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ପାଠକେ ବି ବିଜ୍ଞ।
ଚମତ୍କାର ଗପ ଜାକିର ବାବୁ! ଅଭିନନ୍ଦନ ଆପଣଙ୍କୁ ଓ ଶୁଭେଚ୍ଛା।
ମର୍ଫି ର ନିୟମ ସେମିତି ତା’ର ଥାଉ ।
ଗପ କିନ୍ତୁ ସିରିଅସ୍ କଥା ।
ସବୁବେଳେ ପାଠକର ଅଥବା ଶ୍ରୋତାର ନିଜ ନିୟମ ଅନୁସାରେ ହିଁ ସରେ ।
ଲେଖକ ହେଉ ବା ଗପ କହୁଥିବା ଲୋକଟି ହେଉ, ସେ ତା’ର ଗପର ପରିଣତିକୁ ଯେଉଁଠି ଯେମିତି ଛାଡ଼ିଦେଉ ନା କାହିଁକି !
୨ ।
ଭଲ ଲାଗିଲା, ବହୁତ ଭଲ ଲାଗିଲା, ଜାକିର୍ ଙ୍କ ଗପ ।
ଏକଥା ତାଙ୍କୁ ମୁଁ କେଜାଣି କେତେଥର, କେତେ ପ୍ରକାରେ, କହିଛି ।
ତାଙ୍କର ପ୍ରତ୍ଯେକ ଟି ଗପ ପଢ଼ିବା ପରେ ।
ଏବେବି କହୁଛି ।
ପାଠକ ଗଳ୍ପର ଗତି ଯେଉଁ ଆଡ଼େ ନେବାକୁ ଚାହିଁବେ ନେଇପାରିବେ।
ହୋଇପାରେ ବି ମାନିଯାଇଥିବେ ନହେଲେ ସି ର ବାହାଘର ଭାଙ୍ଗି ଯାଇଥିବ। ପାଠକ ଯାହା ବିଚାର କରିବେ।
ଗପର ପରିଣତି ଅନେକ ପ୍ରକାର ହୋଇପାରିବ, କିନ୍ତୁ ତାହା ପ୍ରତ୍ୟେକ ପାଠକର ମନରେ ରହୁ, ଆଲୋଚନା ନହେଉ। ଚତୁର ଗାଳ୍ପିକ ସୁନ୍ଦର ସୁସ୍ୱାଦୁ ଦ୍ରବ୍ୟ ପରଷି ଦେଇ ନିଜେ ଲୁଚିଯାଇ ଉହାଡ଼ରୁ ଆମକୁ ଦେଖୁଛନ୍ତି।
ଏ ର ଫିଲୋଶଫି ହେଲା ଏନିଥିଂ ଦ୍ୟାଟ୍ କ୍ୟାନ୍ ୱାର୍କ୍ ୱିଲ ଓ୍ବାର୍କ୍।
ସି ର କିଛି ଫିଲୋଶଫି ହିଁ ନାହିଁ। ଏ କ୍ଷେତ୍ରରେ ସି କୌଣସି ତର୍କ ଦ୍ବାରା ପ୍ରଭାବିତ ହେବନି। ତେଣୁ ବି ର କଥାକୁ ଗୁରୁତ୍ଵ ଦେବା ଲୋକ ହିଁ କେହି ନାହାନ୍ତି। ତେଣୁ ଏ ବିବାହ ହେବ।
ସମାଜ ବହୁତ ପ୍ରାକ୍ଟିକାଲ, ଏଠି ଚଟୁ ଆଇଁଶ ହେଲେ ବେଣ୍ଟ ନିରାଇଁଶ।
ତେଣୁ ବାପା ମଧ୍ୟ ଚାହିଁବେ କାମ ସାରିବାକୁ।
ବହୁତ୍ ଧନ୍ୟବାଦ୍ ଜାକିର ସାର୍ ଆମର ( ପାଠକଙ୍କ) ମତାମତ ଚାହିଁଥିବାରୁ।
ଏ ଓ ସି ବାହା ହେବେ, ବି ର ଶେଷ ମତାମତ ଗୌଣ |ପ୍ରଥମ ପ୍ରେମର ବିଫଳତା ପାଇଁ ଏ ଦାୟୀ ନୁହେଁ, ଅଥଚ ପ୍ରେମ ଓ ବିବାହ ପାଇଁ ଉଭୟ ଏ ଓ ସି ସଫଳ ହେବେ, ସି ର ବାପା ବି ଜଣେ ସମର୍ଥକ |