ଗାଁର ପାଳଭୁତମାନେ ଏବେ ବି ସହରରେ ବଅଂଶ ବଢ଼େଇଛନ୍ତି। ଚାଷଖେତର ଭୁତଙ୍କଠାରୁ ଏମାନେ ସରସିଆ, ଧୋବଧାଉଳିଆ।

ବିନା ପଇସାରେ ମଥୁରାଗମନ? ଅସମ୍ଭବ କଥା। ସବୁ ଅସମ୍ଭବ ବି ବେଳେବେଳେ ‘ବାପରାଣ ଢିଙ୍କିଗିଳ୍’ ନ୍ୟାୟରେ ସମ୍ଭବ ହେଇପାରେ। ଆତୁରିଆ ହେଲେ ଲୋକ ପାପ-ପୁଣ୍ୟ ସରହଦ ଭୁଲିଯାଆନ୍ତି। ଆଉ ଦଳେ ତ ନିଜକୁ ନାନା ପ୍ରକାରେ ଦେଖେଇ ହେବାରେ ବ୍ୟସ୍ତ। ଦଳେ ତ ‘ନୁହନ୍ତି ଯେଡ଼େ; ଦେଖାନ୍ତି ତେଡ଼େ’। ରୋଗିଣୀ ମାଇପ ସିନା ନୂଆ ଶାଢ଼ି ପିନ୍ଧି ନିଜକୁ ପଦାରେ ଚକଚକିଆ ଦେଖାଇହୁଏ, ଭିତରର ପୋକଚରା ଦିହକୁ କିନ୍ତୁ ପାଟଶାଢ଼ିରେ ଢାଙ୍କିଦିଏ, ତେବେ ଡାକତର ପୁଅ ଆଗରେ ନିଜ ରୋଗ ଛିଦ୍ର ଅଧାଅଧାକରି ଖୋଲିଖାଲି ବଖାଣି ପକାଏ।
ଡାକତରଙ୍କ ହାଲ୍
ଡାକତର ତ ପୂରା ଢାଉକା। କେତେକ ଡାକତର ଧନନ୍ତରୀଙ୍କ ମାଉସୀପୁଅ ଭାଇ, ଆଉ କେଇଟା ଅଶ୍ୱିନୀ କୁମାରଙ୍କ ମାମୁପୁଅ। ଲୋକଲଗେଇ, ପାଉଣା ପଣିଦେଇ, ନିଜ ବଡ଼ପଣ ପ୍ରଚାର କରେଇବାରେ ଆଉ ଦଳେ ଡାକତର ନିଜ ବେଉସାରେ ବ୍ୟସ୍ତ। ରୋଗୀ ଜଣେକୁ ଡାକତର ପଣେ। ମଢ଼ଠୁଁ ଶଗୁଣାଏଁ ଅଧିକ। ଜଣେ ଆଖି ଦେଖିବ, ଜଣେ କାନ, ଜଣେ ନାକ ଦେଖିବ, ଆଉ ଜଣେ ନାକପୁଡ଼ାର ରୁମ ବି ସୁମାରି କରିବ। ଜଣେ ବାଆଁଗୋଡ଼ ପେସାଲିଷ୍ଟ, ଜଣେ ଡାହାଣଗୋଡ଼ର ବଡ଼ ବଇଦ। ରୋଗୀ ଆସିଲେ ରକତ, ମଳ, ମୂତ ପରୀକ୍ଷା, କଫ, ସିଂଘାଣି ପରୀକ୍ଷା – ନଖ ପରୀକ୍ଷା, ଚମଡ଼ା ପରୀକ୍ଷା କରେଇ କରେଇ ରୋଗୀକୁ ଦରମରା କରିଦେବେ। ଆଉ ଦଳେ ବି ରୋଗୀ ନିଜ ନାଆଁ ବୟସ ନ କହୁଣୁ, ତା’ ରୋଗ ପାଇଁ ପଥିପାଞ୍ଚଣର ଲମ୍ବା ଚିଠା କରିଦେବେ।

ସହର ସାରା ନାନା କିଳିଣିକି। ଆଗରେ ବଡ଼ବଡ଼ ଅକ୍ଷରରେ ଧନନ୍ତରୀ, ଅଶିଣକୁମାରମାନଙ୍କ ନାମ, ତାଙ୍କ ପାଠ ଠିକଣା। ସମସ୍ତେ ବିଶେଷଜ୍ଞ, ଏକୁ ଆରେକ ତମ୍ବଡ଼ା। କିଳିଣିକିର ଦାଣ୍ଠା କିଳିଣି ଏମାନେ। ଥରେ ପଶିଗଲେ କିଳିଣିରେ ଫଶିଗଲେ, ଫାସିଖାଇ ମଅରମଅର ଅବସ୍ଥା। ଏମାନଙ୍କୁ ଆଣି କିଳିଣିକି ମେନେଜରମାନେ ରୋଗ ଫସଲରେ ପାଳଭୁତ ପରାୟ ଜଗାନ୍ତି। ଚାଷଖେତ ଜଗୁଆଳ ଭାବରେ ଚାଷୀ ତ ଖେତରେ ପାଳଭୁତ ଜଗେଇଚି। ଗୋରୁମୁଣ୍ଡ ଥାପି କପା ବି ତୋଳୁଚି। ପାଳଭୁତକୁ ଭୟକରି ଚଢ଼େଇ, ମାଙ୍କଡ଼, ନେଉଳ, ବିଲୁଆମାନେ ତରକି ଯାଆନ୍ତି। ପାଳଭୁତକୁ ତରକି ଅତି ଚତୁର ବିଲୁଆ ଛାତିରେ ଛନକା ପଶେ। ଏଠି ଡାକତର ବି ପାଳଭୁତ, ୟା’ଙ୍କ ନାଆଁ ଶୁଣି ରୋଗୀ ଆସନ୍ତି, ଆଗେ ପଣି ପାଣିଲାଗି କଲା ପରେ ପଥି-ପାଞ୍ଚଣ ଚିଠା ହେଇଯାଏ ଆପେଆପେ। କାମ୍ପୁଟର ମିସିନ୍ରୁ ଫରଦ ଫରଦ ହେଇ ଆଖୁଖାଇର ଛେଦାଭଳିଆ ନାନା କିସମର ଚିଠା ବାହାରିପଡ଼େ।
ସବୁଠି ପାଳଭୁତ
ସବୁଠି ପାଳଭୁତ। ଦିହପା ସଜାଡ଼ ପାଇଁ ଧନନ୍ତରୀଏ ପାଳଭୁତ, ପାଠଶାଠରେ ବି ବଡ଼ବଡ଼ ପାଳଭୁତଙ୍କ ନାମ। ଭୁତ ସିନା ଭୁତାଏ, ପାଳଭୁତ କିନ୍ତୁ ତରକାଏ, ଡର ପଶାଏ। ସରକାରୀ, ବେସରକାରୀ, ଘରୋଇ ପାଠ ଦୋକାନରେ ପାଳଭୁତ ଭେଳିକି। କୁଚିଙ୍ଗ ଥାନରେ ମାର୍କାମରା ପାଳଭୁତ। ପ୍ରଫେସର ଚୁମ୍ବକେଶ ସାଆରେ ସାକ୍ଷାତ ଶୁଣ୍ଢମାର୍କା ଦନ୍ତା ଗଣେଶ, ପ୍ରଫେସର ରୋଜିରି ମାଡାମ୍, ସରସ୍ୱତୀଙ୍କ ସମାନେ କନିଷ୍ଠ ସିଷ୍ଟର। ଏମାନଙ୍କ ନାମକୁ ପାଳଭୁତ ମେନେଜରମାନେ ବଡ଼ବଡ଼ ହୋଡିଙ୍ଗରେ ଟଙ୍ଗା କରାଇ ପ୍ରଚାର କରାନ୍ତି।

ଏ ତ ଘରୋଇ ପାଠ ଦୋକାନ, କୁଚିଙ୍ଗ୍ ଖେତର ବ୍ୟବସ୍ଥା। ପାଠଠାରୁ ସଂସ୍କୃତି ଖେତରେ ଆଉ ବଡ଼ବଡ଼ ପାଳଭୁତଙ୍କ କାରବାର। ଏଠିବି ବହୁ ପ୍ରକାର ଫନ୍ଦିଫିକର। ଏକଦା ରାଜା ଥିଲେ ନଳ, ଦଇବ ଦୁର୍ଯ୍ୟୋଗରୁ ଘୋଡ଼ା ଘାସ କର୍ତ୍ତନରେ ତାଙ୍କ ଭାଗ୍ୟ ଝୁଲୁଚି। ରାଜା ହରିଶ୍ଚନ୍ଦ୍ର ବି ମଶାଣିଚଣ୍ଡିଆ ହରିଆ ସାଜିଥିଲେ। କିନ୍ତୁ ଏମାନଙ୍କ ରାଜପଣର ମୋହର ଉଠିଗଲା କି? ସେଇ ମୋହରଟାର ଦାଗ ସହଜରେ ଛାଡ଼ିବା ସମ୍ଭବ ନୁହେଁ।
ଏମନ୍ତ ପ୍ରକାର ମଞ୍ଚ ପୁରୁଷେ ବି ଭୂତ ହେବା ପୂର୍ବରୁ ପାଳଭୁତ ହେଇସାରିଛନ୍ତି। କେବଳ ଘରଦୁଆର ମୁହଁର ମୁର୍ଦ୍ଦାରିଆ ଗାର୍ଜନ ଭଳି ଚଉକିରେ ଥାପନା ହୁଅନ୍ତି। ବୟସ୍କା ପେଚା ଭଳିଆ ଚାହିଁ ଜଳକା। ଜୁଳୁଜୁଳୁ ହେଇ ଚଉହଦିକୁ ଅନଉଥିବେ। କ’ଣ କ’ଣ ସବୁ ଠଉର କରିବା ବେଳକୁ ଡୋଳାପୁଅ ତାଙ୍କୁ ସାଥ୍ ଦେଉ ନ ଥିବ। କାଉ ଭଳି ରାଉରାଉ ହେଉଥିବେ, ତାଙ୍କ ପିଲାକବିଲାମାନେ ତାଙ୍କରି ସାମନାରେ ଯାହା କାଣ୍ଡକାରଖାନା ଭିଆଣ କଲେ ବି ତାକୁ ପୂରୁବ ମୁରବୀପଣ ଦେଖାଇ ହାକିମାତିର ହୁକୁମ ଦେବାକୁ ବି ଜିଭଟା ଦାନ୍ତ ଛୁଉଁଥିବ, କିଛି ବି କହିଲେ ଶବଦ ସାଙ୍ଗରେ ପବନ ବି ଫ୍ରିରେ ବାହାରୁଥିବ। ୟା’ ସତ୍ତ୍ୱେ ସେମାନେ ଘରର ବଡ଼ବଡୁଆ, ଗୋସେଁବୋପା କି ବଡ଼ାପା। ଏମାନେ ଦାଣ୍ଡ ଦରଜା, ଦରଆଉଜା।
ଗାଁ’ରୁ ରାଜଧାନୀ
କାହ୍ନୁ ସିନା ଗୋପ ଛାଡ଼ି ମଥୁରାକୁ, ମଥୁରା ଛାଡ଼ି ପ୍ରଭାସକୁ, ପ୍ରଭାସ ଛାଡ଼ି ଦ୍ୱାରକାକୁ ଗଲେ। ତାଙ୍କ ପାଇଁ ଗୋପର ଫେରନ୍ତା ବାଟ ବନ୍ଦ ହେଇଯାଇଥିଲା; ମାତ୍ର ଘଣ୍ଟୁ ଗାଁ ଗୋପ ଛାଡ଼ି ରାଜଧାନୀ ମଥୁରାକୁ ଆସିଲେ, ଗାଁ ଗୋପକୁ ଭୁଲିପାରି ନାହିଁ। ମଧ୍ୟେ ମଧ୍ୟେ ହାଇସ୍କୁଲିଆ ସୁଦାମା ଓ କଲେଜିଆ ସୁବଳାମାନଙ୍କୁ ସଙ୍ଖୋଳି ଆସେ। ଫେରନ୍ତା ବାଟରେ ଚାଷଖେତ ଆଡ଼େ ଗାଢ଼ା ନଜର ଢାଳେ। ଦୃଶ୍ୟଗୁଡ଼ିକୁ ତା’ ମଗଜର ସ୍ପାଇ କାମେରାରେ ସାଇତି ରଖେ। ଗାଁ ସଡ଼କ ଦେଇ ଯା’ଆସ ବେଳେ ଖେତଗୁଡ଼ିକରେ ପାଳଭୁତଗୁଡ଼ିକୁ ଦେଖିଚି, ୟା’କୁ ନେଇ ବହୁକଥା ଭାବିଛି। ଅତି ଚତୁରିଆ ଏ ମଣିଷ, ପ୍ରକାର ପ୍ରକାର ଛକିପକା ବାଉଁଶ ଦିଖଣ୍ଡ ଉପରେ ନଡ଼ାବାନ୍ଧି, ୟା ଉପରେ ଛିଣ୍ଡାଜାମା ଟାଙ୍ଗି, ମୁଣ୍ଡ ଉପର ହାଣ୍ଡିରେ ଆଖି, ପାଟି ଚିହ୍ନ ଚୂନରେ ଆଙ୍କି ୟାକୁ ଫଲସ୍ ମଣିଷ ପ୍ରକାରେ ଖେତ ଜଗାଏ। ପାଳଭୁତ ଫସଲ ଜଗେ, ଖାଇପାରେ ନାହିଁ।
ଘଣ୍ଟୁ ଭାବିଲା ଗାଁର ପାଳଭୁତମାନେ ଏବେ ବି ସହରରେ ବଅଂଶ ବଢ଼େଇଛନ୍ତି। ଚାଷଖେତର ଭୁତଙ୍କଠାରୁ ଏମାନେ ସରସିଆ, ଧୋବଧାଉଳିଆ। ସେ ପାଳଭୁତ ଛିଣ୍ଡାଲେଙ୍କେଡ଼ା ପିନ୍ଧେ, କାରଣ ସେ ଗାଁ ଖେତରେ ଖାଡ଼ାହୁଏ; ମାତ୍ର ଏମାନେ ସାହିତ୍ୟ-ସଂସ୍କୃତି ସଭାସମିତିରେ ଚଉକିରେ ଉଭା ହୁଅନ୍ତି। ସଭାର ଶୋଭା ବଢ଼ାନ୍ତି। ଏମାନଙ୍କର ଆଭା ଥିଲା, ବିଭା ଥିଲା, ପ୍ରତିଭା ବି ଥିଲା; ମାତ୍ର ବଲ୍ରୁ ପଅମ୍ପ କମିବା ଭଳିଆ, ଏମାନଙ୍କ ବ୍ୟକ୍ତିତ୍ୱ ବଲ୍ରୁ ପଅମ୍ପ୍ ଉତୁରି ଗଲାଣି। ବିଲ ପାଳଭୁତ ଭଳିଆ ଏମାନଙ୍କୁ ବଢ଼ିଆ ପୋଷାକ ପିନ୍ଧାଯାଏ। ବେଳେବେଳେ ହାଙ୍ଗର୍ରେ ସାର୍ଟ ଟଙ୍ଗାହେବା ଭଳି ଏ ଦୁରୁଶ। ତଥାପି ଏମାନେ ଲୋଡ଼ାପଡ଼ନ୍ତି, ଗଣେଶ, ସରସ୍ୱତୀ ମେଢ଼ରେ ଏମାନେ ଜଣେ ଜଣେ ଗଣେଶ, ସରସ୍ୱତୀ।
ରାଜଧାନୀରେ ସାହିତ୍ୟ-ସଂସ୍କୃତିର ବାରମାସରେ ବୟାନବେ ଉଚ୍ଛବ। ଦିନେ ଦିନେ ଦି’ତିନିଟା ଉଚ୍ଛବ ବି ହେଇଯାଏ। ପୁଣି ଠାଆକୁ ଠାଆ ଉଚ୍ଛବରେ ମାର୍କାମରାମାନେ ମଞ୍ଚରେ ଲୀଳାଖେଳା କରନ୍ତି। ଏଠି ପ୍ରତିଭାଠାରୁ ମାର୍କା ସାର୍ଟିଫିକେଟ୍ ଓ ପ୍ରଭାବର କାଟତି। ଘଣ୍ଟୁ ଜାଇଁଲା, କେତେଜଣ ଷ୍ଟାମ୍ପ୍ଦିଆ ଲୋକ ନାନା ସଭାରେ ଉଠାବସା କରନ୍ତି। ପୁଣି ଗୋସେଁବାପେ କି ବଡ଼ପା ଭଳିଆ କେଇଟା ଦରମଲାଙ୍କୁ ଚଉକିରେ ରଖାଯାଏ। ଥରଥର ପାଦରେ, ଦି’ଡେଣାକୁ ଯୋଗାଡ଼ିଆଙ୍କ କାନ୍ଧରେ ଥାପି ଏମାନେ ଆସନ୍ତି। ହାତ ଥରୁଥିବ, ଗୋଡ଼ ଠାଏ ପକେଇଲେ ତିନିଠେଇ ଖବୁରି ଯାଉଥିବ, ଜୁଳୁଜୁଳୁ ଆଖିରୁ ଡ଼ୋଳା ଓଲଟି ପଡୁଥିବ, ତଥାପି ସର୍କସିଆ ଲାଇଟ୍ ଭଳିଆ ସବୁଆଡ଼େ ନଜର ବୁଲୁଥିବ।
ଏମାନଙ୍କୁ ଦେଖିବା ପରେ ଘଣ୍ଟୁ ଜାଇଁଲା ଏଇ ସଂସ୍କୃତିଜେଜେ, ସାହିତ୍ୟ ବଡ଼ାପା, ବଡ଼ମାଆମାନେ ମଞ୍ଚକୁ ଆସନ୍ତି କାହିଁକି? ଘଣ୍ଟୁ ନିଜ ଗୋବେଷଣାରୁ ଅନେକ କାରଣକୁ ଅଡ଼ୁଆ ସୂତା ପ୍ରକାରେ ଗୁଡ଼େଇ ତୁଡ଼େଇ ପକେଇଲା। ଗଣ୍ଠିଫିଟା ସହଜ ନୁହେଁ, ବଡ଼ ଜଟିଳିଆ ପାଠ। ହୁଏତ ଏମାନେ ମଞ୍ଚମୋହ ଛାଡ଼ିପାରି ନାହାନ୍ତି, ହୁଏତ ଏମାନଙ୍କୁ ଘରେ ବାସି ଡ୍ୟାସ୍ରେ ବି ଖୋଜା ପଚରା ନାହିଁ। ହୁଏତ ମଞ୍ଚ ମେନେଜରମାନେ ଏମାନଙ୍କୁ ମଞ୍ଚ ଥାପନା କରାଇ ପୁରୁଣା ବିଦ୍ୟା ଅସୁର-ଅସୁରୁଣୀମାନଙ୍କୁ ମଞ୍ଚରେ ଥୁଆ ହେଉଛନ୍ତି ବୋଲି ନିଜ ପତିଆରା ଷୋଳପଣ ଜାହିର କରାନ୍ତି। ଏମାନଙ୍କୁ ଜ୍ଞାନୀ-ଗୁଣୀ, ବିଚକ୍ଷଣ ଥାନରେ ବିରାଜିତ କରାଇ ନିଜ ବଡ଼ତିପଣ ଦେଖାନ୍ତି।
ଭୁତ-ଭୁତୁଣୀଙ୍କ କାରନାମା
ରାଜଧାନୀ ସାରା ଏମିତି ପାଳଭୁତ ଭୁତୁଣୀମାନଙ୍କ ସୋ-କେସ୍ ସାଜନ୍ତି, ପାଳଭୁତ ଖେତ ଜଗେ, ପଶୁ-ପକ୍ଷୀଙ୍କୁ ଖେତ ମଡ଼େଇ ଦିଏନା। ଏ ପାଳଭୁତମାନେ ମଞ୍ଚ ପାଳଭୁତ। ୟାଙ୍କ ବୟସ ଦୃଷ୍ଟିରୁ ଘରେ ବସି ନାମ-ଭଜନରେ ରହିବା କଥା। ଯମରାଜଙ୍କ ପାଖରୁ ଆସୁଥିବା ନୋଟିସକୁ ଦାଗୀ ଖଣ୍ଟମାନେ କୋର୍ଟ ନୋଟିସକୁ ବେଖାତିର କରିବା ଭଳିଆ ଅଣଦେଖା କରନ୍ତି। ତଥାପି ଏମାନେ ଲୋଡ଼ାପଡ଼ନ୍ତି। ସଭାକୁ ସଭା ଭ୍ରମଣି କରି ଘଣ୍ଟୁ ଏମାନଙ୍କ ସୁମାରିନେଲା। ଜାଇଁଲା ଆଜି ମଞ୍ଚରେ ପାଳଭୁତମାନେ ମୁଖ୍ୟ ଅତିଥି, ଆଉମାନେ ହାବୁଡା ଝଟକା, ଗୌଣ ଅତିଥି। କେଇଟା ମଞ୍ଚରେ ଜଣେ ଜଣେ ମୁଖିଆ ଭାଟ, ଆଉମାନେ ମାଳେଇଭାଟ। ରାଜଧାନୀର ସଭା ହାଲ୍ ଜାଇଁଲା ପରେ ଘଣ୍ଟୁ ବି ନୂଆ ପ୍ରକାର ପାଳଭୁତ ସନ୍ଧାନରେ ଲାଗିଲା।
ନୂଆ ପ୍ରକାରେ କିଛି ତ କରିହେବ ନା। ଘଣ୍ଟୁ ତାଳୁକୁ ଗୋଟାଏ କିଛି ଆଇଡିଆ ଆସିବା ପରେ, ସେ ଆଇଡିଆ ବିନ୍ଦୁକୁ ସିନ୍ଧୁ ନ ହେଲେ ନାଇଁ, ନଈ ନ ହେଲେ ନାଇଁ, ଅତି ନିକୁଛାରେ ପୋଖରିଟିଏ ତ କରିପାରେ। ରାଜଧାନୀ ସାରା ନାନାଆଡ଼େ ହେଉଥିବା ସଭାଗୁଡ଼ିକର ସଭାନାଥ, ଫମ୍ପାଧକ, ସଂପାଠକ, ସଂଘଟକ- ସମସ୍ତଙ୍କୁ ବାବଦ ବାବଦ କରି ଭେଟିଲା। କେତେଜଣ ସଦାସିଧା ଅତି ସରଳ ଭାବରେ ମୁଣ୍ଡ ପଘାରୁ ଓଲିଆ ଗୋରୁ ମୁଣ୍ଡ ହୁଗାଳିଲା ଭଳି ନାସ୍ତିବାଣୀ ଶୁଣାଇ ମୁଣ୍ଡ ହୁଗାଳିଦେଲେ। ଘଣ୍ଟୁ ତ କଂସାରି ଘର ପାରା, ଏମାନଙ୍କ କୁଲା ଢାଉଁ ଢାଉଁରେ ଦବିଗଲା ନାଇଁ। ତା’ ଆଇଡିଆକୁ କିଛିଦିନ ଚପେଇଦେଲା। ପଥର ତଳର ଦୂବଘାସ ପଥରତଳେ ଚାପା ସହି ରହିଯାଏ, ତା’ପରେ ନିଜେ ମାଟିରୁ ସଂବଳ ସଂଗ୍ରହ କରି ପଥର ଉପରେ ଏମିତି ମାଡ଼ିଯାଏ ଯେ ପଥର ଦୂବତଳେ ନିଜ ଭୋଟରକାର୍ଡ, ଆଧାରକାର୍ଡ ବି ହରାଇବସେ। ରାଜଧାନିଆଁ ସଂସ୍କୃତି ଠିକାଦାରଙ୍କୁ ଟପି ନ ପାରିଲେ ସେ ଆଉ କଲା କ’ଣ? ଦିନ-ରାତି ଚବିଶ ପହର ଆରମ୍ଭିଲା ଘଣ୍ଟୁ। ପୁରୁଣା ପାଳଭୁତମାନଙ୍କୁ ଅଲୋଡ଼ା ମଣିଲା।
ବାଉଁଶ ଫୁଲିଲେ ମରେ, ମଣିଷ ବୁଲିଲେ ମରେ। ଘଣ୍ଟୁ କିନ୍ତୁ ବୁଲିବୁଲି ଚରେ। ଚରିଲା ଘଣ୍ଟୁ। କାଗଜଗୁଡ଼ାକ ଉଣ୍ଡାଉଣ୍ଡି କରି କେତେ ନୂଆ ପାଳଭୁତଙ୍କୁ ତଲାସକଲା। ଭାଷା-ସଂସ୍କୃତି-ସାହିତ୍ୟଠାରୁ ନାଟ ତାମସା ଆଉ ବହଳିଆ। ଯେଉଁଠି ସଭା ଅତି ନିକୁଚ୍ଛର ସେଇଠି ତ ଗାଆଣ-ବାଜଣ ଚାଲେ। କେବେ ଆରମ୍ଭ ବେଳକୁ ତ କେବେକେବେ ଶେଷ ବେଳକୁ ନାଚ-ଗୀତର ନାନା କାରଖାନା। ସଭାରେ ନାଚିବା ପାଇଁ ସ୍ୱେଚ୍ଛାସେବକିଆ ଭଙ୍ଗୀରେ ନାନା ନାଟୁଆ, ନାଟେଈ ଛାଆଁକୁ ଉଭା ହୁଅନ୍ତି। ଘଣ୍ଟୁ ଏମାନଙ୍କ ଠା’ଠିକଣା ଠାବକରି, କାନଫୁଙ୍କାରେ ମନ୍ତ୍ର ଫୁଙ୍କିଲା। କାହା କାହାକୁ କ’ଣ କ’ଣ ନେତାଳିଆ ପ୍ରତିଶ୍ରୁତି ଦେଇ ଥୋପ ଗିଳେଇଲା।
କାହା କାହାକୁ ଧରି ରାଜଧାନୀର ‘ଭୟଦେବ ମଢ଼ଫ’ ଭଡ଼ାରେ ନେଲା। ଖଣ୍ଡଗିରି ଯାତରା ଉଚ୍ଛବ ସମୟ। ବହୁ ଯାତ୍ରାପାର୍ଟିଙ୍କୁ ଭେଟି ସେମାନଙ୍କ ଗୀତୁଆ ଗୀତୁଆଣି, ନାଟୁଆ ନାଟେଈମାନଙ୍କୁ କାମ୍ପିଟେସନର ଜଜ୍ ଜଜାଣି କରି ଡାକିଲା। ନିଜ ନିଜ ଦାୟିତ୍ୱରେ ଏମାନେ ଆସି ଠିକଣା ଜାଗାରେ ଜଜ୍ ଜଜାଣି ହେଇ ବସିଗଲେ। ନିହାତି ଦଶଟା ଦଳର ନାଟ ତାମସା ନିରେଖି ଏମାନେ ନିଜନିଜ ବିଚାର ଫାଇନାଲ କଲେ। ସେମାନଙ୍କ ପାଉଣା ଅଣଲାଇନରେ ପଇଠ କରିଦେବ କହି ସେମାନଙ୍କ ବ୍ୟାଙ୍କ ଖାତାର ନମ୍ବର ଟିପାସାରି ବଡ଼ ନରମିଆ ଢାଞ୍ଚାରେ ବିଦାୟ ଦେଲା। ସେମାନେ ବି ଏତବଡ଼ କାମ୍ପିଟେସନରେ ଜଜ୍ ଜଜାଣି ହେଇ ବସିଥିବାରୁ ଘଣ୍ଟୁକୁ ଆଖେଡ଼ାଗୁରୁଙ୍କୁ ଶୈଳୀରେ ଦଣ୍ଡବତ କରି ବାହୁଡ଼ିଲେ।
ସୁନ୍ଦୁରୀ ଡ୍ୟାନ୍ସୁଣୀ
ସାହିତ୍ୟ ମଞ୍ଚଠାରୁ ଏଠି ଆଉ ଭିଡ଼, ନାଟ ତାମେସା ମଞ୍ଚଟି, ୟାକୁ ସରିହେବ କିଏ ? ଭୋବନେଶ୍ୱରର ବହୁ ରସିକ ରସିକା ଏଠାରେ ଛାଆଁକୁ ହାଜର, ସଭାଘରର ପେଟ, ଗର୍ଭିଣୀ ମାଇକିନା ପେଟଠୁଁ ଆଉ ଉଁଚୁଆ। ଜଣେ ନିହାତି ସୁନ୍ଦୁରୀ ଡ୍ୟାନ୍ସୁଣୀ ହାତରେ ମାଇକ୍ରୋଫୁନ୍। ବେଶପଟୁକା ଆଉ ଚମକା। ଆରମ୍ଭିଲେ ଘୋଷଣା, ଟିଭିଟିଭା ପରଦାରେ ଆଙ୍ଖରିଂ କରୁଥିବା ପରଦା ରାଣୀଙ୍କଠାରୁ ଏ ଆଉ ନିଆରା। ତାଙ୍କ କଥାରେ ଯାଦୁ-କାଛୁ-କୁଣ୍ଡିଆ ସବୁ ଫଉଲିବ। ତିଳକୁ ତାଳ କରିଦେବେ, ବଜୁରିକି ଶାଳଗ୍ରାମ କରିଦେବେ, ଖଂଜକୁ ପବନସିଂ କରିଦେବେ। କରିଦେବେ ନୁହେଁ, କରିଦେଲେ। ବହୁ ଗାଢ଼ା ସରପକା ମଲେଇମାର୍କା ଘୋଷଣା କରି ସୂଚେଇ ଦେଲେ ଏବେ ମଞ୍ଚ ମଣ୍ଡଣି କରିବେ- ଆମ ରାଜ୍ୟର ଜଣେ ଅତି ଟାଣୁଆ ପ୍ରତିଭା ଅନେକ ଗୁରୁଙ୍କର ଗୁରୁ ମହାଗୁରୁ ‘ଫୁଲଶ୍ରୀ’ ପରମେଶ୍ୱର ମହାକୁଡ଼। ଓଡ଼ିଶାର ଶାସ୍ତ୍ରୀୟ ସଂଗୀତ କିଆରିରୁ ବାଳୁଙ୍ଗା ଓପଡ଼ାରେ ପ୍ରଥମ ମହାଗୁରୁ ଶ୍ରୀଯୁକ୍ତ ମାହାକୁଡ଼ ଜେଜେ ନୁହେଁ ଅଣଜେଜେ ପ୍ରକାର ପ୍ରତିଭା। ଏଇ ସମୟରେ ଗୋଟିଏ ସ୍କେଲିଟନିଆଁକୁ ବିଚିତ୍ର ବେଶରେ ମଞ୍ଚ ହାଜର କରାଇଲେ ଦୁଇ ଯୁବତୀ।
ଲୋକେ ପରସ୍ପର ପଚରାପଚରି ହେଉଥିଲେ ସତରେ କିଏ? କୌଣସି କାଗଜରେ କି ଟିଭି ଟିଭାରେ ୟାଙ୍କ ନାମଗନ୍ଧ ଓ ଆମେ ଜାଣିନୁ। ଧୈର୍ଯ୍ୟଧରି ରହିଲେ। ଫୋନ୍ଧାରିଣୀ ନାଚୁକୀ ଯୁବତୀ ଉଦ୍ଗାରିଲେ – “ଏବେ ଆମନ୍ତ୍ରଣ କରୁଚୁ ଆମର ପରବର୍ତ୍ତୀ ଅତିଥି ଧଇର୍ଯ୍ୟବନ୍ତ ଦକ୍ଷିଣକବାଟଙ୍କୁ। ଦକ୍ଷିଣକବାଟ ମହାଶୟ ଆସାମ, ମଣିପୁର, ନେପାଳ-କେରଳ – ସବୁଆଡ଼େ ଘରେ ଘରେ ପରିଚିତ ନୃତ୍ୟଗୁରୁ। ପୁଣି ସଂଗୀତ ଗୁରୁ ବି। ଆମ ଓଡ଼ିଶାରେ ତାଙ୍କ ଜନ୍ମ, ମାତ୍ର ତାଙ୍କ ନଟାଟା ସବୁ ରାଇଜରେ ମାଡ଼ିଚି। ସାତଟା ସୁରକୁ ଦାଉଣିରେ ବାନ୍ଧି ସେ ସପ୍ତସ୍ୱରୀ ତିଆରିକରି ଟୋଟାଲ ଇଣ୍ଡିଆରେ ପରିଚିତ। ତାଙ୍କ ପାଇଁ ଆଜି କାଲିକା ‘ଫୁଲଶ୍ରୀ’ଟା ଅତି ଛୋଟିଆ ସମ୍ମାନ। ତାଙ୍କ ସପ୍ତସ୍ୱରୀ ବିଧାନରେ ସବୁ ରାଇଜର ଗୀତନାଚ ଫେଣ୍ଟାଫେଣ୍ଟି ହେଇ ନୂଆ ଫ୍ୟୁଜନ୍ ତିଆରି ହେଇଚି। ତାଙ୍କ ହାତରୁ ଆପଣମାନେ ସମ୍ମାନ, ପ୍ରମାଣପତ୍ର ନେବା ଇନ୍ଦ୍ରସଭାରୁ ପ୍ରାଇଜ୍ ହାତେଇବା ଭଳିଆ ଲାଗିବ”।
ପ୍ରାଇଜ୍ ନେଲାବାଲାଙ୍କ ଭିତରେ ଗୋଟାଏ ବଡ଼ କୁତୁକୁତିଆ ଅବସ୍ଥା। ସତରେ ଭାଗ୍ୟରେ ଥିଲେ ଏମନ୍ତ ଗୁଣବନ୍ତ ଗାନ୍ଧର୍ବକଳାର ମହାଗୁରୁମାନଙ୍କଠାରୁ ପ୍ରାଇଜ୍ ମିଳେ। ଅହୋ ଭାଗ୍ୟ। ଘଣ୍ଟେ ନିଜେ ସଭାନାଥ। କିନ୍ତୁ ଅସଲରେ ଭଡ଼ାରେ ଆସିଥିବା ନବ-ନବୀନା ଘୋଷିକା ଜଣକ ହାତରେ ଚାବିକାଠି। ଘୋଷଣା କଲେ ସେ – “ଏ ସାଦାସିଧା ନିରସିଆ ଭାଷା ସାହିତ୍ୟ ସଭା ନୁହେଁ, ଏଠି ଭାଷଣବାଜି ନାହିଁ। ତା’ଛଡ଼ା ଆମର ପ୍ରଥମ ଅତିଥିଙ୍କର ଆଜି ମୌନବ୍ରତ। ସେ କିଛି କହିବେ ନାହିଁ।” ସଭା ସ୍ଥଳରେ ଅଦିନିଆ ବର୍ଷାର କୁଆପଥର ମାଡ଼ ଭଳିଆ ତାଳି ବର୍ଷିଗଲା। କାରଣ ଅଧାମୂର୍ଦ୍ଦାରିଆ, ଚଉଠମୁର୍ଦ୍ଦାରିଆଙ୍କ ଦରୋଟି ଭାଷଣରୁ ଏଠି ମୁକ୍ତି ମିଳିଗଲା।
“ଆମର ଆଜି ସଂଜର ପରମ ଅତିଥି ଦକ୍ଷିଣକବାଟଙ୍କ ଫ୍ଲାଇଟ୍ ବେଳ ଆଉ ଘଣ୍ଟାଏ ଭିତରେ। ସେ ବିୟଣ୍ଡ୍ ଇଣ୍ଡିଆ ପ୍ରୋଗ୍ରାମରେ ଯିବେ। ତଥାପି ସେ ଇଙ୍ଗିତରେ କିଛି ପ୍ରଦର୍ଶନ କରନ୍ତୁ – ଆମ ଅନୁରୋଧ ରଖି। ଆଉ ଦୁଇ ପାଶ୍ୱର୍ବର୍ତ୍ତୀଙ୍କ ସହାୟତାରେ ସିଟ୍ରୁ ଛିଡ଼ାହେଲେ ଦକ୍ଷିଣକବାଟେ। ସମସ୍ତଙ୍କୁ ନମସ୍କାର ମୁଦ୍ରା ପରେ, ତାଙ୍କ ଅବସ୍ଥା ଅସମ୍ଭାଳ। ବତାସିଆ କଦଳୀ ବାହୁଙ୍ଗାର ଅବସ୍ଥା। ଯୁବତୀ ଘୋଷିକା ସୂଚାଇଦେଲେ, ସାର୍ ତାଙ୍କ ହାତ ଓ ପାଦମୁଦ୍ରାରେ ଆଜି ସଭାକୁ ସମ୍ବୋଧିତ କଲେ”। ତା’ପରେ ମଞ୍ଚରେ ଦୁଇଜଣ ଅତିଥି ସେମିତି ଥୁଆ ହେଇଥାନ୍ତି, ତାଙ୍କ ହାତଛୁଆଁ କରାଇ ପ୍ରାଇଜ୍ ବଣ୍ଟାର ସଘନ କୃଷି ଅମଳ ହେଲା।
ସାଙ୍ଗ ନୋକା ପଚାରିଲା – ‘ହଇରେ ଏମନ୍ତ ଦୁଇଜଣ ଆମ ରାଢ଼ଙ୍ଗ ଯାତ୍ରା ଦଳର ବୋଧେ। ମତେ ତ ସେମିତି ଲାଗୁଚି।’ ଉତ୍ତରରେ ଘଣ୍ଟୁ ବଖାଣିଲା, ‘ବେ, ପାଟି ଚୁପ୍। ସବୁ ମଞ୍ଚର ପାଳଭୁତମାନଙ୍କଠାରୁ ଏ ଦୁହେଁ ଅଲଗା ନା ନାଇଁ? ଜାଣିଥା – କଳସ ନ ବସିଲେ ପୂଜା ହୁଏନି, ପାଳଭୁତ ନଥିଲେ ସଭା ହୁଏନି। ଏମିତି ଆଗକୁ ବହୁ ପାଳଭୁତ ଆସିବେ।’ ଘଣ୍ଟୁର ଏ କଥା ଶୁଣି ନୋକାର କାନ ତାବଦା, ଥଣ୍ଟ ବି ଛାଆଁକୁ ମୁଦି ହେଇଗଲା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)
ଭାଇ ଆମର ସମସ୍ତଙ୍କ ମୁଖା ସହିତ ଅନ୍ତବସ୍ତ୍ର ବି ଖୋଲି ଦେଇଛନ୍ତି I
ସାଧୁବାଦ୍ I
ଲେଖକଙ୍କୁ ତାଂକ ଶାଣୀତ ଵ୍ୟଙ୍ଗ ପାଇଁ ବଧେଇ. କାର୍ଯ୍ୟ ଚାଲୁ ରହୁ.