ବାପା

ବାପା ଅଣ୍ଟାରେ ଭିଡ଼ିଥିବା ଗାମୁଛା ପିନ୍ଧି ପୋଖରୀ ପାଣିକୁ ଯାଇ ପହଁରି ପହଁରି ବିଭୂତିକୁ ଟାଣି ଟାଣି ଆଣି କୂଳରେ ଲଗାଇଥିଲେ।

ଭାନୁମତୀ ସାହୁ

ବାପାମାନେ ବେଶି ଭଲ ନୁହନ୍ତି ମା’ଙ୍କଠାରୁ। ଏହି ତର୍କଟି ବିଭୂତିଙ୍କ ମୁଣ୍ଡରେ ପଶିଯାଇଛି ପିଲାଟିବେଳୁ। ବାପା ଦୁଷ୍ଟ ହେଲେ ପିଟନ୍ତି। ପାଠ ଠିକ୍ ସମୟରେ ନ ପଢ଼ିଲେ କାନ ଧରି ବହିବସ୍ତାନି ଧରାନ୍ତି। ନିଜର ନିୟମକାନୁନ ଭିତରେ ଚଳେଇ ନେବାକୁ ଚେଷ୍ଟା କରନ୍ତି। ଅଥଚ ବିଭୂତି ବାପାଙ୍କୁ ଆଡ଼ ଆଖିରେ ଦେଖି ଭାବେ- ବାପାମାନେ ରାଗୀ। ସେ ବୁଝିପାରିବେନି ପିଲାଙ୍କ ମନର କଥା।
ବିଭୂତି ଖରାବେଳେ ପୋଖରୀ ଭିତରେ ପହଁରିଲା ବେଳକୁ ଗାଁର କିଏ ଜଣେ ବାପାଙ୍କୁ ଶୁଣାଇ ଦେଇଥିଲେ ଏହି ମଜା କରୁଥିବା କଥା। ସେତେବେଳେ ବାପା ରାଗିଉଠି ହାତରେ ଗୋଟିଏ ବେତ ଧରି ପହଞ୍ଚି ଯାଇଥିଲେ ପୋଖରୀ ତୁଠରେ। ଚିଲେଇକରି ଡାକିଲେ- ବିଭୂତି, କୂଳକୁ ଆସେ।
ବାପାଙ୍କ ସ୍ୱର ଶୁଣି ନ ଶୁଣିଲା ପରି ବିଭୂତି ସେମିତି ପୋଖରୀ ଭିତରେ ଚିତି ପହଁରାରୁ ବୁଡ଼ା ପହଁରା ମାରୁଥିଲେ ପାଣିରେ ବୁଡ଼ି ବୁଡ଼ି। ବାପା ଅଣ୍ଟାରେ ଭିଡ଼ିଥିବା ଗାମୁଛା ପିନ୍ଧି ପୋଖରୀ ପାଣିକୁ ଯାଇ ପହଁରି ପହଁରି ବିଭୂତିକୁ ଟାଣି ଟାଣି ଆଣି କୂଳରେ ଲଗାଇଥିଲେ। ପୋଖରୀ ପାଖରେ ଗାଁର କିଏ କିଏ ଅଛନ୍ତି ଚିନ୍ତା ନକରି ବେତରେ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗୋଗଚ୍ଛିଆ ମାଡ଼ଦେଇ କର୍କଶ ସ୍ୱରରେ କହନ୍ତି- ଚାଲେ ଘରକୁ। କାଲିଠୁ ଯଦି ପୋଖରୀ ପାହାଚ ଛୁଇଁଥିବୁ, ମୁଁ ତତେ ଦେଖିନେବି।
ବାପାଙ୍କର ଗଁ ଗଁ ରାଗ ଦେଖିଲା ପରେ ବିଭୂତିଙ୍କ ମନରେ ବାପାଙ୍କ ପ୍ରତି ଘୃଣାଭାବ ଆସିଯାଏ ଯେ ବାପାମାନେ ହିଁ ଖରାପ ଲୋକ। ତାଗିଦ୍ କରିକରି ପିଲାଙ୍କୁ ଖେଳକୁଦରୁ ଦୂରେଇ ଦିଅନ୍ତି। ବର୍ଷା ବିଜୁଳି ବେଳେ ଆମ୍ବଗଛ ପାଖକୁ ଯିବାକୁ ଅନୁମତି ନାହିଁ। ଗାଁରେ ଅଧାରୁ ପାଠଛାଡ଼ି ବାତରା ହୋଇ ବୁଲୁଥିବା ପିଲାଙ୍କ ସାଙ୍ଗରେ ବୁଲିବାକୁ ବାରଣ କରି କହନ୍ତି- ସେମାନେ ତ ପାଠ ଛାଡ଼ି ବୁଲିଲେ। ତୁ ଯଦି ପାଠ ନ ପଢ଼ିବୁ, ତୋର ଖାଇବାପିଇବା ବନ୍ଦ କରିଦେବି। ଦେଖିବା କିଏ ତତେ ଘରେ ଖାଇବାକୁ ଦେବ।

ମା’କୁ ସେ ତାଗିଦ୍ ସ୍ୱରରେ କହନ୍ତି- ଆଜି ଦିନକ ତା’ର ଖାଇବା ବନ୍ଦ। ସେ ଜାଣୁ, ଏହି ଖାଦ୍ୟ ପାଇଁ ମୋ’ ରୋଜଗାରର ମୂଲ୍ୟ କେତେ ଜଡ଼ିତ ଅଛି। ଖେଳୁ ବୁଲୁ; କିନ୍ତୁ ପାଠରେ ହେଳା କଲେ ଓ ମୋ’ ନୀତି ଆଦର୍ଶରୁ ଏପଟସେପଟ କଲେ ଚଳିବନିରେ ବାବୁ। ତୋ’ ଭବିଷ୍ୟତ ଚିନ୍ତା ମୋର। ବଡ଼ ହେଲେ ପାଠପଢ଼ି ରୋଜଗାର କରିବୁ କେମିତି, ସେକଥା ସବୁବେଳେ ମୁଁ ଭାବେ; କିନ୍ତୁ ତୁ ବୁଝୁନୁ କାହିଁକି? ତୋ’ ଏକଜିଦିଆ ପ୍ରକୃତିକୁ ମୁଁ ମଧ୍ୟ ବୁଝିପାରୁନି। ତୁ ନିଜ ବୁଦ୍ଧି ଜ୍ଞାନରେ ଏ ସଂସାର ଭୂମିରୁ ଶିଖର ଛୁଇଁବୁ ବୋଲି ମୁଁ ସ୍ୱପ୍ନ ଦେଖୁଛି। ମୋ’ ଆଶୀର୍ବାଦ ତୋ’ ଉପରେ ରହିଛି, ରହିଥିବ।
ଅନ୍ୟପଟରେ ବିଭୂତି ନିଜ ରାଗ ଶୁଣାଏ ମା’କୁ- ବାପାଙ୍କୁ ଉପଦେଶ ଦେବାକୁ ଠିକ୍ ଲାଗୁଛି। ସେ ମୋ’ କଥା ବୁଝିପାରୁ ନାହାନ୍ତି କେବେହେଲେ। ମୁଁ କ’ଣ ଖେଳିବି ନାହିଁ ଟିକିଏ? ଖାଲି ପାଠ ପାଠ ହୋଇ ଘରେ ରହିବି ନା କ’ଣ?
ମା’ କୁହେ- ବାପା ତୋ’ ଭଲ ପାଇଁ କହୁଛନ୍ତିରେ ବାବୁ। ବାପାଙ୍କ କଥାକୁ ମାନିଲେ ତୁ ବଡ଼ମଣିଷ ହେବୁ। ସାହିପିଲାଙ୍କ ସହ ଖେଳେ ଖେଳ ସମୟରେ; କିନ୍ତୁ ପଢ଼ାବେଳେ ପାଠକୁ ମନରେ ରଖିଲେ, ତତେ ପାଠ ହିଁ ଭଲ ଲାଗିବ।
ମା’ ବିଭୂତିଙ୍କ ଦେହରେ ମାଡ଼ର ନୋଳାଦାଗ ଉପରେ ପଞ୍ଚଗୁଣା ଲଗେଇଦେଇ କାନ୍ଦୁଣୁମାନ୍ଦୁଣୁ ହୋଇ ଗୁଣୁଗୁଣୁ ହୁଅନ୍ତି- ଏମିତି ଗାଈଗୋରୁ ପରି ପିଲାଙ୍କୁ କେଉଁ ବାପା ମାରେ କି? ବୁଝେଇଦେଲେ ବୁଝିଯିବନି କି ମୋ’ ପୁଅ?
ମା’ର ଆଖିର ଲୁହରେ ସ୍ନେହଭର୍ତ୍ତି ଥିବାବେଳେ ବାପାଙ୍କ ବାଡ଼ିରେ ରାଗର ନିଆଁ ଭର୍ତ୍ତି ଥିଲା ପରି ବିଭୂତିଙ୍କୁ ଲାଗେ। ସେ ସମୟରେ ମା’ର ସ୍ନେହ ତାକୁ ଭାରି ଭଲ ଲାଗୁଥିଲା।
ବାପାଙ୍କ ବେଶଭୂଷାରେ ସେମିତି ଚାକଚକ୍ୟ ନଥିଲା କି ପଇସା ଖର୍ଚ୍ଚ କରିବାର ଇଚ୍ଛା ନଥିଲା। ପାଦରେ ହାୱାଇ ଚପଲ ହଳେ ହେଲେ ଚଳିଲା। ପିନ୍ଧନ୍ତି ଧଳା ସୂତା ଲୁଗାଟିଏ। ଦେହରେ ସାର୍ଟ ଖଣ୍ଡେ ହେଉକି ଫତେଇ ଖଣ୍ଡେ ହେଲେ ଚଳିଲା। ସରଳ ଜୀବନଯାପନ ଭିତରେ ଏତେ ଆଶା ପୁଅ ପାଇଁ ରଖିଥାଆନ୍ତି ଯେ ଖାଇବା ବେଳେ ଡାକନ୍ତି- ଆସେ ଖାଇବୁ ମୋ’ ସାଙ୍ଗରେ।
ଇଚ୍ଛା ନଥିଲେ ମଧ୍ୟ ବିଭୂତି ଡରିକରି ବାପାଙ୍କ ଥାଳି ପାଖରେ ବସେ ଖାଇବାକୁ। ସେ ସମୟରେ ବାପାଙ୍କର ମାନସାଙ୍କ ଗଣିତର ପ୍ରଶ୍ନ ଭିତରେ ଭାତଗୁଣ୍ଡା ପାଟିରେ ରଖି ମଧ୍ୟ ଉତ୍ତର ଦିଏ। ଏଇଟା ତାଙ୍କ ପ୍ରତି ଭଲପାଇବାର ଅବଦାନ କି ଭୟ ଦେଖାଇବାର ବାହାନା ବୁଝିପାରୁନଥିଲା ବିଭୂତି। ପାଠ ଠିକ୍‌ରେ ପଢୁଛୁ କି ନାହିଁ ସ୍କୁଲର ଶିକ୍ଷକମାନଙ୍କୁ ପଚାରି ବୁଝିଆସି କହନ୍ତି- ତୋ’ର ଏଇ ପାଠଟି ଦୁର୍ବଳ। ତେଣୁ ମନ ଦେଇ ପଢ଼ିବୁ।
ବୋଧେ ବାପାମାନଙ୍କ ଗୁଣ ସବୁ ଏମିତି। ପୁଅକୁ ନେଇ ସ୍ୱପ୍ନ ମଞ୍ଜି ବୁଣିବୁଣି ନିଜେ କ୍ଷେତ ପାଲଟିଯାଆନ୍ତି। ଯେଉଁଦିନ ମାଟ୍ରିକ ପରୀକ୍ଷାରେ ଫାଷ୍ଟକ୍ଲାସ୍‌ରୁ ବହୁତ ଅଧିକା ଉପରେ ମାର୍କ ରଖି ସେହି ଖଣ୍ଡମଣ୍ଡଳରେ ବିଭୂତି ଫାଷ୍ଟ ହେଲା, ସେଦିନ ବାପାଙ୍କ ଅଭାବ ମୁଣିରୁ ପୁଣି ମିଠା କିଣିବାକୁ ଟଙ୍କା ଆସିଗଲା କେମିତି? ଗାଁ ସାରା ମିଠା ବାଣ୍ଟିଲେ। ସମସ୍ତଙ୍କୁ ଜଣେଇଲେ ପୁଅର କୃତିତ୍ୱ। ସତେ ଯେମିତି ସେ ଅଳ୍ପପାଠୁଆ ବାପା ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି!
ବାପାଙ୍କ ଖୁସି ଦେଖି ସେଦିନ ବିଭୂତି ଅନୁଭବ କଲା ବାପାଙ୍କର ମନରେ ରାଗ ବଦଳରେ ଏତେ ଖୁସି କେଉଁଠି ରହିଥିଲା ଆଜିପର୍ଯ୍ୟନ୍ତ ଯେ ସେ ଦେଖିପାରୁ ନଥିଲା? ସେ ଅନୁଭବ କରୁଥିଲା ବାପାଙ୍କ କଡ଼ା ଶାସନ ହିଁ ତାକୁ ଆଜି ଏଇଠି ଠିଆ କରେଇଛି। ବାପାଙ୍କ ପାଇଁ ଆଖିରେ ଲୁହ ଭର୍ତ୍ତି ହୋଇଗଲାଣି। ବାପାଙ୍କ ପାଦ ତଳେ ପଡ଼ି ମୁଣ୍ଡିଆ ମାରୁ ମାରୁ କାନ୍ଦକାନ୍ଦ ସ୍ୱରରେ କହିଥିଲା- ବାପା, ତମ ଯୋଗୁଁ ମୋ’ର ଆଜି ଏହି କୃତିତ୍ୱ।
ନାଇଁରେ ବାବୁ। ତୋ’ ବୁଦ୍ଧି ତୋ’ ଜ୍ଞାନରେ ତୁ ଶିଖର ଛୁଇଁବୁ। ବାପାମାନେ କ୍ଷେତର ବାଡ଼ହୋଇ ପିଲାମାନଙ୍କୁ ଜଗନ୍ତି। ତମର ଭବିଷ୍ୟତ କଥା ଚିନ୍ତାକରି ନିଜକୁ ଭୁଲନ୍ତି। କେବଳ ତମ ସୁଖ ଚିନ୍ତା କରନ୍ତି ନିଜକୁ ଭୁଲି। ଏବେ ଜମି ବିକ୍ରି କରି ତତେ ମୁଁ ବଡ଼ କଲେଜରେ ପଢ଼ାଇବି। ଦିନରାତି ଖଟିଲେ ମଧ୍ୟ ମୁଁ ହାଲିଆ ହେବିନି। ତୋ’ ସ୍ୱପ୍ନ ପାଇଁ ତ ଆମେ ପ୍ରାଣପଣେ ଚେଷ୍ଟା କରିବୁ। ତୁ ଆଗ କୂଳରେ ଲାଗିଯାଆ।
ଆଜି ବିଭୂତି ନିଜର ଚାକଚକ୍ୟ ବଙ୍ଗଳା ଘର ଭିତରେ ବାପାଙ୍କ ଅନୁପସ୍ଥିତିକୁ ଅନୁଭବ କଲାବେଳେ ମା’ର ଡାକ ଶୁଭିଲା- ବାବୁରେ, ତୋ’ ବାପା ଥିଲେ କେଡ଼େ ଖୁସି ହୋଇଥାଆନ୍ତେ? ସମୟ ତ ଛଡ଼ାଇନେଲା ତାଙ୍କୁ ଆମଠାରୁ। କେଡ଼େ ଖୁସିରେ କହନ୍ତି- ମୋ’ ପୁଅ ହାକିମ ହେଲାଣି। ତା’ର ଟଙ୍କା ପଇସାର ଅଭାବ କ’ଣ? ସେ ଆମକୁ ଖୁବ୍ ଭଲରେ ରଖିବ।
ଚମକି ପଡ଼ିଲେ ବିଭୂତି ମା’ କଥା ଶୁଣି। ବଡ଼ ଅଫିସର ହେଲା ପରେ ପ୍ରାଚୀ କଥାରେ ହଁ ହଁ ଭରିଲେ ଯେ ବାପାଙ୍କ କଥାକୁ ଭୁଲିଗଲେ। ପ୍ରାଚୀ କୁହେ- ଗାଁକୁ ଟଙ୍କା ପଠାଇଦେଲେ ଆମର ଚିନ୍ତା ଗଲା। ସେମାନେ ଏଠି ଆସି ଚଳିପାରିବେ ନାହିଁ। କାହିଁକି ଏଠି ହନ୍ତସନ୍ତ ହେବେ? ସେମାନେ ଗାଁରେ ଖୁସିରେ ଥାଆନ୍ତୁ।
ଆଜି ମା’ଠାରୁ ଏହି ଭଲରେ ରଖିବା କଥା ଶୁଣି ଥରିଉଠିଲା ବିଭୂତିଙ୍କ ଓଠ। କୋହମିଶା ସ୍ୱରରେ କହିଲେ- ମା’ ମୁଁ ବାପାଙ୍କ ଆଶା ପୂରଣ କଲି କେତେବେଳେ? କେବେ ତମମାନଙ୍କୁ ନିଜ ଘରେ ମାସେ କି ଦୁଇମାସ ଆଣି ରଖିଥିଲି କି? ତମେ ଦୁହେଁ ଆସିଲେ ସପ୍ତାହ ପରେ ଫେରିଯାଉଥିଲ ଗାଁକୁ ପରା। ସେତେବେଳେ ଏଠାରେ ରହିବାକୁ ମନାକର କାହିଁକି?
ବାବୁରେ, ଆମେ ଗାଉଁଲିଆ ଲୋକ। ଗାଁର ମାଟି ପବନରେ ଚଳିଛୁ। ତେଣୁ ଏହି ଘର ଭିତରେ ବାନ୍ଧି ହୋଇ ରହିପାରିବୁ କେମିତି? ତମେମାନେ ସହରୀ ଜୀବନରେ ଚଳୁଛ। ବାପା ସିନା ପିଲାଦିନେ ତତେ ଗାଁର ପାଣି ପବନରେ ବେଶି ସମୟ ନ ବିତାଇ ପଢ଼ିବାରେ ମନ ଦେ ବୋଲି କହୁଥିଲେ। ଆଜି ପରା ନିଜେ ଗାଁ ଡାକୁଛି ବୋଲି କହୁଛନ୍ତି। ତୋ’ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲୁ, ତାହା ପୂରଣ ହେଲା। ଆଉ ଆମେ ଏଠି ରହି ତମକୁ ହଇରାଣ କରିବୁ କାହିଁକି?
ମା’ର କଥାଗୁଡ଼ିକର ମଧୁରତା ଭିତରେ ଯେ କଣ୍ଟାଭର୍ତ୍ତି ଥିଲା ବିଭୂତି ବୁଝିଥିଲେ। ପ୍ରାଚୀ ଅଧିକାଂଶ ବେଳେ ସଫେଇ ଦେଇ କୁହେ- ବାପା ମା’ ଏଠି ସବୁବେଳେ ଚଳିପାରିବେ ନାହିଁ। ସେମାନେ ରହିଲେ ଆମ ଷ୍ଟାଟସ୍‌ରେ ଚଳିପାରୁ ନାହାନ୍ତି। ଗୋଡ଼ରେ ଚପଲ ନ ପିନ୍ଧି ବାହାରକୁ ଚାଲିଯାଉଛନ୍ତି। ଆମ ଚଳଣି ପୂରା ଅଲଗା।
ଏହି କଥା ବାପା ବୋଧେ ଶୁଣିଦେଇଥିଲେ କି କ’ଣ ଗାଁକୁ ଯିବାପରେ ଆଉ କେବେ ଏଠାକୁ ଆସି ନଥିଲେ ନିଜ ଜିଦ୍‌ରେ ବୋଧେ। ମା’ର ମମତା ଊଣା ହୋଇଯିବ ବୋଲି ଏକଥା ମା’କୁ କହି ନଥାଇ ପାରନ୍ତି। ଯେଉଁଦିନ ବାପାଙ୍କ ଦେହ ଖରାପ ଥିଲା ବୋଲି ବିଭୂତି କାର୍ ନେଇ ଆଣିବାକୁ ଚେଷ୍ଟା କଲେ, ସେଦିନ ବାପା କହିଲେ- ମୁଁ ଗାଁରେ ରହିବି ମୋ’ ଘରେ। ସେହି ଘରକୁ ଯିବି କାହିଁକି? ଗାଁରେ ମଲେ ମୋ’ ସହ ଗାଁ ଲୋକ ମଶାଣି ଭୂଇଁ ଯାଏ ଯିବେ।
ବାପାଙ୍କ ପରି ବିଭୂତି ମଧ୍ୟ ଏକଜିଦିଆ ବୋଲି ମା’ କହେ। ଅଥଚ ବିଭୂତି ବାପାଙ୍କ ଗୁଣ ଚିହ୍ନିଥିଲେ କି ପିଲାଦିନେ? ମା’ଠାରୁ ବାପା ଭଲ ନୁହନ୍ତି ବୋଲି ଧାରଣା ମୁଣ୍ଡରେ କେତେ ବର୍ଷ ପାଇଁ ରହିଯାଇଥିଲା। ଯେଉଁଦିନ ମା’ର କାନ୍ଦଣା ଭିତରେ ବାପାଙ୍କ ମୃତ ଶରୀର ତାଙ୍କ ଆଖିରେ ପଡ଼ିଥିଲା, ସେ ପିଲାଟିଏ ପରି ଭୋଭୋ କାନ୍ଦି ଲୋଟି ପଡୁଥିଲେ ବାପାଙ୍କ ଶବ ଉପରେ। ଆଜି ମା’କୁ ପାଖରେ ରଖି ଯେତେ ସେବା କଲେ ମଧ୍ୟ ବାପାଙ୍କ ମୁହଁଟା ଦିଶିଯାଉଛି ଏକ ବିଶ୍ୱାସ ଜନ୍ମାଇ- ମୁଁ ପରା ତୋ’ ପଛରେ ଅଛି। ତୁ ଉପରକୁ ଚଢ଼ିଲେ କିଏ ତତେ ତଳକୁ ଖସାଇପାରିବେ ନାହିଁ। ମୁଁ ପରା ତୋ’ ବାପା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *