ମୋ ଭାଇ ଟିମା

“ତୋ ଅପା ପରା ଗୋଟେ ଡାକ୍ତରାଣୀ। ପାନ ଟିକେ ଖାଇଲା ତ କ’ଣ ହେଇଗଲା?”

ଅଳକା ନନ୍ଦ

ମୋ ଭାଇ ଟିମା ମୋ’ଠୁ ବାର ବର୍ଷ ସାନ। ମୋର ଭାରି ଗେହ୍ଲା।ବୟସରେ ଏତେ ସାନ ବୋଲି ମୋର ଛୋଟଛୋଟ ବୋଲହାକ ମୁଁ ତାକୁ ବତାଏ। ଆଉ ଯେତେବେଳେ କିଛି କାମ ବତାଏ ଭୁରୁ ନଚେଇ କହେ, “ଦେ ଆଠଣା।” ମେଡିକାଲ ପଢିବାକୁ ମୋର ଭାରି ଇଚ୍ଛା ଥାଏ। ତେଣୁ ବହୁତ ପରିଶ୍ରମ କରିବାକୁ ପଡୁଥିଲା। ବାପା ମତେ ପାଞ୍ଚ ଟଙ୍କା ଦେଉଥିଲେ ମାସକୁ ହାତ ଖର୍ଚ ପାଇଁ। ବେଳେ ବେଳେ ପଢିଲା ବେଳେ, କିଛି ଖାଇବାକୁ ଇଛା ହୁଏ। ମିଠେଇ ହଉ କି ବରା ପିଆଜି ହଉ କି ବାରମଜା; କିନ୍ତୁ ବାହାର ଜିନିଷ ଖାଇବାକୁ ସେତେବେଳେ ବାପାଙ୍କର ଅନୁମତି ନଥିଲା ,କାଳେ ପେଟ ଖରାପ ହବ ବୋଲି। ହେଲେ ଗରମଗରମ ବରା, ପିଆଜି ଖାଇବାରେ ଯୋଉ ମଜା ସେଇଟା ଯେଉଁମାନେ ଖାଇଥିବେ ସେଇମାନେ ହିଁ ଜାଣି ପାରିବେ।ତେବେ ବରା ପିଆଜି ଆଣିବାକୁ ହେଲେ ଟିମା କୁ ତେଲ ମାରିବାକୁ ପଡୁଥିଲା। ସେତେବେଳେ ଟିମା କହୁଥିଲା, “ଦେ ଆଠଣା।” ମୁଁ ତାକୁ ବେଳେବେଳେ ଲାଞ୍ଚୁଆ ଡାକିଲେ ମତେ ଆଖି ଦେଖାଇ କହୁଥିଲା, “ରହ ତୋ ବରା ପିଆଜି ଖାଇବା କଥା ବାପାଙ୍କୁ କହିଦେବି।” ମୁଁ ତା’କୁ କୋଳକୁ ଟାଣିଆଣି କହେ, “ମୋ ଗେହ୍ଲା ଟା, ବାପାଙ୍କ ଆଗେ ଜମା କହିବୁନି।”

ମୁଁ ଖାଇଲା ବେଳେ କୁଆଡେ ଥିବ ଦଉଡ଼ି ଦଉଡ଼ି ଆସି ପାଖରେ ବସିପଡିବ ପାଟି ଆଁ କରି। ମତେ ପଖାଳ ସାଂଗେ ବିଭିନ୍ନ ପାଗ ଭଲ ଲାଗୁଥିଲା। ତାମ୍ପଡା ଶୁଖୁଆ ସାଂଗେ କଞ୍ଚା ସୋରିଷତେଲ, କଞ୍ଚା ରସୁଣ ଓ ଲଙ୍କା ଚକଟାପାଗ, ଜହ୍ନି ପୋଡ଼ା ପାଗ, ଟମାଟୋ ପୋଡ଼ା ପାଗ। ସେ ପାଗ ସାଙ୍ଗେ ପଖାଳ ଖାଇଲା ବେଳେ ଆଗ ଟିମା ପାଟିରେ ଗୁଣ୍ଡାଏ ନ ଦେଲେ ମୁଁ ବି ଖାଇ ପାରୁ ନ ଥିଲି। ଆମେ ଦିହେଁ ପଖାଳ ଭାରି ଖୁସି ରେ ଖାଉଥିଲୁ।
ମାଟ୍ରିକ ପାସ ପରେ କଟକ ଗଲି କଲେଜ ରେ ପଢିବାକୁ। ହଷ୍ଟେଲରେ ରହିଲି କେତେବେଳେ ପାନର ଅଭ୍ୟାସ ହେଇଗଲା ମୁଁ ନିଜେ ବି ଜାଣି ପାରିଲିନି। ଥରେ
ଖରାଛୁଟିରେ ଗାଁ’କୁ ଯାଇଥାଏ। ପାଠ ପଢିବା ବେଳକୁ ପାନ ମନେ ପଡିଲା। ପିଲାମାନେ ପାନ ଖାଇବାଟା ଆମ ଘରେ ଗୋଟେ ପାପରେ ଗଣା ହେଉଥିଲା। ପିଲା ପାନ ଖାଇଲା ମାନେ ତା ଚରିତ୍ର ଖରାପ ବୋଲି ବଡ଼ମାନେ କହୁଥିଲେ। ଆଉ ଯଦି ଝିଅ ପିଲା ପାନ ଖାଇଲା ,ତାର ଆଉ ତ୍ରାହି ନାହିଁ। ଘରର ମାନ ସମ୍ମାନ ତଳେ ପଡିଯାଏ ବୋଲି ବୋଉ ର ଧାରଣା ଥିଲା। ତେଣୁ ଛୁଟି ରେ ଘରକୁ ଗଲେ ପାନ ଆଣିବାକୁ ଟିମାର ଶରଣ ପଶିବାକୁ ପଡୁଥିଲା ଏବଂ ଲୁଚି ଲୁଚି ପାନ ଖାଇବାକୁ ପଡୁଥିଲା।
ଟିମା ଜାଣିଦେଲା ତା’ ଅପା ଗୋଟେ ବଡ ଅପରାଧ କରୁଚି।
ତେଣୁ ତାକୁ ପାନ ଆଣିବାକୁ କହିଲେ ତା ର ଦାବୀ ବଢ଼ିଗଲା।ଆଠଣାଟା ଟଙ୍କାଟେ ହେଇଗଲା।ହେଲେ’ ପାନ ତ ଖାଇବି ,ତେଣୁ ଟିମାକୁ ଟଙ୍କେ ଲେଖାଏଁ ଦେଇ ପାନ ଖାଉଥିଲି।
ଧୀରେଧୀରେ ସାଦା ପାନ ଟା ରୂପ ବଦଳେଇ ଗୁଣ୍ଡି ପାନର ରୂପ ନେଇଗଲା। ଏଇଲେ ଗୁଣ୍ଡି ପାନ ମଗେଇଲା ବେଳକୁ ଟିମା ବି ପଇସା ର ଦାବୀ ଆହୁରି ବଢିଲା।ଗୋଟେ ଟଙ୍କା ଦି ଟଙ୍କା ହେଇଗଲା। ମୁଁ କହିଲି “ଦି ଟଙ୍କା ବହୁତ ବେଶି। ଦେଇପାରିବିନି”।ସେଠୁ କହିଲା, “ଠିକ ଅଛି,ଏଇଲେ ଯାଉଚି ବାପାଙ୍କୁ କହିଦେବି।” ମୁଁ କହିଲି, “ଯା କହିଦେ। ମୁଁ ଡରୁନି ବାପାଙ୍କୁ।” ଭାବିଲି ଟିମାର ବହୁତ ସାହସ ବଢି ଯାଉଚି। ଧୀରେଧୀରେ ତାର ଦାବୀ ବି ବଢ଼ି ବଢି ଚାଲିଚି। ତା’କୁ ପାନେ ଦେବି। ହେଲେ ସେଦିନ ଟିମା ବାପାଙ୍କ ଆଗେ କିଛି କହିଲାନି ଓ ସେ କଥା ସେଇଠି ରହିଗଲା।
ମୋର ମେଡିକାଲ ପରୀକ୍ଷାର ଫଳ ବାହାରିଲା। ଏସ ସି ବି ମେଡିକାଲ କଲେଜରେ ପଢିବାକୁ କଟକ ଗଲି। ବେଳେବେଳେ ଟିମା ଆମ ହଷ୍ଟେଲ କୁ ଆସୁଥିଲା।। ଆମ କଲେଜ ପାଖରେ ଥିବା କ୍ୟାଣ୍ଟିନ୍‌ରୁ ମାଂସ ଚପ ଖାଇ ଖୁସି ହଉଥିଲା। ମୋ ସାଙ୍ଗମାନଙ୍କ ସହିତ ତାର ବି ଭାବ ହେଇଗଲା। ଟିମା ଟା ଭାରି ମେଳାପି। ସାଙ୍ଗେ ସାଙ୍ଗେ ଲୋକମାନଙ୍କ ସଙ୍ଗେ ମିଶିଯାଏ।ପର ଆପଣା ଭାବ ଜମାରୁ ନ ଥାଏ।
ଦେଖୁ ଦେଖୁ ମୋ ମେଡିକାଲ ପାଠ ସରି ଗଲା। ଗୋଟେ ବର୍ଷ ଇନ୍ଟର୍ଣସିପ଼ ପରେ ବୁର୍ଲା ମେଡିକାଲ କଲେଜ ଆଖି ବିଭାଗରେ ରେ ପି ଜି ପାଇଁ ସିଟ ପାଇଗଲି।
ବୁର୍ଲା ଯିବା ଆଗରୁ ଘରକୁ ଯାଇ ଥାଏ। ଟିମାକୁ ପାନ ପାଇଁ ପଠେଇଲି।କହିଲା, “ଏଇଲେ ତ ତତେ ପଇସା ମିଳିବ ତେଣୁ ମତେ ପାଞ୍ଚ ଟଙ୍କା ଦବୁ। ନ ହେଲେ ଯାଇ ବାପାଙ୍କୁ କହି ଦେବି।” ମୁଁ କହିଲି “ଯା, ଏଇଲେ କହ। ଦି ଟଙ୍କାରୁ ଗୋଟେ ପଇସା ବେଶି ଦେବିନି। ଯାହା କରୁଚୁ କର।” ସେ ବି ସତରେ ଗଲା ବାପାଙ୍କ ପାଖକୁ। ମୁଁ ତା’କୁ ଅଟକେଇବାକୁ ତା ପଛରେ ଦଉଡ଼ିଲି। ହେଲେ ମୁଁ ପହଞ୍ଚୁ ପହଞ୍ଚୁ ବାପାଙ୍କ କାନରେ କଥା ଟା ପଡିଗଲା। ମୁଁ ବାପାଙ୍କ ରୁମ୍ ବାହାରେ ଠିଆ ହେଇଥାଏ ଘରେ ଗୋଟେ ସୁନାମୀର ଆଶଙ୍କା କରି। ଏଇଲେ ବାପା ବୋଉକୁ ଡାକି କହିବେ, “ଦେଖ ତମ ଝିଅଙ୍କ କରାମତି। ଡାକ୍ତର ହେଇଗଲେ ବୋଲି ଘର ର ମାନ ସମ୍ମାନ ସବୁ ତଳେ ପକେଇ ଦେଲେ। ସମାଜରେ ଆମ ନାକ କାଟିଦେଲେ।” ବୋଉ କହିବ, “ମା, ଦି ଅକ୍ଷର ପାଠ ପଢିଲୁ ବୋଲି ଟିକେ ବାପାଙ୍କ କଥା ଭାବିଲୁନି? ଗାଁ’ଟା ଯାକରେ ତାଙ୍କ ମୁଁହ ତଳକୁ କରିଦେଲୁ?” ଏକଥା ଭାବିଭାବି ମୋ ଛାତି ଖାଲି ଥରୁଥିଲା। ଟିମା ନାଲିସ୍ ଶୁଣି ବାପା ଖବରକାଗଜ ପଢୁପଢୁ ଅତି ସହଜ ସ୍ବରରେ କହିଲେ, “ତୋ ଅପା ପରା ଗୋଟେ ଡାକ୍ତରାଣୀ। ପାନ ଟିକେ ଖାଇଲା ତ କ’ଣ ହେଇଗଲା?” ବାପାଙ୍କ ଉତ୍ତର ଶୁଣି, ଅଶୋକ କଳିଙ୍ଗ ଜିତିଲା ପରେ ତାଙ୍କୁ ଯେମିତି ଲାଗିଥିବ ମତେ ଠିକ ସେମିତି ଲାଗିଲା। ଅତି ଗର୍ବ ରେ ନିଜ ରୁମ କୁ ଚାଲି ଆସିଲି। ଆଉ ଟିମା ଲାଜ ରେ ମୋ ପାଖୁ ନ ଆସି ସିଧା ଖେଳିବାକୁ ପଳେଇଲା। ତା’ ନାକ ଆଉ ଚିପି ପାରିଲିନି। ନ ହେଲେ ତାକୁ ଚିଡ଼େଇବାକୁ ହେଲେ ତା ନାକ ମୁଁ ଚିପିଦିଏ।ଆଉ ସେ ଭାରି ଚିଡ଼େ।
ଟିମା ଗାଁ’ କଲେଜରୁ ବିଏ ପାସ଼ କଲା। ବହୁତ ଭଲ ପଢୁ ନ ଥିଲା। ମଝିରେ ମଝିରେ ମୋ ପାଖକୁ ପଳେଇ ଆସୁଥିଲା। ପୁଅ ସାଙ୍ଗମାନଙ୍କୁ ହାତ କରି ତାଙ୍କ ରୁମ୍‌ରେ ରହିଯାଉଥିଲା। ତା’ଙ୍କ ସାଙ୍ଗେ ଖିଆପିଆ କରୁଥିଲା।ସମସ୍ତଙ୍କୁ ହସେଇ ମଜେଇ ରଖୁଥିଲା ସମସ୍ତଙ୍କ ର ପ୍ରିୟପାତ୍ର ହେଇଯାଇଥିଲା କଲେଜରେ।
ୟା ଭିତରେ ଦଶବର୍ଷ ବିତି ଗଲା।ମୋର ବାହାଘର ହେଇଗଲା। ଟିମା ମୋ ଶାଶୁଘର ପରିବାରର ସବୁ ସଦସ୍ଯଙ୍କର ପ୍ରିୟପାତ୍ର ହେଇଗଲା ଅଳ୍ପ କେଇଟା ଦିନ ଭିତରେ। ମୋ ଶାଶୁ ଘରକୁ ଆସିଲେ ସେ ମୋ ନଣନ୍ଦେଇ ଙ୍କ ପାଖ ଛାଡ଼େନି ।ସେ ଯୁଆଡେ ଯାଆନ୍ତି ତାଙ୍କ ସାଙ୍ଗରେ ତାଙ୍କ ଲାଂଗୁଡ ହେଇ ଯାଏ।
ପାଠ ବେଶି ପଢିବାକୁ ଚାହୁଁନଥିଲା ତେଣୁ ବି.ଏ ପାଶ କଲା ପରେ ଗାଁ ସ୍କୁଲ ରେ ଚାକିରୀ ଟେ ମିଳିଗଲା।ତା ପରେ ବାପା ତାକୁ ବାହା କରି ଦେଲେ। ତା ସ୍ତ୍ରୀ ର ନାଁ ଥିଲା ଧରା। ଧରା ଟିକେ ଅଲଗା ପ୍ରକୃତିର ଥିଲା। ଲୋକ ବାକ, ଭିଡ ଭାଡ ,ତାକୁ ଜମା ଭଲ ଲାଗୁନଥିଲା। ଧୀରେଧୀରେ ଟିମାର ଲୋକମାନଙ୍କ ସାଙ୍ଗେ ମିଳାମିଶା ଧରାକୁ ଭଲ ଲାଗିଲାନି। ଟିମାର ବାହାରକୁ ଯିବା ବ କମ କରିଦେଲା। ଟିମାର ମଜାଳିଆ କଥା ଧରାକୁ ପସନ୍ଦ ହେଲାନି। ଟିମା ଧୀରେଧୀରେ ଚୁପ ହେଇଗଲା। ଜୋକର ଟିମାଟା ସବୁବେଳେ ଅନ୍ୟମନସ୍କ ରହିଲା। ବେଳେବେଳେ ଟଙ୍କା ଦରକାର ହେଲେ ଧରାକୁ ନ କହି ମୋ ପାଖକୁ ଆସି ଟଙ୍କା ନେଇ ତରତର ହେଇ ପଳାଏ। ଗଣ୍ଡେ ଖାଇବାକୁ ବି ରହେନି। ପଖାଳ ଖାଇଲାବେଳେ ଭାରି ତା କଥା ମନେପଡେ।
ୟା ଭିତରେ ଜୀବନ ଅନେକ ଝଡ ଝଞ୍ଜା ଦେଇ ଆଗେଇ ଚାଲିଲା। ଟିିମା ର ଦୁଇ ଝିଅ, ମୋର ଦୁଇ ପୁଅ ନିିଜ ନିଜ ସଂସାର ଜଞ୍ଜାଳ ରେ ବ୍ୟସ୍ତ ହେଇଗଲୁ। ବାପା ବୋଉ ଆରପାରିକୁ ଚାଲିଗଲେ। ଏବେ ଟିମା ପ୍ରାୟ ଫୋନ କରେନି ଧରା ଡରରେ। ମୁଁ ଫୋନ କଲେ ହଁ, ନାଁ’ରେ ଉତ୍ତର ଦେଇ ଫୋନ ରଖିଦିଏ। ଧରା ପ୍ରାୟ କଥା କହେନି। କହିଲେ ଦୁଇ ଚାରିପଦ ଛିଗୁଲିଆ କଥା କହି ରଖିଦିଏ।ସେ କଥା ଗୁଡ଼ା ବି ଟିମା ବିରୁଦ୍ଧରେ । ଟିମା ଟା ପାଇଁ ଭାରି ମନ ଖରାପ ହୁଏ। ଏଡ଼େ ଖୁସିବାସିଆ ପିଲାଟା ଏକଦମ ଚୁପ ହେଇଗଲା।
ଦିନକର ଘଟଣା।
ସେ ଦିନ କାହିଁକି ଡାହାଣ ଆଖିଟା ଭାରି ଜୋର ରେ ଡେଉଁଥାଏ।

ଟିମାର ଗୋଟେ ମେସେଜ ପାଇଲି। ଲେଖିଛି “ନାନୀ ଲୋ,ବହୁତ ଦିନ ରୁ କଥା ହେଇନି। ମୋ ଦେହ ଟା ଟିକେ ଭଲ ରହୁନି। ଡାକ୍ତର କହୁଛନ୍ତି ଲିଭର ରେ କ୍ଯାନ୍ସର। ସେକେଣ୍ଡ ଷ୍ଟେଜ।”ମେସେଜ ପଢି ମୋ ପାଦ ତଳୁ ମାଟି ଖସି ଗଲା ଭଳି ଲାଗିଲା। ଫୋନ କଲି ଟିମାକୁ।ପଚାରିଲି, “କିରେ?ତତେ କେବେଠୁ ଏ ରୋଗ ଧରିଲା?କେମିତି?” ସେ କହିଲା “ନାନୀ ଏକା ରହିବା ଟା ମତେ ଭାରି ବାଧିଲା। ଏ ଅବସ୍ଥା ରୁ ରକ୍ଷା ପାଇବାକୁ ଟିକେ ଟିକେ ନିଶା ଆରମ୍ଭ କଲି। ତୁ ପାନ ଖାଇଲା ଭଳି ମୋର ବି ନିଶା ଅଭ୍ୟାସରେ ପଡିଗଲା। ଧରା କଥା ତ ତୁ ଜାଣିଚୁ। ମୋ’ଠୁ ସେ ଯେତେ ଦୂର ରେ ରହେ ସେ ସେତେ ଖୁସି। ତତେ ଦେଖିବାକୁ ଭାରି ଇଚ୍ଛା ହେଉଚି।” ଫୋନ ରଖିଦେଲି। ଧରା କୁ ଫୋନ କଲି। ପଚାରିଲି, “ଟିମା ଏତେ ଭୋଗୁଚି।ଟିକେ ଜଣେଇଲୁନି?” ସେ ଉତ୍ତର ଦେଲା, “ଜଣେଇଥିଲେ କଣ ଟା କରି ପକେଇଥାନ୍ତ? ମଦ ଯେମିତି ପାଣି ଭଳି ପିଉଥିଲେ , କ୍ୟାନସର ନ ହେଇ ଆଉ କଣ ହେଇଆନ୍ତା?” ଫୋନଟା ରଖିଦେଲି।ମୋର ସ୍ବାମୀ ସରୋଜ ଓ ମୁଁ ବାହାରିଲୁ ଗାଁ କୁ। ତାଙ୍କୁ କହିଲି ,”ଟିମା କୁ କଟକ ନେଇ ଆସିବା। ତା’ର ଚିକିତ୍ସା ଏଇଠି କରିବା।” ମୋ ଗୋଡ ହାତ ଥରୁଥିଲା ତେଣୁ ସରୋଜ ଗାଡି ଚଲେଇ ଲେ। ଯେତେ ଚଞ୍ଚଳ ପାରୁ ଘରେ ପହଞ୍ଚି ଟିମାକୁ ଧରି ଡାକ୍ତର ଖାନା ରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଦେବା ବୋଲି ସରୋଜ କହିଲେ। ଡାକ୍ତର ଙ୍କ ସହିତ କଥାବାର୍ତ୍ତା କରି ସବୁ ରେଡି କରି ଦେଇ ଥିଲେ।ମନେମନେ ସ୍ଥିର କରି ଦେଇଥିଲି ଧରା ଯେତେ ରାଗୁ ପଛେ, ଟିମା ସମ୍ପୂର୍ଣ୍ଣ ସୁସ୍ଥ ନ ହେଲା ଯାଏ ତାକୁ ଆଉ ଗାଁ କୁ ଛାଡିବିନି। ମୋ ପାଖରେ ରଖି ତା’ର ଯତ୍ନ ନେବି। ଘରେ ପହଞ୍ଚିଲା ବେଳକୁ ଘର ଆଗରେ ଲୋକଙ୍କ ଭିଡ଼। ଟିମା ଘର ବାହାରେ ଗୋଟେ ଦଉଡ଼ିଆ ଖଟ ଉପରେ ଶୋଇଥିଲା ଧଳା ଚାଦରରେ ତା ଶରୀରକୁ ଘୋଡ଼େଇ ଦେଇଥିଲେ। ଆଉ କିଛି ଲୋକ କୋକେଇ ବାନ୍ଧୁଥିଲେ।

Leave a Reply

Your email address will not be published. Required fields are marked *