ମୁଁ ଯଦି ଖଣ୍ଡେ ବହି କିଣୁନି, ଅନ୍ୟମାନେ କିଣିବେ ବୋଲି କାହିଁକି ଆଶା କରିବି?

ମୁଁ ଠିକ୍ଠାକ୍ ଥିଲି। ଖାଉଥିଲି, ବୁଲୁଥିଲି, ପିଲାଦିନର ସାଙ୍ଗସାଥୀ ଓ ପଡୋଶୀ ସାଙ୍ଗମାନଙ୍କ ସହ ଗପସପ, ଥଟ୍ଟାମଜା, ଗୁଲିଗପ ଓ ପିଲାଙ୍କ ଦାୟିତ୍ଵରେ ସମୟ କଟିଯାଉଥିଲା। କାହିଁକି କେଜାଣି ଆଜିକାଲି ସବୁ ମହଲରେ ମୁଁ ନିଜକୁ ନ୍ୟୁନ ମନେ କରିବାକୁ ଲାଗିଲି।
ଆଗରୁ କିଛି ଫରକ୍ ପଡ଼ୁନଥିଲା । ମିସେସ ମିଶ୍ର ମତେ ତାଙ୍କ ଡାଇମଣ୍ଡ ସେଟ୍, ପାଟ ଶାଢ଼ୀର ହିସାବ ଦେଉଥିଲେ। ଅନିଭା ତା’ ଅଫିସ ବିଷୟରେ ବାକ୍ ଚାତୁରୀ ମାରୁଥିଲା। ସରିତା ତା’ ସ୍ବାମୀ ଭୁବନେଶ୍ୱରରେ ଏବେ ପୁଣି ଚାରିକୋଟି ଟଙ୍କାର ନୂଆ ଆପାର୍ଟମେଣ୍ଟ କି ବଙ୍ଗଲୋ କେଜାଣି କ’ଣ ଗୋଟେ ବୁକ୍ କଲେ ବୋଲି ତା ଭିଡିଓ ଦେଖାଉଥିଲା, ଯଦିଓ ତା’ର ଆଉ ତିନିଟା ଘର ଅଛି। ରୀଚାର ସ୍ବାମୀ ତା’କୁ ତା’ଙ୍କ ଆନିଭର୍ସାରିରେ ସୁଇଜରଲ୍ୟାଣ୍ଡ ବୁଲାଇନେବେ ବୋଲି କହୁଥିଲା ଓ ବିଶ୍ଵାଳ ବାବୁଙ୍କ ମିସେସ୍ ଦୁବାଇ ଯାଇକି କେତେ ସୁନା ଆଣିଛନ୍ତି ବୋଲି କହୁଥିଲେ। ଇଶିତା ଏ ସବୁ ଶୁଣି ଶୁଣି ଛଟପଟ୍ ହୋଇଯାଉଥିଲା ଓ କିଛି କରିବ କରିବ ବୋଲି ଭାବିଭାବି ତା ସ୍ବାମୀ ସୁରେଶ ସହ କଳି ଝଗଡ଼ା କରି ଘରର ପୁରୁଣା ସୋଫା ବଦଳାଇ ନୂଆ ଦାମିକିଆ ସୋଫା ଆଣିଲା ଓ ନିଜ ପାଇଁ ସ୍କୁଟି ଆଣିଲା, ଯଦିଓ ତାଙ୍କର ମାରୁତି ଅଲ୍ଟୋ ଗାଡ଼ି ଥିଲା ଓ ସେ ନିଜର ଫ୍ଲାଟରେ ରହୁଥିଲା। ମୋର ତ ତାହା ବି ନଥିଲା। ମୁଁ ତ ତାଙ୍କ ଆପାର୍ଟମେଣ୍ଟରେ ରେଣ୍ଟ୍ରେ ରହୁଥିଲି ଓ ଆମର ଗୋଟେ ହିରୋ ହୁଣ୍ଡା ମଟର ସାଇକେଲ ଥିଲା ଓ ମୁଁ ପାଞ୍ଚଶ ଟଙ୍କିଆ ସାଲୁୟାର କମିଜ ଓ ଦୁଇ ହଜାର ଟଙ୍କିଆ ଶାଢ଼ୀରେ ବେଶ୍ ଖୁସି ଥିଲି।
ସେମାନଙ୍କର ମର୍ସିଡିଜ୍ ଗାଡ଼ି , ଡାଇମଣ୍ଡ ସେଟ୍, ପାଞ୍ଚକୋଟିର ଘର ଦେଖି ମୋର କିଛି ଫରକ୍ ପଡ଼ୁନଥିଲା ମନରେ , ସେଥିପାଇଁ ମୁଁ ଖୁସି ଥିଲି। ଇଶିତାର ସ୍ବାମୀ ସିନା ସ୍କୁଟି ଆଣିଦେଲେ, କିନ୍ତୁ ତା’କୁ କହିଲେ, ତମେ ବୁଲିବା ପାଇଁ ମୁଁ ପେଟ୍ରୋଲ ଖର୍ଚ୍ଚ ଦେଇପାରିବିନି, ମୋର ଗୁଡାଏ ଲୋନ୍ ମୁଣ୍ଡ ଉପରେ , ଘର ଲୋନ୍ , ଗାଡ଼ି ଲୋନ୍ ପୁଣି ତମ ସ୍କୁଟି ଲୋନ୍ …ତମ କଥା ତମେ ବୁଝିବ , ନହେଲେ ସ୍କୁଟି ଘରେ ରଖି ପୂଜା କରିବ।
ପେଟ୍ରୋଲ୍ ପାଇଁ କିଟି ପାର୍ଟି
ସ୍କଟି ତ ଆସିଗଲା କିନ୍ତୁ ତା’ ମୁଣ୍ଡ ଘୁରିଗଲା …ବୁଲିବ କେମିତି ପେଟ୍ରୋଲ ନ ପଡ଼ିଲେ, ପଡୋଶୀ ସାଂଗମାନଙ୍କ ଆଗରେ ବେଜିତ୍ ହେଇଯିବ। ସେଥିପାଇଁ ସେ ଲାଗିପଡ଼ି ଦିନେ ଘରେ କିଟି ପାର୍ଟି କଲା ଓ ଆମ ସମସ୍ତଙ୍କୁ ନିମନ୍ତ୍ରଣ କଲା। ସମସ୍ତେ ଭାବିଲେ ନୂଆ ସ୍କୁଟି, ଖୁସିରେ ପାର୍ଟି ଦେବ। କିନ୍ତୁ ତାର ଉଦ୍ଦେଶ୍ୟ ଥିଲା ଅଲଗା।
ସମସ୍ତେ ଆସିଗଲେ ନିଜର ଦେଖାଣିଆ ପଣକୁ ଆଉ ଟିକେ ବିଶେଷ ପଣରେ ଦେଖାଇବାକୁ … କିଏ ନୂଆ ସେଟ୍ ପିନ୍ଧିଥିଲା ତ କିଏ ବ୍ରାଣ୍ଡେଡ୍ ପୋଷାକ ସହ ଘଣ୍ଟା, ତ କିଏ ଦାମିକିଆ ଶାଢ଼ୀ, ତ ପୁଣି କିଏ ବହୁତ ବିଜି ଭିତରେ କେମିତି ଅଫିସ ରୁ ଅଧା ଛୁଟି ନେଇ ଆସିଲା ଯେ ମେକ୍ଅପ ହେଇପାରିଲାନି, ସେମିତି ପଳାଇ ଆସିଲା ସବୁ ବଖାଣିବାରେ ଲାଗିପଡିଲେ। ସବୁଠାରୁ ମଜା କଥା ହେଲା କେହି କାହା କଥା ଶୁଣୁ ନଥିଲେ। ସମସ୍ତେ ଥିଲେ ନିଜ ପାଇଁ ବକ୍ତା, ଶ୍ରୋତା କେହି ନଥିଲେ, ଏକା ମୁଁ ହେଲି ଶ୍ରୋତା; କାରଣ ମୋର ତ ଦେଖାଇବାର, ଶୁଣାଇବାର କିଛି ନଥିଲା। ମୁଁ ଖାଲି ସମସ୍ତଙ୍କ କଥା ଶୁଣୁଥିଲି, ସେଥିପାଇଁ ମୋର ଇମ୍ପୋର୍ଟାନ୍ସ୍ ଅଧିକ ଥିଲା ସମସ୍ତଙ୍କ ପାଖରେ।

ଗପସପ, ଫଟୋ ଉଠା ପର୍ବ ସରିଲା ପରେ ଇଶିତା ଆମ ସମସ୍ତଙ୍କ ହାତରେ ପୁରି, ତରକାରି , ସିଙ୍ଗଡ଼ା ଆଳୁଚପ୍ ଓ ମିଠା ଥିବା ପ୍ଳେଟ୍ ଧରାଇ ଦେଇ ଆରମ୍ଭ କଲା ତା ଉଦ୍ଦେଶ୍ୟ ଅତି ଚାଲାଖିରେ … କହିଲା, ଚାଲ ପ୍ରତିମାସରେ ଜଣ ଜଣଙ୍କ ଘରେ କିଟି ପାର୍ଟି କରିବା, ଗୋଟେ ଗେଟ୍ ଟୁଗେଦର ହେଇଯିବ, ଭଲ ଲାଗିବ; ଆଉ ଖାଲି କାହିଁକି କରିବା ଗୋଟେ ଚିଟ୍ ଫଣ୍ଡ ବି ଖୋଲିବା। ସମସ୍ତେ ପାଞ୍ଚ ହଜାର ଟଙ୍କା ଲେଖାଏଁ ଦେବା ପ୍ରତିମାସରେ। ଆମେ ଦଶ ଜଣ .. ହେଲା ପଚାଶ ହଜାର ଟଙ୍କା। ଚିଟ୍ରେ ସମସ୍ତଙ୍କ ନାଁ ଲେଖାହେବ ଯାହାର ନାଁ ଉଠିବ ସେ ପୁରା ପଇସା ସେ ମାସ ନେବ, ଏମିତି କରିବା, ଭଲ ମଜାଲାଗିବ, ସମୟ ବି କଟିବ .. ଏକାଥରେଜଣେ ପଚାଶ ହଜାର ପାଇଗଲେ କିଛି କାମରେ ବି ଲଗାଇପାରିବ। ସମସ୍ତଙ୍କ ହାତ ଖାଇବା ପ୍ଳେଟ୍ରେ ରହିଗଲା, ମତେ ଛାଡ଼ିକି।
କିଟିର ବାସ୍ତବତା
ମୁଁ ଆରାମରେ ଖାଉଥିଲି ଓ ମନେମନେ ଭାବୁଥିଲି, ମୁଁ ଘର ଖର୍ଚ୍ଚରୁ କାଟି ପାଞ୍ଚ ହଜାର ଟଙ୍କା ପର ପାଖରେ କାହିଁକି ରଖିବି? ମୋ ନିଜ ଆଲମିରା ପର୍ସ୍ରେ କି ବ୍ୟାଙ୍କ୍ ରେ କାହିଁକି ରଖିବିନି! ବ୍ୟାଙ୍କ୍ରେ ରଖିଲେ ତ କିଛି ସୁଧ ବି ମିଳିବ, ନହେଲେ ନିଜ ପାଖରେ ରଖିଲେ ତ ଦଶ ମାସ ପରେ ମୋ ପର୍ସ୍ରେ ପଚାଶ ହଜାର ହେଇଯିବ।ମୋ ପଇସା ମୋପାଖରେ ରହିଲା, ଯେତେବେଳେ ଦରକାର ମୁଁ ସେଥିରୁ ଧାର ନେଇପୁଣି ରଖିପାରିବି, ପର ଆଲମିରାରେ କାହିଁକି ରଖିବି? ତା’ ସହ କିଟି ପାର୍ଟି ପାଇଁ ପୁଣି ହଜାରେ , ଦୁଇ ହଜାର ଖର୍ଚ୍ଚ ବାହାରୁ କିଣିକି ଆଣିଲୃ, ଖର୍ଚ ବଞ୍ଚାଇବା ପାଇଁ ଘରେ ତିଆରି କଲେ ବି କଷ୍ଟ। ମୋର ମିଶିବାର ନାହିଁ, ମନେ ମନେ ସ୍ଥିର କରିଦେଲି।
ସମସ୍ତେ ନୀରବ ରହିବା ଦେଖି ସେ ପୁଣି ଟ୍ରିକ୍ ଖେଳିଲା, କହିଲା, କାହାର ପଇସାର ଅଭାବ ଯେ ..ଗୋଟେ ଖୁସି କରିବା। ଏଠି ଇଜ୍ଜତ ଉପରେ ଆଞ୍ଚ ଆସିବ ମନା କଲେ; ତେଣୁ ସମସ୍ତେ ହଁ କଲେ ମତେ ଛାଡ଼ିକି। ମୁଁ ଜାଣିଥିଲି ମୁଁ ପ୍ରଥମେ ନାସ୍ତିବାଣୀ ଶୁଣାଇଲେ ସମସ୍ତେ ମନା କରିବେ, ସେଥିପାଇଁ ମୁଁ ନୀରବରେ ବସିଥିଲି। ଯେମିତି ସମସ୍ତେ କୁନ୍ଥାଇକି ହଁ ମାରିଲେ, ସେମାନଙ୍କ ମନୋଭାବରୁ ଜଣା ପଡୁଥିଲା ଯେ … ଏଠୁ ଖସିଗଲେ ଗଲା ..ପରେ ଦେଖିବା , କିନ୍ତୁ ଇଶିତା କହିଲା … ଆଜିଠାରୁ ମୋ ଘରୁ ଆରମ୍ଭ କରିବା। ଆଉ ସାଂଗେ ସାଂଗେ ସମସ୍ତଙ୍କ ନାଁ ଲେଖାଯାଇ ରହିଥିବା ଏକ ପଟ୍ ନେଇ ଆସିଲା ଓ ମତେ ସେଥିରୁ ଗୋଟେ ଉଠାଇବାକୁ କହିଲା। ପ୍ରଥମ କାଗଜ ମୁଁ ଉଠାଇଲି ସେଥିରେ ଇଶିତାର ନାଁ ଲେଖାଯାଇଥିଲା। ସେ ଖୁସିରେ ନାଚିଗଲା। ସମସ୍ତେ କହିଲେ ଆମେ କଣ ପଇସା ନେଇକି ଆସିଛୁ? କହିଲା, ଅନଲାଇନ୍ ଟ୍ରାନସ୍ଫର୍ କରିଦେଉନ ମୋ ଆକାଉଣ୍ଟକୁ, ମୁଁ ପାଇଯିବି। ଆରମାସକୁ ସମସ୍ତେ କ୍ୟାସ୍ ନେଇକି ଆସିବା।
ସମସ୍ତେ ଭକୁଆ
ସମସ୍ତେ ଭକୁଆ ହୋଇ ଚାହିଁଥିଲେ କିନ୍ତୁ ନିଜର ଖାତିର ପାଇଁ ଚୁପ୍ ରହିଲେ। ଏବେ ଇଶିତା ସେହି ପଇସାରେ ଶାଢ଼ୀ, କପଡ଼ା, ଜୁଏଲାରୀ ସବୁ ଆଣି ତା’ ଘରର ଗୋଟେ କଣରେ ରଖି ବ୍ୟବସାୟ ଆରମ୍ଭ କଲା। ତା ସ୍କୁଟିରେ ତେଲ ଖର୍ଚ୍ଚ ପାଇଁ। ମୁଁ ତ ତାଙ୍କ ଚିଟ୍ ଫଣ୍ଡ ରେ ମିଶିବିନି – ମନା କଲି, ସେଥିପାଇଁ ମୁଁ ତାଙ୍କ ଗ୍ରୁପରେ ଖଟି କରିବାକୁ ଆଉ ଗଲିନି। କିନ୍ତୁ ଆଜିଯାଏଁ ଭାବୁଛି ଇଶିତାର ନାଁ’ଟା କେମିତି ପ୍ରଥମେ ଉଠିଲା, ସେ କ’ଣ ସବୁଯାକ କାଗଜରେ ନିଜ ନାଁ ଲେଖିଥିଲା କି …ସେଥିପାଇଁ ସାଂଗେ ସାଂଗେ ଚିଟ୍ ଥିବା ଡବାଟିକୁ ମୋ ହାତରୁ ନେଇ ଯାଇ ରୋଷେଇ ଘରେ ରଖିଦେଲା, କାଳେ ମୁଁ ଆଉ ଗୋଟେ କାଗଜ ଉଠାଇକି ଦେଖି ଦେବି ବୋଲି।
ପ୍ରତିଷ୍ଠାର ଦେଖାଣିଆପଣର ଭାଇରସ୍ରେ ଓ ସେମାନଙ୍କ କଥାରେ ମୁଁ ଧୀରେ ଧୀରେ ସଂକ୍ରମିତ ହେଉଥିଲି ବୋଧହୁଏ … କାରଣ ମୁଁ ବି କେମିତି ନିଜକୁ ପ୍ରତିଷ୍ଠିତ କରିବି ଓ ନିଜର ବଢ଼ିମା କେମିତି ଦେଖାଇବି ବୋଲି ଭାବିଲି। ପଇସା ତ ମୋ ପାଖରେ ନାହିଁ .. ଦାମିକିଆ ଗାଡ଼ି କିଣି ପାରିବି, ନା ହୀରା ହାର କିଣିପାରିବି, ନା ସୁଇଜରଲ୍ୟାଣ୍ଡ୍ ବୁଲି ଯାଇପାରିବି। କଣ କରିବି ଭାବିଲି, ଅବଶ୍ୟ ମୋର ଶିକ୍ଷାଗତ ଯୋଗ୍ୟତା ଥିଲା, କିନ୍ତୁ ନିଜ ଦୁର୍ବୁଦ୍ଧିରୁ ଓ ସ୍ବାଭିମାନକୁ ଜଗି ଚାକିରି ଖଣ୍ଡକ ଛାଡ଼ି ଘରେ ବସିଥିଲି ।
ମାଗଣା ଲେଖା
ଏବେ ମୁଁ ଲେଖାଲେଖିରେ ମନ ଦେଲି । ତାଙ୍କ କିଟି ଛାଡ଼ି ସୋସିଆଲ ମିଡ଼ିଆକୁ ଓ ମୋବାଇଲ ଫୋନ୍କୁ ଆପଣେଇଲି। ମାଗଣା ଲେଖାସାଙ୍ଗକୁ ପାଠକମାନଙ୍କର ମାଗଣା ମତାମତକୁ ମୁଁ ପୁଣି ଖୁସିରେ ଆପଣେଇଲି। ଦେଖାଣିଆ ଭାଇରସ୍ ମତେ ଆଉ ସଂକ୍ରମିତ କରିପାରିଲା ନାହିଁ। ମୋର ନିଜର ଛୋଟ ଛୋଟ କଥାରେ ଖୁସି ହେବାର ମନୋଭାବ ଆଣ୍ଟିବାୟୋଟିକ୍ର କାମ କଲା ଓ ମନର ଇମୁନିଟିକୁ ବଢ଼ାଇଦେଲା।
କିଛିଦିନ ପରେ ଦେଖିଲି ସୋସିଆଲ ମିଡ଼ିଆରେ ଲେଖକ, ଲେଖିକା, କବି, କବୟିତ୍ରୀମାନେ ପତ୍ରପତ୍ରିକାରେ ନିଜର ଲେଖାସବୁ ବାହାରିଥିବାର ପ୍ରମାଣପତ୍ର ସହ ପୋଷ୍ଟ କରୁଛନ୍ତି। ମୁଁ ଏ ସବୁକୁ ଅଣଦେଖା କରୁଥିଲି, କିନ୍ତୁ ପ୍ରତିଷ୍ଠାର ମୋହ ବଡ଼ ବିଷମ …ଏହି ମୋହର ସଂକ୍ରମଣରୁ ମୁଁ ନିଜକୁ ରକ୍ଷା କରିପାରିଲିନି। ମୁଁ ବି ଆଗଭର ହେଲି। ନୂଆ ନୂଆ ପତ୍ରିକା ସମ୍ପାଦନା କରୁଥିବା ସମ୍ପାଦକମାନେ ଲେଖା ମାଗିଲେ। ମୁଁ ବି ବହୁତ ଖୁସି ହେଲି , କିନ୍ତୁ ଲେଖା ବାହାରିବା ପରେ ପତ୍ରିକା ପଠାଇବା ପାଇଁ ପତ୍ରିକାର ମୂଲ୍ୟ ମାଗିଲେ। କଣ କରିବି, ମୋର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନ କିଣି ପଇସା ବଞ୍ଚାଇ ସେମାନଙ୍କଠାରୁ ପତ୍ରିକା କିଣିଲି ଓ ସମସ୍ତଙ୍କୁ ମୋର ଲେଖିବାପଣ ଦେଖାଇଲି।
ପତ୍ରିକା କିଣାରୁ ଲେଖିକା
କିଛିଦିନ ପରେ ଭାବିଲି ପଇସା ଦେଇ ପତ୍ରିକା କିଣି ବହୁତ ନାମ କମାଇଲିଣି; ଏଥର କିଛି ପୁରୁଣା ପ୍ରତିଷ୍ଠିତ ପତ୍ରିକା ପାଇଁ ଲେଖା ପଠାଇବି ଯେ ଆଉ ପଇସା ଦେଇ ପତ୍ରିକା କିଣିବାକୁ ପଡିବନି। ଶୁଣିଥିଲି, ସେମାନେ କୁଆଡ଼େ ଲେଖକ ଲେଖିକାଙ୍କୁ କମ୍ପ୍ଲିମେଣ୍ଟାରି କପି ଦିଅନ୍ତି। ପତ୍ରିକାସବୁକୁ ଲେଖା ଦେଇ ଦେଇ ଥକିଗଲି ଯେ କେହି ବାହାର କଲେନି, ବେକାର ସବୁ ଚେଷ୍ଟା ମୋର।
ଭାବିଲି, କଷ୍ଟ କରି ଲେଖିବି, ଟାଇପ୍ କରିବି, ଲେଖା ପଠାଇବି, ପୁଣି ମୋ’ ଲେଖାକୁ ପତ୍ରିକାରେ ବାହାରିଛି ବୋଲି ଦେଖିବା ପାଇଁ ପଇସା ଦେଇ କିଣିବି …ନିଜ ଆତ୍ମସମ୍ମାନକୁ ବାଧିଲା। ଏମିତି ବି ମୋର “ଅଳପ ଧନ, ବିକଳ ମନ।”
ହିସାବ କରି ଦେଖିଲି ଯେତିକି ପଇସା ଦେଇ ମୋ ନିଜ ଲେଖାକୁ କିଣିଲିଣି ଆଉ କିଛି ମିଶାଇଥିଲେ ଗୋଟେ ବହି ଛାପି ହୋଇଯାଇଥାନ୍ତା।
ବହି ଛାପିବାକୁ ହେଲି ଉଚ୍ଛନ୍ନ
ମୋର ବନ୍ଧୁ ବାନ୍ଧବୀମାନେ ପ୍ରତିଦିନ ପ୍ରାୟ କେହି ନା କେହି ତାଙ୍କ ନିଜସ୍ୱ ବହି ଛାପି ପୋଷ୍ଟ କରୁଥିଲେ ଓ ନାଁ କମାଉଥିଲେ।ସତ କହିଲେ, ମୋ’ ମନ ବି ଉଚ୍ଛନ୍ନ ହେଲା ନାଁ କମାଇବାକୁ, ରାତିଦିନ ନିଦ ହେଲାନି। ଶେଷରେ ସ୍ୱାମୀଙ୍କୁ ମନର କଥାଟି କହିଲି, ବହିଟେ ଛାପିବା ପାଇଁ। କହିଲେ, ହଁ ଛାପୁନୁ …। କହିଲି, ପଇସା ଦିଅ …। କହିଲେ …ଏ ସାହିତ୍ୟ ଫାହିତ୍ୟ ହେଲା ..ହାତରୁ ଖାଇକି ଘୋଡ଼ା ଆଗରେ ଦୌଡ଼ିବା, ଯାହାର ପଇସା ଥାଏ, ସେମାନେ ହାତରୁ ଖାଇକି ଘୋଡ଼ା ଆଗରେ ଦୌଡ଼ନ୍ତି , ଆମର ସେ ଷ୍ଟାଣ୍ଡାର୍ଡ୍ ନାହିଁ। ଏଇଟା ସତ କଥା ବୋଲି ଜାଣିପାରିଲେ ବି ମୁଁ କିନ୍ତୁ ଚୁପ୍ ହୋଇ ବସି ରହିପାରିଲିନି। ନାଁ କମାଇବାର ନିଆଁ ପ୍ରବଳ ବେଗରେ ମନ ଭିତରେ ବଢୁଥିଲା।
ସାଂଗସାଥିମାନେ ଗଛ ଉପରକୁ ଚଢ଼ାଇ ଦେଲେ। ଉତ୍ସାହ ଦେଇ କହିଲେ, ହଁ ବହି କର ଆମେ ସବୁ କିଣିବୁ ଓ ଆମ ଚିହ୍ନା ପରିଚୟଙ୍କୁ ବି କହିବୁ କିଣିବା ପାଇଁ ..କିଛି କ୍ଷତି ହେବାର ନାହିଁ ବହୁତ ଲାଭ ହେବ ତା ସହ ତୋର ନାଁ ‘ ବି …।
କିଏ ବା କାହିଁକି କେଉଁ ପବ୍ଳିସର ମୋର ମାଗଣାରେ ବହି ଛାପିବ ..ଏ କଥା ଭାବିବା ବି ବୃଥା। ଆଲମାରୀ ଲକର ଅଣ୍ଡାଳିଲି କିଛି ସଞ୍ଚୟ ମୋର ନ ଥିଲା। ବାହାଘର ବେଳର ହାରଟି ବିକି ଦେଇ ମୋ ସ୍ୱାମୀ ଙ୍କୁ ମଟର ସାଇକେଲ କିଣି ଦେଇଥିଲି ଏବଂ ଚୁଡ଼ି ଦୁଇଟା ବି ବିକି ଦେଇଥିଲି ଝିଅର ଇଞ୍ଜିନିୟରିଂ ଆଡ଼ମିଶନ୍ ବେଳେ। ମୋର ଖାଲି ହାତ ଦେଖି ମା’ ତା’ ହାତରୁ ଚୁଡ଼ି ଦୁଇଟା ବାହାର କରି ପିନ୍ଧାଇ ଦେଇଥିଲା ରାଣ ନିୟମ ପକାଇକି। ସେହି ଚୁଡ଼ି ଦୁଇଟା ଉପରେ ମୋର ନଜର ପଡ଼ିଲା ପରେ ମନରେ ଟିକେ ଆଶାର ଝଲକ ଦେଖାଗଲା।
ପବ୍ଲିସର୍ଙ୍କ ନିୟମ
ପବ୍ଳିସରମାନଙ୍କ ସହ କଥା ହେଲି। ସମସ୍ତଙ୍କର ନିୟମ ଥିଲା ଭିନ୍ନ, ଭିନ୍ନ। କାହାର ବହିର ଶହେ କପି କରିବା ନିୟମ ତ କାହାର କଣ। କିଏ ଫ୍ରି ରେ କରିବେ କହିଲେ ତ ପୁଣି ତା ଭିତରେ ଦୁନିଆଁ ପେଞ୍ଚ …ଏମିତି ଏମିତି ରେ ମୋ ବଜେଟ୍ କୁ ସୁହାଇଲା ଭଳିଆ ଜଣେ ଭଦ୍ରଲୋକ ମିଳିଗଲେ। ଭାବିଲି ଚୁଡ଼ିଟା ବିକିବା ଦରକାର ପଡିବନି, ବନ୍ଧା ପକାଇକି କିଛି ପଇସା ଆଣି ଅଳ୍ପ ବହି ପ୍ରିଣ୍ଟ୍ କରିବି, ବହି ବିକ୍ରି ହୋଇଗଲେ ସେଇ ପଇସାରେ ମୋ’ ଚୁଡ଼ି ଦିପଟ ମୁକୁଳାଇ ଆଣିବି। ମା’ ଦେଇଥିବା ଚୁଡ଼ି ଦି’ ପଟ ବିକିବାକୁ ମନଦୁଃଖ ହେଉଥିଲା। …ଏବେ ମଝିରେ ଗୋଟେ ରାସ୍ତା ମିଳିଗଲା।
ଚୁଡ଼ି ବନ୍ଧକ ରଖି କିଛି ପଇସା ଆଣି ବହି ଛପାଇଲି। ସାଂଗସାଥି ଶୁଭଚିନ୍ତକମାନଙ୍କୁ ଜଣାଇଲି ଖୁସିରେ। ସେମାନେ ମତ ଦେଲେ ବହିର ଉନ୍ମୋଚନ କର , କିଛି ପ୍ରତିଷ୍ଠିତ ନାଁ’କରା ସାହିତ୍ୟିକଙ୍କୁ ନିମନ୍ତ୍ରଣ କର, ନହେଲେ ଲୋକ ଜାଣିବେ କେମିତି! ଆମେସବୁ ଯିବୁ, ସମସ୍ତେ ଆସିବେ, ସେଇଠି ପ୍ରାୟ ସବୁ ବହି ବିକ୍ରୀ ହୋଇଯିବ। ତୋର ନାଁ ବି ହେବ। ଚୁପ୍ ହୋଇ ରହିଯାଇଥିଲେ ଭଲ ହୋଇଥାନ୍ତା; କିନ୍ତୁ ଏହି ଯେଉଁ ନାଁ କମାଇବାର ନିଶା ମୋତେ ଏତେ ମୋହଗ୍ରସ୍ତ କରିଥିଲା ଯେ ପୂର୍ବର ମୋ ବୁଦ୍ଧି ଶୁଦ୍ଧି ସବୁ ସେଇ ନିଆଁ ରେ ସ୍ଵାହା ହୋଇଯାଇଥିଲା ବୋଧହୁଏ।

ବହି ଉନ୍ମୋଚନ ସଭା
ବହି ଉନ୍ମୋଚନ ପାଇଁ ସଭାର ଆୟୋଜନ କରିବା ପାଇଁ କିଛି ଖର୍ଚ୍ଚ ଦରକାର। ହଲ୍ ବୁକିଂ କରିବା ଖର୍ଚ୍ଚ, ନିମନ୍ତ୍ରଣ କରିବା ବ୍ୟକ୍ତିମାନଙ୍କ ପାଇଁ ଚା’ ଜଳଖିଆ ଖର୍ଚ୍ଚ। ପୁଣି ଗଲି ଚୁଡ଼ି ବନ୍ଧକ ରଖିଥିବା ବ୍ୟକ୍ତିଙ୍କ ପାଖକୁ ଆଉ କିଛି ପଇସା ମାଗିବାକୁ। ମୋର ଖର୍ଚ୍ଚର ଆକଳନ କରି ଆଉ ଯେତିକି ପଇସା ମାଗିଲି, ତାଙ୍କ ଉତ୍ତର ହେଲା …ନା ଯଦି ପଇସା ନେବ ଚୁଡ଼ିଟା ମତେ ବିକ୍ରି କରିଦିଅ: ବନ୍ଧା ପକାଇବା ପାଇଁ ଆଉ ପଇସା ଦେଇ ପାରିବିନି। ତଥାପି ମୋ’ ମୁଣ୍ଡରେ ବୁଦ୍ଧି ପଶିଲାନି, କାହିଁକି ବେକାର ପଇସା ଖର୍ଚ୍ଚ କରିବି ଏ ଅଯଥାର। ମୁଁ ତ ଗଛ ଉପରେ ଚଢ଼ି ଆକାଶକୁ ଦେଖିବାରେ ବ୍ୟସ୍ତ, ତଳକୁ ଅନାଇଥିଲେ ସିନା ମୁଣ୍ଡ ବୁଲାଇ ପଡ଼ିବାର ଭୟଟା ଦେଖାଯାଇଥାନ୍ତା। ଅଗତ୍ୟା କିଛି ଆଗ ପଛ ଚିନ୍ତା ନ କରି ଚୁଡ଼ିଟି ବିକି ଦେଇ ଆଉ କିଛି ପଇସା ଆଣି ବହି ଉନ୍ମୋଚନ ପାଇଁ ସଭାଟିଏ କଲି।
ସଭା ହେଲା , ଭାଷଣବାଜି ସରିଲା, ମୋ’ ବହିର ଗୁଡ଼ାଏ ପ୍ରଶଂସା କଲେ ନିମନ୍ତ୍ରିତ ଅତିଥିମାନେ, ହାତରେ ବହି ଧରି ସେମାନଙ୍କ ସହ ଫଟୋ ଉଠାଇଲି। ଖୁସିରେ ମୋ ମନ ଫାଟି ପଡୁଥାଏ। ଆୟୋଜକ ସାର୍ କହିଲେ ସମସ୍ତଙ୍କୁ ବହି ଖଣ୍ଡେ ଖଣ୍ଡେ ଦିଅନ୍ତୃ। ମୁଁ ଖୁସି ମନରେ ବହି ବାଣ୍ଟୁ ବାଣ୍ଟୁ ମନେ ମନେ ଭାବିଲି, ଯାହା ଭାବିଥିଲି ସବୁ ମୋ ମନ ଅନୁସାରେ ହେଲା। ସମସ୍ତେ ଚା’ପାଣି ଖାଇ ବହି ନେଇ ସାରିଲା ପରେ ଧୀରେ ଧୀରେ ସଭାକକ୍ଷ ଖାଲି ହେବାକୁ ଲାଗିଲା। କାହିଁ କେହି ତ ମତେ ବହିର ମୂଲ୍ୟ ପଚାରିଲେନି। ଭାବିଲି ବହି ଦେଖିଲେ ଜାଣିପାରିବେ, ପରେ ଦେବେ ବୋଧହୁଏ। ଅପେକ୍ଷା କରି କରି ଫୋନ୍କୁ ଦେଖି ଦେଖି କାଳେ ମେସେଜ୍ କିଛି ଆସିଥିବ ବୋଲି ଭାବି ଆଠ ଦଶ ଦିନ ବିତିଗଲା। ଆଉ ନିଜକୁ ସମ୍ଭାଳି ନପାରି ଆୟୋଜକ ସାର୍ଙ୍କୁ ପଚାରିଲି … ସାର୍ ଖଣ୍ଡେ ବହିର ମୂଲ୍ୟ ତ ମତେ ଏ ଯାଏ କାହିଁ ମିଳିଲାନି?? ତାଙ୍କ ଉତ୍ତରରେ ମୋ ଦିମାଗ୍ ଶୂନ ହୋଇଗଲା । କହିଲେ …କି ମୂଲ୍ୟ! ସେମାନେ କଣ ସବୁ ଖାଲି ଆସିଥାନ୍ତେ! ଉନ୍ମୋଚନ ସେମିତି କରାଯାଏ .. ଚା ପାନ କରିବେ, ବହି ଖଣ୍ଡେ ଖଣ୍ଡେ ନେବେ। ନହେଲେ କାହାର ସମୟ ଅଛି ଯେ ଏ ସବୁ କାମରେ ନିଜ କାମ ଛାଡି ସମୟ ନଷ୍ଟ କରିବାକୁ ଆସିବେ। ଗଛକୁ ଚଢ଼ାଇଥିବା ସାଂଗସାଥିମାନେ ବି କିଏ ଆସିଲେ, କିଏ କାମର ବାହାନା କରି ଅନୁପସ୍ଥିତ ରହିଲେ। ଯିଏ ବି ଆସିଲେ ସେମାନେ ବି ବହି ବିଷୟରେ କିଛି ଆଉ ପ୍ରଶ୍ନ ଉଠାଇଲେ ନାହିଁ। ମା’ର ସନ୍ତକ ଚୁଡ଼ି ବି ଗଲା, ବହି ସବୁ ବି ଗଲା। ମୁଁ ଚୁପ୍ ପଡ଼ିଗଲି, ଆଉ କଣ କରିବି?
ମୋ କାର୍ଯ୍ୟକଳାପରେ ଏତେ ଦିନ ଧରି ଚୁପ୍ ହୋଇ ରହିଥିବା ମୋ ସ୍ୱାମୀ ଏବେ ମୁହଁ ଖୋଲିଲେ , କହିଲେ ହାର ବିକି ମଟର ସାଇକେଲ ଆଣିଥିଲୁ ଘରର କାମରେ ଲାଗୁଛି, ମୁଁ ଅଫିସ ଯାଉଛି, ପିଲାମାନେ ସ୍କୁଲ କଲେଜ, ଟିଉସନ ଯାଉଛନ୍ତି; ତୁ’ ବି ସେଥିରେ ମାର୍କେଟିଙ୍ଗ୍, ସାଂଗସାଥୀ ବନ୍ଧୁବାନ୍ଧବଙ୍କ ପାଖକୁ, ସିନେମା, ପାର୍କ ଇତ୍ୟାଦି ଯାଉଛୁ। ଏବେ ଗାଡ଼ିଟା ବିକିଦେଲେ ବି କିଛି ପଇସା ମିଳିବ, କିନ୍ତୁ ଚୁଡ଼ିଟା ବିକି କଣ ପାଇଲୁ? ବହି କିଏ କିଣିଲା … ଯଦି ଛାପିଲୁ .. ଛାପିଲୁ ତୋ’ର ଗୋଟେ ଇଛା ଥିଲା, ହୁଏତ ବନ୍ଧାଥିଲେ ମୁଁ ସୁବିଧା କରି ମୁକୁଳେଇବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ଉନ୍ମୋଚନ ପାଇଁ ଯେଉଁ ପଇସା ଖର୍ଚ୍ଚ କଲୁ , ସେମାନେ ଏବେ କାହାନ୍ତି .. କିଏ ତୋ ବହି କିଣିଲା … ସେଇଥିପାଇଁ କହିଥିଲି ହାତରୁ ଖାଇ ଘୋଡ଼ା ଆଗରେ ଦୌଡ଼ିବା ପାଇଁ ଆମର ଷ୍ଟାଣ୍ଡାର୍ଡ୍ ନାହିଁ।
ଏବେ ଭାବୁଛି, ଚୁଡ଼ିଟା କେମିତି ଆଣିବି?
ହାତଟା ଖାଲି
ମୁଁ ଯଦି ଖଣ୍ଡେ ବହି କିଣୁନି, ଅନ୍ୟମାନେ କିଣିବେ ବୋଲି କାହିଁକି ଆଶା କରିବି? କିଏ ମୋ ବହି ପଢ଼ୁଛି କି ନାହିଁ କେଜାଣି , ମୁଁ କିନ୍ତୁ ଖାଲି ହାତରେ ମୋ ବହି ପଢ଼ୁଛି। ପ୍ରତି ପୃଷ୍ଠାର ଲେଖା ଭିତରେ ମୋ ଚୁଡ଼ି ଦିଶୁଛି। ବହିଟା ହାତରେ ଅଛି କିନ୍ତୁ ହାତଟା ଖାଲି। ଚୁଡ଼ି ବିକିଲି ବୋଲି ମନ ଦୁଃଖ ହେଉନି, କି ବହି ଛାପିଲି ବୋଲି ମନ ଖୁସି ହେଉନି। ଭାରତ ପାକିସ୍ତାନ କ୍ରିକେଟ ଖେଳରେ ‘ଟାଇ’ ହେଲେ ଯେମିତି ଆମ ମାନଙ୍କ ମନ ହୁଏ …ନା ଖୁସି, ନା ଦୁଃଖ .. ଯଦି ବହି ବିକ୍ରି ପଇସାରେ ଚୁଡ଼ିଟା ଫେରାଇ ଆଣିପାରିଥାନ୍ତି, ବୋଧହୁଏ ଖୁସି ହୋଇଥାନ୍ତା ମନଟା।
ଏ ସବୁ ଝମେଲା ଭିତରେ ମୁଁ ମୋ ସୋସିଆଲ ମିଡ଼ିଆର ପାଠକମାନଙ୍କୁ ଭୁଲି ଯାଇଥିଲି , ଯେଉଁମାନଙ୍କ ପାଇଁ ମୁଁ ଲେଖିକା ବନିଯାଇଥିଲି। ଏବେ ମୁଁ ପୁଣି ସେମାନଙ୍କ ପାଖକୁ ଫେରିବାକୁ ଇଛାକଲି ଓ ଫେରିଲି ମଧ୍ୟ। ଏବେ ମୁଁ ଖୁସି, ମୋର ଟେନସନ୍ ନାହିଁ ପଇସା ଖର୍ଚ୍ଚ କରି ବହି ଛପାଇବି, କି ପଇସା ଦେଇ ପତ୍ରିକା କିଣି ନିଜ ଲେଖା ପଢ଼ିବି; ଏବଂ ମୋର ପ୍ରିୟ ପାଠକମାନଙ୍କର ବି ଟେନସନ୍ ହେବନି କି ସେମାନେ ପଇସା ଖର୍ଚ୍ଚ କରି ମୋ ବହି କିଣି ଗପ , କବିତା ପଢ଼ିବେ। ମୁଁ ବି ଖୁସି, ସେମାନେ ବି ଖୁସି …ଏବେ ଆମେ ପୁଣି ସମ୍ପର୍କରେ ନିକଟ ଓ ପାଖାପାଖି।
ନିରାଟ ସତ କଥା। ଅଳ୍ପେବହୁତେ ଆମ ସମସ୍ତଙ୍କ ଅନୁଭବ ଓ ଅନୁଭୂତି। ଆଉ, ଫ୍ରିରେ ପାଇଥିବା ବହି କେତେଜଣ ପଢ଼ୁ? ମତାମତ ଦିଆନିଆ ତେଣିକି ଥାଉ। 🙏
ଭଲ ଲାଗିଲା
ନିରାଟ ସତ କଥା। ଆଜିକାଲି ଦେଖେଇ ହେବା ଗୋଟେ ସାଧାରଣ କଥା। ଲେଖାଟି ମାଧ୍ୟମରେ ସେ ସୂଚାଇ ଦେଇଛନ୍ତି ଯେ ସାଧାରଣ ଲୋକ ସାହିତ୍ୟିକ ହେବା କଷ୍ଟକର। କାରଣ ଏତେ ଖର୍ଚ୍ଚ କରିବା ତାଙ୍କ ପାଇଁ ସହଜ ନୁହଁ। ବିଶେଷତଃ ବରଂ ଜଣା ପଡୁଛି ଧନୀ, ଉଚ୍ଚ କ୍ଷମତାଧାରୀ ଓ ସହରୀ ଲୋକ ହିଁ ଲେଖକ ଲେଖିକା ହୋଇପାରିବେ।ଏହି ଲେଖା ପାଇଁ ଲେଖିକାଙ୍କୁ ଧନ୍ୟବାଦ।
ଲେଖିକାଙ୍କୁ ଧନ୍ୟବାଦ!
ତାଙ୍କ ବ୍ୟଙ୍ଗ ରଚନାଟି ପଢି, ମୁଁ ଗୋଟେ ବହୁତ୍ ବଡ଼ ଅନୁରୂପ ବେକାର ଖର୍ଚ୍ଚରୁ ବଂଚିଗଲି। ୫୦ଟି କବିତାର ଏକ ସଂକଳନ ପୁସ୍ତକ ରୂପ ମୁଁ ମଧ୍ୟ କେତେଦିନ ଧରି ସ୍ୱପ୍ନ ଦେଖୁଥିଲି! ତେବେ ବହି ଛାପା ଆଉ ଉନ୍ମୋଚନ ସଭା ଖର୍ଚ୍ଚ କଥା ଭାବି ବିଥେଇ ହଉଥିଲି।
ଆଜି ଲେଖିକାଙ୍କ “କଣ୍ଟେଇମୁଣ୍ଡି ବାଇଗିଣିଆ” ଲେଖାଟି ପଢ଼ିସାରିବା ବେଳକୁ ମୋର ସମ୍ବୋଧି ପ୍ରାପ୍ତି ଆସିଗଲା। କପାଳ ଘର୍ମାକ୍ତ ଆଉ ଦୁଇ କାନ ପାଖରୁ ଦୁଇଧାର ସଦ୍ୟ ଝାଳ ବୋହିଗଲା। ମୋର ଅପୌରାଣିକ ଶରଶଯ୍ୟା ଉଭେଇଗଲେ। ମୋର ବ୍ୟାଙ୍କ୍ ଏଫଡ଼ି ଟା ଆଲମାରିରୁ ବାହାରି ଚା,ସିଙ୍ଗଡ଼ା,ରସଗୋଲାର ଅବତାରରେ ବିବର୍ତ୍ତିତ ହେବା ପୂର୍ବରୁ ପୁନର୍ଜୀବନ ପାଇଗଲା। ଧନ୍ୟବାଦ ଲେଖିକା ମା! ମୋର ଦୁଃସ୍ଵପ୍ନ କଟିଗଲା!
ଏବେ “ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀ”ଙ୍କ ଭଳି ମୁଁ ଜଣେ “ବହି ଅଛପା ଲେଖକ” ରୂପରେ ଅପରିଚିତ ହୋଇ ରହିଥିବି! ଜଣେ ଅବସରପ୍ରାପ୍ତ ପେନସନ ଭୋଗୀ ଓ ବ୍ୟାଙ୍କ୍ ଜମାଖାତା ଚାରିପଟେ ସର୍ପୀଳ କୁଣ୍ଡଳୀମରା ଜଗୁଆଳି ହୋଇ ବୃଦ୍ଧରୁ ବୃଦ୍ଧତର ହୋଇଚାଲିଥିବି। ଅଣପୁସ୍ତକିଆ ଲେଖକ ଶ୍ରେଣୀ ଜିନ୍ଦାବାଦ!କାଦୁଅକୁ ଯିବ କାହିଁକି, ଗୋଡ଼ ଧୋଇବ କିଆଁ!
ଅବଶ୍ୟ ଆଉ ଅଳ୍ପଦିନ ପରେ ମୁଁ ସୁପର୍ ସିନିୟର୍ ଶ୍ରେଣୀରେ ପ୍ରବେଶ କଲେ ମୋର ଗଣ୍ଠିଧନ ପେନସନ ଗଣ୍ଡାକ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ନାକେଇ ବସିଚି! ସେଇଟାରେ ଯାହା ଅଧିକ ମିଳିବ ସେଥିରେ ପଚାଶ ଜଣଙ୍କ ପାଇଁ ଚା ସିଙ୍ଗଡ଼ା ଆଉ ଛୋଟ ହଲ୍ ଭଡ଼ା ସହିତ କାନ୍ଥ ବ୍ୟାନର ଟିଏ ହେଇଯିବ। ବହିଛପା ଖର୍ଚ୍ଚ ବାବଦକୁ, ମୋର ପ୍ରାଚୀନ ଶ୍ୱଶୁର ଘର ପ୍ରିଣ୍ଟିଙ୍ଗ ପ୍ରେସ୍ରେ ୫୦ଟି ବହି ବାକିରେ କରିଦେବାକୁ କହିବି। ମାତ୍ର ୫୦ ବର୍ଷ ତଳେ ମୋର ବିବାହ ବେଳେ ଆମେ ଲାଜ ମିଶା ଗର୍ବରେ କିଛି ଡାଉରୀ ମାଗି ପାରି ନଥିଲୁ ଏବଂ ସେମାନେ ମଧ୍ୟ ସରମରେ ସେମିତି କିଛି ଅସର୍ପି ମୁଣା ଦେଇପାରିନଥିଲେ ! ଏବେ ବହି ଛପା ହୋଇ ଉନ୍ମୋଚନ ସଭା ସରିଲେ, ତାପରେ ସେମାନେ ସିଧାସଳଖ ଛପାଖର୍ଚ୍ଚ ମାଗି ପାରୁନଥିଲେ ମଧ୍ୟ ମୁଁ ଉପରେ ପଡ଼ି ମୋର ବିନା ଡାଉରୀ ବିବାହର ଅର୍ଦ୍ଧ ଶତାବ୍ଦୀର ଇତିହାସ କଥା ନିର୍ଲଜ୍ଜ ଓ ନିର୍ଲୋଭ ଅଭିନୟରେ କହି ପାର ହୋଇଯିବି ବୋଲି ଭାବିଥିଲି! ପରେ କେବଳ କାଗଜ ଖର୍ଚ୍ଚଟା ହୁଏତ ଦେଇଦେବି, ବେଶି ଅପମାନ କରିବେ ଯଦି। କଟକ ଖଟବିନ ସାହି ଭାଇ ତ ! ତେବେ ଏଭଳି ଅଘଟଣରୁ ମଧ୍ୟ ବଂଚିଗଲି! କାହାଣୀରେ ଦମ୍ ଅଛି ସତରେ!
ପୁଣି ଥରେ ଲେଖିକା ଆଉ ସମ୍ପାଦକଙ୍କୁ ଧନ୍ୟବାଦ।