“ଯଦି ମୋ’ ସ୍ତ୍ରୀକୁ ଯମ ନେଇଯାଇଥିବ ଭଲ, ନହେଲେ ଏ ଜିଅନ୍ତା ଯମମାନେ ଯଦି ତାକୁ ନିତି ନିତି ଝୁଣୁଥିବେ, କ’ଣ କରୁଥିବ ସେ?”

ମା’ବିଶାଖାପାଟଣା-ରାୟପୁର ପ୍ୟାସେଞ୍ଜର ଆଜି କେତେବେଳେ ଆସିବ? ଟେବୁଲ ଉପରୁ ମୁହଁ ଉଠାଇ ଚାହିଁଲେ ବୁକିଂ କ୍ଲର୍କ ମନୀଷା ଦେବୀ। ପ୍ରଶ୍ନକର୍ତ୍ତା ଥିଲେ ଜଣେ ପ୍ରୌଢ଼ ବ୍ୟକ୍ତି। ବସନ ମଳିନ। ଅଯତ୍ନ ବର୍ଦ୍ଧିତ ଶ୍ମଶ୍ରୁ। ଆଖିକୁ ଦେଖିଲେ ଲାଗିବ ଯେମିତି ପତାତଳେ ଲହଡ଼ି ଭାଙ୍ଗୁଛି ଗୋଟେ ଦୁଃଖ ଆଉ ଶୂନ୍ୟତାର ସାଗର। ଆଖିରୁ ପଢ଼ି ହୋଇଯାଉଛି ଅନ୍ତରର ବେଦନା। ଟିକିଏ ସମବେଦନାଭରା ଆଖିରେ ଚାହିଁ କହିଲେ, ଘଣ୍ଟାଏ ଲେଟ୍ ଅଛି। ମନେ ମନେ ଗୋଟାଏ ଦୀର୍ଘଶ୍ୱାସ ପକେଇ ଫେରିଗଲେ ସେଇ ପ୍ରଶ୍ନକର୍ତ୍ତା।
ରେଲେୱ କାଉଣ୍ଟରକୁ କେତେ ଆସନ୍ତି, ଯାଆନ୍ତି ହେଲେ କେହି ମନେ ରଖନ୍ତିନି। ଏଇ ପ୍ରଶ୍ନକର୍ତ୍ତା ଫେରିଗଲା ପରେ ସବୁଥର ମନୀଷାଙ୍କର ଆଖିଟା ଯେମିତି ପହଁରିଯାଏ ତାଙ୍କ ପଛେ ପଛେ। ଅଦୂରରେ ଥିବା ସିମେଣ୍ଟ ବେଞ୍ଚ ଉପରେ ବସନ୍ତି ପୁଣି କିଛି ସମୟପରେ ଫେରି ଆସନ୍ତି କାଉଣ୍ଟର ପାଖକୁ। ପୁଣି ପଚାରନ୍ତି ସମାନ ପ୍ରଶ୍ନ। କଣ୍ଟାବାଞ୍ଜି ଏତେ ବଡ଼ ଷ୍ଟେସନ ନୁହେଁ। କିନ୍ତୁ ବହୁ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଏଇଠୁ ଗାଡ଼ି ଚଢ଼ନ୍ତି। ବିଶାଖାପାଟଣାରୁ ଯା’ଆସ କରୁଥିବା ଅପ ଓ ଡାଉନ ପାସେଞ୍ଜର୍ ଦିଇଟା, ଅନେକ ଶ୍ରମଜୀବୀଙ୍କ ଜୀବନରେଖା ବୋଲି ଲୋକେ କହନ୍ତି। ଏଇଥିରେ ଇଟା ଗଢ଼ିବାକୁ ଲୋକେ ପିଲାଛୁଆଧରି ଯାଆନ୍ତି ଆନ୍ଧ୍ର। କେବେ ପୁଣି ରାୟପୁରରେ ଗାଡ଼ି ବଦଳେଇ କାଶ୍ମୀରରେ କେଉଁ କଣ୍ଟ୍ରାକ୍ଟର ପାଖରେ କାମ କରିବାକୁ ବସ୍ତାପରି ଲଦିହୋଇ ଲୋକେ ଯାଆନ୍ତି। କେହି କେବେ ରିଜରଭେସନ୍ କରନ୍ତି ନାହିଁ। ରିଜରଭେସନ୍ କଲେ ଠିକଣା ଆଉ ଯିବାଆସିବା ସ୍ଥାନର ନାମ ରହିବ। ହେଲେ ସବୁ ପରିଚୟ ଲୁଚେଇ ଏମାନେ ଯାଆନ୍ତି। ପାଞ୍ଚଣ ଧରି ଗାଈଗୋଠକୁ ଅଡ଼େଇ ଅଡ଼େଇ ନେଲାପରି ଜଣେ ଜଣେ ବଳିଷ୍ଠ ଲୋକ ନିଅନ୍ତି। ରଡ଼ନିଆଁ ପରି ତାଙ୍କର ଆଖି। ଖବରକାଗଜରୁ ପଢ଼ିଥିଲେ ଏଇମାନଙ୍କୁ କହନ୍ତି ସର୍ଦ୍ଦାର।

ଜ୍ୟୋତିବିହାରରୁ ପାଠ ସରୁ ସରୁ ପାଇଥିଲେ ଏଇ ଚାକିରି। ଆସିଲାବେଳେ ବାପା କହିଥିଲେ ମା’, ଜଗିରଖି ଚଳିବୁ କେତେ ପ୍ରକାର ମଣିଷ ଅଛନ୍ତି। ସେଇ କଥା ମାନି ସେ କଣ୍ଟାବାଞ୍ଜିରେ କାହା ସାଥୀରେ ମିଶନ୍ତିନି କି ଅଧିକ କଥାପଦେ କହନ୍ତିନି। ହେଲେ ଏଇ ରହସ୍ୟମୟ ପ୍ରୌଢ଼ ବ୍ୟକ୍ତିଙ୍କ ସାଙ୍ଗରେ କେମିତି ଭାବଗତ ଭାବେ ଯୋଡ଼ି ହୋଇଯାଇଥିବା ପରି ଲାଗେ। ଆଶ୍ଚର୍ଯ୍ୟ ହୁଅନ୍ତି ସବୁଦିନ ଲୋକଟି ଷ୍ଟେସନ ଆସୁଛନ୍ତି, ଉଦ୍ବିଗ୍ନ ହୋଇ ଗାଡ଼ିକୁ ଅପେକ୍ଷା କରନ୍ତି। ପୁଣି ଫେରିଯାଆନ୍ତି। ଥରେ ଥରେ ସେଇ ଲୋକଜଣଙ୍କୁ ପ୍ଲାଟଫର୍ମ ଦାଢ଼ରେ ଠିଆହୋଇ ରେଳଧାରଣା ଉପରେ ଆଖି ପହଁରେଇ ଦିଗ୍ବଳୟ ଆଡ଼େ ଚାହିଁବାର ଦେଖିଛନ୍ତି ମନୀଷା। ସବୁଦିନେ ଆସିଆସି ଲୋକଟା ତାଙ୍କୁ ପରିଚିତ ପରିଚିତ ଲାଗୁଥିଲେ ବି ବାସ୍ତବରେ ଥିଲା ଅପରିଚିତ। ବେଳେବେଳେ ଲୋକଟି କିଛି ପଚାରିବା ଆଗରୁ ଅଜାଣତରେ ମୁରୁକି ହସଟିଏ ହସି ଗାଡ଼ିର ଖବର କହନ୍ତି। କେତେବେଳେ ଘଣ୍ଟା ପୁଣି କେତେବେଳେ ଦିଇଘଣ୍ଟା।
ଥରେ ଲୋକଟାକୁ ଦେଖୁ ଦେଖୁ ମନୀଷାଙ୍କ ପାଟିରୁ ବାହାରିଗଲା, ମଉସା ଆଜି ଗାଡ଼ି କ୍ୟାନସେଲ। ଫେରିଯାଉଥିବା ଲୋକ ଆଡ଼େ ଚାହିଁ କାଉଣ୍ଟରରେ ଥିବା ଜଣେ ସ୍ଥାନୀୟ ଲୋକ କହିଲେ, ଏଇଟା ପାଗଳଟାଏ। ମୁହଁଟେକି ଚାହିଁଲେ ମନୀଷା। ସତେ ଯେମିତି ତାଙ୍କର କେହି ନିଜର ଲୋକଙ୍କୁ କିଏ ଆକ୍ଷେପ କରୁଛି। ପାଗଳ ଶବ୍ଦଟା କେମିତି ସେଇ ରହସ୍ୟମୟ ଲୋକ ଆଉ ତାଙ୍କ ଭିତରେ ସେତୁଟିଏ ପାଲଟିଗଲା। ଯେଉଁଦିନ ଲୋକଟିକୁୁ ଦେଖୁଦେଖୁ ସେ କହିଲେ, ମଉସା କିଏ ଆସିବ ଆପଣଙ୍କର? କିଛି ନ କହି କରୁଣ ଆଖିରେ ଚାହିଁ ଫେରିଗଲା ଲୋକଟି। ମନେମନେ ଟିକିଏ ପଛକୁ ଘୁଞ୍ôଚଗଲେ ମନୀଷା, ଲୋକଟି କାଳେ ଆହତ ହୋଇଥିବ।
ଆହୁରି ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ଲୋକଟି କାଉଣ୍ଟରରେ ପହଞ୍ଚି କହିଲା, କିଏ ଆଉ ଆସିବ? ଏ ଗାଡ଼ିଟା ମତେ ହେଲେ ନେଇଯାଆନ୍ତା। ସ୍ୱରଟା ଥିଲା, କରୁଣ ଆଉ ହତାଶାରେ ଭରପୂର। ‘ମତେ ହେଲେ ନେଇଯାଆନ୍ତା’ ଶବ୍ଦ କେତେଟା କଣ୍ଟାପରି ଲାଗିଲା ତାଙ୍କୁ। ତା’ ପରଠୁ ସେଇ ଲୋକଟି ଗାଡ଼ିକୁ ଅପେକ୍ଷା କରିବାକୁ ଆସିବା ଅପେକ୍ଷା ଆହୁରି ଉତ୍କଣ୍ଠା ସହ ଲୋକଟିର ଆସିବାକୁ ଅପେକ୍ଷା କଲେ ମନୀଷା। ଉତ୍କଣ୍ଠା ଧୀରେ ଧୀରେ ଆବେଗରେ ପରିଣତ ହୋଇଗଲା। ଏଣିକି ଲୋକଟିକୁ ଦେଖିଲେ ମୁହଁଟା ଉଜ୍ଜ୍ୱଳି ଉଠିଲା। ଏଇ ରହସ୍ୟମୟ ଲୋକଟିର ଜୀବନର କାହାଣୀ ପେଡ଼ି ଖୋଲିବାକୁ ସେ ବ୍ୟଗ୍ରହୋଇ ଉଠିଲେ। ଜଣକ ପ୍ରତି ଆଉଜଣକ ବ୍ୟଗ୍ରତା କେବେ ଏକ ପାଖିଆ ନୁହେଁ।
ତା’ପରଦିନ କାଉଣ୍ଟରକୁ ଆସି ଗାଡ଼ିକଥା ପଚାରିବା ଆଗରୁ ଗୋଟିଏ ଫାଇଲ କାଢ଼ି ଲୋକଟି ମନୀଷାଙ୍କ ହାତକୁ ବଢ଼େଇ ଦେଲା। ବାଇଶିବର୍ଷ ପରେ ହଜିଲା ପରିବାରକୁ ଫେରିପାଇଲା ସ୍ୱାମୀ, ଅନେକ ବର୍ଷପରେ ଘରକୁ ଫେରିଲା ହଜିଯାଇଥିବା ପୁଅ। ଭାଗ୍ୟ ଏମିତି ବି କରେ, ହଜେଇବାର ବହୁବର୍ଷ ପରେ ସ୍ୱାମୀ ଫେରିପାଇଲା ସ୍ତ୍ରୀ, ଝିଅ ସହ ଜ୍ୱାଇଁ ଆଉ ନାତିଟିଏକୁ। ଏଇପରି କିଛି ସଂବାଦର କଟିଂ ସାଇତା ହୋଇରହିଛି। ସଂବାଦଗୁଡ଼ିକ କରୁଣ କିନ୍ତୁ ମିଳନାତ୍ମକ। ଫାଇଲରୁ ମୁହଁଟେକି ଚାହିଁଲେ ମନୀଷା। ନିରବରେ ଲୋକଟିର ଆଖିରୁ ଲୁହ ଝରୁଛି। ଜ୍ୟୋତି ବିହାରର ସମାଜ ବିଜ୍ଞାନର ଛାତ୍ରୀ ମନୀଷା। ଲୋକଟିର ମନର ଭାବ ବୁଝିବାକୁ ଡେରି ଲାଗିଲା ନାହିଁ, ଏକଦା ବିଶ୍ୱବିଦ୍ୟାଳୟର ଏଇ ଦରଦୀ ସମାଜ ବିଜ୍ଞାନର ଛାତ୍ରୀଙ୍କୁ। ସମବେଦନାଭରା ଆଖିଲେ ଲୋକଟିକୁ ଚାହିଁଲାବେଳେ ଦେଖିଲେ ଭିତରପଟେ ବୁଲିଆସି ତାଙ୍କ ହାତରେ ବ୍ୟାଗଟିଏ ଧରେଇଦେଲା। ସେତିକିବେଳେ ଷ୍ଟେସନରୁ ମାଇକରେ ଘୋଷଣା ଶୁଭିଲା ବିଶାଖାପାଟଣା-ରାୟପୁର ପ୍ୟାସେଞ୍ଜର ତିନିନମ୍ବର ପ୍ଲାଟଫର୍ମରେ ଆସିଯାଇଅଛି।
ବିଳମ୍ବ ନକରି ଷ୍ଟେସନ ଭିତରକୁ ଦୌଡ଼ିଗଲା ଲୋକଟି। ସନ୍ତର୍ପଣରେ ବ୍ୟାଗଟିକୁ ଖୋଲିଲେ ମନୀଷା। ସୁନ୍ଦର ସୁନ୍ଦର ଆମ୍ବରେ ଭରା, ତା’ ତଳେ ଚକ୍ଚକ୍ କରୁଥିଲା କିଛି ଓଲିପିଆଜ। ସାଥୀରେ ପୁଣି ଗୋଟିଏ ଛୋଟ ପ୍ୟାକେଟରେ କିଛି ଦେଶୀ ଛୋଟ ପିଆଜ ଆଉ କାଗଜି ଲେମ୍ବୁ। ଥମ୍ଥମ୍ ହୋଇ ଚାହିଁଲାବେଳେ ଅଦୂରରେ ବସିଥିବା ସହକର୍ମୀ କହିଲେ, ନିଜ ବାଡ଼ିର ଫଳ, ପରିବା, ପିଆଜ ଆଦି ଏ ପାଗଳ ବାଣ୍ଟେ। ରଖନ୍ତୁ ସୁନ୍ଦର ଆମ୍ରପଲ୍ଲୀ ଆମ୍ବ। ସବୁ ଜୈବିକ। ସବୁ ଭିତରେ ପାଗଳ ଶବ୍ଦଟା ବିବ୍ରତ ଆଉ ବ୍ୟଗ୍ର କରୁଥିଲା ତାଙ୍କୁ। ଏଇ ସଂପର୍କ ଭିତରେ ରହସ୍ୟମୟ ଗୁମ୍ଫାର ଦ୍ୱାର ଖୋଲିଗଲା।
ନିଆଁରେ ଗୋଟିଏ ପରେ ଗୋଟିଏ ପତଙ୍ଗ ପୋଡ଼ିହୋଇ ମରୁଥିବେ ଅଥଚ ସେଇ ନିଆଁ ପାଖରେ ପହଞ୍ଚିବା ପାଇଁ ପତଙ୍ଗଙ୍କର ଧାଡ଼ି ଲାଗିଥିବ। ବିଚିତ୍ର ଏଇ ଆକର୍ଷଣ। ଦାଦନ ସର୍ଦ୍ଦାରର ମିଠା କଥା ତଳେ ଥାଏ ହଳାହଳ ବିଷ। ଦାଦନ ଯାଇ ଅର୍ଥ ରୋଜଗାର କରିବାର ସ୍ୱପ୍ନ ଯେ ଗୋଟାଏ ମାୟାଜାଲ, ସେ କଥା ଜାଣି ବି ଦାଦନ ଯିବାକୁ ସରଳ ଶ୍ରମଜୀବୀମାନେ ଧାଡ଼ି ବାନ୍ଧନ୍ତି। ଅଗ୍ନିରେ ପଡୁଥିବା ପତଙ୍ଗ ପରି ଅନେକ ପୋଡ଼ିହୋଇ ମରନ୍ତି ଆଉ କେତେକ ପକ୍ଷହରା ହୋଇ ଫେରନ୍ତି। ସେଇପରି ଦିନେ ସ୍ୱପ୍ନ ଦେଖି ‘ନୂଆଁଖାଇ’ ବେଳେ ଆଗୁଆ ବଇନା ରଖିଥିଲା ଲୋକଟି। ଆନନ୍ଦରେ ‘ନୂଆଁଖାଇ’ ପାଳି ସ୍ତ୍ରୀକୁ ଦେଖାଇଥିଲା ସ୍ୱପ୍ନ। ଏଠି ମଜୁରି କମ୍। ସେଠି ମାଟିରେ ସୁନା ଫଳୁଚି। ଆନ୍ଧ୍ର ଯାଇ ମୁଠାମୁଠା ଟଙ୍କା ଆଣିବ ବୋଲି କହିଥିଲା ସ୍ତ୍ରୀକୁ। ଛୋଟ ଝିଅଟାର ଅଲରା ବାଳକୁ ସାଉଁଳି ଦେଇ କହିଥିଲା, ତୁ ବହୁତ ପାଠ ପଢ଼ିବୁ। ବଡ଼ହେଲେ ଡାକ୍ତର ହବୁ କି ଭୁବନେଶ୍ୱର ଯାଇ ବାବୁ ଚାକିରି କରିବୁ। ହସିହସି ଫାଟି ପଡ଼ିଥିଲେ ଏଇ ସରଳ ଦମ୍ପତି। ଖୁସିରେ ‘ନୂଆଁଖାଇ ଜୁହାର’ ହେବାକୁ ଡାକିଥିଲେ ସର୍ଦ୍ଦାର ମଉସାଙ୍କୁ। ମନଲାଖି କାକରା, ମଣ୍ଡା ତିଆରି କରିଥିଲା ସ୍ତ୍ରୀ।
‘ନୂଆଁଖାଇ’ରେ ଜୁହାର କରି ସ୍ତ୍ରୀଟି ସର୍ଦ୍ଦାର ମଉସାଙ୍କ ପାଦତଳେ ମୁଣ୍ଡ ଲଗେଇଲା ପରେ କୁବୁଦ୍ଧିର ପିତ ଚହଟିଗଲା ସେଇ ଅଧାବୟସର ମଣିଷଟି ମୁଣ୍ଡରେ। ଆଭୂମ ପ୍ରଣାମ କରୁଥିବା ସ୍ତ୍ରୀ ଲୋକଟିର ମଥାକୁ ବାପ ପରି ଆଉଁଶି ଦେଇକହିଲା, ଏ ପୁଅ, ବୋହୂଟା କାଇଁ ଛୁଆଟାକୁ ଧରି ଏକଲା କାଇଁକି ଏ ଖଣ୍ଡିଆ ଗାଆଁରେ ପଡ଼ିରହିବ, ସେ ବି ଚାଲୁ। ସ୍ୱାମୀ ସ୍ତ୍ରୀଙ୍କ ଆଖିରେ ଆନନ୍ଦ ଚହଟିଗଲା। ଖୁସିରେ ମୁହଁକୁ ମୁହଁ ଚାହିଁ ଅନେଇଲେ ସର୍ଦ୍ଦାର ମଉସାଙ୍କୁ। ଏକାଠି ବିଦେଶ ଯିବାର କଥା ଶୁଣି ହସିଦେଲା କୁନି ଝିଅଟା। ମଧୁର ସ୍ୱପ୍ନରେ ଝୁଲିଝୁଲି ଗାଆଁ ଛାଡ଼ିଲେ ଏଇ ପରିବାର। ସପନ ଦେଖୁଥିବା ଅନେକ ମଣିଷଙ୍କୁ ନେଇ ସେଦିନ କଣ୍ଟାବାଞ୍ଜି ଛାଡ଼ିଥିଲା ରାୟପୁର -ବିଶାଖାପାଟଣା ପ୍ୟାସେଞ୍ଜର। ସନ୍ନ୍ୟାସୀର ଛଦ୍ମବେଶରେ ଥିବା ରାକ୍ଷସ ପରି ସର୍ଦ୍ଦାର ବହୁ ମନଭୁଲା କଥା କହି ଚାଲିଥାଏ ସାଙ୍ଗରେ।
ଲୋକଟିର ସ୍ତ୍ରୀ ଥିଲା ରୂପବତୀ। ଅନ୍ଧାର ଭିତରେ ଦୀପଶିଖାପରି ସେ ବାରିହୋଇ ପଡୁଥାଏ ଭିଡ଼ ଭିତରେ। ଖୁସିରେ ହସୁଥାଏ, ପୁଣି ଆଣିଥିବା ଚୁଡ଼ାଭଜା ମୁଢ଼ିରୁ ମୁଠାଏ ମୁଠାଏ ପକଉଥାଏ ପାଟିରେ। ସବୁ ଲୋକଙ୍କଠାରୁ ନିଆରା ହୋଇ ସର୍ଦ୍ଦାର ଚାରିକାତ ଲମ୍ବେଇ ଏକୁଟିଆ ଗଡୁଥାଏ ଗୋଟାଏ ବେଞ୍ଚରେ। ମଝିରେ ଟିକିଏ ଅଳସ ଭାଙ୍ଗିଲେ କିଏ ଗୋଡ଼ରେ ହାତ ମାରିଦେଉଥାଏ ତ କିଏ ପିଠିକୁ ଦାବି ଦେଉଥାଏ। ମନରେ ସବୁ ଲୋକଙ୍କୁ ଶୋଷିବା ପାଇଁ ଗୋଟିଏ ଗୋଟିଏ ଯୋଜନା, ହେଲେ ସମସ୍ତଙ୍କ ଆଖିରେ ସର୍ଦ୍ଦାର ଗୋଟାଏ ଦେବତା।
ଖମାମର ଇଟାଭାଟିରେ ପହଞ୍ଚିବା ପରେ ସ୍ୱାମୀକୁ ମିଳିଲା ଇଟା ଗଢ଼ିବା କାମ। ଆଉ ସ୍ତ୍ରୀକୁ ମାଲିକ ଆଉ ସର୍ଦ୍ଦାରଙ୍କ କ୍ୟାମ୍ପରେ ରୋଷେଇକାମ। ଛୋଟିଆ ହେଲେବି ଘରଟିଏ ମିଳିଲା ରହିବା ପାଇଁ। କିଛିଦିନ ପରେ ସ୍ୱାମୀକୁ ବୁଝାଇ ପଠାଇଲେ ଆଉ ଗୋଟିଏ ଜାଗାକୁ କାମ କରିବାକୁ। ସପ୍ତାହେ ପରେ ଯେତେବେଳେ ସ୍ତ୍ରୀ ପିଲାଙ୍କୁ ଟିକିଏ ଦେଖି ଆସିବାକୁ ଯିବା କଥା କହିଲେ ସେଠିକା ମାଲିକ କହିଲେ ତୁ ଏଠି ବନ୍ଧା ପଡ଼ିଛୁ। ସର୍ଦ୍ଦାରକୁ ମୁଁ ମୋଟା ପଇସା ଦେଇଛି। ପ୍ରତିବାଦ କରିବାରୁ ଘର ଭିତରେ ବନ୍ଦକରି ବିଚିତ୍ର ପ୍ରକାର ଦଣ୍ଡ ଦେଲେ। ଚାରିପାଖରେ ଥିଲା କରୁଣ ଦୃଶ୍ୟ। ରାତିରେ କଠୋର ନିର୍ଯାତନା ଆଉ ଦିନରେ ଠେଙ୍ଗା ଦେଖେଇ କାମ ଆଦାୟ।
କାହାଣୀକୁ ଶୁଣୁଥିଲେ ମନୀଷା ଦେବୀ। ଆଗକୁ ଆଉ ଶୁଣି ପାରିଲେନି। କାନରେ ହାତ ଦେଇଦେଲେ ଯେତେବେଳେ ଲୋକଟି କହିଲା, ଦିନେ ଟିକିଏ ସୁବିଧା ଉଣ୍ଡି ଖସି ଆସି ସ୍ତ୍ରୀ ଆଉ ଝିଅଙ୍କ ପାଖରେ ପହଞ୍ôଚ ଯାହା ଶୁଣିଲା ଉପରେ ଆକାଶ ଛିଡ଼ିପଡ଼ିଲା। ସ୍ତ୍ରୀ ନିଖୋଜ ହୋଇଛନ୍ତି ବୋଲି ଶୁଣିଲାପରେ ବିଶ୍ୱାସ ଆସିଲାନି। ତା’ପୁଣି ଇଟାଭାଟିର ମାଲିକକୁ ପରିବାକଟା ଛୁରୀରେ ରକ୍ତାକ୍ତ କରି। ଶାନ୍ତ ସୁଧାର ସ୍ତ୍ରୀ ଏପରି କାମ କାହିଁକି କଲା, ସେକଥା ଭାବି ପାରିଲେନି ସେ। ବାପ କୋଳରେ ମୁହଁ ଗୁଞ୍ଜି କହିଲା ଟିକି ଝିଅଟି, ବୋଉ ନା ସବୁ ରାତିରେ କାନ୍ଦି କାନ୍ଦି ଫେରେ। ଦିନେ ରାତିରେ ସର୍ଦ୍ଦାର ଜେଜେ କବାଟ ବାଡ଼େଇ ତାକୁ ଡାକିନେଲେ। ଫେରିଲାବେଳେ ବୋଉ ବିକଳରେ କାନ୍ଦୁଥାଏ। କିଛି ବୁଝିପାରିନଥିବା ଝିଅଟି ବାପାକୁ ପଚାରିଲା, ବୋଉ କାଇଁ କାନ୍ଦୁଥାଏ? ଜ୍ୟୋତିବିହାରରେ ସମାଜବିଜ୍ଞାନର ଛାତ୍ରୀ ହିସାବରେ ସେ ଦାଦନର ଦୁଃଖ ଉପରେ ଲେଖିଥିବା ନିବନ୍ଧଟି ଆଖି ଆଗରେ ଝଲସିଗଲା। “ଜୀବିକା ପାଇଁ ଯାଇ ଶବ ହୋଇ ଫେରୁଛନ୍ତି”, “ମହିଳା ଶ୍ରମଜୀବୀ ଅସୁରକ୍ଷିତ, ବଢୁଛି ଯୌନ ନିର୍ଯାତନା” ଆଦି ଘଟଣା ସେଦିନ ଚକିତ କରିଥିଲା ତାଙ୍କୁ।
ତା’ପରେ ସେଇ ଲୋକଟି ବୁଲିଲା ଲେବର ଅଫିସ୍, ଥାନା, ସେଠିକାର ନେତାଙ୍କ ଦରବାର ହେଲେ ସବୁଠି ତାତ୍ସଲ୍ୟ ଆଉ ଅପମାନ। ସବୁଆଡୁ ନିରାଶ ହେଲାପରେ ଥଳକୂଳ ନପାଇ ଫେରି ଆସିଲେ କଣ୍ଟାବାଞ୍ଜି। ପୁଣି ବୁଲିଲେ ଏ ଅଫିସ୍ରୁ ସେ ଅଫିସ୍ ଅବା ନେତାଙ୍କ ଦରବାର। ସମସ୍ତେ କହିଲେ, ପାଗଳ। ଆନ୍ଧ୍ର ଇଟାଭାଟିରୁ ଫେରିଥିବା କିଛି ସାଥୀଶ୍ରମିକ କହିଲେ, ମାଲିକ ଆଉ ସର୍ଦ୍ଦାରଙ୍କର ନିର୍ଯାତନା ଯେ ଆମର ଭାଗ୍ୟ ସେ କଥା ବୁଝିପାରିନଥିଲା ବୋହୂଟି। ଥରେ ତାଙ୍କ ଅର୍ଗଳିରେ ମୁଣ୍ଡ ଦେଖେଇଲେ ତମର ସବୁ ସେ ଲୁଟିନେବା ନିଶ୍ଚିତ। ସବୁ ଅମଲା, ହାକିମ ନେତା ତ ତାଙ୍କ ପକେଟରେ। ଲୋକଟି ଲୁହଭରା ଆଖିରେ କହିଲା, ଏଇଟା ସତକଥା। ତା’ପରେ ବହୁତ ଖୋଜିଛି ଆନ୍ଧ୍ରର ବହୁସ୍ଥାନରେ ତଥାପି ପାଇନି ତା’ର ସନ୍ଧାନ। ଓଡ଼ିଶାରେ ସମସ୍ତଙ୍କ ପାଖରେ ବୁଲିବୁଲି ନେହୁରା ହେଲେଣି, ହେଲେ ସବୁଠି ନିରାଶ। ତଥାପି ମା’ ଏଠୁ ଗାଡ଼ିରେ ଭରା ହୋଇ ଲୋକେ ଯାଉଛନ୍ତି।
ହେଲେ ମା’ ମୁଁ ଗାଆଁରେ ଏବେ ଚାଷ କରୁଛି। ଅଳପ ଜମି ହେଲେ ବି ବର୍ଷକୁ ତିନି ଫସଲ କରୁଛି। ଘରେ ଘରେ ଛତୁ ଚାଷ, ମାଛଚାଷ, ଗାଈପାଳନ କରି ବର୍ଷସାରା ରୋଜଗାର ବଢ଼ାଇଛି। ପଡ଼ିଆ ଜମିରେ ଆଜି ଭଳିକି ଭଳି ଆମ୍ବ ଓହଳିଛି। ମା’ ଏ ବସୁଧାରେ ଅମୃତ ଅଛି। ମାଆର ଥନ କାଟିଦେଇ ଆମେ ରକ୍ତ ପିଇପିଇ ଏ ମାଟି ଛାଡୁଛୁ। ମୋ ଦେଖାଦେଖି ଆଜି ଖୁସିବାହାଲ ଗ।।ଆଁରୁ କେହି ବି ଦାଦନ ଗାଡ଼ି ଚଢୁନାହାନ୍ତି। କଥାଟାକୁ ଟିକିଏ ସରସ କରି ମନୀଷା କହିଲେ, ଆପଣ ସେଇଥିପାଇଁ ବିଲ ଫସଲ, ବାଡ଼ିର ଆମ୍ବ ବାଣ୍ଟି ଦେଉଛନ୍ତି ନିଶ୍ଚୟ। ବିକଳହୋଇ ଚାହିଁ ଲୋକଟି କହିଲା, “ମାଆ ପାଞ୍ଚତୁଣ୍ଡରେ ହରି। ମଣିଷ ମୋ’ ଦୁଃଖ ଶୁଣିଲାନି, କାଳେ ଅଦୃଷ୍ଟ ଶୁଣିବ।”
ମୁହଁଟା କରୁଣ ଦେଖାଗଲା ଲୋକଟିର। ଆଉ ଭୋ ଭୋ ହୋଇ କାନ୍ଦି ଉଠିଲା ସେ। ମା’ ଯଦି ମୋ’ ସ୍ତ୍ରୀ କି ଯମ ନେଇଯାଇଥିବ ଭଲ, ନହେଲେ ଏ ଜିଅନ୍ତା ଯମମାନେ ଯଦି ତାକୁ ନିତି ନିତି ଝୁଣୁଥିବେ, କ’ଣ କରୁଥିବ ସେ? ବିଶ୍ୱାସ ସେ ନିଶ୍ଚୟ କେବେ ଫେରିଆସିବ। ପୁଣି ଥରେ ଫାଇଲରୁ ଖବରକାଗଜର କଟିଂ ଦେଖେଇଲେ। କେତେଲୋକ ଫେରିଛନ୍ତି ସେମିତି ସିଏ ଫେରିବ। ଯେଉଁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଯେମିତି ଯାଇଥିଲା ସେମିତି ଫେରିବ ନୂଆ ଏକ ଖୁସିବାହାଲ ଗାଆଁକୁ। ଆମ ଝୁଅ ମୁଣ୍ଡରେ ଦୂବ ଚାଉଳ ପଡ଼ିବ, ତା’ ହାତରେ ଚାଉଳ, ଗୁଆ ଥୋଇ ଘରୁ ବିଦା କରିବ। ମନୀଷା ଭାବୁଥିଲେ, ସତରେ ଆଶାରେ ମଣିଷ ବଞ୍ଚେ। ଆଶା ମରିଗଲେ ମଣିଷ ମରିଯିବ। ଝରି ଆସୁଥିଲା ଲୁହର ଆତ୍ମକାହାଣୀ। ମନୀଷା ଭାବୁଥିଲେ ନିଆଁରେ ପୋଡ଼ିହେବା ଜାଣି ଏ ପତଙ୍ଗମାନେ ନିଆଁ ପାଖକୁ ଯାଆନ୍ତି କାହିଁକି?
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )