“ପୋ’ ଝି’ ପାଖେ କିହେ ନାଇଁ। ପାଖର୍ ଲୁକେ ଏକା ସାହା ଭର୍ସା।” ପଢ଼ନ୍ତୁ ରୋହିତ ଦାଶଙ୍କ କଲମରୁ ସମ୍ବଲପୁରୀ ଭାଷାର ଗଳ୍ପଟିଏ।

ଶର୍ମା ବାବୁ ମରିଗଲେ। ବୁପ୍ରା ବନେ ଲୋକ୍ଟେ ଥିଲେ। ସମ୍କର୍ ସଂଗେ ମିଶୁଥିଲେ। ପାଁଚ୍ଲୁକିଆ ଲୋକ୍ଟେ ଥିଲେ। ବିଚ୍ରା ପଟୋ କଲା ମରିଗଲେ। ଠାଡୁ ଠାଡୁ ଜୀବନ୍ ଗଲା। ହାର୍ଟ ବାହାରିଗଲା। କେନ୍କେ ଗୁଟେ ବାହାରିକରି ଯାଉଥିଲେ। ଯେନ୍ତା ଟ୍ରେନ୍ନ ଚଢ଼ିଛନ୍ ତାଁକର୍ ଛାତିଥି ଟିକେ ପୀଡ଼ା ମେତାଲ୍ ହେଲା। ଆର୍ ଛାତିକେ ଚାପିକରି ଟ୍ରେନ୍ ବଗି ନ ଶୁଇ ପଡ଼୍ଲେ ଯେ ଶୁଇଲା ଛଁଚେ ଶୁଇଛନ। ସେ ଯାତ୍ରା ତାଁକର୍ ଶେଷ୍ ଯାତ୍ରା ହେଇଗଲା।
ସଭେ ଆହା ଚୁ ଚୁ କଲେ। ସଁଖ୍ଲି ଆଏଲେ। ପୋ’ ଝି’ ପାଖେ କିହେ ନାଇଁ। ପାଖର୍ ଲୁକେ ଏକା ସାହା ଭର୍ସା। ଚଂଦନ୍ ହଲ୍ଦୀ ମଖେଇ ଧୋବ୍ ଫର୍ ଫର୍ ଧୁତିଟେ ଢାପି ଘୁଡ଼ିକରି ତାଙ୍କୁ ରଖା ହେଲା। ବାମହନକେ ଡକା ହେଲା। ଲିଷ୍ଟ ବନେଇ କରି ଦାହ କର୍ମର୍ ଖଁଜାବୁଡ଼ା କରାହେଲା। କାଠ୍ଖୁଁଟ୍ ଲାଗି ଅର୍ଡର୍ ଦିଆହେଲା। ସଭେ ଟାକିଛନ। ପରା ପାଟକେ ରଁଧାବଢ଼ା ନାଇଁ। ମୁର୍ଦାର୍ ଘରୁଁ ନାଇଁଯିବାର୍ ଯାଏକ୍ ରଁଧାବଢ଼ା ପୂଜାପାଠ୍ ମନା।
କେତେବେଲେ ଯାଏକ୍ ତାଁକର୍ ପୁଓ ମଂଟୁ ଆସ୍ଲା ମୁମ୍ବାଇ ନୁ। ଫ୍ଲାଇଟ୍ ପରେ ଡେରିଥିଲା। ବାକିମାନେ ଆସିଥିଲେ ନ। ହେଲେ ମୁହେଁ ନିଆଁ ଦେବାରକେ ଫେର୍ ପୁଓଟେ ତ ଦରକାର। ଆର୍ କେନ୍ଥିର୍ ଲାଗି ମା ବୁଆ ପୁଓଟେ ଜନମ୍ କରିଥିସନ୍? ମଲାବେଲେ ମୁହେଁ ତୁଲ୍ସୀ ପାଏନ୍ ଟିକେ ଦେବାର୍କେ କି ମୁହେଁ ଜୁଏଟିକେ ଲଗାବାର୍କେ। ଏତକି ତାଁକର୍ ଆଶ୍ ଥିସି। ପୁଓମାନେ ମୁହେଁ ଜୁଏ ଦେଲେ ମା ବୁଆ ପରେ ସର୍ଗେଁ ବସ୍ସନ୍। ଯମ୍ରାଜ୍ ଛିଁ ନାଇଁପାରେ।
ଆଏଜ୍କାଏଲ୍ ସହର୍ ଜାଗା’ନ ଚାର୍ହି ଖଁଦ୍ ଦେବାର୍କେ ଭିଲ୍ ଲୋକ୍ ଦୁକାଲ୍। ହେତିର୍ ଲାଗି ମାର୍ବାଡ଼ି ଯୁବା ମଁଚ୍ ରଖିଛେ ମୁର୍ଦାର୍ ବୁହା ଗାଡି। ଏନ୍ତା ବେଲେଁ ବଡ଼ା କାମ୍କେ ଆଏସି। ସ୍ୱର୍ଗଦ୍ୱାର୍କେ ନେବାର୍କେ ଲାସ୍କେ ସବୁ ଖଁଜାବୁଡ଼ା କରାହେଲା। ଶବବାହକ ଗାଡ଼ି ଆସ୍ଲା। ‘ରାମ୍ ନାମ୍ ସତ୍ୟ ହେ, ହରି ନାମ୍ ସତ୍ୟ ହେ’ ଶବଦ୍ ପଡ଼ା କଁପାଲା। ଆଗ୍ଆଡ଼େ ବଜାଗଜା ବାଜୁଛେ। ଅଧେ ଚାଲ୍ତେଲ୍ ଆର୍ ଅଧେ ବାଇକ୍ ନ ଯାଉଛନ୍। ଆଗ୍ଆଡ଼େ ଜନେ ଖଇ ଲିଆ ଆର୍ ପଏସା ଝିଁଟୁଛେ। ଯେ ଯାହାର୍ ଘରୁ ବାହାରି ଶେଷ୍ ଦର୍ଶନ୍ କରୁଛନ୍।

ପଧାନ୍ ବାବୁକଁର୍ ଶ୍ରୀମତୀ ପଧାନ ବାବୁକେ କହେଲେ, ‘ହଏ ଗୋ ହେ ପଏସା ଗୁଟେ ନାଇଁ ବେଟି ଆନି ଦେତ। ହେଟା ପରେ ଘରେ ରଖଲେ ବଡ଼ା ଶୁଭ୍ ଆଏ।’ ପଧାନ୍ ବାବୁ ଶ୍ରୀମତୀର୍ ମୁହୁଁକେ ଘାଏ ବିରଝିଲା ମେତାଲ ଦେଖ୍ଲେ ଆର୍ ବଏଲେ ଆମର୍ ସଂସ୍କୃତି ନ ଯେତ୍କି ବି ନିୟମ ନିଷ୍ଠା ଥିସି ସବୁଥିର୍ ଗୁଟେ ବୈଜ୍ଞାନିକ କି ଦାର୍ଶନିକ କାରଣ ଥିସି। ବହୁତ ଭାବି ଚିନ୍ତିକରି ଆମର୍ ସିଆନ୍ ସୁଜନ୍ ଲୋକ୍ମାନେ ହେଟା ବନେଇ ଥିସନ୍। କିନ୍ତୁ ସେଟାକେ ପଛେ କିଛି ଲୋକ କଦର୍ଥ କର୍ସନ୍। ଲିଆ ଯେନ ଝିଁଟା ହଉଛେ ହେଟା ମୁର୍ଦାର୍ନୁ ମାଛିମାନ୍କୁଁ ଖେଦ୍ବାର୍ ଲାଗି ଆଏ। ପଏସା ଝିଁଟି କରି ପ୍ରମାଣ କରା ଯାଏସି ଯେ ଦେଖ ଇ ଲୋକ୍ ଗଲାବେଲେ ସାଙ୍ଗେ କିଛି ନେଇକରି ନାଇଁ ଯିବାର। ଧନ୍ ବି ଜୀବନ୍ନୁ ତୁଛ୍ ଆଏ। ହେତିର୍ ଲାଗି ତାର୍ କମାଲା ପଏସାକେ ସଡ଼କ୍’ନ ଝିଁଟ୍ତେଲ୍ ନେସନ୍। ଆର୍ ତୁମେମାନେ ଯେ ଫେର ହେ ପଏସାର ପିଛା ନ ପଡ଼ିଯାଉଛ। ଲୋକ୍ଟେ ମରିଯାଇଛେ ଯେ ତୁମେ ସେନ ନିଜର୍ ଫାଏଦା ଦେଖୁଛ। ପ୍ରଧାନ୍ ବାବୁ ଏତକି କହିକରି ଶ୍ରୀମତୀକଁର୍ ମୁହୁଁକେ ଦେଖ୍ଲେ। ଶ୍ରୀମତୀ ବଏଲେ ‘ତୁମେ ସବୁ ଥି ତୁମର୍ ହେ ଥେସିସ୍ ନାଇଁ ବାହାର୍ କର। ଯ ଯେନ୍ତେଇ ହେଲେ ମୋର୍ ଲାଗି ହେ କଉଡ଼ି ଗୁଟେ ଫିକଲାଟା ଆନିଦେବ. ତାର କାଣା ଭଲ୍ କାଣା ମଁଦ୍ ମୁଇଁ ବୁଝ୍ମି। ପଧାନ୍ ବାବୁ ବଏଲେ ଆମର୍ ଇ ସହର୍ ଜଗାନା କିଏ ହେତ୍କି ଭୁକା ଅଛେ ଯେ ହେ ଚାଏର୍ଅନି ଆଠ୍ଅନିକେ ବେଟ୍ବା। ଇଟା ଥୁଡ଼େ ଗଅଁଲି ଗାଁ ହେଇଛେ। ପଧାନ୍ ବାବୁ ଉପର୍ ମହଲା ନୁ କଲେ କଲେ ତଲ୍କେ ଉତ୍ରିଲେ ଆର୍ କଲେ କଲେ ନାଇଁ ଜାନ୍ଲା ଲେଖେ ରାସ୍ତା ନ ମୁଡ଼୍ ଗାଡି କରି ଇଭ୍ନିଁ ୱାକ୍ କଲା ଲେଖେ ଚାଲି ଚାଲି ବୁଲ୍ଲେ। କଉଡ଼ି ଆଡ଼େ ତାଁକର୍ ନିଘା। ହେଲେ କଉଡ଼ି ତ କଉଡ଼ି ଲିଆ ଗୁଟେ ବି ନାଇଁ ପଡ଼ି। ସବୁ ପଏର୍ଛା। ଲିଆ ସବୁ ପାରାମାନେ ଠୁକି ନେଇଛନ ଆର୍ କଉଡ଼ିକେ ମୁନୁଷ୍। ପଧାନ ବାବୁ ଡେରିକରି ଆଏଲେ ବଲି ପସ୍ତେଇ ହେଉ ଥିଲେ ଆର ମନବୋଧ ଚଉତିଶା କେ ଘୁଷି ହେଉଥିଲେ, “କି ଘେନି ଯିବୁ ତୋର ଛୁଟିଲେ ଘଟ”। ପଧାନ ବାବୁ ଘରକେ ପୂହୁଁଚିଲେ କି ଶ୍ରୀମତୀ ନର୍ଦି ଆଏଲେ ଆର୍ କହେଲେ, ‘ଗୁଟେ ଅଧେ ପାଏଲ?’ ପଧାନ ବାବୁ ଶ୍ରୀମତୀ କେ ଖୁସ୍ କର୍ବାକେ ତାଁକର୍ ମୁନାନୁ ଟଁକାକିଆ କଏନ୍ ଗୁଡ଼ାଦୁ ବାହାର୍ କଲେ ଆର୍ ଶ୍ରୀମତୀ କେ ଧରେଇ ଦେଲେ। ଶ୍ରୀମତୀ ବଡ଼ା ଉସତ୍ଥି ସେ କଏନ୍କେ ମୁଡ଼େ ଠଟାଲେ ଆର୍ ମହାପୁରୁ ଘର୍କେ ଗଲେ। ପଧାନ୍ ବାବୁ ମାଟିର୍ କୁପିକେ ଘାଏ ହଲେଇ ଦେଖ୍ଲେ, ଆର୍ କଏନ୍ ଗୁଡ଼ାଦୁ ଛିଁଗ୍ଲେଇ ଦେଲେ, ଆର୍ ମନ୍କେ ମନ୍ କହେଲେ, ଥାଉ ମଲା ବେଲେ କାମ୍କେ ଆସ୍ବା। ଏତ୍କି ବେଲେ ପୂଜା ଘରୁ ହୁଲ୍ହୁଲି ଶୁଭୁଥିଲା।
କେନ୍ ମାନ୍ଧାତା ଅମଲର କଥାଟେ। ଆଜିକାଲି ଅଚଲ ହେଇବସଲାନ।
ଶବବାହକ ଗାଡ଼ି ଚାଲଲାଦିନୁ ଖଇକଉଡ଼ି ନୀତିଟା ହଜିବସଲାନ।
ବଛରଦୁ ଆଗରୁ, ଦୁଇଦିନର ବାସୀ ଶବ ସାଙ୍ଗେ ଗାଡ଼ିଥି ବସିକରି ଖଇକଉଡ଼ି ଫିକିଥିଲି। କାରଣ, ଶବଙ୍କ ଏକମାତ୍ର ପୁଅ, ଫରେନରୁ ଆସବାରକେ ଲେଟ୍ କଲେ ଆଉ, ଖଇକଉଡ଼ିର ବ୍ୟବହାରଟା ଜାଣିନାଇଁଥାଇ। ବିଚରା ପଧାନ ବାବୁ, ଛିଟିଆ ସଂଖଲିଲେ କାଁକରବେ, ଝିଁଟବାରଲାଗି ତ ଲୋକଟେ ଭି ଦରକାର…
ବଢ଼ିଆ ଗପଟେ🌹🙏
ଆଉ କାହିଁ ଖଇ କଉଡ଼ି
ନାଇଁ ଆଉ ନିଆଁ ଦଉଡ଼ି
ନାଇଁ ଆଉ ଚିତା ପାଉଁଶ
ନାଇଁ ପରା ଆଉ କୋକେଇବାଉଁଶ