ସାହିତ୍ୟରେ ଖୁଆଡ଼

କିଛି ବର୍ଷ ତଳେ କୌଣସି ଏକ ପତ୍ରିକାରେ ପ୍ରବୀଣ ଓ ନବୀନ କବିମାନଙ୍କ କବିତାଗୁଡ଼ିକ ଦୁଇଟି ପୃଥକ ବର୍ଗରେ ଥାଇ ପ୍ରକାଶିତ ହେବାର ଦେଖି ଗୋଟିଏ ଭାବନା ଆମ ମନକୁ ଆସିଥିଲା ଯେ ସାରସ୍ୱତ ସ୍ରଷ୍ଟାମାନଙ୍କ ମଧ୍ୟରେ ଏମିତି ବୟସଜନିତ ବର୍ଗୀକରଣ ବା କାହିଁକି? ଜଣେ ଲେଖକଙ୍କୁ ପ୍ରବୀଣ ବା ନବୀନ ଭାବରେ ଚିହ୍ନିତ କରିବାରେ କିଛି ଅସ୍ୱାଭାବିକତା ନାହିଁ, କିନ୍ତୁ ସେମାନଙ୍କର ଲେଖାକୁ ଦୁଇଟି ଅଲଗା ଅଲଗା ଖୁଆଡ଼ରେ ଥୋଇ ଏହି ଦୁଇଟି ବର୍ଗଙ୍କୁ ପରସ୍ପରଠାରୁ ନିରାପଦ ଦୂରତ୍ୱରେ ରଖାଯିବାର ଔଚିତ୍ୟ ବା କ’ଣ? ଟିକିଏ ତଳେଇ କରି ବୁଝିବାକୁ ଚେଷ୍ଟାକଲେ ଜଣାଯିବ ଯେ ଏହି ମନୋଭାବର ମୂଳରେ ଥାଏ ଲେଖକୀୟ ଅହଂବୋଧ। କିଛିଜଣ ପ୍ରତିଷ୍ଠିତ ଲେଖକ ଉଦୀୟମାନ ଲେଖକମାନଙ୍କ ଗହଣରେ ଦିଶିବାକୁ ଅସହଜ ମଣନ୍ତି। ସେମାନେ ଧରିନିଅନ୍ତି ଯେ ଅଧିକ ବୟସ ଧରି ସୃଜନ କର୍ମରେ ଲିପ୍ତ ଥିବା ଯୋଗୁଁ ସେମାନେ ଏକ ଭିନ୍ନ ଉଚ୍ଚତା ପାଇବା ପାଇଁ ହକ୍‌ଦାର; ଅର୍ଥାତ୍ ବାଳୁତମାନଙ୍କ ସହିତ ସେମାନେ ଗୋଟିଏ ଗୋଠରେ ଦିଶିବା ଉଚିତ ନୁହଁ।
କିନ୍ତୁ ନିରପେକ୍ଷ ଭାବରେ ବିଚାର କଲେ, ଜଣେ ସାହିତ୍ୟିକର ପ୍ରକୃତରେ କୌଣସି ବୟସ ଥାଏ କି? ନା ସାହିତ୍ୟର? ଜଣେ କନିଷ୍ଠ ଲେଖକ ବା କବିଙ୍କଠାରୁ ଉଚ୍ଚତର ଏକ ଆସନରେ ଅଧିଷ୍ଠିତ ହେବାର କାମନା କରୁଥିବା ବରିଷ୍ଠମାନେ ହୁଏତ ଭୁଲିଯାଆନ୍ତି ଯେ ନିଜ ଜୀବନର ସୁଦୀର୍ଘ ସାରସ୍ୱତ ଯାତ୍ରାପଥରେ ସେମାନେ ମଧ୍ୟ ଦିନେ କନିଷ୍ଠ ଥିଲେ; ଏପରିକି ନିଜ ଜୀବନର ଶ୍ରେଷ୍ଠତମ ଲେଖା ହୁଏତ ସେମାନେ ସେହି କନିଷ୍ଠ ବୟସରେ ହିଁ ଲେଖିଥିଲେ।
ଅବଶ୍ୟ ଏହି ପ୍ରସଙ୍ଗରେ ସୁଖଦ ଦୃଶ୍ୟଟିଏ ଆମକୁ ଥରେ ଦେଖିବାର ଅବସର ମିଳିଥିଲା। ଜଣେ ଅତି ବୟୋଜ୍ୟେଷ୍ଠ ସାହିତ୍ୟିକ ନିଜଠାରୁ ବୟସରେ କନିଷ୍ଠ ଜଣେ ଲେଖକଙ୍କୁ ସାମନାରେ ପାଇ ତା’ଙ୍କୁ ହାତଯୋଡ଼ି ନମସ୍କାର କରନ୍ତେ ସେହି ଯୁବସ୍ରଷ୍ଟା ଜଣକ ଲଜ୍ଜିତ ଅନୁଭବ କରି ତାଙ୍କୁ କହିଥିଲେ, “ସାର୍‌, ଆପଣ ମୋତେ କାହିଁକି ନମସ୍କାର କରୁଛନ୍ତି? ମୁଁ ତ ଆପଣଙ୍କଠାରୁ ବୟସରେ ବହୁତ ସାନ।’ ତହୁଁ ସେହି ବର୍ଷୀୟାନ ସ୍ରଷ୍ଟା ଜଣକ ତାଙ୍କୁ ବୁଝାଇ ଦେଇଥିଲେ ଯେ ଲେଖକ ଓ କଳାକାର ଭଳି ସାରସ୍ୱତ ସ୍ରଷ୍ଟାମାନଙ୍କୁ କେବେ ବି ସେମାନଙ୍କ ବୟସ ଆଧାରରେ ମପା ଯାଇନପାରେ; ଯେଉଁ ବୟସର ହୋଇଥିଲେ ବି ସେମାନେ ସଦା ଅନ୍ୟମାନଙ୍କର ନମସ୍ୟ।
ଏହି ପ୍ରସଙ୍ଗରେ ଆମେ ସାହିତ୍ୟରେ କନିଷ୍ଠ ଲେଖକମାନଙ୍କ ଭୂମିକା ବିଷୟରେ ଚର୍ଚ୍ଚା କରିବାବେଳେ ସ୍ୱତଃ ସ୍ମରଣକୁ ଆସନ୍ତି ଅଶୋକ ଚନ୍ଦନ, କନ୍‌ହେଇ ଲାଲ, ବସନ୍ତ ମୁଦୁଲି, ଅଖିଳ ନାୟକ ଓ ଶିବ ନାରାୟଣ ଗନ୍ତାୟତଙ୍କ ଭଳି ଦିବଂଗତ ଲେଖକ ଓ କବିମାନେ ଯେଉଁମାନେ ଅଳ୍ପ ବୟସରେ ସଂସାରରୁ ବିଦାୟ ନେଇଥିଲେ ହେଁ ଓଡ଼ିଆ ସାହିତ୍ୟରେ ନିଜର ଅମ୍ଲାନ ଛାପ ଛାଡ଼ି ଯାଇଛନ୍ତି।
ଅଷ୍ଟାଦଶ ଶତାବ୍ଦୀର ବିଶିଷ୍ଟ କବି ଉଇଲିଅମ୍ ୱାର୍ଡସୱାର୍ଥ ନିଜର ଗୋଟିଏ କବିତାରେ ଯେତେବେଳେ ଲେଖିଲେ ଯେ ‘ଚାଇଲ୍‌ଡ୍ ଇଜ୍ ଦି ଫାଦର୍ ଅଫ୍ ମ୍ୟାନ୍‌’ ତାଙ୍କର ଉଦ୍ଦେଶ୍ୟ ଥିଲା ମଣିଷର ଏହି ବୟସ ଜନିତ ଅହଂକୁ ଧ୍ୱସ୍ତ କରିବା। ପୂର୍ବେ ଆମ ପତ୍ରିକାର ପୃଷ୍ଠା ମଣ୍ଡନ କରିଥିବା ଜଣେ ବୟୋଜ୍ୟେଷ୍ଠ ଲେଖକ ଥରେ ଅଭିଯୋଗ କରିବସିଲେ ଯେ ତାଙ୍କୁ ଆମେ କନିଷ୍ଠ ବୟସର ଲେଖକମାନଙ୍କ ଗହଣରେ ସ୍ଥାନ ଦେଇଛୁ। ୱାର୍ଡସୱାର୍ଥଙ୍କ ଉପରୋକ୍ତ ଉକ୍ତିକୁ ସ୍ମରଣକରି ସେ କିନ୍ତୁ ଖୁସି ହେବାର କଥା ଯେ କନିଷ୍ଠମାନଙ୍କ ସହିତ ନୁହଁ, ବରଂ ସେ ନିଜର ପିତୃତୁଲ୍ୟ ସ୍ରଷ୍ଟାମାନଙ୍କ ସହିତ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି।

ନିହାର ଶତପଥୀ

Leave a Reply

Your email address will not be published. Required fields are marked *