ମୌସୁମୀର ଶେଷ ବର୍ଷା

“ତମେ କାହିଁକି ଅଫିସ୍ ଛାଡ଼ି କିଛି ନକରି ଅଦୃଶ୍ୟ ହୋଇଗଲ; ପୁଣି ଏବେ ଆସି ମୁହଁ ଦେଖାଉଛ – ଏସବୁ କଥା ସମସ୍ତେ ଜାଣିବା ଦରକାର।”

ସତ୍ୟ ମିଶ୍ର

ଅକ୍ଟୋବର ସତେଇଶି ତାରିଖ ଅପରାହ୍ଣର ଘଟଣା। ଦେବେଶ ଦତ୍ତ ବର୍ଷାରେ ଓଦାହୋଇ ସ୍କୁଟରରେ ଆସି ରାଜ୍ ଟାୱାରରେ ପହଁଚିଲେ। ତଳେ ଠିକଣା ଜାଗାରେ ସ୍କୁଟର ରଖି ତରବରରେ ଲିଫ୍‌ଟ ପାଖକୁ ଗଲେ ଓ ସପ୍ତମ ମହଲାକୁ ଉଠି ଜୋଡିଆକ୍ ଲଜିଷ୍ଟିକ୍‌ସ ଅଫିସ୍‌ରେ ପହଁଚିଲେ। ସେଠି ସେ ଚାକିରି କରନ୍ତି, କିନ୍ତୁ ପ୍ରତିଦିନ ଅଫିସ୍ ଆରମ୍ଭ ହୁଏ ଦିନ ଦଶଟାରେ। ତେଣୁ ଏବେ ତାଙ୍କ ଆଗମନ ବହୁ ବିଳମ୍ବିତ। ମୁଣ୍ଡର ବିପର୍ଯ୍ୟସ୍ତ କେଶରୁ ଓ ପିନ୍ଧିଥିବା ପୋଷାକରୁ ଟୋପାଟୋପା ପାଣି ଝରୁଥାଏ। ବାହାରେ ଠିଆହୋଇ ଅଫିସ୍‌ର କାଚ ଦରଜାରେ ପ୍ରଦର୍ଶିତ ଜୋଡିଆକ୍ ଲଜିଷ୍ଟିକ୍‌ସର ନୀଳ ଲୋଗୋକୁ ଅନାଇ କିଛି ଚିନ୍ତାକଲେ।
ହେମନ୍ତ ଋତୁ ହୋଇଥିବାରୁ ବର୍ଷା ହେବାକଥା ନୁହେଁ। କିନ୍ତୁ ପାଣିପାଗ ତ ତା’ ନିଜ ଇଚ୍ଛାର ମାଲିକ। କେଉଁ ଦୂରରୁ, ବୋଧହୁଏ ନିକୋବାର୍ ଦ୍ୱୀପଆଡୁ ନିରୀହ ଲଘୁଚାପଟିଏ ବଙ୍ଗୋପସାଗରର ଉତ୍ତାଳ ଛାତି ଉପରେ ହଲିଦୋହଲି ସ୍ଥଳଆଡ଼କୁ ଆସିବା ପାଇଁ ମନ ବଳାଇଲା। ଆସିବା ବେଳକୁ ସେ ଆଉ ନିରୀହ ହୋଇ ରହିଲା ନାହିଁ। ନିଜକୁ ଦୁର୍ଦ୍ଦାନ୍ତ ଘୂର୍ଣ୍ଣିବାତ୍ୟା ବୋଲି ପରିଚିତକରି ସେ ମଛଲିପଟନମ୍ ବନ୍ଦର ଆଡ଼କୁ ମୁହାଁଇଲା। ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଲେ ଯେ, ଏହି ଦୁଷ୍ଟବାତ୍ୟା ସ୍ଥଳଭାଗକୁ ମନ୍ଥିଚକଟି ହୁଲସ୍ତୁଲ କରିଦେବ। କିନ୍ତୁ କଳିଙ୍ଗପଟନମ୍ ଦେଇ ଦେବେଶଙ୍କ ସହରରେ ପହଞ୍ଚିବା ବେଳକୁ ସେ ଶକ୍ତିର ଆଉ ପ୍ରତାପ ନଥିଲା। କେବଳ କିଛି ଅସରା ବର୍ଷାରେ ସହରକୁ ଭିଜାଇବା ଛଡ଼ା ଆଉ କିଛି ଉପଦ୍ରବ କରିବାର ତାକତ ତା’ର ନଥିଲା।

ପ୍ୟାଣ୍ଟ୍ ପକେଟ୍‌ରୁ ଖଣ୍ଡେ ସଫେଦ ରୁମାଲ୍ ବାହାରକରି ଦେବେଶ ଦତ୍ତ ନିଜ ମୁଣ୍ଡ ଓ ମୁହଁ ପୋଛିଲେ। ପୋଷାକରୁ ବିନ୍ଦୁ ବିନ୍ଦୁ ପାଣି ଝାଡ଼ିବାକୁ ଚେଷ୍ଟାକଲେ। ତା’ପରେ କାଚଦରଜା ଠେଲି ସନ୍ତର୍ପଣରେ ଅଫିସ୍ ଭିତରେ ପାଦ ରଖିଲେ। ସେଠି ରିସେପ୍‌ସନ୍ ଡେସ୍କରେ ଦ୍ୱାରରକ୍ଷୀ ପରି ଉପବିଷ୍ଟ ପରିଚାଳିକା ନଜନୀନ୍ ତାଙ୍କୁ ଅଟକାଇ କହିଲା, ‘ଆପଣଙ୍କୁ ସାର୍ ଡକାଇଛନ୍ତି। ତୁରନ୍ତ ଯାଇ ଦେଖାକରନ୍ତୁ।’ ‘ସାର୍‌’ ମାନେ ଅଫିସ୍‌ର ସର୍ବୋଚ୍ଚ କର୍ତ୍ତା ମ୍ୟାନେଜର ମନୁ ଶର୍ମା। ଦେବେଶ ମନେ ମନେ ପ୍ରମାଦ ଗଣିଲେ। ନଜନୀନ୍ ତାର ବକ୍ତବ୍ୟ ପୂରା କରିବା ପାଇଁ ଯୋଡ଼ିଲା : ‘ଆପଣ କାହାକୁ କିଛି ନ କହି ଅଫିସ୍ ଛାଡ଼ି କୁଆଡ଼େ ପଳାଇଥିଲେ। ଆଜି ଷ୍ଟାଫ୍ ମିଟିଙ୍ଗ ଆରମ୍ଭ ହେବା ବେଳକୁ ମଧ୍ୟ ଆପଣ ନଥିଲେ। ତେଣୁ ସାର୍ ଆପଣଙ୍କ ଉପରେ ଖୁବ ଖପ୍‌ପା। ମିଟିଙ୍ଗ ଆହୁରି ସରିନାହିଁ। ଆପଣ ଯାଆନ୍ତୁ।’
‘ମିଟିଙ୍ଗ ସରିଲେ ମୁଁ ଯାଇ ଦେଖାକରିବି।’
‘ନା, ମୋତେ କୁହାଯାଇଛି, ଆପଣ ଆସିବାମାତ୍ରେ ସାର୍‌ଙ୍କ ପାଖକୁ ପଠାଇବା ପାଇଁ।’
ଦେବେଶ ଜାଣନ୍ତି ତାଙ୍କ ମ୍ୟାନେଜର୍ ମନୁ ଶର୍ମା ଭାରି କଠୋର। କମ୍ପାନୀର ପ୍ରତିଷ୍ଠାତା ମାଙ୍ଗାରାମ୍ ସେଠ୍ ବୁଢ଼ାହୋଇ କମ୍ପାନୀ ଚଳାଇବା ପାଇଁ ଅକ୍ଷମ ହୋଇଯିବାରୁ ମ୍ୟାନେଜମେଣ୍ଟ କୌଶଳରେ ଦକ୍ଷ ବୋଲି କୁହାଯାଉଥିବା ଏହି ମନୁ ଶର୍ମାଙ୍କୁ ସିଂହାସନ ସମର୍ପିଦେଇ ଅବସର ନେଲେ। ନୂଆ ମ୍ୟାନେଜରଙ୍କ ଶକ୍ତ ଓ ତ୍ରୁଟିଶୂନ୍ୟ ପରିଚାଳନାରେ ଜୋଡିଆକ୍ ଲଜିଷ୍ଟିକ୍‌ସ ଖୁବ୍ ଉନ୍ନତି କରୁଛି ବୋଲି କୁହାଯାଏ। ସବୁ କର୍ମଚାରୀଙ୍କୁ ୟୁନିଫର୍ମ ପିନ୍ଧି ବେକରେ ନାମଫଳକ ଝୁଲାଇ ଠିକ୍ ସମୟରେ ଅଫିସ୍‌ରେ ଆସି ପହଞ୍ଚିବା ପାଇଁ ଶକ୍ତ ନିର୍ଦ୍ଦେଶ ମିଳିଛି। ଖିଲାପକାରୀମାନଙ୍କୁ ଦଣ୍ଡିତ କରାଯିବା ବିଧାନ ମଧ୍ୟ ଜାରି ହୋଇଯାଇଛି। ମାସରେ ଦୁଇଥର ସବୁ କର୍ମଚାରୀଙ୍କୁ ଏକାଠି ବସାଇ ଆଲୋଚନା କରିବା ଓ ମୁଖ୍ୟତଃ ଧମକଦେବା ତାଙ୍କର କୁଶଳୀ ପରିଚାଳନା ଶୈଳୀର ଏକ ଅଙ୍ଗ ବୋଲି ପ୍ରତିପାଦିତ ହୋଇସାରିଛି। ତାଙ୍କ ମୁହଁରୁ ପ୍ରାୟତଃ ଇଂରାଜୀ କଥା ବାହାରେ, ତେଣୁ ନିଜ ମାତୃଭାଷାର କଞ୍ଚା ଗାଳି ଅପେକ୍ଷା ତାଙ୍କ ଇଂରାଜୀ ତିରସ୍କାର ଅପେକ୍ଷାକୃତ କମ୍ ଅପମାନଜନକ ବୋଲି କର୍ମଚାରୀମାନଙ୍କ ଧାରଣା। ‘ଆମ ସାର୍ ପ୍ରକୃତରେ ଜଣେ ଦୟାଳୁ ମଣିଷ’ ବୋଲି ତାଙ୍କ ଡ୍ରାଇଭର୍ କହୁଥିବା ବାକ୍ୟକୁ ତାତ୍ସଲ୍ୟକରି ଉଡ଼ାଇ ଦିଆଯାଏ।
ଦେବେଶ ଦତ୍ତ ପ୍ରଥମେ ନିଜ ଆସନକୁ ଯାଇ ଟେବୁଲ ଉପରେ ଥିବା କମ୍ପ୍ୟୁଟର୍ ଲଗ୍ ଇନ୍ ହୋଇଛି ନା ନାଇଁ ପରୀକ୍ଷା କରିନେଲେ। ତା’ପରେ ଆଉଟିକିଏ ଝାଡ଼ିଝୁଡ଼ି ହୋଇ କନଫରେନ୍ସ ରୁମ୍ ଭିତରେ ପଶିଲେ। ଭିତରେ ସ୍କୁଲର ଶ୍ରେଣୀଗୃହ ଭଳି ବସିବା ବ୍ୟବସ୍ଥା। କେବଳ ସମସ୍ତଙ୍କ ଆଗରେ ବସିଥିବା ମ୍ୟାନେଜରଙ୍କ ବ୍ୟତୀତ ଅନ୍ୟ ସମସ୍ତେ ପ୍ରବେଶ ଦ୍ୱାରକୁ ପଛକରି ବସିଥିଲେ। ତେଣୁ ଦେବେଶ ଭିତରକୁ ପଶି ପଛଧାଡ଼ିରେ ଗୋଟିଏ ଖାଲି ଚୌକିରେ ବସିବା ଦୃଶ୍ୟ କେବଳ ମନୁ ଶର୍ମା ଏବଂ ଦେବେଶଙ୍କ ପାଖରେ ବସିଥିବା ରାଧା ତିୱାରୀ ବ୍ୟତୀତ ଆଉ କେହି ଦେଖିନଥିଲେ।
ମ୍ୟାନେଜର୍ ଶର୍ମାଜୀ ଖୁବ୍ ଉତ୍ସାହର ସହିତ ବଡ଼ପାଟିରେ କ’ଣ ଗୋଟାଏ କହୁଥିଲେ। କିନ୍ତୁ ହଠାତ୍ ତାହା ବନ୍ଦକରି ତୀକ୍ଷ୍‌ଣ ଦୃଷ୍ଟିରେ ଦେବେଶଙ୍କୁ ଅନାଇଲେ। ପ୍ରାୟ ତିରିଶ ସେକେଣ୍ଡର ସ୍ତବ୍ଧ ନିରବତା ପରେ ସେମିତି ଭାଷଣ ଦେବାଭଳି କଣ୍ଠରେ କହିଲେ, ‘ସମ୍‌ ୱାନ ଜଷ୍ଟ୍ କେମ୍ ଇନ୍ ଏଣ୍ଡ୍ ଆକ୍ୟୁପାଏଡ୍ ଏ ସିଟ୍।’
ତାଙ୍କ କଣ୍ଠର ବିଦ୍ରୂପକୁ ଉପେକ୍ଷାକରି ଶାନ୍ତ କଣ୍ଠରେ ଦେବେଶ କହିଲେ, ‘ସାର୍‌, ମୁଁ ଏବେ ଆସିଲି।’
‘ଆଇ କୁଡ୍ ସି ଦାଟ୍। ହ୍ୱାଏ? ହ୍ୱେର୍ ୱେର୍ ୟୁ ଟିଲ୍ ନାଓ?’
‘ସାର୍‌, ମିଟିଙ୍ଗ ସରିଲେ ଆପଣଙ୍କ ରୁମ୍‌କୁ ଆସି ସବୁକଥା କହିବି।’
କିନ୍ତୁ ଜଣେ ବିଶୃଙ୍ଖଳିତ କର୍ମଚାରୀଙ୍କୁ ସମଗ୍ର ଷ୍ଟାଫ୍‌ଙ୍କ ଆଗରେ ଅପଦସ୍ତ କରିବାର ବିରଳ ସୁଯୋଗ ମନୁ ଶର୍ମାଙ୍କ ପରି ଜଣେ ପରାକ୍ରମୀ ପ୍ରଶାସକ କିପରି ହାତଛଡ଼ା କରନ୍ତେ? ଗର୍ଜନ କରି କହିଲେ, ‘ନୋ! ଆଇ ବିଲିଭ୍ ଇନ୍ ଅନ୍ ଦ ସ୍ପଟ୍ ରିଜୋଲ୍ୟୁସନ୍। କହ ତମର କ’ଣ କହିବାକୁ ଅଛି।’ କିନ୍ତୁ ଦେବେଶ ମୁହଁଖୋଲି କିଛି କହିବା ଆଗରୁ ପୁଣି ହୁକୁମ୍ ଦେଲେ, ‘ନୋ, ଷ୍ଟପ୍। ତମେ ମୋ’ ପାଖରେ ଆସି ବସ। ତମର ଆଲୁରୁବାଲୁରୁ ମୁଣ୍ଡ, ଓଦା ଡ୍ରେସ୍ ସମସ୍ତେ ଦେଖନ୍ତୁ। ଅଫିସ୍ ଡେକୋରମ୍ କୁଆଡ଼େ ଗଲା? ଏମିତି ବେଶରେ ଆସିଲେ ଜୋଡିଆକ୍ ଲଜିଷ୍ଟିକ୍‌ସର ଇମେଜ୍ କ’ଣ ହେବ? ମୁଁ ଚାହେଁ ତମର ଏକ୍ସପ୍ଲାନେସନ୍ ସମସ୍ତେ ଶୁଣନ୍ତୁ। ତମେ କାହିଁକି ଅଫିସ୍ ଛାଡ଼ି କିଛି ନକରି ଅଦୃଶ୍ୟ ହୋଇଗଲ; ପୁଣି ଏବେ ଆସି ମୁହଁ ଦେଖାଉଛ – ଏସବୁକଥା ସମସ୍ତେ ଜାଣିବା ଦରକାର।’
ଦେବେଶ ଅନୁମାନ କରିନେଲେ ଯେ, ମିଟିଙ୍ଗ ସରିଲାଣି। କେବଳ ତାଙ୍କୁ ସମସ୍ତଙ୍କ ସାମନାରେ ଅପମାନିତ କରିବା ପ୍ରକ୍ରିୟା ବାକି ଅଛି। ନମ୍ର ଭାବରେ ଉତ୍ତର ଦେଲେ, ‘ସାର୍ ମୋର ଗୋଟାଏ ଜରୁରୀ କାମ ଆସିଗଲା।’
-‘ହ୍ୱାଟ୍‌? କେହି ମରିଗଲା? କିଛି ଆକ୍‌ସିଡେଣ୍ଟ?
-‘ସାର୍‌, ଆପଣ ବରଂ ମୋର ଗୋଟାଏ ଦିନର ଦରମା କାଟିଦିଅନ୍ତୁ।’
-‘ୟୁ ଡୋଣ୍ଟ୍ ହେଭ୍ ଟୁ ଟେଲ୍ ମି ହ୍ୱାଟ୍ ଆଇ ସାଲ୍ ଡୁ। ଆଇ ୱାଣ୍ଟ୍ ୟୋର୍ ଓରାଲ୍ ଏକ୍ସପ୍ଲାନେସନ୍ ଫାଷ୍ଟ।’
-‘ଏଠି? ଏପରି ଓପନ୍ ମିଟିଙ୍ଗରେ?’
-‘ୟେସ୍‌! ସଂକୋଚ କାହିଁକି?’
-‘ଆପଣ କେହି ବୁଝିପାରିବେନି।’
-‘କ’ଣ ବୁଝିପାରିବିନି?’
-‘ମୁଁ ଯାହା କହିବି।’
-‘ବୁଝିପାରିବୁ ନା ନାହିଁ ପରେ ଦେଖାଯିବ। ଫାଷ୍ଟ ଉଇ ୱାଣ୍ଟ୍ ଟୁ ହିଅର୍ ଫ୍ରମ୍ ୟୁ। କୁଇକ୍। ଡୋଣ୍ଟ ୱେଷ୍ଟ ଆୱାର ଟାଇମ୍।’
-‘କଥାଟି ମୋର ପର୍ସନାଲ।’
-‘ହାଃ! ଅଫିସ୍ କାମ ଭିତରେ ପର୍ସନାଲ କଥା କୁଆଡ଼ୁ ଆସିଲା? ଗୋ ଅନ୍। ଟେଲ୍ ୟୋର ଷ୍ଟୋରି।’
ଦେବେଶ କିଛି ସମୟ ଆଖିବୁଜି ଚୁପ୍‌ହୋଇ ବସିଲେ। ତା’ପରେ ଆଖିଖୋଲି ଦୃଢ଼ ଭାବରେ କହିଲେ, ‘ଠିକ୍ ଅଛି। କହୁଛି। ଶୁଣନ୍ତୁ।’

XXXXX
ଦେବେଶଙ୍କ ପୁଅ ବବିର ବୟସ ପାଞ୍ଚବର୍ଷରୁ କମ୍। ସନରାଇଜ୍ ସ୍କୁଲରେ ଷ୍ଟାଣ୍ଡର୍ଡ ୱାନ୍‌ରେ ଭର୍ତ୍ତି ହୋଇଛି। ପ୍ରତିଦିନ ଦେବେଶ ତାକୁ ସ୍କୁଲରେ ଛାଡ଼ି ଆସନ୍ତି। ସ୍କୁଲ ସରିଲେ ଦେବେଶଙ୍କ ପତ୍ନୀ ତାକୁ ଘରକୁ ଆଣନ୍ତି।
ଗତ ଅଗଷ୍ଟ ମାସରେ ବବି ସ୍କୁଲକୁ ଯିବା ପାଇଁ ଛତାଟିଏ ମାଗିଥିଲା। ତାର ପ୍ରଥମ ଅଳି ତା’ ମା’ ପାଖରେ। କିନ୍ତୁ ତା’ କଥା ରହିଲା ନାହିଁ। ତା’ ମା’ ଟାଳଟୁଳ କରି କଥାଟିକୁ ମାସେ ଗଡ଼ାଇନେଲେ। ଭାବିଥିଲେ ତା’ପରେ ବବି କଥାଟିକୁ ଭୁଲିଯିବ। କିନ୍ତୁ ତା’ର କେତେଜଣ ସ୍କୁଲସାଥୀ ଛତାଧରି ବର୍ଷାରେ ଯା’ଆସ କରୁଥିବାର ଦେଖି ନିଜେ ମଧ୍ୟ ସେମିତି ଛତାଧରି ଚାଲିବା ପାଇଁ ତା’ର ଥିଲା ପ୍ରବଳ ଇଚ୍ଛା। ଛତା ପାଇଁ ବାରମ୍ବାର ଅଳି କରିବାରୁ କଥାଟା ଦେବେଶଙ୍କ ଇଜିଲାସକୁ ଆସିଗଲା। ସେତେବେଳେ ଅଗଷ୍ଟ ସରିଆସିଲାଣି।

ଦେବେଶ ମଧ୍ୟ ବିଭିନ୍ନ ଆଳ ଦେଖାଇ ପନ୍ଦର କୋଡ଼ିଏ ଦିନ ଗଡ଼ାଇନେଲେ। କିନ୍ତୁ ବବି ତା’ର ଛତାଧାରୀ ସାଥୀମାନଙ୍କୁ ଯେପରି ଆତୁର ନୟନରେ ଅନାଇରହେ, ତାହା ଦେଖି ଦେବେଶଙ୍କ ମନ ତରଳିଗଲା। ବବି ଅଝଟ ପିଲାନୁହେଁ, ତେଣୁ ବେଶି ଅଳିଅର୍ଦ୍ଦଳି କରି ବାପା, ମା’ଙ୍କ୍‌ୁ ବେଶି ହିନସ୍ତା କରିବା ଅଭ୍ୟାସ ତା’ର ନଥିଲା। ତଥାପି ଛତାଟିଏ ନପାଇ ସେ ସବୁବେଳେ ମନମାରି ରହୁଥିଲା। ଦିନେ ତାକୁ ସ୍କୁଟରରେ ବସାଇ ଦେବେଶ ବଜାରକୁ ନେଲେ। ତା’ର ପସନ୍ଦ ମୁତାବକ ନାଲି ରଙ୍ଗର ଛୋଟ ଛତାଟିଏ କିଣି ତା’ ହାତରେ ଦେଲେ। ବବିର ଆନନ୍ଦ କହିଲେ ନସରେ।
କିନ୍ତୁ ଅସଲ ସମସ୍ୟା ଆରମ୍ଭ ହେଲା ତା’ପରେ। ଛତାଟିଏ ପାଇଯିବା ପରେ ବବି ପୂରା ଖୁସି ହୋଇଯିବ ବୋଲି ଯେଉଁ ଆଶାଥିଲା, ତାହା କ୍ରମଶଃ ମଉଳିବାରେ ଲାଗିଲା। କାରଣ ଛତାଖୋଲି ମୁଣ୍ଡ ଉପରେ ଧରି ସ୍କୁଲକୁ ଯିବା ସୁଯୋଗ ତାକୁ ମିଳିଲାନାହିଁ। ଛତା କିଣାହେବା ପରଠାରୁ ଆଉ ବର୍ଷା ହୋଇନାହିଁ। ସେପ୍ଟେମ୍ବର ତୃତୀୟ ସପ୍ତାହ ହୋଇସାରିଥାଏ। ମା’ ଦୁର୍ଗା ପୃଥିବୀକୁ ଆସି ବାହୁଡ଼ିଗଲେ, କିନ୍ତୁ ଆଉ ବର୍ଷା ହେଲାନାହିଁ। ତେଣୁ ନିଜ ସାଥୀମାନଙ୍କ ଭଳି ଛତାଧରି ସ୍କୁଲକୁ ଯିବାର ବହୁ ବାଂଛିତ ମଧୁର ଅନୁଭବ ବବିକୁ ଆଉ ମିଳିଲା ନାହିଁ। ସେ ଖୁବ୍ ବିରସ ଦିଶିଲା। ତାର ମୁହଁ ଦେଖି ଦେବେଶ ପୁଅର ନୈରାଶ୍ୟ ବୁଝିପାରନ୍ତି, କିନ୍ତୁ ସେ କ’ଣ ବା ଆଉ କରିପାରନ୍ତେ?
ଅକ୍ଟୋବର ପ୍ରଥମ ସପ୍ତାହରେ ବବିକୁ ଜ୍ୱରହେଲା। ଔଷଧ ଖାଇଲା। ସ୍କୁଲକୁ ନଯାଇ ତିନିଦିନ ଘରେ ରହିଲା। ଜ୍ୱର ଅବଶ୍ୟ ଭଲ ହୋଇଗଲା; କିନ୍ତୁ ଦେବେଶଙ୍କ ମନରେ ଗୋଟିଏ ଧାରଣା ଜମାଟବାନ୍ଧି ରହିଲା ଯେ, ତାର ଅଭିଳାଷ ଅପୂର୍ଣ୍ଣ ରହିଯିବାର ପୀଡ଼ା ତା’ ଜ୍ୱରର ଅନ୍ୟତମ କାରଣ ହୋଇଥିବ। ମନ ଭିତରେ ଖୁବ୍ ଛଟପଟ ହୋଇଥିବ। ବବି ପାଇଁ ଛତାଟି ଆଗରୁ ନ କିଣି ବିଳମ୍ବ କରିଥିବାରୁ ମନରେ ଅନୁଶୋଚନା ଆସିଲା।
ଦେବେଶ ପ୍ରତିଦିନ ମେଘକୁ ଅନାଇ ବର୍ଷା ଖୋଜୁଥିଲେ। ପାଣିପାଗର ବିବରଣୀ, ପୂର୍ବାନୁମାନ ଶୁଣୁଥିଲେ। କେତେଥର ଆସନ୍ନ ବର୍ଷାର ଭବିଷ୍ୟବାଣୀ ଶୁଣିବାକୁ ମିଳିଲା। ଅରେଞ୍ଜ ୱାର୍ଣ୍ଣିଂ ଲାଗିଲା। ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଘୋଷଣା ମଧ୍ୟ ଆସିଲା। କିନ୍ତୁ ସବୁ ଶୂନ୍ୟରେ ଉଡ଼ିଗଲା। ବର୍ଷା ହେଲାନାହିଁ।
କାଳେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଯିବ ବୋଲି ଯେତେବେଳେ କୃଷକକୁଳ ଆତଙ୍କିତ ହୋଇ ରହନ୍ତି, ସେତେବେଳେ ଦେବେଶ ଅସରାଏ ବର୍ଷା ପାଇଁ ପ୍ରାର୍ଥନା କରୁଥାନ୍ତି। ବବିର ତୀବ୍ର ଇଚ୍ଛା ଓ ନିଜର ପ୍ରାର୍ଥନା ଉଭୟ ଅଯୌକ୍ତିକ ନିର୍ବୋଧତା ବୋଲି ବୁଝନ୍ତି, କିନ୍ତୁ ନିୟନ୍ତ୍ରଣ କରିପାରନ୍ତି ନାହିଁ।
ଅକ୍ଟୋବର ସତେଇଶି ତାରିଖ ସକାଳେ ଅଫିସ୍‌ରେ କାମ କରୁଥିବା ବେଳେ ଦେବେଶ ଥରେ ମୁଣ୍ଡଟେକି ଝରକା ଆଡ଼େ ଅନାଇଥିଲେ। ହଠାତ୍ ଆଖିରେ ପଡ଼ିଲା ଏକ ବହୁ-ପ୍ରତୀକ୍ଷିତ ଦୃଶ୍ୟ। ବାହାରେ ଖରା ବଦଳରେ ମେଘ। ଝରକାର କାଚ ଉପରେ ବିନ୍ଦୁ ବିନ୍ଦୁ ପାଣି ପଡ଼ିଛି ଓ ପଡ଼ୁଛି। ସେତେବେଳେ ସମୟ ବାରଟା ବାଜିବାକୁ ଆହୁରି ପାଞ୍ଚ ମିନିଟ୍ ବାକି। ବବିର ସ୍କୁଲ ଛୁଟିହୁଏ ସାଢ଼େ ବାରଟାରେ। ତାଙ୍କର ଚିନ୍ତା, ଚେତନା ସବୁ ଗୋଟିଏ ବିନ୍ଦୁରେ ଠୁଳ ହୋଇଗଲା – ସ୍କୁଲ ସରିବା ଆଗରୁ କେମିତି ଛତାଟି ନେଇ ବବି ହାତରେ ପହଞ୍ଚାଇ ଦେବେ। ହାତରେ ସମୟ କମ୍। ବତାସ ପରି ଚୌକିରୁ ଉଠି, ପାଖରେ ବସିଥିବା ସହକର୍ମୀ ନରେଶ ଆଡ଼କୁ ‘ଅର୍ଜେଣ୍ଟ କାମଟିଏ ମନେପଡ଼ିଲା’ ବୋଲି ଅଧା ବାକ୍ୟଟିଏ ଫୋପାଡ଼ିଦେଇ ସିଧା ଲିଫ୍‌ଟରେ ତଳକୁ ଖସି ସ୍କୁଟର ପାଖରେ ପହଁଚିଲେ। ସେଠାରୁ ନିଜ ଘର। ଘର ଭିତରେ ଭୂତପରି ପଶି ବବିର ଛତାଟିକୁ ଧରି ସେମିତି ବର୍ଷାରେ ସ୍କୁଲ ଆଡ଼କୁ ଛୁଟିଲେ। ନିଜେ ଭିଜୁଥିଲେ, ମୁଣ୍ଡରୁ ବହିଆସୁଥିବା ବୁନ୍ଦା ବୁନ୍ଦା ପାଣି ଆଖି ଉପରକୁ ବହି ଆସୁଥିବାରୁ ରାସ୍ତା ଠିକ୍ ଭାବେ ଦିଶୁନଥିଲା। କିନ୍ତୁ ସେଥିପ୍ରତି ଭ୍ରୂକ୍ଷେପ ନକରି ଏକ ଲୟରେ ସ୍କୁଟର ଚଲାଇ ନିଜ ଲକ୍ଷ୍ୟ ଆଡ଼କୁ ଆଗେଇଲେ, କାରଣ ସେ ଜାଣୁଥିଲେ ଯେ ଏହି ବର୍ଷା ହେଉଛି ଏ ବର୍ଷର ଶେଷବର୍ଷା।
ସେ ସ୍କୁଲ ପାଖରେ ପହଞ୍ଚିବା ବେଳକୁ ହିଁ ଘଣ୍ଟିବାଜିଲା। ଅନେକ ଅପେକ୍ଷାରତ ଅଭିଭାବକଙ୍କ ସହିତ ମିଶି ସେ ମଧ୍ୟ ଗେଟ୍ ଭିତରେ ପଶିଲେ। ଆତୁର, ଅଧୀର, କୁନି ପିଲାମାନେ ବ୍ୟାଗ୍‌ଧରି ନିଜ ନିଜର ବାପା, ମା’ଙ୍କ ଆଡ଼କୁ ଆଗେଇ ଆସୁଥିଲେ। ବବି ଭାବିନଥିଲା, ତା’ ବାପାଙ୍କୁ ସେତେବେଳେ ସେଠାରେ ଦେଖିବ ବୋଲି। ତା’ ହାତରେ ନୂଆଛତାଟି ପଡ଼ିବାମାତ୍ରେ ତାର ଆନନ୍ଦ ଦେଖେ କିଏ? ବର୍ଷା ଛାଡ଼ିନଥିଲା। ବବିର ହସ ହସ ମୁହଁ ଦେଖି ଦେବେଶ ଜାଣିଲେ ତାଙ୍କ କଷ୍ଟ ସଫଳ ହେଲା। ହାତରେ ନାଲିଛତା ଧରି ଓଦା ରାସ୍ତାରେ ପାଦ ଚବର ଚବର କରି ବବି ନାଚିନାଚି ଡେଇଁଡେଇଁ ଚାଲିଲା ଯେମିତି ତା’ମୁଣ୍ଡ ଉପରେ ଥିବା ପଦାର୍ଥ ଛତାନୁହେଁ, ରାଜାଙ୍କ ମୁକୁଟ। ଦେବେଶ ତରବରରେ ସ୍କୁଟର୍ ଷ୍ଟାର୍ଟକରି ଅଫିସ୍ ଫେରିଲେ।

XXXXX
‘ଏତିକି ମାତ୍ର କଥା’ – ଦେବେଶ କହିଚାଲିଲେ, ‘ଗୋଟିଏ ତୁଚ୍ଛ, ଅବାନ୍ତର କଥାକୁ ନେଇ ମୁଁ ଏପରି ବ୍ୟସ୍ତ ହେଉଥିବା କଥା ପ୍ରଘଟ ହେଲେ ମୋ’ ଉପରେ ସମସ୍ତଙ୍କର ଥଟ୍ଟା, ପରିହାସ, ଉପହାସ ଅଜାଡ଼ି ହୋଇପଡ଼ିବ ବୋଲି ମୁଁ ଜାଣେ। କିନ୍ତୁ ବିଶ୍ୱାସ କରନ୍ତୁ, ମୋ’ ପାଇଁ ବ୍ୟାପାରଟି ତୁଚ୍ଛ ନଥିଲା କି ଅବାନ୍ତର ନଥିଲା। ନିହାତି ବାଧ୍ୟ ନ ହେଲେ ମୁଁ ଏକଥା କାହାକୁ କହିନଥାନ୍ତି। ଆଗରୁ କହିଛି, କଥାଟି ପୂରା ପର୍ସନାଲ।’
ମନୁ ଶର୍ମା କହିଲେ, ‘ଡୋଣ୍ଟ ୟୁ ଥିଙ୍କ୍ ୟୋର୍ ସନ୍ ଇଜ୍ କ୍ରେଜି?’
-‘ଅଲ୍ କିଡ୍‌ସ୍ ଆର୍ କ୍ରେଜି ଏଣ୍ଡ୍ ଏଡୋରେବଲ୍ ସାର୍। ଅଧିକାଂଶ ବାପା-ମା ସେମିତି ତାଙ୍କ ପିଲାମାନଙ୍କ ପାଇଁ କ୍ରେଜି। ପିଲାଙ୍କ ମୁହଁରେ ଧାରେ ହସ ଦେଖିବା ପାଇଁ ପ୍ୟାରେଣ୍ଟ୍‌ମାନେ ଏମିତି କ୍ରେଜି କାମ କରନ୍ତି।’
-‘ୟୁ ଆର୍ ଏ ସେଣ୍ଟିମେଣ୍ଟାଲ୍ ସିମ୍ପଲଟନ୍ ଦେବେଶ। ଛୋଟ ଛୁଆକୁ ଏତେବେଶି ଇଣ୍ଡଲ୍‌ଜ୍ କାହିଁକି କରୁଛ? ତମେ କ’ଣ ଭାବୁଛ ପୃଥିବୀରେ ଆଉ କେବେ ବର୍ଷା ହେବନାହିଁ କି ତମପୁଅକୁ ଛତା ଲୋଡ଼ା ହେବନାହିଁ।’
-‘ହଁ ସାର୍‌, ପୁଣି ବର୍ଷା ହେବ, ପୁଣି ଛତା ଖୋଲିବ। କିନ୍ତୁ ତାହା ହେବ ଆସନ୍ତାବର୍ଷ। ଏପରି ଏକ ସହଜ ଜିନିଷ ପାଇଁ ମୁଁ କାହିଁକି ବର୍ଷଟିଏ ଅପେକ୍ଷା କରିବି? ସେତେବେଳେ ମୋ’ ପୁଅ ଆଉ ଗୋଟିଏ ବର୍ଷ ବଡ଼ ହୋଇଯାଇଥିବ। ଶୈଶବଠାରୁ ଆଉ ବର୍ଷେ ଦୂରେଇ ଯାଇଥିବ। ଏ ‘କ୍ରେଜ୍‌’ କମିଯାଇଥିବ। ସେତେବେଳେ କ’ଣ ସେ ଏତେ ବେଶି ଆନନ୍ଦ ପାଇବ? ଆପଣ କେଉଁ ଇଣ୍ଡଲଜେନ୍‌ସ୍ କଥା କହୁଛନ୍ତି ସାର୍‌? ମୁଁ ତାକୁ କିଛି ହୀରା ମୋତି ଦେଇନାହିଁ। ଛାର ଛତାଟିଏ। ଏଥିରେ ଇଣ୍ଡଲଜେନ୍‌ସ୍ କାହିଁ?’
-‘ଛାଡ଼। ଏସବୁ ବକୱାସ୍‌ରୁ ମୋତେ କ’ଣ ମିଳିବ? ଆମ ଅଫିସ୍‌ର ଡିସିପ୍ଲିନ୍ ତମେ ଭାଙ୍ଗିଛ ନା ନାଇଁ?’
-‘ହଁ ଭାଙ୍ଗିଛି। ତେଣୁ ଦଣ୍ଡ ସ୍ୱରୂପ ମୋତେ ଆଜିର ଦରମା ଦିଅନ୍ତୁ ନାହିଁ। ଦରମାରୁ ତିନି ହଜାର ଟଙ୍କା କଟିଗଲେ ମୋତେ ଅବଶ୍ୟ ବାଧିବ, କିନ୍ତୁ ଆଜି ମୋ’ କୁନିପୁଅର ଆଖିରେ ଯେଉଁ ଚମକ୍ ଦେଖିଲି, ତା’ ତୁଳନାରେ ଏ ଟଙ୍କା ବେଶି ନୁହେଁ।’
ସଭାଗୃହ ପୂରା ନିରବ ଥିବାବେଳେ ହଠାତ୍ ପଛଧାଡ଼ିରୁ ରାଧା ତିୱାରୀ ଠିଆ ହୋଇଗଲେ। ମନୁ ଶର୍ମା ତାଙ୍କୁ ପ୍ରଶ୍ନିଳ ଆଖିରେ ଅନାଇବା ବେଳେ ସେ ବଡ଼ପାଟିରେ କହିଲେ, ‘ସାର୍‌, ଆପଣ ଯଦି ଦେବେଶ ବାବୁଙ୍କର ଗୋଟିଏ ଦିନର ଦରମା କାଟୁଛନ୍ତି, ମୋ’ର ବି କାଟନ୍ତୁ। ମୋର ଗୋଟାଏ ପର୍ସନାଲ୍ ଅର୍ଜେଣ୍ଟ୍ କାମ ମନେପଡ଼ିଲା। ମୁଁ ଯାଉଛି।’
ବାଁ ପଟୁ ନରେଶର ପାଟି ଶୁଭିଲା ‘ମୋର ବି କାଟନ୍ତୁ। ମୁଁ ବି ଯାଉଛି।’
ସତ୍ୟପାଲ୍ ହାତଟେକି କହିଲା, ‘ମୁଁ ବି।’ ତା’ପରେ ଇଂରାଜୀରେ ଅନୁବାଦ କରି କହିଲା ‘ମି ଟୂ’।
ପରେ ପରେ କୋଠରୀର ସବୁ ଦିଗରୁ ଅନେକ କଣ୍ଠରୁ ‘ମି ଟୂ’, ‘ମି ଟୂ’ ଧ୍ୱନି ପହଁରି ଆସିଲା।
ମନୁ ଶର୍ମା ଗୋଟିଏ ହାତ ଉପରକୁ ଟେକି ବଡ଼ପାଟିରେ ଆଦେଶ ଦେଲେ ‘ଷ୍ଟପ୍ ଇଟ୍‌’। ସମସ୍ତେ ଚୁପ୍ ହୋଇଗଲେ।
ତା’ପରେ ମ୍ୟାନେଜର ମହୋଦୟ ଅତି ନାଟକୀୟ ଭାବରେ କହିଲେ ‘ମି ଟୂ’।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )

10 thoughts on “ମୌସୁମୀର ଶେଷ ବର୍ଷା

  1. ମୌସୁମୀର ଶେଷ ବର୍ଷା ଗଳ୍ପଟି ପଢ଼ିଲି। ଏକ ସୁନ୍ଦର ଅନୁଭୂତି ପଢ଼ିଲା ପରି ଲାଗିଲା।

  2. ମନ କୁ ଛୁଇଁଲା ଭଳି ଗଲ୍ପ

  3. ଗପଟିରୁ ଅନେକ କିଛି ଶିଖିବାର ଅଛି।ଧନ୍ୟବାଦ ସତ୍ୟବବୁ।

  4. All stories of Satya Misra evoke sentimental reactions. This was no exception. A very emotional relation between a father and his young chld.

  5. ମନଛୁଆଁ ଓ ହୃଦୟସ୍ପର୍ଶୀ ଗଳ୍ପ। ସରଳ, ସାବଲୀଳ ଓ ଭାବପୂର୍ଣ୍ଣ।ଖୁସିର ପରିଭାଷା ସମସ୍ତଙ୍କ ପାଇଁ ସମାନ ନୁହେଁ। ଖୁସି ଛୋଟ ଛୋଟ ମୁହୂର୍ତ୍ତରେ ଲୁଚିଥାଏ। ପୁଅଟି ପାଇଁ ଛତା କେବଳ ଗୋଟିଏ ବସ୍ତୁ ନୁହେଁ, ତାହା ତାର ଶୈଶବ ସ୍ବପ୍ନର ପ୍ରତୀକ। ବର୍ଷା ନ ହେବାର ଦୁଃଖ ଶିଶୁ ମନର ସ୍ବାଭାବିକ ସତ୍ୟତାକୁ ଦେଖାଏ। ପୁଅ ପାଇଁ ଛତା ଓ ବର୍ଷା, ବାପା ପାଇଁ ପୁଅର ହସ…। ସନ୍ତାନର ଛୋଟ ଛୋଟ ଖୁସି ବାପାର ହୃଦୟକୁ ଯେଉଁ ସନ୍ତୁଷ୍ଟି ଦେଇପାରେ, ତାହା ଅମୂଲ୍ୟ..।
    ଅଦିନିଆ ବର୍ଷା ବାପାର ମନକୁ ଆନ୍ଦୋଳିତ କରେ। ଅଫିସର ଦାୟିତ୍ୱ ଓ ହାକିମଙ୍କ ଭୟ—ସବୁକୁ ପଛରେ ପକାଇ ଛତା ଧରି ବାପା ପୁଅ ପାଖକୁ ଦୌଡ଼ିଯାଏ। ଏଠାରେ ଗଳ୍ପଟି ମାନବିକତାର ଶିଖରକୁ ଛୁଇଁଯାଏ।ବାପାର ଅବ୍ୟକ୍ତ ଭାବନା ବେଶ୍ ଗଭୀର। ସେ ନିଜର ଅପମାନ, ଗାଳି ଓ ମନର ଯନ୍ତ୍ରଣାକୁ ଅଣଦେଖା କରି ପୁଅର ହସକୁ ବାଛିନେଇଛି। ପୁଅ ନାଚି ନାଚି ଘରକୁ ଫେରୁଥିବା ଦୃଶ୍ୟ ବାପା ପାଇଁ ସବୁଠୁ ବଡ଼ ପୁରସ୍କାର। ସନ୍ତାନର ଖୁସି ହିଁ ସବୁକିଛି। “ମୌସୁମୀର ଶେଷ ବର୍ଷା” ଖୁବ୍ ଭଲ ଲାଗିଲା।👌👌

  6. ବହୁତ ସୁନ୍ଦର ବିଚାର ଧାରା ର ଉପସ୍ଥାପନା।
    କୁହାଯାଏ, Assets are permanent, experiences are temporary.
    କିନ୍ତୁ, Experiences are permanent. Assets are temporary.ପୁଣି ଛତା କିଣାଯିବ, କିନ୍ତୁ ସେ ଦିନ ର ଅପ୍ରତ୍ୟାଶିତ ଖୁସି ପିଲା ଓ ବାପା ସବୁ ଦିନ ମନେ ରଖିବେ।Experience ର ବର୍ଣ୍ଣନା ବି ସେତିକି ଖୁସି ଦେଇ ଥାଏ, ଯାହା ଅଫିସ ର କର୍ମଚାରୀମାନେ ପାଇଲେ ଓ ଆମେ ପାଠକ ମାନେ ପାଇଲୁ।
    ଧନ୍ୟବାଦ

  7. ଗପ ତ ନୁହେଁ, ସମ୍ପର୍କର ଏକ ଦସ୍ତାବିଜ। ବାପା ମନଟିର ଅନୁଶୀଳନ। ଚହରି ଯିବା ପରି ଏକ ଭାବପ୍ରବଣତା। ଏମିତି ଗପ ଯାହା ଆରମ୍ଭ ହୁଏ, କିନ୍ତୁ ଶେଷ ହୁଏନାହିଁ… ମନକୁ ଆଚ୍ଛନ୍ନ କରି ରଖେ, ନିଶା ପରି। ଅତି ସୁନ୍ଦର

Leave a Reply

Your email address will not be published. Required fields are marked *