ବିଶ୍ୱରୂପ

ରିପୋର୍ଟ ସ୍ପଷ୍ଟ ଥିଲା। ଅମନର ଛାତି ଭିତରେ ହୃଦୟ ନ ଥିଲା।

ରୋହିତ ଦାଶ

ସକାଳୁ ନିଦ ଭାଙ୍ଗିଲା ପରେ ଅମନ ଅନୁଭବ କଲା ଯେ ସେ ବିଛଣାରୁ ଆଦୌ ଉଠିପାରୁନି। ଅମନ କଡ଼ ଲେଉଟେଇଲା ଓ ଭାବିଲା ସତରେ ସେ ଉଠିଛି ନା ସ୍ୱପ୍ନ ଦେଖୁଛି। ଅମନ ଆଖି ମଳି କୋଠରି ଭିତରକୁ ନିଘାକଲା। ଝରକାର ନୀଳ ପରଦା ଫାଙ୍କରୁ ଖରାର ଧାସ ସ୍ପଷ୍ଟ ଦିଶୁଛି। ଝରକା ବାହାରେ ବଗିଚାରେ କୁନି ଚଢ଼େଇମାନଙ୍କ କିଚିରିମିଚିରି। ଗାଁ ହେଇଥିଲେ ଅବଶ୍ୟ କୁଆର କା କା ଶୁଭିଥାନ୍ତା ଓ ଅମନ ସକାଳ ହେଲା ବୋଲି ବିଶ୍ୱାସ କରିବାକୁ ବାଧ୍ୟ ହୋଇଥାନ୍ତା। ହେଲେ ସହରମାନଙ୍କରେ ଆଜିକାଲି ଆଉ କୁଆ କୋଇଲି କାହାନ୍ତି!
କେତେ ସମୟ ହୋଇଥିବ। ଅମନ ଘଣ୍ଟାକୁ ନିଘାକଲା। କିନ୍ତୁ ନା ଘଣ୍ଟା ଚାଲୁନି। ଉଭୟ କଣ୍ଟା ସ୍ଥିର ଅଛି। ବୋଧେ ଅନେକ ଦିନରୁ ବ୍ୟାଟେରି ସରିଯାଇଛି। ଏହା ଅଶୁଭ ବୋଲି ମା’ କହେ। ଅମନ ବ୍ୟସ୍ତତା ଭିତରେ ନିଘା କରିପାରିନି। ଅମନ ଖଟ ପାଖ ସାଇଡ ଟେବୁଲରେ ଚାର୍ଜରେ ବସିଥିବା ମୋବାଇଲକୁ ପାଖକୁ ଟାଣି ଦେଖିଲା। ସାତଟା ତିରିଶ ମିନିଟ୍‌। ଏତେ ଜଲଦି ସେ ତ କେବେ ଉଠେନି। ଆଜି କେମତି ଏତେ ଜଲଦି ତାର ନିଦ ଭାଙ୍ଗିଗଲା କେଜାଣି।
ବଡ଼ କଷ୍ଟରେ ଅମନ ଖଟ ଉପରେ କାନ୍ଥକୁ ଆଉଜି ବସିଲା। ତାକୁ ବହୁତ ଅଜବ ଲାଗୁଥିଲା। କିନ୍ତୁ ଠିକ୍ କେମିତି ଲାଗୁଥିଲା ସେ ଆଦୌ ବୁଝିପାରୁନଥିଲା। କେମିତି କିଛି ଗୋଟେ ହଜେଇ ଦେବା ଭଳି ଅନୁଭବ। ଯେମିତି ସେ ତା’ର ଅନୁଭବ କରିବାର ଶକ୍ତି ଟିକକ ହିଁ ହରେଇ ଦେଇଛି। ଖୁବ୍ ଗୋଟେ ଖାଲି ଖାଲି ଶୂନ୍‌ଶାନ୍ ଲାଗୁଛି। ସେ କିଛି ବୋଇଲେ କିଛି ଜାଣିପାରୁନି।

ଅମନ ଖଟରୁ ଉଠିବାକୁ ଚେଷ୍ଟାକଲା କିନ୍ତୁ ଉଠିପାରୁ ନ ଥିଲା। ଅମନ ଭଲକି ନିଘାକଲା ଚାଦରତଳେ ତା’ ଗୋଡ଼ ଦି’ଟା ଅଛି ତ। ଅମନ ଗୋଡ଼ ହଲେଇ ଦେଖିଲା ଓ କିଛି ଜାଣିପାରିଲାନି। ରାଗରେ ଚାଦରକୁ ଫିଙ୍ଗିଦେଲା। ଦେଖିଲା ଗୋଡ଼ ଦିି’ଟା ତା’ ଜାଗାରେ ଠିକ୍‌ଅଛି। ସେ ପିନ୍ଧିଥିବା କଳା ହାଫ୍ ନିକର ତଳେ ତାର ଧଳା ସରୁ ଲୋମଶ ଗୋଡ଼ ଦି’ଟା ତ ଅଛି। ହେଲେ ସେ ଉଠିପାରୁନି କାହିଁକି।
ଅମନ ଜୋରରେ ଚିତ୍କାର କଲା। ତା’ର ଚିତ୍କାର ଶୁଣି ସର୍ବପ୍ରଥମେ ଯେ ତା ବେଡରୁମ୍‌କୁ ପଶିଲା ସେ ହେଲା ଅମନର ଭଉଣୀ ଗୀତା। ଗୀତା କହିଲା, କ’ଣ ସକାଳୁ ଏତେ ଜୋର ଚିଲ୍ଲଉଛୁ ଭାଇ। ମୁଁ ତ ଡରିଗଲି। ସକାଳୁ ଉଠି ମୁଁ ଏଗ୍‌ଜାମ ପାଇଁ ପ୍ରିପେୟାର କରୁଥିଲି। ଦେଖୁଛି ଏ ଘରେ ଶାନ୍ତିରେ ଟିକେ ପଢ଼ି ବି ହେବନି। କ’ଣ ହେଲା କୁହ। ଅମନକୁ ଚୁପ୍ ରହିବା ଦେଖି ଗୀତା କହିଲା, ରହ ମୁଁ ମା’କୁ ଡାକି ଦେଉଛି।
ଅମନ ତାକୁ ଭକୁଆ ଭଳିଆ ଦେଖିଲା ଖାଲି। କିଛି କହିପାରୁ ନ ଥିଲା। ଗୀତା ପଳେଇଗଲା। ଅମନକୁ ଖୁବ୍ ଗୋଟେ ଏକା ଲାଗିଲା। ତାକୁ ଲାଗିଲା ସେ ପୁଣିଥରେ ଜୋରରେ ଚିଲ୍ଲେଇବ ଓ ତାର ଅସ୍ତିତ୍ୱ ଜାହିର କରିବ। ମୋବାଇଲକୁ କାଚ ଝରକାକୁ ଫିଙ୍ଗିଦେବ। କିନ୍ତୁ ନା ସେ ସେମିତି କଲାନି। ଗୋଟେ ହଜିଲା ହଜିଲା ଆଖିରେ ଚାରିଆଡ଼େ ଅନେଇଲା ଓ ଗତରାତି ସମ୍ପର୍କରେ ଆଖିବୁଜି ଭାବିବାକୁ ଲାଗିଲା।
ଫ୍ଲାସ୍ ବ୍ୟାକ୍‌
ସବୁଦିନ ଭଳି ଗତକାଲି ଅମନ କଲେଜ ଯାଇଥିଲା। ଅମନ ସାଇନ୍ସରେ ପ୍ଲସ୍ ଟୁ ପାସ୍ କଲାପରେ ରାଜଧାନୀର ଗୋଟେ ପ୍ରାଇଭେଟ୍ କଲେଜରେ ଇଞ୍ଜିନିଅରିଂ କରୁଥିଲା। ହେଲେ ଯୋଉ ସିନ୍‌ସିଅରିଟି ନେଇ ପଢ଼ିବା କଥା ସେ ସେମିତି ପଢୁନାହିଁ। ଏଠିକି ଆସିଲା ପରେ ତା’ ଲାଇଫ୍‌ଷ୍ଟାଇଲ୍ ଚେଞ୍ଜ ହେଇଗଲା। ତାର ପୋଷାକପତ୍ର ହାବଭାବ ସବୁ ବଦଳିଗଲା। ବଦଳିଗଲା ନୁହେଁ କୁହନ୍ତୁ ବଦଳିବା ପାଇଁ ବାଧ୍ୟହେଲା। ହୁଏତ ସିନିଅର ପିଲାଙ୍କ ରାଗିଂ ବି ସେଥିପାଇଁ ଊଣାଅଧିକେ ଦାୟୀ। ସେ କୋଉଗୋଟେ ଦୂର ମଫସଲ ଗାଁରୁ ଆସିଥିଲା। ଆଗରୁ ପଢୁଥିବା କଲେଜ ବିି ଗୋଟେ ମଫସଲୀ କଲେଜ ଥିଲା। ହେଲେ ଭୁବନେଶ୍ୱରରେ ଚଳିବାକୁ ହେଲେ ପୁଣି ସେ ପରିବେଶ ସହ ଖାପ୍ ଖୁଆଇ ଚାଲିବାକୁ ତ ପଡ଼ିବ। ତା’ ପୁଣି ଏକ ଇଞ୍ଜିନିଅରିଂ କଲେଜରେ।
ତା’ ପାଖରେ ଭଲ ପୋଷାକ ନ ଥିଲା। ବୋଉକୁ କହି ଗୁଡ଼େ ପଇସା ଖର୍ଚ୍ଚକରି ନୂଆଁ ଜାମା, ସୁ କଲା। ହେୟାର ଷ୍ଟାଇଲ ଚେଞ୍ଜକଲା। ଦାଢି ଟ୍ରିମିିଙ୍ଗ କଲା ଏବଂ ଅଳ୍ପ କିଛି ଦିନର ଚେଷ୍ଟା ପରେ ତାର ଗାଉଁଲିଆ ଚେହେରା ଓ ଭାବଟି କୁଆଡ଼େ ଗାଏବ ହୋଇଗଲା। ଏବେ କଲେଜରେ ହୀରୋ। ଛାତ୍ରୀମାନେ ବି ତା’ ସଙ୍ଗେ ମିଶିବାକୁ ଲାଗିଲେ। ତା’ ସାଙ୍ଗେ ହୋଟେଲ ଗଲେ, କିଟି ପାର୍ଟିରେ ଗଲେ, ସପିଙ୍ଗ୍‌ମଲ ଗଲେ, ପାର୍କ ଗଲେ, ସିନେମା ହଲ୍ ଗଲେ, ରେଷ୍ଟୁରାଣ୍ଟ ଗଲେ।
ଏଇତ କିଛିଦିନ ତଳେ ବାପାଙ୍କ ପ୍ରୋମୋସନ୍ ହୋଇ ଭୁବନେଶ୍ୱର ବଦଳି ହୋଇଗଲା। ହୋମ ଡିପାର୍ଟମେଣ୍ଟର ଡେପୁଟୀ ସେକ୍ରେଟାରୀ। ଭଲ ଦରମା ସାଙ୍ଗକୁ ଉପୁରି। ସରକାରୀ କ୍ୱାର୍ଟର। ବାଇକ୍‌, କାର୍ ଥାଟବାଟ।
ଅମନର ଷ୍ଟାଟସ ଏବେ ଆଉ ଟିକେ ବଢ଼ିଗଲା। ଖର୍ଚ୍ଚ ବି ବଢ଼ିଗଲା। ଆହୁରି ଆହୁରି ବୁଲିଲା। ଗୋଟେ ବେପରୁଆ ଜୀବନ ବଂଚିଲା। ସାଙ୍ଗମାନଙ୍କ ସଙ୍ଗେ ବାର ବି ଗଲା। ମଦ ପିଇବା କୁଆଡ଼େ ଏକ ଷ୍ଟେଟସ୍ ସିମ୍ବଲ୍। ଆଉ ଯାହାର ଯେତେ ଝିଅ ସାଙ୍ଗ ସେ ସେତେ ସ୍ମାର୍ଟ।
ଝିଅ ପଟେଇବାକୁ ହେଲେ କିନ୍ତୁ ଗୁଡ଼ାଏ ପଇସା ଦରକାର ପକେଟରେ। କୁଆଡୁ ଆସିବ ଏତେ ପକେଟ ମନି। ତେଣୁ ଏବେ ଅନ୍ୟ ସାଙ୍ଗମାନଙ୍କ ଭଳି ସେ ବି ଚୋରା ଗଂଜେଇ ବେପାରିମାନଙ୍କ ପାଇଁ କାମକଲା। ଛାତ୍ରମାନଙ୍କୁ କେହି ସନ୍ଦେହ କରିବେନି। ତେଣୁ ଅମନ ସେଇ ବେପାରରୁ ଭଲ ଦି’ ପଇସା ରୋଜଗାର କଲା। ତା’ର ବେକାର ଖର୍ଚ୍ଚ ବାହାରିଯାଏ। ବାପା ପାଖରେ ହାତ ପତେଇବାକୁ ପଡ଼େନା। ଥରେ ଦି’ ଥର ପୋଲିସରେ ଧରା ବି ପଡ଼ିଛି ହେଲେ ବାପାଙ୍କ ନା ଧରି ପୋଲିସ ହାତରୁ ଖସିଯାଏ।
ଏଇତ କାଲି ସେ ଥିଲା ଇନ୍ଦିରା ଗାନ୍ଧି ପାର୍କରେ। ଏବେ ନୂଆଁ ନୂଆଁ ଆସିଛି ଗୋଟେ ଝିଅ କଲେଜକୁ। ନା ତା’ର ମଧୁସ୍ମିତା। ସ୍ନେହରେ ତାକୁ ମଧୁ କୁହେ ଅମନ। ଉଭୟେ ଖୁବ୍ ମଜା ଲୁଟିଲେ ପାର୍କର ଅନ୍ଧାରୁଆ ବୁଦା ଗହଳରେ। ତା’ ପରେ ଗୋଟେ ରେଷ୍ଟୁରାଣ୍ଟରେ ଖାଇଲେ ଓ ମଧୁକୁ ତା’ ହଷ୍ଟେଲରେ ଛାଡ଼ି ଘରକୁ ଆସିଥିଲା ଅମନ। କିନ୍ତୁ ବାଟରେ କୋଉଠି ଅଟକିଲା ଓ କ’ଣ କଲା ଆଉ କେତେବେଳେ ଘରକୁ ଫେରିଲା ତାର ମନେ ନାଇଁ।
ଫ୍ଲାସବ୍ୟାକ୍ ସରିଲା
ଅମନ ପୁଣିଥରେ ଜୋରରେ ପାଟିକଲା। ଏଥର ଦୌଡ଼ିକି ଆସିଲେ ତା’ ବୋଉ। ଅମନ ଉପରେ ବହେ ପାଟିକଲେ। କିରେ ଏତେ ସକାଳୁ ହମ୍ମା ବଳଦ ଭଳି ପାଟିକରୁଛୁ କିଆଁ।
ଅମନ ଭାବିଲା ସତରେ ସେ କ’ଣ ହମ୍ମା ଡାକିଲା ମା’ ନା ମମି ଡାକିଲା। ତା’ ମମ୍ମି ଡାକ ଆଉ ମାମା ହେଇ ହମ୍ମା ଶୁଭୁନି ତ। ଅମନ ଆଉଥରେ ସେମିତି ଡାକିବାକୁ ଚାହିଁଲା। ହେଲେ ତା’ ପାଟିରୁ କିଛି କଥା ବାହାରିଲା ନାଇଁ।
ଅମନ ଚୁପ୍‌ଚାପ୍ ଭକୁଆ ଭଳିଆ ମମିକୁ ଅନେଇଥିଲା। ସେ କିଛି କହିପାରୁ ନ ଥିଲା। ଏବେ ସେ ବୋଉକୁ ପାଖରେ ପାଇ ଇସାରାରେ କହିଲା ଯେ ସେ ଅସୁସ୍ଥ ଓ ଉଠିବା ଅବସ୍ଥାରେ ନାହିଁ। ତାକୁ ତୁରନ୍ତ ହସ୍ପିଟାଲ ନେବାର ବ୍ୟବସ୍ଥା କରାଯାଉ।
ସଂସାରରେ କୋଉ ମା’ ଏମିତି ଅଛି ଯେ ତା ଗେହ୍ଲା ପୁଅର ହୃଦୟର ଅକୁହା ଭାଷା ବୁଝି ନ ପାରିବ।
ତେଣୁ ଘରୁ ବାପାଙ୍କୁ ଫୋନ୍ କଲା ପରେ ଅମନ ଏବେ ଏକ ନାମୀ ପ୍ରାଇଭେଟ୍ ହସ୍ପିଟାଲରେ।
ଡାକ୍ତର କହିଲେ, ଲାଗୁଛି ଅତ୍ୟଧିକ ଉଦ୍‌ବେଗ ହେତୁ ଅମନ ତାର ବାକ୍‌ଶକ୍ତି ଓ ଚଳତ୍ ଶକ୍ତି ହରେଇ ବସିଛି। ତାର ସ୍ନାୟୁରେ ଟିକେ ସମସ୍ୟା ଥାଇପାରେ ଯୋଉଥିପାଇଁ ସେ ତା’ର ହାତଗୋଡ଼ ବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସଙ୍ଗେ କୋଅର୍ଡିନେଟ କରିପାରୁନି। ଏଇଟା ଆଜିକାଲି ପିଲାଙ୍କ କମନ ଡିଜିଜ। ଆପଣମାନେ ଚିନ୍ତା କରନ୍ତୁ ନାଇଁ। କାଲିଯାଏ ୱେଟ୍ କରନ୍ତୁ। ମୁଁ ସବୁ ଟେଷ୍ଟ ପାଇଁ ପଠେଇ ଦେଇଛି। ରିପୋର୍ଟ ଆସିବାକୁ ଚବିଶ ଘଣ୍ଟା ଲାଗିଯିବ। ଟିଲ୍ ଦେନ୍ ସାଲାଇନ୍ ଚାଲିବ ଆଉ ମୁଁ କିଛି ମେଡ଼ିସିନ୍ ଆଉ ଇଞ୍ଜେକ୍ସନ୍ ଲେଖିଦେଉଛି। ଆଇ ଥିଙ୍କ୍ ଏଟ୍‌ଲିଷ୍ଟ କାଲିଯାଏ ଅମନ ଅନ୍ତତଃ କଥା କହିପାରିବେ ଓ ବୁଝି ପାରିବେ। ଆପଣମାନେ ତାକୁ କିଛି ପଚାରିବେ ନାଇଁ। ଇଉ ନିଡ୍ ଓନଲି ଆନସାର୍ ହିମ୍‌। ଦ୍ୟାଟ୍ ଠୁ ଇନ୍ ଏ ପଜିଟିଭ୍ ୱେ।
ଅମନର ସେବାରେ କିଛି ହେଳା ହୋଇ ନ ଥିଲା। ତା’ ପରଦିନ ଅମନ ସ୍ୱାଭାବିକ ଭାବେ କଥା କହିପାରୁଥିଲେ ବି ତାକୁ ଡାକ୍ତର କଥା ହେବା ପାଇଁ ମନା କରିଥିଲେ। ସନ୍ଧ୍ୟାରେ ରିପୋର୍ଟ ଆସିଲା। ରିପୋର୍ଟ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ।

ରିପୋର୍ଟ ସ୍ପଷ୍ଟ ଥିଲା। ଅମନର ଛାତି ଭିତରେ ହୃଦୟ ନ ଥିଲା।
ଅମନର ବାପା ବୋଉ ଏମିତିକି ଅମନ ନିଜେ ବି ଏ ରିପୋର୍ଟକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନ ଥିଲା। ହେଲେ ଡାକ୍ତର ଯେତେବେଳେ ତାଙ୍କ ଲାପ୍‌ଟପ୍ ଖୋଲି ଏମିତି ଅନେକ ରିପୋର୍ଟ ଦେଖେଇଲେ ତାଙ୍କ କଥାକୁ ଅବିଶ୍ୱାସ କରିବା ଭଳି କିଛି ନ ଥିଲା। ଡାକ୍ତର କହିଲେ ନଥିଂ ଟୁ ଓରି। ଆଉ ଗୋଟେ ହୃଦୟ ଆପଣଙ୍କୁ ଯୋଗାଡ଼ କରିବାକୁ ପଡିବ। ଟିଲ୍ ଦେନ୍ ୟୁ ହାଭ୍ ଟୁ ମେନେଜ୍ ଉଇଦାଉଟ୍ ଦିସ୍‌।
ଅମନ ଏବେ ସତକୁସତ ଅନୁଭବ କରିପାରିଲା ଯେ ତାର ଛାତି ଭିତରେ ହୃଦୟ ନାହିଁ। ସେ ହାତମାରି ଦେଖିଲା ତା ଛାତି ଆଦୌ ଧକ୍ ଧକ୍ ହେଉନି। ଖୁ୍‌ବ୍ ଖାଲି ଖାଲି ଲାଗୁଛି। କୁଆଡ଼େ କିଛି ମନ ଲାଗୁନି। ତା’ ଛାତିରେ ଶ୍ମଶାନବତ୍ ନୀରବତା। ତା’ ଜୀବନ ଏବେ ଏକ ଶୁଷ୍କ ମରୁଭୁଇଁ ଯେମିତି।
ଅମନ ଚିନ୍ତାକଲା। ଏମିତିରେ ତା’ ହୃଦୟଟା ଗଲା କୁଆଡେ? ନିଶ୍ଚୟ ଚୋରି ହୋଇଯାଇଛି।
ଅମନ ଆଉ କାହା କଥା ନ ଶୁଣି ଏକମୁହାଁ ସିଧା ପୋଲିସ ଷ୍ଟେସନ୍ ଧାଇଁଲା ଓ ଏକ ଏଫ୍‌ଆଇଆର୍ ଦର୍ଜ କଲା।
ଥାନାବାବୁ ଆଦୌ ଆଶ୍ଚର୍ଯ୍ୟ ହେଲେନି। କହିଲେ, ଦିସ ଇଜ୍ କମନ୍ ନାଓ ଏ ଡେଏଜ୍‌। ମେନ୍‌ଲି ଉଇଥ୍ ଆୱାର ୟୁଥ୍‌। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆମେ ଦିନକୁ ପ୍ରାୟ ଗୋଟେ ଦି’ଟା ଏମିତି କେସ୍ ପାଉଛୁ। ସେ ଗୋଟେ କାଚ ଆଲମିରା ଆଡ଼କୁ ତାଙ୍କ ରୋଲ ବାଡ଼ିରେ ଇଙ୍ଗିତ କଲେ। କହିଲେ, ଯାଅ ଦେଖ ସେଇଠି କେତେ ଚୋରି ହୃଦୟ ଆମେ ଏ ଯାଏ ଉଦ୍ଧାର କରି ରଖିଛୁ। ଏମିତି କି କାଲି ବି ଗୋଟେ ନୂଆଁ ମାଲ୍ ଆସଛି। ଦେଖ କାଳେ ତମର ହୋଇଥିବ।
ଥାନାବାବୁ ଫୋନ୍‌ରେ ହିଁ ହିଁ ହୋଇ ହସି କାହା ସଙ୍ଗେ କଥା ହେଉ ହେଉ ଥାନା ବାହାରକୁ ଗଲେ। ଅମନ ଗୋଟେ କୌତୂହଳୀ ଆଖି ନେଇ କାଚ ଆଲମିରା ପାଖକୁଗଲା।
ସତକୁସତ ଗୁଡ଼ାଏ ଲାଲ ଲାଲ ପାନପତ୍ର ଆକୃତିର କିଛି ହୃଦୟ ସେଇଠି କାଚ ଜାରମାନଙ୍କରେ ସଜା ହୋଇ ରଖାଯାଇଛି। କିଛି ହୃଦୟ ଧକ୍ ଧକ୍ କରୁଛି। କିଛି ନିଷ୍ପନ୍ଦ ନିଥର। କିଛି ହୃଦୟରେ କଳା କଳା ଦାଗ। କିଛିରେ ପରସ୍ତେ ଧୂଳି ବସି ଯାଇଛି।
ଅମନ ଚିନ୍ତାକଲା। ଏଥିରୁ କୋଉ ହୃଦୟଟା ତା’ର ଯେ ସେ କେମିତି ଜାଣିବ। କୋଉଟା ଝିଅ କୋଉଟା ପୁଅର କୋଉଟା ବୁଢ଼ା ଲୋକର କୋଉଟା ଯୁବକର କେମିତି ଜଣାଯାଏ। ୟାର କ’ଣ କିଛି ବିଦ୍ୟା ଅଛି? ଶରୀରରୁ ହୃଦୟ ବାହାରି ଯିବାପରେ କୋଉଟା କାହାର କେମିତି ଜଣାପଡ଼େ। ହୃଦୟର ଆକୃତିରୁ କ’ଣ ହୃଦୟ ସମ୍ପର୍କରେ କିଛି ଜଣାପଡ଼େ?
ଅମନ ଏମିତି ଅନସନ୍ଧିତ୍ସୁ ହୋଇ ଅନେଇ ଥିବାବେଳେ ଥାନାବାବୁ ଫେରି ଆସିଲେ। ଅମନକୁ ପଛଆଡୁ କାନ୍ଧରେ ହାତ ଦେଇ ପଚାରିଲେ କିଛି ଜାଣି ପାରିଲ ୟଙ୍ଗ ମେନ୍‌? କୋଉଟା ପସନ୍ଦ ହେଉଛି ଯଦି କୁହ। ଆମର ଏଇଠି ମାଲ ପଡ଼ି ଖରାପ ହେବା ଅପେକ୍ଷା ଖଲାସ ହୋଇଗଲେ ଭଲ। ମାଲଖାନା ତ ଏମିତି ଆଜେବାଜେ ଜିନିଷରେ ଭରି ଗଲାଣି। ମାଲଖାନାର ସାଇଜ୍ ବଢ଼େଇବା ପାଇଁ ଆମ ତହବିଲରେ ମାଲ ନାଇଁ। ଉପର ଅଫିସର କହୁଛି ମାଲସବୁ କେମିତି ବି ଖଲାସ କର।
ଅମନ ପଚାରିଲା ସାର୍ ଚୋରକୁ ଧରି ହେବନି? ତାକୁ ଆଉ କିଛି ମିଳିଲାନି ଶଳା ମୋ’ ହୃଦୟକୁ ଧରି ଫେରାର। ଏମିତି ଏ ଚୋରିର ମୋଟିଭ୍ କ’ଣ ସାର। ମୁଁ କ’ଣ ପାଇଁ ଅନ୍ୟ ହୃଦୟ ନେଇ ସାରାଜୀବନ ଏଡଜଷ୍ଟ କରି ବଂଚିବି। ତା’ ଛଡ଼ା ଏ ଯୋଉ ହୃଦୟଗୁଡ଼ା ରଖିଛନ୍ତି ଏଇଟା କାହାର କେମିତି ଜାଣିବା। କୋଉ ଚୋର ଡକାୟତ କି ମର୍ଡରର୍‌ର ଯଦି ହୋଇଥାଏ।
ଥାନାବାବୁ ହୋ ହୋ ହୋଇ ହସିଲେ। କହିଲେ ଆଜିକାଲି କାହାର ହୃଦୟ ଚୋରି ହେଉନି? ଏଇଟା ଗୋଟେ କମନ୍ ଟ୍ରେଣ୍ଡ। ପକେଟରୁ ମୋବାଇଲ ଚୋରି ହେଲା ଭଳି ଛାତିରୁ ହୃଦୟ ଚୋରି ହେଇଯାଉଛି। ଏ ସହରରେ କିଏ ଭଲା ଅରିଜିନାଲ ହୃଦୟଟେ ଧରି ବୁଲୁଛି କହିଲେ।
ଆପଣ ଭାବୁଛନ୍ତି ମୋ’ ଛାତିରେ ମୋ’ ନିଜ ହୃଦୟ ଅଛି। ହେଇ ଦେଖନ୍ତୁ। ଏଇଟା ସେ ବଦମାସ ଡକାୟତର ହୃଦୟ ଯାହାକୁ ଧରି ପାରିଲିନି ବୋଲି ମୁଁ ସସ୍‌ପେଣ୍ଡ ହୋଇଥିଲି। ଅନ୍ୟ ଏକ ଇଲାକାରେ ତା’ର ଏନ୍‌କାଉଣ୍ଟର ହେବାପରେ ମୁଁ ଏବେ ତା’ ହୃଦୟକୁ ମୋ’ ଛାତିରେ ଧରି ବୁଲୁଛି। ତେଣୁ ସିନା ମୁଁ ଏତେ ନିର୍ଦ୍ଦୟ। ଆଉ ନିର୍ଦ୍ଦୟ ନ ହେଲେ କେହି ପୋଲିସରେ ରହି ପାରିବକି। ମୋର ସେ ପୁରୁଣା ଦୟାଳୁ ହୃଦୟ ପାଇଁ ମୁଁ ହେଲେ କ’ଣ କମ ଦଶା ଭୋଗିଛିକି। ଥାନା ବାବୁ ଦି’ ହାତରେ ହନୁମାନ ଛାତି ଚିରି ରାମଙ୍କୁ ଦେଖେଇବା ଭଳି ମୁଦ୍ରାରେ ତାଙ୍କ ହୃଦୟକୁ ଚିରି ଧରିଲେ ଏବଂ କହିଲେ ଆପଣ ବି ଏମିତି ମୋ’ ଭଳି ହୃଦୟଟେ ଲଗେଇ ଦିଅନ୍ତୁ।
ଅମନକୁ ଲାଗିଲା ଯେମିତି ସେ ଅର୍ଜୁନଙ୍କ ଭଳି ବିଶ୍ୱରୂପ ଦର୍ଶନ କରୁଛି। ଛାତି ଭିତରୁ ଥାନାବାବୁଙ୍କ ହୃଦୟ ଅତି ଭୟଙ୍କର ଦିଶୁଛି। ତା’ ଭିତରେ ଏ ଶତାବ୍ଦୀରେ ଘଟି ଯାଇଥିବା ସବୁ ଘୋଟାଲା, ଲାଞ୍ଚ, ଦୁର୍ନୀତି, କେଳେଙ୍କାରୀ, ଗଣଦୁଷ୍କର୍ମ, ମର୍ଡର, ଚୋରି, ଡକାୟତି ଆହୁରି ଆହୁରି ଭୟଙ୍କର ଦୃଶ୍ୟସବୁ ଦେଖାଯାଉଛି। ଥାନାବାବୁ ଗୋଟେ ଦୁଷ୍ଟ ଅସୁର ଭଳି ହା ହା ହେଇ ହସୁଛନ୍ତି। ଅମନକୁ ଲାଗିଲା ସେ ଚେତା ଶୂନ୍ୟ ହୋଇଯିବ। ତାର ଏଲିଅଟ୍‌ଙ୍କ କବିତା ମନେପଡ଼ିଲା। ହ୍ୟୁମେନ୍‌କାଇଣ୍ଡ କେନ୍ ନଟ୍ ବିଅର ଠୁ ମଚ୍ ଅଫ୍ ରିଆଲିଟି। ଅମନ ଚିନ୍ତାକଲା ସେ ବିନା ହୃଦୟରେ ବଂଚିବ ପଛେ ଏମିତି ବାଜେ ହୃଦୟଟେ କଦାପି ଲଗେଇବନି।
ଅମନ ଅଣନିଃଶ୍ୱାସୀ ହୋଇ ଥାନାରୁ ଦୌଡ଼ି ଦୌଡ଼ି ପଳେଇ ଆସୁଛି। ତାକୁ ଲାଗୁଛି ଯେମିତି କେହି ଜଣେ ତାକୁ ପିଛା କରୁଛି।
ବିଛଣାରେ ଅମନ ଶୋଇ ଶୋଇ ଚିନ୍ତା କରୁଛି। ଗତକାଲି ପାର୍କରୁ ଫେରିବା ପରେ ରାସ୍ତାରେ ସେ କ’ଣ ମଦ, ଗଞ୍ଜେଇ, ଅଫିମ, ଚରସ ହିରୋଇନ୍ ନା ହାସିସ୍ ଭଳି କିଛି ନେଇଥିଲା କି? ଭାବି ଭାବି ତା’ ମୁଣ୍ଡ ଗୋଳମାଳ ହୋଇଯାଉଛି।
ଏହା ସ୍ୱପ୍ନ ନା ସତ୍ୟ ଅମନ ଏବେବି ଦ୍ୱନ୍ଦ୍ୱରେ ଅଛି ଓ ବାରମ୍ବାର ତା’ ଛାତିକୁ ଅଣ୍ଡାଳୁଛି। ତା’ ଛାତିର ଧକ୍‌ଧକ୍ ଶୁଣିବାକୁ ଚେଷ୍ଟା କରୁଛି। ତା’ ଆଖିପତା ଲାଗି ଆସୁଛି। ଏବେ ଖାଲି ତାକୁ ଥାନାବାବୁଙ୍କ ବିଶ୍ୱରୂପ ଦିଶୁଛି।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )

20 thoughts on “ବିଶ୍ୱରୂପ

  1. ହୃଦୟ ବିହୀନ ମଣିଷ, ହୃଦୟ ବିହୀନ ସମାଜ, ପ୍ରକୃତରେ ଏକ ବିଡ଼ମ୍ବିତ ସମୟ ଦେଇ ଆମେ ସଭିଏଁ ଗତିକରୁଛେ। ସତର୍କ ନହେଲେ କେତେବେଳେ କିଛି ବି ହୋଇପାରେ। ସୁନ୍ଦର ଗପରେ, ହୃଦୟକୁ ଛୁଇଁଛି ବୋଲି ତ କହିହେବନି, (ଯେହେତୁ ଗପରେ ଚରିତ୍ରର ହୃଦୟ ନାହିଁ), ମନକୁ କିନ୍ତୁ ବେଶ୍ ଛୁଇଁଛି।

    ନମସ୍କାର ରୋହିତ ଦାଶ ସାର୍।🙏🌹

    1. ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ. ଏ ଗପ କୁ ୟା ଭିତରେ ତମେ ଯେ ଅନୁବାଦ କରି ସାରିଛ ଇଂରାଜୀ ରେ ତାହା ମୋ ପାଇଁ ଅତି ଖୁସୀ ର ବିଷୟ

      1. ଆଜି ସକାଳୁ ସକାଳୁ ” ବିଶ୍ୱରୂପ ” ଦର୍ଶନ କରି ଅଭିଭୂତ ହୋଇଗଲି l ସତରେ ” ବିଶ୍ୱରୂପ “ଏକ ନିଆରା ଶୈଳୀର ଗପ l ଯାହା ପାଠକଲାବେଳେ ପାଠକଟିଏ ପ୍ରଥମେ ଝୁଣ୍ଟିବାଟା ସାର, କାରଣ ଏହାର ଉପସ୍ଥାପନା ଭଙ୍ଗୀ ଅନ୍ୟ ଗପଠାରୁ ଟିକିଏ ଭିନ୍ନ l ନାୟକ ଅମନର ମାଧ୍ୟମରେ ସାମ୍ପ୍ରତିକ ମଣିଷର ଅସହାୟତା ଓ ନିଃସଙ୍ଗତାବୋଧର ଏକ ମାର୍ମିକ ଚିତ୍ର ଆଙ୍କିଛନ୍ତି ଗାଳ୍ପିକ l ଗଳ୍ପ ନାୟକର ଛାତିତଳୁ ହୃଦୟ ଚୋରୀ ହୋଇଯିବା ଏବଂ ପୋଲିସ ଷ୍ଟେସନରେ ସେ ଯାଇ ଏଫ. ଆଇ. ଆର. ଦେବାଭଳି ଏକ ଅବାନ୍ତର କଥା ପାଠକର ଉତ୍କଣ୍ଠାକୁ ଦ୍ବିଗୁଣିତ କରିଛି l ଗଳ୍ପଟିରେ ଉଦ୍ଭଟ ଚେତନାର ସୁନ୍ଦର ପରିସ୍ଫୁଟନ ଗଳ୍ପଟିକୁ ମନୋଜ୍ଞ କରି ତୋଳିଛି l ଗପଟି ପାଠକ ମହଲରେ ବହୁଳ ଭାବରେ ଆଦୃତ ହେବ ଏହା ନିଃସନ୍ଦେହ l
        ସାରସ୍ୱତ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ସହ 🙏

        ଜ୍ୟୋତି ରଞ୍ଜନ ମିଶ୍ର

        1. ସୁନ୍ଦର ବିଶ୍ଳେଷଣ ଓ ପ୍ରେରଣାପ୍ରଦ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ୟୋତି ବାବୁ.

  2. ଆଃ… ଚମତ୍କାର ଗପଟିଏ ଦାଦା ! ସାଂପ୍ରତିକ ସମାଜର ନଗ୍ନ ବାସ୍ତବତାକୁ ଅତି ଚମତ୍କାର ଭାବେ ଫେଣ୍ଟାସାଇଜ୍ କରାଯାଇଛି ! ଅନେକ ଦିନ ପରେ ପଇଁଚାଳିଶ ବର୍ଷ ତଳର ରୋହିତ ଦାଶଙ୍କୁ ପୁଣିଥରେ ପାଇଲି ! ପ୍ରଣାମ୍ ଦାଦା !!

    1. ଅଶେଷ ଧନ୍ୟବାଦ ଭାଇ ଅଶୋକ ଏ ସୁନ୍ଦର ଓ ପ୍ରେରଣାପ୍ରଦ ମନ୍ତବ୍ୟ ପାଇଁ.ଜାଣେନା କୋଉଠି ଏତେଦିନ ଯାଏ ନିଜକୁ ହଜେଇ ଦେଇଥିଲି. ଏବେ ଏବେ ନିଜକୁ ଖୋଜିବାର ଚେଷ୍ଟା ଟିଏ କରୁଛି

  3. ଏହି ଗଳ୍ପଟି ସାଂପ୍ରତିକ ସମାଜର ଏକ କଠୋର ବାସ୍ତବତାକୁ ଅତି ନିଖୁଣ ଭାବରେ ଚିତ୍ରଣ କରିଛି। ଅତି ଚମତ୍କାର ଓ ମନଛୁଆଁ ଗଳ୍ପ। ମଣିଷ ପଣିଆ ଓ ହୃଦୟବତ୍ତା ହଜିଯାଉଥିବା ଆଜିର ସମାଜର ନଗ୍ନ ଚିତ୍ରକୁ ଲେଖକ ଏହି କାହାଣୀ ମାଧ୍ୟମରେ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି। ଅମନର ଏହି ‘ବିଶ୍ୱରୂପ’ ଦର୍ଶନ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଚେତାବନୀ

    1. ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ବିନୟ

    1. ଧନ୍ୟବାଦ ଦାଦା ଏ ସୁନ୍ଦର ମତାମତ ପାଇଁ.

  4. ଗୋଟିଏ ନିଃଶ୍ବାସରେ ପଢିଦେଲି ଆପଣଙ୍କ ଗପ। ଗଳ୍ପ ନିର୍ମାଣର ନୂଆ କଳା ଭିତରେ ଭାବବସ୍ତୁର ରହସ୍ଯ ଖୁବ୍ ଆଚ୍ଛନ୍ନ କଲା। ପ୍ରେମରେ ହୃଦୟ ଚୋରୀ ହୋଇ ଥାଏ। କିନ୍ତୁ ଗପରେ ହୃଦୟ ଚୋରୀ ଏକ ରହସ୍ଯାବୃତ ଘଟଣା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ବିନା ହୃଦୟରେ ବଂଚିବା ଓ ବିଭିନ୍ନ ଘଟଣା ସହ ସଂପୃକ୍ତ ହେବା । ଗପର ଶୈଳୀ ଓ ଶେଷଯାଏଁ ସସପେନ୍ସ ପାଠକଙ୍କୁ ନିଶ୍ଚୟ ଭଲ ଲାଗିବ ଏକା ନିଃଶ୍ବାସରେ ଗପକୁ ପଢି ସାରିବାକୁ। ଏହାକୁ ଏକ ପରୀକ୍ଷାଧର୍ମୀ ଚିତ୍ତାକର୍ଷକ କାହାଣୀ କହିଲେ ଯଥାର୍ଥ ହେବ ମୋ ମତରେ। ବହୁତ ବହୁତ ହାର୍ଦ୍ଦିକ ଅଭିନନ୍ଦନ ଓ ସୁମନାସ ଆପଣଙ୍କୁ।🙏🏾🌹🌺👍. ସୌଭାଗ୍ଯବନ୍ତ ମହାରଣା।

    1. ସୁନ୍ଦର ଓ ପ୍ରେରଣାଦାୟୀ ମତାମତ ପାଇଁ ଅଶେଷ ଧନ୍ୟବାଦ ସାର. ଆପଣ ଗପଟିକୁ ସୁନ୍ଦର ଭାବେ ଅନୁଶୀଳନ କରିଛନ୍ତି.

  5. ଉଚ୍ଚକୋଟୀର ଗପ।kafka ଙ୍କ metamorphosis ମନେ ପଡିଗଲା। ଆମ ସମୟ ର ହୃଦୟହୀନତା କୁ ପ୍ରତିଫଳନ କରା ଯାଇଛି।
    ଶୁଭେଚ୍ଛା।

    1. ଧନ୍ୟବାଦ ଦାଦା ଏ ସୁନ୍ଦର ମତାମତ ପାଇଁ.

  6. ମଣିଷ ର ସବୁ କିଛି ଅଛି ଏବେ ହୃଦୟ ଟେ ନାହିଁ ତାହା ହିଁ ପ୍ରତୀକ କରି ଗପ ତୁମର
    କିନ୍ତୁ ରୋହିତ ଏଇ ନାରୀ ପାଖରେ ତାହା ଅଛି ରହିଥିବ ଯେହେତୁ ତାର ଅନ୍ୟ କିଛି ନାହିଁ. ଶୁଭେଚ୍ଛା ଅଶେଷ
    ଗାୟତ୍ରୀ ସରାଫ

  7. Dearest brother,got chance to read the beautiful story Biswaroop Darshan which reflects the present day trend of youth engulfed in drugs and all sorts of unsocial activites.Aman represents such a pathetic character.But happy to note that in the end he wants to live a life of hi own by discarding the trend of living with using someone else’s heart.
    (I am sorry I donot know Odia typing)
    Bhabendra Pradhan, Mumbai

Leave a Reply

Your email address will not be published. Required fields are marked *