
ଯୁଗ ପରେ ଯୁଗ ଆମର ସାହିତ୍ୟ ଭୂର୍ଜପତ୍ର ଓ ତାଳପତ୍ରଠାରୁ ନେଇ ମୁଦ୍ରିତ କାଗଜ ପର୍ଯ୍ୟନ୍ତ ଭଳିକି ଭଳି ଆଧାରକୁ ଆଶ୍ରୟ କରି ନିଜର ଜୟଯାତ୍ରା ଅବ୍ୟାହତ ରଖିଛି। ଏହି ଦୀର୍ଘ ଯାତ୍ରାପଥରେ ସାହିତ୍ୟ ଆଜି ଯେତେବେଳେ ଡିଜିଟାଲ୍ ଅବତାରକୁ ଆଦରିନେବା ପାଇଁ ଏକ ନୂଆ ଆହ୍ୱାନର ସମ୍ମୁଖୀନ ହୋଇଛି, ସେତେବେଳେ ଲେଖକ, ପାଠକ ଓ ପ୍ରକାଶକଙ୍କ ଭଳି ସାହିତ୍ୟ ସହିତ ଜଡ଼ିତ ସମସ୍ତ ବ୍ୟକ୍ତି ଓ ସଂସ୍ଥାବିଶେଷ ଏକ ଅପୂର୍ବ ଦ୍ୱନ୍ଦ୍ୱ ଭିତର ଦେଇ ଗତି କରୁଛନ୍ତି। କାରଣ ଡିଜିଟାଲ୍ ଦୁନିଆର ଜାଲରେ ଛନ୍ଦିହେବା ଛଡ଼ା ସାହିତ୍ୟର ଆଉ ଗତ୍ୟନ୍ତର ନାହିଁ।
ଏହି ଡିଜିଟାଲ୍ ବିପ୍ଳବ ଏବର ସମୟରେ ଉଭା ହୋଇଛି ଇ-ବୁକ୍, ଅନଲାଇନ୍ ପ୍ଲାଟଫର୍ମ, ପି.ଡି.ଏଫ୍ ଆଉ ୱେବସାଇଟ୍ ଭଳି ବହୁବିଧ ରୂପରେ। ଏହି ସମସ୍ତ ବିକଳ୍ପ ମଧ୍ୟଦେଇ ସାହିତ୍ୟ ନିଜକୁ ପ୍ରକାଶ କରିବା ପାଇଁ ବାଟ ଖୋଜୁଛି। ତେବେ ମୁଖ୍ୟ ପ୍ରଶ୍ନ ହେଲା, ଏହି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଆଜିର ଓଡ଼ିଆ ଭାଷାର ସାହିତ୍ୟ କେତେଦୂର ପ୍ରସ୍ତୁତ?
ବିଶ୍ୱସାରା ଡିଜିଟାଲ୍ ପ୍ରଣାଳୀରେ ବହି ପଢ଼ିବାର ପ୍ରବୃତ୍ତି ଯଦିଓ ଏବେ ସୁଦ୍ଧା ମୁଦ୍ରିତ ବହି ପଢ଼ିବାର ଆଦରକୁ ଟପିପାରିନାହିଁ ସେହିଦିନ ବେଶି ଦୂର ନୁହେଁ। ଯୁକ୍ତରାଷ୍ଟ୍ର ଆମେରିକାରେ ପାଠକମାନଙ୍କ ମଧ୍ୟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା ଏକ ରୋଚକ ତଥ୍ୟ ଅନୁଯାୟୀ ସେଠାକାର ୯% ଜଣ ପାଠକ ଏବେ କେବଳ ଡିଜିଟାଲ ପୁସ୍ତକ ହିଁ ପଢ଼ନ୍ତି, ଅର୍ଥାତ୍ ସେମାନେ ମୁଦ୍ରିତ ପୁସ୍ତକ ଜମାରୁ ପଢ଼ନ୍ତି ନାହିଁ। ଆଉ ମଧ୍ୟ କୁହାଯାଇଛି ଯେ ଆଉ ଚାରିବର୍ଷ ପରେ ମୁଦ୍ରିତ ପୁସ୍ତକ ୧୯୦ କୋଟି ପାଠକଙ୍କ ପାଖରେ ପହଞ୍ଚିବାର ସମ୍ଭାବନା ଥିବାବେଳେ ଡିଜିଟାଲ ପୁସ୍ତକ ପହଞ୍ଚିବ ୧୨୦ କୋଟି ଜଣଙ୍କ ନିକଟରେ। ଏଥିରୁ ଜଣାଯାଏ ଯେ ଅଦୂର ଭବିଷ୍ୟତରେ ମୁଦ୍ରିତ ପୁସ୍ତକ ଓ ଡିଜିଟାଲ ପୁସ୍ତକର ପାଠକସଂଖ୍ୟାରେ ଥିବା ବ୍ୟବଧାନ ବହୁତ କମିଯିବ।
କଥା ହେଲା, ଏହି ପ୍ରେକ୍ଷାପଟରେ ଓଡ଼ିଆ ପାଠକମାନଙ୍କର ସ୍ଥିତି କ’ଣ? ‘ସୃଜନିକା’ ତଥା ‘ଓଡ଼ିଆ ବିଭବ’ ୱେବ୍ପୋର୍ଟାଲ ପି.ଡି.ଏଫ୍ ଭଳି ଏକ ସ୍ଥୂଳ ଫର୍ମାଟ୍ ଜରିଆରେ ପ୍ରାୟ ୧୭,୦୦୦ ଓଡ଼ିଆ ବହି ଅପ୍ଲୋଡ କରି ଏ ଦିଗରେ ଏକ ବିଶେଷ ଭୂମିକା ନେଇଛି, ଯେତେବେଳେ କି ସରକାରୀ ସ୍ତରରେ ୨୦୧୭ରୁ କାର୍ଯ୍ୟାରମ୍ଭ କରିଥିବା ‘ଓଡ଼ିଶା ଭର୍ଚୁଆଲ୍ ଏକାଡେମୀ’ ମାତ୍ର ପ୍ରାୟ ୨,୦୦୦ଟି ବହି ଅପ୍ଲୋଡ୍ କରିପାରିଛି। ବିଭିନ୍ନ ଘରୋଇ ପ୍ରକାଶନ ସଂସ୍ଥା ମଧ୍ୟ ନିଜ ନିଜ ଉଦ୍ୟମରେ କିଛି ବହି ଓ ପତ୍ରପତ୍ରିକାର ଡିଜିଟାଲ ସଂସ୍କରଣ ପାଠକମାନଙ୍କୁ ଉପଲବ୍ଧ କରାଇପାରିଛନ୍ତି। କିନ୍ତୁ ଏଗୁଡ଼ିକ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଏବେ ‘ଓଡ଼ିଆ ବିଭବ’ର ୱେବପୋର୍ଟାଲ୍ରେ ଥିବା ଓଡ଼ିଆ ବହିଗୁଡ଼ିକୁ ପଢ଼ିବା ପାଇଁ ସେଠାକୁ ଦୈନିକ ପ୍ରାୟ ୧୦୦୦ ଜଣ ପାଠକ ଆସୁଥିବାର ଜଣାପଡ଼େ। ତେବେ ଉଦ୍ବେଗର ବିଷୟ ହେଲା, ଏହି ସଂଖ୍ୟା ଗତ ପାଞ୍ଚବର୍ଷ ଧରି ପ୍ରାୟ ସ୍ଥିର ରହିଛି; ଅର୍ଥାତ୍ ଏଥିରେ ବିଶେଷ କିଛି ବୃଦ୍ଧି ହୋଇନାହିଁ।
ଏଣେ ମୁଦ୍ରିତ ଓଡ଼ିଆ ପୁସ୍ତକର ବିକ୍ରୟ ସଂଖ୍ୟା ଦିନକୁ ଦିନ ଯେ କମିଚାଲିଛି, ଏହା ବହୁବିଦିତ। କିନ୍ତୁ ଏହାର ଭରଣା କରିବା ପାଇଁ ଡିଜିଟାଲ୍ ରୂପରେ ପ୍ରକାଶିତ ହେଉଥିବା ଓଡ଼ିଆ ବହିଗୁଡ଼ିକର ପାଠକସଂଖ୍ୟାରେ ଯେଭଳି ବୃଦ୍ଧି ଘଟିବା କଥା ତାହା ଘଟୁନାହିଁ। ଏହା ଚିନ୍ତାର ବିଷୟ। ଓଡ଼ିଆ ପାଠକମାନେ ଡିଜିଟାଲ ପୁସ୍ତକ ପଢ଼ିବା ପାଇଁ ଏବେ ମଧ୍ୟ ବୀତସ୍ପୃହ କାହିଁକି? ଆମେ ସମସ୍ତେ ଏହାର କାରଣ ଖୋଜିବାର ସମୟ ଆସିଛି।
ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )