ଏବେ ଖୋଜା ଚାଲିଛି ଓଡ଼ିଆ ସାହିତ୍ୟ କେଉଁଠି!

ଇଂରାଜୀ ନବବର୍ଷାରମ୍ଭର କେତେ ପାଦ ପଛରେ ଏବେ ଆମେ ରହିଛେ। ଏଇ ବର୍ଷ ଏମିତି ଆସିଥିଲା ଆମର ଆଶା ଓ ବିଶ୍ୱାସକୁ ନେଇ। ସିଏ ଆମକୁ କିଛି ଦେଲା କି ଆମେ ଇତିହାସର ପୃଷ୍ଠାରେ କିଛି ଲେଖିପାରିଲେ, ତାହା ଆତ୍ମସମୀକ୍ଷାର କଥା। ହେଲେ ସେଇ ସବୁ ବିଫଳତାକୁ ଏବେ ସଫଳତା କରିବାର ବେଳ। ନବବର୍ଷର ପ୍ରତ୍ୟେକ ଦିନ ଏକୁଶ୍କଣ୍ଟି ପୁଣ୍ୟାହ ହେଉ ପାଠକକୁଳ, ଲେଖକକୁଳ, ପ୍ରକାଶକକୁଳ ଓ ସର୍ବୋପରି ଆଦର୍ଶ ସମୀକ୍ଷକକୁଳ!
ଇଂରାଜୀ ନୂତନବର୍ଷ ଦ୍ୱାରଦେଶରେ ଠିଆ ହୋଇଥିବା ବେଳେ, ଗତବର୍ଷର ସମସ୍ତ ଘଟଣା ଆଖିଆଗରେ ନାଚି ଯାଉଛି। ଯେପରି ସମାଜ, ସମୟ ଓ ମନୁଷ୍ୟ ଏକ ଅଦୃଶ୍ୟ ଚକାଭଉଁରୀରେ ଘୂରି ବୁଲୁଥାଏ, ସେପରି ଆମର ଓଡ଼ିଆ ସାହିତ୍ୟ ମଧ୍ୟ ଏହି ସମୟଚକ୍ରର ଦ୍ୱନ୍ଦ୍ୱ, ଭ୍ରମ ଓ ସଂଶୟରେ ଦୋଳାୟମାନ ହେଉଛି।
ମନରେ ସ୍ୱତଃ ପ୍ରଶ୍ନ ଉଙ୍କିମାରୁଛି ଯେ,ଏଇ ଦଶନ୍ଧିରେ, ଆମେ କ’ଣ ସତରେ କୌଣସି ଆଦର୍ଶ ସୁଦୃଶ୍ୟ, ସୁସଂହତ ସାହିତ୍ୟ ସୃଷ୍ଟି କରିପାରିଲୁ କି?
ଅନୁଧ୍ୟାନର ବିଷୟ ଯେ, ସାମ୍ପ୍ରତିକ ସାହିତ୍ୟ ସଂସାରରେ ବହୁତ ବିଚିତ୍ର କଥା ଦେଖିବାକୁ ମିଳୁଛି। ଯେପରିକି ଆମର ଅନେକ ଲେଖକ ରହୁଛନ୍ତି ଓଡ଼ିଶାରେ, ହେଲେ ପୁସ୍ତକ ବିଦେଶରେ ଛପାଇବାରେ ବାଇ ଓ ଗୌରବାନ୍ୱିତ! ତେଣେ ବିଦେଶରେ ବସବାସ କରୁଥିବା ଆଉ ପଦେଅଧେ ଗାରେଇ ଦେଇଥିବା ଓଡ଼ିଆଙ୍କୁ ଓଡ଼ିଶାରେ ଦେଖିଲେ ଟିଭି, ସମ୍ବାଦପତ୍ର, ସାହିତ୍ୟ ଅନୁଷ୍ଠାନ ସମଗ୍ର ବାଉଳିଚାଉଳି ହୋଇ ସେମାନଙ୍କୁ ସାହିତ୍ୟର ମହାରଥୀ ଓ ଓଡ଼ିଆ ସାହିତ୍ୟର ଭବିଷ୍ୟତ ବୋଲି ଭବିଷ୍ୟବାଣୀ କରି ଚାଲିଛନ୍ତି।
ଆହୁରି ଦେଖିବାକୁ ମିଳୁଛି ଯେ ଆମ ରାଜ୍ୟ ବାହାରେ ଅନଧିଗତ ଲେଖକଙ୍କୁ ବିଶ୍ୱବିଖ୍ୟାତ ବୋଲି ମଞ୍ଚ ତଥା ସଞ୍ଚାର ମାଧ୍ୟମରେ ପରିଚୟ ଦିଆଯାଉଛି। ଆପଣା ଜାତିଭାଇ ଜାଣିନଥିବା ଲେଖକଙ୍କ ଉପରେ ଏବେ ଅନ୍ତର୍ଜାତୀୟ ମୋହର। ନ ଦେଖିଲା ଓଉ ଛ‘ଫଡ଼ା ପରି ନ ଜାଣିବା ଲୋକଙ୍କୁ ଏବେ ସାହିତ୍ୟ ମଞ୍ଚରେ ଶ୍ରଦ୍ଧା ଓ ସମ୍ମାନର ଅଭାବ କିଛି ନାହିଁ। ଆଦର୍ଶ ସାହିତ୍ୟ ଲେଖିବା ଲୋକ ଅନାଥ ଭଳି ରହିଥିବା ବେଳେ, ବେଳେବେଳେ ଭାବ, ବୋଧ ଓ ଅର୍ଥଶୂନ୍ୟ ଲେଖା ଲେଖୁଥିବା ଅଧ୍ୟାପକ, ପ୍ରଶାସନିକ ଅଧିକାରୀ, ପ୍ରକାଶକ ଓ ସମ୍ବାଦପତ୍ରର ହର୍ତ୍ତାକର୍ତ୍ତାଙ୍କୁ ହିଁ ସାହିତ୍ୟିକ ବୋଲି ବୁଝାଯାଉଛି।
ଏବେ ଖୋଜା ଚାଲିଛି ଓଡ଼ିଆ ସାହିତ୍ୟ କେଉଁଠି! ଓଡ଼ିଆ ପାଠକ କାହିଁ! ଆମର ନିରପେକ୍ଷ ସମାଲୋଚକ କେଉଁଠି!
ଏଣେ, ଏହି ପ୍ରଶ୍ନସମୂହ ଅନ୍ତରକୁ ଦୁହିଁ ଦେଉଥିବା ବେଳେ ତେଣେ ଆଶାର ଅଙ୍କୁର ମଧ୍ୟ ରହିଛି। ଏହି ଦଶକରେ ଆମର ସାହିତ୍ୟକୃତି ଆଖିଦୃଶିଆ ହୋଇପାରିନାହିଁ। ହେଲେ, ଆମ ସାହିତ୍ୟିକଙ୍କ ମଞ୍ଚ ଆବୁଡ଼ା, ସମ୍ମାନକ୍ରୟ ଓ ଆତ୍ମପ୍ରଚାରରେ କିଛି ହ୍ରାସ ହୋଇନାହିଁ। ଏହା ସଫଳତା ନୁହେଁ ବରଂଚ ଏକ ସତର୍କ ସଙ୍କେତ ଓଡ଼ିଆ ସାହିତ୍ୟ ସଂସାର ପାଇଁ।
ଏଣୁ କହିବି ସାହିତ୍ୟିକଙ୍କୁ; ଚାଲନ୍ତୁ ପ୍ରଥମେ ପାଠକ, ତା’ପରେ ସମୀକ୍ଷକ ଏବଂ ପରିଶେଷରେ ସାମର୍ଥ୍ୟବୋଧରେ ଲେଖକ ହେବା।
ଓଡ଼ିଆ ସାହିତ୍ୟକୁ ନୂତନ ଦିଗ ଦେବାକୁ ଯଦି ଆମେ ସତରେ ଚାହୁ, ତେବେ ଆମେ ଆମର ମୁହଁରୁ ଭ୍ରମର ପରଦାକୁ ହଟାଇ ସତ୍ୟକୁ ଦେଖିବା ପାଇଁ, ବୁଝିବା ପାଇଁ ଓ ଲେଖିବା ପାଇଁ ଅଗ୍ରସର ହେବା।
-ପ୍ରଭୂ
* ଏକୁଶ୍କଣ୍ଟି: ନିରବଚ୍ଛିନ୍ନ ଭାବରେ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ବର୍ତ୍ତମାନ ସମସ୍ତେ ଆତ୍ମଘୋଷିତ ସାହିତ୍ୟିକ
ତେଣୁ ସାହିତ୍ୟ ଲୁଚି ଯାଇଛି
ମୋର ମନେ ହୁଏ ବର୍ତ୍ତମାନ ସାହିତ୍ୟ ବନ୍ଦୀ ହୋଇ ଅକାଳରେ ପଡ଼ି ଯାଇଛି