ଭଗବାନଙ୍କୁ ପ୍ରାର୍ଥନାକଲି ଯେ, ଅନ୍ତତଃ ଏ ଖବର ମୋ’ ସ୍ତ୍ରୀ ପାଖରେ ନ ପହଞ୍ଚୁ।


ମୋ’ ପାଖରେ ପ୍ରାୟ ସବୁକଳା ମହଜୁଦ୍ ଥିଲା। ଗାଇବା, ବାଇବା, ନାଚିବା, ଯୋଗାସନ କରିବା, ଲେଖାଲେଖି କରିବା, ଭାଷଣ ଦେବା, ସଂଗଠନ କରିବା ଇତ୍ୟାଦି। କେବଳ ମଦ୍ୟପାନ କଳାଟା ମୁଁ ଜାଣିନଥିଲି। ମାତ୍ର ମୋ’ ସାଙ୍ଗମାନେ ନିର୍ଧୁମ୍ ପିଉଥିଲେ। ଏଇ ଗତ ହୋଲି ଦିନର କଥା। ସେମାନେ ସମସ୍ତେ ମୋତେ ଡାକିନେଲେ, ରଙ୍ଗ ପିଚକାରି ଖେଳ ହେଲା। ମଦ୍ୟପାନ ପର୍ବ ଆରମ୍ଭ ହେଲା, ସେମାନେ ସମସ୍ତେ ପିଇଲେ। ଗୋଟାଏ ପେଗ୍ ପ୍ରସ୍ତୁତକରି ମୋତେ ଦେଲେ। ମୁଁ କହିଲି, ‘ମୁଁ କେବେ ପିଇନି’।
୧ମ ସାଙ୍ଗ: କାହିଁକି ପିଇନୁ? ଏଇଟା ତତେ ଯମରାଜା ପାଖରେ ଉତ୍ତର ଦେବାକୁ ପଡ଼ିବ।
୨ୟ: ତୋ’ ପାଖରେ କିଛି ଯଥାର୍ଥ ଉତ୍ତର ଅଛି?
୩ୟ: ମଣିଷ ଜନ୍ମ ହେଲେ ହିଁ ପିଇବାକୁ ପଡ଼ିବ।
୪ର୍ଥ: ଆମେ କ’ଣ ମା’ ପେଟରୁ ଶିଖିଥିଲୁ? ଆରେ ଏତେକଥା ପଚାରୁଚ କ’ଣ? ତା’ ହାତ ଦି’ଟା ମୋଡ଼ିକି ପଛକୁଧର।
ଜଣେ ମୋ’ ହାତ ଦି’ଟା ଧରି ମୋଡ଼ିଲା। ମୁଁ ନାହିଁ ନାହିଁ କରୁଥିଲି। ସେ ମୋ’ ହାତ ମୋଡ଼ିବା ଫଳରେ ମୋତେ କଷ୍ଟ ଦେବାରୁ ମୁଁ ଆଁ କରିଦେଲି। ବାସ୍ ଜଣେ ମୋ’ ପାଟିରେ ୨୦୦ ମି.ଲି.ର ଗୋଟାଏ ହ୍ୱିସ୍କି ବୋତଲ ପୂରେଇଦେଲା। ମୁଁ ପ୍ରାଣ ବିକଳରେ ପିଇଦେଲି। କାଳେ ବାନ୍ତି ହେଇଯିବ ସେଇ ଭୟରେ ସେମାନେ ମୋତେ କିଛି ଚାଖଣା ଖୁଆଇଦେଲେ। ମୁଁ ହେଉଡ଼ି ମାରି ପ୍ରକୃତିସ୍ଥ ହେଲି। ମୋ’ ମୁଣ୍ଡ କେମିତି କେମିତି ହେଉଥିଲା। କିଛି ସମୟ ପରେ ମୋତେ ଚନ୍ଦ୍ର-ସୂର୍ଯ୍ୟ ଦି’ଟା ଯାକ ଏକାବେଳକେ ଦେଖାଦେଲେ। ଅର୍ଦ୍ଧଚେତନ ଅବସ୍ଥାରେ ମୁଁ ସ୍ୱପ୍ନ ଦେଖିଲି। ମୁଁ ଇନ୍ଦ୍ର ସିଂହାସନରେ ବସିଛି। ରମ୍ଭା-ମେନକାଦି ଅପ୍ସରୀମାନେ ମୋ’ ଆଗରେ ନୃତ୍ୟ କରୁଛନ୍ତି। କିନ୍ନରମାନେ ମର୍ଦ୍ଦଳ ବାଦନ ଓ ଗନ୍ଧର୍ବମାନେ ଗାୟନ କରୁଛନ୍ତି। ମୋ’ ବେକରେ ପାରିଜାତ ଫୁଲମାଳ ପଡ଼ିଥିଲା। ହୁଏତ ସେଦିନ ମୋତେ ଜୀବନର ସବୁଠୁ ବଡ଼ ଖୁସି ମିଳିଥିଲା। ଆମର ଭୋଜି ଅଛି କହି ଭୟରେ ସେଦିନ ମୁଁ ଆଉ ଘରକୁ ଗଲିନାହିଁ।

ନୂଆ ନୂଆ ପିଇବା ଅଭ୍ୟାସ କରିବା ଲୋକର ସାଙ୍ଗ ନିହାତି ଦରକାର ପଡ଼େ। ଦିନସାରା କାର୍ଯ୍ୟବ୍ୟସ୍ତ ରହି ସଞ୍ଜବେଳକୁ ମଣିଷ ଥକିପଡ଼େ। ଆଗେ ଗୋଡ଼ ହାତ ଧୋଇ ମୁଁ ସନ୍ଧ୍ୟା ବନ୍ଦନା କରୁଥିଲି। କିନ୍ତୁ ଯେତେବେଳେ ପିଇବା ଚକ୍କର ଆସିଗଲା, ତ ଗୋଟାଏ ବୋତଲ ଖାଲି ନକଲେ ମଜା ଲାଗୁନଥିଲା। ସକାଳୁ ଉଠିବାକୁ ଇଚ୍ଛା ହେଉନଥିଲା। ଦେହମୁଣ୍ଡ ପୀଡ଼ା ଓ ଅଳସ ଅଳସ ଲାଗୁଥିଲା। ମୁଁ ଜାଣିଥିଲି, ନିଶାଖୋର ହେବାଟା ଖରାପ କଥା, ତଥାପି ମୁଁ ନିଶାର ବଶୀଭୂତ ହେଇସାରିଥିଲି। କେବେ କେବେ ଚାକରବାକରଙ୍କୁ ଗାଳିଦେବା, ପିଲାଙ୍କ ଉପରେ ଅଯଥା ଚିଡ଼ିଚିଡ଼ି ହେବା ମୋର ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଯଦି କେବେ ଭାଷଣ ଆରମ୍ଭ କରୁଥିଲି, ସେଥିରେ ଆଉ କମା, ପୂର୍ଣ୍ଣଚ୍ଛେଦ ନଥିଲା। ଦିନେ ଏକ ବର୍ଷଣମୁଖର ରାତିରେ ମୁଁ ଅଫିସରେ ରହିଥିଲି। ପାଖରେ ଆମ ଏମ.ଡି. ସାହେବଙ୍କ କ୍ୱାର୍ଟର ଥିଲା। ସେଠାରୁ କିଛି ସୁନ୍ଦର ସଙ୍ଗୀତ ଶୁଣି ମୁଁ ସେ ପାଖକୁ ଗଲି। କାଚ ଝରକା ଫାଙ୍କରେ ମୋତେ କିଛି ସୁନ୍ଦର ଦୃଶ୍ୟ ଅବଲୋକନର ସୌଭାଗ୍ୟ ମିଳିଗଲା। ଦେଖିଲି, ଛୋଟ ପୋଷାକ ପିନ୍ଧା ସୁନ୍ଦରୀଟିଏ ଏକ ଦୁର୍ମୂଲ୍ୟ ଗ୍ଲାସରେ ମଦ୍ୟ ପରଷି ଦେଉଥିଲା। ସାହେବ ରାତ୍ରି ଭୋଜନ ସହ ବିଲାତି ମଦ୍ୟ ସେବନ କରୁଥିଲେ। ମୋ’ ପାଟିରୁ ଲାଳ ଗଡ଼ିଲା। ହାୟ! ମୋ’ ଭାଗ୍ୟରେ ଏମିତି ଗୋଟେ-ଦି’ଟା ପେଗ୍ ଜୁଟନ୍ତା କି? କୌଣସିମତେ ମନର ଭାବ ଅବଦମିତ ରଖି ମୁଁ ଅଫିସ୍କି ଆସିଲି। ସିକ୍ୟୁରିଟି ଗାର୍ଡ ମୋ’ ମନକଥା ଜାଣିପାରି ମୋତେ ଭଲମନ୍ଦ ପଚାରିଲା। ମୁଁ କହିଲି, ଆରେ ଭାଇ! ମୋର ଅଭ୍ୟାସ ହେଇଯାଇଛି ଯେ, ଆଦୌ ନିଦ ହେଉନି। ତମର ତ ସାହେବଙ୍କ ଘରକୁ ଅବାଧ ପ୍ରବେଶ ଅଛି। ଏଇ ୫୦୦ ଟଙ୍କା ନିଅ, ମୋତେ ଗୋଟାଏ ଆଣିଦେବ। ସେ ଥା ଥା ମା ମା ହେଉଥିଲା। ମୁଁ ବାଧ୍ୟକରି ତା’ ପକେଟରେ ଟଙ୍କା ଗୁଞ୍ଜିଦେଲି। ପାଖ ଦୋକାନରୁ ରୁଟି ଓ ଚିକେନ୍କଷା ଧରିଆସିଲି। ସେଇ ଶୁଭ ମୁହୂର୍ତ୍ତକୁ ଅପେକ୍ଷାକଲି। କିଛି ସମୟ ପରେ ସେ ଗୋଟାଏ ବିଲାତି ମଦ ବୋତଲ ଆଣି ମୋତେ ଧରେଇଦେଲା। କହିଲା, ‘ସାର୍, ମୋ’ ଜୀବନକୁ ବାଜି ଲଗେଇ ଏଇଟା ଆଣିଚି। ବରଫ ଆଉ ସୋଡ଼ା ବି।’ ଶେଷରେ ଚିତ୍ପଟାଙ୍ଗ ହେଇ ଶୋଇଗଲି। ସକାଳେ କେତେବେଳ ହେବ କେଜାଣି ବାହାରେ ଗୋଟାଏ କର୍କଶ ଆବାଜ୍ ଶୁଣି ମୋ’ ନିଦ ଭାଙ୍ଗିଗଲା। କୌଣସିମତେ ସାର୍ଟର ବଟନ୍ ଦେଇ ମୁଁ ବାହାରକୁ ଆସିଲି। ସାହେବ ସିକ୍ୟୁରିଟିକୁ ଜେରା କରୁଥିଲେ। ମୋ’ ଛାତି ଧଡ଼ପଡ଼ ହେବାକୁ ଲାଗିଲା।
ପ୍ରଶ୍ନ: ତୁ କହ, କେତେଟା ବୋତଲ ଥିଲା?
ଉତ୍ତର: ମୁଁ ଗଣିନି ସାହେବ।
ପ୍ରଶ୍ନ: ଦେଖ୍ ମୁଁ ତତେ ଭଲରେ କହୁଛି। ମୋ’ ଡ୍ରଇଁରୁମ୍ର ସିକ୍ରେଟ୍ ଚାମ୍ବର୍ ଚାବି ତୋ’ ଛଡ଼ା ଅନ୍ୟ କେହି ଦେଖିନାହାନ୍ତି। ମୁଁ ତତେ ପୋଲିସରେ ଦେବି। ତୁ କାହାକୁ ବିକିଚୁ କହ? ନ ହେଲେ ତତେ ମାରୁମାରୁ ମାରିଦେବି। ଏତିକିବେଳେ ସାହେବଙ୍କ ନଜର ମୋ’ ଉପରେ ପଡ଼ିଗଲା। ମୁଁ କୃଷ୍ଣ ଭଗବାନଙ୍କୁ ଡାକିଲି, ‘ପ୍ରଭୁ, ମୋ’ ଇଜ୍ଜତ ଆପଣଙ୍କ ହାତରେ। ମୁଁ ଶୁଣିଚି ତମେ କାଳେ ପତିତମାନଙ୍କୁ ଉଦ୍ଧାରକର। ସିକ୍ୟୁରିଟିର ମୁହଁଟା ବନ୍ଦ କରିଦିଅ ପ୍ରଭୁ। ହେ ଭଗବାନ! ମୋତେ ରକ୍ଷାକର।’ ସିକ୍ୟୁରିଟି ଛନ୍ନ ଛନ୍ନ ହେଇ ମୋ’ ରୁମ୍ ଆଡ଼େ ଚାହିଁଲା। ସାହେବ କହିଲେ, ‘ଏ! ସେଠିକି ଚାଲ। ମୋ ଦୁର୍ଭାଗ୍ୟକୁ କୌଣସି ଠାକୁର ମୋର ସାଥ୍ ଦେଲେନି। ‘ତୋ ଚାକିରି ଖାଇଯିବି। ତତେ ସସ୍ପେଣ୍ଡ କରିବି,’ ସାହେବ କହି କହି ମୋ’ ପାଖରେ ପହଂଚିଗଲେ। ମୁଁ ମୋ’ ଅଲରା ବାଳ ସଜାଡ଼ିବାର ଅସଫଳ ପ୍ରଯତ୍ନ କଲି। ସାହେବ ରୁମ୍ର ବେଡ୍ ତଳକୁ ଚାହିଁଦେଲେ। ବୋତଲ ଆଉ ଗ୍ଲାସ୍ ଦି’ଟା ସେଇଠି ଅଳସ ଭାଙ୍ଗୁଥିଲେ। ସାହେବ ମୋତେ କଟମଟ କରି ଚାହିଁ ପଚାରିଲେ,
‘ତମେ କାଲି ରାତିରେ ଏଇଠି ଥିଲ?’ ମୁଁ ମୁଣ୍ଡ ଟୁଙ୍ଗାରି ହଁ କଲି।
‘ସିକ୍ୟୁରିଟିଠୁ ମଦ ବୋତଲଟେ କିଣିଛ?’ ମୁଁ ନିରବ ସମ୍ମତି ଦେଲି।
‘ତମେ ଜାଣିଛ ଏଇଟା ଚୋରି / ଦି’ ନମ୍ବରି କାମ!’ ମୁଁ ମୁଣ୍ଡ ଟୁଙ୍ଗାରିଲି।
‘ତୁମକୁ ପୋଲିସରେ ଦେବି। ସସ୍ପେଣ୍ଡ ହେବ, ଠିକ୍ ହେବ ତ!’ ମୁଁ ହାତଯୋଡ଼ି କ୍ଷମା ମାଗିଲି। ଏତିକିବେଳେ ଅଫିସର, ପିଅନ, ଖଲାସୀ ସବୁ ଆସିଗଲେ। ସାହେବ କହିଲେ, ‘ୟାଙ୍କ ଦି’ହାତକୁ ଧର।’ ସେମାନେ ଧରିଲେ। ସାହେବ ସିକ୍ୟୁରିଟିକି ଷ୍ଟାମ୍ପକାଳି ଆଣିବାକୁ କହିଲେ। ସେ ସବୁ କାଳି ଆଣିଲା। ସାହେବ ତୂଳୀ ଧରି ମୋ’ ମୁହଁରେ ସବୁଯାକ କାଳି ବୋଳିଦେଲେ। ମୁଁ ସେ ଦୁହିଁଙ୍କ ହାତ ଛଡ଼େଇ ରାସ୍ତାରେ ଦଉଡ଼ିଲି। ସାହେବ ଓ ଆଉ ଦି’ଜଣ ମୋ’ ପଛେ ପଛେ ଦୌଡ଼ିଲେ। ହେଲେ ସବୁ ଫେଲ୍ ମାରିଲେ। ଗୋଟାଏ କିଲୋମିଟର ଦୌଡ଼ି ମୁଁ ନଦୀକୂଳରେ ପହଞ୍ଚିଲି। ସ୍କୁଟର ମିରର୍ରେ ମୋ’ ମୁହଁ ଦେଖିଲି। ମାଙ୍କଡ଼ ମୁହଁଠାରୁ କୌଣସି ଗୁଣରେ କମ୍ ନଥିଲା। ମୁଁ ସରୁବାଲିରେ ମୋ’ ମୁହଁ ରଗଡ଼ିଲି। ମୁହଁ ଛିଡ଼ିଗଲା ଓ ଯନ୍ତ୍ରଣା ହେଲା। ମୁଁ ଭାବିଲି, ଏବେ ଯଦି ମୋ’ ପାଖକୁ କିଏ ଆସିବ, ତା’ହେଲେ ତାକୁ ପଥର ମାରିପକେଇବି। କିଛି ପରିମାଣରେ ଛାଡ଼ିଲା, ହେଲେ ଏ କଳଙ୍କିତ ମୁହଁ ନେଇ କାହାକୁ ଦେଖେଇବି। ଭଗବାନଙ୍କୁ ପ୍ରାର୍ଥନାକଲି ଯେ, ଅନ୍ତତଃ ଏ ଖବର ମୋ’ ସ୍ତ୍ରୀ ପାଖରେ ନ ପହଞ୍ଚୁ। ସେଦିନଠୁ ମୋ’ ମଦନିଶା ଏକାବେଳକେ ଛାଡ଼ିଗଲା। ଆଉ ମୁଁ ପ୍ରତିଜ୍ଞା କଲି, ଛି, ଛି, ମଦ ପିଇବି ନାହିଁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )