
ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କ ଝିଅ ଛବିକୁ କହିଥିଲେ- ‘ତୁ ଲେଖ୍… ଲେଖ୍। କିଏ କ’ଣ କହୁଛି ବୋଲି ଡରିଗଲେ ହେବ? ତୋର ଅନୁଭବ ଅଛି, ସେଇ ଅନୁଭବର କଥା ହିଁ ଲେଖ୍।’ ସୁରେନ୍ଦ୍ର ମହାନ୍ତିଙ୍କ ଆତ୍ମଜା ଲୋପାମୁଦ୍ରା(ଛବି) ଆପଣା ଆତ୍ମାର ଭାଷାକୁ ଅକ୍ଷର ରୂପ ଦେଇ ଲେଖିଛନ୍ତି- ‘ମୁଁ ସୁରିଆ ଝିଅ ଛବି,ସାହିତ୍ୟ ଆକାଶର ଜୁଳୁଜୁଳିଆ ପୋକ ହୋଇ ଏକବିଂଶ ଶତାବ୍ଦୀରେ ଯେତେବେଳେ ଓଡ଼ିଆ ଭାଷାର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠୁଛି, ସେତେବେଳେ ନିଜ ଅନୁଭୂତିକୁ ନିଜର କଥିତ ଭାଷାରେ ଲେଖି ସୁରିଆକୁ ଶ୍ରଦ୍ଧାଞ୍ଜଳି ଦେଉଛି।’
ହଁ, ବହି ନ ପଢ଼ି ଏଇ ବୟାନରୁ ବା ବହିର ନାମକରଣରୁ ଧାରଣା ହବ ବାପା ବିଷୟରେ ଏମିତି କିଛି ଗୋଟାଏ ବାହାଦୁରି କରି ଝିଅ ଲେଖିଥିବ ନିଶ୍ଚୟ। କେତେକ ଭାବି ପାରନ୍ତି ଏହା ‘ପଥ ଓ ପୃଥିବୀ’ର ପରିପୂରକ, ‘ପଥ ଓ ପୃଥିବୀ’ର ପ୍ରାନ୍ତ ଅଧ୍ୟାୟ। ଏହା କ’ଣ ଏକ ଜୀବନୀ? ଏକ ପ୍ରବନ୍ଧ ପୁସ୍ତକ? ଏକ ଉପନ୍ୟାସ? ଏ ସବୁ ପ୍ରଶ୍ନବାଚୀର ପୂର୍ଣ୍ଣଚ୍ଛେଦ ପକାଇ ଲେଖିକା ଲେଖିଛନ୍ତି- ‘ଏହା ଗଳ୍ପ ନୁହେଁ, ପ୍ରବନ୍ଧ ନୁହେଁ, ନିବନ୍ଧ ନୁହେଁ, ସ୍ମୃତି ବି ନୁହେଁ। କିଛି ଅକ୍ଷର ଯୋଡ଼ି ଶବ୍ଦ କରିଛି। କିଛି ଶବ୍ଦକୁ ଯୋଡ଼ି ବାକ୍ୟ କରିଛି।’
ନୁହଁ ଆଉ କ’ଣ! ଲୋପାମୁଦ୍ରାଙ୍କ ଏ ବହିର ଗୋଟିଏ ଗୋଟିଏ ଶବ୍ଦକୁ ନେଇ ସରଳାର୍ଥ ଲେଖିଲେ ପ୍ରବନ୍ଧଟିଏ ପାଲଟିବ, ଗୋଟିଏ ଗୋଟିଏ ବାକ୍ୟର ବିସ୍ତାରଣ କଲେ ବହିଟିଏ ପାଲଟିବ। ‘ସୁରିଆ’ କଥା କହିବାକୁ ଗଲେ ‘ସୁରିଆ’ ସମ୍ପର୍କିତ ସବୁ କହିବାକୁ ପଡ଼ିବ ନା ନାହିଁ? ସୁରେନ୍ଦ୍ର ମହାନ୍ତିଙ୍କ ପିଲାବେଳଠୁ ଆରମ୍ଭ କରି ପାଠପଢ଼ା, ପରିବାର ପରିଜନଙ୍କ କଥା କହିବାକୁ ହେବ ନା ନାହିଁ? ସୁରେନ୍ଦ୍ର ମହାନ୍ତିଙ୍କ ବୃତ୍ତି, ପ୍ରବୃତ୍ତି, ପ୍ରକୃତି କଥା କହିବାକୁ ହେବ ନା ନାହିଁ? ସୁରେନ୍ଦ୍ର ମହାନ୍ତିଙ୍କ ଭିତରେ ଖୁବ୍ କମ୍ରେ ତିନିଟା ଓଜନଦାର ବ୍ୟକ୍ତିତ୍ୱ ଥିଲା; ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି, ସାମ୍ବାଦିକ ସୁରେନ୍ଦ୍ର ମହାନ୍ତି, ସାଂସଦ ସୁରେନ୍ଦ୍ର ମହାନ୍ତି। ତରାଜୁର ତ ଦୁଇଟା ପଲା, ସୁରେନ୍ଦ୍ର ମହାନ୍ତିଙ୍କ ବ୍ୟକ୍ତିତ୍ୱକୁ ଓଜନ କରିବାକୁ ଆଉ ଗୋଟାଏ ପଲା କୋଉଠୁ ଆସିବ? ସାରସ୍ୱତ ଛଟା, ଛଟକ ଓ ଛବିଳତାରେ ଲେଖନୀକୁ ପଜେଇ ଲେଖିକା ଲୋପାମୁଦ୍ରା ସମ୍ଭବ କରିପାରିଛନ୍ତି ଏ ଅସମ୍ଭବକୁ।
ବହିଟିର ଆରମ୍ଭରେ ‘କଥାପଦେ’ ଶୀର୍ଷକରେ ଦାଶ ବେନହୁର ଲେଖିଛନ୍ତି, “ଝିଅ ମୁହଁରେ ବାପା କଥା କ’ଣ ସରେ? ବାପାର ସ୍ମୃତି ତ ପ୍ରତିଟି ଝିଅ ପାଇଁ କେତେ ଫରୁଆ ଭିତରେ ଫରୁଆର କଥା କଥାନି। ସୁରେନ୍ଦ୍ର ମହାନ୍ତି ନିଜ ଆତ୍ମଜୀବନୀ ‘ପଥ ଓ ପୃଥିବୀ’ରେ କେତେ ବାଗରେ ମୁକୁଳାଇଛନ୍ତି ନିଜକୁ। ମାତ୍ର ତାଙ୍କୁ ଅଧିକ ଭାବରେ, ଗଭୀର ରୂପେ ବୁଝିବା ପାଇଁ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କର ଏ କୃତି ଏକ ଚମତ୍କାର ‘ପାସ୍ୱାର୍ଡ’ ବା ‘ସିସ୍ମେ ଫାଙ୍କ’ – ‘ଖୁଲ୍ ଯା ସିମ୍ସିମ୍’। ତାଲା ଖୋଲିବାର ଚାବି। ସୁଖପାଠ୍ୟ। ଗୁମ୍ସୁମ୍ କୋହ ବି ଅଛି ଠାଏ ଠାଏ। ଝିଅ, ବାପା କଥା ଲେଖିଲେ ତ ପବନ ସ୍ଥିର ହେବାକୁ ବାଧ୍ୟ। ଥଅ ହେବେ ପାଠକେ।” ବହିଟି ପଢ଼ିବା ପରେ ଦାଶ ବେନହୁରଙ୍କ ଏହି ଟିପ୍ପଣୀ ସହିତ ଆମକୁ ଏକମତ ହେବାକୁ ହୁଏ।
ଏହାକୁ ଲୋପାମୁଦ୍ରାଙ୍କ ଆତ୍ମଜୀବନୀର ଏକ ଅଧ୍ୟାୟ ଭାବେ ମଧ୍ୟ ଗ୍ରହଣ କରାଯାଇ ପାରେ ଏବଂ ବହିର ଶେଷଧାଡ଼ି-‘ମୋ କଥା କିନ୍ତୁ ସରିନି’ର ସୂଚନାରୁ ଆମେ ଅନ୍ତତଃ ଆଶା କରିବା ତାଙ୍କ ନ ସରିଥିବା ଆତ୍ମଜୀବନୀରେ ଆହୁରି ବହୁତ କିଛି ପାଇବେ ପ୍ରତୀକ୍ଷାରେ ଥିବା ପାଠକେ।
ବୈଷ୍ଣବ ଚରଣ ମହାନ୍ତି
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )