
ବିନ୍ଦୁ ବିନ୍ଦୁ, ଅର୍ବୁଦ ବିନ୍ଦୁରେ ଫୁଟି ଦିଶେ
ମାଟି ଓ ଆକାଶ; ଜଳ ଅବା ଅନଳ, ଅନିଳ
ଅପ୍ରମେୟ ଆର୍ତ୍ତି; ଆଶାନ୍ୱିତ ଦିବ୍ୟତାର ଆଖି
ଜଳ-ସ୍ଥଳ-ଅନ୍ତରୀକ୍ଷେ, ତଳାତଳ ପାତାଳରେ
ଅପଲକେ ଦୃଶ୍ୟମାନ୍ ବିଶ୍ୱାସର ସୃଜ୍ୟମାନ୍ ରୂପ
ସୂକ୍ଷ୍ମାତୀତ ଛବି, ଛବି ଖାଲି ଛବି ନୁହେଁ;
କଳ୍ପ-କଳ୍ପ-ମନ୍ୱନ୍ତର ଅନନ୍ତ ଅକ୍ଷରରେ ଅଙ୍କା
ଅବିକଳ୍ପ ଆଖି, ଅନ୍ତହୀନ ଅପଲକ ଦୃଷ୍ଟି-ଅବୟବ
ଏକଇ ବିନ୍ଦୁରୁ ଉତ୍ସାରିତ କୋଟିଏ ନୟନ
ଅର୍ବୁଦ-ଅର୍ବୁଦ, ନିଖର୍ବ-ନିଖର୍ବ ଅଗଣନ ନେତ୍ର
ପରିପୂର୍ଣ୍ଣ ପଟଳରେ ଭାସମାନ୍ ବିନ୍ଦୁ ଆଉ ବ୍ରହ୍ମ
କି ଅପୂର୍ବ ଦୈବତ ସେ ଲୀଳା ମାନବୀୟ
ସେ ନେତ୍ରରେ ଜୀବ-ପରମଙ୍କ ରୂପାତୀତ ରୂପ
ଅହୋରାତ୍ର ଉଚ୍ଚାରିତ କୋଟିକଳ୍ପ ଅଣିମା-ଅନନ୍ତ।

ଏକଇ ଆଖିରେ ସୃଷ୍ଟି-ସ୍ଥିତି-ପ୍ରଳୟର ପ୍ରମୂର୍ତ୍ତ ପ୍ରଲେପ
ଭକ୍ତି ଆଉ ବିଶ୍ୱାସର କରୁଣାର୍ଦ୍ର ଲୁହ, ଛଳଛଳ ପ୍ରେମ
ଆଦ୍ୟ ଆଷାଢ଼ର ମେଘଝରା ଆଞ୍ଜୁଳାଏ ଶୀତଳ ପରଶ
ଶ୍ୟାମ-ସ୍ନିଗ୍ଧ-ଶାନ୍ତ-ସମାହିତ, ବିଶ୍ୱାସର ସୁବିଶାଳ ନେତ୍ର
ଝରୁଥାଏ ଅବିରତ ପ୍ରେମ ଆଉ କରୁଣାର
କମନୀୟ-କଲ୍ଲୋଳିତ ଦିବ୍ୟ ଦିବ୍ୟ ମଧୁସ୍ରାବୀ ସ୍ରୋତ।
ମହାନେତ୍ର କୋଟିସୂର୍ଯ୍ୟ କାନ୍ତି, କୋଟିଏ ଅନଙ୍ଗ
ନିବର୍ତ୍ତିବେ ଅନିମେଷେ ସେ ଆଖିର ଅପାଙ୍ଗ-ଆଲୋକେ
ସ୍ୱୟଂ ସେ ତ ଯୋଗମାୟା ଦାରୁମୟ ବ୍ରହ୍ମ
ପରା ଆଉ ଅପରା ପ୍ରକୃତି, ଅକଳ୍ପିତ ମୂର୍ତ୍ତିମନ୍ତ ରୂପ
କିଏ ବା ବର୍ଣ୍ଣିବ ସେଇ ଚକା ଚକା ଆଖିର ମାହାତ୍ମ୍ୟ!
ସକଳ ଘଟରେ ଉଭା ରୂପାତୀତ ସତ୍ତା ଅନୁପମ
ସର୍ବଘଟେ ସମ ସରି, ସର୍ବଦେବ ସ୍ୱୟଂ ଜଗନ୍ନାଥ।
କି ଆକାର ଦେବ ଶିଳ୍ପୀ? ଅରୂପ ସେ ସର୍ବରୂପ
ଦିଗ୍-ବିଦିଗ ପରିବ୍ୟାପ୍ତ; ଏକଇ ଆଖିରେ ପୁଣି
‘ଅ + ଉ + ମ = ଓଁକାର’ର କୋଣାର୍କୀୟ ଲାସ୍ୟ
କିଏ ବା କଳିବ ସେଇ ବିଶ୍ୱଚକ୍ଷୁ, ବିଶ୍ୱାସର ନେତ୍ର
କଟାକ୍ଷ ପାତକେ ନାଶ ଜୀବାତ୍ମାର କୋଟିଜନ୍ମ ପାପ।
ଲୀଳାମୟ ଲୀଳାର ଦେବତା, ବ୍ରହ୍ମାଣ୍ଡ ଠାକୁର…
ବିରାଜିବେ ବଡ଼ଦାଣ୍ଡେ ବରଷକେ ଚତୁର୍ଦ୍ଧା ମୂରତି
ଆର୍ତ୍ତି ଆଉ ଅର୍ଥୀଜନେ ଯେତେ ଯେତେ ଅନ୍ତର୍ଦାହ,
ଅଚଳ ପ୍ରମାଣେ ଉଭା ଯାତନା ଓ ଯନ୍ତ୍ରଣାର ସ୍ତୂପ
ପୋଛିଦେବେ ଦୁଃଖାର୍ଦ୍ର ନେତ୍ରରୁ କେଇ ଧାର ଲୁହ
ଯେତେ ଯେତେ ଲେଉଟି ଚାହିଁଲେ ନ ଫେରିବ ନେତ୍ର
ଏକଇ ନେତ୍ରରେ ଦିଶେ କୋଟିକଳ୍ପ ଚରାଚର ବିଶ୍ୱ
ନିମିଷକେ ଭିନ୍ନ ରୂପ, ଭିନ୍ନ ଦୃଷ୍ଟି କ୍ଷଣେ କ୍ଷଣେ ଆନ
ଆଷାଢ଼ ଶୁକ୍ଳ ଦ୍ୱିତୀୟା ଘୋଷଯାତ୍ରା ଅମୃତ ଅୟନେ
ହେ ଆରାଧ୍ୟ ବିଶ୍ୱନେତ୍ର, ବିଶ୍ୱରୂପ, ବିଶ୍ୱାତ୍ମା-ପୁରୁଷ!
ଥରେ ମାତ୍ର ପହଁରେଇ ନିଅ ଦିବ୍ୟଦୃଷ୍ଟି ତୁମ
ନିସ୍ତରିବେ ଅବହେଳେ ଦେବ, ଯକ୍ଷ, ଗନ୍ଧର୍ବ, କିନ୍ନର
ନର ଓ ଦାନବ, ପଶୁ-ପକ୍ଷୀ-କୀଟ-ସରୀସୃପ
ଗଛଲତା-ତରୁତୃଣ-ପଞ୍ଚଭୂତ, ପ୍ରପଞ୍ଚ ଏ ପୃଥ୍ୱୀ
ତୁମେଇ ତ ଈପ୍ସିତ ଆରାଧ୍ୟ, ଭାଗବତ ପୋଥି।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)