‘ଚୁପ୍ ରହ। ବେଜିତ୍ କରନା। ମୁଁ ଦେବଦୂତ ନୁହେଁ, ମଣିଷ।’ ଦେବଦୂତ ଜଣକ ବଡ଼ପାଟିରେ କହିଲା।


ଜ୍ୱରରେ ଜଳୁଥିବା ସକୀନାର ଦୁଇ ପତା ଉପରେ ଲୁହ ବିନ୍ଦୁ ଖସି ପଡ଼ିଲା।
‘ଆବ୍ବା! କାନ୍ଦୁଛ? ଛିଃ……।’ କରୀମର ନିରସ ହାତକୁ ସ୍ନେହରେ ଚାପଦେଇ ସକୀନା ପଚାରିଲା।
ବୃଦ୍ଧ କରୀମ ନିଜର ନିଷ୍ପ୍ରଭ ଆଖି ପୋଛି କହିଲା- ‘ଝିଅ, ତତେ ଖଇଫୁଟା ଜର, ତୁ ଘୋଡ଼େଇ ହେବାପାଇଁ ଚାଦରଟିଏ ବି ଆଣି ପାରିଲି ନାହିଁ…..।’
ସକୀନା ମଝିରୁ କଥା ଛଡ଼ାଇ କହିଲା- ‘ଏଥିରେ କାନ୍ଦିବାର କ’ଣ ଅଛି? ଶୁଣୁଛି, ସରକାର ବ୍ୟବସ୍ଥା କରୁଛନ୍ତି, ଗୁଡ଼ାଏ ଶସ୍ତା କପଡ଼ା ଆସିବାର ଅଛି। ସେତେବେଳେ କିଣି ଦେବ। ତା’ ଛଡ଼ା ମତେ ଶୀତ ଲାଗୁନି।’ ସକୀନା ଅତି କଷ୍ଟରେ ତା’ର ଥରିଲା ଅବସ୍ଥାକୁ ସଂଭାଳି ନେଲା।
‘ସରକାର!’…..କରୀମ ଗୋଟେ ଥଣ୍ଡା ଶ୍ୱାସଟାଣି ଅଟକି ଗଲା।
ସକୀନା ଲକ୍ଷ୍ୟକଲା କରୀମ ଦୁଃଖୀ ଅଛି। ତୁରନ୍ତ ଧ୍ୟାନଭଙ୍ଗ କରିବାକୁ କହିଲା- ‘ନିଦ ଆସୁନି ଆବ୍ବା! ଗୋଟେ କାହାଣୀ ଶୁଣାଅ।’
‘ପାଗଳୀଟା! ଏଇ ସମୟରେ ତୋ’ର କାହାଣୀ ଶୁଣିବାକୁ ମନ ହେଉଛି? ଆଲୋ ଝିଅ, ଆମଭଳି ଲୋକଙ୍କ ଅବସ୍ଥା କୌଣସି ଖବର କାଗଜରେ ଛପା ହେଲେ ବଡ଼ କରୁଣ କାହାଣୀ ବନିଯିବ।’
‘ନାହିଁ, ନାହିଁ! କାହାଣୀ ଶୁଣାଅ’। ସକୀନା ଛୋଟ ଛୁଆଭଳି ଅଝଟ କରିକହିଲା। ‘ଠିକ୍ ଅଛି, ଶୁଣ! ଏହି ଲକ୍ଷ୍ନୌର କଥା। ନବାବଙ୍କ ଅମଳ ଥିଲା। ଛତର ମଂଜିଲରେ ନବାବ ସାହେବଙ୍କ ପ୍ରମୋଦ-ବିଳାସ ଥିଲା। ସାରାଦିନ ବନ୍ଧୁମାନଙ୍କ ସହ ଅଏସ୍ କରିବା ପରେ ନବାବ ସାହେବ ଯେତେବେଳେ ବିଶ୍ରାମକକ୍ଷକୁ ଯାଉଥିଲେ, ତାଙ୍କ ଆଖି ପତାରେ ଗୋଲାପୀ ନିଶା ସ୍ପଷ୍ଟ ବାରିହେଉଥିଲା। ତାଙ୍କ ଚାଲିରେ ସୁରାର ମାଦକତା। ତାଙ୍କୁ ଧରି ନେବାପାଇଁ ସିଡ଼ିର ପ୍ରତି ପାବଚ୍ଛର ଉଭୟ ପାଶ୍ୱର୍ରେ ନବଯୌବନୀ ଯୁବତୀମାନେ ଉପସ୍ଥିତ ରହୁଥିଲେ। ସେମାନଙ୍କ କାନ୍ଧ ଉପରେ ହାତ ରଖି ନବାବ ଧୀରେ ଧୀରେ ଉପରକୁ ଯାଉଥିଲେ। ଶୁଣୁଛୁ ନା….?’
‘ହୁଁ-’

‘ଆଚ୍ଛା ତ, ଦିନକର ସମସ୍ତ ବନ୍ଦୀ ମୁର୍ଶିଦାବାଦୀ ରେଶମର ପୋଷାକ ପରିଧାନ କରି ଛିଡ଼ା ହୋଇଥାନ୍ତି। ନବାବ ସାହେବ ପ୍ରଥମ ଯୁବତୀର କାନ୍ଧ ଉପରେ ହାତ ରଖିବା ସମୟରେ ରେଶମର ମସୃଣତା କାରଣରୁ ଦୁପଟ୍ଟା ଖସିଗଲା ଏବଂ ସେ ଧରାଶାୟୀ ହେଉ ହେଉ ବର୍ତ୍ତି ଗଲେ। ତଳୁ ଉପର ଯାଏଁ ଯୁବତୀମାନଙ୍କ ଭିତରେ ଭୟ ଖେଳିଗଲା। ନବାବ ସାହେବ ନିଜକୁ ସଂଭାଳି ନେଇ ଗର୍ଜ୍ଜି ଉଠିିଲେ। ‘ନିଚ୍ଚଜାତି! କାଲିଠାରୁ ତୁମମାନଙ୍କ କାନ୍ଧ ନଗ୍ନ ରହିବ’ ଏବଂ ତା’ ପରଦିନଠାରୁ ସେମାନଙ୍କ କାନ୍ଧ ନଗ୍ନ ରହିଲା।’
‘ବୁଝିପାରିଲୁ ଝିଅ! ସେତେବେଳେ କପଡ଼ାର ଅଭାବ ନଥିଲା, ନା ଏବେ ଅଛି। କିନ୍ତୁ ଆମ ଭଳି ଗୋଲାମ ଓ ଗରିବ ସେତେବେଳେ ନଗ୍ନ ଥିଲେ, ଏବେ ବି ନଗ୍ନ ରହୁଛେ। ଜାଣିଛୁ କ’ଣ ପାଇଁ? କାରଣ ଧନୀ ଲୋକମାନେ ଆମର ନଗ୍ନ କାନ୍ଧ ଉପରେ ହାତ ରଖି ସୁନା-ରୁପାର ପାହାଚମାନ ଚଢ଼ିପାରିବେ…. ଶୋଇ ପଡ଼ିଲୁ, ସକୀନା….?’
ସକୀନା ଶୋଇ ଯାଇଥିଲା।
କରୀମ ଉଠିଲା। ଗୋଟେ ଚିରାପଟି ଉପରେ ବାହୁ ଉପରେ ମଥା ରଖି ଗଡ଼ି ପଡ଼ିଲା। ସେ ଦି’ପହରରୁ କିଛି ବି ଖାଇନଥିଲା। ଭୋକ ଲାଗୁଥିଲା। ପରନ୍ତୁ ସେ ଧୀରେ ଧୀରେ ଶୋଇବାକୁ ଚେଷ୍ଟା କଲା। ହିନ୍ଦୁସ୍ଥାନୀମାନଙ୍କର ଅଭ୍ୟାସ, ସେମାନେ ଭୋକିଲା ହେଲେ ଶୋଇପଡ଼ନ୍ତି ଓ ସ୍ୱପ୍ନ ଦେଖିବାର ଲାଗନ୍ତି। କରୀମ ବି ଗୋଟେ ସ୍ୱପ୍ନ ଦେଖିଲା…… ଏବଂ ହିନ୍ଦୁସ୍ଥାନୀମାନଙ୍କ ପରି ଏହି ଦୁନିଆ ପ୍ରତି ନିସ୍ପୃହ ହୋଇ ସ୍ୱର୍ଗକୁ ଚାଲିଗଲା। ଆଗେ ଆଗେ କଂପୁଥିବା କରୀମ ଏବଂ ପଛରେ ନିଜର ଚିରାଫଟା କୁର୍ତ୍ତାକୁ ସଂଭାଳି ନେଲା ନିରୀହ ସକୀନା।
ସମ୍ମୁଖରେ ସିଂହାସନ ଉପରେ ଖୁଦା ଆସୀନ ଥିଲେ। କରୀମ ମଥାନତ କରି କହିଲା-
‘ହେ ଖୁଦା, ଆମେ ନଗ୍ନ ଅଛୁ। କ୍ଷୁଧାର୍ତ୍ତ ଅଛୁ।’
ଖୁଦା ଚକ୍ଷୁ ଉନ୍ମୀଳିତ କଲେ। ସକୀନା ଉପରେ ତାଙ୍କର ଦୃଷ୍ଟି ପଡ଼ିଲା। ସେ ପାଖରେ ଆସୀନ ଥିବା ଜନୈକ ଦେବଦୂତଙ୍କୁ କହିଲେ- ‘ହଜରତ! ମୁଁ ଦେଖୁଛି, କ୍ଷୁଧାର୍ତ୍ତ ଅବସ୍ଥାରେ ବି ମନୁଷ୍ୟର ସୌନ୍ଦର୍ଯ୍ୟ ନିର୍ମଳ ଦେଖାଯାଉଛି।’
ଦେବଦୂତ ଜଣକ କାଇଦା ଅନୁସାରେ ମଥା ନୁଆଁଇ ସମ୍ମତି ଜଣାଇଲେ।
ଖୁଦା ଖୁସି ହୋଇ କହିଲେ- ‘ଆଚ୍ଛା, ତେବେ ଏଇ ସୁନ୍ଦରୀର ନାମ ‘ହୁରୋଁ’ ମୁସଲମାନମାନଙ୍କ ସ୍ୱର୍ଗର ଅପ୍ସରାରେ ଲେଖିଦିଅ।’
ଦେବଦୂତମାନେ ସକୀନା ଆଡ଼କୁ ଦୌଡ଼ିଲେ।
‘ଖବରଦାର!’ କରୀମର ଭୋକିଲା ମାଂସପେଶୀ ଗର୍ଜ୍ଜି ଉଠିଲା।
ଖୁଦା ତା’ ଆଡ଼କୁ ଚାହିଁଲେ। ‘କିଏ ଇଏ। ବାହାରକର ତାକୁ।’ ‘ତୁ କି ନ୍ୟାୟର ଠିକା ନେଇଛୁ’। କରୀମ ଚିତ୍କାରକରି ଉଠିଲା। ‘ତୋ ଭିତରେ ଈଶ୍ୱରତ୍ୱ ଅଛି ସିନା ଏବେଯାଏ ତୁ ମଣିଷପଣ ଶିଖି ପାରିଲୁ ନାହିଁ। ଓ, ବିଶ୍ୱାସଘାତକ ଖୁଦା।’
ସକୀନା ଦେବଦୂତମାନଙ୍କ ହାତରେ ପଡ଼ି ଛଟପଟ ହେଉଥିଲା – ‘ଆବ୍ବା!’
କରୀମର ଆଖି ଖୋଲିଗଲା। ସକୀନା ଛଟପଟ ହୋଇ ଚିତ୍କାର ଛାଡୁଥିଲା- ‘ଆବ୍ବା’! କରୀମ ଘାବରେଇଗଲା। ‘ଆବ୍ବା! ଶୀତକଂପ ଚଢିଗଲାଣି।’ ଥରି ଥରି ସକୀନା କହିଲା। ସେ ପାଣିରୁ ବାହାର କରିଥିବା ମାଛଭଳି ଛଟପଟ ହେଉଥିଲା। କରୀମ ଉପାୟଶୂନ୍ୟ ହୋଇ ତା’ ଆଡ଼କୁ ଚାହିଁ ରହିଲା। ତା’ ପାଖରେ ଧୋତିଖଣ୍ଡେ ବି ନଥିଲା, ପୁଷରାତିର ଜଡ଼ରେ କଂପୁଥିବା ରୋଗିଣା ଝିଅକୁ ଘୋଡ଼େଇବା ପାଇଁ।
‘ହାତ ବଙ୍କା ହେଇଗଲାଣି ଆବ୍ବା’ କହି ସେ ହାତକୁ ଛାଟିଲା ଏବଂ ମାସେ ହେଲା ପିନ୍ଧିଥିବା ଜର୍ଜର କୁର୍ତ୍ତାର କାଖ ପାଖ ଚର୍ର କରି ଫାଟିଗଲା। ସକୀନା କହୁଣୀ ଢାଙ୍କି ଲାଜ ଲୁଚାଇବାକୁ ଚେଷ୍ଟା କଲା। କିନ୍ତୁ ତା’ ହାତର ସ୍ନାୟୁସବୁ ଦୁର୍ବଳ ହୋଇଯାଉଥିଲା। ସେ ଲାଜରେ ସାଙ୍କୁଡ଼ି ଗଲା।
ଏସବୁ ନେଇ କରୀମ ସହିପାରିଲା ନାହିଁ। ତା’ ଆଖିରୁ ରକ୍ତ ବାହାରି ଆସିଲା। ପ୍ରତିଟି ଲୋମକୂମ ତାତି ଉଠିଲା। ସେ ପାଦଛାଟି କହିଲା, ‘ସକୀ! ସକୀ! ମୁଁ କୋଉଁଠୁ ହେଲେ ତୋ’ ପାଇଁ କପଡ଼ା ଆଣିବି ଝିଅ! କେଉଁଠି ବି!’ ଏତିକି କହି ପବନ ଭଳି ସେ ବାହାରକୁ ବାହାରିଗଲା।
କବରସ୍ଥାନରେ ଲଗାଯାଇଥିବା ଅଶ୍ୱତ୍ଥ ଗଛ ତଳେ ମୁସଲମାନ ଭିକାରିଟିଏ ବସିଥିଲା। ସମ୍ମୁଖରେ ଅଳ୍ପ ନିଆଁ ଜଳୁଥିଲା। ସେ ଖଣ୍ଡେ କାଠରେ ନିଆଁକୁ ଉଖାରି କହିଉଠିଲା- ‘ହେ ଖୁଦା! ହାତଭଙ୍ଗା ଜାଡ଼। ଶୁଣିଥିଲି ଚଉଦ ଶତାବ୍ଦୀରେ ପ୍ରଳୟ ହେବ, ନ୍ୟାୟ ମିଳିବ। ପ୍ରଳୟ ମୁଣ୍ଡ ଉଠେଇଲାଣି। କିନ୍ତୁ ନ୍ୟାୟର ଠିକଣା ହିଁ ନାହିଁ।’
ଅଚାନକ ତୃତୀୟ କବର ପାଖରେ ଜଣେ ମନୁଷ୍ୟର ଛାୟା ଦିଶିଲା। ଆଜି ହିଁ ଉକ୍ତ କବର ଖୋଳା ଯାଇଥିଲା ଏବଂ ପୋତାପୋତି କରିବା ଶ୍ରମିକମାନେ ଫାଉଡ଼ା ଓ କୋଡ଼ି ସେଠାରେ ଛାଡ଼ି ଚାଲିଯାଇଥିଲେ। ଉକ୍ତ ଛାୟା ଫାଉଡ଼ା ଉଠାଇଲା ଏବଂ ଖୋଳିବା ଆରମ୍ଭ କଲା। ଭିକାରି ଜଣକ ଭୟରେ କଂପି ଉଠିଲା। କିଏ ଇଏ? କୌଣସି ଜିନ୍ କି? ଜିନ୍ ନୁହେଁ ଦେବଦୂତ ହେଇଥିବ। କବର ଖୋଳି ଅପରାଧିର ହିସାବ କରିବାକୁ ଆସିଛି। ତା’ ମନରେ ଗୋଟେ ଖିଆଲ ଆସିଲା। ସେ ତା’ ଆଗରେ ଗୁହାରି କଲେ ସାଂସାରିକ ଦୁଃଖ କଷ୍ଟରୁ ମୁକ୍ତି ପାଇଯିବ। ସେ ଥରିଉଠିଲା ଏବଂ ତା’ର ନିକଟତର ହେଲା। ଦେବଦୂତ ଜଣକ ଫାଉଡ଼ା ଉଠାଇବା ବନ୍ଦ କରିଦେଲା।
‘ହୁଜୁର! ଆପଣ ପୟଗମ୍ବର କି? ଖୁଦାଙ୍କର ଦେବଦୂତ ନା! ମୁଁ….।’
‘ଚୁପ୍ ରହ। ବେଜିତ୍ କରନା। ମୁଁ ଦେବଦୂତ ନୁହେଁ, ମଣିଷ’। ଦେବଦୂତ ଜଣକ ବଡ଼ପାଟିରେ କହିଲା।
‘ନାହିଁ ହଜୁର! ଦେବଦୂତ ଦେବଦୂତ! ଦେବଦୂତ!!’
‘ଆରେ ବୁଢା, ମୁଁ ଚୋର। କଫନ୍ ଚୋରାଇବାକୁ ଆସିଛି। ମୋ ଝିଅ ବିନା ଲୁଗା ଖଣ୍ଡକରେ ମରିବାକୁ ଯାଉଛି। ତୁ ବି ଲଙ୍ଗଳା। ଆଚ୍ଛା ଅଧା କଫନ୍ ତୁ ବି ନେଇ ଯା’।
ଭିକାରି ଜଣକ ଡରିଯାଇ ପଛକୁ ହଟିଗଲା। ଭୟରେ ତା’ର ମୁହଁ ବାନ୍ଧି ହୋଇଗଲା। ତା’ ପରେ ସେ ବଡ଼ ପାଟିରେ ଚିତ୍କାର କଲା- ‘ଚୋର….।’
ଜଗୁଆଳି କୁଡ଼ିଆ ଭିତରୁ ଗୁଡ଼େ ଲୋକ ବାହାରି ଦୌଡ଼ି ଆସିଲେ।
ତା’ପର ଦିନ ଲକ୍ଷ୍ନୌରେ ଏହି ଅଦ୍ଭୂତ ଚୋରର ଖବର ବିଜୁଳି ବେଗରେ ଖେଳିଗଲା।
ସକାଳୁ କ୍ଲଥ କଣ୍ଟ୍ରୋଲ ଅଫିସର୍ ଚା’ ପିଇ ବସିଥିବା ବେଳେ, ପତ୍ନୀ ଚା ଢାଳୁ ଢାଳୁ କହିଲେ- ‘ତମେ ଶୁଣିଲଣି, କାଲି କଫନ୍ ଚୋରାଉ ଥିବାବେଳେ ଗୋଟେ ଲୋକ ଧରାପଡ଼ିଛି।’
‘ପାଗଳ ହେଇ ଗଲକି?’ ଓଭର କୋଟ ମଫଲରରେ କାନ ଓ ଛାତିକୁ ଢାଙ୍କୁ ଢାଙ୍କୁ ସେ କହିଲେ- ‘କପଡ଼ାର ଏମିତି କି ଅଭାବ ଯେ! ତା’ ଛଡ଼ା ମଣିଷ ମରିଯିବ ପଛେ କବର ଖୋଳି କଫନ୍ ଚୋରାଇବାକୁ ଯିବ ନାହିଁ ….।’
ଫର୍ର ହାତମୋଜା ଢଙ୍କା ଅଙ୍ଗୁଳିମାନଙ୍କ ଦ୍ୱାରା ଚା’ ପିଆଲା ଉଠାଇ ସେ ଉତ୍ତର ଦେଲେ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ପଢ଼ିଲି, ମନ ଅବସାଦରେ ଭରିଗଲା