ସପ୍ତାହରେ ଦିନେ ତ ମଣିଷକୁ ଘରେ ରହିବାକୁ ଦିଅ, ସବୁଦିନ କେତେ ଧାଉଁଥିବା ବାହାରକୁ !

ଏକ ସାଧାରଣ ବସିବା ଘର। ସୋଫାସବୁ ନିଜ ଜାଗାରେ ଠିଆ ହେଇଥିଲେ ବି କୋଠରିଟି ଜମାରୁ ସଫା ଦେଖାଯାଉନି। କାର୍ପେଟ୍ଟା ଗୁଡ଼େଇ ହେଇ କାନ୍ଥ ପାଖରେ ପଡ଼ିଛି। ପଙ୍ଖା ପବନରେ ଖବରକାଗଜର ପୃଷ୍ଠା କିଛି ଇଆଡ଼େ ସିଆଡ଼େ ଉଡ଼ି ପଡ଼ିଛନ୍ତି। ଦିଇଟି କପ୍ ବି ପାର୍ଶ୍ବ ଛୋଟ ଟେବୁଲ୍ରେ ରଖା ହେଇଛି। ମିନି ନିଜ ଗୋଡ଼ ଦିଇଟାକୁ ଆଉ ଗୋଟିଏ ଛୋଟ ଟେବୁଲ୍ରେ ଲଦି ସୋଫାରେ ଅର୍ଦ୍ଧଶାୟିତ ଅବସ୍ଥାରେ; ଆଉ ଶରତ ଖବରକାଗଜଟିଏ ପଢ଼ିବାରେ ବ୍ୟସ୍ତ।
ମିନି: ବଡ଼ ବିରକ୍ତିକର ! ସମୟ ହଲୁନି ମୋଟେ ! ୱାର୍କିଂ ଦିନ ଭଲ। ଉଠିଲ – ଗଲ, ଆସିଲ – ଶୋଇଲ।
ଶରତ: (ଖବରକାଗଜରୁ ମୁହଁ ନ ଉଠେଇ) କୋଠରିଟା ଟିକେ ସଫା କରି ଦେଉନ। ବଡ଼ ଅସନା ଦିଶୁଛି।
ମିନି: ମ…ଲା! କିଛି କାମ ନାହିଁ ତ ଘର ସଫା କରିଦିଅ, ରୋଷେଇ ଘରକୁ ପଶି କଣ ବନେଇ ଦିଅ ! ମୋ ଦେଇ ଏ ସବୁ ହେବନି। କାଲି ସେ କମଳା ଆସୁ, ତା’ କରାମତି ଦେଖେଇବ। ଆଜି କିଛି ଭଲ ପିକ୍ଚର୍ ଦେଖିବାକୁ ଯିବା କି?
ଶରତ: (ମୁହଁରେ ବିରକ୍ତି ଓ କିଛିଟା କ୍ଲାନ୍ତି) ସପ୍ତାହରେ ଦିନେ ତ ମଣିଷକୁ ଘରେ ରହିବାକୁ ଦିଅ,ସବୁଦିନ କେତେ ଧାଉଁଥିବା ବାହାରକୁ ! ଆଜି ବାହାରୁ କିଛି ଖାଇବାନି ବି। ତୁମ ମା’ ଯୋଉ ଖେଚିଡ଼ି ବନାନ୍ତି ସେଇଟା ଆଜି ବନେଇଲ – ଯେତେ ଚାଉଳ, ସେତେ ଚୋପାଥିବା ମୁଗ ଆଉ ଚାରୁ ପାଣି।
ମିନି: ଏତେ ମନେ ଅଛି ତ ତୁମେ ବନାଅ।
(କଲିଂ ବେଲ୍ ବାଜିଚି। ମିନି ଯାଇ ଖୋଲିଛି କବାଟ)
ମିନି: (ବଡ଼ ପାଟିରେ) ଶରତ ! ଦେଖିଲ କିଏ ଆସିଛି।
(ମିନି ଗୋଟିଏ ଦମ୍ପତିକୁ ଧରି ବସିବା କୋଠରିରେ ପ୍ରବେଶକରିଛି। ଦାମିନୀ ଓ ଆକାଶ ଦୁହେଁ ମିନି ଓ ଶରତଙ୍କ ସମବୟସ୍କ।)
ଶରତ: ଆରେ! କେମିତି ଆସିବା ହେଲା ! ବଡ଼ ଖୁସିର କଥା ଭାଇ !

ଆକାଶ: ଏଇ ତୁମ ପାଖ ମଲ୍କୁ ସିନେମା ଦେଖିବାକୁ ଆସିଥିଲୁ।ଟିକିଏ ଡେରିରେ ସିନେମାଟା ଆରମ୍ଭ ହେବ। ଭାବିଲୁ ଏଠି ଟିକେ ବସିକି ଯିବା। ତୁମର କଣ ପ୍ରୋଗ୍ରାମ୍ ଆଜି?
ମିନି: ଆମେ ଘରଢ଼ିଙ୍କି ମ! ଆଜି ଶରତ ଖେଚିଡ଼ି ବନେଇବେ। ମୁଁ ସାଲାଡ଼୍ ବନେଇଦେବି। ଏଠି ଖାଉନ !
ଦାମିନୀ: ନାଇଁ ନାଇଁ! ସିନେମା ସରିଲେ ସେଇ ଫୁଡ଼୍ କୋର୍ଟ୍ରେ ତ କିଛି ଖାଇ ଘରକୁ ପଳେଇବୁ। ଆରେ ହଁ! ଆମେ ଏ ନଭେମ୍ବରରେ ମାଲେସିଆ ଯିବା ପାଇଁ ଭାବୁଥିଲୁ। ତୁମେ ଦୁହେଁ ଚାଲ। ମଜା ଆସିବ।
ଶରତ: ମାଲେସିଆ ! ଏଇ ତ ବର୍ଷେ ବି ହେଇନି ଯାଇକି !
ମିନି (ଆଗ୍ରହରେ): ଇଣ୍ଡୋନେସିଆ ଚାଲ। ମଜା ଆସିଯିବ।
ଦାମିନୀ: ଇଣ୍ଡୋନେସିଆ ! (ଟିକେ ଭାବି) ଠିକ୍ ଅଛି। ମାଲେସିଆ ଆର ଥରକୁ ରହିଲା। ଇଣ୍ଡୋନେସିଆ କେବେ ଯିବା ତେବେ?
ମିନି: ତୁମେ ଠିକ୍ କର। ଯେବେ କହିବ ତେବେ ଯିବା।କି ଖୁସି ଲାଗୁଛି ସତରେ !
ଆକାଶ: ତେବେ କଥା ରହିଲା। ମୁଁ ସବୁ ଟିକ୍ନିଖି ଦେଖି ପ୍ଲାନ୍ କରିବି। ଜଣେଇବି। ଏବେ ଯାଉଛୁ। କଣ ଟିକେ ଖାଇ ହଲ୍ ଭିତରକୁ ପଶିବୁ। ଜଳଖିଆ ଖାଇନୁ ତ – ଭୋକ ହେଲାଣି ।
(ଦୁହେଁ ‘ଟା ଟା ବାଇ ବାଇ’କହି ବାହାରିଗଲେ।
ଶରତ କବାଟଟା କିଳି ଦେଇ ଆସି ସୋଫାରେ ବସିଲା। )
ମିନି: (ବହୁତ ଖୁସିରେ) – କି ବଢ଼ିଆ ! କି ଚମତ୍କାରୀ ହେଇପାରେ ବେଳେବେଳେ। ଏବେ ମନଦୁଃଖ – ଏବେ ଖୁସି !
ଶରତ: ବାହାରକୁ ଯିବାକୁ ଖାଲି କୁରୁଳିଲେ କେମିତି ହେବ! ପଇସା ଏତେ କୋଉଠୁ ଆସିବ ! ସେଇ ଥରର ୟୁରୋପ ଟ୍ରିପ୍,ତାପରେ ପରେ ମାଲେସିଆ ଟ୍ରିପ୍ ବହୁତ କରଜ ହେଲାଣି। ଆଗ ସୁଝିବାର ବନ୍ଦବୋସ୍ତ କର।
ମିନି: ମୁଁ କଣ କରିବି? ମୋର ଦ୍ବାରା ଯାହା ସମ୍ଭବ ସବୁତ ଦେଇ ସାରିଛି।
ଶରତ: ଦୁଇଟା ବେଙ୍କ୍ର କ୍ରେଡ଼ିଟ୍ କାର୍ଡ଼୍ ପେମେଣ୍ଟ୍ ଅଛି। ସେମାନେ ଚାପା ପକଉଛନ୍ତି। ଏବେ ପୁଣି ଏ ଯୋଜନା !
ମିନି: ତୁମ ବାପାଙ୍କୁ ମାଗୁନ। ଏତେ ପଇସା ଧରି ବସିଛନ୍ତି ସେ !
ଶରତ: ନା! ସେ ଦେବେନି। ‘ମୋର ଏତେ କଷ୍ଟରେ ଅର୍ଜିଥିବା ପଇସା ମୁଁ ଫଟା ପାହୁଲାଟେ ବି ଦେବିନି, ତୋର ଏ ପୃଥିବୀ ଭ୍ରମଣ ପାଇଁ,’ କହିଲେ ସେ ସେଦିନ।
ମିନି (ରାଗିଯାଇ): ମଲା ! ସେ ଗଲାବେଳେ କଣ ନେଇକି ଯିବେ ନା କଣ ମ ! ତାଙ୍କ ପରେ ତ ତୁମେ ପାଇବ, ନା! ଏବେଠୁ ଆମେ ଖର୍ଚ୍ଚ କାହିଁକି କରି ପାରିବୁନି! ନିଜର ତ କିଛି ସଉକ ନାହିଁ,ପରର ଖୁସି ଦେଖିଲେ ନାହି ଡେଉଁଛି! ମା’ଙ୍କୁ କହ, ସେ ଚାପା ପକେଇବେ।
ଶରତ: ବାପା ତାଙ୍କୁ ବି ଧମକେଇଦେଲେ। କହିଲେ ‘ମୁଁ ଅର୍ଜିଛି। ମୁଁ ନିଷ୍ପତ୍ତି ନେବି।’
ମିନି: (ଆହୁରି ଚିଡ଼ିଯାଇ – ଗୋଟେ ପ୍ରକାର ଚିତ୍କାର କରି) ମରୁନି କାହିଁକି ସେ ବୁଢ଼ା –
(ଦୁହେଁ ଚୁପ୍ତାପ୍ ଚିନ୍ତାମଗ୍ନ ହେଇ ବସିଲେ। କିଛି ସମୟ ପରେ …)
ମିନି : ଆଇଡ଼ିଆ ! ଶୁଣ – ଚାଲ ଛାଡ଼ପତ୍ର ଦେବା।
ଶରତ: (ଚମକିପଡ଼ି – ସମ୍ପୂର୍ଣ୍ଣ ଶେତା ପଡ଼ିଯାଇ) କଣ କହିଲ! ଛାଡ଼ପତ୍ର!
ମିନି: ଆରେ! ଏମିତି କଣ ଚମକି ପଡ଼ୁଛ ମ! ମିଛିମିଛିକିଆ ଛାଡ଼ପତ୍ର। ଛାଡ଼ପତ୍ର ହେଲେ ତ ତମେ ମତେ ବେଶ୍ ପଇସା ଦେବ। ତୁମେ କଣ ଦେବ – ସେ ବୁଢ଼ା ଦବ। ସେ ପଇସାରେ ସବୁ କରଜ ସୁଝିଦେବା। ଆଉ ତା’ପରେ ପୁଣି ଯେମିତି ଥିଲେ ସେମିତି ରହିବା।
ଶରତ: (ଆଶ୍ଚର୍ଯ୍ୟ ହେଇ) ମାନେ ?
ମିନି: କଣ ବୁଝି ପାରୁନ ମ! ‘ଲିଭ୍ ଇନ୍’ ସମ୍ପର୍କରେ କଣ ଦମ୍ପତି ରହୁ ନାହାନ୍ତି? ଆମେ ସେମିତି ରହିବା। ଆଗ ପରି ସବୁ ଚାଲିବ -କରଜ ଶୁଝିଯିବ।
ଶରତ: ଇଏ କି ଦୁର୍ବୁଦ୍ଧି !
ମିନି: ଯୋଉ ବି ବୁଦ୍ଧି ହେଉ – ମୁଁ କଣ ଖାଲିଟାରେ ଓକିଲାତି ପଢ଼ିଛି !
ସୁଖପାଠ୍ୟ, ପ୍ରଭାବଶାଳୀ
ପ୍ରାୟ ନିତିଦିନିଆ ଘଟଣାକୁ ଲେଖିକା ମହଶୟା ଖୁବ ସୁନ୍ଦର ଭାବରେ ପରିପ୍ରକାଶ କରିଛନ୍ତି।ସୁଖପାଠ୍ୟ।ଭାବିବା ପାଇଁ ଅନେକ ଅଛି।ସତରେ ଚମତ୍କାର ଉପସ୍ଥାପନା।