ଆପଣା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ନେଇ ଫୁଲିଫାଟିବା ପୂର୍ବରୁ ସାହିତ୍ୟ ଦୁଇପଦ ପଢ଼ାଯାଉ।
“ଜଇତ ନାମ ରଥେ ବସି। ସ୍ୱଭାବେ ଶୋହେ ରୂପରାଶି।”
ଓଡ଼ିଆ ଜାତିର ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଯେତେବେଳେ ବଡ଼ଦାଣ୍ଡରେ ଗଡ଼ିଯାଏ, ସେତେବେଳେ ବିଶ୍ୱର କୋଣ ଅନୁକୋଣରେ ବସବାସ କରି ରହିଥିବା ଓଡ଼ିଆ ଉର୍ଦ୍ଧ୍ୱବାହୁ ହୋଇଯାଏ। ଆଖି ମୁଦି ହୋଇଯାଏ ଆଉ ତା କଣ୍ଠରୁ ସ୍ୱତଃ ବାହାରି ଯାଏ, ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ ଭବତୁ ମେ । ତା ଆଖିରେ ପହଁରି ଯାଏ ନୀଳଚକ୍ର ଓ ପତିତପାବନ ନେତ। ଉପର ଲିଖିତ ଭାଗବତର ଉଦ୍ଧୃତ ଦୁଇପଦ ତାକୁ ଭାବବିହ୍ୱଳ କରିଦିଏ।
ଅତି ପରିତାପର ପ୍ରସଙ୍ଗ ଏହି କି ଯେ, ଜଗନ୍ମୟ ଜଗନ୍ନିବାସ ଜଗନ୍ନାହାଙ୍କୁ ମନ-ପ୍ରାଣ-ଆତ୍ମାରେ ସାଇତି ରଖିଥିବା ଜଗନ୍ନାଥୀ ଭାଷାଭାଷୀଗଣ ଅଣଦେଖା କରି ଦିଅନ୍ତି ତାଙ୍କୁ, ଯେତେବେଳେ ପ୍ରଭୁଙ୍କୁ ଜଗ୍ଗର୍ନ୍ନାଟ୍ (ଜେ-ୟୁ-ଜି-ଜି-ଇ-ଆର୍-ଏନ୍-ଏ-ୟୁ-ଟି) ବୋଲି ସମ୍ବୋଧନ କରାଯାଏ। ଏହି ସମ୍ବୋଧନଟି ଆରମ୍ଭ ହୋଇଛି ପାଶ୍ଚାତ୍ୟ ଜଗତରୁ। ଅତି ସମ୍ବେଦନଶୀଳ ପ୍ରସଙ୍ଗ ଇଏ! ଜଗ୍ଗର୍ନ୍ନାଟ୍ ଏକ ସକାରାତ୍ମକ ଶବ୍ଦ ନୁହେ। ବିଦେଶୀ ଢଙ୍ଗର ଦେଖାଶିଖାରେ ଆମ ସାଆନ୍ତ ବିଶ୍ୱ ଦରବାରରେ ଅବଜ୍ଞୋପହତ ଏକ ବିଭତ୍ସ ଓ ବିକୃତ ରୂପରେ। ଏହି ଶବ୍ଦଟି ଜରିଆରେ ଏକ ଖଳନାୟକ ଭାବରେ ଚିତ୍ରିତ ହେଉଛନ୍ତି ସେ। ସେଇ ନୂତନ ନାମକୁ ଆମର ଶାସନକଳ ଠାରୁ ଆରମ୍ଭ କରି ପଶ୍ଚିମର ରଙ୍ଗଢଙ୍ଗ ହନୁକରଣ କରୁଥିବା ପ୍ରାୟ ସଭିଏଁ ରଟିବାରେ ଲାଗିଛନ୍ତି। ଅଭୂତବିଗ୍ରହ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଏହି ପଶ୍ଚିମୀ ନାମକରଣ ଏହି ପ୍ରଜାତିଙ୍କୁ ଆମୋଦିତ କରିବାରେ ଲାଗିଛି ଆତ୍ମୋପମ୍ୟବୋଧ ନେଇ। ଓଡ଼ିଆ ସାହିତ୍ୟ ବିଜ୍ଞାନୀଗଣ ପ୍ରବନ୍ଧ, ଗଳ୍ପ, କବିତାରେ ଏହି ନାମକୁ ନେଇ ବ୍ୟାସ ହୋଇଗଲେଣି। ଅନେକ ସୁଧୀ ଏହି ପ୍ରସଙ୍ଗକୁ ନେଇ ଅନ୍ୟ ଓଡ଼ିଆଙ୍କୁ ଚେତେଇବାରେ ଲାଗିଛନ୍ତି; ହେଲେ ବୁଝୁଛି କିଏ! ଓଡ଼ିଆଏ ହୁଏତ ଭାଗବତରେ ଲେଖା ହୋଇଥିବା ଭାବରେ ଭାବି ନେଇଛନ୍ତି ଯେ, “ଦେବେ କରନ୍ତି ପୁଷ୍ପବୃଷ୍ଟି। ଖଣ୍ଡିବେ ଗୋବିନ୍ଦ ଅରଷ୍ଟି“।
ଆପଣ ଜଗ୍ଗର୍ନ୍ନାଟ୍ ଶବ୍ଦର ପ୍ରକୃତ ଜ୍ଞାତାର୍ଥ ଜାଣିଛନ୍ତି, ବୁଝିଛନ୍ତି, ଶୁଣିଛନ୍ତି ତ! ଯଦି ହଁ ତେବେ ଅନ୍ଧ-ମୂକ-ବଧିର କିଆଁ! ଯଦି ନା ତେବେ ଆଜି ହିଁ ସମଝିବା ହେଉ; ନେଡ଼ି ଗୁଡ଼ କହୁଣିକି ବୋହିଯିବା ପୂର୍ବରୁ। କିହୋ, ଅଜ୍ଞ ଲୋକେ ଜଗନ୍ନାଥଙ୍କୁ ଜଗର୍ନାଥ, ଜଗର୍ନ୍ନାଥ, ପ୍ରଭୃତି କହି ଆସିଛନ୍ତି ଆଉ ଜଗ୍ଗର୍ନ୍ନାଟ ଶବ୍ଦଟି ତା ସହ ମେଳ ଖାଉଛି ବୋଲି ଆମେ କଣ ଆମ ସାଆନ୍ତଙ୍କୁ ଯାହି ତାହି କରି ଡାକିବା! ଜୁନ୍ ୨୦୨୩ରେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକୀୟ ଅତି ଦୃଢ଼ସ୍ୱରରେ ଏହି ନାମକରଣ ପ୍ରସଙ୍ଗରେ ସ୍ୱରଉତ୍ତୋଳନ କରିଥିଲା। ପଢ଼ି ବୁଝନ୍ତୁ।
ଏତିକି କହିବି ଯେ, ଆପଣା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ନେଇ ଫୁଲିଫାଟିବା ପୂର୍ବରୁ ସାହିତ୍ୟ ଦୁଇପଦ ପଢ଼ାଯାଉ, ସଂସ୍କୃତିର ଦୁଇକଥା ଆପଣେଇ ନିଆଯାଉ ଓ ନିଜର ଐତିହ୍ୟକୁ ମନ-ପ୍ରାଣ-ଆତ୍ମାରେ ବୁଝାଯାଉ। ଜଗନ୍ନାଥଙ୍କୁ ଜଗ୍ଗର୍ନ୍ନାଟ ବୋଲିବା ପୂର୍ବରୁ; ଜଗ୍ଗର୍ନ୍ନାଟ୍ର ପ୍ରକୃତ ଅର୍ଥ ବୁଝି ଆପଣାର ଦୋଷାଦୋଷ ପାଇଁ ପ୍ରାୟଶ୍ଚିତ ହେଉ। ଓଡ଼ିଆ ହେବା ପାଇଁ ବୀଜସ୍ଥାପନ ହେଉ, ଆପଣା ହୃଦରେ ଶ୍ରୀଜଗନ୍ନାଥଙ୍କ ଚରଣେ ଶରଣ ନେଇ। ଭାଗବତର ଭାବଗତ ଦୁଇପଦ ସହ ଆଜି ରହିବି :
“ପ୍ରକାଶ ସ୍ଥିତି ଅନ୍ତସୃଷ୍ଟି। ତରୁ ପଲ୍ଲବ ଯେହ୍ନେ ଅର୍ଷ୍ଟି।”
-ପ୍ରଭୂ
* ଜଗ୍ଗର୍ନ୍ନାଟ୍ – ଇଂରାଜୀ ଭାଷାରେ ଜଗନ୍ନାଥ ଶବ୍ଦର ବିକୃତୀକରଣ
(‘ସାହିତ୍ୟ ଚର୍ଚ୍ଚା ’ପତ୍ରିକାର ଅଗଷ୍ଟ,୨୦୨୪ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ । )
ଜଗ୍ଗର୍ନ୍ନାଟ୍ ଯାହାକି ଇଂରାଜୀ ଭାଷାରେ ଜଗନ୍ନାଥ ଶବ୍ଦର ବିକୃତ ରୂପ, ତାହାର ବିସ୍ତାର ସଂପର୍କରେ ଜାଣିବାକୁ ମିଳିଲା।
ବହୁତ ସୁନ୍ଦର ସୂଚନା। ରଥଯାତ୍ରା ବେଳେ ଯେଉଁମାନେ ଧାରା ବିବରଣୀ ଦେଉଥାନ୍ତି ସେମାନେ ମଧ୍ୟ ଜଗର୍ନାଥ ବୋଲି କହିଥାନ୍ତି ପ୍ରାୟ। ବଡ଼ କର୍ଣ୍ଣକଟୁ ହୁଏ।
ଜୟ ଜଗନ୍ନାଥ। ପ୍ରଶାନ୍ତ ଭାଇଙ୍କ ପ୍ରସଙ୍ଗଟି ଅତୀବ ସ୍ପର୍ଶକାତର।ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ପ୍ରଫୁଲ୍ଲ ପ୍ରକାଶନ ତରଫରୁ ପ୍ରକାଶିତ ପୁସ୍ତକ ‘Jagannath in allien eyes’ ପଢ଼ିପାରିବେ। ଏଥିରେ ଜନ୍ ବିମସ୍, ଆଣ୍ଡ୍ର୍ୟୁ ଷ୍ଟର୍ଲିଂ,ଗ୍ରିୟରସନ୍ ଆଦି ପ୍ରଶାସକ ତଥା ସାହିତ୍ୟ ଆଲୋଚକଙ୍କ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରଚିତ ଦୃଷ୍ଟିକୋଣ ବର୍ଣ୍ଣିତ। ଜଗ୍ଗର୍ନ୍ନାଟ୍ (Juggernaut) ଏକ ବିଶାଳ ନିଷ୍ଠୁର ଲୁହାଚକର ଶଗଡ଼ ଦାନବକୁ ବୁଝାଇଥାଏ, ଯାହା ରାସ୍ତାରେ ଅତି କଲଵଲ କରି ମଣିଷମାନଙ୍କୁ ଚାପି ମୃତ୍ୟୁମୁଖକୁ ପେଲି ଦେଇଥାଏ।ସେମାନେ ବିଦେଶୀ ବୋଲି ଏମିତି ଉଚ୍ଚାରିଲେ ଓ ଲେଖିଲେ। ଆମେ ମୂର୍ଖଙ୍କ ଭଳି ଜଗ୍ଗର୍ନ୍ନାଟ୍ କହିବା କେତେ ଦୂର ବିଜ୍ଞତା? ଜଣେ ସୁପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ମଧ୍ୟ ଏହି ଉଚ୍ଚାରଣ କରି ଗୀତ ଗାଇଛନ୍ତି। ମୋ ବ୍ୟକ୍ତିଗତ ଅଭିଜ୍ଞତାରୁ ଜାଣିଛି ଯେ ଏହି କେତେବର୍ଷ ଧରି କେବଳ ଗୁରୁପୋଥି ଘୋଷି ବା ପଢ଼ି କିଛି ଅଳପପାଠୁଆ ପ୍ରବାଚକ ଏପରି ଉଚ୍ଚାରଣ କରି ଛଦ୍ମ ବୋବାଳି ଛାଡ଼ିବାରେ ଲାଗିପଡ଼ନ୍ତି। ଠାକୁର ମୋର ଭାରି ସହଣିକ। ଭାରି ଭାବ ବତ୍ସଳ। ଦୟାକରି ଏ ଲେଖା ଓ ପୂର୍ବ ସମ୍ପାଦକୀୟ ସମସ୍ତଙ୍କ ଆଖି ଖୋଲିଦେଉ। ଜୟ ଜଗନ୍ନାଥ।
ନମସ୍କାର । ଏହି କଥାକୁ ଲୋକେ ବୁଝିଲେ ସିନା ?
ବିଡମ୍ବନା ଏହିକି ଯେ କିଛି ଅତ୍ୟାଧୁନିକ ବ୍ୟକ୍ତି ବିକୃତିକୁ ପ୍ରଗତି ବିଚାରୁଛନ୍ତି।