ଝିଅ ନାହିଁ ଯାହାର, କେତେ ଦୁଃଖ ତାହାର।
ଝିଅ ନାହିଁ ଯାହାର
କେତେ ଦୁଃଖ ତାହାର
ଅନୁଭବୀ ହୃଦୟକୁ
ଏକାନ୍ତରେ ପଚାର।
ଝିଅ ଘିଅ କହନା
ବଣ୍ଟାକୁଣ୍ଟା କରନା
ଝିଅ ସିନା ବୁଝେ ମାଆ
ଗର୍ଭ କଷ୍ଟ ଯାତନା।
ଝିଅ ଘର ସଜାଡ଼େ
ଶାଗ ମୁଗ ଖରଡ଼େ
ମନ ଜାଣି ମନଲାଖି
ଭାତ ତୁଣ ଯୋଗାଡ଼େ।
ଝିଅ ପାଇଁ ଗହଣା
କାଚ ମାଳି ଖେଳନା
ଯେତେ ଦେଲେ ସେତେ
ତାକୁ ଭରେନାହିଁ ପାଉଣା।
ଝିଅ ପାଇଁ କାନ୍ଦଣା
କେତେ ଗୀତ ବାହୁନା
ଟୁପୁଟାପୁ ଫୁସୁଫାସୁ
ଶୁଭେ ସାଇ ଅଗଣା।
ଝିଅ ଯୋଗୁଁ ଗହଳି
ଘର ପଡ଼େ ଉଛୁଳି
ଝିଅ ବିନା ଘର ଲାଗେ
ଧାନଶୂନ୍ୟ ଅଗାଡ଼ି।
ବାପା ମାଆ କଷଣ
ଝିଅ କରେ ବରଣ
ତାଙ୍କ ପାଇଁ ଆଖି ଲୁହ
ଢାଳି କରେ ତର୍ପଣ।
ଝିଅ ନାହିଁ ଯାହାର
ପର ଝିଏ ନଜର
ଝିଅ ଥିଲେ ଭାବନାରେ
ସବୁ ଝିଅ ଆମର।
ଝିଅ ଲକ୍ଷ୍ମୀ ଅମ୍ବିକା
ଆଲୁଅର ବର୍ତ୍ତିକା
ସେଥିଲାଗି କୁହାଯାଏ
କନ୍ୟା ରତ୍ନ ମାତୃକା।
ଝିଅ ଏକ ପୁସ୍ତକ
କବିତାର ସ୍ତବକ
ମନ ଦେଇ ପଢ଼ୁଥିଲେ
ପାଲଟିବ ଭାବୁକ।
ଝିଅ ପୁଅ ଫରକ
ଦେଖେ ନାହିଁ ବିବେକ
ଆଦର୍ଶ ଭାବେ ଗଢ଼ିଲେ
ଝିଅ ହୁଏ ଆତ୍ମିକ।
Very well composed. Congratulations.
ଅତି ସୁନ୍ଦର।ଯାହାର ଝିଅ ଅଛି ସେ ପ୍ରକୃତରେ ସବୁ ଝିଅଙ୍କୁ ନିଜର ବୋଲି ଭାବେ।ଝିଅର ଅବଦାନ ଭାଷାରେ ବ୍ୟକ୍ତ କରିବା ଅସମ୍ଭବ।
ଚମତ୍କାର ଆଲେଖ୍ୟ
ଅତି ସୁନ୍ଦର ବର୍ଣ୍ଣନା ।