ଏଇ ଟାଇମ୍ କେଡ଼େ କେଡ଼େ ପାୱାରଫୁଲଙ୍କୁ ମୁହୂର୍ତ୍ତକରେ ମୋଡ଼ିଦେଇ ପାରେ।
ଟାଇମ୍ , ସମୟ, ୱକ୍ତ୍ – ଏସବୁକୁ ନେଇ, ସ୍ବାମୀ ଅଭୟାନନ୍ଦ ଫାଉଣ୍ଡେସନର ନୂଆ ରିସର୍ଚ୍ଚ ପେପର ଯେଉଁଦିନ ବଜାରକୁ ଆସିଲା ସେଦିନ କଣ ଭୁଲି ହୁଏ? ଖବରକାଗଜମାନଙ୍କୁ ସମୟ ଅଣ୍ଟୁନାହିଁ କଥା ବଢ଼ାଇବାକୁ। ପଞ୍ଝାଏ ହେତୁବାଦୀ, ପଞ୍ଝାଏ ଅହେତୁବାଦୀ, ଆଉ ପଞ୍ଝାଏ ଦୁଇକୁଳବାଦୀ, ମାନେ ଆମ ରାଜନୈତିକ ଭାଷାରେ ଯାହାଙ୍କୁ କହନ୍ତି ବାଡ଼ ଉପରେ ବସିଥିବା ଫେନ୍ସ ସିଟର୍। ସେମାନେ ବାଡ଼ ଉପରୁ ଡ଼େଇଁପଡ଼ି ମୁହୂର୍ତ୍ତେ ପାର୍ଶ୍ୱପରିବର୍ତ୍ତନ କରିଦେଇ ପାରନ୍ତି। ସେ ଦୁଇ ବାଦୀ ପ୍ରତିବାଦୀଙ୍କ ଲଢ଼େଇ ଝଗଡ଼ାରେ ବଳଦିଅନ୍ତି ଏଇ ବାଡ଼ଡିଆଁମାନେ। ଭାରି ପାୱାରଫୁଲ୍ ଏମାନେ ! ୟାଙ୍କ ପାଖରେ ସମୟର ଅଭାବ ନଥାଏ। କିନ୍ତୁ ନିଜର ପତିଆରା ଦେଖାଇବାକୁ କହିବେ, “ଟାଇମ୍ ନାହିଁ !” ସେମାନେ ଯେବେ ଆମ ଦୁଆରକୁ ଆସନ୍ତି ଆମର ଟାଇମ୍ ଅଛି କି ନାହିଁ, ପଚାରିବା ଆମ ଗୋଚରକୁ ଆସି ନାହିଁ। ଆମର ତାଙ୍କ ପାଖରେ କାମ ପଡ଼ିଲେ ଆମ ପାଇଁ ତାଙ୍କର ଟାଇମ୍ ନ ଥାଏ। ଆମେ ତାଙ୍କ ଉପରେ ବିଶ୍ବାସ କରି ଫେରିଆସୁ। ଆଉଦିନେ ଯାଇ ପହଞ୍ଚିଯାଉ। କଣ କରିବୁ, ଆମର ତ ଗରଜ, ନହେଲେ ସବୁ କାମ ଛାଡ଼ି କାହିଁକି ଦଉଡ଼ନ୍ତୁ?
ଟାଇମ୍ କୁ ଆମେ ଯେତିକି ଜାଣୁ, ତା ପାଖରେ ବାଛ ବିଚାର ବହୁତ। ସିଏ ଭାରି ସିଲେକ୍ଟିଭ୍। ଆମପାଇଁ ସିନା ଟାଇମ୍ ନାହିଁ, ଖଣିମାଲିକ ସିରାଜୁଦ୍ଦିନ୍ କି କଣ୍ଟ୍ରାକ୍ଟର ସୋମ୍ ବାବୁ ଆସନ୍ତୁ ତାଙ୍କୁ ପାଛୋଟି ନେବାକୁ ପ୍ରସ୍ତୁତ ହୋଇଥିବ ଟାଇମ୍। ବହୁତ ମନୁଆ ଏ ଟାଇମ୍ ! ଏଇ ଟାଇମ୍ କେଡ଼େ କେଡ଼େ ପାୱାରଫୁଲଙ୍କୁ ମୁହୂର୍ତ୍ତକରେ ମୋଡ଼ିଦେଇ ପାରେ। ଏମିତି ବି ଶୁଣିଛୁ ରାତି ପାହିଲେ ରଜା ହୋଇ ଥାଆନ୍ତା ,ଆଜି ଯାଉଛି ବଣକୁ। ସିଏ ପୁଣି ଚଉଦବର୍ଷ ! ସେ ଟାଇମ୍ ସମସ୍ତଙ୍କୁ ମିଳିବ କେମିତି? ଏମିତି ହୁଏ ଆଜ୍ଞା !
ସେଇ ଟାଇମ୍ ପଛରେ ଗୋଡ଼ାଇ ଗୋଡ଼ାଇ ଆମ ରିସର୍ଚ୍ଚ ଟିମ୍ କିଛି ପ୍ରଶ୍ନୋତ୍ତରୀ ଡ଼ିଜାଇନ୍ କରିଛୁ ଯାହା କେତେକଙ୍କୁ ପଚାରି ବୁଝିଲୁ ! ତୁମେ ଗାଁକୁ କେବେ ଯାଇଥିଲ? ତୁମ ବାପାଙ୍କୁ କେବେ ଫୋନ୍ କରିଥିଲ, କି ଚିଠି ଦେଇଥିଲ? ଉତ୍ତର ମିଳେ, “ଟାଇମ୍ ନାହିଁ।”
ତୁମ ପିଲାଙ୍କ ପାଖରେ ବସି କେବେ ପାଠ ପଢ଼ାଇଛ? “ଟାଇମ୍ ନାହିଁ।” ପରିବାର ସହ କେବେ ମନ୍ଦିର ଯାଇଛ ? “ଟାଇମ୍ ନାହିଁ।” ଘରେ ଡାଇନିଂ ଟେବୁଲରେ ଏକାଠି ବସି ଖାଇଛ? “ଟାଇମ୍ ନାହିଁ।” ଏକାଠି କେବେ ସିନେମା ଯାଇଛ? “ଟାଇମ୍ ନାହିଁ।” ଟାଇମ୍ ଯାଉଛି କୁଆଡେ? ଅଫିସ ଓଭର୍ ଟାଇମ୍? ବହୁତ କାମ? ପଇସା ତ ଦରକାର ନା ! ତାହେଲେ ଟାଇମ୍ ଟା ପଇସାରେ ରୂପାନ୍ତରିତ ହୋଇଯାଉଛି !
ହଁ ! ଠିକ୍ କହିଛନ୍ତି। ବିନା ପଇସାରେ କଣ ମଥୁରାଗମନ ହୁଏ? ସୁଲଭ ସୌଚାଳୟ ବ୍ୟବହାର କଣ ଫ୍ରି? କେବେ ସଂସାର ଛାଡି଼ ବାବାଜି ହେବାକୁ ଭାବିଛନ୍ତି? ଗୁରୁଦକ୍ଷିଣା ତ ଦେବେନା ! ସେଥିପାଇଁ କାମ କରିବାକୁ ତ ହେବ ! ସେଥିପାଇଁ ଏ ଓଭରଟାଇମ୍ କାମ। ଦିପଇସା ତ ମିଳିବ !
ବାପା ହସ୍ପିଟାଲରେ ଥିବାବେଳେ ସାନଭାଇ ଆମେରିକାରୁ ଆସିପାରିଲାନି। “ଟାଇମ୍ ନାହିଁ।” ବାପା ଚାଲିଗଲେ, ଆସିପାରିଲାନି, “ଟାଇମ୍ ନାହିଁ।” ସେଇଥିଯୋଗୁଁ ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଭୁଲି ଯାଇନାହିଁ ଯେ କଣ କରିବା, ଟାଇମ୍ ନାହିଁ। କେତେ କଥା ଶୁଣିବାକୁ ମିଳୁଛି। ଦେଖହୋ, ୟାର ଟାଇମ୍ ନାହିଁ ! ଶୁଣୁଛି ! କଣ କରିବା? ଟାଇମ୍ ନାହିଁ। ଟାଇମ୍ ଆସିଲେ ଦେଖିବା ! ବର୍ତ୍ତମାନ ପାଇଁ ଟାଇମ୍ ନାହିଁ।
ଆମ ଲେଖା ପଢ଼ିବାକୁ ପାଠକଙ୍କ ପାଖରେ ଯେ ଟାଇମ୍ ଥିବ ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଏଗୁଡ଼ା ପଢ଼ିବାକୁ କାହାପାଖରେ ଟାଇମ୍ ଅଛି? ନାହିଁ ଆଜ୍ଞା, ସତରେ ଟାଇମ୍ ନାହିଁ।
ସତ କଥା ଅଭୟ ଭାଇ… ଆଜି ସମସ୍ତେ ବ୍ୟସ୍ତ… ମରିବାକୁ ବି ଟାଇମ୍ ନାହିଁ… କିଛି ଦିନ ପାଇଁ କରୋନା ଆସିଥିଲା ଯେ ସମସ୍ତଙ୍କୁ ହୃଦୟଙ୍ଗମ କରାଇ ଦେଇଥିଲା…ହେଲେ ଆମେ ପୁଣି ଭୁଲିଗଲୁ… ମନେ ରଖିବାକୁ ଟାଇମ୍ କାଇଁ?