ପେଚା

  • ଉପସ୍ଥିତ ପଶୁପକ୍ଷୀଙ୍କ ମଧ୍ୟରେ ପେଚାଟି କିନ୍ତୁ ଉଭା ହୋଇଥିଲା ମହାନତାର ପ୍ରତୀକ ଭାବେ।
ମୂଳ ଇଂରାଜୀ: ଜେମ୍‌ସ୍ ଗ୍ରୋଭର୍ ଥର୍ବର

ଅନୁବାଦକ: ଆଶିଷ କୁମାର ରାୟ

ଏହି ଯୁଗର କଥା। ଏକ ଅନ୍ଧକାର ତାରାବିହୀନ ରାତ୍ରିରେ ଗୋଟିଏ ବୃକ୍ଷର ଶାଖାରେ ପେଚାଟିଏ ଗୁମ୍‌ସୁମ୍ ହୋଇ ବସିଥିଲା। ସେତିକି ବେଳେ ଦୁଇଟି ଠେକୁଆ ସେହି ବାଟ ଦେଇ ଯାଉଥିଲେ। ସମସ୍ତଙ୍କ ଅଲକ୍ଷ୍ୟରେ ଚୁପ୍‌ଚାପ୍ ସେହି ବାଟେ ଖସିଯିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ତେବେ ସେମାନେ ଆଗକୁ ବଢିବା ମାତ୍ରେ ପେଚାଟି ଡାକ ଛାଡ଼ିଲା- “ଟିକେ ରହିଯାଅ!” ସେ ଠେକୁଆ ଦ୍ୱୟଙ୍କୁ ଦେଖିନେଇଥିଲା।
“କିଏ?” ଚମକିପଡି ଦୁଇ ଠେକୁଆ ଆଶ୍ଚର୍ଯ୍ୟଚକିତ ହେବା ସହିତ ସେଇଠି ଅଟକିଗଲେ। ଏଭଳି ଗହନ ଅନ୍ଧକାର ମଧ୍ୟରେ କେହି ଯେ ସେମାନଙ୍କୁ ଦେଖିପାରିବ ତାହା ବିଶ୍ୱାସ କରିବା ଥିଲା କଷ୍ଟ।
“ଠେକୁଆ ଭାଇ! ମୋ କଥା ଟିକେ ଶୁଣ…।” ପେଚା ପୁଣି କହିଉଠିଲା । କିନ୍ତୁ ଦୁଇ ଠେକୁଆ ଦ୍ରୁତ ଗତିରେ ସେଠୁ ଧାଇଁ ପଳାଇଲେ ଏବଂ ତୁରନ୍ତ ଯାଇ ଅନ୍ୟ ପଶୁପକ୍ଷୀମାନଙ୍କୁ ଖବର ଦେଲେ ଯେ ସେହି ଗଛରେ ବସିଥିବା ପେଚା ଖୁବ୍ ବୁଦ୍ଧିମାନ। ଏଥିସହିତ ସେ ମଧ୍ୟ ଜଙ୍ଗଲର ସର୍ବଶ୍ରେଷ୍ଠ କୁଟନୀତିଜ୍ଞ, କାରଣ ସେ ଅନ୍ଧାରରେ ସବୁକିଛି ସ୍ପଷ୍ଟଭାବେ ଦେଖିପାରୁଛି ଏବଂ ଜଟିଳ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରୁଛି।
କୋକିଶିଆଳିଟିଏ କହିଉଠିଲା, “ମୋତେ ଟିକେ ସମୟ ଦିଅ। ମୁଁ ଏ କଥାର ଯାଞ୍ଚ କରିବାକୁ ଚାହୁଁଛି।”
ତହିଁ ଆରଦିନ ରାତିରେ କୋକିଶିଆଳି ଯାଇ ପହଂଚିଲା ସେହି ବୃକ୍ଷ ସମ୍ମୁଖରେ, ଆଉ ପେଚାକୁ ପଚାରିଲା, “କହିଲ ଦେଖି ମୁଁ ଏବେ କେତୋଟି ପଂଝା ଉପରକୁ ଉଠାଇରଖିଛି?”

ପେଚା ତତ୍‌କ୍ଷଣାତ୍ ଉତ୍ତର ଦେଲା- “ଦୁଇଟି।” ଉତ୍ତର ଏକଦମ ଠିକ୍ ଥିଲା ।
“ଆଚ୍ଛା ଏବେ କୁହତ, ଅର୍ଥାତ୍ ଶବ୍ଦର ଅର୍ଥ କ’ଣ?” କୋକିଶିଆଳି ପଚାରିଲା ।
“ଅର୍ଥାତ୍‌ର ଅର୍ଥ ହେଲା କୌଣସି କଥାର ଉଦାହରଣ ଦେବା।”
କୋକିଶିଆଳି ଧାଇଁ ଧାଇଁ ଆସି ସମସ୍ତ ପକ୍ଷୀ ଓ ପଶୁମାନଙ୍କୁ ଗୋଟିଏ ଜାଗାରେ ଏକାଠି ବସାଇଲା। ସମସ୍ତଙ୍କୁ କହିଲା, “ପ୍ରକୃତରେ ମୁଁ ଯାହା ଦେଖିଲି ପେଚା ହେଉଛି ସବୁଠାରୁ ବଡ଼ କୁଟନୀତିଜ୍ଞ ଏବଂ ବୁଦ୍ଧିମାନ ମଧ୍ୟ, କାରଣ ସେ ସମ୍ପୂର୍ଣ୍ଣ ଅନ୍ଧକାର ମଧ୍ୟରେ ଦେଖିପାରୁଛି ତଥା ଜଟିଳ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରୁଛି।”
“କ’ଣ ସେ ଦିନର ଆଲୋକରେ ବି ଦେଖିପାରେ?” ବୁଢା ବଗଟିଏ ହଠାତ୍ ଏ ପ୍ରଶ୍ନ ପଚାରିଦେଲା। ଏହିଭଳି ପ୍ରଶ୍ନ ଜଙ୍ଗଲୀ କଟାସ ମୁହଁରୁ ମଧ୍ୟ ଶୁଣାଗଲା। ସମସ୍ତ ପଶୁପକ୍ଷୀ ଚିଲେଇ ଉଠିଲେ- “ଏ ଦି ଜଣଙ୍କ ପ୍ରଶ୍ନ ଅତ୍ୟନ୍ତ ମୂର୍ଖତାପୂର୍ଣ୍ଣ।” ଏଥିସହିତ ସମସ୍ତେ ଠୋ ଠୋ କରି ହସିବାକୁ ଲାଗିଲେ। କଟାସ ଓ ବୁଢା ବଗକୁ ଜଙ୍ଗଲରୁ ବହିଷ୍କୃତ କରିଦିଆଗଲା ଏବଂ ସର୍ବସମ୍ମତି କ୍ରମେ ପେଚା ନିକଟକୁ ବାର୍ତ୍ତା ପ୍ରେରଣ କରାଗଲା କି ସେ ଯେମିତି ଯଥାଶୀଘ୍ର ସମସ୍ତ ପଶୁପକ୍ଷୀଙ୍କ ନେତୃତ୍ୱ ନେବା ସହିତ ପଥପଦର୍ଶକ ବନିଯାଆନ୍ତୁ। ଯେହେତୁ ସେ ଜଙ୍ଗଲର ସବୁଠାରୁ ବୁଦ୍ଧିମାନ ତଥା କୁଟନୀତିଜ୍ଞ ଅଟନ୍ତି, ଏଥିପାଇଁ ମୁଖିଆ ତଥା ମାର୍ଗଦର୍ଶକ ହେବାର ଅଧିକାର କେବଳ ତାଙ୍କର ହିଁ ରହିଛି।
ପେଚା ସେମାନଙ୍କର ପ୍ରାର୍ଥନା ସ୍ୱୀକାର କରିନେଲା। ଯେଉଁ ସମୟରେ ସେ ଯାଇ ପଶୁ ପକ୍ଷୀଙ୍କ ସମ୍ମିଳନୀରେ ପହଂଚିଲା, ତାହା ଥିଲା ଦ୍ୱିପ୍ରହର ସମୟ । ସୂର୍ଯ୍ୟ ଥିଲା ମୁଣ୍ଡ ଉପରେ ଏବଂ ଉତ୍ତପ୍ତ କିରଣ ବିଛାଡି ହୋଇ ପଡ଼ିଥିଲା ଚତୁର୍ଦ୍ଦିଗରେ । ପେଚା ଅତି ଅନ୍ତର୍ପଣରେ ଧୀରେ ଧୀରେ ପାଦ ବଢାଉଥିଲା, ଯାହା ଫଳରେ ତା’ର ଚାଲିବା ଶୈଳୀ ଓ ବ୍ୟକ୍ତିତ୍ୱରେ ଏକପ୍ରକାର ସଂଭ୍ରାନ୍ତ ଭାବ ସୃଷ୍ଟି ହେଉଥିଲା । ତେବେ ପ୍ରକୃତ କଥା ହେଲା ତାକୁ କିଛି ଦେଖାଯାଉ ନଥିଲା। ଉପସ୍ଥିତ ପଶୁପକ୍ଷୀଙ୍କ ମଧ୍ୟରେ ସେ କିନ୍ତୁ ଉଭା ହୋଇଥିଲା ମହାନତାର ପ୍ରତୀକ ଭାବେ। ପେଚା ନିଜର ଗୋଲ ଗୋଲ ଆଖି ଖୋଲି ସମସ୍ତଙ୍କୁ ଦେଖିବାକୁ ଚେଷ୍ଟାକଲା। ଚତୁର୍ଦ୍ଦିଗକୁ ଦୃଷ୍ଟିନିକ୍ଷେପ କରିବାର ଏଭଳି ଭଙ୍ଗୀମା ଦ୍ୱାରା ସମସ୍ତେ ଆହୁରି ଅଧିକ ପ୍ରଭାବିତ ହେବାକୁ ଲାଗିଲେ।
“ୟେ କେବଳ ଆମର ପଥପ୍ରଦର୍ଶକ ନୁହନ୍ତି, ଜଣେ ମହାନ ନେତା ମଧ୍ୟ। ୟେ ତ ସାକ୍ଷାତ ଦେବତା… ଦେବତା,” ଗୋଟେ ମୋଟୀ ଜଙ୍ଗଲୀ କୁକୁଡା ଖୁବ୍ ଜୋର୍‌ରେ କହିଉଠିଲା। ଅନ୍ୟ ପଶୁପକ୍ଷୀମାନେ ମଧ୍ୟ ତାକୁ ଅନୁକରଣ କରି ଜୋରସୋରରେ ‘ଆମର ନେତା… ଆମ ଦେବତା’ କହି ସ୍ଲୋଗାନ ଦେବା ଆରମ୍ଭ କରିଦେଲେ।
ଏବେ ସେ ପେଚା, ଅର୍ଥାତ୍ ସେ ସମସ୍ତଙ୍କର ପଥପ୍ରଦର୍ଶକ, ନେତା ତଥା ଦେବତା ଧୀରେ ଧୀରେ ପାଦ ବଢାଇ ଚାଲିବା ଆରମ୍ଭ କରିଦେଲା, ବାକି ସମସ୍ତ ପଶୁପକ୍ଷୀ କିଛି ନ ବୁଝି ନ ଶୁଝି ତାକୁ ଅନୁସରଣ କରିବାକୁ ଲାଗିଲେ। ପ୍ରଖର ସୂର୍ଯ୍ୟ କିରଣ ଯୋଗୁ ପେଚାକୁ କିଛି ଦେଖାଯାଉ ନ ଥିଲା। ଚାଲୁଚାଲୁ ସେ କେତେବେଳେ ପଥରରେ ତ ଆଉ କେତେବେଳେ ଗଛମାନଙ୍କର ଗଣ୍ଡିରେ ଠୋକର ଖାଉଥିଲା। ଅନ୍ୟମାନଙ୍କର ମଧ୍ୟ ଅଳ୍ପେ ବହୁତେ ସେହି ଦଶା ହେଲା। ଏହିଭଳି ଝୁଣ୍ଟି ଝୁଣ୍ଟି ପଡିଉଠି ସେମାନେ ସମସ୍ତେ ଜଙ୍ଗଲ ସୀମାରେ ପଡିଥିବା ସଡକରେ ପହଂଚିଗଲେ। ଏହାପରେ ପେଚା ସଡ଼କ ମଝାମଝି ଚାଲିବା ଆରମ୍ଭ କଲା ଏବଂ ଅନ୍ୟମାନେ ତା ପଛେ ପଛେ ଚାଲିଲେ।
କିଛି ସମୟ ପରେ ଏକ ଗରୁଡ ପକ୍ଷୀ, ଯିଏକି ଭିଡ଼ ସହିତ ଉପରେ ଉପରେ ଉଡୁଥିଲା, ସିଏ ଦେଖିଲା ଯେ ଦୂରରୁ ଏକ ବଡ ଟ୍ରକ୍ ପ୍ରଳୟଙ୍କରୀ ଗତିରେ ଧାଇଁ ଆସୁଛି । ସେ କୋକିଶିଆଳିକୁ ଏହି ସୂଚନା ଦେଲା । କୋକିଶିଆଳି ତ ପେଚାର ସଚିବ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲା । ସେଥିପାଇଁ ସେ ସମ୍ମାନର ସହିତ ପେଚାକୁ ନିବେଦନ କଲା, “ଦେବତା!… ଆଗକୁ ବିପଦ ରହିଛି… ।”
“ଆଚ୍ଛା! ବିପଦ ରହିଛି?” ପେଚା ବିସ୍ମୟର ସହିତ ପ୍ରଶ୍ନ କଲା ।
“ଆପଣ କ’ଣ କୌଣସି ଆପଦ ବିପଦରେ ଭୟଭୀତ ହଅନ୍ତି ନାହି?” କୋକିଶିଆଳି ନିବେଦନ କଲା ।
“ବିପଦ… କି ପ୍ରକାର ବିପଦ? କାହାର ବିପଦ?”ପେଚା ଜାଣିବାକୁ ଚାହିଁଲା ।
ଟ୍ରକ୍ ଏକଦମ ପାଖାପାଖି ପହଂଚି ଯାଇଥିଲା, କିନ୍ତୁ ପେଚା ସେହିଭଳି ଗରିମା ପ୍ରଦର୍ଶନ ପୂର୍ବକ ଛାତିଫୁଲେଇ ଆଗକୁ ବଢୁଥିଲା । ମହାନ ନେତାଙ୍କ ଅନୁଗାମୀମାନେ ମଧ୍ୟ ପାଦକୁ ପାଦ ମିଳାଇ ତା’ର ଅନୁସରଣ କରୁଥିଲେ। ଏକ ଅଜବ ପରିସ୍ଥିତି ।
“ବାଃ ବାଃ… ଆମ ନେତା କେବଳ ବୁଦ୍ଧିମାନ ବା କୁଟନୀତିଜ୍ଞ ନୁହନ୍ତି, ସେ ଅତ୍ୟନ୍ତ ସାହସୀ ମଧ୍ୟ।” କୋକିଶିଆଳି ଉଚ୍ଚ ସ୍ୱରରେ ଘୋଷଣା କଲା । ଅନ୍ୟମାନେ ମଧ୍ୟ ଚିଲେଇ ଉଠିଲେ- ଆମ ନେତା ବୁଦ୍ଧିମାନ, କୁଟନୀତିଜ୍ଞ… ସାହସୀ… ।
ଅଚାନକ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ଏମାନଙ୍କ ଉପରେ ଚଢି ଚାଲିଗଲା, ପ୍ରାୟ ସମସ୍ତେ ଟ୍ରକ୍ ଚକା ତଳେ ଚକଟି ହୋଇଗଲେ । ମହାନ ବୁଦ୍ଧିମାନ ତଥା କୁଟନୀତିଜ୍ଞ ନେତା ସହିତ ତା’ର ମୂର୍ଖ ଅନୁଗାମୀମାନଙ୍କର ମୃତ ଶରୀର ରାସ୍ତାରେ ବହୁତ ଦୂର ପର୍ଯ୍ୟନ୍ତ ବିଛାଡି ହୋଇପଡିଲା ।

  • ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ଅଗଷ୍ଟ ୨୦୨୧ ସଂଖ୍ୟାରେ ପ୍ରକାଶିତ।

2 thoughts on “ପେଚା

  1. ଆଶିଶ କୁମାର ରାୟଙ୍କ ଦ୍ବାରା ଚମତ୍କାର ଅନୁବାଦ ମାଧ୍ୟମରେ ଏକ ଛୋଟ ଗଳ୍ପର ଅବତାରଣା ବେଶ୍‌ ମନଛୁଆଁ। ଏହି ଗଳ୍ପଟି ସମସ୍ତ ବର୍ଗର ପାଠକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ ବୋଲି ମୋର ଆଶା।

Leave a Reply

Your email address will not be published. Required fields are marked *