ଏ କାଳର ଉତ୍କଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ବିଶ୍ବାଂଶ ଅଟେ ଏ ଉତ୍କଳ
ଅତୀତ ଥିଲା ସମୁଜ୍ଜ୍ବଳ
ଏବେ ତ କ୍ଷୀଣ ଓ ଦୁର୍ବଳ
ଅକାମୀ ପ୍ରତିଭା, ସଂବଳ

ପ୍ରକୃତିଦତ୍ତ ଯେତେ ଦାନ
ହେଉଛି ପ୍ରତ୍ୟହ ଲୁଂଠନ
ଏହାର ସ୍ଥାୟୀ ପ୍ରତିକାର
ନିମଂତେ ସାଧ୍ୟ ନାହିଁ କା’ର

ଲୋକଂକ ଅଳସୁଆପଣ
ହେଲେ ହେଁ ପ୍ରଧାନ କାରଣ
ହୋଇପାରୁନି ନିବାରଣ
ଥମୁନି ବୃଥା ବାକ୍ୟରଣ

ଯେତେକ ନିରକ୍ଷର ଲୋକ
ସଂଭାଳି ପାରଂତିନି ଭୋକ
କରଂତି ଅନ୍ୟତ୍ର ଗମନ
କାଳେ ମିଳିବ ବୋଲି ଅନ୍ନ

ପରିଶ୍ରମକୁ କରି ଭୟ
ନିଅଂତି ପ୍ରଥାର ଆଶ୍ରୟ
କରଂତି ଅଧୀର ପ୍ରାର୍ଥନା
ଲୋକଂକୁ କାମ ନାହିଁ ଜଣା

ଯେତେକ ମେଧାବୀ ସଂତାନ
ଏଠାରୁ କରି ପଳାୟନ
ବିତାଂତି ସ୍ବଚ୍ଛଂଦେ ଜୀବନ
ଫେରିବା ପାଇଁ ନାହିଁ ମନ

ସମସ୍ୟା ଦିଶିଲେ ଚିଂତିତ
ହୋଇ କ୍ଷୁବ୍‌ଧ ଓ ବିଚଳିତ
କରଂତି ବେଶି ଯାତାୟାତ
ପ୍ରୟାସ ହୋଇଯାଏ ମୃତ

ଏପରି ହେଲେ ହେଁ ଅବସ୍ଥା
ତୁଟୁନି ସେମାନଂକ ଆସ୍ଥା
ପୂଜଂତି ନିଶ୍ଚଳ ବିଗ୍ରହ
ମାଗଂତି କୃପା, ଅନୁଗ୍ରହ

ଜୀବନଧାରାରେ ସଂସ୍କାର
ଥିଲେ ବି ଅତି ଦରକାର
ତାହା କରିବା ପାଇଁ ମନ
ଲଗାଂତିନାହିଁ ଜନଗଣ

ମଂଚରେ କରି କୀର୍ତିଗାନ
ଦିଅଂତି ଅପୂର୍ବ ଭାଷଣ
ଶୁଣାଳି କରିଲେ ଶ୍ରବଣ
ମନୋବାଂଛା ହୁଅଇ ପୂର୍ଣ

କରତାଳି ଅଥବା ଗାଳି
ଶାସକ, ବିରୋଧୀ ବତାଳି
ଦେବାକୁ ମଣଂତି ସ୍ବକର୍ମ
ତାହା ହିଁ ରାଜନୀତି ଧର୍ମ

ଏବର ଉତ୍କଳର ଦଶା
ବଢ଼ାଇ ପାରୁନି ଭରସା
ଏଠି ତ ଅଚଳ ସ୍ବଭାଷା
କାହାଠୁଁ କି କରିବ ଆଶା ?

2 thoughts on “ଏ କାଳର ଉତ୍କଳ

  1. ଓଡ଼ିଶାର ଦୁର୍ଦ୍ଦଶାର କାରଣଗୁଡିକ କବି ସଠିକ୍ ଭାବରେ ଦର୍ଶାଇଛନ୍ତି। ଜୟ ଜଗନ୍ନାଥ।

  2. ଚମତ୍କାର କବିତା ଆଜ୍ଞା ନମସ୍କାର

Leave a Reply

Your email address will not be published. Required fields are marked *