

ପଳାୟମାନ ନାଲିବତୀର ତରଂଗ
ରୁଗ୍ଣବାହିକାର ସାଇରନର
ଅନ୍ତର୍ଭେଦୀ ଚିତ୍କାର ଯାହା ଚିରି ଯାଏ
ନୀରବତାର ମୂର୍ଦ୍ଧନା ଆଉ ଏଇ ସର୍ବଂସହା ରାସ୍ତା
ସହି ଥାଏ କଣରେ କୁଢ଼ା ଆବର୍ଜନାର ନିର୍ଯ୍ୟାତନା
ବିଖଣ୍ଡିତ ପାଦଚାରୀ ମାର୍ଗ ଉପରେ
ଘୋଡଣୀ ବିହୀନ ଉନ୍ମୁକ୍ତ ଗର୍ତ
ଆଉ ଝଡ ବିଧୌତ ନଗ୍ନ ବିଜ୍ଞାପନପଟରୁ
ଉଂକି ମାରୁ ଥିବା ଚିରା ଫଟା ସୁନ୍ଦର ମୁହଁ ଗୁଡ଼ିକରେ
ତୁମେ ବନ୍ଧକ ପଡିଛ।

ଏଠି ନାହିଁ ତୁମର କିଛି ବିଶେଷତା
ଏଇ ସୀମାହୀନ ଜନସମୁଦ୍ରରେ ହଜି ଯାଇଛ ତୁମେ
ଆଉ ଗଳିମୁଣ୍ଡ ଛକରେ ଯାଇଛ ଅଟକି
ଅପେକ୍ଷା କରିଛ କେବେ ଏଇ ଲୋହିତ ଆଲୋକ ବଦଳିବ ସବୁଜରେ
ତମ ଗାଡି ଦରଜାରେ ଶୁଣୁଛ ମୃଦୁ କରାଘାତ
ରାସ୍ତାକଡର ପିଲାଟିଏ କାକୁତି କରୁଛି କିଣିବା ପାଇଁ
ଫୁଲ ତୋଡାଟିଏ ଯାହା ସିଏ ଚୋରାଇଛି
କାହା କବରରୁ
ଆଉ ତୁମେ ଆନମନା ହୋଇ ଦେଖୁଛ ସ୍ବପ୍ନ
ଖୋଜୁଛ ତୁମର ସବୁଜ ଅତୀତକୁ।