ସ୍ବଭାଷା ହୋଇନି ସ୍ବାଧୀନ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଲୋକଭାଷାଠୁଁ ହୋଇ ଭିନ୍ନ
ଚାଲିଛି ସ୍ବଭାଷା ଲିଖନ
ତେଣୁ ଏ ନୁହେ ସୁସଂପନ୍ନ
ଏବେ ବି ପରଂପରାଧୀନ

ଲେଖିବା ମାତ୍ରକେ ‘ ତତ୍ସମ ‘
ହୁଏନି ଲୋକ ବୋଧଗମ୍ୟ
ତେବେ ବି ଭାଷା ଜ୍ଞାନୀଗଣ
ସୁତଥ୍ୟ ପ୍ରତି ଉଦାସୀନ

ଯାହା ବି ତାଂକର ଅଭ୍ଯାସ
ତାହା ହିଁ କରଂତି ବିଶ୍ବାସ
ଲେଖକେ ଯେଣୁ ପ୍ରଥାଧୀନ
ଏ ଭାଷା ହୋଇନି ସ୍ବାଧୀନ

କେବଳ ସ୍ବାର୍ଥର ସାଧନ
ସହିତ ସମ୍ମାନ ଅର୍ଜନ
ନିମଂତେ ହୁଏ ଲେଖାଲେଖି
ସଭିଏଁ ପାରୁଅଛୁଁ ଦେଖି

ତେବେ ବି କିଛି ପ୍ରତିକାର
କରିବା ପାଇଁ ଅଧିକାର
ଏଠାରେ ନାହିଁ ତ କାହାର
କିପରି ହେବ ଅଗ୍ରସର

ଭାଷାମନସ୍ଥ ଲୋକ କେହି
ଖୋଜିଲେ ସୁଦ୍ଧା ମିଳୁନାହିଁ
ଜୀବନେ ଭୋଜନ ଶୟନ
ହୋଇଛି ମୁଖ୍ଯ ଉପାଦାନ

ଲୋକଗଠିତ ପ୍ରଶାସନ
ଜ୍ଞାନୀମଂଡିତ ପ୍ରତିଷ୍ଠାନ
କେହି ବି ଏଥି ପ୍ରତି ଧ୍ୟାନ
ଦେବାର ମିଳୁନି ପ୍ରମାଣ

ମାଟିର ଭାଷାକୁ ଉପେକ୍ଷା
କରି ମିଳୁଛି ଯାହା ଶିକ୍ଷା
ତହିଁର ଗୁଣ ଆଉ ମାନ
କେହି କରେନି ନିର୍ଧାରଣ

ମାଟିର ଅଦକ୍ଷ ସଂତାନ
କରି କେବଳ ଶ୍ରମଦାନ
ଚଳାଇ ନିଅଂତି ଜୀବନ
ସୁଜ୍ଞାନ ଏଠି ମୂଲ୍ୟହୀନ

ଯିଏ ଅର୍ଜନ କରେ ଜ୍ଞାନ
ତୁରଂତ ଛାଡ଼େ ଏହି ସ୍ଥାନ
ଅନ୍ୟତ୍ର ଯାଇ କରେ ବାସ
ପାଏ ସେ ସ୍ବକୀୟ ସଂତୋଷ

ଫେରିବା ପାଇଁ ନାହିଁ ବାଟ
ଏଠାରେ ସମସ୍ୟା ଉତ୍କଟ
ସ୍ବଭାବ ହୋଇଛି ସ୍ଖଳିତ
ନିର୍ଲଜ୍ଜ ସ୍ବାର୍ଥ କବଳିତ

ସ୍ବଭାଷା ହୋଇନି ସ୍ବାଧୀନ
ନିଜ ସୀମାରେ ସ୍ବୟଂପୂର୍ଣ
ଏହା ହିଁ ପ୍ରଧାନ କାରଣ
ଘଟୁନି ଜନ ଜାଗରଣ

(କବିଙ୍କ ପ୍ରକାଶ ଅପେକ୍ଷାରେ ଥିବା ‘ଭାଷା ଭାଗବତ’ର ଆଗାମୀ ଭାଗଟିର ଏକ ଅଂଶ।)

Leave a Reply

Your email address will not be published. Required fields are marked *