ମଙ୍ଗ୍‌ଲୁର ସ୍ୱପ୍ନ

ରମେଶ ପତ୍ରୀ

ଦଶ ବାର ବର୍ଷର ପିଲା ମଙ୍ଗ୍‌ଲୁ । ସେ ନିତିଦିନ ତା’ର ଗାଈ ପଲ ନେଇ ଜଙ୍ଗଲକୁ ଯାଏ । ଗାଈଗୁଡ଼ିକୁ ଚରିବା ପାଇଁ ଛାଡ଼ିଦିଏ । ଗଛମୂଳେ ଥିବା ଗୋଟିଏ ପଥର ଉପରେ ବସେ । ମନଖୁସି କରିବା ପାଇଁ ସେ ତା’ ଅଣ୍ଟାରେ ଖୋସା ହୋଇଥିବା ବଇଁଶୀଟି କାଢି ବଜାଏ । ତା’ ବଇଁଶୀରେ କି ଯାଦୁ ଥାଏ କେଜାଣି ଗଛ ଉପରେ କିଚିରି ମିଚିରି କରୁଥିବା ଚଢେଇମାନେ ତାହା ଶୁଣି ନିରବ ହୋଇଯାଆନ୍ତି ।

ମଙ୍ଗ୍‌ଲୁର ମୁଣ୍ଡ ଉପରେ ଥିବା ପାଖ ଡାଳରେ ଗୋଟିଏ ରଙ୍ଗବେରଙ୍ଗ କୁନି ଚଢେଇ ଆସି ବସିଯାଏ । ଏକ ଲକ୍ଷ୍ୟରେ ସେ ମଙ୍ଗ୍‌ଲୁକୁ ଅନାଏ । ମଙ୍ଗ୍‌ଲୁ ବଇଁଶୀ ବଜାଇବା ବନ୍ଦ କରିଦେଲେ ସେ ତା’ର ଛୋଟିଆ ଚଞ୍ଚୁ ମେଲାକରି ଶବ୍ଦକରେ; ଚୁଁ-ଚାଁ-ଚୁଁ-ଚାଁ । ସତେ ଯେମିତି ସେ କହିବାକୁ ଚାହେଁ ‘ଆଉ ବଜାଅ- ଆଉ ବଜାଅ’ ।
ମଙ୍ଗ୍‌ଲୁ କିଛି ସମୟ ପାଇଁ ଚଢେଇଟିକୁ ଅନାଏ । ତା’ପରେ ପୁଣି ତା’ ବଇଁଶୀ ସ୍ୱରରେ ସାରା ଜଙ୍ଗଲ ଚହଲିଯାଏ । ଗଛ ଉପରେ ବସିଥିବା ଆଉ ସବୁ ଚଢେଇ ତୁନି ହୋଇଯାଆନ୍ତି । ପୁଣି ଯେତେବେଳେ ମଙ୍ଗ୍‌ଲୁ ବଇଁଶୀ ବଜାଇବା ବନ୍ଦ କରିଦିଏ ସେହି ରଙ୍ଗୀନ୍ ଚଢେଇଟି ଚିଁ-ଚାଁ ଶବ୍ଦକରି କିଛି କହେ ।
ମଙ୍ଗ୍‌ଲୁ ତାକୁ କହେ, ‘ଥକି ଗଲିଣି । ଆଜି ଏତିକି ଥାଉ । କାଲି ପୁଣି ବଜାଇବି ।’
ଦେଖୁ ଦେଖୁ ସଞ୍ଜ ନଇଁ ଆସେ । ମଙ୍ଗ୍‌ଲୁ ନିଜର ଗାଈପଲ ଧରି ଘରକୁ ଫେରେ ।
ଦିନକର କଥା ମଙ୍ଗ୍‌ଲୁ ସାରାଦିନ ବଇଁଶୀ ବଜାଇ ଚଢେଇମାନଙ୍କୁ ଖୁସି କଲା । ସଞ୍ଚ ପୂର୍ବରୁ ଗାଈପଲକୁ ଖେଦି ସେହି ଗଛମୂଳକୁ ଆସିଲା । ହେଲେ ଏ କ’ଣ! ଯେଉଁ କୁନି ଚଢେଇକୁ ସେ ନିତି ଗୀତ ଶୁଣାଉଥିଲା ସେ ଗଛ ତଳେ ପଡ଼ି ଡେଣା ଫଡ଼ଫଡ଼ କରୁଥିଲା । ମଙ୍ଗ୍‌ଲୁ ଚଢେଇଟିକୁ ତଳୁ ଉଠାଇଲା । ଖୁବ ଆସ୍ତେ ତାକୁ ଆଉଁସିଦେଲା । ପାଖ ଚହଲାରୁ ପାଣି ଆଣି ତା’ର ଚଞ୍ଚୁ ଖୋଲି ଟୋପା ଟୋପା କରି ପିଆଇଲା । କିଛିସମୟ ପରେ କୁନି ଚଢେଇଟି ସୁସ୍ଥ ହେଲା ।
ମଙ୍ଗ୍‌ଲୁ ତାକୁ ଗଛ ଡାଳ ଉପରେ ନେଇ ଥୋଇଦେଲା । ତରତର ହୋଇ ସେ ଘରକୁ ବାହୁଡ଼ିଲା ବେଳକୁ ଆକାଶରେ ରୁପାଥାଳି ଭଳି ପୂର୍ଣ୍ଣମୀ ଜହ୍ନ ଉଠି ସାରିଥାଏ ।


ମଙ୍ଗ୍‌ଲୁ ଦି’ପାଦ ଆଗକୁ ବଢିଛି କି ନାହିଁ କିଏ ତାକୁ ତା’ ନାଁ ଧରି ଅତି ମଧୁର ସ୍ୱରରେ ଡାକିଲା । ମଙ୍ଗ୍‌ଲୁ ଚାରିଆଡ଼କୁ ଅନାଇଲା କାହିଁ କେହିତ ନାହାନ୍ତି! କିଛିସମୟ ପରେ ପୁଣି ସେହି ଡାକ, ‘ମଙ୍ଗ୍‌ଲୁ … ମଙ୍ଗ୍‌ଲୁ ..’ ।
ମଙ୍ଗ୍‌ଲୁର ଆଖି ସେହି ଗଛ ଡାଳ ଉପରେ ପଡ଼ିଲା । ଜହ୍ନ ଆଲୁଅରେ ଚଢେଇଟି, ଅତି ସୁନ୍ଦର ଦେଖାଯାଛି; କିନ୍ତୁ ଇଏ କ’ଣ ସେଇ ଚଢେଇ! ହୁଏତ ପୂରାପୁରି ସୁନାଭଳି ଜକଜକ ଦେଖାଯାଉଛି । ଚଢେଇଟି କହିଲା – “ମଙ୍ଗ୍‌ଲୁ , କ’ଣ ମୋତେ ଚିହ୍ନି ପାରିଲ ନାହିଁ? ମୁଁ ସେଇ ଟିକି ଚଢେଇ, ଯିଏ ନିତିଦିନ ତୁମର ଗୀତ ଶୁଣେ । ତୁମେ ମୋର ସେବାକରି ଜୀବନ ବଞ୍ଚାଇଛ ।”
ତା’କଥା ଶୁଣି ମଙ୍ଗ୍‌ଲୁ ଆଚମ୍ବିତ ହେଲା । ଚଢେଇ ହୋଇ ଇଏ ମଣିଷଙ୍କ ଭଳି କଥା କହୁଛି କେମିତି! ଚଢେଇଟି କହିଲା – ମଙ୍ଗ୍‌ଲୁ , ଆଜି ମୁଁ ତୁମକୁ କିଛି ଦେବା ପାଇଁ ଚହୁଁଛି । ତୁମର ଯାହା ଇଛା ମାଗ ।’
ମଙ୍ଗ୍‌ଲୁ କହିଲା – ‘ମୋର କିଛି ଦରକାର ନାଇଁ । ମୁଁ କେବଳ ତୋତେ ଚାହେଁ । ଏଇମିତି ପ୍ରତିଦିନ ବଇଁଶୀ ବଜାଉଥିବି .. ଆଉ ତୁ ବସି ଶୁଣୁଥିବୁ । ମୋର କେବଳ ଏତିକି ଇଛା’
ମଙ୍ଗ୍‌ଲୁ ଚଢେଇଟି କହିଲା – ଏଇଟା କ’ଣ ଗୋଟିଏ ଇଛା? ନାଇଁ ନାଇଁ, ତୁମକୁ ଆଜି ଆଉ କିଛି ଗୋଟାଏ ମୋତେ ମାଗିବାକୁ ପଡ଼ିବ ।” ମଙ୍ଗ୍‌ଲୁ ମନେମନେ ଭାବିଲା କ’ଣ ମାଗିବ; କିଛି ଠିକ୍ କରିପାରିଲା ନାହିଁ । ହଠାତ୍ ସେ ଗୋଟିଏ ବିଚିତ୍ର କଳ୍ପନା ଭିତରେ ଡୁବିଗଲା । ସେ କହିଲା – “ହଁ -ହଁ କୁନି ଚଢେଇ, ଏବେ ମୁଁ ତୋତେ ମୋ ମନଲାଖି ଜିନିଷ ମାଗିବି । ତୁ କ’ଣ ଦେଇପାରିବୁ?”
– “ ନିଶ୍ଚୟ, ତୁମେ ଯାହା ମାଗିବ ଦେବି ।”
ମଙ୍ଗ୍‌ଲୁ କହିଲା – “ମୋତେ ତୋ ପକ୍ଷୀ ରାଇଜକୁ ନେଇପାରିବୁ? ଆକାଶରେ ଉଡ଼େଇ ପାରିବୁ?”
ଚଢେଇଟି କହିଲା – “ଓଃ, ଏଇ କଥା!”

ତା’ପରେ ଚଢେଇଟି ତା’ର ନୀଳ ନୀଳ ଆଖିକୁ ବୁଲାଇଲା । ଦେଖୁଦେଖୁ କଳା ମେଘଟିଏ ଆସି ଆକାଶର ଜହ୍ନକୁ ଢାଙ୍କିିଦେଲା ।
କିଛି ସମୟ ପରେ ଜହ୍ନ ପୁଣି ଦେଖାଗଲା । ମଙ୍ଗ୍‌ଲୁ ନିଜକୁ ଭଲଭାବେ ଅନାଇଲା । ଦେଖଲା ସେ ଗୋଟିଏ ଚଢେଇ ପାଲଟି ଯାଇଛି!
ମଙ୍ଗ୍‌ଲୁ ଚଢେଇ ସହିତ ଆଗଭଳି କଥାହେବାକୁ ଲାଗିଲା । ହେଲେ ଏ କ’ଣ! ତା’ ନିଜ କଣ୍ଠର ଶବ୍ଦସବୁ ଚଢେଇଙ୍କ ଭଳି ଚିଁ-ଚାଁ-ଚିଁ-ଚାଁ ଶୁଭୁଛି!
ଟିକି ଚଢେଇ ସହିତ ସେ ବି ଡେଣା ହଲେଇ ଆକାଶରେ ଉଡ଼ିଲା । କି ଅସୁମାରି ଆନନ୍ଦ! ମଙ୍ଗ୍‌ଲୁ ର ଶରୀର ହାଲ୍‌କା ଆଉ ମନ ଉଲ୍ଲସିତ ହୋଇଉଠିଲା । ଦୂର ଆକାଶରୁ ପୃଥିବୀର ବଣ, ପାହାଡ଼, ରାସ୍ତାଘାଟ, ଗାଁ-ଦାଣ୍ଡ ତାକୁ ଭାରି ସୁନ୍ଦର ଦିଶିଲା ।
ତା’ପରେ ସୁନେଲି ଚଢେଇ ସହିତ ସେ ତଳକୁ ଖସିଲା । ଦେଖିଲା ଗଛମାନଙ୍କରେ ଚଢେଇମାନେ ରକମ ରକମର ବସା କରିଛନ୍ତି ।
ସୁନେଲି ଚଢେଇ ମଙ୍ଗ୍‌ଲୁକୁ ନେଇଗଲା ତା’ ବସା ଭିତରକୁ । ତା’ ଭିତରେ ସୁନେଲି ଚଢେଇର ମା’ ବାପା ଥିଲେ । ସେମାନେ କିଚିରି ମିଚିରି କରି ଏଇ ନୂଆ ଚଢେଇଟି ବିଷୟରେ ସୁନେଲି ଚଢେଇକୁ ଅନେକ କଥା ପଚାରିଲେ ।
ସୁୂନେଲି ଚଢେଇଟି ସବୁ କଥା କହିଲା । ମା’ ଆଉ ବାପା ଛୋଟ ଛୋଟ କୋଳି ଆଣି ମଙ୍ଗ୍‌ଲୁର ଚଞ୍ଚୁରେ ଦେଲା । ମଙ୍ଗ୍‌ଲୁ ତା’ ଜୀବନରେ ଏଭଳି ସୁଆଦିଆ କୋଳି କେବେ ଖାଇ ନଥିଲା ।
କିଛିସମୟ ପରେ ସୁନେଲି ଚଢେଇଟି ପାଟିକରି କିଚିରି୍ ମିଚିରି୍ ଶବ୍ଦ କଲା । ତା’ ଶବ୍ଦ ଶୁଣି ଗଛର ସବୁ ଚଢେଇ ଆସି ଠୁଳ ହୋଇଗଲେ । ସେମାନେ କିଚିରି୍ ମିଚିରି୍ ଚିଁ-ଚାଁ ଶବ୍ଦରେ କେତେ କଥା କହିଲେ । ସମସ୍ତେ ମଙ୍ଗ୍‌ଲୁକୁ ଅଭିନନ୍ଦନ ଜଣାିଲେ; ନିଜ ନିଜ ବସାକୁ ନିମନ୍ତ୍ରଣ କଳେ ।
ଚଢେଇମାନଙ୍କ ସହିତ କଥା ହେଉହେଉ ମଙ୍ଗ୍‌ଲୁ ଥକି ପଡ଼ିଲା । ତାକୁ ନିଘୋଡ଼ ନିଦ ଘୋଟି ଆସିଲା ।
ଇତିମଧ୍ୟରେ ଅନେକ ସମୟ ବିତିଯାଇଥାଏ । ହଠାତ୍ ଗାଈଗୋରୁଙ୍କ ହମ୍ବା ରଡ଼ିରେ ମଙ୍ଗ୍‌ଲୁର ନିଦ ଭାଙ୍ଗିଗଲା । ସେ ଆଖି ମିଳମିଳି ଦେଖିଲା, ଜଙ୍ଗଲ ଭିତରେ ଗଛତଳେ ସେ ବସିଛି । ପୂରୁବ ଦିଗରେ ନାଲି ରଙ୍ଗର ସୂରୁଜ ଜକ ଜକ ହୋଇ ଉପରକୁ ଉଠୁଛନ୍ତି । ଗାଈଗୋରୁ ଏଣେତେଣେ ଚରି ବୁଲିଲେଣି । ମଙ୍ଗ୍‌ଲୁ ଆଖି ବୁଲେଇଲା ତା’ ମୁଣ୍ଡ ଉପର ଡାଳକୁ । ଦେଖଲା ତହିଁରେ ପୂର୍ବର ସେଇ କୁନି ଚଢେଇଟି ବସି ଚିଁ-ଚୁଁ-ଚିଁ-ଚୁଁ ଶବ୍ଦ କରୁଛି । ସତେଯେମିତି ସେ ପଚାରୁଛି – ‘ମଙ୍ଗ୍‌ଲୁ .. ମଙ୍ଗ୍‌ଲୁ , ଆମ ପକ୍ଷୀ ରାଇଜ କେମିତି ଲାଗିଲା?’

One thought on “ମଙ୍ଗ୍‌ଲୁର ସ୍ୱପ୍ନ

Leave a Reply

Your email address will not be published. Required fields are marked *