ଦେଶଜ ଓ କଥିତ ଭାଷାର ସହଜ ସାହିତ୍ୟ

କମଣ ଡୁଡୁ

ପ୍ରଶାନ୍ତ ଭୂୟାଁ (ପ୍ରଭୂ)

ହେଇଟି ଇଆଡ଼େ ଟିକିଏ କାନୋଉନୁ;
ଆମ ଗାଁ ସାଉପୁଅ ପରା ତା ବୋଉକୁ “ମମ୍‌” ବେଲି ହୁଙ୍କାରୁଚି ଆଉ ତା’ବାଆ କୁ “ଡାଡ୍‌” କଉଚି। ହ୍ୟାଳିପ କ’ଣ ସବୁ ଏଣୁତେଣୁ ବାଉଳି ବିଚାଳି ହେଉଚି। କିଏ ହୁସିଲ୍‌ ବଜେଇଲେ କଉଚି “ସିଟି”, କାହାକୁ ପାଖରେ ବସେଇଲେ କଉଚି “ସିଟି”, କେଉଁଠୁ ଆଇଲୁ ବେଇଲେ କଉଚି “ସିଟି” ଆଉ ଶଳା ହଗିଲେ ବି କଉଚି “ସିଟି” । ଉଛୁଣିକା ଗାଁ ପିଲେ ତାକୁ ଦେଖିଲେ କଉଚେତି “ସିଟି ଗାଇ” ।

ମୁଁ ସେଦିନ ହାଁ କରି ଅନେଇବାରୁ ମତେ କଉଚି,
“କମଣ ଡୁଡୁ”
ସେ ଶଳା ବି ଦି’କାନରେ ପଇତା ସୂତା ଭଳିଆ ଦିଟା ବାଇରୀ ଗଳେଇ ବାରି ଏଣ୍ଡୁଅ ଭଳି ମୁଣ୍ଡଟାକୁ କେତେବେଳେ ଟୁଙ୍ଗାରି ନୁହିଁ ପଡ଼ୁଚି ତ କେତେବେଳେ ଝାଡ଼ାବାନ୍ତି କଲାଭଳି “ ଏ ଓଃ ବ୍ୱ” ନହେଲେ ବାଳୁମୂଳିଆ ଘା ହେଲା ଭଳିଆ “ଉଃ ଆଃ” ହେଇଥାଉଚି। କେତେବେଳେ କୋରଟରେ ଥିବା ଘଡ଼ିର ସେଇ ଘଣ୍ଟିକା ଭଳିଆ ଏକାନି ସେକାନି ହଲି ଥାଉଚି। ପଚାରିଲେ କଉଚି “ପାପ ସାଙ୍ଗ” ନହେଲେ “ରେପ ସାଙ୍ଗ” ଶୁଣୁଚି। ଅବାଗିଆ କଥା ଇଏ। ଏ କି ଗୀତ, କିସ ଅଛି ସେ ଗୀତରେ କେଜାଣି। ଶଳା ଖାଲି ହଲୁଚି ଝୁଲୁଚି।

ଆଉରି କଉଚି ଶୁଣୁନୁ ତା’କଥା। ଟାଉନିଆ ଦେଖେଇ ହୋଉଚି। ଖାଇଲି ହାତରେ ୱାଚି ଲଗୋଉଚି, ଡେବିରି ହାତରେ ସିଗୁରୁଟୁ। ହଣ୍ଡାହାଣ୍ଡିର ପାଣି ପିଉନି ବୋଲି ଦେଠେଈ କଉଥିଲା ସେଦିନ। ଖାଲି ବୋତୋଲୋ ପାଣି ରଙ୍କ ଦୋକାନରୁ ବାକିରେ ଆଣୁଚି। ସେଦିନ ତା ମା ରୁଟି ବେଲି ଦେବାରୁ କଇଲା ଏ ସବୁ କଣ ମଣିଷ ଖାଆନ୍ତି କି ଲୋ ! ରୁଟିଟାକୁ ପାନ ଭଳିଆ ମୋଡ଼ି ତା’ଭିତରେ ଆଳୁଭଜା ଆଉ ପିଆଜ ମାରି କଉଚି ଏଇଟା ପିତାରୋଳ। ମା’କୁ କଉଚି ପିଆଜି କରେ, ବାରଘର କରେ, ସାଙ୍ଗଉଆଚି କରେ; ଶଳା, ଆମ ବାପଅଜା କାଳେ ଶୁଣିନୁ ଦିକାନ ଉଠିଲା ବେଳୁ ଏମନ୍ତ କଥା। ବଡ଼ କାଣ୍ଡୁଆଟାଏ। ଦି ବରଷ ଯାଇ ଦୁବେଇରେ ନଉକରୀ କରି ଆଇଲା ଯେ ଆଉ ରଖେଇ ଥୋଇ ଦେଉନି ପରା। ଘର ଭିତରକୁ ଆଇଲେ ସେ ଗୋଦରଗୋଡ଼ିଆ ବୁଟୁ କାଡ଼ୁନି। ଆମ ଘର କୋଠାଈଶାଣ ଯାଏଁ ସେଦିନ ମାଡ଼ି ପଳେଇଲା। ସେଦିନ ଦେଇଥାନ୍ତି ଯେ ଆକାନିକି, ହ୍ୟାଳିପର କାନକୁଟିକୁ, ହରି ଛାଡ଼ିଯାଇଥାନ୍ତା। କଇଲେ କଉଚି “ସାରୀ”।

କି ବିଦେଶ ଗଲା ଯେ,
ଶଳା ଆଉ ବଣବୁଦାରେ ହଗି ପାରୁନି। ଘରେ ଠିଆ ପାଇଖିନା କରିଚି।ସବୁ କରୁଚି ଠିଆରେ। ନଳୀ ପେଣ୍ଟର ଚେନେଟା ସାଇଁ କିନା ମେଲି ଦେଇ ସବୁ ଠ-ଠା-ଠି। ହଗିଲେ ଛଞ୍ଚୁନି। ବେଣ୍ଡେଜ୍‌ କାଗଜରେ ଖାଲି ପୋଛି ଦେଉଚି। ସେ ଝାଡ଼ା ଛୁଆଁଚିରେ ଗାଁ ସାରା ବୁଲୁଚି। ୯ଟାରେ ଉଠୁଚି ରାତି ୩ଟାରେ ଶୋଉଚି। ହାତରେ ମିସିନିଟେ ଧରିଚି ଯେ କିସ କଇବି ସେ ମିସିନିର କଥା। ବଡ଼ ଜନ୍ତର ହେଇଚି ବା। ତାହିଁରେ ଫୋଟୋ, ତାହିଁରେ ନାଟ, ତାହିଁରେ କଥା ଆଉ ତାହିଁରେ ପାଣିପବନ କଥା ସବୁ ଆଉଚି। କଉଚି ସେଇଟାର ନାଁ ଆଣ୍ଟରଡ଼ି। ଆମେ ଚାପାଣି ପିଇଲେ ଟିକିଏ ତାତେଲା କରି ପିଉଚୁ କି ନାଇଁ; ହେଲେ ସିଏ ପିଉଚି “କୁଲାଡ଼ କାଫି” । ଘରେ ଥଣ୍ଡାଶୀତଳ ପେଢ଼ିଟେ ରଖିଚି। ତାହିଁରୁ କାଉପଥର କାଢ଼ି କାଫି ଗୋଳେଇ ପିଉଚି।

ଆବା, ରଇଥା ରେ; କହୁଛି ତା ଛଡ଼ି ସବୁ। ଯୋ ଦିନ ଗାଁକୁ ଆସିଲା; ଘରେ ପଶିଚି କି ନାଇଁ, ତା ଜେଜେବୁଢ଼ୀ ଦାଣ୍ଡରେ ବଇଥିଲା। ତାକୁ ଯାଇ ଦି ହାତ ତେନ୍ତାରୀ କଇଲା “ହଗ”। ସକାଳୁ ବୁଢ଼ୀକି ନାଳରକତ ଝାଡ଼ା ହଗି ହେଇ ଧଇଁ ଉଠୁଥିଲା। ଆର ହଗ ଶୁଣି ବୁଢ଼ୀ ଛାନିଆଁ ହେଇ ତା’ ନୁଗାପଟା ସବୁକୁ ଆଖି ବୁଲେଇନେଲା। ଭାବିଲା କାଳେ ନୁଗାରେ ଗଳେଇ ଦେଇଥିବ ଗୁଅମୁତ କିଛି। ହେଲେ କିଛି ନାଇଁ। ତା’ର ରାଗ ପଞ୍ଚମକୁ ଉଠିଲା। ବାଙ୍କୁଲୀ ବାଡ଼ି ଧରି ତଡ଼ିନେଲା ନାତିଆକୁ ରଇଜଳା…ରକତଖିଆ କହି। ଏ ମର୍‌ଡନ ମାଧିଆ ବେଗ୍‌ମୁଣା ପକେଇ ଧାଇଁଲା ବାରି ଆଡ଼େ ଦେଠେଇ ପାଖକୁ।

ଆଉ ଥରେ କ’ଣ ହେଇଚି ବେଇଲେ…
ମତେବି ଏଇ ମିସିନିଟା ଆଗରେ ବସି ଆଉ ସେଇ ମାଙ୍କଡ଼ଦାନ୍ତିଆ ଗୁଣ୍ଡିଯାକ ବାଡ଼େଇ ବାଡ଼େଇ ବିଜାରିଆ ଲାଗିଲାଣି ।

3 thoughts on “ଦେଶଜ ଓ କଥିତ ଭାଷାର ସହଜ ସାହିତ୍ୟ

  1. ବାଃ ଦେଶଜ କଥିତ ଭାଷାରେ ଚମତ୍କାର ବ୍ୟଙ୍ଗ ରଚନା।

  2. ବାଃ ଦେଶଜ କଥିତ ଭାଷାରେ ଚମତ୍କାର ବ୍ୟଙ୍ଗ ରଚନା। ମାତ୍ର ଏହା ଅସମ୍ପୂର୍ଣ୍ଣ ମନେହେଲା।

  3. କାମ୍ପ୍ଲିଟ୍‌ କଲେ ତ ସଇଲା କଥା। ଏଇ କଥାଟି କଣ ସରିବ ନା ଫୁଲଗଛଟି ମରିବ।
    ଏଣୁ ନେଖାଯୋଖା ସବୁ ରଇଚି। ଆଉରି ଆଇବ ହୋ। ତେମେ ପଢ଼ୁଥିବ ଆଉ ହସିହସି ଗଡ଼ୁଥିବ।
    ସେଇଥିରେ ହିଁ ସିନିହ ଶରଧା।

    ଆଉରି ଅଛି; ଆଗକୁ।
    ଶରଧା ଥାଉ।
    -ପ୍ରଭୂ

Leave a Reply

Your email address will not be published. Required fields are marked *