ବର୍ଷୀୟାନ୍ ଗୀତିକାର ସଚ୍ଚି ମହାନ୍ତିଙ୍କ ସହିତ ଅନ୍ତରଙ୍ଗ ଆଳାପ

ମୁଁ ନିଜେ ବି ବେଳେବେଳେ ଭାବେ, ଯେ ମୁଁ କେମିତି ପାରିଲି? ମୁଁ ଯେ ଗୀତ ଲେଖିକରି ବଞ୍ଚିବି ଏ ବିଶ୍ୱାସ ଆଉ ଭରସା ମୋ’ର ଦିନେ ନଥିଲା।

ନିଜ ଜୀବନକାଳ ମଧ୍ୟରେ ୫୦୦୦ରୁ ଅଧିକ ଗୀତ ଲେଖିସାରିଥିବା ବର୍ଷୀୟାନ୍ ଗୀତିକବି ସଚ୍ଚି ମହାନ୍ତିଙ୍କର ବୟସ ଏବେ ୮୦ ବର୍ଷ। ତାଙ୍କର ଅନେକ ରଚନା ଚଳଚ୍ଚିତ୍ର, ଆକାଶବାଣୀ, ଟେଲିଭିଜନ, ସଂଗୀତ ଆଲବମ୍ ତଥା ପୁସ୍ତକାକାରରେ ପ୍ରକାଶିତ ହେଇ ଅଗଣିତ ଶ୍ରୋତା ଓ ପାଠକଙ୍କ ହୃଦୟ ଜୟ କରିପାରିଛି। ସେ ଜଣେ ଶ୍ରେଷ୍ଠ ଗୀତିକବି ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ତା’ଙ୍କ ସହିତ ଆଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।

ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ରଚିତ ଅନେକ କାଳଜୟୀ ଗୀତ ଓଡ଼ିଆ ଜାତିର ମାନସପଟରେ ଅଙ୍କାହୋଇ ରହିଛି; ଯେମିତି, “ମାଆ ତୁମେ ମମତାର ସୀମାହୀନ ସାଗର …,” ଆଉ “ଅଭିମାନିନୀ ଏ ଅମାନିଆ ଢ଼େଉ …।” ତେବେ ଆମେ ଆପଣଙ୍କୁ ଜଣେ କବି ବୋଲି କହିବା ଠିକ୍ ହେବ, ନା ଗୀତିକବି?
ସଚ୍ଚି ମହାନ୍ତି: କବି କହିଲେ ଚଳିବ, ଯେହେତୁ ଏବେ ଗୀତିକବିତାକୁ ସାହିତ୍ୟରେ କବିତା ବୋଲି ଗ୍ରହଣ କରାଯାଉଛି; ଯାହା ଆଗରୁ ହେଉନଥିଲା। ଜାନକୀ ପଟ୍ଟନାୟକଙ୍କ ଶାସନ ଅମଳରେ ଆମ ସାହିତ୍ୟ ଏକାଡେମୀ ଗୀତିକବିତାକୁ କବିତା ଭାବରେ ସ୍ୱୀକୃତି ଦେଲେ।
ସାହିତ୍ୟ ଚର୍ଚ୍ଚା: ତେବେ ଆଗରୁ କ’ଣ ଗୀତିକବିମାନେ ସାହିତ୍ୟ ଏକାଡେମୀ ପୁରସ୍କାର ପାଉନଥିଲେ?
ସଚ୍ଚି ମହାନ୍ତି: ନା, ପାଉନଥିଲେ।
ସାହିତ୍ୟ ଚର୍ଚ୍ଚା: କିଛିବର୍ଷ ତଳେ ଯେତେବେଳେ ଆମେ ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟଙ୍କ ସହିତ ଥରେ ଆଳାପ କରୁଥିଲୁ, ସେ କହିଲେ, “କବି ତ କବି, ଗୀତିକବି ପୁଣି ଗୋଟାଏ କ’ଣ?” ଏ ବିଷୟରେ ଆପଣଙ୍କ ମତ କ’ଣ?
ସଚ୍ଚି ମହାନ୍ତି: ଭଲ ପ୍ରଶ୍ନଟିଏ। ଜାନକୀବାବୁ ତ ନିଜେ ଜଣେ ସାହିତ୍ୟିକ ନା! ଗୀତିକବିତାର ସ୍ରଷ୍ଟାମାନଙ୍କୁ ଜଣେ କବି ଭାବରେ ସମ୍ମାନ ଦେବାର ପ୍ରଥା ପୂର୍ବରୁ ନଥିଲା। ଜାନକୀବାବୁ ଏହାକୁ ଗ୍ରହଣ କଲେନାହିଁ। ସେ ସେମାନଙ୍କୁ ଗୀତିକବି ବୋଲି କେବଳ କହିଲେ ନାହିଁ; ବରଂ କହିଲେ ଯେ ସେମାନେ ହେଉଛନ୍ତି କବି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କୁ ଆମେ ଗୀତିକବି ପରିବର୍ତ୍ତେ “ଗୀତିକାର” ବୋଲି ମଧ୍ୟ କହିପାରିବା କି?
ସଚ୍ଚି ମହାନ୍ତି: ହଁ ଗୀତିକାର ହୋଇପାରିବ, ଯେମିତି କୁହାଯାଏ ନାଟ୍ୟକାର।
ସାହିତ୍ୟ ଚର୍ଚ୍ଚା: ହିନ୍ଦୀ ଚଳଚ୍ଚିତ୍ର ସଂଗୀତର ସବୁ ପ୍ରଚାରପତ୍ରରେ ମଧ୍ୟ ଆମେ ଏହି “ଗୀତ୍‌କାର’ ଶବ୍ଦର ପ୍ରୟୋଗ ଦେଖିଥାଉ।
ସଚ୍ଚି ମହାନ୍ତି: ହଁ, ଠିକ୍ କଥା। ଆମ ଓଡ଼ିଆ ସିନେମା ପୋଷ୍ଟରରେ ମଧ୍ୟ “ଗୀତିକାର’ ବୋଲି ଲେଖାହୁଏ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଶାର କୌଣସି କବି ବା ଗୀତିକାର ସର୍ଜନକଳାକୁ ନିଜର ଜୀବିକା ଭାବରେ ଗ୍ରହଣ କରିନେବା ପ୍ରାୟ ଦେଖାଯାଏ ନାହିଁ। କିନ୍ତୁ ଆପଣ ଏହାର ଏକ ବ୍ୟତିକ୍ରମ ଭାବରେ, ଗୀତରଚନାକୁ ନିଜର ପେଶା ଭାବରେ ଆଦରିନେଇ ପାରିଲେ କେମିତି?
ସଚ୍ଚି ମହାନ୍ତି: ଏଇଟା ଗୋଟିଏ ବଡ଼ ପ୍ରଶ୍ନ ଯେ ମୁଁ ପାରିଲି କେମିତି? ମୁଁ ନିଜେ ବି ବେଳେବେଳେ ଭାବେ, ଯେ ମୁଁ କେମିତି ପାରିଲି? ମୁଁ ଯେ ଗୀତ ଲେଖିକରି ବଞ୍ଚିବି ଏ ବିଶ୍ୱାସ ଆଉ ଭରସା ମୋ’ର ଦିନେ ନଥିଲା। ଯେତେବେଳେ ଏଥିପାଇଁ ମୋତେ ପ୍ରଥମେ ପଇସା ମିଳିବାକୁ ଲାଗିଲା, ସେତେବେଳେ ମୋ’ର ମନକୁ ଆସିଲା ଯେ ଏହାକୁ ଏକ ପେସା କରାଯାଇପାରେ।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ପ୍ରଥମ ଗୀତ ପାଇଁ କେତେ ଟଙ୍କା ପାଇଥିଲେ?
ସଚ୍ଚି ମହାନ୍ତି: ଆମ ସମୟରେ ଗୀତ ଲେଖିବା ପାଇଁ ସେତେ ବେଶି ପ୍ରାପ୍ୟ ମିଳୁନଥିଲା। ମୁଁ ଯେତିକି ଜାଣେ, ମୋ’ର ଅଗ୍ରଜମାନେ, ଅର୍ଥାତ୍ ଗୁରୁକୃଷ୍ଣ ଗୋସ୍ୱାମୀ, ନାରାୟଣ ପ୍ରସାଦ ସିଂ, ଶିବବ୍ରତ ଦାସ, ଜୀବନ ପାଣି – ଏହି ଯେଉଁମାନେ ଲେଖୁଥିଲେ ସେତେବେଳେ, ସେମାନଙ୍କୁ କୁଆଡ଼େ ଦୁଇଶହ ଟଙ୍କା ଲେଖାଏଁ ଦିଆଯାଉଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣ କେତେ ପାଇଥିଲେ ନିଜର ପ୍ରଥମ ଚଳଚ୍ଚିତ୍ର ଗୀତ ପାଇଁ?
ସଚ୍ଚି ମହାନ୍ତି: ଗୀତିକାର ଭାବରେ ମୋ’ର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଉଲ୍‌କା’। ଏହାର ପ୍ରତ୍ୟେକଟି ଗୀତ ପାଇଁ ମୁଁ ପାଞ୍ଚ ଶହ ଟଙ୍କା ଲେଖାଏଁ ପାଇଥିଲି।
ସାହିତ୍ୟ ଚର୍ଚ୍ଚା: ଏଇଟା କେଉଁ ସମୟର କଥା?
ସଚ୍ଚି ମହାନ୍ତି: ୧୯୭୮ ମସିହା।
ସାହିତ୍ୟ ଚର୍ଚ୍ଚା: ସେତେବେଳର ପାଞ୍ଚ ଶହ ଟଙ୍କା ତ ଏବେକାର ପ୍ରାୟ ପନ୍ଦର ହଜାର ଟଙ୍କା ସହିତ ସମାନ।
ସଚ୍ଚି ମହାନ୍ତି: ହଁ, ହେବ। କିନ୍ତୁ ଏହା ଦେବା ଲୋକ ବହୁତ କମ୍ ଥିଲେ।
ସାହିତ୍ୟ ଚର୍ଚ୍ଚା: ଆପଣ ଏଯାବତ୍ ଅନେକ ଚଳଚ୍ଚିତ୍ର ପାଇଁ ଗୀତ ଲେଖି ସାରିଲେଣି। ସେଗୁଡ଼ିକ ମଧ୍ୟରୁ ବହୁ ଗୀତ ଶ୍ରୋତାମାନଙ୍କର ହୃଦୟ ଜୟ କରିପାରିଛି। ତେବେ ସିନେମା ଗୀତ ସହିତ ଆପଣଙ୍କ ସଂସର୍ଗ ପ୍ରଥମେ କେମିତି ଆରମ୍ଭ ହେଲା?
ସଚ୍ଚି ମହାନ୍ତି: ଗୋଟିଏ ସମୟରେ ମୋ’ର କାହିଁକି ଭାରି ଇଚ୍ଛାହେଲା ଯେ ଗୀତ ତ ଲେଖିଲିଣି, ଗୀତିକାର ଭାବରେ ସ୍ୱୀକୃତି ବି ପାଇସାରିଲିଣି; ମୁଁ କୌଣସି ଚଳଚ୍ଚିତ୍ର ପାଇଁ ଅନ୍ତତଃ ଗୋଟାଏ ତ ଗୀତ ଲେଖେ! କିନ୍ତୁ ସେତେବେଳକୁ ମୁଁ ଆକାଶବାଣୀର ଗୀତିକାର ଭାବରେ ସ୍ୱୀକୃତି ପାଇନଥାଏ। ଥରେ ସେ ସମୟର ବିଶିଷ୍ଟ ପ୍ରଯୋଜକ ଧୀର ବିଶ୍ୱାଳଙ୍କ ସହିତ ମୋର ଦେଖା ହୋଇଗଲା। ତାଙ୍କୁ ମୋ’ ମନର କଥା ଜଣାଇଲି।
ସାହିତ୍ୟ ଚର୍ଚ୍ଚା: ଆପଣ ବୋଧହୁଏ ତାଙ୍କୁ ନିଜ ଲେଖା କିଛି ଗୀତର ନମୁନା ମଧ୍ୟ ଦେଖାଇଥିବେ।
ସଚ୍ଚି ମହାନ୍ତି: ନା, ଗୀତ ଦେଖାଇନାହିଁ। ମୁଁ କେବଳ କହିଲି, “ଆଜ୍ଞା, ମୋତେ ଗୋଟିଏ ଗୀତ ଲେଖିବାର ସୁଯୋଗ ଦେଲେନି!” ଉତ୍ତରରେ ସେ ପଚାରିଲେ, “ତୁମେ ରେଡିଓ ଆପ୍ରୁଭାଲ୍ ପାଇଛ?” ମୁଁ ମନା କରିବାରୁ ସେ କହିଲେ, “ଆମେ ରେଡିଓ ଷ୍ଟେସନ୍‌ର ଆପ୍ରୁଭାଲ୍ ଥିବା ଗୀତିକାରମାନଙ୍କୁ କେବଳ ନେଉ।”
ସାହିତ୍ୟ ଚର୍ଚ୍ଚା: ଏହା ଆପଣଙ୍କୁ ନିରାଶ କରିଥିବ।
ସଚ୍ଚି ମହାନ୍ତି: ସେ ଯେତେବେଳେ ନାହିଁ କରିଦେଲେ, ମୁଁ ତା’ଙ୍କୁ ଆଉ କିଛି କହିଲି ନାହିଁ। ଏହା ପରେ ‘ଉଲ୍‌କା’ରେ ଗୀତ ଲେଖିବାର ସୁଯୋଗ ପାଇବା ଥିଲା ମୋ’ ପାଇଁ ଏକ ଚମତ୍କାରିତା। ଲେଖିଲି, “ଅଭିମାନିନୀ ଏ ଅମାନିଆ ଢ଼େଉ, ନାଚି ନାଚି ନାଚି ଯାଏ, ଶିହରାଇ ତନୁମନ।”

ସାହିତ୍ୟ ଚର୍ଚ୍ଚା: ଏହାପରେ ବୋଧହୁଏ ଆପଣ ଆଉ ପଛକୁ ଫେରି ଚାହିଁନାହାନ୍ତି।
ସଚ୍ଚି ମହାନ୍ତି: ତା’ପରେ ମୋତେ ଶାନ୍ତନୁ ମହାପାତ୍ର ଓ ବାଳକୃଷ୍ଣ ଦାଶଙ୍କ ଭଳି ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରିବାର ସୁଯୋଗ ମଧ୍ୟ ମିଳିଲା।
ସାହିତ୍ୟ ଚର୍ଚ୍ଚା: କେବଳ ଚଳଚ୍ଚିତ୍ର ଜଗତରେ ଯେ ଆପଣ ଜଣେ ଗୀତିକାର ଭାବରେ ସୁପରିଚିତ ତା’ ନୁହେଁ, ଆପଣଙ୍କର ଅନେକ ଗୀତିକବିତା ମଧ୍ୟ ପୁସ୍ତକାକାରରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ପାଇଛି। ଆପଣଙ୍କ ରଚନାର ସାହିତ୍ୟଧର୍ମିତା ଉପରେ ଆପଣଙ୍କ ନିଜର ମତ କ’ଣ?
ସଚ୍ଚି ମହାନ୍ତି: ଏଇଟା ବୋଧହୁଏ ମୋ’ର ଗୋଟିଏ ବଦଭ୍ୟାସ ଯେ ଗୀତ ଲେଖିଲାବେଳେ ମୁଁ ସବୁବେଳେ ଭାବେ, ତା’ ଭିତରେ ସାହିତ୍ୟ ଚେତନା ଟିକିଏ ଥାଉ।
ସାହିତ୍ୟ ଚର୍ଚ୍ଚା: ଇଏ ତ ଗୋଟିଏ ମହତ ଚିନ୍ତା; ଆପଣ ବଦଭ୍ୟାସ ବୋଲି କହୁଛନ୍ତି କାହିଁକି?
ସଚ୍ଚି ମହାନ୍ତି: ଏଇଟା ଆଜିକାଲି ଚାଲୁନାହିଁ ନା! ତେଣୁ କହେ। କିନ୍ତୁ ଲେଖିଲା ବେଳକୁ ସାହିତ୍ୟ ମୋ’ ରଚନା ଭିତରକୁ କେଉଁବାଟେ ହେଲେ ପ୍ରବେଶ କରିଯାଏ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ବାପା ଜଣେ ପ୍ରତିଷ୍ଠିତ ନାଟ୍ୟକାର ଥିଲେ। ତେବେ ଆପଣ ମଧ୍ୟ ଜଣେ ନାଟ୍ୟକାର ନ ହୋଇ, ଗୀତିକାର ହେବାକୁ ପସନ୍ଦ କଲେ କାହିଁକି?
ସଚ୍ଚି ମହାନ୍ତି: ସତ କହିଲେ, ନାଟ୍ୟକାର ହେବା ପାଇଁ ମୋ’ର ଭାରି ଇଚ୍ଛାଥିଲା। କ୍ଲାସ୍‌ରେ ଆମର ସାର୍ ଥରେ ପଚାରିଥିଲେ, ‘ହ୍ୱାଟ୍ ଇଜ୍ ୟୋର୍ ଏମ୍ ଇନ୍ ଲାଇଫ୍‌।’ ମୁଁ ନାଟ୍ୟକାର ହେବି ବୋଲି କହିଥିଲି। ଏହା ଶୁଣି ସାଙ୍ଗମାନେ ହସିଲେ, ମୋତେ ବହୁତ ଲାଜ ମାଡ଼ିଲା। ମୁଁ ଭାବିଲି, ସେମାନେ କାହିଁକି ହସିଲେ? ଘରେ ଆମର ରେଡ଼ିଓ ଥାଏ। ସେଥିରେ ବାଜୁଥିବା ଗୀତସବୁ ଶୁଣି ଭାବିଲି, ଆରେ, ଗୀତ ଲେଖିବା ତ ଭାରି ସହଜ; ଦୁଇ କି ତିନିପଦ ଲେଖିଦେଲେ ଗଲା। ତହୁଁ ଜଣେ ଗୀତିକାର ହେବାର ସ୍ୱପ୍ନ ମୋ’ ମନରେ ଜାଗିଲା।
ସାହିତ୍ୟ ଚର୍ଚ୍ଚା: ତଥାପି ଆପଣ କିଛି ନାଟକ ମଧ୍ୟ ଲେଖିଛନ୍ତି।
ସଚ୍ଚି ମହାନ୍ତି: ସେଗୁଡ଼ିକ ବହୁତ ପରେ ଲେଖିଲି ନା!
ସାହିତ୍ୟ ଚର୍ଚ୍ଚା: ଆପଣ କେତେକ ଓଡ଼ିଆ ଚଳଚ୍ଚିତ୍ର ପାଇଁ କାହାଣୀ ଓ ସଂଳାପ ମଧ୍ୟ ଲେଖିଛନ୍ତି।
ସଚ୍ଚି ମହାନ୍ତି: ପ୍ରକୃତରେ ସିନେମା ପାଇଁ ମୁଁ କାହାଣୀ ଲେଖିନାହିଁ; କାରଣ କାହାଣୀଟା ସେମାନେ ପ୍ରସ୍ତୁତ କରନ୍ତି। ମୁଁ ସେହି କାହାଣୀକୁ ଆଧାର କରି କିଛି ସଂଳାପ ଲେଖିଛି।
ସାହିତ୍ୟ ଚର୍ଚ୍ଚା: ଆମ ରାଜ୍ୟରେ ଗୀତିକାର ବା ଗୀତିକବିମାନଙ୍କୁ ଯଥାଯଥ ସମ୍ମାନ ଦିଆଯାଏ ବୋଲି ଆପଣ ମନେକରନ୍ତି କି?
ସଚ୍ଚି ମହାନ୍ତି: ଗୀତିକବି ସବୁବେଳେ ଅବହେଳିତ। ଖାଲି ଗୋଟିଏ ଆୱାର୍ଡ ଦେଇଦେଲେ, ସବୁକିଛି ହୋଇଯାଏ ନାହିଁ। ଏହି ଆୱାର୍ଡର ମୂଲ୍ୟ ସେତେବେଳେ ମାତ୍ର ୨୫ ହଜାର ଟଙ୍କା ଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରର କଥା କହୁଛନ୍ତି କି?
ସଚ୍ଚି ମହାନ୍ତି: ହଁ, ତାହାରି କଥା।
ସାହିତ୍ୟ ଚର୍ଚ୍ଚା: ଶୁଣାଯାଏ ଯେ ଥରେ ଆପଣ କୁଆଡ଼େ ବିଶିଷ୍ଟ କବି ଗିରିଜାକୁମାର ବଳୀୟାରସିଂହଙ୍କର ଗୋଟିଏ କବିତାକୁ ଅନୁକରଣ କରି ତାହାକୁ ନିଜର କବିତା ଭାବରେ ପ୍ରକାଶ କରିଦେଇଥିଲେ। ଏହା କ’ଣ ସତ?
ସଚ୍ଚି ମହାନ୍ତି: ନା, ମିଛ ବି ନୁହେଁ। ମୋ’ର ଗୋଟିଏ ବଦ୍‌ପ୍ରକୃତି ଅଛି; ମୋତେ ଯାହାର ଲାଇନ୍‌ଟିଏ ଭଲ ଲାଗେ, ତାହାର ସେହି ଭାବକୁ ସମ୍ପ୍ରସାରଣ କରି ମୁଁ ଗୀତଟିଏ ଲେଖିପକାଏ। କିନ୍ତୁ ସମ୍ପୂର୍ଣ୍ଣ ଗୀତଟି କେବେ ନକଲ କରେନାହିଁ। ସେହି ଲାଇନ୍‌ଟି ବ୍ୟବହାର କରିବା ପୂର୍ବରୁ ସେକଥା ମୁଁ କବିଙ୍କୁ କହିଥିଲି। ଏଇଆ କହିଥିଲି ଯେ ଏହି ଲାଇନ୍‌ଟା ମୋତେ ଭଲ ଲାଗିଲା; ଏହାର ଭାବନାକୁ ନେଇ ମୁଁ ଗୀତଟିଏ ଲେଖିବି।
ସାହିତ୍ୟ ଚର୍ଚ୍ଚା: ତେବେ ତାଙ୍କର ଏହି ଗୋଟିଏ ମାତ୍ର କବିତାଟିକୁ ଆପଣ ଅନୁକରଣ କରିଥିଲେ କି? ନା ଆହୁରି ଏମିତି କିଛି ହୋଇଥିଲା?
ସଚ୍ଚି ମହାନ୍ତି: ଗୋଟିଏ କବିତା ତ ନୁହେଁ; ବରଂ ଗୋଟିଏ କବିତାର ପ୍ରଥମ ଧାଡ଼ିଟି ମାତ୍ର ନେଇଥିଲି। ସେଇ ଥରଟିଏ ଯାହା ହୋଇଛି; ଆଉ କେବେ ଏମିତି ହୋଇନାହିଁ।
ସାହିତ୍ୟ ଚର୍ଚ୍ଚା: ଏହାକୁ ନେଇ କ’ଣ ଆପଣ ସମାଲୋଚିତ ହୋଇଥିଲେ?
ସଚ୍ଚି ମହାନ୍ତି: କେହି ସମାଲୋଚନା କରିନାହାନ୍ତି; କେବଳ ଗିରିଜା ବାବୁ ନିଜେ ଗୋଟିଏ ଖବରକାଗଜରେ ଏ କଥା ଥରେ କହିଥିଲେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ କବିତା ସଂକଳନ, “ତୋରେ ଶରଣ ଗଲିରେ ମୁରଲୀ’ରେ ଗୋଟିଏ କବିତାର ପ୍ରଥମ ପଦଟି ଆମର ଦୃଷ୍ଟି ଆକର୍ଷଣ କରିଛି। ସେଥିରେ ଆପଣ କହିଛନ୍ତି, “ମୁଁ କେବେ କହିନାହିଁ କାହାରେ/ ଦେଇନ ବୋଲି ମୋତେ କିଛି/ ଏମିତି ଅଭିଯୋଗ/ କରିନାହିଁ ତୁମ ନାଆଁରେ।” ପ୍ରକୃତରେ, ନିଜ ଜୀବନରେ ଏହି ପରିପୂର୍ଣ୍ଣତା ଟିକକ ପାଇପାରିଛନ୍ତି ବୋଲି ଆପଣ ଭାବନ୍ତି କି?
ସଚ୍ଚି ମହାନ୍ତି: ଏଇଟା ମୋ’ ହୃଦୟର କଥା। ଈଶ୍ୱରଙ୍କ ପ୍ରତି ପ୍ରକୃତରେ ମୋ’ର କିଛି ଅଭିଯୋଗ ନାହିଁ। ଜୀବନରେ ପରିପୂର୍ଣ୍ଣତା ପାଇଛି ବୋଲି ମୁଁ ସତରେ ମନେକରେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ ବୟସ ଏବେ ଅଶୀ ବର୍ଷ। ଜୀବନର ଏହି ସୁଦୀର୍ଘ ଯାତ୍ରାପଥ ଆପଣଙ୍କୁ କ’ଣ ଶିଖାଇଛି?
ସଚ୍ଚି ମହାନ୍ତି: ସହିବା ଶିଖାଇଛି।
ସାହିତ୍ୟ ଚର୍ଚ୍ଚା: ମାତ୍ର ବର୍ଷକ ତଳେ ଆପଣ ନିଜର ଧର୍ମପତ୍ନୀଙ୍କୁ ହରାଇଛନ୍ତି। ଜୀବନର ଏହି ଦାରୁଣ ଧକ୍କାରୁ କ’ଣ ଏବେ ଉତୁରି ଆସିଲେଣି?
ସଚ୍ଚି ମହାନ୍ତି: ନାଇଁ, ମୁଁ କାହିଁକି ଏପର୍ଯ୍ୟନ୍ତ ଉତୁରି ପାରୁନାହିଁ; ଭୁଲି ପାରୁନାହିଁ। ତା’ର ଗୁଣ ଅନେକ ଥିଲା; ସହିବା ଶକ୍ତି ତ ବହୁତ ଥିଲା।
ସାହିତ୍ୟ ଚର୍ଚ୍ଚା: ସେ ଯିବା ପରେ ଏବେ ଏହି ବସାଘରେ ଆପଣ ଏକୁଟିଆ ଜୀବନ ବିତାଉଛନ୍ତି, ନିଜ ଦିନଚର୍ଯ୍ୟା କଥା ନିଜେ ହିଁ ବୁଝୁଛନ୍ତି; ଏହା ତ ଆପଣଙ୍କ ପାଇଁ ଭାରି କଷ୍ଟଦାୟକ ହେଉଥିବ।
ସଚ୍ଚି ମହାନ୍ତି: ଏଇଟା ତ ବଡ଼ କଷ୍ଟ ଦେଉଛି। ସବୁବେଳେ ମନେପଡ଼େ ସେ। ମୁଁ ଏଇଠି ବସି ଲେଖୁଥିବି; ଲାଇନ୍‌ଟିଏ ମନେପଡ଼ୁନି ବୋଲି ଚିନ୍ତାରେ ଥିବି। ସେ ମୋତେ ଅନେଇ ଜାଣିଯିବ ଯେ ମୁଁ କିଛି ଦ୍ୱନ୍ଦ୍ୱରେ ଅଛି। ପାଖକୁ ଆସି କହିବ,”ସିଗାରେଟ୍ ଅଛି?” ମୁଁ ପଚାରେ “କାହିଁକି?” ସେ ଉତ୍ତର ଦିଏ , “ତମେ ଏମିତି ଚୁପ୍‌ଚାପ୍ ବସିଛ ତ, କିଛି ବି ଲେଖୁନ।”
ସାହିତ୍ୟ ଚର୍ଚ୍ଚା: ସେ ବୋଧହୁଏ ଚାହୁଥିଲେ ଯେ ଆପଣ ବରଂ ସିଗାରେଟ୍‌ଟିଏ ଟାଣି ନିଜର ମୁଡ୍ ଫେରିପାଆନ୍ତୁ।
ସଚ୍ଚି ମହାନ୍ତି: ସିଏ କହେ ଯେ ପୁରୁଷଙ୍କ ମୁହଁରେ ସିଗାରେଟ୍‌ଟା ଶୋଭାପାଏ। ମୋ’ର ଏଇଟା କହିବା ବାହୁଲ୍ୟ ହୋଇଯିବ; ଲୋକେ ହସିପାରନ୍ତି। କିନ୍ତୁ ମୋ’ର କହିବାରେ ଦ୍ୱିଧା ନାହିଁ ଯେ ଗୋଟିଏ ମଣିଷ ଭଳି ମଣିଷଟିଏ ପାଇଥିଲି। ସେ ଏମିତି ଚାଲିଯିବ ବୋଲି ମୁଁ ଜାଣିନଥିଲି। ତା’ ଯିବା ପରେ ମୁଁ ଲେଖିପାରୁନି ଆଉ। ଦୁଇଟା ସିନେମାର ଗୀତ ଲେଖିବା ପାଇଁ ଅଫର୍ ଆସିଥିଲା; ଛାଡ଼ିଦେଲି। ଆଉ ପାରୁନି।
ସାହିତ୍ୟ ଚର୍ଚ୍ଚା: ଶୁଣିଥିଲୁ ଯେ ଥରେ କିଛି ଯୁବକ ଆପଣଙ୍କୁ ଭେଟି ଆପଣଙ୍କ ନାମରେ ପୁରସ୍କାରଟିଏ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେକଥା କ’ଣ ହେଲା?
ସଚ୍ଚି ମହାନ୍ତି: ମୁଁ ସେମାନଙ୍କୁ ମନା କରିଦେଲି। ସେମାନେ ପୁଣି ଜିଦ୍‌ଧରି କହିଲେ, “ଆପଣ ଥାଉଥାଉ ଆପଣଙ୍କ ପାଇଁ କିଛି ଗୋଟେ କରିବୁ।” ମୁଁ ସେମାନଙ୍କୁ କହିଥିଲି, ମୋତେ ଛାଡ଼ିଦିଅ। ସେମାନେ ମନଦୁଃଖରେ ଫେରିଗଲେ। କିନ୍ତୁ ସେମାନେ ଯିବାପରେ ମନକୁ ଘାରିଲା ଯେ ସେହି ପିଲାମାନେ ତ ସତ କଥା କହୁଥିଲେ। ସେହି ଭାବନାକୁ ନେଇ ଲେଖିଥିଲି କିଛି ଧାଡ଼ି।
ସାହିତ୍ୟ ଚର୍ଚ୍ଚା: କ’ଣ ଲେଖିଥିଲେ?
ସଚ୍ଚି ମହାନ୍ତି: ମରଣ ପରେ ମୋ’ ମଡ଼ା ଦେହଟାରେ
ଦେବନାହିଁ ଫୁଲ ଚନ୍ଦନ,
ମରିଗଲା ପରେ ଶବ କି ଶୁଣିବ
ଯେତେ କଲେ ଗୁଣ ବନ୍ଦନ।

ସାହିତ୍ୟ ଚର୍ଚ୍ଚା: ଆମର ତ ଭାଷା ହଜିଗଲା; ଆଜିର ଆଳାପ ଏଇଠି ରଖିବା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *