ସମାଲୋଚକର ଭୟ

ସାହିତ୍ୟ ଜଗତରେ ଯାହାଙ୍କୁ ଆମେ ‘ସମାଲୋଚକ’ ବୋଲି କହୁ ତା’ଙ୍କ ଛବି ବା ପରିଚୟର ବିଶେଷତ୍ୱ ହେଲା ଯେ ସେ ଜଣେ ସମ+ଆଲୋଚକ; ଅର୍ଥାତ୍ କୌଣସି ବାଛବିଚାର ବା ଭୟ ବିନା ଗୋଟିଏ ସାହିତ୍ୟକୃତିର ଯଥାର୍ଥ ମୂଲ୍ୟାୟନ କରିବା ହେଉଛି ତାଙ୍କର ଧର୍ମ। ଊନବିଂଶ ଶତାବ୍ଦୀର ଆମେରିକୀୟ ଲେଖକ ଏଡ୍‌ଗାର୍ ଆଲେନ୍ ପୋ ଥରେ କହିଥିଲେ, “ସମାଲୋଚନା କ୍ଷେତ୍ରରେ ମୁଁ ନିର୍ଭୀକ ରହିବି ଏବଂ ମିତ୍ର ଓ ଶତ୍ରୁ ଉଭୟଙ୍କ ପ୍ରତି ସମାନ ଭାବରେ କଠୋର ଓ ନ୍ୟାୟସମ୍ମତ ହେବି। ଏହି ନୀତିରୁ ମୋତେ କେହି ବିଚ୍ୟୁତ କରିପାରିବେ ନାହିଁ।”
ଓଡ଼ିଶାର ସାହିତ୍ୟସଂସାରରେ ଏହି ନୀତିକୁ ଅନୁସରଣ କରୁଥିବା ସମାଲୋଚକ ଯେ କେହି ନାହାନ୍ତି, ସେକଥା ଆମେ କହୁନାହୁଁ। କିନ୍ତୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଏହିଭଳି ଆଦର୍ଶସ୍ଥାନୀୟ ସମାଲୋଚକମାନଙ୍କ ସଂଖ୍ୟା ବର୍ତ୍ତମାନ ହାତଗଣତି। ପଣ୍ଡିତ ନୀଳକଣ୍ଠ ଦାସ, ନଟବର ସାମନ୍ତରାୟ, ମାୟାଧର ମାନସିଂହ ଓ ଚିତ୍ତରଞ୍ଜନ ଦାସଙ୍କ ଭଳି ନିରପେକ୍ଷ ସମାଲୋଚକ ଆଜି ବିରଳ।
ତେବେ ଏହି ସନ୍ଦର୍ଭରେ ଆଜିର ସାମସମୟିକ ଓଡ଼ିଆ ପ୍ରାବନ୍ଧିକ ଓ ସମାଲୋଚକମାନଙ୍କ ମଧ୍ୟରେ ଦୃଷ୍ଟିଗୋଚର ହେଉଥିବା ଗୋଟିଏ ପ୍ରବଣତା ଆମ ଦୃଷ୍ଟିରେ ପଡ଼େ। ସମୀକ୍ଷା ବା ସମାଲୋଚନାଟିଏ ଲେଖିବାବେଳେ ଏବର ସମାଲୋଚକମାନେ ସମକାଳୀନ କୌଣସି ସାହିତ୍ୟିକ ଧାରା କି ରଚନାର ବିଶ୍ଳେଷଣ କରିବା ପାଇଁ ଆଗ୍ରହୀ ହେଉନାହାନ୍ତି। ଅନ୍ୟ ଭାଷାରେ କହିଲେ, ସେମାନେ ସାଂପ୍ରତିକ ସାହିତ୍ୟ ଜଗତ ସହିତ ଜଡ଼ିତ ପ୍ରସଙ୍ଗଗୁଡ଼ିକରୁ ନିରାପଦ ଦୂରତ୍ୱ ରକ୍ଷାକରୁଛନ୍ତି। ଏହାର କାରଣ ହେଲା, ସମକାଳୀନ ସାହିତ୍ୟର କୌଣସି ଧାରା ବିଷୟରେ ଚର୍ଚ୍ଚାକରିବା ବେଳେ ସେହି କ୍ଷେତ୍ରରେ ଲେଖନୀ ଚାଳନା କରୁଥିବା ସମସ୍ତ ଲେଖକଙ୍କ ନାମୋଲ୍ଲେଖ କରିବା କିମ୍ବା ସେହି ସମସ୍ତଙ୍କ କୃତିର ଆଲୋଚନା କରିବା ସମ୍ଭବ ହୁଏନାହିଁ। ଆଲୋଚନାରୁ ବାଦ୍ ପଡ଼ିଥିବା ସାହିତ୍ୟିକମାନଙ୍କ ମଧ୍ୟରୁ ଅନେକେ ସଂପୃକ୍ତ ସମାଲୋଚକଙ୍କ ଭାଇ, ବନ୍ଧୁ ବା ସହକର୍ମୀ ମଧ୍ୟ ହୋଇଥାଆନ୍ତି। ପ୍ରବନ୍ଧରେ ସେମାନଙ୍କର ନାମୋଲ୍ଲେଖ ନ ହୋଇଥିବାର ଦେଖି ସେମାନେ କେବଳ ଦୁଃଖୀ ହିଁ ହୁଅନ୍ତି ନାହିଁ, ସିଧାସଳଖ ଅଭିଯୋଗ ମଧ୍ୟ କରିବସନ୍ତି। ତେଣୁ ‘କାଦୁଅକୁ ଯିବା କିଆଁ’ ନ୍ୟାୟରେ ଆଜିର ଆଲୋଚକଗଣ ନିଜ ପ୍ରବନ୍ଧର ବିଷୟବସ୍ତୁ ଚୟନ କରିବାବେଳେ ବର୍ତ୍ତମାନର ସମୟକୁ ଛାଡ଼ି କେବଳ ଅତୀତରେ ହିଁ ମାତିଛନ୍ତି।
ଦ୍ୱିତୀୟରେ, ଆଜିର ଅନେକ କବି ଓ ଲେଖକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ଅଛି ଯେ ସମାଲୋଚନା କହିଲେ କୌଣସି କୃତିର କେବଳ ପ୍ରଶଂସା କରିବା ହିଁ ବୁଝାଏ। ସମାଲୋଚନା-ସାହିତ୍ୟରେ ଯେ ଗଠନମୂଳକ ଅସହମତିର ମଧ୍ୟ ଏକ ଭୂମିକା ଅଛି ସେକଥା ସେମାନେ ବୁଝିବାକୁ ନାରାଜ। ତେଣୁ କୌଣସି ଜୀବିତ ଲେଖକଙ୍କର ରଚନାକୁ ଯଦି ଶତ ପ୍ରତିଶତ ପ୍ରଶଂସା କରାଯାଇ ନପାରେ ତେବେ ସେଭଳି ଆଲୋଚନାରୁ ବରଂ ବିରତ ରହିବା ଶ୍ରେୟସ୍କର ବୋଲି ଆଜିର ବହୁ ସମାଲୋଚକଙ୍କ ଧାରଣା। ଏହି ସମ୍ପାଦକୀୟର ଶିରୋନାମାରେ ଆମେ ଏହାକୁ ‘ସମାଲୋଚକର ଭୟ’ ବୋଲି ଅଭିହିତ କରିଛୁ।
ଅବଶ୍ୟ ଗୋଟିଏ ଆଶ୍ୱସ୍ତିର କଥା ହେଲା, ଆଜିର କେତେଜଣ ଯୁବ ଆଲୋଚକ ଏହିଭଳି ଭୟରୁ ନିଜକୁ ମୁକ୍ତ ରଖି ସମକାଳୀନ ସାହିତ୍ୟ ବିଷୟରେ ଗଠନମୂଳକ ଓ ନିରପେକ୍ଷ ସମୀକ୍ଷା ମଧ୍ୟ ଲେଖୁଛନ୍ତି। ତେବେ ଆମର ଏକମାତ୍ର ଭୟ, ବୟସ ପାକଳ ହେବା ସହିତ ସାହିତ୍ୟସଂସାରର ବାସ୍ତବତାଗୁଡ଼ିକୁ ସାମ୍‌ନା ପରେ ସେମାନେ ମଧ୍ୟ ଯେ ଦିନେ ନିଜର ବରିଷ୍ଠମାନଙ୍କ ପରି ମାପିଚୁପି ସମାଲୋଚନା ଲେଖିବାକୁ ଆରମ୍ଭ କରିବେନାହିଁ, ସେକଥା କହିହେବ ନାହିଁ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *