ମଧୁର ଅଘଟନ

ଭାବିଲି, ଯାହା କହିବ କହୁ। ମୁଁ କ’ଣ କିଛି ଭୁଲ୍ କରିଛି କି? ଝିଅ-ଝିଆରୀ-ସାନଭଉଣୀ ଦୃଷ୍ଟିରେ ଦେଖି ଯାହା ଟିକିଏ ଚିଡ଼େଇଚି।

ସଦାନଂଦ ନାୟକ

ଘଟଣାଟି ଏମିତି କିଛି ଐତିହାସିକ ବା ସାମାଜିକ ଗୁରୁତ୍ୱ ବହନ କରେନାହିଁ। ଅନ୍ୟମାନଂକ ପାଇଁ ଅବିସ୍ମରଣୀୟ ବି ନୁହେଁ। କୋଉ ଦିଗ୍‌ଗଜ ବ୍ୟକ୍ତି ଏହାର ଚରିତ୍ର ନୁହନ୍ତି। ମୁଁ ଆଉ ଗୋଟିଏ ଝିଅ, ବାସ୍ ଏତିକି। ଭାରି ମାମୁଲି କଥା, କିନ୍ତୁ ମୁଁ ଘଟଣାଟିକୁ ଭୁଲିପାରୁନି, ଭୁଲିପାରିବି ନାହିଁ ଏ ଜନ୍ମରେ।
ଘଟଣା ସ୍ଥଳ ବି ସେମିତି କୋଉ ଅତ୍ୟନ୍ତ ପ୍ରସିଦ୍ଧ ଐତିହାସିକ, ଧାର୍ମିକ, ପାର୍ଯ୍ୟଟନିକ, ପ୍ରକୃତିଦତ୍ତ ମନୋରମ କି କୃତ୍ରିମ ଉପାୟରେ ସଜ୍ଜିତ ସୁରମ୍ୟସ୍ଥଳୀ ନୁହେଁ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାଂପସ୍ ଭିତରେ ଥିବା ଗୋଟିଏ ଚାରିଛକ ମାତ୍ର।
ଚାରିଛକର ଗୋଟିଏ ରାସ୍ତା ପ୍ରଫେସର୍ କଲୋନିକୁ, ତା’ର ପଛ ରାସ୍ତାଟି ଲେଡ଼ିଜ୍ ହଷ୍ଟେଲ୍‌, ରଂଗେଇଲୁଂଡା ଗାଁକୁ, ଅନ୍ୟ ଏକ ରାସ୍ତା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ, ଏମ୍‌.ଇ-ହାଇସ୍କୁଲ, ମଂଦିର, ଗେଷ୍ଟ ହାଉସ୍‌, ହରିଣ ପାର୍କ ଓ ପ୍ରାଶାସନିକ ଭବନ ଆଡ଼କୁ। ତା’ ପଛ ରାସ୍ତାଟି ଅନ୍ତରବାଟିଆ ଗାଁକୁ ପଡ଼ିଛି। ଏହି ଛକ ଜାଗାଟି କିନ୍ତୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ତେବାସୀଂକ ଭିତରେ ଅସାମାନ୍ୟ କ୍ୟାଂପସ୍ ସ୍ତରୀୟ ଖ୍ୟାତି ଅର୍ଜନ କରିଥାଏ। ତା’ ପଛରେ ଅବଶ୍ୟ ଅନେକ କାରଣ ନିହିତ। ଲେଡ଼ିଜ୍ ହଷ୍ଟେଲଟି ତା’ ପାଖରେ ଥିବାରୁ ପୃଥିବୀର ବୟସ ଯେତେ ବଢ଼ିଲେ ବି ଲଳନାମାନଂକ କୋମଳ ପାଦ ସ୍ପର୍ଶରେ ସେ ସ୍ଥାନର ବୟସ ସର୍ବଦା ବାଇଶି-ତେଇଶି ଭିତରେ ସୀମିତ ରହିଥାଏ, ଆଦୌ ବଢ଼େନି। ପ୍ରଫେସର୍‌ମାନେ ସେଠାରେ ବିଚରଣ କରୁଥିବାରୁ ତାଂକ ଗାବେଷଣିକ ଆଲୋଚନା ସ୍ପର୍ଶରେ ସେ ବାୟୁମଂଡଳରେ ଖାଲି ଜ୍ଞାନର ବାଦଲ ଲହଡ଼ି ଖେଳୁଥାଏ। ପ୍ରେମିକ-ପ୍ରେମିକାଂକ ସାଂଧ୍ୟଭ୍ରମଣ ଆଉ ମଧୁର କ୍ଷୀଣ କଣ୍ଠର ସଂଭାଷଣରେ ମତ୍ତ ହୋଇ ସମୀର ସର୍ବଋତୁରେ ସର୍ବଦା ପତ୍ର ଫାଂକରେ ବସନ୍ତ ବାହାର ରାଗରେ ମୂର୍ଚ୍ଛନା ତୋଳୁଥାଏ। ଝାଉଁ, ଦେବଦାରୁ ଗଛର ପତ୍ର ଫାଂକଦେଇ ଗଳି ଆସୁଥିବା ସେ ସ୍ଥାନର ଚଂଦ୍ରକିରଣ ଯେ କେତେ ମଧୁର, ତାହା କେବଳ ଅନୁଭବ୍ୟ, କିନ୍ତୁ ଅବର୍ଣ୍ଣନୀୟ। ଅବଶ୍ୟ ସେ ସ୍ଥଳର ବାତାବରଣ ବେଳେବେଳେ ପ୍ରଫେସର୍ ପତ୍ନୀମାନଂକ ସାଂଧ୍ୟ-ପ୍ରାଭାତ୍ୟ ଭ୍ରମଣଜାତ ସମ୍ମେଳନର ଆତ୍ମବଡ଼ିମା, ଆତ୍ମଶ୍ଳାଘା, ଆପଣା ପ୍ରସ୍ତୁତ ଖାଦ୍ୟର ଆଂଗିକ-ଆତ୍ମିକ ସମୀକ୍ଷା, ପତି-ପିତା ଅଥବା ଭ୍ରାତାଂକ ଦ୍ୱାରା ଗୃହକୁ ନବାଗତ ନାହିଁ-ନଥିବା-ନୋହିବା ଶାଢ଼ି ବା ଅଳଂକାରର ବ୍ୟାଖ୍ୟାରେ କିଂଚିତ ହାଲୁକା ହୋଇଥାଏ।
ଅଧୋପତନିକ ଦାଗ
ସେ ସ୍ଥାନର ଉଦ୍ଧତ ଉତ୍ତୁଂଗ ଗୌରବରେ ୧୯୯୯ମସିହାରେ ସାମାନ୍ୟ ଆଧୋପତନିକ ଦାଗ ଲାଗିଗଲା। ମହାବାତ୍ୟାରେ ସେଠି ସଗୌରବ ଦଂଡାୟମାନ, ବିଶେଷତଃ ଦ୍ୱିପ୍ରାହରିକ ତାପ ବିନାଶକ ଆମ୍ରବୃକ୍ଷର ଭୂଲୁଣ୍ଠନ ଘଟିଲା। ଅବଶ୍ୟ ବୃକ୍ଷଟିର ବିୟୋଗ ଘଟିଲାନି, କିନ୍ତୁ ସବୁଦିନ ପାଇଁ ଅର୍ଦ୍ଧ ଶୟନ ଅବସ୍ଥାରେ ରହିବାକୁ ପଡ଼ିଲା ତାକୁ। ଚାରିଛକର କିଛି ଅଂଶ ସର୍ବକାଳ ନିମନ୍ତେ ସେ ବଳପୂର୍ବକ ଅବୈଧାନିକ ଭାବରେ ନିଜ ଦଖଲରେ ରଖିଲା। ଫଳରେ ଧରାଶାୟୀ ବୃକ୍ଷର ଅପରପାଶ୍ୱର୍ ରାସ୍ତାରେ ଗାଡ଼ି ଚଳାଚଳ ଓ ଜଳ ସଂଚୟନ ସକାଶୁ ରାସ୍ତାଟିର ସୌଷ୍ଠବରେ ଧୀରେଧୀରେ କ୍ଷତ ସୃଷ୍ଟିହେଲା। ପିଚ୍ ଉଠିଗଲା, ମୁଗୁନି ପଥରର ଗୋଡ଼ିଗୁଡ଼ା ବିଛେଇ ହୋଇପଡ଼ିଲା ରାସ୍ତାର ଏଣେତେଣେ।
ମୋ’ କ୍ୱାର୍ଟର୍ସ ସେଇ ଚାରିଛକଠାରୁ ୨୦୦ମିଟର ଦୂରରେ। ସେତେବେଳକୁ ମୋ’ର ଚାକିରି ତିନିବର୍ଷ ହେଲାଣି, ବାହା ହୋଇନଥାଏ, ମନଟା ଟିକିଏ କଅଁଳିଆ ଥାଏ। ଅନେକ ସମୟରେ ମୁଁ କ୍ଲାସ୍‌କୁ ଗଲାବେଳେ ଯୋଉ ପୁଅ-ଝିଅ ସେ ଗଛ ତଳେ ଛିଡ଼ାହୋଇ ଗପୁଥିବାର ଦେଖେ, ତିନିଟା କ୍ଲାସ୍ ସାରି କ୍ୱାର୍ଟର୍ସକୁ ଖାଇବାକୁ ଆସିବାବେଳେ ଦେଖେ ସେଇମାନେ ହିଁ ସେମିତି ଗପୁଥାନ୍ତି ସେଇ ଜାଗାରେ। ଗପ ସରେନି ସେମାନଂକର। ବେଳେବେଳେ କୌତୂହଳବଶତଃ ସେଇ ପିଲାଂକ ପାଖ ଦେଇ ମୁଁ ଧୀରେଧୀରେ ଚାଲିକିଯାଏ କ’ଣ ସେ ଅସରା କଥା ଶୁଣିବା ପାଇଁ; କିଛି ଶୁଭେନି; ସ୍ୱଳ୍ପ ଶୁଭିଲେ ବି କିଛି ବୁଝି ହୁଏନି। ସେଇମାନେ କହନ୍ତି, ସେଇମାନେ ଶୁଣନ୍ତି, ସେଇମାନେ ହିଁ ବୁଝନ୍ତି। ଗୋଡ଼, ପାଟି, କଣ୍ଠ, କାନ କେହି ବି କ୍ଳାନ୍ତ ହୁଅନ୍ତନି ତାଂକର। ଏଇ ଚାରିଛକ ମୋ’ର ପ୍ରାୟତଃ ବିଚରଣ ଭୂମି, କାରଣ ସେଠାରେ ସାର୍‌ମାନେ କରୁଥିବା ବିଦ୍ୟା ଆଲୋଚନାରେ ମୁଁ ଅଂଶ ଗ୍ରହଣ କରେ, ସାର୍‌ମାନଂକ ପତ୍ନୀ ବା ମାଡ଼ାମ୍‌ମାନଂକ ଅବିଦ୍ୟା ଆଲୋଚନାଚକ୍ରରେ କେବେ କେମିତି ଯୋଗଦିଏ। ତା’ଛଡ଼ା ସେଇଟା ମୋ’ ଯିବାଆସିବା ବାଟ। ଘଟଣାଟି ସେଇ ଛକରେ ଘଟିଥିଲା ୨୦୦୦ ମସିହା, ଜାନୁଆରି ମାସର ଏକ ସୋମବାରିଆ ଶୀତ ସକାଳର ପାଖାପାଖି ୧୦ଟା ୨୫ ମିନିଟ୍ ସମୟରେ।

ସାଇକେଲରେ ଝିଅଟିଏ
ମୁଁ ବିଭାଗକୁ ଯାଉଥାଏ, ମୋ’ର ଫାଷ୍ଟକ୍ଲାସ୍ ଥାଏ ୧୦ଟା ୩୦ରେ। ମୋ’ ଆଗେଆଗେ ବାର-ତେର ବର୍ଷର ଝିଅଟିଏ ସାଇକେଲ୍‌ରେ ଯାଉଥାଏ। ତା’ ସାଂଗମାନେ ବୋଧହୁଏ ଆଗରେ ଚାଲିଗଲେଣି, ସେ ଡେରିରେ ଯାଉଛି, ତେଣୁ ଏକାକୀ ଓ ତରତର। ନହନହକିଆ ପତଳୀଟିଏ, ପିଂଧିଛି ଆକାଶ ରଂଗର ଫ୍ରକ୍‌, ଅଣ୍ଟାରେ ବେଲ୍ଟ, ବକ୍ଷଦେଶରେ ଗୁଡ଼ା ହୋଇଥିବା ନୀଳରଂଗର ଓଢ଼ଣିର ଦୁଇ ପ୍ରାନ୍ତ ସେଇ ବେଲ୍ଟ ଭିତରେ ପଶିଛି। ପିଠିରେ ପଡ଼ିଛି ତା’ ଗହଳିଆ କେଶରାଶିର ଦୁଇଟି ଛୋଟଛୋଟ ବେଣୀ, ବେଣୀଦ୍ୱୟର ଅଗ୍ର ଭାଗରେ ନାଲି ରିବନ୍ ଫିତାର ଫୁଲ, ତା’ ମାଆ କି କେହି ଦୁଇଟି ରଂଗିନ୍ ଉଡ଼ନ୍ତା ପ୍ରଜାପତିର କ୍ଲିପ୍ ଲଗେଇ ଦେଇଥାନ୍ତି ସେ ବେଣୀରେ। ପାଦରେ କଳାରଂଗର ଜୋତା, ଏଇଟା ତା’ ସ୍କୁଲ୍ ୟୁନିଫର୍ମ। ସାଇକେଲ୍ ଆଗ କ୍ୟାରିଅର୍‌ରେ ତା’ ବହିବ୍ୟାଗ୍‌। ବଗ ଗୋଡ଼ ପରି ତା’ ସରୁଆ ଗୋଡ଼ରେ କେତେ ବା ବଳ! କିନ୍ତୁ ତା’ ଗୋଲାପି ରଂଗର ସାଇକେଲ୍‌ଟି ଚାଲୁଥାଏ ସାଏଁସାଏଁ। ମୋତେ ଦେଖିବାକୁ ଭାରି ଭଲ ଲାଗୁଥାଏ ଏ ଦୃଶ୍ୟ। ଘରଠାରୁ ଦୂରରେ ରହୁଥିବାରୁ ଗାଁରେ ରହୁଥିବା ସେଇ ବୟସର ମୋ’ ଝିଆରୀ କଥା ମୋ’ର ମନେପଡ଼ିଗଲା। ମୁଁ ତାକୁ ଅତିକ୍ରମ କରି ଆଗକୁ ଯାଇପାରିଲି ନାହିଁ, ଧୀରେଧୀରେ ଯାଉଥାଏ ତା’ ପଛେପଛେ। ଅନୁଭବ କରୁଥାଏ କେମିତି ଏକ ଅନିର୍ବଚନୀୟ ଆନଂଦ, ତୃପ୍ତ ପ୍ରାଣରେ।
ଏତିକିବେଳେ ଘଟଣା ବା ଅଘଟନ ଘଟିଗଲା। ଚାରିଛକର ସେଇ କ୍ଷତଗ୍ରସ୍ତ ସ୍ଥାନରେ ଯେଉଁଠି ଗୋଡ଼ିଗୁଡ଼ା ଏଣେତେଣେ ପଡ଼ିଥାଏ, ତା’ ସାଇକେଲ ଚକ ସ୍ଲିପ୍ କରିବାରୁ ଝିଅଟି ସାଇକେଲ୍ ସହ ଦୁଲ୍‌କିନା ପଡ଼ିଗଲା ରାସ୍ତା କଡ଼ର ସେଇ ଗୋଡ଼ିରେ। ମୁଁ ହସକୁ ରୋକିପାରିଲି ନାହିଁ, ଏମିତି ହସିଲି ଯେ ମୋ’ ମଟରସାଇକେଲ୍ ବି ନିୟନ୍ତ୍ରଣ ହରେଇବାକୁ ଲାଗିଲା। ଅବଶ୍ୟ ବଡ଼ ପାଟିକରି ହସିନି ତାକୁ ଶୁଭିବା ଭଳି। ‘ପର ଦୁଃଖ ଦେଖିଲେ ସମସ୍ତଂକୁ ଭାରି ଖୁସି ଲାଗେ’ ଏହା ଏକ ପୈଶାଚିକ ପ୍ରବୃତ୍ତି। ମୁଁ ବୋଧହୁଏ ତା’ର ବଶବର୍ତ୍ତୀ ହୋଇଗଲି କିଛି କ୍ଷଣପାଇଁ। ଭୁଲିଗଲି ଯେ ମୁଁ ଜଣେ ଅଧ୍ୟାପକ। ମଟରସାଇକେଲ୍ ରଖି ତା’ପାଖକୁ ଗଲି; ତା’ ମୁହଁ, ଆଖି, ଓଠ, ନାକ ପୂରା କାଂଦକାଂଦ। ଭୋଭୋ ହୋଇ କାଂଦିବା ଦ୍ୱାରଦେଶରେ ସେ। ମୋତେ ଦେଖି ନିଜକୁ ଟିକେ ସଂଭାଳି ନେଲା, କିନ୍ତୁ ଉଠିବାକୁ ଯେଉଁ ଚେଷ୍ଟା କରୁଥିଲା ତହିଁରୁ ସାମାନ୍ୟ ଅଚେଷ୍ଟ ହେଲା। ମୋ’ଠାରୁ ସାହାଯ୍ୟ ଆଶାକଲା ବୋଧହୁଏ। ତାକୁ ପାଖରେ ଦେଖିବା ପରେ ସେ ମୋତେ ମୋ’ ଝିଆରୀ ପରି ଲାଗିଲା, ଆତ୍ମୀୟତା ବଢ଼ିଲା, ଦାଦାପଣ ମୋ’ ହୃଦୟରେ ଜାଗିଉଠିଲା, ତାକୁ ଟିକେ ଚିଡ଼େଇବାକୁ ଇଚ୍ଛା ହେଲା।
ମାଉସୀ ଡାକର ପରିଣାମ
କହିଲି- ମାଉସୀ ନମସ୍କାର, ପଡ଼ିଗଲୁ କିଛି ହେଇନି ତ?
ଏ ‘ମାଉସୀ’ ଡାକ ଆଉ ‘ନମସ୍କାର’ ଶବ୍ଦ ଶୁଣିବା ମାତ୍ରେ ତା’ ମୁହଁର ଭାବଭଂଗି ପୂରା ବଦଳିଗଲା। କେତେ କ’ଣ କହିବାକୁ ତା’ର ଇଚ୍ଛା ହେଉଥିଲେ ବି କିଛି ନ କହି, କହିନପାରି ସେ ଖାଲି କଡ଼ମଡ଼ କରି ମୋତେ ଚାହିଁଲା। ତା’ ଅଂଗଭାଷା ମୋତେ ସ୍ପଷ୍ଟ ଭାବରେ କହିଲା- “ଦୂର୍ ହୁଅ ଦୁର୍ବୃତ୍ତ, ତୋ’ ସାହାଯ୍ୟ ମୋର ଆଦୌ ଦରକାର ନାହିଁ। ମୋ’ କାମ ମୁଁ କରିବାକୁ ସମର୍ଥ। ମୋ’ ସାମନାରୁ ତୁରନ୍ତ ଦୂରକୁ ଚାଲିଯା। ଏଡ଼େ ବଡ଼ ଲୋକ, ଡାକିଲା କ’ଣ ନା ମାଉସୀ? ପୁଣି ନମସ୍କାର, ହୁଁଃ।” ମୁଁ କି ଛାଡ଼େ, ମୁଁ ତ ତା’ ଭିତରେ ମୋ’ ଝିଆରୀକୁ ଦେଖୁଛି। ଦୂରରେ ଛିଟିକି ପଡ଼ିଥିବା ବହିଖାତାକୁ ତା’ ବ୍ୟାଗରେ ରଖିଲି, ସାମାନ୍ୟ ଦୂରକୁ ଗଡ଼ିଯାଇଥିବା ତା’ ଟିଫିନ୍ ଡବାଟି ଆଣି କହିଲି-
ମାଉସୀ, ହାତଗୋଡ଼ ହଲେଇ ଟିକେ ଦେଖୁନୁ, କାଳେ ଭାଂଗି ଯାଇଥିବ?
ପୁଣି ମାଉସୀ ଡାକ ଶୁଣି, ଚିଡ଼ିମିଡ଼ି ହୋଇ ମୋ’ ହାତରୁ ଟିଫିନ୍ ଡବାଟି ଏକ ରକମ ଛଡ଼େଇ ନେଲା। କହିବ ବା କ’ଣ? ତା’ର ଏମିତି ଚିଡ଼ାପଣ ଦେଖି, ମୁଁ କିନ୍ତୁ ଭାରି ଉତ୍ସାହିତ। ତା’ ଇଚ୍ଛା ବିରୋଧରେ ଯାଇ ତାକୁ ଅଧିକ ସାହାଯ୍ୟ କରୁଥାଏ। ତା’ ସାଇକେଲ୍‌ଟିକୁ ଛିଡ଼ା କଲି, ତା’ ବ୍ୟାଗ୍ ଆଣି କ୍ୟାରିଅର୍‌ରେ ରଖିଲି। ଏହା ଭିତରେ ସେ ଉଠି ତା’ ଗୋଡ଼ ହାତରୁ ଧୂଳି ଝାଡ଼ିଲା, କିଛି ଗୋଟେ ଖୋଜିଲା ପରି ମୋତେ ଲାଗିଲା। ମୁଁ ଜାଣି ପାରିଲି, କହିଲି-
ମାଉସୀ, କ’ଣ ଆଉ ପଟେ ଯୋତା? ସେଇଠି ପଡ଼ିଛି, ରହ ମୁଁ ଆଣି ଦଉଚି।
ମୋ’ କଥାକୁ ଖାତିରି ନକରି, ସେ ନିଜେ ଯାଇ ଗୋଟେ ଘାସବୁଦା ଭିତରୁ ତା’ ଯୋତା ପଟକ ଆଣି ପିଂଧିଲା। ରାସ୍ତା ମଝିକୁ ସାଇକେଲ୍ ନେଲା, ସାଇକେଲ୍ ସିଟ୍‌ରେ ବସି ଡାହାଣ ପେଡାଲରେ ପାଦ ଦେଲା। ମୋତେ କଟମଟ କରି ଚାହିଁଲା। ତା’ କଅଁଳିଆ ମୁହଁଟା ଖୁବ୍ କର୍କଶ ଦେଖାଗଲା। ଏମିତି ଉଗ୍ରରୂପ ଦେଖି, ଏତେ ଛୋଟ ଝିଅଟାକୁ ମୁଁ ବି ଡରିଗଲି। ରସ, ରୀତି, ଧ୍ୱନି, ବକ୍ରୋକ୍ତି ପଢ଼ୋଉ ଥିବା ‘ମୁଁ’ ଜାଣିପାରିଲି ନାହିଁ ସେ କେଉଁ ରସ ସୃଷ୍ଟି ନିମନ୍ତେ କିପରି ଭାଷା ବ୍ୟବହାର କରିବାକୁ ଯାଉଛି। ଗଳ୍ପ-ନାଟକ ଲେଖୁଥିବା ‘ମୁଁ’ ବୁଝିପାରିଲି ନାହିଁ ଏବେ ତା’ର ସଂଳାପ କ’ଣ ହେବ। ଭାଷା ଉପରେ ଗବେଷଣା କରୁଥିବା ‘ମୁଁ’ କଳ୍ପନା କରିପାରିଲି ନାହିଁ ଏବେ ତା’ ମୁଖରୁ କେଉଁ ଶବ୍ଦ ନିର୍ଗତ ହେବ। ଭାବିଲି, ଯାହା କହିବ କହୁ। ମୁଁ କ’ଣ କିଛି ଭୁଲ୍ କରିଛି କି? ଝିଅ-ଝିଆରୀ-ସାନଭଉଣୀ ଦୃଷ୍ଟିରେ ଦେଖି ଯାହା ଟିକିଏ ଚିଡ଼େଇଚି।
ଝିଅଟି ସାଇକେଲ ହ୍ୟାଂଡେଲ୍ ଉପରୁ ତା’ଡାହାଣ ହାତଟି ଆଣି ଆଶୀର୍ବାଦ ମୁଦ୍ରାରେ ରଖିଲା, ହିଂଦୀର ରାମାୟଣ-ମହାଭାରତ ସିରିଏଲ୍ ଶୈଳୀରେ କହିଲା- ‘ଆୟୁଷ୍ମାନ ଭବ’। ଆଗକୁ ଗଡ଼ିଲା ତା’ ସାଇକେଲ୍।
ମୁଁ ପୁତୁରା ହୋଇ ଚାହିଁ ରହିଲି ସେ ବୁଲାଣି ପାଖେ ଅଦୃଶ୍ୟ ହେବା ପର୍ଯ୍ୟନ୍ତ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *