ବୟୋଜ୍ୟେଷ୍ଠ ଲେଖିକା ଗିରିଜା ମଞ୍ଜରୀ ପାଢ଼ୀଙ୍କ ସହ ଆଳାପ

ମୁଁ କେବେ ଔପଚାରିକ ଭାବରେ ବଙ୍ଗଳା ଭାଷା ଶିକ୍ଷା କରିନାହିଁ, ଏମିତି ବାପାଙ୍କ ବହି ପଢ଼ି ପଢ଼ି ଭାଷାଟିକୁ ଆୟତ୍ତକଲି ଯାହା।

ବର୍ଷୀୟସୀ ଲେଖିକା ଗିରିଜା ମଞ୍ଜରୀ ପାଢ଼ୀଙ୍କୁ ବୟସ ବର୍ତ୍ତମାନ ୮୨ ବର୍ଷ। ଏ ଯାବତ୍ ତାଙ୍କର ପ୍ରାୟ ୨୮ଟି ପୁସ୍ତକ ପ୍ରକାଶିତ। ରମ୍ୟରଚନା, ଶିଶୁ ସାହିତ୍ୟ, ଭ୍ରମଣକାହାଣୀ ଓ ଅନୁବାଦ ସାହିତ୍ୟରେ ସଫଳତାର ସହିତ କଲମ ଚାଳନା କରି ଏହି ସୁଲେଖିକା ଓଡ଼ିଆ ସାହିତ୍ୟକୁ ନିଜର ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ତା”ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ, ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଭାଷା ଓ ସାହିତ୍ୟରେ ନିଜର ସ୍ନାତକୋତ୍ତର ଶିକ୍ଷା ଶେଷ କରିବା ପରେ ଆପଣ ସାହିତ୍ୟ ପ୍ରତି ଆକୃଷ୍ଟ ହେଲେ, ନା ପୂର୍ବରୁ ମଧ୍ୟ ଥିଲା ଆପଣଙ୍କର କିଛି ରଚନାପ୍ରବଣତା!
ଗିରିଜା ମଞ୍ଜରୀ ପାଢ଼ୀ: ମୁଁ ଯେତେବେଳେ ନବମ ଶ୍ରେଣୀର ପଢ଼ୁଥିଲି, ସେତେବେଳେ କବିତା ଲେଖିବା ଆରମ୍ଭ କରିଥିଲି। ମୋତେ ସେତେବେଳେ ତେର କି ଚଉଦ ବର୍ଷ ବୟସ। ଛୋଟଛୋଟ କବିତା ସବୁ ଲେଖୁଥିଲି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କର ପ୍ରଥମ କବିତାଟି କ’ଣ ଥିଲା?
ଗିରିଜା ମଞ୍ଜରୀ ପାଢ଼ୀ: ପ୍ରଥମ କବିତାଟି ଥିଲା, ‘ମରୁପଥେ’।
ସାହିତ୍ୟ ଚର୍ଚ୍ଚା: ମାତ୍ର ୧୪ ବର୍ଷ ବୟସରେ ଲେଖିଥିବା ସେହି କବିତାର କିଛି ଧାଡ଼ି ଆପଣଙ୍କର ଏବେ ମନେ ଅଛି?
ଗିରିଜା ମଞ୍ଜରୀ ପାଢ଼ୀ: ହଁ, ମୁଁ ଲେଖିଥିଲି,
ପଛରେ ମୋର ରହିଗଲା ମରୁଦ୍ୟାନ
ମାଡ଼ି ଆସୁଅଛି ମରୁ-ମରୀଚିକା ବାଲି।

ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ଗୋଟିଏ ନୈରାଶ୍ୟବୋଧରୁ ନିଜ ଲେଖିକା ଜୀବନ ଆରମ୍ଭ କରିଥିଲେ?
ଗିରିଜା ମଞ୍ଜରୀ ପାଢ଼ୀ: ମୋ’ର ଜୀବନଟା ହିଁ ନୈରାଶ୍ୟରେ ଭରା। ମୋ’ ପରି ଏତେ କଷ୍ଟ ସହିଥିବା ସ୍ତ୍ରୀଲୋକ ମୁଁ ଜୀବନରେ ଆଉ କାହାକୁ ଦେଖିନାହିଁ।
ସାହିତ୍ୟ ଚର୍ଚ୍ଚା: କିଛି ଘଟଣା, ଦୁର୍ଘଟଣା ବା ବିଡ଼ମ୍ବନା ଘଟିଥିଲା କି?
ଗିରିଜା ମଞ୍ଜରୀ ପାଢ଼ୀ: ବିଡ଼ମ୍ବନା ନୁହେଁ, ମୋତେ ଭଗବାନ ଯାହା ଦେଇଥିଲେ ତା’କୁ ମୁଁ ଗ୍ରହଣ କରିନେଇ ଯାଇଛି। ମୋ’ ବାପାଙ୍କର ପାଞ୍ଚଟା ଝିଅ। ମୋ’ ମାଆର ଶିକ୍ଷା ପ୍ରତି ଭାରି ଆଗ୍ରହ ଥିଲା। ତା’ର ଅନୁପ୍ରେରଣା ମୋତେ ନିଜକୁ ଗଢ଼ିବାରେ ଗୋଟିଏ ବଡ଼ ଭୂମିକା ତୁଲାଇଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଘରେ ସାରସ୍ୱତ ସେବା ପାଇଁ ଗୋଟିଏ ଅନୁକୂଳ ପରିବେଶ ଥିଲା, ବୋଧହୁଏ।
ଗିରିଜା ମଞ୍ଜରୀ ପାଢ଼ୀ: ମୋ’ ଜେଜେ ବାପା ସଂସ୍କୃତଜ୍ଞ ଥିଲେ। ମୋ’ ବାପା ପୁରୀରେ ରହି ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍‌ରେ ପାଞ୍ଚ ବର୍ଷ ଧରି ଅଭିନୟ କରିଛନ୍ତି। ସେମାନଙ୍କର ପ୍ରେରଣାର ପ୍ରଭାବ ପଡ଼ିଥିଲା ମୋ’ ଉପରେ।
ସାହିତ୍ୟ ଚର୍ଚ୍ଚା: ବୋଧହୁଏ, ୧୯୯୨ ମସିହାରେ ଆପଣଙ୍କ ପ୍ରଥମ ବହି ‘ସୁନାଫରୁଆ’ ପ୍ରକାଶିତ ହେଲା।
ଗିରିଜା ମଞ୍ଜରୀ ପାଢ଼ୀ: ହଁ, ସେଇଟି ଥିଲା ଗୋଟିଏ ଅନୁବାଦ ପୁସ୍ତକ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଲେଖକୀୟ ଜୀବନରେ ଅନୁବାଦ-କଳା ଅଧିକ ପ୍ରାଧାନ୍ୟ ପାଇଛି।
ଗିରିଜା ମଞ୍ଜରୀ ପାଢ଼ୀ: ତାହାର କାରଣ ହେଲା, ମୋ’ର ମାଆ ବାପା ସେତେବେଳେ ବଙ୍ଗଳା ବହି ସବୁ ଘରକୁ ଆଣୁଥିଲେ। ସେଥିମଧ୍ୟରୁ ଅନେକ ବହି ‘ଦେବ ସାହିତ୍ୟ କୁଟୀର’ର ଥିଲା। ସେ ବହିଗୁଡ଼ିକ ଭାରି ରୋଚକ ଲାଗେ। ମୋ’ ମାଆ ରୋଷେଇ କରୁଥିବ, ବାପା ସେଠି ବସି ପଢ଼ିବେ। ମାଆ ତ ପଞ୍ଚମ ଯାଏଁ ପାଠ ପଡ଼ିଥାଏ। ସେ ସେଗୁଡ଼ିକ ନିଜେ ପଢ଼ିପାରେନା। ବାପା ସେ ବହି ଘରେ ଥୋଇଦେଇ ନିଜ କାମରେ ଚାଲିଯିବେ। ସେଠୁଁ ମୋ’ ମାଆ ମୋତେ କହିବ, “ଟିକିଏ ପଢ଼, ସେ ବହିରେ ସ୍ନେହଲତାର କ’ଣ ହେଲା?” ମାନେ, ତା’ର ଉତ୍କଣ୍ଠା ବେଶି।
ସାହିତ୍ୟ ଚର୍ଚ୍ଚା: ସେହି ପଢ଼ିବାର ଅନୁଭୂତି ଭିତରେ ବୋଧହୁଏ ତାହାକୁ ଅନୁବାଦ କରିବା ପାଇଁ ଆପଣଙ୍କ ମନରେ ଗୋଟିଏ ଇଚ୍ଛା ଜାଗରିତ ହେଲା!
ଗିରିଜା ମଞ୍ଜରୀ ପାଢ଼ୀ: ହଁ ମୋ’ ମାଆ ମୋତେ କହିଛି ସେଇଟା। ମୁଁ କେବେ ଔପଚାରିକ ଭାବରେ ବଙ୍ଗଳା ଭାଷା ଶିକ୍ଷା କରିନାହିଁ; ଏମିତି ବାପାଙ୍କ ବହି ପଢ଼ି ପଢ଼ି ଭାଷାଟିକୁ ଆୟତ୍ତ କଲି ଯାହା। ମାଆ ଦିନେ କହିଲା, “ବାପା ସିନା ବଙ୍ଗଳା ପଢ଼ି ବୁଝିପାରୁଛନ୍ତି, ମୁଁ ତ ଏଗୁଡ଼ାକ ବୁଝିପାରୁନାହିଁ; ତୁ ଏସବୁ ଓଡ଼ିଆରେ ଲେଖିଦେଉନୁ!”

ସାହିତ୍ୟ ଚର୍ଚ୍ଚା: ତେଣୁ ଆପଣଙ୍କ ପ୍ରକାଶିତ ବହିର ତାଲିକା ଦେଖିଲେ ଆମେ ପାଉ ଯେ ସେଥିରୁ ପ୍ରାୟ ୧୫ଟି ବହି ବଙ୍ଗଳା ଭାଷାରୁ ଅନୂଦିତ। ଏହାଦ୍ୱାରା ଗୋଟିଏ ପ୍ରତିବେଶୀ ଭାଷାର ସାହିତ୍ୟ ସହିତ ଓଡ଼ିଆ ପାଠକମାନେ ପରିଚିତ ହୋଇପାରିଲେ। କିନ୍ତୁ ବର୍ତ୍ତମାନ ଓଡ଼ିଆ ସାହିତ୍ୟର ସମସ୍ୟା ଏହା ମଧ୍ୟ ନୁହେଁ କି, ଯେ ଆମ ଭାଷାର ସାହିତ୍ୟ ଓଡ଼ିଶାର ସରହଦ ପାର କରି ଅନ୍ୟ ରାଜ୍ୟକୁ ଯାଇପାରୁନାହିଁ? ଆପଣ ତ ବିପରୀତ କାର୍ଯ୍ୟଟିଏ ମଧ୍ୟ କରିପାରିଥା’ନ୍ତେ, କିଛି ଓଡ଼ିଆ ବହିକୁ ବଙ୍ଗଳାରେ ଅନୁବାଦ କରି।
ଗିରିଜା ମଞ୍ଜରୀ ପାଢ଼ୀ: ସେଇଟା ମୋ’ ପାଇଁ କଷ୍ଟକର ହୋଇଥାଆନ୍ତା। କାରଣ ମୁଁ ବଙ୍ଗଳା ଭାଷା ଯେଭଳି ଭାବରେ ପଢ଼ିପାରୁଥିଲି, ସେତେ ଭଲ ଭାବରେ ଲେଖିପାରୁ ନ ଥିଲି।
ସାହିତ୍ୟ ଚର୍ଚ୍ଚା: ଏବେ ଆମ ଅନୁବାଦ ସାହିତ୍ୟର ସ୍ତର ବା ଗୁଣମାନକୁ ନେଇ ଆପଣଙ୍କର ମତ କ’ଣ?
ଗିରିଜା ମଞ୍ଜରୀ ପାଢ଼ୀ: ଏହାକୁ ନେଇ ଆମ ମାଆ-ପୁଅଙ୍କର ଯୁକ୍ତି ଲାଗେ। ସେ ଦିନେ କହିଲା, “କ’ଣ ପାଇଁ ମାଆ, ଜଣେ ଅଣ୍ଟା ବଙ୍କେଇ ଏତେ ସମୟ ଧରି ବସି, ଏଡ଼େ ବଡ଼ ଡିକ୍ସନାରୀଟାଏ ଧରି, ଆଉ ପରିଶ୍ରମ କରି ଅନୁବାଦ କରିବ? ଏତେ କଥା କରି ତୁମେ କାହିଁକି ଅନୁବାଦ କରୁଚ? ଆଜିକାଲି ଯେଉଁ ଏ.ଆଇ ଆସିଚି, ସମସ୍ତେ ସେଥିରେ କରୁଚନ୍ତି।”
ସାହିତ୍ୟ ଚର୍ଚ୍ଚା: ତେବେ ଏହି ଏ.ଆଇ ଦ୍ୱାରା କରାଯାଉଥିବା ଅନୁବାଦ ବିଷୟରେ ଆପଣ କ’ଣ ଭାବନ୍ତି?
ଗିରିଜା ମଞ୍ଜରୀ ପାଢ଼ୀ: ମୁଁ ଏହା ସପକ୍ଷରେ ନୁହେଁ। ମୋ’ ମତରେ ଯେଉଁ ଲୋକ ଅନ୍ତତଃ ଗୋଟିଏ ଭାଷାକୁ ପଢ଼ିପାରୁଥିବ, ତା’କୁ ବୁଝିପାରୁଥିବ, ସେ ସେହି ଭାଷାରୁ ଅନୁବାଦ ଯଦି କରିବ ତେବେ ଯାଇ ତାହା ସଫଳ ହେବ। ଉଦାହରଣ ସ୍ୱରୂପ ତାମିଲ୍ ଭାଷାରୁ ଯେଉଁମାନେ ଅନୁବାଦ କରୁଛନ୍ତି, ସେମାନେ ନିଜେ ସେହି ତାମିଲ୍ ଭାଷାରେ ପଦିଏ ଲେଖିପାରିବେ କି?
ସାହିତ୍ୟ ଚର୍ଚ୍ଚା: ଅର୍ଥାତ୍ ଗୋଟିଏ ଇଣ୍ଟରମେଡ଼ିଆରୀ ଭାଷାକୁ ଅନୂଦିତ ହୋଇଥିବା ବହିକୁ ଯଦି ଜଣେ ପୁଣି ଓଡ଼ିଆ ଭାଷାକୁ ଅନୁବାଦ କରନ୍ତି, ତେବେ ତାହା ଠିକ୍ ହେବନାହିଁ!
ଗିରିଜା ମଞ୍ଜରୀ ପାଢ଼ୀ: ନା, ହେବନାହିଁ। ଆଉ ଆପଣ ଏ.ଆଇର କଥା ଯାହା କହିଲେ, ମୁଁ ସେଥିରେ ଅନୁବାଦ କରାଯାଇଥିବା ଅନ୍ୟମାନଙ୍କର କେତେକ ଲେଖା ପଢ଼ିଦେଖିଛି। ସେଗୁଡ଼ିକ ଯାନ୍ତ୍ରିକଯାନ୍ତ୍ରିକ ଲାଗେ। ସେଥିରେ ନା ଥାଏ ଭାବ, ନା ଭାଷା।
ସାହିତ୍ୟ ଚର୍ଚ୍ଚା: ଆଜିକାଲି ଅନୁବାଦକଳାର ଆଉ ଗୋଟିଏ ଦିଗ ହେଲା ଅନୁସୃଜନ। ଅର୍ଥାତ୍ ଜଣେ ଜଣେ ଅନୁବାଦକ ବହି ଅନୁବାଦ କରିବାବେଳେ ଲେଖକ ମୂଳ ଲେଖାରେ ଯାହା ଲେଖିଥିବେ ସେଥିରେ ନିଜ ମନରୁ କିଛି ମଧ୍ୟ ଯୋଡ଼ିଦେଇଥାଆନ୍ତି।
ଗିରିଜା ମଞ୍ଜରୀ ପାଢ଼ୀ: ସେଇଟା ଠିକ୍ ନୁହଁ। କୌଣସି ଅନୁବାଦ କରିବାବେଳେ ଆମେ ଲେଖକର ଶୈଳୀ, ତା’ର ଭାବନା ଆଉ ତା’ର ଅର୍ଥକୁ ଯେତେ ଅକ୍ଷୁଣ୍ଣ ରଖି ପରିବେଷଣ କରିବା, ସେତେ ଭଲ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ନିଜେ କୌଣସି ଅନୁସୃଜନ କେବେ କରିନାହାନ୍ତି?
ଗିରିଜା ମଞ୍ଜରୀ ପାଢ଼ୀ: ଏହାକୁ ଯେ ‘ଅନୁସୃଜନ’ ବୋଲି କହନ୍ତି, ଏ କଥା ଆପଣ ଆଜି କହିବାରୁ ଜାଣିଲି। ଏହାର ଅର୍ଥ ନ ବୁଝି ମୋ’ର ପୂର୍ବ କେତୋଟି ବହିରେ ତାହାକୁ ‘ଅନୁସୃଜନ’ ବୋଲି ସୂଚାଇ ଦେଇଛି। ମୂଳ ଲେଖକର ସୃଷ୍ଟିରେ ଜଣେ ଅନୁବାଦକ ନିଜର କୌଣସି ମୌଳିକ ସର୍ଜନଶୀଳତା ପୂରାଇବାଟା ପାପ ବୋଲି ମୁଁ ଭାବେ। ସେ ଯାହାହେଉ, ଏ ବୟସରେ ମୁଁ ଆପଣଙ୍କଠାରୁ ଅନୁବାଦ ଓ ଅନୁସୃଜନ ଭିତରେ ଫରକଟା ଶିଖିଲି। ନହେଲେ ତ ମୁଁ ଆଗରୁ ଭାବୁଥିଲି ଯେ ଉଭୟଟି ହେଉଛି ଗୋଟିଏ କଥା।
ସାହିତ୍ୟ ଚର୍ଚ୍ଚା: ଅନୁବାଦ ସାହିତ୍ୟ ବ୍ୟତିରେକେ ଆଉ ଏକ ବିଭାଗ ଯେଉଁଥିରେ ଆପଣ ସୁଦକ୍ଷ ଭାବରେ କଲମ ଚାଳନା କରିଛନ୍ତି, ତା’ହେଲା ରମ୍ୟରଚନା। ଏହାକୁ ରମ୍ୟଗଳ୍ପ ବୋଲି ମଧ୍ୟ ଆମେ କହିପାରୁ। କାହିଁକି ନା, ‘ମଧୁମତୀ’ ନାମରେ ଆପଣଙ୍କର ଯେଉଁ ମୌଳିକ କୃତିଟି ୨୦୧୨ରେ ପ୍ରକାଶିତ ହୋଇଛି, ସେଥିରେ ଅନେକ ଉଚ୍ଚକୋଟୀର ରମ୍ୟରଚନା ରହିଛି। ଶୁଣିଛୁ ଯେ ବହୁ ପୂର୍ବରୁ ‘ମାଲ୍ କା କମାଲ୍‌’ ବୋଲି ଆପଣଙ୍କର ଗୋଟିଏ ରମ୍ୟରଚନା ପ୍ରକାଶିତ ହୋଇ ଝଡ଼ ସୃଷ୍ଟି କରିଥିଲା। ଅନେକେ କହନ୍ତି ଯେ ସେତେବେଳେ ଓଡ଼ିଶା ଲେଖିକା ସଂସଦରେ ଚାଲିଥିବା କୌଣସି ଗତିବିଧିକୁ ଆକ୍ଷେପ କରି ଆପଣ ଏଇଟି ଲେଖିଥିଲେ।
ଗିରିଜା ମଞ୍ଜରୀ ପାଢ଼ୀ: ସେମିତି ନୁହଁ, ଏହା ସର୍ବସାଧାରଣରେ ଚାଲିଥିବା ବିଭିନ୍ନ ଅନୁଷ୍ଠାନର ଗତିବିଧିକୁ ଲକ୍ଷ୍ୟକରି ଲେଖା ହୋଇଥିଲା। କାହିଁକି ନା, ସେହି ଲେଖାରେ ମୁଁ କାହାରି ନାଁ ଦେଇନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ଓଡ଼ିଶା ଲେଖିକା ସଂସଦର ଜଣେ ସଦସ୍ୟ ଥିଲେ କି?
ଗିରିଜା ମଞ୍ଜରୀ ପାଢ଼ୀ: ଏହି ଲେଖିକା ସଂସଦ ଯେବେ ପ୍ରତିଷ୍ଠା ହେଲା ସେତେବେଳେ ସ୍ୱର୍ଗତ ଗୀତା ହୋତା ମୋତେ ତାହାର ସଦସ୍ୟ କରାଇଦେଇଥିଲେ। ଏହିଭଳି କେତେକ ଅନୁଷ୍ଠାନରେ ରହିବା ଭିତରେ କିଛି ଅପ୍ରିୟ ସତ ଘଟଣା ଦେଖିଛି ଆଖିରେ।
ସାହିତ୍ୟ ଚର୍ଚ୍ଚା: ଆପଣ ଏହି କ୍ଷୋଭରେ ହିଁ ଲେଖିଦେଲେ କି “ମାଲ୍ କା କମାଲ୍‌”!
ଗିରିଜା ମଞ୍ଜରୀ ପାଢ଼ୀ: କିନ୍ତୁ କୌଣସି ଗୋଟିଏ ଅନୁଷ୍ଠାନକୁ ମନରେ ରଖି ମୁଁ ସେଇଟି ଲେଖିନାହିଁ। ସାହିତ୍ୟ ନାଆଁରେ ଆମର ଏଠି କ’ଣ ଚାଲିଛି, ତାହାରି ଉପରେ ଏହା ଏକ କଟାକ୍ଷ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏହାକୁ ନେଇ ଯେଉଁ ଝଡ଼ ସୃଷ୍ଟିହେଲା, ସେଥିରେ ଆପଣଙ୍କ ଉପରେ କିଛି ଆଞ୍ଚ ଆସିଥିଲା କି?
ଗିରିଜା ମଞ୍ଜରୀ ପାଢ଼ୀ: ମୋ’ର କୌଣସି ଅସୁବିଧା ହୋଇନାହିଁ; କାରଣ ମୋ’ର ବିଶ୍ୱାସ, ଯାହା ମୋ’ର ବାପାମାଆ ମଧ୍ୟ ଶିଖାଇଛନ୍ତି, ସତ୍ୟମେବ ଜୟତେ।
ସାହିତ୍ୟ ଚର୍ଚ୍ଚା: ଏହାକୁ ପଢ଼ି ଆପଣଙ୍କୁ କ’ଣ ବୋଲି ସମାଲୋଚନା କରାଗଲା?
ଗିରିଜା ମଞ୍ଜରୀ ପାଢ଼ୀ: ଏହାକୁ ପଢ଼ି କୌଣସି ସାହିତ୍ୟ ଅନୁଷ୍ଠାନର ମୁଖିଆ ଦୁଇ ତିନିଜଣ ମୋତେ କହିଲେ, “ତୁମେ ଏମିତି ଲେଖିପାରିବନି; ତୁମେ ଅଶ୍ଳୀଳ ଲେଖିଚ।” ମୁଁ କାହିଁକି ଅଶ୍ଳୀଳ ଲେଖିବାକୁ ଯିବି? ମୁଁ ତ ଶିଶୁସାହିତ୍ୟ ଲେଖେ; ତେଣୁ ସେମିତି ଭୁଲ୍ କେବେ କରିବି ନାହିଁ। ପ୍ରେମ କି ପ୍ରଣୟ ଉପରେ ମଧ୍ୟ କେବେ ଲେଖିନାହିଁ। ହେଲେ ବି ସେହି ମୁଖିଆମାନେ ମୋତେ ନେଇ ଗୋଟିଏ ଫତୁଆ ଜାରି କରିଦେଲେ, “ତା’ ଲେଖା କେହି ଛାପିବ ନାହିଁ।”
ସାହିତ୍ୟ ଚର୍ଚ୍ଚା: ନିଜେ ଲେଖିକା ହୋଇ ବି ସେମାନେ କେମିତି ଆଉ ଜଣେ ଲେଖିକାର ସ୍ୱରକୁ କଣ୍ଠରୋଧ କରିବାକୁ ଚେଷ୍ଟା କଲେ?
ଗିରିଜା ମଞ୍ଜରୀ ପାଢ଼ୀ: ହଁ, ମୋର ସ୍ୱରକୁ କଣ୍ଠରୁଦ୍ଧ କରିଦେଇଥିଲେ। ମୁଁ ଏଭଳି କିଛି ସାହିତ୍ୟ ଅନୁଷ୍ଠାନରେ ରହି ନିଜ ଲେଖିକା-ଜୀବନର ତିରିଶ ବର୍ଷ ନଷ୍ଟ କରିଛି ବୋଲି ଭାବେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ଧାର୍ମିକ ବିଷୟକୁ ନେଇ ଲେଖାଯାଇଥିବା ରଚନା ବହୁ ଅଧିକ।
ଗିରିଜା ମଞ୍ଜରୀ ପାଢ଼ୀ: ସବୁଥିରେ ମୋ’ର ଧର୍ମତତ୍ତ୍ୱ ନିଶ୍ଚୟ ଥିବ।
ସାହିତ୍ୟ ଚର୍ଚ୍ଚା: ୨୦୧୭ ମସିହାରେ ‘ଶ୍ରୀମତୀ ରାଧାଙ୍କ ଶେଷ ସମ୍ବାଦ’ ନାମକ ବହିର ମୁଖବନ୍ଧ ଲେଖିବାକୁ ଯାଇ ଆପଣ କହିଛନ୍ତି, “ସ୍ୱାମୀଙ୍କର ଆକସ୍ମିକ ମହାପ୍ରୟାଣ ମୋତେ ଦିଗହରା କରିଦେଲା। ପ୍ରିୟଜନଙ୍କ ଅଭାବବୋଧର ଯନ୍ତ୍ରଣା ମୋତେ ଘାରିଲା ବାରମ୍ବାର। ମୁଁ ଅନୁଭବ କଲି, ବିରହର ଅନ୍ୟ ନାମ ଯନ୍ତ୍ରଣା।” ସେହି ବିରହ ଯନ୍ତ୍ରଣାରୁ ସୃଷ୍ଟି ହୋଇଛି କି ଆପଣଙ୍କର ଏହି ବହି?
ଗିରିଜା ମଞ୍ଜରୀ ପାଢ଼ୀ: ଏଇଟି ତ ଗୋଟିଏ ଅନୂଦିତ ବହି।
ସାହିତ୍ୟ ଚର୍ଚ୍ଚା: ତଥାପି କାହିଁକି ଆପଣ ଏହାକୁ ନିଜର ବିରହ ଯନ୍ତ୍ରଣା ସହିତ ଯୋଡ଼ିକରି ଦେଖନ୍ତି?
ଗିରିଜା ମଞ୍ଜରୀ ପାଢ଼ୀ: କାରଣ ସେହି ଲେଖାର ଭାବନା ସହିତ ମୋ’ର ମନୋସ୍ଥିତି ମିଶିଗଲା। ଏହି ବହିରେ ଦେଖିଲି ମୋ’ ଯନ୍ତ୍ରଣାର ଏକ ପ୍ରତିଫଳନ।
ସାହିତ୍ୟ ଚର୍ଚ୍ଚା: ଏହାର ଅର୍ଥ, ଅନୁବାଦ କ୍ରିୟାରେ ମଗ୍ନ ଥିବାବେଳେ ଆପଣ ତାହାର ମୂଳ ଭାବନା ସହିତ ଏକାତ୍ମ ହୋଇଯାଆନ୍ତି।
ଗିରିଜା ମଞ୍ଜରୀ ପାଢ଼ୀ: ନିଶ୍ଚିତ ଭାବରେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସାମଗ୍ରିକ କୃତିର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଆମ ଆଜିର ଆଲୋଚନାରେ ଅଛୁଆଁ ହୋଇ ରହିଗଲା, ତା’ ହେଉଛି ଶିଶୁସାହିତ୍ୟ। ଓଡ଼ିଆ ଶିଶୁ ସାହିତ୍ୟ ପ୍ରତି ଆପଣଙ୍କର ଅବଦାନ ବହୁ ଅଧିକ।
ଗିରିଜା ମଞ୍ଜରୀ ପାଢ଼ୀ: ମୋତେ ଏ ଦିଗରେ ଯିଏ ବିଶେଷ ଅନୁପ୍ରାଣିତ କରିଛନ୍ତି, ସିଏ ଏବେ ଚାଲିଗଲେଣି – ସାତକଡ଼ି ହୋତା। ସେ ମୋତେ କହିଲେ, “ଦେଖ ଗିରିଜା, ଆମ ଭାଷାରେ ଶିଶୁସାହିତ୍ୟର ଅଭାବ ଅଛି। ତୁମେ ଏମିତି ଏକ ଶିଶୁସାହିତ୍ୟ ଲେଖ, ଯାହା ଚିରାଚରିତ ଶିଶୁସାହିତ୍ୟଠାରୁ ଟିକିଏ ଭିନ୍ନ ହେବ।”
ସାହିତ୍ୟ ଚର୍ଚ୍ଚା: ଆପଣ କ’ଣ ଆଶ୍ୱସ୍ତ ଯେ ସାତକଡ଼ି ହୋତାଙ୍କର ଏହି ଆଶା ଓ ବିଶ୍ୱାସର ପରିପୂରଣ କରିପାରିଛନ୍ତି!
ଗିରିଜା ମଞ୍ଜରୀ ପାଢ଼ୀ: ମୁଁ ଭାବୁଛି, କରିପାରିଛି ବୋଲି। ଯେତେବେଳେ ମୋର ଗୋଟିଏ ବହି ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ପାଇଲା, ସେ ଖୁସିହୋଇ କହିଲେ, “ବାଃ, ତୁମଠାରୁ ଏକଥା ଆଶା କରାଯାଉଥିଲା।’
ସାହିତ୍ୟ ଚର୍ଚ୍ଚା: ଆପଣ ୧୪ ବର୍ଷ ବୟସରୁ ଲେଖିବା ଆରମ୍ଭ କରିଛନ୍ତି; ଆଜି ଆପଣଙ୍କୁ ୮୨ ବର୍ଷ। ଏହି ଦୀର୍ଘ ଦିନର ସାଧନା ପରେ ବି ଆପଣ ସାହିତ୍ୟ ଜଗତରେ ଅପେକ୍ଷାକୃତ ଭାବରେ ଅପରିଚିତ ଓ ଅପୁରସ୍କୃତ ହୋଇ ରହିଗଲେ କାହିଁକି, ଯଦିଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଉ ଓଡ଼ିଶା ବିଜ୍ଞାନ ଏକାଡେମୀ ଭଳି କିଛି ସଂସ୍ଥା ଅତୀତରେ ଆପଣଙ୍କୁ ସମ୍ମାନିତ କରିଛନ୍ତି!
ଗିରିଜା ମଞ୍ଜରୀ ପାଢ଼ୀ: ମୁଁ ବେଶି ବାହାରକୁ ଯାଏନି; ମୁଁ ତ ଘରସଂସାରୀ ଲୋକ। ମୋର ସାରାଜୀବନ ବିଡ଼ମ୍ବନାମୟ। ତଥାପି ତପସ୍ୟା କରିଛି ସାରା ଜୀବନ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ବାର୍ତ୍ତାଳାପ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *