ଯେତେବେଳେ ଜଣେ ଝିଅ ତା’ର ଭବିଷ୍ୟତର ପାସ୍ଓ୍ବାର୍ଡ୍ ନିଜେ ସେଟ୍ କରେ ପ୍ରକୃତରେ ସେତେବେଳେ ହିଁ ସେ ସ୍ବାଧୀନ ହୁଏ।

ରାତି ପ୍ରାୟ ସାଢେ ଏଗାରଟା। ଘର ସାରା ଅନ୍ଧାର ହୋଇଯାଇଥାଏ। ସମସ୍ତେ ନିଜ ନିଜ ଶୋଇବା କୋଠରୀକୁ ଚାଲିଯାଇଥାନ୍ତି। ମାତ୍ର ହଲରୁ ଏକ ହାଲୁକା ଆଲୋକ ଏପର୍ଯ୍ୟନ୍ତ ବାହାରୁଥାଏ। ମୀରା ସେଠି ବସି ନିଜ ପ୍ରଥମ ପୁସ୍ତକର ଶେଷ ପୃଷ୍ଠା ଲେଖୁଥାନ୍ତି।
“ଏତେ ରାତି ଯାଏଁ କଣ କରୁଚ? ଏ ଲେଖାପଢ଼ାରେ ଘର ଚାଲିବ କି?”
ସ୍ୱାମୀଙ୍କର ଏମିତି ବ୍ୟଙ୍ଗାତ୍ମକ ଉକ୍ତିର ଉତ୍ତର ଦେଲେ ନାହିଁ ମୀରା। କେବଳ ହସିଦେଲେ। ଉତ୍ତରଦେବା ସେ ବହୁ ପୂର୍ବରୁ ଛାଡ଼ି ଦେଇଛନ୍ତି।
ବିବାହର ସାତ ବର୍ଷ ଭିତରେ ସେ ଗୋଟିଏ କଥା ବୁଝିଥିଲେ ଯେ, ପ୍ରତ୍ୟେକ ସମ୍ପର୍କରେ ପ୍ରେମ ନ ଥାଏ। କେତୋଟି ସମ୍ପର୍କ କେବଳ ଅଭ୍ୟାସ ପାଲଟି ଯାଇଥାଏ, ଯେଉଁ ଅଭ୍ୟାସ କି ମଣିଷକୁ ନିଜ ପ୍ରକୃତ ପରିଚୟଠାରୁ ଦୁରେଇ ନେଇଥାଏ।
ମୀରା ଥିଲେ ଜଣେ ସଫ୍ଟୱେର ଇଞ୍ଜିନିୟର। ବିବାହ ସମୟରେ ବର ପକ୍ଷ ତରଫରୁ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ବିବାହ ପରେ ମଧ୍ୟ ସେ ନିଜ କ୍ୟାରିୟର୍କୁ ଆଗକୁ ନେଇପାରିବେ। ମାତ୍ର ବିବାହର କେଇଟା ଦିନ ମଧ୍ୟରେ ହିଁ ସେଇ ପ୍ରତିଶ୍ରୁତି ପାଣିର ଗାର ଭଳି ଉଭେଇଗଲା। ତାଙ୍କୁ କୁହାଗଲା, “ସମ୍ଭ୍ରାନ୍ତ ପରିବାରର ବୋହୁମାନେ ଘର ବାହାରେ ଯାଇ ଚାକିରୀ କରନ୍ତି ନାହିଁ। ପୁଣି କାଲି ପିଲା ଛୁଆ ହେଲା ପରେ ତାଙ୍କର ଯତ୍ନ କିଏ ନେବ; ତାଙ୍କୁ ପାଠ କିଏ ପଢେଇବ!“

ମୀରା ସେଦିନ କେବଳ ଚାକିରୀ ଛାଡ଼ି ନ ଥିଲେ, ସେ ନିଜର ସ୍ୱପ୍ନକୁ ମଧ୍ୟ ଅଗ୍ନିରେ ଝାସ ଦେଇଥିଲେ ।
କିନ୍ତୁ ଗୋଟିଏ କଥା ସେ କେବେ ଛାଡ଼ିନଥିଲେ— “ଲେଖିବା”।
ପ୍ରତିଦିନ ରାତିରେ ସମସ୍ତେ ଶୋଇଯିବା ପରେ, ସେ ନିଜକୁ ନିଜର ଶବ୍ଦମାନଙ୍କ ମଧ୍ୟରେ ବଞ୍ଚାଇ ରଖୁଥିଲେ।
ଦିନେ ଜଣେ ପ୍ରସିଦ୍ଧ ପ୍ରକାଶକ ମୀରାଙ୍କ ଦ୍ବାରା ଲିଖିତ ଏକ ପୁସ୍ତକକୁ ପ୍ରକାଶ କଲେ। ଖୁବ ଅଳ୍ପ ସମୟ ମଧ୍ୟରେ ବହିଟିର ବହୁତ ଗୁଡାଏ କପି ବିକ୍ରି ହୋଇଗଲା ଏବଂ ତାହା ପାଠକଙ୍କ ମନକୁ ଛୁଇଁଲା।
ଏବେ ମୀରା ପାଖକୁ ଛୁଟି ଆସିଲା ପୁରସ୍କାର , ସମ୍ମାନ ଓ ପ୍ରଶଂସାର ସୁଅ। ସବୁଆଡେ ମୀରାଙ୍କ ଚର୍ଚ୍ଚା ହେବାରେ ଲାଗିଲା। ଯେଉଁ ପରିବାର ତାଙ୍କର ଏହି ଲେଖିବାର ଇଚ୍ଛାକୁ ‘ସମୟର ଅପଚୟ’ କହୁଥିଲେ ଆଜି ସେହିମାନେ ଗର୍ବର ସହିତ କହୁଥିଲେ, “ମୀରା ଆମ ଘରର ବୋହୁ।”
ଦିନେ ମୀରାଙ୍କୁ ଗୋଟିଏ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରୁ ଏକ ଜାତୀୟ ସେମିନାରରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ‘ଆଧୁନିକ ନାରୀ ଓ ସ୍ୱାଧୀନତା’ ବିଷୟ ଉପରେ ନିଜର ବକ୍ତବ୍ୟ ରଖିବା ପାଇଁ ଆମନ୍ତ୍ରଣ କରଗଲା ।
ସଭାଗୃହ ଲୋକଙ୍କ ଦ୍ବାରା ପରିପୂର୍ଣ୍ଣ ଥିଲା।
ସେତେବେଳେ ଜଣେ ଛାତ୍ରୀ ମୀରାଙ୍କୁ ପ୍ରଶ୍ନ କଲେ , “ମ୍ୟାଡାମ୍, ଜଣେ ନାରୀର ସବୁଠାରୁ ବଡ଼ ସ୍ୱାଧୀନତା କଣ?”
ସମସ୍ତଙ୍କ ମନରେ ପୂର୍ବାନୁମାନ ଥାଏ ଯେ ସେ କହିବେ: ଚାକିରି, ଟଙ୍କା କିମ୍ବା ସମାଜରେ ସମାନ ଅଧିକାର।
କିନ୍ତୁ ମୀରାଙ୍କ ଉତ୍ତର ଥିଲା: ‘ପାସ୍ଓ୍ବାର୍ଡ୍’।
ସଭାଗୃହ ନିରବ ହୋଇଗଲା।
ମୀରା ସେ ନିରବତାକୁ ଭାଙ୍ଗି ଦେଇ ମଞ୍ଚ ଉପରୁ ପୁଣି କହିଲେ—”ଯେତେବେଳେ ଜଣେ ଝିଅର ମୋବାଇଲ, ତାର ବ୍ୟାଙ୍କ ଖାତା, ତାର ଇଣ୍ଟର୍ନେଟ ବ୍ଯାଙ୍କିଂ, ତାର ଇ-ମେଲ, ତଥା ତାର ନିଷ୍ପତ୍ତି ଏବଂ ତାର ଭବିଷ୍ୟତର ‘ପାସ୍ଓ୍ବାର୍ଡ୍’ ସେ ନିଜେ ସେଟ୍ କରେ ପ୍ରକୃତରେ ସେତେବେଳେ ହିଁ ସେ ସ୍ବାଧୀନ ହୁଏ।
କରତାଳିର ଧ୍ୱନିରେ ସଭାଗୃହଟି ଗୁଞ୍ଜରିତ ହୋଇଉଠିଲା ଏବଂ ମୀରାର ମୁହଁରୁ ଏକ ଅଲୌକିକ ଆଭା ପ୍ରସ୍ଫୁଟିତ ହେଉଥିଲା ।
ସେଦିନ ରାତିରେ ସେ ଘରକୁ ଫେରି ନିଜ ପୁରୁଣା ଡାଏରି ଖୋଲିଲେ, ଯାହାର ପ୍ରଥମ ପୃଷ୍ଠା ରେ ଲେଖାଥିଲା, ଇମେଲ୍ ପାସ୍ଓ୍ବାର୍ଡ୍ – ……….. ।
ଆଜି ମୀରା ସେଇ ଶୂନ୍ୟସ୍ଥାନକୁ ନିଜ ଇଛାର ପାସ୍ଓ୍ବାର୍ଡ୍ରେ ପୂରଣ କଲେ।
ତାହା କେବଳ ତାଙ୍କ ଇମେଲ୍ର ନୁହେଁ , ତାହା ଥିଲା ତାଙ୍କ ଜୀବନର ପାସ୍ଓ୍ବାର୍ଡ୍।
ସୁନ୍ଦର ଗପଟେ। ‘ପ୍ରଥମ ପୁସ୍ତକର ଶେଷ ପୃଷ୍ଠା’ ବଢ଼ିଆ expressionଟେ।
ଅନେକ ଅନେକ ଧନ୍ୟବାଦ 🙏🏻