ଚଉକି

ପୂର୍ବ କାଳରେ କାଠ ଚଉକିରେ ଯେଉଁ ଆଭିଜାତ୍ୟର ଝଲକ ଦେଖିବାକୁ ପାଇଥିଲୁ, ସେ ଆଉ କାହିଁ?

ଅଭୟ ଦାଶ

ଅଭୟ ଦାସ ଓରଫ ସ୍ବାମୀ ଅଭୟାନନ୍ଦ ବସି ପିଲାଦିନକୁ ମନେପକାଉଥାଏ । ବହୁତ ଦିନ ବିତିଗଲାଣି ଏ ମଧ୍ୟରେ। ସମାଜ ଯେଉଁ ନିୟମ ଗଢ଼ିଥାଏ ସାଧାରଣ ଜୀବନଯାତ୍ରାରେ ସାହାଯ୍ୟ କରିବାକୁ, ତାହାଠାରୁ ଟିକିଏ ଅଲଗା ବାଟରେ ଗଲେ ଶୁଣିବାକୁ ହୁଏ, ‘ଦୁଷ୍ଟଟାଏ’। ସବୁ ପିଲାଙ୍କ ଜୀବନରେ ଏ ପଦକ ଶୁଣିବାକୁ ମିଳିଥାଏ। ସେହି ଉପାଧି ଅର୍ଜନ କରିବାରେ ସାହାଯ୍ୟ କରିଥାଏ ଯେଉଁ ପ୍ରକ୍ରିୟା, ତାର ନାମ ହେଲା ଦୁଷ୍ଟାମୀ। ସେହି ଦୁଷ୍ଟାମୀକୁ ରୋକିବାକୁ କିଛି ଛୋଟ ଛୋଟ ଦଣ୍ଡ ବିଧାନ ବ୍ୟବସ୍ଥା ସୃଷ୍ଟି କରିଛି ସାମାଜିକ ଚଳଣି। ତାହାକୁ ସାମାଜିକ ଚଳଣି ସଂହିତା କହିପାରନ୍ତି। ଯଦିଓ ତାର କିଛି ଲିଖିତ ସମ୍ବିଧାନ ନାହିଁ, ବା ତାହା କୌଣସି ସଂସଦ କି ନ୍ୟାୟାଳୟ ଦ୍ୱାରା ମାନ୍ୟତା ପାଇନାହିଁ, ଚାଲିଛି, ଚାଲିଆସିଛି କେଉଁ ଅମଳରୁ।
ଦୁଷ୍ଟାମୀର କିଛି ପକ୍କା ନାମକରଣ ବା ଡେଫିନେସନ୍ ନାହିଁ। ଅତି ଛୋଟ ଅବସ୍ଥାରେ ଗୁରୁଣ୍ଡି ଚାଲିବା ଅବସ୍ଥାରେ ଜଳନ୍ତା ଲଣ୍ଠନ କାଚରେ ହାତ ମାରି ହାତ ପୋଡ଼ିବାରୁ ପିଲାଟିକୁ ବଞ୍ଚାଇ ରଖିବାପାଇଁ ଛୋଟିଆ ଦଣ୍ଡ ହେଉଛି ଗୋଟିଏ ଛୋଟ ଚାପୁଡ଼ା ସହ ମା’ ଠାରୁ ଗେଲ ଟିକିଏ। ଚାଟଶାଳୀରେ ମାଷ୍ଟରଙ୍କ ଦାଣ୍ଡରେ ନଡ଼ିଆ ଛାଞ୍ଚ ଉପରେ ବସି ପାଠ ପଢ଼ିବା ସମୟରେ ଗୋଟିଏ ଅଧେ ଛୋଟ ଛାଟ ବାଜେ। ପ୍ରାଇମେରୀ ସ୍କୁଲରେ ଚଟେଇ ଉପରେ ବସି ଲୋ-ଡେସ୍କରେ ଲେଖିବା ଆରମ୍ଭ ହୁଏ । ସେହି ଦୁଇ ଚାରି ବର୍ଷ ମଧ୍ୟରେ ଦୁଷ୍ଟାମୀ କଲେ ଦଣ୍ଡ ବିଧାନ ସହ ପରିଚିତ ହେବାକୁ ପଡ଼େ । ଆଣ୍ଠୁ ମାଡ଼ି ବସିବା, ଢ଼ିଙ୍କିଆ ପଡିବା , ଚୌକି ବସିବା, କାନ ଧରି ଏକ ଗୋଡ଼ିଆ ଠିଆହେବା, ବେଞ୍ଚ ଉପରେ ଠିଆ ହେବା ଆଦି ସାମାଜିକ ଦଣ୍ଡ ସଂହିତାରେ ଲିପିବଦ୍ଧ ନଥିଲେ ମଧ୍ୟ ଗ୍ରହଣୀୟ ଥିଲା। କେବେ ଠାରୁ ଚାଲିଛି କହିହେବ ନାହିଁ। ଆମ ବାପା ଜେଜେବାପାଙ୍କ ଅମଳରୁ ଚାଲିଆସିଛି। ସେତେବେଳେ ସ୍କୁଲରେ ମାଡ଼ ଖାଇ ଆସିଲା ପରେ ବାପାଙ୍କ ଠାରୁ ଆଉ ଦୁଇଟି ପଡ଼େ। ବାପା ମାଷ୍ଟରଙ୍କୁ ଖୋଲା ଛାଡ଼ ଦେଇଥା’ନ୍ତି; ଖାଲି ଆଖି ଆଉ କାନକୁ ଛାଡ଼ି ତା’କୁ ଆପଣ ଯେତେ ବାଡେଇ ପାରିବେ।

ସେ ଯୁଗ ଥିଲା ସେମିତି। ସେ ଚିନ୍ତାଧାରା ଥିଲା ସାମନ୍ତବାଦୀ ପରମ୍ପରାର। ବହୁତ ସହିଛୁ ଆଜ୍ଞା। ଆଜିକାଲି କିନ୍ତୁ ମାଷ୍ଟର ପିଲା ଦେହରେ ହାତ ଦେଲେ ବାପ ମାଆ ଏକବାରେ ନିଆଁ। ସମୟ ସାଙ୍ଗରେ ସରକାର ବଦଳିଲେ, ନୂଆ ନିୟମ ଆସିଲା। ‌ସ୍କୂଲ୍ ହେଲା ଦଣ୍ଡ ନିରୋଧ ଅଞ୍ଚଳ। ପିଲାଙ୍କ ଦେହରେ ହାତ ଦେଲ ମାନେ ମାଷ୍ଟରଙ୍କ ଚାକିରି ଉପରେ ବିପଦ।
ଏବେ ସ୍ବାମୀ ଅଭୟାନନ୍ଦ ବସି ଭାବେ ସେ ଯେଉଁ ଏକଗୋଡିଆ , ଚୌକି ବସିବା, ଆଣ୍ଠୁ ମାଡ଼ି ବସିବା, ଢ଼ିଙ୍କିଆ ଆଦି ଦଣ୍ଡ ବର୍ତ୍ତମାନର ଯୋଗ ଶିକ୍ଷା ଅନ୍ତର୍ଗତ ବୃକ୍ଷାସନ, ବଜ୍ରାସନ, ଚେୟାର କୋଚ୍, ଆଦି ରୁପେ ମାନ୍ୟତା ପାଇଛି । ଏହା ବୋଧହୁଏ ପାତଞ୍ଜଳି ଯୋଗକ୍ରିୟାରୁ ଆସି ଏବେ ସ୍କୁଲ ଦଣ୍ଡାଦେଶ ମଧ୍ୟରେ ପ୍ରବେଶ କରିଛି। ସେଇ ଯେଉଁ ଚୌକି ବସିବା ଦଣ୍ଡ ଓ ଯୋଗ, କାଳକ୍ରମେ ଚଉକିରେ ବସିବାରେ ପରିଣତ କଲା । ଛୋଟ ପିଲା ଥିବା ବେଳେ ଗାଁ’କୁ ମାଙ୍କଡ ନଚା ଆସି ତାର ପୋଷା ମାଙ୍କଡକୁ ନଚାଇଲାଵେଳେ ଡମ୍ବରୁ ବଜାଇ କହେ, ”ଧନ ମୋ’ର କଟକ ଯିବ ଚଉକିରେ ବାବୁ ହୋଇ ବସିବ, ଧନ ମୋର ନାଟ କରିବ।” ମାଙ୍କଡ଼ଟା ଗୋଟାଏ ମୋଡ଼ା ଉପରେ ବସି ସିଗାରେଟ୍ ଟାଣିବା ଅଭିନୟ କରେ। ମାନେ, ବାବୁ ହେଲେ ଚଉକିରେ ବସିବାକୁ ହୁଏ। ସେ ଚଉକିକୁ ଆମେ ଅନେକ ରୂପରେ ଦେଖିବାକୁ ପାଇଛୁ।
କାଠ ଚଉକିରୁ ଆରମ୍ଭ ଆମ ରିସର୍ଚ୍ଚ ଯାତ୍ରା। କାଠ ଚଉକି ଥିଲା ଆଭିଜାତ୍ୟର ଚିହ୍ନ। ସପ ମଶିଣାକୁ ହଟାଇ ପ୍ରତି ଘରେ ଏହା ପ୍ରବେଶ କଲା। ଖଣ୍ଡେ ଦି’ଖଣ୍ଡ ସେଥିରୁ ପ୍ରାୟ ସବୁ ସାଧାରଣ ସମ୍ପନ୍ନ ପରିବାରରେ ଦେଖିବାକୁ ମିଳିଥାଏ। ଆମ ଜେଜେବାପା ଖଣ୍ଡିଏ ଚଉକିକୁ ଦେଖାଇ କେତେଥର କହିବା ଶୁଣିବାକୁ ପାଇଛୁ, ଏ ଚଉକିରେ ଗୋପବନ୍ଧୁ ଦାସ ବସିଥିଲେ। ସେତେବେଳେ ନଡ଼ିଆ ଗଛରୁ ପଇଡ଼ ତୋଳି ତା’ଙ୍କୁ ପିଇବାକୁ ଦେଇ ଥିଲେ ଜେଜେବାପା। ଏଇ କଥା କହିଲାବେଳେ ତାଙ୍କ ଆଖି ଛଳଛଳ ହୋଇ ଉଠେ।
ଜେଜେବାପା ଚାଲିଯିବା ଠିକ୍ ପଞ୍ଚଷଠି ବର୍ଷ ହୋଇଗଲାଣି। ସେ ଚଉକି ଆମର ଚାରି ପୁରୁଷଙ୍କୁ ଦେଖି ଆସିଛି। ନିଜର ଅସ୍ତିତ୍ବ ହରେଇ ଦେବାକୁ ବସିଥିବା ବେଳେ ତାର ଆଗ ଗୋଡ଼ ଦୁଇଟା ଓ ପିଠିପଟେ ଥିବା ପଟା ଖଣ୍ଡିକ କେମିତି ବଞ୍ଚି ଯାଇ କେଉଁ କୋଣରେ ପଡ଼ିଥିଲା। ସେମାନଙ୍କୁ ଯୋଡ଼ି ନୂଆ କାଠ ମିଶାଇ ରଙ୍ଗ ଦେଇ ତାହାକୁ ନୂଆ ରୂପ ଦେଇଥିଲେ ମୋ ନନା । ନନା ବି ଚାଲିଗଲେଣି। ପ୍ରକୃତରେ ସେ ଚଉକିରେ ଗୋପବନ୍ଧୁ ଦାସ ବସିଥିଲେ। ପରବର୍ତ୍ତୀ ସମୟରେ ଆମ ଅଞ୍ଚଳର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୌରୀ ବାବୁ, ଅର୍ଥାତ୍ ଗୌରାଙ୍ଗ ଚରଣ ଦାସ କେତେ ଥର ବସିଛନ୍ତି ସବୁ ମନେ ପଡ଼ିଯାଏ।

ଆଜି ମନେହୁଏ ଚଉକି ଆଭିଜାତ୍ୟର ପ୍ରତୀକ, କ୍ଷମତା ବା ଅଥରିଟିର ପ୍ରତୀକ; ତା’ ସହିତ ବସିବାର ସହଜ ବ୍ୟବସ୍ଥା ମଧ୍ୟ। ଆମେ ଚଉକିର ଅନେକ ରୂପ ଦେଖିଛୁ। ଯଥା ଆର୍ମ ଚେୟାର୍, ଯାହାକି ଆମେ କହୁ ଆରାମ ଚଉକି, ରିକ୍ଲାଇନ୍ ଚେୟାର; ଆଉ ଗୋଟିଏ ପ୍ରକାର ହେଲା ସେଇଟା ଯେଉଁଥିରେ ଚାରି ଖଣ୍ଡ କାଠକୁ ଯୋଡ଼ି ମୋଟା ସତରଞ୍ଜି କନା ବା କାନଭାସ୍ ଚେୟାର। କହନ୍ତି। ଏହାକୁ ହରିୟାଣା ପଞ୍ଜାବ ରେ ହୁକ୍କା ପିଇବା ଚୌକି ରୂପେ ବ୍ୟବହାର କରାଯାଏ। ଉତ୍ତର ଭାରତରେ ଆଉ ଏକ ପ୍ରକାର ଘାସର ଚଉକି ମିଳେ ଯାହା ମୋଡ଼ା ନାମରେ ପରିଚିତ। କାଠ ଚଉକିରେ ବସିବା କଷ୍ଟ ହେବାରୁ ବେତବୁଣା ଚଉକିର ଉଦ୍ଭାବନ ହେଲା। ତା ପରେ ବେତକୁ ଛାଡ଼ି ପ୍ଲାଷ୍ଟିକ ବୁଣା ଆରମ୍ଭ ହେଲା। କାଠରୁ ଲୁହା, ଆଲୁମିନିୟମ, ପ୍ଲାଷ୍ଟିକର ରୂପ ନେଇ ଚୌକି ଉଭା ହେଲା। ସେ ବୁଣା ଛିଣ୍ଡିଯିବାରୁ ମରାମତି ହୋଇ ପାରିଲା ନାହିଁ: କାରଣ ମରାମତି କରିବା ଲୋକ ମିଳିଲେ ନାହିଁ। ତାର ସୁବିଧା ନେଇ ପ୍ଲାଷ୍ଟିକ କମ୍ପାନୀମାନେ ଆସିଗଲେ। ବଜାର ଦଖଲ କଲେ ପ୍ଲାଷ୍ଟିକ ଚଉକିମାନେ। ଆଉ ସେ ମଜା କାହିଁ? କୁଆଡ଼େ ଗଲା ସେ ପତିଆର? ସେ ସମ୍ଭ୍ରାନ୍ତପଣିଆ? କାଠ ଚଉକିରେ ଯେଉଁ ଆଭିଜାତ୍ୟର ଝଲକ ଦେଖିବାକୁ ପାଇଛୁ, ସେ ଆଉ କାହିଁ? ସେ କାଠ ଚଉକିର କେତେ ରୂପ, ସେ ସାଗୁଆନ, ଅସନ, କୁରୁମ କାଠରୁ ତିଆରି ହୋଇ, ରଜା ଜମିଦାର ଘରେ ଶୋଭା ପାଉଥିଲେ କେତେ ପ୍ରକାର ଗଦି, କେତେ ପ୍ରକାର କମକୁଟ ହୋଇ, ସେଥିରେ ହାତୀ ଦାନ୍ତ, ମୂଲ୍ୟବାନ ଧାତୁ ବିଶେଷ ଲାଗି ଚମକି ଉଠୁଥିଲେ। ଏବେ ଆମେ ସେ ପ୍ରକାର ଚଉକି ବଡ଼ ବଡ଼ ଉପାଧିଧାରୀ ମହାମହିମ, ରାଷ୍ଟ୍ରପତି, ରାଜ୍ୟପାଳ ଆଦିଙ୍କ ବ୍ୟକ୍ତିଗତ ବ୍ୟବହାରରେ ଆସୁଥିବା ଦେଖିବାକୁ ପାଉ। ରଜା ଜମିଦାରଙ୍କ ରାଜୁତି ଚାଲିଯାଇଥିବାରୁ ତାଙ୍କ ପ୍ରାସାଦ ମାନଙ୍କରେ , ବ୍ୟକ୍ତିଗତ ମ୍ୟୁଜିୟମରେ ଏହା ଦେଖିବାକୁ ମିଳେ।
ଆମର ପ୍ଲାଷ୍ଟିକ ଚଉକି, ଲୁହା, ଆଲୁମିନିୟମ ଚଉକି ଅଭ୍ୟାସଗତ ହୋଇଯାଇଥିବାରୁ, ପାଠପଢ଼ା ଟେବୁଲ, ଖାଇବା ଟେବୁଲ ଆଦି ନିକଟରେ ସେମାନଙ୍କୁ ସ୍ଥାନ ଦେଇଥାଉ। ଆମେମାନେ ଯେବେଠାରୁ ଗାଁ ଛାଡି ଆପାର୍ଟମେଣ୍ଟରେ ଆଶ୍ରୟ ନେଇଛୁ ବଡ଼ ଚଉକି ରଖିବା ସାହସ ଜୁଟାଇ ପାରିନୁ। ସେ ସାଧାରଣ କାଠ ଚଉକି ବି ହଜିଗଲା। ତା ଯାଗାରେ ଆସିଲା ଛୋଟ ଛୋଟ ଗଦିମଡ଼ା ବୈଠକି, ଯାହାକୁ ସୋଫା ନାମରେ ଜାଣିଲୁ।
ଏମିତି ସମୟ ଆସିଲା ଯେ ପିଢ଼ା ପଟା ଖଣ୍ଡିକ ଅଲୋଡ଼ା ହୋଇଗଲା। ବାହା ବ୍ରତ ଆଦି ଶୁଭ କାର୍ଯ୍ୟରେ ପିଢ଼ାକୁ ଠେଲି ବାହାର କରିଦେଲା ଚଉକି। ବର ଆସିଲେ ଚଉକିରେ ବସି ବାହା ହେଉଛି। ରିସେପ୍ସନ ବା ଅଭିବାଦନ ପର୍ବରେ ବରକନ୍ୟାଙ୍କୁ ଲଫାପା ଖଣ୍ଡେ ଧରାଇବା କାର୍ଯ୍ୟକ୍ରମରେ ଚଉକି ନିଜର ରୂପ ବଦଳାଇ ସୋଫା ପାଖାପାଖି ରୂପ ଧାରଣ କରିଥାଏ। ତା’ମାନେ ଆମର ଦୈନନ୍ଦିନ କାର୍ଯ୍ୟରେ ଚଉକିର ଆବଶ୍ୟକତା ବଢ଼ିଥିବା ଦିଶିଯାଏ। ସେଥିପାଇଁ ଦାଣ୍ଡରେ ଜଗି ବସିଥିବା ଗାର୍ଡକୁ ଚୌକିଦାର କୁହାଯାଏ କି?
ଦୈନିକ ନୀତି ନିୟମ ଅନୁସାରେ ଆମର ସମସ୍ତ କାର୍ଯ୍ୟ ପ୍ରାୟ ମାଟି ଉପରୁ ଅଢ଼େଇ ତିନି ଫୁଟ ଉଚ୍ଚତାରେ ସମ୍ପାଦିତ ହୋଇଥାଏ।
ତା’ଠାରୁ ନୀଚରେ ବସିବା କଷ୍ଟ ହେବାରୁ ପାଇଖାନାର ଉଚ୍ଚତା ଇଂରାଜୀ ଢାଞ୍ଚାରେ ବଢ଼ିଯାଇ, ନାଁ ହୋଇଛି କମୋଡ୍ । ଦେଖାଯାଉ, ଆଗକୁ କେତେ ପରିବର୍ତ୍ତନ ଦେଖିବାକୁ ଅଛି।

4 thoughts on “ଚଉକି

  1. ବାଃ, ବଢ଼ିଆ ଲେଖା ଖଣ୍ଡେ। ଯାହାଯାହା ଦଣ୍ଡାଦେଶର କଥା ଲେଖିଛନ୍ତି ଆମେ ବି ସେସବୁ ଭୋଗ କରିଥିଲୁ ଓ ଆଜି ମନେପକେଇ ‘ଉପଭୋଗ’ କରୁଛୁ।

    ହଁ ସାର୍, ମୁଁ ଆଜି ବି ମୋ ଜେଜେଙ୍କ ଚଉକିରେ ବସୁଛି, ସେଇ କାଠ ଚଉକି। ପୁରୁଣା ହେଲାଣି, ମଝିରେ ମଝିରେ ଟିକେଟିକେ ତା’ର ଚିକିତ୍ସା ଦରକାର ପଡ଼େ। ସେଥିରୁ ଅଧିକ କିଛି ସେ ଦାବି କରେନି। ବୟସ ପଅଁଷଠିରୁ କମ୍ ନୁହଁ।

  2. ଅତି ସୁନ୍ଦର ଏକ ଅଭିନବ ପ୍ରୟାସ ପୁରୁଣା କଥାକୁ ମନେ ପକାଇବାକୁ।ମୁଁ ବି ପିଲାଦିନେ ଛାଟ ଖାଇଛି।ଆମ ବୟସର ଅନେକଙ୍କର ସେଇ ଅନୁଭବ ଥିବ ପିଲାଦିନେ।ଅଭୟ ବାବୁଙ୍କୁ ଅନେକ ଅନେକ ଧନ୍ୟବାଦ।

  3. ଅତି ସାଧାରଣ ବସ୍ତୁ କୁ ନେଇ ଅସାଧାରଣ ବର୍ଣ୍ଣନା କେବଳ ଅଭୟ ବାବୁଙ୍କ ପରି ଲେଖକଙ୍କ ଦ୍ଵାରା ସମ୍ଭବ। ଏଇ ଚୌକି ଖଣ୍ଡକ ପାଇଁ ଆଜିକାଲି ର ନେତା କେତେ ଦୂର ଯାଇ ପାରନ୍ତି ଆମେ ଦେଖୁଛୁ। ସେକାଳ ଚୌକି ରୁ ଏକାଳ ଚୌକି ର କ୍ରମ ବିକାଶ ର ବର୍ଣ୍ଣନା ଅତି ସୁନ୍ଦର ହୋଇଛି।

Leave a Reply

Your email address will not be published. Required fields are marked *