ଗପ ପରି କିଛି

ଓଡ଼ିଆ ସାହିତ୍ୟରେ କଥାସାହିତ୍ୟର କୁଶଳ କାରିଗର କେବଳ ସେହିମାନେ ନୁହନ୍ତି ଯେଉଁମାନେ କୌଣସି ଉପାୟରେ ରାଶି ରାଶି ପୁରସ୍କାରରେ ମଣ୍ଡିତ ହୋଇ ସାହିତ୍ୟର ମୁଖ୍ୟଧାରାରେ ସାମିଲ ହେବାର ଗୌରବ ଅର୍ଜନ କରିଛନ୍ତି। ଆମ ସାହିତ୍ୟର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ନବୀନ ଓ ଅଳ୍ପବିଦିତ ସ୍ରଷ୍ଟାମାନଙ୍କର ଭୂମିକା ବି କିଛି କମ୍ ନୁହେଁ। ଏହି ପ୍ରେକ୍ଷାପଟରେ ଆମକୁ ପଢ଼ିବାର ଅବସର ମିଳିଲା ସ୍ନେହଲତା ଦାସଲେଙ୍କାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଗପ ପରି କିଛି’। ଅବଶ୍ୟ ଏହି ପ୍ରଥମ ବହିଟି ପ୍ରକାଶିତ ହେବା ପରେ ଲେଖିକାଙ୍କର ଆଉ କେତୋଟି ସାହିତ୍ୟକୃତି ମଧ୍ୟ ଇତିମଧ୍ୟରେ ପାଠକଙ୍କ ସାମନାକୁ ଆସି ସାରିଲାଣି। ତେବେ ଗୋଟିଏ କଞ୍ଚା ହାତର ରଚନା ଭାବରେ ଆଲୋଚ୍ୟ ସଂକଳନଟିର ଆକଳନ କରିବା ଏଠାରେ ଆମର ଉଦ୍ଦେଶ୍ୟ।
କୋଡ଼ିଏଟି ସଯତ୍ନ ଗଠିତ ଗଳ୍ପ ସ୍ଥାନପାଇଛି ଏହି ସଂକଳନରେ। ପ୍ରଥମେ ‘ଗପ ପରି କିଛି: ଗପ ପରି ସବୁ କିଛି’ ଶୀର୍ଷକରେ ମୁଖବନ୍ଧଟିଏ ଲେଖିବାକୁ ଯାଇ ପ୍ରତିଷ୍ଠିତ କଥାକାର ଭୀମ ପୃଷ୍ଟି ଏଥିରେ ବାଢ଼ିଛନ୍ତି ଏହି ପ୍ରଥମ ସୃଜନର ଏକ ଅନୁପମ ଆକଳନ। ତା’ଙ୍କ ଭାଷାରେ, “ଲେଖକ ପାଇଁ ତା’ର ପ୍ରଥମ ବହି ହେଉଛି ତା’ର ପ୍ରଥମ ପ୍ରେମ ଓ ଆସନ୍ତାକାଲି ପାଇଁ ପରମ ସ୍ମୃତି; ଅସୁମାରି ପ୍ରେରଣାର ଉତ୍ସ। ଲେଖକର ପ୍ରଥମ ବହି ପ୍ରକାଶିତ ହେଲାପରେ ଅନ୍ୟାନ୍ୟ ବହି ପ୍ରକାଶନ ପାଇଁ ବାଟ ଫିଟେ।”
ଏହାପରେ ନିଜ କଥା କହିବାକୁ ଯାଇ ଗାଳ୍ପିକା ଯେଉଁ ଲେଖକୀୟ ଭୂମିକାର ଅବତାରଣା କରିଛନ୍ତି, ସେଥିର ଛତ୍ରେଛତ୍ରେ ମଧ୍ୟ ଭରିରହିଛି ଏକାନ୍ତ ମାର୍ମିକତା।
ବହିଟିର ପ୍ରଥମ ଗଳ୍ପ ‘ଛକୋଡ଼ି’ ଆମକୁ ପରିଚିତ କରାଏ ଲେଖିକାଙ୍କର ଗଳ୍ପଶିଳ୍ପର ଏକ ଅନାବିଳ ଓ ଛଳନାରହିତ ଶୈଳୀ ସହିତ। ନିଜର ଥିମ୍ ଓ ପ୍ଲଟ୍‌, ଉଭୟକୁ ସବଳ କରିବା ପ୍ରତି ଆରମ୍ଭରୁ ସଚେତନ ଅଛନ୍ତି ସେ; ତା’ ସହିତ ଚରିତ୍ରଗଢ଼ଣର ନିଖୁଣତା ପ୍ରତି ମଧ୍ୟ। କିଶୋର ଚରିତ୍ର ଛକୋଡ଼ିର ଜୀବନରେ ଘୋଟିଥିବା ଦାରୁଣ ବିପର୍ଯ୍ୟୟକୁ ସମ୍ବେଦନଶୀଳ ଭାବରେ ଉପସ୍ଥାପନ କରିଛି ତାଙ୍କର କଲମ। ଘଟଣା ଓ ପରିବେଷ୍ଟନୀର ବର୍ଣ୍ଣନା କରିବାକୁ ଯିବାବେଳେ ସେ ଅତିମାତ୍ରାରେ ଶବ୍ଦାଶ୍ରୟୀ ନ ହୋଇ ବରଂ ନିତିଦିନିଆ ଓ ସରଳ ଭାଷାର ଆଶ୍ରୟ ନେଇଛନ୍ତି। ଏଣୁ ପାଠକ ଏକା ନିଃଶ୍ୱାସକେ ମାଡ଼ିଚାଲେ ପ୍ରଥମରୁ ନେଇ ଶେଷ ଧାଡ଼ିଟି ପର୍ଯ୍ୟନ୍ତ, ଯେଉଁଠି ଛକୋଡ଼ିର ଆଦରର ମାଆ ନିଜର ଜୀବନ ବିସର୍ଜନ କରିଛି, ତା’ ସ୍ୱାମୀ ଅପ୍ରତ୍ୟାଶିତ ଭାବରେ ଘରକୁ ଜଣେ ସଉତୁଣୀ ଆଣିଥିବାର ଦୁଃଖରେ। ଏହା ଛକୋଡ଼ିର ଚେତନାକୁ ଏତେ ମାତ୍ରାରେ ଗ୍ଳାନିଗ୍ରସ୍ତ କରିନେଇଛି ଯେ ସେ ଶେଷକୁ ନିଜର ନାମଟିକୁ ମଧ୍ୟ ଘୃଣା କରିବା ଆରମ୍ଭ କରିଛି। ଲେଖିଛନ୍ତି ଗାଳ୍ପିକା, “ଛକୋଡ଼ି ଧୀରେ ଧୀରେ ତା’ର ସଂଜ୍ଞା ହରାଉଥିଲା, ତା’କୁ ସେଇ ଅସନା, କଦର୍ଯ୍ୟ ଲାଗୁଥିବା ଛକୋଡ଼ି ଡାକ ଭିତରେ।”
ସେହିପରି ପାହାଚ ପରେ ପାହାଚ ଅତିକ୍ରମ କରି ସଂକଳନର ଅନ୍ୟ ସମସ୍ତ ଗଳ୍ପ ମଧ୍ୟ ପାଠକମାନଙ୍କ ବିଶ୍ୱାସ ଓ ଶ୍ରଦ୍ଧା ଜିତିବାକୁ ସକ୍ଷମ ହୋଇଛନ୍ତି। ତେବେ ଆରମ୍ଭରେ ଆମେ ଯାହା ଲେଖିଥିଲୁ, ଏହା ଲେଖିକାଙ୍କର ପ୍ରଥମ ବହି ହୋଇଥିବାରୁ ସେତେବେଳେ ଥିଲା ଗୋଟିଏ କଞ୍ଚା ହାତର ଲେଖା। ନବୀନ ଲେଖକମାନଙ୍କ ବିଷୟରେ କହିବାକୁ ଯାଇ ବର୍ଷୀୟାନ କଥାକାର ଅଚ୍ୟୁତାନନ୍ଦ ପତି ଥରେ କହିଥିଲେ, “ଯେଉଁମାନେ ଗଳ୍ପରେ ନୂଆକରି ତୁଳୀ ଚଳାଇଛନ୍ତି, ପ୍ରଥମ ହାତରେ କେଉଁଠି ମୋଟା ଆଉ କେଉଁଠି ସରୁ ଗାର ହୋଇ ହୁଏତ ଚିତ୍ରଟିଏ ହୋଇପାରେ। ସେଇଟା ଖୁଣ ନୁହେଁ, ବରଂ ସେଇଟା ଅଭ୍ୟାସ ପରେ ଠିକ୍ ହୋଇଯିବ।” ଏହା ଆଲୋଚ୍ୟ ପୁସ୍ତକଟି ପାଇଁ ମଧ୍ୟ ପ୍ରଯୁଜ୍ୟ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *