ଜଗା ପାଇଁ ଓ ନିଜର ଜାଗା ପାଇଁ କେତେ କଦର୍ଥନ ନ ଭୋଗିଛି ଏ ଓଡ଼ିଆ ଜାତି। କେତେ ଘଳିଆକୁ ସହିଛି। ପ୍ଳାବନ ଭୋଗିଛି। ତଥାପି କାଳିଆ ତା’ର ଅମୂଲ୍ୟ ସମ୍ପତ୍ତି।

ମନେ ପଡ଼ିଗଲା ହୋ ଭାଇ! କବି ଦ୍ୱାରକା ଦାସଙ୍କର ‘ପରଚେ ଗୀତା’ରୁ ପଦଟିଏ କେମିତି କୁଟି ହୋଇଗଲା ମଗଜରେ!
ସ୍ୱଭାବେ ବନ୍ଧ ସେ ଟଳଟଳିଆ, ତଳରେ ତା’ର ଫିଟିଲା ଘଳିଆ।
ଏ ଯେଉଁ ଜଗବନ୍ଧୁ ବୋଲି ଆମେ ଯାହାକୁ କହୁନେ, ତାଙ୍କର ଅସଲ ମଞ୍ଜିଟି ଠଉରେଇବା ତକଲିଫ୍ ବୋଲି ଆମ କଥା, କାହାଣୀ, ଗୀତ, କିଂବଦନ୍ତୀ, ଲୋକକଥା ସବୁ ଗଳିଆ ବା ଘଳିଆ। ହିଡ଼ ତଳେ ବିଳ। ପାଣି ବୋହିଚାଲୁଛି ଅନର୍ଗଳ।
ପ୍ରଥମେ ଆସନ୍ତୁ ‘ଅରୁଣଚକଡ଼ା’କୁ। ସେଠି ବିନତା ମାତାଙ୍କର ବିଫଳତାର କ୍ରନ୍ଦନ, ବନ୍ଦନ, ଅଭିନନ୍ଦନ, ନନ୍ଦନ ପକ୍ଷୀସ୍ୱରୂପ ତରଣିସୂତ ଅରୁଣ। ସେ ଯେଉଁ ପଦୁଅଁପାଖୁଡ଼ିଆ ଖୁମ୍ବ ଉପରୁ ସିଧା ଯୋଡ଼ହସ୍ତ ପ୍ରଣତ ହୋଇ ଟର୍ଚ୍ଚ୍ ମାରୁଛନ୍ତି ହେଡ୍ଲାଇଟ ଜରିଆରେ, ସେ ଯାଇ ପଡୁଛି ମାହାପ୍ରୁଙ୍କ କଳାବଦନରେ। ଜଳି ଉଠୁଛନ୍ତି ତପନ ଡାହାଣ ଆଖିରେ, ଜହ୍ନ ବାଁ ଆଖିରେ। ଏଣୁ ସକାଳସୂରୁଯଙ୍କୁ ଆମେ କହିଲେ ବାଳାରୁଣ। ତାହା କାଳେ ନନ୍ଦବାଳରୂପୀ ଦାରୁଦିଅଁଙ୍କ ପାଇଁ ପ୍ରଥମ ସମର୍ପଣ। ଏ ଅରୁଣ ଖୁମ୍ବ ମହାଶୟ ଆସିଲେ ଅର୍କକ୍ଷେତ୍ରରୁ କାଳେ ମରହଟ୍ଟା ଅମଳରେ। ମନ୍ଦିର ଭାଜିଲା ବେଳାରେ। ଅରୁଣ ରାଜିଲା ଖଳାରେ। ସେ ପୁଣି ଯୋଡ଼ି ହୋଇଗଲା ନୀତି ସହିତ ନିତିନିତି। କିହୋ ସେଯାଏ ପୁଣି କେମିତି ଚାଲୁଥିଲା! ହଉ ହେଲା। ଦୁଆରଫିଟା, ଶୋଧ, ମଇଲମ, ତଡ଼ପଲାଗି, ମଙ୍ଗଳ ଆଳତି ସହିତ ଯୋଡ଼ି ହୋଇଗଲା ସୂର୍ଯ୍ୟପୂଜା ଆଉଟିକେ ନିବିଡ଼ ଭାବରେ। ସୌର ହେଲେ ସୌରଭ। ବଢ଼ିଲା ଦେଉଳର ଗୌରବ।

ଜୟ ଜଗଦୀଶ ହରେ
ଆଗରୁ ତ ଥିଲେ ପୁରୁଷୋତ୍ତମ। ନାମ ପୁରୁଷୋତ୍ତମ। ଧାମ ମଧ୍ୟ ପୁରସ୍ତମ। ପୁରୀ। ବୈଦିକ ରୀତି ଚାଲୁ ତ ଥିଲା। ଆସିଲେ ମହାବୀର ଜୀନନାଥ। ତାଙ୍କ ନାମରେ କାଳେ ନାଁ ବଦଳିଗଲା ଜଗନ୍ନାଥ। ନାଥ ଆସିଗଲା ପରେ ଅର୍ହତ ପହଞ୍ଚି କହିଲେ ସେ ତ ବୁଦ୍ଧ। ତଥାଗତ। ଦ୍ୱାଦଶ ଶତାବ୍ଦୀରେ ଶ୍ରୀଜୟଦେବ ଶ୍ରୀଗୀତଗୋବିନ୍ଦର ଦଶାବତାର ସ୍ତୋତ୍ରରେ ଖଞ୍ଜିଦେଲେ –କେଶବ ଧୃତ -ବୁଦ୍ଧ ଶରୀର। ଜୟ ଜଗଦୀଶ ହରେ।
ତତ୍ତ୍ୱ ଓ ଜ୍ଞାନର ବୈଦିକ ଧାରା ହେଲା ପରେ ପରେ ସହଜୀୟା। ଜୟଦେବ ଗୋସ୍ୱାମୀ ଖଞ୍ଜିଲେ: ରତି ସୁଖ ସାରେ। ଗତମଭିସାରେ। ମଦନ ମନୋହର ବେଶଂ। ମାକୁରୁ ନିତମ୍ବିନୀ ଗମନ ବିଲମ୍ବନମନୁସରତଂ ହୃଦୟେଶଂ।
ଧୀର ସମୀରେ! ଯମୁନା ତୀରେ। ବସତି ବନେ ବନମାଳୀ। ପୀନ ପୟୋଧର ପରିସର ମର୍ଦ୍ଦନ ଚଞ୍ଚଳ କରଯୁଗଶାଳୀ।
ଆହା! ନିମାଇଁ ଗୌରାଙ୍ଗ ଆସିଲେ ଧାଇଁ। ପଛରେ ଅଛନ୍ତି ଗୌଡ଼ୀୟ ଭାଇ। ଏହି ସୂତ୍ରରେ ଛେଚି ଦେଇଗଲେ ଖୋଳ, କରତାଳ- ପ୍ରେମଦାତା ନିତାଇ ବୋଲେ ଗଉର ହରି ହରିବୋଲ।
ଏଇଠି ବୋଲା ହେଉଥିଲା, ତଦବିଷ୍ଣୁ ପରମଂପଦ,ସଦା ପଶ୍ୟନ୍ତି ସୂରୟଃ! ଏଇଠି ବୋଲାହେଲା ଅଷ୍ଟାଦଶାକ୍ଷରୀ ଗୋପାଳମନ୍ତ୍ର – ଓଁ କ୍ଳୀଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ନମଃ।
ହାହା। କି ଖେଳ! ବହୁତ ବଢ଼ିଆ। ଚାଲିଲା ତାଥେଇ ଥେ। ଚଅଁର ହଲୁଚି ଝାଞ୍ଜ ମୃଦଙ୍ଗ ଛେ ଛେ ଛେ ଛେ।
ଦାରୁଦିଅଁ
ଏଇଠି ଦାରୁଦିଅଁଙ୍କ ଆବିର୍ଭାବ ପାଷାଣକଳେବର ପରିବର୍ତ୍ତେ। ଓଡ଼ିଆ ଖୋଜିଲା ତାର ମୂଳସ୍ଥିତି। ଅଧିକାଂଶ ଆଦିବାସୀ। ଶବର ପ୍ରକୃତିପ୍ରିୟ। କେତୁମ ଦେବତା ଗଛଠାକୁର। ଗଛର ଗଣ୍ଡିରେ ଆଖି। ଗୋଲଗୋଲ ଆଖି। ଝରଣାରେ ଏମାନେ ଦେଖଥିବେ ମାଛକୁ। ବନଚାରୀ ଏମାନେ। କୃଷି, ପଶୁପାଳନ ଓ ମତ୍ସ୍ୟଚାଷ ଏମାନଙ୍କର ଭାତହାଣ୍ଡି। ଏଣୁ ମାଛର ଆଖିକୁ ଦେଖି ଆଙ୍କି ଦେଇଥିବେ ଅଙ୍ଗାରରେ, ଖଡ଼ି ପଥରରେ ଆଖି। ମୀନର ଆଖି। ଏଥିପାଇଁ ଠାକୁରଙ୍କର ଅନ୍ୟନାମ ‘ମୀନାକ୍ଷ’, ରୋହିମାଛ ପରି ପତାବିହୀନ ଆଖି ବୋଲି ‘ରୋହିତାକ୍ଷ’।
ନାଗାମାନେ ଏଠି ଶବରମାନଙ୍କ ସହ ଘୋର ଲଢ଼େଇ କରିଥିବେ। ଶେଷକୁ ରଜା ବା ଦଳପତିଙ୍କ ମଧ୍ୟସ୍ଥତାରେ ଠାକୁରଙ୍କ ଉପର କଳାନାଗ ପରି, ତଳ ଶବରର କାଠଗଡ଼ ପରି ଓ ଶେଷରେ ବଳି ପଡ଼ିଥିବା ଚଉପଟ ସୁଦର୍ଶନ ହୋଇ ଠିଆ ହୋଇ ଯାଇଥିବେ କଡ଼ିକିଆ। ମଜାକଥା ହେଲା ଜାକିରପେନୁ, ମୁରବୀପେନୁ ଓ ତାନାପେନୁର ପଥରକଳ୍ପ ଉପରେ ଆବରଣ ଥିବା ଆଉଖଣ୍ଡେ ପଥରକୁ ଅନୁକରଣ କରି ଏ ଦାରୁର ପରିକଳ୍ପନା ହୋଇଛି ବୋଲି ଆମ ଇତିହାସ ସୂଚେଇ ଦେଲା। ଏଣୁ ପୁରୁଷୋତ୍ତମଙ୍କର ପାଷାଣବିଗ୍ରହ ହୋଇଯାଇଥିବ ଦାରୁଭୂତ ମୁରାରୀ। ଯାହାକୁ ଦେଖି ନବମଶତାବ୍ଦୀର ପରିବ୍ରାଜକ ଆଦିଗୁରୁ ଶଙ୍କର ତଟସ୍ଥ ହୋଇଯାଇଥିବେ। ଏ ନିଶ୍ଚୟ ଆଧୁନିକ ଚିତ୍ରକଳା! ମଡର୍ଣ୍ଣ ଆର୍ଟ। ଅତଏବ ଏଥର ଧାମ ପୁରସ୍ତମ ନହୋଇ କିଛି ଗୋଟେ ହୋଇଯିବା କଥା। କିଛି ଯେତେବେଳେ ମୁଣ୍ଡକୁ ନଢୁକିଲା ସେତେବେଳେ ସକଳ ଜଗତର ନାଥ ହୋଇଗଲେ ଠାକୁରେ।
ଯାଃ! ଜଗନ୍ନାଥ ଚକାନୟନ ନୀଳାଚଳବାଲେ। ତୁ ନ ସମାଲେ ତ ହମେ କୌନ ସମାଲେ।
ପୁଣି ଦେଖନ୍ତୁ। ଆହୁରି ଘଳିଆ।
ସୁଭଦ୍ରା ମାଆ
ରୋହିଣୀକୁଣ୍ଡ। ରୋହିଣୀ ଶବ୍ଦ ରୋହଣୀ ବା ଆରୋହଣୀ ଶବ୍ଦରୁ ଆସିଥିବ। ଏଠି ପ୍ରଳୟ ଜଳର ରୋହଣ ବା ଉତ୍ପତ୍ତି ହୁଏ। ଏହା ଆରୋହଣ କରି ଯାଏ ବ୍ରହ୍ମଦାଣ୍ଡ ବ୍ରହ୍ମଲୋକକୁ। ପୁରାଣ କହିଲେ କାଳେ ବ୍ରହ୍ମା ଛାନିଆରେ ତାଙ୍କ ଧଳାହଂସ ଚଢ଼ି ଉପରକୁ ଉଡ଼ିଲେ। ସେପଟେ ଖଞ୍ଜି ଦିଆଗଲା ଅର୍ଦ୍ଧଶୋଷିଣୀ, ଅର୍ଦ୍ଧାଶନୀ ମାଆଙ୍କୁ ଦଇତାପଡ଼ା ସାହିର ଗ୍ରାମଦେବତୀ କରି। ସେ ପୁଣି ହୋଇଗଲେ ଠାକୁରଙ୍କ ମାଉସୀ ମାଆ ସ୍ଥାନୀୟ ଲୋକଙ୍କର ଠାକୁରଦେଖା ଆଳରେ ଫେରିଲା ବେଳକୁ। ବିମଳା ମାଆ କେତେବେଳେ ମାଆ ହୋଇ ବଳଭଦ୍ରଙ୍କ ପତ୍ନୀ ତ କେତେବେଳେ ବିମଳା ଭୈରବୀ ଯତ୍ର, ଜଗନ୍ନାଥସ୍ତୁ ଭୈରବ ହୋଇଗଲେ। ସୁଭଦ୍ରା ମାଆ କେତେବେଳେ ଯୋଗମାୟା, କେତେବେଳେ ଦୁର୍ଗା, କେତେବେଳେ ସ୍ୱୟଂ ମାଆ ଲକ୍ଷ୍ମୀ ତ କେତେବେଳେ ନିଜେ ମାଉସୀ ମାଆ। କି କଥା କହିଲ?
ଶୈବ ଆସିଲେ। ଆସିଲେ ବଳଦେବ। ଶାକ୍ତ ଆସିଲେ। ଆସିଲେ ଦେବୀ ସୁଭଦ୍ରା ଓ ମାଆ ଲକ୍ଷ୍ମୀ। ଗାଣପତ୍ୟ ଆସିଲେ ହେଲା ହାତୀଗାଧୁଆ। ଏମିତି ନାନାଦି ଯୁଗାଡ଼। ତୋଡ଼ ମୋଡ଼। ଶେଷକୁ ହରିବୋଲ। ତୁମେ ଭଲ ତ ଆମେ ଭଲ।
କି ସୁନ୍ଦର ଶ୍ଳୋକଟିଏ ଲେଖି ହୋଇଗଲା ଦେଖୁନାହାନ୍ତି:
ଯଦ୍ଦାରୁବ୍ରହ୍ମମୂର୍ତ୍ତି ପ୍ରଣବ ତନୁଧରଂ ସର୍ବ ବେଦାନ୍ତ ସାରଂ
ଭକ୍ତାନାଂ କଳ୍ପବୃକ୍ଷଂ ଭବଜଳ ତରଣୀ ସର୍ବତତ୍ତ୍ୱାନତତ୍ତ୍ୱମ୍
ଯୋଗୀନାଂ ହଂସତତ୍ତ୍ୱଂ ହରିହର ନିମିତ୍ତଂ ଶ୍ରୀପତି ବେଷ୍ଣବାନାଂ
ଶୈବାନାଂ ଭୈରବାକ୍ଷଂ ପଶୁପତି ରୀତିଃ ଯା ଶକ୍ତି ତତ୍ତ୍ୱୋ ଚ ଶକ୍ତିଃ
ବୌଦ୍ଧାନାଂ ବୁଦ୍ଧରୂପଂ ଋଷଭ ଯତିବରଂ ଜୈନ ସିଦ୍ଧାନ୍ତ ସାରଂ
ସ ଦେବାନ୍ ପାତୁ ନିତ୍ୟଂ କଳିକୁଳଗୁହରଂ ଶ୍ରୀନୀଳଶୈଳାଧିନାଥଂ।
ପାହାଚ କଥା ଦେଖୁନାହାନ୍ତି। ବାହାରର ପାହାଚ। ବହିଃସ୍ଥ ପାବଚ୍ଛ। ତାକୁ ଆମ ବଡ଼ପୁରୁଷ କହିଲେ ବାଇଶିପାହାଚ। ଏଥର ଭଜୁଥାଅ ଜଗା ନାମ। କିଏ କହିଲା ଜୈନ ତୀର୍ଥଙ୍କର ମୁଖ୍ୟ ବାଇଶି ସନ୍ଥଙ୍କ ନାମାନୁସାରେ ହୋଇଛି। କିଏ କହିଲା ପାଞ୍ଚଜ୍ଞାନେନ୍ଦ୍ରିୟ, ପାଞ୍ଚ କର୍ମେନ୍ଦ୍ରିୟ, ପଞ୍ଚଭୂତ,ପଞ୍ଚବୀଜ ସହ ଜୀବ ଓ ପରମ ମିଶି ବାଇଶି। କିଏ କହିଲା ଦଶାବତାରଙ୍କ ଗୋଡ଼ ସଂଖ୍ୟା ମିଶି ବାଇଶି। ବାଇଶି ପ୍ରକାର ପାପ ଧୋଇଯାଏ ବୋଲି ବାଇଶି। ଆହୁରି ଅଷ୍ଟବୈକୁଣ୍ଠ, ଚଉଦଭୁବନ ମିଶି ବାଇଶି।
କୁହନା କୁହନା। ମୁଣ୍ଡ ଟିଣ। ଆମ ବାଣୀସେବକଙ୍କୁ ଭାଷିବାକୁ ଭେଳା ମିଳିଗଲା। ସାବାସ।
ଯାତ୍ରୀ କର
ଆପଣ ଜାଣିଛନ୍ତି ନା- ମରହଟ୍ଟାମାନେ ଆମ ଜଗା ଭାବନାକୁ ଆଘାତ ଦେବେନି ବୋଲି ଭଲେଇ ହେଲେ, ସେତେବେଳେ ଆମଠାରୁ ଛୟାଳିଶି ହଜାର କରି ବାର୍ଷିକ ଯାତ୍ରୀ କର ଆଦାୟ କରି। ଆସିଲା ଇଷ୍ଟ ଇଣ୍ଡିଆ କମ୍ପାନୀ। ସେ ବି ସେଇଆ କଲା। ଆମରି ଧନ ଆମଠୁ ନେଇ। ଆମ ଆଗରେ ଦାନୀ ବୋଲାଇ ଏମାନେ ଆମକୁ ଭୁଆଁ ବୁଲେଇଲେ। ଆସିଲେ ଖ୍ରୀଷ୍ଟିଆନ ଧର୍ମଯାଜକ ରେଭରେଣ୍ଡ ଗ୍ଲାଡିୟସ ବୁକାନନ ୧୮୦୬ରେ ପୁରୀ।ରଥଯାତର ଏତେ ବଡ଼ ସୁଆଙ୍ଗ ଦେଖି ସେ ଢୁ କିନା ମୁଣ୍ଡ ପିଟିଦେଲେ। ଏଠା ଗୋରାଙ୍କୁ ପାନେ ଚଖେଇବାକୁ ଚିଠି ଲେଖିଲେ ତତ୍କାଳୀନ ବଡ଼ଲାଟ ଲର୍ଡ ମିଣ୍ଟୋଙ୍କୁ।
ଶେଷକୁ ଶ୍ରୀମନ୍ଦିରକୁ ଆର୍ଥିକ ଅନୁଦାନ ବନ୍ଦ କରିଦେଲେ କମ୍ପାନୀ ସରକାର। ଭକ୍ତକବି ମଧୁସୂଦନ ରାଓ ‘ନୀଳାଚଳ’ ନାମରେ ଗୋଟିଏ ଅସମ୍ପୂର୍ଣ୍ଣ କାବ୍ୟ ଲେଖି ଅଧାରୁ ରହିଗଲେ। ତାପରେ ବି ଏ ଜଗାପ୍ରାଣ ଓଡ଼ିଆ ଜଗିଲା ଠାକୁରଙ୍କର ଠିକଣା।
ଜଗତ ଯାଉ ପଛେ ଭାସି। ଜଗନ୍ନାଥ ମୋ ଥା’ନ୍ତୁ ବସି।।
ଜାତିର ଗତି ମୁକ୍ତି ଦାତା। ଜଗନ୍ନାଥ ଜାତି ଦେବତା।।
ଜଗାନ୍ତି ବୋଲି ସିଏ ଜଗା। ଜାଗା ପାଇଁକି ତହିଁ ଆଗା।।
ଜଡ଼ିତ ନରହନ୍ତି ବୋଲି। ଜଡ଼ ଚେତନ ଛ’ନ୍ତି ମେଲି।।
ଆମର ପରା ଢଗର ପସରା ମେଲିଛି ଜଗା ପାଇଁ। ଓଡ଼ିଆଙ୍କ ମାଲିକେ ସିଏ। ସେଇଥିପାଇଁ ପୁରୀଟୋକା ଯାହାକୁ ଦେଖନ୍ତି ଚିଲାନ୍ତି: ହୋ ମାଲିକେ। ଆସୁନ। ଜଗା ଅବଢ଼ା ଚାଖୁନ।
ଆମ ଓଡିଆଣୀ ମାଇପେ ଛଳଛଳ ହୋଇ ପଦ ପକାନ୍ତି: ଶିବା ପଥର ଜଗା କାଠ, ଆଉ ସବୁ ଦିଅଁ କାଟ ଛାଣ୍ଟ।
ହରିହର ଭେଟ
ଏଇକଥା ଭିତରେ ଥିବା ରଞ୍ଜାଟିକୁ ଅନାନ୍ତୁ। ଏଠି ପାଠ ହେଉଛି ହରିହର ଭେଟ। ଦେଖୁନାହାନ୍ତି ଶ୍ରୀ ଲିଙ୍ଗରାଜ ଠାକୁରଙ୍କୁ। ତାଙ୍କ ନାମ ହେଲା ତ୍ରିଭୁବନେଶ୍ୱର। ଏଇଠୁ ନାମ ଆସିଲା ଭୁବନେଶ୍ୱର। ତାଙ୍କ ପାଖରେ ନୈବେଦ୍ୟରେ ପଡ଼େ ବେଲପତ୍ର ଓ ତୁଳସୀ। ଆଗରେ ଅଛନ୍ତି ଉଭୟ ନନ୍ଦୀ ଓ ଗରୁଡ଼। ନେତ ତଳେ ଚକ୍ର ହେଉଛି ଶୂଳାର୍ଦ୍ଧଚକ୍ର। ଅଧା ତ୍ରିଶୂଳ ଅଧାଚକ୍ର। ସେମିତି ଶ୍ରୀ ଜଗନ୍ନାଥଙ୍କ ପୀଠରେ କ୍ଷେତ୍ରପାଳ ହୋଇଗଲେ ଲୋକନାଥ। ପଞ୍ଚୁପାଣ୍ଡବ ପାଞ୍ଚ ମହାଦେବ। ଖୋଦ ପାଖରେ ଅଛନ୍ତି କାମପାଳ, ହଳାୟୁଧ, ରେବତୀରମଣ ସାକ୍ଷାତ ଆଦିଶେଷ ମହାଦେବ ବଳଭଦ୍ର। ଦି’ଜଣ କାଳେ ଛଡ଼ାଛଡ଼ି ହୋଇଥିବେ, ମଝିରେ ଗୋଟିଏ ଫେଭିକଲ୍ କା ଯୋଡ୍, ସଂଯୋଜିକା, ମଧ୍ୟେ ଦେବୀ ପରାତ୍ପରା ଭଗବତୀ ମାଆ ପ୍ରକୃତିରୂପିଣୀ ଅଛନ୍ତି। ସେଇକଥାକୁ ଆମ ବିଦ୍ୱାନଗଣ କହିଲେ ସେ ହେଉଛନ୍ତି ଯୋଗମାୟା, ନିଦ୍ରାଦେବୀ। ମାୟାପଟଳ ଟଳଟଳ।
ବିଜ୍ଞଜନ ପ୍ରମାଣ ଥାପିଲେ: ଯୋଗମାୟା ମାଆ ସୁଭଦ୍ରା କାଳରାତ୍ରି। ଘୋରକୃଷ୍ଣକାନ୍ତା। ଆପଣମାନେ ସିନା ମାୟା ହେତୁ କଳାକୁ ହଳଦିଆ କହୁଛନ୍ତି, ନହେଲେ ତାଙ୍କର ଗୁଣ କୃଷ୍ଣବର୍ଣ୍ଣା। ନୀଳ ବର୍ଣ୍ଣ ଉପରେ କଳାରଙ୍ଗ ପଡ଼ିଲେ କେମିତି ଦିଶିବ କହୁନାହାନ୍ତି।
ସେ ଗହନକଥା ହେଲା। ଘୋରକଳି! ଘୋରକଳି! ନୀଳ ଉପରେ ମାଡ଼ିଯାଇଛି ଘନତମିସ୍ରାର ମାୟା। ଏଣୁ ତାଙ୍କର ମୁହଁ କଳା। ସେପଟେ କଳାନାଗ ଫଣା ପରି ତାଙ୍କ ମୁହଁ ବୋଲି ନାଗାମାନଙ୍କର ସେ ଦେବତା। ଏପଟେ ଭକ୍ତାନାଂ କଳ୍ପବୃକ୍ଷ ହୋଇ ତତ୍ତ୍ୱରେ ତାଙ୍କୁ ବୈଷ୍ଣବଗଣ ମାୟାବୃତ କରି କାଳିଆ କରିଦେଲେ। କି ଗହନପାଠ ଉତୁରିଲା ଦେଖନ୍ତୁ!
ଏ କାଠପାଠ ବଡ଼ ଭଜକଟ।
କବିସମ୍ରାଟ ଉପେନ୍ଦ୍ର ସୁଭଦ୍ରା ପରିଣୟ ଗ୍ରନ୍ଥ ଆରମ୍ଭ କରୁକରୁ କି ମାଠିମୁଠି ଦେଇଛନ୍ତି ଏ କ୍ଷେତ୍ରକୁ ଦେଖନ୍ତୁ ତ।
ସିନ୍ଧୁତଟେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରାଜ
ସାଧୁଜନେ ଅଛି ତହିଁ ଅନେକ ଆଶ୍ଚର୍ଯ୍ୟ ଯେ।
ସେ ଭୂମି ପ୍ରବେଶେ ବ୍ରହ୍ମହତ୍ୟା ପାପ ହରେ
ସାକ୍ଷାତ ହୋଇଛି ଏ କପାଳମୋଚନରେ ।।
ଏ କପାଳମୋଚନ ପ୍ରସଙ୍ଗଟି ବି ବଡ଼ କଉତୁକିଆ। ଆପଣଙ୍କର ଜାଗା କୁଳଉନି। ପଛରେ ବାଢ଼ିବା। ରହି ଯାଆନ୍ତୁ।
ଜଗା ପାଇଁ ଓ ନିଜର ଜାଗା ପାଇଁ କେତେ କଦର୍ଥନ ନ ଭୋଗିଛି ଏ ଓଡ଼ିଆ ଜାତି। କେତେ ଘଳିଆକୁ ସହିଛି। ପ୍ଳାବନ ଭୋଗିଛି। ତଥାପି କାଳିଆ ତା’ର ଅମୂଲ୍ୟ ସମ୍ପତ୍ତି। ଆହୁରି ଅନେକ କଥା ଅଛି। କୃପା ଥିଲେ ପଛକୁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ ରମ୍ୟରଚନା।)