ଶକୁନିର ପଶାପାଲି ଲମ୍ବିଛି ସବୁଠି, ବସ୍ତ୍ର ହରଣର ଦୃଶ୍ୟ ଅଭିନୀତ ସେଠି।

ଲେଉଟୁଛି ଦୃଶ୍ୟପଟ ମହାଭାରତର
ଲୋଟୁଛି ମାଟି ବୈକୁଣ୍ଠ ଲୋଟୁଛି ସଂସ୍କାର।
ଦୈତ୍ୟମାନେ ମାତିଛନ୍ତି ଦ୍ୟୂତକ୍ରୀଡା କରି
ଦୁଷ୍କର୍ମ ଭୋଗୁଛି ଏଠି ସଭାମଧ୍ୟେ ନାରୀ।

ଶୁଭୁଅଛି ମନ୍ତ୍ରପାଠ ନାହାନ୍ତି ବ୍ରାହ୍ମଣ
ବନ୍ଦୀ ଏଠି ପରମ୍ପରା ବନ୍ଦୀ ଭଗବାନ।
‘ପତିତା’ କି ‘ପତିବ୍ରତା’ ଚିହ୍ନାପଡ଼େ ନାହିଁ
ଭୂଲୁଣ୍ଠିତ ଦେବୀସତ୍ତା ଦେହେ ବସ୍ତ୍ର କାହିଁ !
ସବୁପୁରୁଷ ସତେକି ମହିଷା ଅସୁର
ଜଘନ ବାଡ଼େଇ ଦିଏ ଅହଂର ହୁଙ୍କାର।
ନାରୀ ନାରୀଟିଏ ନୁହେଁ ‘କାମନା’ ପିତୁଳା
ବିପଣୀରେ ଦେହ ବିକେ ବୁଡୁଅଛି ଭେଳା।
ବଳିପଡ଼ୁଅଛି କେତେ ନିରୀହ ଜୀବନ
ଭାରତମାତା ଆତ୍ମାରେ ଲାଗିଛି ଲାଞ୍ଛନ।
ଘରେ ଘରେ ଦେବୀମାନେ ମୃତ କି ଜୀବିତ
ମୃତ୍ୟୁ ହସେ ନିରବରେ ମୂଲ୍ୟ ଭୂଲୁଣ୍ଠିତ।
ମୁଦ୍ରିତ ଚକ୍ଷୁରେ ଦେଖ କଳିର ମାନବେ
ବହୁଅଛି ଧର୍ମଡଙ୍ଗା ଜଣେ ନାହିଁ ନାବେ ।
ସଭିଏଁ ତ ବସିଛନ୍ତି ଧର୍ମ ଚକ୍ଷୁ ମୁଦି
ଦେଖନ୍ତି ଅଧର୍ମ ଡୋରେ ବିବେକ ବି ବନ୍ଦୀ ।
ନେତୃତ୍ୱର ଧ୍ବଜା ଉଡ଼େ ବୁଡ଼େ ଧର୍ମ ଡଙ୍ଗା
ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ ଅଧର୍ମରେ ବନ୍ଧା।
ଏନ୍ତୁଡିରୁ ଜୁଇଯାଏ ପ୍ରଲମ୍ବିତ ପାପ
ବଦଳିଯାଇଛି ସଜ୍ଞା ପୂଣ୍ୟର ଅନେକ।
ବ୍ୟଭିଚାରୀ କଥାକହେ ପାଣି ସର ପରି
ଚିନ୍ତା କଥା କାର୍ଯ୍ୟ ସବୁ ବେପାର ଯେପରି।
ଭାଷଣେ ସୀମିତ ଯେତେ ଯେତେ ଧର୍ମାଚାର
କାର୍ଯ୍ୟରେ କରନ୍ତି ସବୁ ବିପରୀତ ତାର।
ଅନ୍ଧ ଧ୍ରୁତରାଷ୍ଟ୍ର ନାମେ ନେତୃତ୍ବ ଚାଲଇ
ସୁବିଧା ଲଭନ୍ତି କୁରୁଙ୍କର ଶତ ଭାଇ।
ଶକୁନିର ପଶାପାଲି ଲମ୍ବିଛି ସବୁଠି
ବସ୍ତ୍ର ହରଣର ଦୃଶ୍ୟ ଅଭିନୀତ ସେଠି।
ନାରୀ ଆଜି ନାରୀଙ୍କର ବଡ଼ ଶତ୍ରୁ ହୋଇ
ଲଜ୍ଜା ଲୁଟୁଅଛି ତା’ର ଲଜ୍ଜା ଜମାନାହିଁ।
ଛଞ୍ଚାଣ ପରି ଲୁଚିଛି ଦୁଷ୍ଟ ଜୟଦ୍ରଥ
ଲଜ୍ଜା ନିବାରଣ ଲାଗି ନାହାନ୍ତି ମାଧବ।
ବିଚିତ୍ର ଏ ଦୃଶ୍ୟପଟ ପଥର ଠାକୁର
ହଂସା ଉଡିଯାଏ ଦେଖି ରାକ୍ଷସ ବେଭାର।
ବିଶ୍ୱାସର ସିଂହଦ୍ଵାର ରୁଦ୍ଧ ଅଛି ହୋଇ
ପାପପୂଣ୍ୟ ବିଚାରିବ ମଣିଷ ବା କାହିଁ!
ପାତାଳି ଅଛନ୍ତି ହୋଇ ଯେତେ ଦେବଦେବୀ
ଯୁଦ୍ଧ ଘନ ବିଭୀଷିକା ଗ୍ରାସିଛି ପୃଥିବୀ
ଲକ୍ଷେ ଶାଳଗ୍ରାମ ଆଉ ଆଣିବେନି କେହି
ତୃତୀୟ ନୟନ ଖୋଲି ଦେଖ ମହାମାୟୀ।