ପାଠ ଦୋକାନ

ଏହି ପାଠ ଦୋକାନର ବହୁତ ପ୍ରକାର ସ୍କିମ୍ ବା ପ୍ଲାନ୍ ପ୍ରସ୍ତୁତ କରାଯାଇଛି।

ଅଭୟ ଦାଶ

ଗାଁ’ଗଣ୍ଡାରେ ତେଜରାତି ଦୋକାନଟିଏ ନିହାତି ଦେଖିବାକୁ ମିଳିଥାଏ। ଆଉ କିଛି ଦୋକାନ ଥାଉ କି ନଥାଉ, ପ୍ରତିଦିନ ତେଲ, ଲୁଣ ତ ଦରକାର ନା! ଡାଲି, ଚାଉଳ ତ ନିଜ ‌ହାତର କଥା। ପରିବାପତ୍ର ତ ଦାଣ୍ଡ ବାଡ଼ିରୁ ହୋଇଯାଏ। ପୋଖରୀ ଚାରିପଟେ ବୁଲିଆସିଲେ ସୁନୁସୁନିଆ, ମଦରଙ୍ଗା, କଳମ,
ବଢିଆଣ, ପୁରୁଣୀ,ପିତାଶାଗ, ହିଡିମିଚା ଆଦି ଶାଗର ଅଭାବ ନଥାଏ; ବାକି ଖଡ଼ା, ଲେଉଟିଆ କୋଶଳା, ପାଳଙ୍ଗ, ପୋଇ ପାଇଁ ତ ବାଡ଼ିବଗିଚା ଅଛି।
ଏଇ ଗଲା ଆମ ଗାଁ କଥା। ସହରିଆ ତ ସଜନା ଛୁଇଁଟାଏ ହେଲେ କିଣିବାକୁ ବାଧ୍ୟ। ମାତ୍ର ଫୁଲ ଚୋରି ଧର୍ତ୍ତବ୍ୟ ଅପରାଧ ହୋଇ ନଥିବାରୁ ସ‌ହରରୁ ଗାଁ ଯାଏ ସମସ୍ତଙ୍କ ହାତରେ ବାଡ଼ି ଖଣ୍ଡେ କି ଲଗି ଖଣ୍ଡେ ଦେଖିବାକୁ ପାଇବେ। ସେଥିପାଇଁ କମ୍ପିଟେସନ୍, କିଏ କେତେ ସକାଳୁ କେତେ ରାତି ଥାଇ କା‌ହା ବାଡ଼ିରୁ ଆଗ ଫୁଲ ତୋଳିବ? ତାହା ପାଇଁ ଦୋକାନ ଦରକାର ନାହିଁ। ଇଏ ତ ଗଲା ଠାକୁରଙ୍କ ଫୁଲ; କିନ୍ତୁ ସେ ବାହାଘର ଫୁଲ, ସମ୍ବର୍ଦ୍ଧନା ଫୁଲ, ଭାଲେଣ୍ଟାଇନ୍ ଡେ ଫୁଲ, ହନିମୁନ ଫୁଲ, ଆନିଭର୍ସାରୀ ଫୁଲ ପାଇଁ ଯେଉଁ ଦୋକାନ ଥାଏ ତା‌ହା ଫ୍ଲୋରିଷ୍ଟ୍ ନାମରେ ପରିଚିତ ହୋଇଥାଏ। ସେ ଦୋକାନ ବଡ଼ ବଡ଼ ହୋଟେଲ,ମଲ୍ ଆଦି ବାତାନୁକୁଳିତ ପରିବେଶରେ ଦେଖିବାକୁ ମିଳେ।
ଯେଉଁଠି ନୂଆ ବସତି ଗଢ଼ି ଉଠିଥିବା ଦେଖାଯାଏ, ପ୍ରଶ୍ନ ଆସେ ଦୋକାନ ବଜାର ସୁବିଧା ଅଛି କି ନାହିଁ? ଗାଁ’ଟାଏ ହେଉ ପଛେ ଦୋକାନଟାଏ ନିହାତି ଦରକାର। ଡାଲି ଚାଉଳ, ତେଲ ଲୁଣ, ଚାହା ଚିନି, ବାଇଗିଣି ପତ୍ର ବିଡ଼ି, ଦିଆସିଲି କିରାସିନି ତେଲ ସବୁ ଦରକାରୀ ଜିନିଷ ମିଳେ ଏଇ ଦୋକାନରେ। ବାକି ଲୁଗାପଟା ବାସନକୁସନ ପାଇଁ ସାପ୍ତାହିକ ହାଟ ଅଛି ନା! ଆଉ ଗୋଟିଏ ଦୋକାନ ଅଛି, ସେଠାକୁ ଲୁଚି ଲୁଚି ଯିବାକୁ ହୁଏ ଓ ବୋତଲଟିକୁ ଲୁଚେଇ କରି ଆଣିବାକୁ ହୋଇଥାଏ। ନହେଲେ ଲୋକେ କହନ୍ତି ମଦୁଆଟାଏ। ଯିଏ ଏପରି କହିଛନ୍ତି ସିଏ ବି ସେଇଠି ମିଳିପାରନ୍ତି, ଆଉ ଆପଣଙ୍କୁ ଦେଖି ନଦେଖିବା ଅଭିନୟ କରି ପାରନ୍ତି। ସେ ଦୋକାନ ସରକାରଙ୍କୁ ସବୁଠାରୁ ଅଧିକ ଟିକସ ଆଦାୟ କରି ଦେଇଥାଆନ୍ତି। ଏମିତି ଗୋଟିଏ ଦୋକାନ ଠିକା ନେବା କିଛି ସହଜ କଥା ନୁହେଁ। କେତେ ଧରାଧରି କରିବାକୁ ହୋଇଥାଏ। ମାନେ ଅଣ୍ଡର ଟେବୁଲ୍ ବ୍ୟବସ୍ଥା। ଅବକାରୀ ବିଭାଗ ଟି! କଣ ସ‌ହଜ କଥା? ଏମିତି ଗୋଟିଏ ଦୋକାନ ମିଳିଗଲେ ଜାଣ ଭାଗ୍ୟ ଖୋଲିଗଲା। ହେଲେ ବହୁତ ଲୋକଙ୍କୁ ସନ୍ତୋଷ କରିବାକୁ ହୋଇଥାଏ। ସେମିତି ଖୋଜିବସିଲେ ଦୋକାନ ଆହୁରି ଅନେକ ପ୍ରକାର। ମାନେ ବେପାର ତ।

ଆଜିକାଲି ଏ ଦୋକାନ ଚିନ୍ତାଧାରା ବା କନ୍ସେପ୍‌ଟ୍ ଏବେ ପାଠ-ବେପାରକୁ ପଶିଆସି ପୂରା କବ୍‌ଜା କରି ସାରିଲାଣି। ପିଲା ଗୋଟିଏ ଦୁଇଟି ଜନ୍ମ କରିଛନ୍ତି ବା କରାଇଛନ୍ତି ମାନେ ତାଙ୍କୁ ପାଠ ପଢେଇବା ଦାୟିତ୍ୱ ଆପଣଙ୍କର। ଆପଣଙ୍କ ଭଳି ଲୋକ କଣ ସରକାରୀ ସ୍କୁଲରେ ପଢାଇବେ? ଉଁ ହୁଁ। ନୋ, ନଟ୍ ଆଟ୍ଅଲ୍। ଇଂଲିସ୍ ମିଡିଅମ୍ ପବ୍ଲିକ ସ୍କୁଲ, ପ୍ରାଇଭେଟ୍ ସ୍କୁଲରେ ତ ପଢେଇବେ ନା! ନହେଲେ ଇଜ୍ଜତ ରହିବ ଟି? ଆପଣଙ୍କ ପତ୍ନୀଙ୍କ କିଟିପାର୍ଟିରେ କଣ ଜବାବ ଦେବେ ସିଏ? ଏ ସବୁ ସାମାଜିକ ସ୍ଥିତି ବା ଷ୍ଟାଟସ୍କୁ ଜଗିରଖି ଚଳିବାକୁ ହେବ ନା! ସରକାରୀ ସ୍କୁଲରେ କୁଆଡ଼େ ପାଠ ପଢ଼ା ହେଉନାହିଁ! ସେଥିପାଇଁ ଭଲ ପାଠ ଦୋକାନ ଦେଖି ପିଲାଙ୍କୁ ଛାଡ଼ିବାକୁ ହେବ। ସେ ଦୋକାନର ନିୟମ ଭାରି କଡା। ମାନେ ପିଲାଟା ମଣିଷ ହୋଇଯିବ। ଇଂଲିସ୍ ଏମିତି କହିବ ଯେ ଯେମିତି ଶଶୀ ଥରୁର୍! ତାହେଲେ ମନ କଷ୍ଟ କାହିଁକି? ଖର୍ଚ୍ଚ? ଏଜୁକେସନ୍ ଲୋନ୍ ନେବା ଉଚିତ୍। ଆମେ ଜାଣିଛୁ ଆପଣଙ୍କ ପାଖରେ ଅଛି। ମାତ୍ର ଇଏ କଣ ସେ ବେଳ ଅଛି? ମିଛରେ କାହିଁକି ଧରାପଡିବେ? ଏ ଇଡି, ସିବିଆଇ ମନିଲଣ୍ଡରିଂ ଆକ୍ଟ୍, ବହୁତ ବହୁତ ଆଇନ୍ ଅଛି, ସବୁ କଣ ଆମର ମନେଅଛି? ଧରା ହେଲେ ମାନେ, ଏ ଦେଶରେ ଯୋଡ଼ିଏ ଓକିଲ ଅଛନ୍ତି ଯିଏ ସେଥିରେ ପାରଙ୍ଗମ – ସିଂଗ୍‌ଭି ଆଉ ସିବଲ୍। ସାଲ୍‌ଭେ ବୋଲି ମଧ୍ୟ ଆଉ ଜଣେ ଅଛନ୍ତି ଯେ ସିଏ ପ୍ରାୟ ବିଦେଶରେ ରହୁଛନ୍ତି। ସେ ଯାହା ହେଉ, ତାଙ୍କ ଫିସ୍ କଣ ଆମ ଭଳିଆ ଲୋକ ଦେଇପାରିବ? ଆପଣ ଦେଇପାରିବେ ଯେ, କାଇଁ ସେ ଝାମେଲାରେ ପଡ଼ିବେ?
ଧରନ୍ତୁ , ପିଲାର ଆଡ଼ମିଶନ ହୋଇଗଲା। ଫିସ୍ ଜମା ହୋଇଗଲା। ଖର୍ଚ୍ଚ ଯାହା ହେଉ ଆପଣଙ୍କୁ କେଉଁ ଅଛପା କି? ହେଇଗଲା! ସେ ସ୍କୁଲ ବା ପାଠ ଦୋକାନର ବହୁତ ପ୍ରକାର ସ୍କିମ୍ ବା ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଦଶମରୁ ଏକାଦଶକୁ ଯିବାକୁ ହେଲେ ନୂଆ ପ୍ୟାକେଜ୍ ତିନି ଲକ୍ଷ ଯୁକ୍ତ ଜି.ଏସ୍‌.ଟି। ଦଶମ ପରୀକ୍ଷାରେ ଯେଉଁ ଛାତ୍ର ରି-ଭାଲ୍ୟୁଏସନ୍ ପାଇଁ ଦରଖାସ୍ତ ଦେଇଛନ୍ତି ତାଙ୍କୁ ସେବା ପ୍ରଦାନ କରିବ ଏ ଦୋକାନ ମାନ୍ୟତାପ୍ରାପ୍ତ ଶୁଳ୍କ ଏକଲକ୍ଷ ପଚିଶ ହଜାର ଅଗ୍ରୀମ ଜମା କରାଯିବା ପରେ। ପ୍ରକାଶ ଥାଉକି ଇନ୍‌ଟେନ୍‌ସିଭ୍ ବା ଗଭୀର ଅଧ୍ୟୟନ ପାଇଁ ଅଧିକ ପଚାଶ ହଜାର ଜମା କରିବାକୁ ‌ହେବ। ଲିକ୍-ପ୍ରୁଫ୍ ପରୀକ୍ଷା ପାଇଁ ଇନ୍‌ସୁରାନ୍‌ସ୍ ବାବଦରେ ଏକ ଲକ୍ଷ ଟଙ୍କା ଗୋଟିଏ କିସ୍ତିରେ ଦେବାକୁ ହେବ। ନିଟ୍ ଓ ଜେଇଇ ଲିକ୍-ପ୍ରୁଫ୍ ପରୀକ୍ଷା ପାଇଁ ଇନ୍‌ସୁରାନ୍‌ସ୍ ପାଞ୍ଚ ଲକ୍ଷ ଅଲଗା ବାଧ୍ୟତାମୂଳକ। କାହିଁକି ନା, ଆଜିକାଲି ପ୍ରଶ୍ନପତ୍ର ଆଉ ପରୀକ୍ଷାଖାତା ମୂଲ୍ୟାୟନ ଲିକ୍ ଉପରେ କିଛି ଗ୍ୟାରେଣ୍ଟି ନାହିଁ। ଯଦି ଏହି ଲିକ୍‌ରେ ବାହ୍ୟ ଶତ୍ରୁଙ୍କ ସଂପୃକ୍ତି ପ୍ରମାଣିତ ହୁଏ ଅଧିକ ପାଞ୍ଚ ଲକ୍ଷ ଦେବାକୁ ହେବ। ଆପଣମାନଙ୍କୁ ସରଳ ଭାଷାରେ ବୁଝାଇବାକୁ ଯାଇ ଆମେ କହିବାକୁ ଚାହୁଁଛୁ, ପ୍ଲସ୍ ଟୁ ପାଇଁ ରେଟ୍ ଏକ କୋଟି ସାତ ହଜାର, ଉପର କ୍ଲାସ୍ ପ୍ଲସ୍ ଥ୍ରୀ ଦେଢ଼ କୋଟି, ନିଟ୍ ଇନ୍‌ସୁରାନ୍‌ସ୍ ସହ ପାଞ୍ଚ କୋଟି, ଜେଇଇ ଚାରି କୋଟି ପଚାଶ ଲକ୍ଷ। ହଷ୍ଟେଲ ଖର୍ଚ୍ଚ ଅଲଗା।
ଆଉ ଗୋଟିଏ ସିକ୍ରେଟ୍ ଅଛି; ଯଦି କ୍ଲାସ୍ ନ ଆସି ଡମି କ୍ୟାଣ୍ଡିଡେଟ୍ ଦ୍ଵାରା ପରୀକ୍ଷା ଦିଆଯାଏ, ଖର୍ଚ୍ଚ ପନ୍ଦର କୋଟି। କିଛି ପାଠ ନ ପଢି ଡାକ୍ତର ଡିଗ୍ରୀ ଘରେ ପହଞ୍ଚାଇବା ଦାୟିତ୍ଵ ଆମର। ଆପଣଙ୍କୁ ଅଣ୍ଡରଟେକିଂ ଦେବାକୁ ‌ହେବ, ଆପଣ କେଉଁ ପେସେଣ୍ଟ ଦେହରେ ହାତ ଦେବା ମନା; ଖାଲି ନର୍ସିଂହୋମ ମାଲିକ ହୋଇ ପାରିବେ। ଫିସ୍ କୋଡ଼ିଏ କୋଟି। ଇଞ୍ଜିନିୟରିଂ ପାଇଁ ଖର୍ଚ୍ଚ ଟିକିଏ କୋହଳ କରାଯାଇଛି; କାହିଁକି ନା କୋଠା ଭୁଷୁଡ଼ିବା, ପୋଲ ଭାଙ୍ଗିବା, ଇଲେକ୍ଟ୍ରିକାଲ ତାର ଛିଣ୍ଡି ଯିବାଭଳି ଦୁର୍ଘଟଣା କିଛି ଧର୍ତ୍ତବ୍ୟ ଅପରାଧ ନୁହେଁ। ତା’ର ବାଟ ଅଛି।
ଏସବୁ ଯେଉଁ ରେଟ୍ କୋଟ୍ କରାଯାଇଛି ତାହା କେବଳ ଅଭୟ ଦାଶଙ୍କ ଦ୍ବାରା ପରିଚାଳିତ ‘ସ୍ବାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ ପାଠଶାଳା’ ପାଇଁ ପ୍ରଯୁଜ୍ୟ। ଅଧିକ ରିହାତି ବା ଡିସ୍‌କାଉଣ୍ଟ ମାଗି ଲଜ୍ଜା ନଦେବାକୁ ଅନୁରୋଧ।

One thought on “ପାଠ ଦୋକାନ

  1. ହା ହା। ହସିବାକୁ ବାଧ। ଧନ୍ୟ ଅଭୟ ଦାଶ ଓ ତାଙ୍କ ଉର୍ବର ମସ୍ତିଷ୍କର କଳ୍ପନା ଶକ୍ତିକୁ। ସବୁ ବିଷୟରେ ଅଭିଜ୍ଞତା। ବହୁତ ସୁନ୍ଦର ରଚନା। ଧନ୍ୟବାଦ ଅଭୟ ବାବୁ। ଅଭିନନ୍ଦନ।

Leave a Reply

Your email address will not be published. Required fields are marked *