ସବୁ ଦୃଷ୍ଟିରୁ ଓଡ଼ିଶାର ସୁନାପୁର ଯେ ଏକ ଉଚ୍ଚକୋଟୀର ବିଚ୍ ଏଥିରେ ସନ୍ଦେହ ନାହିଁ ।

ବସ୍ଟି ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବ୍ରହ୍ମପୁର ଯିବାକୁ ବାହାରୁଥିଲା। ତରତର ହୋଇ ଗାଡ଼ି ଭିତରକୁ ଉଠିଗଲି। ଖୋର୍ଦ୍ଧା କଲେଜରେ ଅଧ୍ୟାପକ ଚାକିରି। ଦୂରଗାମୀ ବସ୍ରେ ୨୦/୩୦ କିମି ଦୂର ଯାଉଥିବା ଯାତ୍ରୀମାନଙ୍କୁ ପ୍ରାୟତଃ ସିଟ୍ ମିଳେନାହିଁ। ଯୋଗକୁ ଗୋଟିଏ ତିନିଟିକିଆ ସିଟ୍ରେ ଦୁଇଜଣ ସମ୍ଭ୍ରାନ୍ତ ବୟସ୍କ ଯାତ୍ରୀ ବସିଥିଲେ। ସିଟ୍ ଫାଙ୍କା ଥାଇ ଜଣେ ଯାତ୍ରୀ ଠିଆ ହୋଇଯିବା ତାଙ୍କୁ ବୋଧେ ଭଲ ଲାଗିଲା ନାହିଁ। ମୋତେ ହାତଠାରି ବସିବାକୁ କହିଲେ। ବସୁବସୁ କଥା ଆରମ୍ଭ ହୋଇଗଲା। ସେମାନେ ମୋ’ ଚାକିରି ବିଷୟରେ ଜାଣି ବହୁତ ଖୁସି ହେଲେ। ପଚାରି ଜାଣିଲି, ସେମାନେ ବଙ୍ଗାଳୀ ଭଦ୍ରଲୋକ। ଅବସର ପରେ କଲିକତା ମହାନଗରୀରେ ବସା ବାନ୍ଧିଛନ୍ତି। ଏବେ ଦୁଇବନ୍ଧୁ ଗୋପାଳପୁର ସି-ବିଚ୍ରେ କିଛିଦିନ ବିତାଇବାକୁ ଯାଉଛନ୍ତି। ଅଯାଚିତ ଭାବେ କହିଚାଲିଲି, ନିକଟରେ ଥିବା ଦର୍ଶନୀୟ ସ୍ଥାନ ସବୁ। ମୋ’ କଥା ସରିବା ପରେ ସେମାନେ ଟିକେ ହସିଦେଇ କହିଲେ, ଆମେ ଜାଗା ବୁଲିବାକୁ ଆସିନାହୁଁ। ମୁଁ କହିଲି, ତେବେ ସି-ବିଚ୍ରେ ଥିବା ହୋଟେଲରେ ବସିବସି ଅଯଥାରେ ବୋର୍ ହେବେ ନିଶ୍ଚୟ। ଉତ୍ତରରେ ସେମାନେ କହିଲେ, ସମଗ୍ର ଚାକିରିକାଳ କୋଳାହଳପୂର୍ଣ୍ଣ ପରିବେଶରେ ରହି ଏମିତି ବିରକ୍ତି ଆସିଯାଇଛି ଯେ କିଛିଦିନ ନିରବରେ ବସି ଜୀବନକୁ ଅନୁଶୀଳନ କରିବାକୁ ଇଚ୍ଛା। ଏଥିପାଇଁ ନିରବ ନିର୍ଜନ ସମୁଦ୍ରବେଳା ହିଁ ଏକମାତ୍ର ଉପଯୁକ୍ତ ସ୍ଥାନ। ଜାଣିବାକୁ ପାଇଲୁ, ଗୋପାଳପୁରର ନିର୍ଜନ ସି-ବିଚ୍ ହିଁ ଆମ ପାଇଁ ସର୍ବୋତ୍ତମ ସ୍ଥାନ।
ଘଟଣାଟି ପ୍ରାୟ ୧୯୮୫ ମସିହାର କଥା। ବୟସ ମୋର ତିରିଶ, ଇଂରେଜୀ ସାହିତ୍ୟର ଅଧ୍ୟାପକ। ମୋ’ର ଯୁବମାନସକୁ ସେମାନଙ୍କ ସମସ୍ୟା ଓ ତା’ର ସମାଧାନର ପନ୍ଥା ଭଲ ଭାବରେ ବୋଧଗମ୍ୟ ହେଲାନାହିଁ। ବୋଧେ ଦର୍ଶନଶାସ୍ତ୍ରର ଅଧ୍ୟାପକ ହୋଇଥିଲେ କିଛି ବୁଝିପାରିଥାନ୍ତି। ଆଜି କିନ୍ତୁ ଜୀବନର ସତୁରିଟି ଶରତ ବିତେଇବା ପରେ ସେ କଥାର ମାର୍ମିକ ଅର୍ଥ ଉପଲବ୍ଧ ହେଉଛି।

ସୁସ୍ଥ ସବଳ ଥିଲାବେଳେ ସମୟ ବାହାରକରି ମୁଁ କେତେ କଅଣ ବୁଲାବୁଲି ନ କରିଛି ସତେ! ଐତିହାସିକ ସ୍ଥାନଠୁ ଆରମ୍ଭକରି ତୀର୍ଥସ୍ଥାନ, ନଦୀ, ପାହାଡ଼, ଜଳପ୍ରପାତ, ଘଞ୍ଚଜଙ୍ଗଲ, ପ୍ରସିଦ୍ଧ ମନ୍ଦିର ସାଙ୍ଗକୁ ଦେଶବିଦେଶର ଅନେକ ମନୋରମ ବେଳାଭୂମି; କାହାର କାହାର ସ୍ମୃତି ସତେଜ ତ କେହିକେହି ଝାପ୍ସା ହୋଇ ଆସିଲେଣି। ସବୁଠି ଚଳଚଞ୍ଚଳ ଜନଜୀବନ, ଧାବମାନ ଅସଂଖ୍ୟ ଗାଡ଼ିଘୋଡ଼ା ଆଉ କୋଳାହଳମୟ ପରିବେଶ। ଆଜି ଯେତେବେଳେ ନିରବ ନିର୍ଜନତାକୁ ଖୋଜିବାକୁ ଯାଏ, ଅନ୍ୱେଷଣର ଦିଗ୍ବଳୟ କିନ୍ତୁ ଘୁଞ୍ଚିଘୁଞ୍ଚି ଯାଏ। ମୋ’ ରାଜ୍ୟର (ଓଡ଼ିଶା) ପୁରୀ ସମୁଦ୍ର ବେଳାଭୂମି କଥା ନ କହିବା ଭଲ। ବର୍ଷର ଯେକୌଣସି ସମୟରେ ଯାଆନ୍ତୁ, ଅସୁମାରି ଲୋକଭିଡ଼ରେ ଅଣନିଃଶ୍ୱାସୀ ହୋଇଯିବେ।
ସବୁଆଡ଼େ ଭିଡ଼
ପଶ୍ଚିମବଙ୍ଗର ଦୀଘାଠାରୁ ଆରମ୍ଭକରି ବାଲେଶ୍ୱରର ଚାନ୍ଦିପୁର, ଗଞ୍ଜାମର ଗୋପାଳପୁର ଯାଏ ସବୁଆଡ଼େ ଲୋକଙ୍କର ପ୍ରବଳ ଭିଡ଼ ସାଙ୍ଗକୁ ଦୋକାନ, ବଜାର, ହୋଟେଲର ଭିଡ଼ ମଧ୍ୟ ବଢ଼ି ଚାଲିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଟିକେ ଶାନ୍ତି ପାଇବା ଆଶାରେ ଲୋକେ ଧାଇଁ ଯାଆନ୍ତି ଏସବୁ ଜାଗାକୁ। ସାମର୍ଥ୍ୟ ଅନୁସାରେ ଖର୍ଚ୍ଚକରି ଫେରିଆସନ୍ତି। ଦେଣା ପାଉଣାର ହିସାବ କହେ, ଦେବା ତୁଳନାରେ ପାଉଣା ଢେର୍ କମ୍। ଗୋଆରେ ଥିବା ଅନେକ ପ୍ରସିଦ୍ଧ ବିଚ୍ କଥା କିଏ ବା ନ ଜାଣେ? ଶୁଣିଥିଲି କେବଳ ଦେଶ ଭିତରୁ ନୁହେଁ, ବିଦେଶରୁ ମଧ୍ୟ ବହୁ ଟୁରିଷ୍ଟ୍ ଅଳ୍ପଦିନ ପାଇଁ ଆସି ଅନେକ ଦିନ ଏଠାରେ ଅଟକି ଯାଆନ୍ତି। ୫/୬ ବର୍ଷ ତଳେ ସପରିବାର ୮/୯ ଦିନ ପାଇଁ ଗୋଆ ଭ୍ରମଣରେ ଯାଇଥିଲୁ। ସେଠାରେ ଥିବା ବହୁତ ଜଣାଶୁଣା ବିଚ୍ ଯଥା: ବାଗା ବିଚ୍, କାଲାଙ୍ଗୁଟେ ବିଚ୍, ପାଲୋଲେମ୍ ବିଚ୍, କୋଲଭା ବିଚ୍, ଆରାମବୋଲ ବିଚ୍, ମୋରଜିମ୍ ବିଚ୍ ପ୍ରଭୃତିରେ ସମୟ ବିତାଇ ତଥାକଥିତ ଜନତା କିପରି ଜୀବନକୁ ଉପଭୋଗ କରୁଛନ୍ତି, ତାହା ନିରୀକ୍ଷଣ କରିଥିଲି। ବହୁଦିନ ପୂର୍ବରୁ ଯୌବନର ଉଦ୍ଦାମତା ପ୍ରଶମିତ ହୋଇସାରିଥିବା ପରେ ନିରବତାର ଶାନ୍ତକାନ୍ତ ପରିବେଶକୁ ଖୋଜି ବୁଲୁଥିଲା ବେଳେ ଗୋଆରେ ମୁଁ ନିରାଶ ହୋଇଥିଲି। କେବଳ ମୋବର ବିଚ୍ର ନିର୍ଜନତା ଓ ପ୍ରାକୃତିକ ପରିବେଶ କିଞ୍ôଚତ ସାନ୍ତ୍ୱନା ଦେଇଥିଲା। ଏହାର ବେଳାଭୂମିର ବାଲି ପାଉଡ଼ର ପରି, ଧଳା ଓ ବହୁତ ନରମ। ଗୋଟିଏ ଦିଗରେ ଆରବ ସାଗର ଓ ଅନ୍ୟ ଦିଗରେ ଶାଲ୍ ନଦୀ ସୂର୍ଯ୍ୟାସ୍ତକୁ ବେଶ୍ ମନଲୋଭା କରିଦିଅନ୍ତି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ କିଛି ସମୟ ପାଇଁ ସେଠାରେ ବସି ନିଜକୁ ଭୁଲି ଯାଇଥିଲି।
ଅପୂର୍ବ ଶୋଭା
କେବଳ ଗୋଆ ନୁହେଁ, ବଙ୍ଗୋପସାଗର କୂଳରେ ଥିବା ରାମେଶ୍ୱରମ୍ ବିଚ୍ ଓ ତ୍ରିବେଶୀ ସଙ୍ଗମରେ (ଆରବ ସାଗର, ବଙ୍ଗୋପସାଗର, ଭାରତ ମହାସାଗର) କନ୍ୟାକୁମାରୀ ବିଚ୍ ମଧ୍ୟ ଯାଇଛି। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଶୋଭା ଦେଖି ପୁଲକିତ ହୋଇଛି। କିନ୍ତୁ ପ୍ରବଳ ଜନସମୁଦ୍ର ଓ କୋଳାହଳ ମଧ୍ୟରେ ନିରବତାର ଶାନ୍ତି ହଜିଯାଇଛି। ବର୍ଷର ଅଧିକାଂଶ ସମୟ ବାଙ୍ଗାଲୋରରେ (ବଡ଼ପୁଅ ସହିତ) ରହୁଥିବାରୁ କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର, ଗୁଜରାଟ ଓ କେରଳର ଅନେକ ଦର୍ଶନୀୟ ସ୍ଥାନ ସହିତ ସି-ବିଚ୍ ମଧ୍ୟ ଦେଖିବାର ସୁଯୋଗ ପାଇଛି। ଗୁଜରାଟରେ ସୋମନାଥଙ୍କ ଦର୍ଶନ ଅବସରରେ ଦେଖିଥିବା ସମୁଦ୍ର ବେଳାଭୂମି ବିଶେଷ ଆକର୍ଷଣୀୟ ନଥିଲା। କେରଳର ସବୁଠୁ ପ୍ରସିଦ୍ଧ କୋଭଲମ୍ ବିଚ୍ (ବହୁ ବିଦେଶୀଙ୍କ ପ୍ରିୟ ଓ ଆୟୁର୍ବେଦ ଚିକିତ୍ସା କେନ୍ଦ୍ର) ଭଲ ଲାଗିଥିଲା; କିନ୍ତୁ ବହୁତ ଜନଗହଳି। ଏହାର ବେକାଲ୍ ବିଚ୍ (ଆରବସାଗର ତୀରେ, ବେକାଲ୍ ଫୋର୍ଟ ଅଛି) ବେଶ୍ ପରିଷ୍କାର ଓ ଭିଡ଼ କେତେକାଂଶରେ କମ୍।
ତା’ପରେ ମୁଁ ଦେଖିଥିବା କର୍ଣ୍ଣାଟକର କେତେକ ବିଚ୍ ଯେପରି ମାଙ୍ଗାଲୋର ସି-ବିଚ୍, ଉଡୁପିଠାରେ ଥିବା ମାଲ୍ପେ ବିଚ୍ ଓ ପାଡୁବିଦ୍ରିର ବ୍ଲୁ ଫ୍ଲାଗ୍ ବିଚ୍ ଅନ୍ୟତମ। କର୍ଣ୍ଣାଟକର ଅନ୍ୟାନ୍ୟ ବିଚ୍ ଅପେକ୍ଷା ପାଡୁ ବିଦ୍ରି ଟିକେ ବେଶି ପରିଷ୍କାର ଓ କମ୍ ଲୋକାରଣ୍ୟ। କିନ୍ତୁ କର୍ଣ୍ଣାଟକର ବିଚ୍ ତୁଳନାରେ ତାମିଲନାଡୁର ମାଉନା ବିଚ୍ ବହୁତ ପ୍ରଶସ୍ତ ଆଉ ସାଂଘାତିକ ଭାବରେ ଲୋକାରଣ୍ୟ। ଏମିତି ବୁଲିଯିବା କାଳରେ ଦେଖିଥିବା ଆନ୍ଧ୍ରପ୍ରଦେଶର କେତେକ ବିଚ୍ ମଧ୍ୟ ଉଲ୍ଲେଖନୀୟ। ଆନ୍ଧ୍ରପ୍ରଦେଶରେ ସବୁଠୁ ଆକର୍ଷଣୀୟ ହେଉଛି ଋଷିକୋଣ୍ଡା ବିଚ୍। ଏହି ବ୍ଲୁ ଫ୍ଲାଗ୍ ବିଚ୍ରେ ଛୋଟପିଲାଙ୍କଠାରୁ ଆରମ୍ଭକରି ଯୁବକମାନଙ୍କ ପାଇଁ ମନୋରଞ୍ଜନର ସମସ୍ତ ସୁବିଧା ରହିଛି। ସମୁଦ୍ରର ପାଣି ପରିଷ୍କାର, ଉପକୂଳ କେତେକାଂଶରେ ପଥୁରିଆ କିନ୍ତୁ ଭିଡ଼ ବହୁତ ବେଶି। ସେହିପରି ଏଠାରୁ ମାତ୍ର ୭/୮ କିମି ଦୂରରେ ରହିଛି ବିଶାଖାପାଟଣାର ସବୁଠୁ ଜନଗହଳିପୂର୍ଣ୍ଣ ଆଉ ଜନପ୍ରିୟ ରାମକ୍ରିଷ୍ଣା ବିଚ୍ କୂଳରେ ରହିଛି ସବ୍ମାରିନ୍ ମ୍ୟୁଜିୟମ, ସୁନ୍ଦର ପାର୍କ ଓ ଗାର୍ଡେନ, ତେଣୁ ଗହଳି ହେବା ସ୍ୱାଭାବିକ। ମୁଁ ଦେଖିଥିବା ଆଉ ଗୋଟିଏ ସୁନ୍ଦର କିନ୍ତୁ ସର୍ବଦା ଲୋକାରଣ୍ୟ ଥିବା ଐତିହାସିକ ସହର ମହାବଳୀପୁରମ୍ର ବିଚ୍ ମଧ୍ୟ ଅନ୍ୟତମ।

ଓଡ଼ିଶାର ଏକ ନିଆରା ବିଚ୍
ଓଡ଼ିଶାରେ ଆମେ ବେଶି ଜାଣିଥିବା ପୁରୀ ଓ ଗୋପାଳପୁର ବିଚ୍ ପରି ବିଶେଷ ଜଣାଶୁଣା ହୋଇନଥିବା କିନ୍ତୁ ମୁଁ ଦେଖିଥିବା ଆଉ ଗୋଟିଏ ସୁନ୍ଦର ବିଚ୍ ରହିଛି। ନାଁ ତା’ର ସୁନାପୁର ବା ସୋନାପୁର ସି-ବିଚ୍। କେହି କେହି ମଧ୍ୟ ଏହାକୁ ପାତି ସୁନାପୁର ବିଚ୍ ବୋଲି କହିଥାନ୍ତି। ଗଞ୍ଜାମ ଜିଲ୍ଲାର ଏହି ବିଚ୍ଟି ଏକ ଅନନ୍ୟ ବିଚ୍ କାରଣ ଓଡ଼ିଶାର ଏହା ଦ୍ୱିତୀୟ ବିଚ୍ ଯିଏ ବି.ଏଫ୍. ବା ବ୍ଲୁ ଫ୍ଲାଗ୍ ବିଚ୍ର ଯୋଗ୍ୟତା ହାସଲ କରିସାରିଛି। ୨୦୨୦ ମସିହାରେ ପୁରୀର ଗୋଲଡେନ ବିଚ୍ ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା ଲାଭ କରିବା ପରେ ଜାନୁଆରୀ ୨୦୨୪ରେ ସୁନାପୁର ବିଚ୍ ଏହି ତାଲିକାରେ ଯୋଡ଼ି ହୋଇଯିବା ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ନିଶ୍ଚୟ। ଏପର୍ଯ୍ୟନ୍ତ ଆମ ଦେଶରେ ୧୨ଟି ବିଚ୍ ଏଇ ବ୍ଲୁ ଫ୍ଲାଗ୍ ବିଚ୍ ହେବାର ସାର୍ଟିଫିକେଟ୍ ହାସଲ କରିଛନ୍ତି। ସେଗୁଡ଼ିକ ହେଲେ, ୧. ଶିବରାଜପୁର ବିଚ୍ (ଗୁଜରାଟ), ୨. ଘୋଘଲା ବିଚ୍ (ଡିଉ), ୩. କସରଗଡ଼ ବିଚ୍ (କର୍ଣ୍ଣାଟକ, ଗୋକର୍ଣ୍ଣା ନିକଟ ହୋନ୍ନାଉର), ୪. ପାଡୁବିଦ୍ରି ବିଚ୍ (କର୍ଣ୍ଣାଟକ, ଉଡୁପିଠାରୁ ୨୬ କିମି ଦୂର), ୫. କପ୍ପାଡ ବିଚ୍ (କେରଳ), ୬. ଋଷିକୋଣ୍ଡା ବିଚ୍ (ଆନ୍ଧ୍ରପ୍ରଦେଶ, ବିଶାଖାପାଟଣାଠାରୁ ୮ କିମି ଦୂର – ‘ଜିୱେଲ ଅଫ୍ ଦି ଇଷ୍ଟ୍କୋଷ୍ଟ୍’ ନାମରେ ପ୍ରସିଦ୍ଧ), ୭. ଗୋଲଡେନ ବିଚ୍ (ଓଡ଼ିଶା, ପୁରୀ), ୮. ରାଧାନଗର ବିଚ୍ (ଆଣ୍ଡାମାନ, ନିକୋବର ଦ୍ୱୀପ), ୯. କୋଭଲମ ବିଚ୍ (ଚେନ୍ନାଇଠାରୁ ପ୍ରାୟ ୪୦କିମି ଦୂର), ୧୦. ଇଡେନ ବିଚ୍ (ପଣ୍ଡିଚେରୀଠାରୁ ପ୍ରାୟ ୮/୧୦ କିମି ଦୂର), ୧୧. ମିନିକୟଥୁଣ୍ଡି ବିଚ୍ (ଲାକ୍ଷାଦ୍ୱୀପ), ୧୨. କାଡମାର୍ଟ ବିଚ୍ (ଲାକ୍ଷାବିଚ୍)।
ଗାଡ଼ି ପାର୍କିଂ ସ୍ଥାନରେ କାର୍ ରଖିଦେଇ ସମୁଦ୍ରକୂଳ ଆଡ଼କୁ ଆଗେଇଲୁ। ଦେଖିଲୁ ବାଁ ପଟରେ ରହିଛି ଓଡ଼ିଶାର ଚିତ୍ରକଳା ଅଙ୍କିତ ଏକ ସୁନ୍ଦର ଗେଟ୍। ଟିକେଟ୍ କରି ଭିତରକୁ ଗଲୁ। ଡାହାଣପଟ ସମୁଦ୍ରକୂଳ ସମସ୍ତଙ୍କ ପାଇଁ ଖୋଲା। କିନ୍ତୁ ବାମପଟର ତଟବର୍ତ୍ତୀ ଅଞ୍ଚଳ ଇକୋରିଟ୍ରିଟ୍ରେ ରହିବାକୁ ଆସୁଥିବା ପ୍ରକୃତିପ୍ରେମୀ ତଥା ନିରବ ବେଳାଭୂମି କୋଳରେ ସମୟ ଅତିବାହିତ କରିବାକୁ ଆସୁଥିବା ଲୋକଙ୍କ ପାଇଁ ସଂରକ୍ଷିତ। ସମୟ ବୋଧେ ପୂର୍ବାହ୍ଣ ନଅଟା ହେବାକୁ ଯାଉଥିଲା। ମୋତେ ଲାଗିଲା ସତେ ଯେପରି ସେଠାରେ ଆମେ ଏକୁଟିଆ। ମାତ୍ର ଟିକିଏ ଆଗକୁ ଯିବାପରେ ଦେଖିଲୁ, ମଝିରେ ମଝିରେ ଥିବା ଛଣତଳେ ରଖାଯାଇଥିବା ଆରାମ ଚେୟାରମାନଙ୍କରେ ଅନେକ ଲୋକ ଚୁପ୍ଚାପ୍ ବସିଛନ୍ତି। ସମୁଦ୍ର କୂଳେକୂଳେ ଲମ୍ବିଯାଇଥିବା ଟାଇଲ୍ ରାସ୍ତାର କଡ଼େକଡ଼େ ଶୌଚାଳୟ, ଗାଧୁଆଘର, ପିଇବାପାଣି କେନ୍ଦ୍ର, ଲୁଗା ବଦଳାଇବା ଘର, ପୋଲିସ୍ ଓ ତଟରକ୍ଷୀ ଅଫିସ୍, ୱାଚ୍ ଟାୱାର ସହିତ ବୟସ୍କ ଲୋକମାନଙ୍କୁ ବୁଲାଇ ନେବାକୁ ଠେଲାଗାଡ଼ି ସହିତ ସାହାଯ୍ୟକାରୀ ଉପସ୍ଥିତ। ବେଳାଭୂମିର ଏ ଶାନ୍ତକାନ୍ତ ପରିବେଶ ସାଙ୍ଗକୁ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା ବେଶ୍ ଆକର୍ଷଣୀୟ ଲାଗିଲା। ଗୋଟିଏ ଅଠର/ଉଣେଇଶ ବର୍ଷର ଯୁବକ ଏତିକିବେଳେ ପାଖକୁ ଆସି ପଚାରିଲା, ‘ସାର୍ ଆପଣ କ’ଣ ଜଣେ ସିନିଅର ସିଟିଜେନ୍?’ ମୁଁ ହଁ କହିବାରୁ ସେ ମୋତେ ଚକଲଗା ଠେଲାଗାଡ଼ିରେ ନେବାକୁ ଆଗ୍ରହ ପ୍ରକାଶକଲା। ମୁଁ ପରୀକ୍ଷା ସ୍ୱରୂପ ସେ ଗାଡ଼ିରେ ବସିଲି। ପଚାରିଲି, ତମର ପଢ଼ାପଢ଼ି ସରିଯାଇଛି କି? ସେ କହିଲା, ନାଇଁ ସାର୍, ଏବେ ମୁଁ ଖଲିକୋଟ କଲେଜରେ ବିଏ ପଢ଼ୁଛି। ଏଠାରେ କ୍ୟାମ୍ପ ପ୍ରାୟ ୫/୬ ମାସ ଚାଲେ। ସାମୟିକ ଏଠାରେ ସ୍ୱେଚ୍ଛାସେବୀ ଭାବରେ କାମକରି କିଛି ଅର୍ଥ ରୋଜଗାର କରି ପଢ଼ାଖର୍ଚ୍ଚ ଭରଣାକରେ।
ତା’କଥା ଶୁଣି ମୋତେ ବହୁତ ଖୁସି ଲାଗିଲା। ତା’ପରେ ସେ ମୋତେ ପଚାରିଲା, ‘ସାର୍ ଆପଣ କେଉଁ ଚାକିରି କରୁଥିଲେ?’ ଉତ୍ତରରେ ମୁଁ କହିଲି, ଜଣେ ଅଧ୍ୟାପକ ଭାବରେ ପ୍ରଥମେ ମୁଁ ତୁମର ଖଲିକୋଟ କଲେଜରେ ଜଏନ୍ କରିଥିଲି। ଅବସର ନେବା ପରେ ଭୁବନେଶ୍ୱରରେ ରହୁଛି। ସଂଗେ ସଂଗେ ସେ ମୋତେ ସମ୍ଭ୍ରମତା ସହକାରେ ନମସ୍କାର କଲା। ୱାଚ୍ ଟାୱାର ଉପରକୁ ନେଇ ଦୂରରେ ଥିବା ଦୃଶ୍ୟ ସବୁ ଦେଖାଇ ଅନେକ ତଥ୍ୟ ପ୍ରଦାନ କରିବାରେ ଲାଗିଲା। ଏଥର ମୁଁ ତା’ଠାରୁ ବିଦାୟ ନେଇ କୂଳରେ କିଛି ସମୟ ପଦଚାରଣା କରିବାରେ ଲାଗିଲି। ଏତେ ସଫାସୁତରା ବିଚ୍ ମୁଁ କ୍ୱଚିତ୍ ଦେଖିଛି। ନିରୋଳା ଜହ୍ନ ରାତିରେ କେତେ ସୁନ୍ଦର ଦିଶୁନଥିବ ସତେ। ନିର୍ଭୟରେ ଶତାଧିକ ବାଲିକଙ୍କଡ଼ାଙ୍କ ଅବାଧ ବିଚରଣ। ପାଖରେ ପଡ଼ିଥିବା ଏକ ଛତାତଳେ ପଡ଼ିଥିବା ଚେୟାରରେ ବସିପଡ଼ିଲି। ସ୍ୱାମୀ-ସ୍ତ୍ରୀ ଓ ଆଠବର୍ଷର ପୁଅ ପାଖରେ ବସିଥାନ୍ତି। ପୁଅଟି ସମୁଦ୍ର ଢେଉରେ ଖେଳି ଦେହସାରା ପାଣି ଓ ବାଲିରେ ଜୁଡୁବୁଡୁ। ପଚାରି ବୁଝିଲି, ସେମାନେ ଆନ୍ଧ୍ରର ବାସିନ୍ଦା। ସେମାନେ ଚାଲିଯିବା ପରେ କଲେଜ ପଢ଼ୁଆ ସ୍ୱେଚ୍ଛାସେବୀଟି ପହଞ୍ଚି କହିଲା, ସାର୍ ଏଠି ଆନ୍ଧ୍ର, ଓଡ଼ିଶା ଅଞ୍ଚଳ ପାଖାପାଖି ମିଶାମିଶି ହୋଇ ରହିଛି। ଆନ୍ଧ୍ର ଲୋକଙ୍କର ଚେଷ୍ଟାଥିଲା, ଏହାକୁ ସୋନାପୁର ନାଁ ଦେଇ ଆନ୍ଧ୍ରର ବୋଲି ଦାବି କରିବା। ବହୁତ ଛକାପଞ୍ଝା ପରେ ଏହାର ନାମ ସୁନାପୁର ରହିଛି, ନହେଲେ ଓଡ଼ିଶା ତା’ର ନ୍ୟାଯ୍ୟ ଦାବିରୁ ବଞ୍ଚିତ ହୋଇଥାନ୍ତା। ସଂଧ୍ୟା ପାଖେଇ ଆସୁଥିଲା। ଇଲେକ୍ଟ୍ରିକ୍ ଆଲୋକମାଳାରେ ଇକୋରିଟ୍ରିଟ୍ର କୁଟୀରଗୁଡ଼ିକ ଜୀବନ୍ତହୋଇ ଉଠୁଥିଲେ। ଢ଼େଉଗୁଡ଼ିକ ଚମକି ଉଠିବା ସହିତ ବହୁତ ଖୁସିରେ ନାଚୁଥିବାର ମନେହେଲା।

ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା
ପ୍ରଶ୍ନଉଠେ, ଗୋଟିଏ ବିଚ୍କୁ ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା କିଏ ଓ କିପରି ପ୍ରଦାନ କରିଥାନ୍ତି। ଡେନମାର୍କରେ ଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଦି ଫାଉଣ୍ଡେସନ୍ ଫର୍ ଏନ୍ଭାଇରନ୍ମେଣ୍ଟ୍ ଏଜୁକେଶନ’ ଏହି ମାନ୍ୟତା ପ୍ରଦାନ କରିଥାନ୍ତି। ସେଥିପାଇଁ ୩୩ଟି କଠିନ ସର୍ତ୍ତାବଳୀ ରଖାଯାଇଛି। ସେଗୁଡ଼ିକୁ ସଂକ୍ଷେପରେ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଏ। ଯଥା: ୧. ସ୍ଥାନୀୟ ପରିବେଶ ଆଧାରିତ ଶିକ୍ଷା ଓ ସୂଚନା, ୨. ସମୁଦ୍ର ଜଳର ସ୍ନାନ ଉପଯୋଗିତା, ୩. ପରିବେଶର ଉପଯୁକ୍ତ ପରିଚାଳନା ଓ ସୁରକ୍ଷା, ୪. ଲୋକଙ୍କ ସୁରକ୍ଷା ଓ ସେବା। ସୁନାପୁର ସି-ବିଚ୍କୁ ଏହିସବୁ ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ଏପ୍ରିଲ୍ ୨୦୨୧ରେ ପ୍ରସ୍ତୁତି ଆରମ୍ଭ ହେଲା। ଏଥିପାଇଁ ଓଡ଼ିଶାର ‘ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ପ୍ଲାନ୍’ ଏବଂ ସ୍ଥାନୀୟ କମିଟି ମିଳିତ ଭାବରେ କାର୍ଯ୍ୟ ଆରମ୍ଭକଲେ। ଅନ୍ତର୍ଜାତୀୟ ସଂସ୍ଥା ଏଫ୍.ଇ.ଇ., ଡେନମାର୍କଙ୍କ ଗାଇଡ୍ଲାଇନ ଅନୁସାରେ ଦୁଇବର୍ଷ ମଧ୍ୟରେ ସୌରଶକ୍ତିଚାଳିତ ଲାଇଟ୍, ସିସିଟିଭି କ୍ୟାମେରା, ୱାଚ୍ ଟାୱାର, ଯଥେଷ୍ଟ ସଂଖ୍ୟକ ପାଇଖାନା, ଖୋଲା ଗାଧୁଆ ଘର, ଚେଞ୍ଜିଙ୍ଗ୍ ରୁମ୍, ପ୍ରାଥମିକ ଚିକିତ୍ସା ଗୃହ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ଯଥେଷ୍ଟ ସଂଖ୍ୟାରେ ବସିବା ବ୍ୟବସ୍ଥା, ଶିଶୁ ଉଦ୍ୟାନ, ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଦୋକାନ, ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ହୁଇଲ୍ ଚେୟାର, ଗାଡ଼ି ପାର୍କିଂ ଓ ଲାଇଫ୍ ଗାର୍ଡ ପ୍ରଭୃତିର ସୁବ୍ୟବସ୍ଥା କରାଗଲା। ତା’ପରେ ଏଫ୍.ଇ.ଇ., ଡେନମାର୍କଙ୍କ ତରଫରୁ କମିଟି ଏସବୁର ତଦାରଖକରି ସନ୍ତୋଷ ବ୍ୟକ୍ତକଲେ ଓ ୨୦୨୩-୨୪ ବର୍ଷ ପାଇଁ ଜାନୁଆରୀ ୨୯-୩୧, ୨୦୨୪ରେ ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା ପ୍ରଦାନକଲେ।
ମୋର ସୌଭାଗ୍ୟ, ଦୁଇଥର ଏହି ସୁନାପୁର ବିଚ୍ରେ ସମୟ ଅତିବାହିତ କରିବାର ଅବସର ମିଳିଛି। ବିଚ୍ର ଗୋଟିଏ ଦିଗରେ ରହିଛି ବାହୁଦା ନଦୀ ଓ ଅନ୍ୟ ଦିଗରେ ଲମ୍ବିଯାଇଛି ବଙ୍ଗୋପସାଗରର ମୋତିଭଳି ଚମକୁଥିବା ସୈକତ ବେଳାଭୂମି। ସ୍ୱଚ୍ଛ ଜଳରାଶିର ସୁନୀଳ ଢ଼େଉ ସହିତ ନିର୍ଭୟରେ ବିଚରଣ କରୁଥିବା ବାଲି କଙ୍କଡ଼ାମାନଙ୍କର ଖେଳ। ମୋତେ ଠିକ୍ ଗୋଆରେ ଦେଖିଥିବା ମୋବର ବିଚ୍ର ପରିବେଶ ଭଳି ପ୍ରତୀୟମାନ ହେଲା ସୁନାପୁର ବିଚ୍।
ସେଠାରେ ସାଳ୍ ନଦୀ ବଦଳରେ ଏଠାରେ ରହିଛି ବାହୁଦା ନଦୀ, ଆଉ ଆରବସାଗର ଜାଗାରେ ରହିଛି ବଙ୍ଗୋପସାଗର। ସି-ବିଚ୍କୁ ଯିବା ପାଇଁ ବାହୁଦା ନଦୀ ଉପରେ ପୋଲ ତିଆରି ହୋଇଛି। ବିଚ୍ ନିକଟରେ ରହିଛି ବ୍ୟାକ୍ ୱାଟରର ହ୍ରଦ। ତେଣୁ ବୋଟିଂ ଓ ଅନ୍ୟ ବିଭିନ୍ନ ପ୍ରକାର ଜଳକ୍ରୀଡ଼ା ପାଇଁ ଯଥେଷ୍ଟ ବ୍ୟବସ୍ଥା ରହିଛି। ବିଚ୍ରେ ପହଞ୍ଚିବା ପୂର୍ବରୁ ଝାଉଁ ଜଙ୍ଗଲ ମଝିରେ ପିକ୍ନିକ୍ କରିବା ପାଇଁ ପାଣିର ବ୍ୟବସ୍ଥା ସହିତ ସିମେଣ୍ଟର ଅନେକଗୁଡ଼ିଏ ପିଣ୍ଡି ନିର୍ମାଣ କରାଯାଇଛି। ଫଳରେ ପିକ୍ନିକ୍ କରିବା ପାଇଁ ଆସୁଥିବା ଲୋକମାନେ ଆଉ ସମୁଦ୍ର କୂଳକୁ ଯାଇ ଅପରିଷ୍କାର କରିବାର ସୁଯୋଗ ନଥାଏ। ତା’ଛଡ଼ା ସେଠାରେ ଗୋଟିଏ ସୁଇମିଂପୁଲ୍ ମଧ୍ୟ ନିର୍ମାଣ କରାଯାଇଛି। ତା’ପରେ ଆସେ ବ୍ଲୁ ଫ୍ଲାଗ୍ ବିଚ୍କୁ ଯିବା ପୂର୍ବରୁ ଓଡ଼ିଶାର ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏକ ସୁଦୃଶ୍ୟ ଗେଟ୍। ପାଖରେ ରହିଛି ବୁକିଂ କାଉଣ୍ଟର। ଟିକେଟ୍ ନେଇ ପ୍ରବେଶ କରିପାରିବେ। ଶୀତଦିନେ ଏଠାରେ (ନଭେମ୍ବର-ମାର୍ଚ୍ଚ) ପ୍ରାୟ ୩/୪ ମାସ ରାଜ୍ୟ ସରକାରଙ୍କ ତରଫରୁ ଇକୋ-ରିଟ୍ରିଟ୍ କ୍ୟାମ୍ପ୍ ଆୟୋଜନ ହୁଏ। ଟୁରିଜିମ୍କୁ ଉତ୍ସାହିତ କରିବା ପାଇଁ ବେଳାଭୂମି, ଜଳପ୍ରପାତ, ଜଙ୍ଗଲ ପ୍ରଭୃତି ସ୍ଥାନରେ ଆଜିକାଲି ନେଚର କ୍ୟାମ୍ପ ଓ ଇକୋ-ରିଟ୍ରିଟ୍ କ୍ୟାମ୍ପ୍ର ବ୍ୟବସ୍ଥା ହେଉଛି। ଫଳରେ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ଟୁରିଷ୍ଟ ଓ ପ୍ରକୃତିପ୍ରେମୀଙ୍କ ସମାଗମ ହୁଏ। ସେମାନଙ୍କ ରୁଚିକୁ ଆଖି ଆଗରେ ରଖି ରହିବା ପାଇଁ ଅନେକ କଟେଜ୍ ଓ ଡବଲ ବେଡରୁମ୍ର ବ୍ୟବସ୍ଥା କରାଯାଏ। ସବୁଥିରେ ଗାଧୁଆଘର ସହିତ ଘର ସାମ୍ନାରେ ବସାଉଠା ପାଇଁ ଖୋଲା ଜାଗାର ମଧ୍ୟ ବ୍ୟବସ୍ଥା ରହିଛି। ଡବଲ୍ ଡବଲ୍ ବେଡରୁମ୍କୁ ପ୍ରାୟ ଚାରିହଜାର ଟଙ୍କା ଭଡ଼ା ସହିତ ବ୍ରେକ୍ଫାଷ୍ଟ, ଲଞ୍ଚ ଓ ଡିନର ଫ୍ରି। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ପ୍ରସିଦ୍ଧ ନୃତ୍ୟଗୀତ ସବୁ ପରିବେଷଣ କରାଯାଏ। ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହୁଇଲ୍ ଚେୟାରର ମଧ୍ୟ ବ୍ୟବସ୍ଥା ରହିଛି। ବେଳାଭୂମିରେ ବସି ମଜା ନେବା ପାଇଁ କାଠ ବାଉଁଶର ଅନେକ ବଡ଼ବଡ଼ ଛତା ରଖାଯାଇଛି। ତା’ତଳେ ରହିଛି ଆରାମଦାୟକ ଚେୟାର। ଏଗୁଡ଼ିକ ବର୍ଷସାରା ଥାଏ। ସମୁଦ୍ରକୂଳରେ ଚାଲିଚାଲି ଥକିଗଲେ କିମ୍ବା ଏକାଏକା ପ୍ରକୃତିକୁ ନିରବରେ ବସି ଦେଖିବାକୁ ବେଶ୍ ସହାୟକ।
ନଦୀ ଓ ସମୁଦ୍ରର ମିଳନ
ନଦୀ ଓ ସମୁଦ୍ରର ମିଳନ ସ୍ଥଳୀରେ ଅବସ୍ଥିତ ସୁନାପୁର ବା ପାତିପାତି ସୁନାପୁରର ଭୌଗୋଳିକ ସ୍ଥିତି ଅନିର୍ବଚନୀୟ। ସେଥିପାଇଁ କାହିଁ କେତେ ଦୂରରୁ ଶୀତଦିନେ ଅଲିଭ୍ ରିଡ୍ଲେ କଇଁଛମାନେ ଏଠାକୁ ନିର୍ଭୟରେ ଅଣ୍ଡାଦାନ କରିବାକୁ ଆଗେଇ ଆସନ୍ତି। କେବଳ ଶୀତଦିନର କୋଳାହଳମୟ ପରିବେଶକୁ ଛାଡ଼ିଦେଲେ ଅନ୍ୟ ସମୟରେ ସ୍ଥାନଟିରେ ନିରବଚ୍ଛିନ୍ନ ନିରବତା ବିରାଜମାନ କରେ। ପ୍ରକୃତି ବେଶ୍ ଶାନ୍ତ ଓ ନିରବ ରହେ। ତେଣୁ ଭାବୁକ ଓ କୋଳାହଳଠାରୁ ଦୂରେଇ ରହିବାକୁ ଚାହୁଥିବା ଲୋକେ କାହିଁ କେତେ ଦୂରରୁ ଏଠାକୁ ଛୁଟି ଆସନ୍ତି। ନଦୀ, ସମୁଦ୍ରରେ ବୋଟିଂ କିମ୍ବା ନଦୀ ସମୁଦ୍ରର ସଙ୍ଗମରେ ପ୍ରାକୃତିକ ଆନନ୍ଦ କ୍ୱଚିତ୍ ମିଳିଥାଏ।
ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ ପରି ଏକାଏକା ବସିଥିବା ଭାବୁକଟିଏ କେବେ ମନେ ପକାଇବାକୁ ଭୁଲେନାହିଁ, ‘ବିଜନତା କାହିଁ ତୋ ବେଶ ମୋହନ, ଯେ ରୂପେ ମୋହିଲୁ ତୁ ମୁନି ନୟନ’। ବ୍ରହ୍ମପୁରଠାରୁ ପ୍ରାୟ ୨୦/୨୫ କିମି, ଗୋପାଳପୁର ସି-ବିଚ୍ଠାରୁ ୩୫ କିମି ଓ ରାଜଧାନୀ ଭୁବନେଶ୍ୱରଠାରୁ ୧୯୫ କିମି ଦୂରରେ ଥିବା ସୁନାପୁର ବିଚ୍ ସଡ଼କ ପଥରେ ବେଶ୍ ସୁଗମ୍ୟ। ଓଡ଼ିଶା ଓ ଆନ୍ଧ୍ରର ଲୋକମାନଙ୍କ ପାଇଁ ଏହା ଏକ ବିଶେଷ ବିଚ୍ ଓ ପର୍ଯ୍ୟଟନସ୍ଥଳୀ। ଗଞ୍ଜାମର ଐତିହାସିକ ପୋତାଗଡ଼ ଦୁର୍ଗ ପ୍ରାୟ ୫୦ କିମି ଦୂର। ତା’ଛଡ଼ା ବ୍ରହ୍ମପୁରରେ ଥିବା ପ୍ରସିଦ୍ଧ ସିଦ୍ଧଭୈରବୀ ପୀଠ, ମାଆ ମହୁରୀ କାଳୁଆ ମନ୍ଦିର ସହିତ ୪୦/୪୫ କିମି ଦୂରରେ ଥିବା ତାମ୍ପରା ହ୍ରଦ ମଧ୍ୟଜଣେ ଚାହିଁଲେ ବୁଲି ଦେଖିପାରିବେ। ନିଜର କାର୍ ଥିଲେ ୬୦/୬୨ କିମି ଦୂରରେ ପାକିନି ପାହାଡ଼ ପାଦଦେଶରେ ଥିବା ଚେରମାରିଆ ନେଚର କ୍ୟାମ୍ପ ମଧ୍ୟ ଭ୍ରମଣ କରିପାରିବେ। ଏହା କୃଷ୍ରସାର ହରିଣ ପାଇଁ ବହୁତ ପ୍ରସିଦ୍ଧ। ଶହଶହ ହରିଣ ସହ ବହୁ ସଂଖ୍ୟକ ମୟୂରଙ୍କ ପାଇଁ ଏ ସ୍ଥାନଟି ଏକ ଅଭୟାରଣ୍ୟ ସଦୃଶ। ସ୍ଥାନୀୟ ଜନସାଧାରଣ ଏହି ବିରଳ ପଶୁପକ୍ଷୀଙ୍କୁ ସୁରକ୍ଷା ଦେଇଥାନ୍ତି। ସୁନାପୁର ସି-ବିଚ୍ର ମଧ୍ୟ ଏକ ଐତିହାସିକ ପୃଷ୍ଠଭୂମି ରହିଛି। ଗଞ୍ଜାମର ଜଉଗଡ଼ଠାରେ ଥିବା ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖରେ ଉଲ୍ଲେଖ ଅଛି, ଗଞ୍ଜାମ ଅଶୋକଙ୍କ ରାଜ୍ୟ ଦକ୍ଷିଣ କଳିଙ୍ଗର ଅଂଶବିଶେଷ ଥିଲା। ସେହିପରି ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ସୁନାପୁର ବିଚ୍ ଇଚ୍ଛାପୁର ରାଜ୍ୟର ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର ଥିଲା ବୋଲି କୁହାଯାଏ। ଏହାର ପ୍ରମାଣ ନିକଟରେ ଥିବା କଷ୍ଟମ୍ ହାଉସ୍ ଓ ପିଲାରଗୁଡ଼ିକର ଭଗ୍ନାବଶେଷରୁ ମିଳିଥାଏ।
ତେବେ ସେ ଯାହାହେଉନା କାହିଁକି, ସବୁ ଦୃଷ୍ଟିରୁ ସୁନାପୁର ଯେ ଏକ ଉଚ୍ଚକୋଟୀର ବିଚ୍ ଏଥିରେ କାହାର ସନ୍ଦେହ ନାହିଁ। ସବୁ ବର୍ଗର ଲୋକଙ୍କ ପାଇଁ ଏହା ଶାନ୍ତି ଓ ତୃପ୍ତି ପ୍ରଦାନ କରିବାରେ ଯଥେଷ୍ଟ ସହାୟକ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )