ଲେଖକର ଅଭିଳାଷ

ମଣିଷ ମାତ୍ରକେ ଅଭିଳାଷୀ; କିଛି ନା କିଛି ଅଭିଳାଷ ହିଁ ତା’କୁ ନିଜର ଈପ୍‌ସିତ କର୍ମ ସହିତ ଯୋଡ଼ିହେବା ପାଇଁ ପ୍ରରୋଚିତ କରିଥାଏ। ଜଣେ ଲେଖକ ଏଥିର ବ୍ୟତିକ୍ରମ ବା ହେବ କିପରି? ଆମ ସାହିତ୍ୟଜଗତ ଭିତରକୁ ଦୃଷ୍ଟି ଫେରାଇଲେ ଆମକୁ ଦିଶିଯାଏ ଯେ ଏବର ଅଧିକାଂଶ ଲେଖକ ନିଜର ଅହଂଗ୍ରସ୍ତ ମନସ୍କାମନା ଦ୍ୱାରା ବହୁମାତ୍ରାରେ କବଳିତ। ପୁରସ୍କାର, ସ୍ୱୀକୃତି ଓ ସମ୍ମାନ ପାଇଁ ଆଜିର ସାହିତ୍ୟସ୍ରଷ୍ଟାମାନଙ୍କର ବ୍ୟାକୁଳତା ବିଷୟ ସର୍ବବିଦିତ। ତେବେ ସୁଖର କଥା, ସେହି ପ୍ରକୃତିଗତ ଅଭିଳାଷକୁ ଦମନ କରି କିଛିଜଣ ବ୍ୟତିକ୍ରମୀ ଲେଖକ ନିଜକୁ ଏକ ସକାରାତ୍ମକ ଉଚ୍ଚତାକୁ ନେବାରେ ମଧ୍ୟ ସମର୍ଥ ହୋଇଛନ୍ତି। ‘ଭଗବଦ୍‌ଗୀତା’ରେ କୁହାଯାଇଛି ଯେ ପ୍ରଜ୍ଞାବାନ୍ ପୁରୁଷମାନେ ନିଜର କାମନା ସକଳକୁ ଜ୍ଞାନର ଅଗ୍ନିରେ ଦଗ୍‌ଧ କରିପକାନ୍ତି। ସାହିତ୍ୟ ସଦା ଏହିଭଳି ବିଦଗ୍ଧ ସ୍ରଷ୍ଟାମାନଙ୍କୁ ଝୁରି ହେଉଥାଏ।
ଆମ ପତ୍ରିକାର ଚଳିତ ସଂଖ୍ୟାଟିର ସମ୍ପାଦନା କରିବାବେଳେ ଆମେ ଲେଖକୀୟ ଅଭିଳାଷର ଏଭଳି ଏକ ମହତ୍ତର ଦୃଷ୍ଟାନ୍ତ ଦେଖିବାକୁ ପାଇଲୁ। ପ୍ରସଙ୍ଗ ହେଉଛି, ଏହି ସଂଖ୍ୟାରେ ପ୍ରକାଶ ପାଇଥିବା ‘ହାମନେଟ୍ ଓ କାନ୍ଦମାଷ୍ଟ୍ରେ: ବହୁବର୍ଣ୍ଣା କାନ୍ଦ’ ଶୀର୍ଷକ ଗୋଟିଏ ପ୍ରବନ୍ଧ, ଯେଉଁଥିରେ ନିକଟରେ ମୁକ୍ତିଲାଭ କରିଥିବା ଏକ ଇଂରାଜୀ ଚଳଚ୍ଚିତ୍ର ସହିତ ସେହି ପାଖାପାଖି ସମୟରେ ଏକ ଚଳଚ୍ଚିତ୍ରର ରୂପ ପାଇଥିବା ଗୋଟିଏ ଓଡ଼ିଆ ନାଟକର ତୁଳନାତ୍ମକ ସମୀକ୍ଷା କରାଯାଇଛି। ଲେଖାଟିକୁ ପଢ଼ିବା ପରେ ଏଥିରେ କିଛି ଗୋଟିଏ ଅଭାବ ରହିଯାଇଥିବା ଭଳି ଆମର ମନେହେଲା। ଏହାକୁ ଆଉଥରେ ପଢ଼ି ଜାଣିପାରିଲୁ ସେହି ଅଭାବଟି କ’ଣ! ପ୍ରାବନ୍ଧିକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏହି ସମାଲୋଚନାମୂଳକ ପ୍ରବନ୍ଧଟିରେ ସେହି ଓଡ଼ିଆ ନାଟକ ବା ଚଳଚ୍ଚିତ୍ରର ଏକ ସୁଷମ ସମୀକ୍ଷା ତ କରିଥିଲେ, କିନ୍ତୁ ତାହାର ଲେଖକ କିଏ, ସେକଥା କେଉଁଠି ହେଲେ ଉଲ୍ଲେଖ କରିବାକୁ ଭୁଲିଯାଇଥିଲେ।
ଏଥିରେ ବିଶେଷ କିଛି ଅସ୍ୱାଭାବିକତା ନ ଥିଲା। ମାତ୍ର ଲେଖାଟିକୁ ଆମେ ଯେତେବେଳେ ସେହି ନିର୍ଦ୍ଦିଷ୍ଟ ଓଡ଼ିଆ ନାଟକର ଲେଖକଙ୍କ ପାଖକୁ ମତାମତ ପାଇଁ ପଠାଇଲୁ, ତାଙ୍କର ପ୍ରତିକ୍ରିୟାରେ ଥିଲା ଏକ ବିଚିତ୍ର ଅସ୍ୱାଭାବିକତା। ସ୍ୱଲିଖିତ ନାଟକର ଏକ ସମୀକ୍ଷାରେ ନିଜର ନାମ ଲେଖାଯାଇ ନ ଥିବାର ଦେଖି ବିବ୍ରତ ହେବା ପରିବର୍ତ୍ତେ, ସେ ବରଂ ବହୁତ ଉଲ୍ଲସିତ ହୋଇଗଲେ ଏବଂ କହିଲେ, “ମୁଁ ଏମିତି ଏକ ଦିନର ଅପେକ୍ଷାରେ ଥିଲି ଯେତେବେଳେ ଲୋକେ ମୋତେ ଭୁଲିଯାଇ କେବଳ ମୋ’ ଲେଖାଟିକୁ ମନେରଖିବେ। ମୋ’ର ଅନ୍ତରର ଅଭିଳାଷ ଥିଲା ଯେ ମୋ’ର ଲେଖା ମୋ’ଠାରୁ ଆହୁରି ଆଗକୁ ଯାଉ।” ଆମେ ଜାଣିବାକୁ ପାଇଲୁ ଯେ ପ୍ରବନ୍ଧଟିରେ ନିଜର ନାମ ନ ଦେଖି ସେ ପ୍ରକୃତରେ ଏତେ ଖୁସି ହୋଇଯାଇଥିଲେ ଯେ ସେହି ଦିନଟିକୁ ସପରିବାର ‘ସେଲିବ୍ରେଟ୍‌’ ମଧ୍ୟ କରିଥିଲେ।
ଏହା ଶୁଣି ଆମର ମନେପଡ଼ିଗଲା ଯେ ‘ମାଗୁଣିର ଶଗଡ଼’, ‘ଆଚାର୍ଯ୍ୟେ ଥିଲେ ବୋଲି’ ଓ ‘ଶିକାର’ ଭଳି କେତୋଟି କାଳଜୟୀ ଗଳ୍ପ ଓଡ଼ିଆ ଜନମାନସରେ ଏକ ଉଚ୍ଚ ଆସନ ପାଇସାରିଥିଲେ ସୁଦ୍ଧା ସେଗୁଡ଼ିକର ଲେଖକଙ୍କର ନାମ ଅନେକେ ଏବେ କହିପାରିବେ ନାହିଁ। ଏକଥା ସେହି ଲେଖକମାନଙ୍କର ଗରିମା ଆହୁରି ବହୁଗୁଣିତ କରିଛି।
ଅନ୍ୟପକ୍ଷରେ ନିଜ ଲେଖାର ବାସ୍ତବ ସ୍ତରଠାରୁ ନିଜର ବ୍ୟକ୍ତିତ୍ୱକୁ ଅଧିକତର ଏକ ଉଚ୍ଚତାରେ ଥୋଇ କୌଣସିମତେ ପ୍ରଶଂସା ହାତେଇବା ପାଇଁ ବ୍ୟଗ୍ର ଆଜିର ବହୁଜଣ ସାହିତ୍ୟିକ ଏକ ବୃଥା ଘୋଡ଼ାଦୌଡ଼ରେ ମାତିନାହାନ୍ତି କି! ତୁଚ୍ଛା ଅହଂ ଓ କାମନା ଦ୍ୱାରା ଗ୍ରସ୍ତ ହୋଇଥିବା ଏଭଳି ସ୍ରଷ୍ଟାମାନଙ୍କର ଚିନ୍ତାଧାରାରେ ଉତ୍ତରଣ ନ ଘଟିବା ପର୍ଯ୍ୟନ୍ତ ଆମ ସାହିତ୍ୟର ସ୍ୱର୍ଣ୍ଣିମ ଯୁଗ ଆସିବ ନାହିଁ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *